Wednesday, February 21, 2024
Stories

ମୋ ଗାଁ ମୋ ଘର (୧୨)

ମୋ ଗାଁ ମୋ ଘର
୧୨
==============================
ପ୍ରକୃତି ଥିଲା ଆମର ଖାଦ୍ୟ ଭଣ୍ଡାର
==============================
ଖଣ୍ଡପଡ଼ା ପ୍ରାକୃତିକ ପ୍ରାଚୁର୍ଯ୍ୟର ଗନ୍ତାଘର। ଖରାଦିନେ ଏହି ପାହାଡି ସହରଟି ଜଳେ କୋଇଲା ଇଞ୍ଜିନ୍ ଭଳି; ଶୀତଦିନେ ହାଡ଼ଭଙ୍ଗା ଶୀତରେ କଲିଜା ଥରେ।ପ୍ରାୟ ସବୁ ବର୍ଷ ଏଠି କାଳବୈଶାଖୀ ଧ୍ବଂସର ତାଣ୍ଡବ ସୃଷ୍ଟି କରେ।ବଣପାହାଡ ଘେରା ଏହି କ୍ଷୁଦ୍ର ଗଡଜାତଟି ଆମପାଇଁ ଇନ୍ଦ୍ରଙ୍କ ନନ୍ଦନ କାନନ ସହିତ ସମାନ ଥିଲା। ସୁରଧୁନୀ (ସ୍ବର୍ଗଗଙ୍ଗା) ଭଳି ଉତ୍କଳ ଗଙ୍ଗା ମହାନଦୀ ଏହାର ବକ୍ଷ ଦେଇ ପ୍ରବାହିତା। କଣ୍ଟିଲୋ ନିକଟରେ ମହାନଦୀ ତଟରେ ଉଭା ହୋଇଛି ବ୍ରହ୍ମାଦ୍ରି-ବିହିରୀ ନୀଳମାଧବଙ୍କ ପୁଣ୍ୟପୀଠ।ଉତ୍କଳ ଗଙ୍ଗା ମହାନଦୀ ଏହାର ପାଦ ଧୋଇ ଦେଉଛନ୍ତି। ମନ୍ଦିର ଉପରୁ ମହାନଦୀର ଦୁଇ କଡରେ ଥିବା ପାହାଡ଼ପର୍ବତର ଚାରୁ ଚିତ୍ରପଟ ଦେଖି ଶରୀର ରୋମାଞ୍ଚିତ ହୋଇଯାଏ,ଆଖି ପବିତ୍ର ହୋଇଯାଏ। କଣ୍ଟିଲୋ ଛଡା ସୁନାମୁହୀଁ ପ୍ରୋଜେକ୍ଟ ହେଉ କିମ୍ବା ବଡ଼ ଟାସେରା,ରାଜଗିରିର ଷୋଳଭୂଆଶୁଣୀପୀଠ,କିମ୍ବା ବାଘୁଆ ପଲ୍ଲୀର ଶୈବପୀଠ,ମାଧପୁର ନିକଟସ୍ଥ ଯଜ୍ଞପଦା,ହନୁମନ୍ତ ପ୍ରସାଦ ନିକଟସ୍ଥ ଯୋଗାଶ୍ରମ,ସାରଣ୍ଡା ଟାସରା ନିକଟସ୍ଥ ଉଗ୍ରତାରା ଠାକୁରାଣୀପୀଠ,ଓଳାସ ନିକଟସ୍ଥ ମୁଣ୍ଡିଆପଡା,ସିଧାମୂଳା ନିକଟସ୍ଥ ଗୋକୁଳାନନ୍ଦ ପୀଠ ଅଥବା ତରବାଲୁ ନିକଟସ୍ଥ ଉସ୍ମ ପ୍ରସ୍ରବଣ, ସବୁଠାରେ ଦେଖିବାକୁ ମିଳେ ପ୍ରକୃତିର ପ୍ରାଣ ପ୍ରାଚୁର୍ଯ୍ୟ। ଖଣ୍ଡପଡ଼ାର ଗିରିହନୁମାନ ପାହାଡ଼ ଉପରୁ ଗଡ଼ଟି ନିସର୍ଗ ସୁନ୍ଦରୀ ପାହାଡୀ କନ୍ୟାଟିଏ ଭଳି ଦେଖାଯାଏ।ପାଗ ଭଲ ଥିଲେ ନିରେଖି ଦେଖିଲେ ଏଠାରୁ କଣ୍ଟିଲୋ ନୀଳମାଧବ ପୀଠ ଏବଂ ମହାନଦୀ ମଧ୍ୟ ଦେଖାଯାଏ। ବିଶ୍ବର ସବୁ ସୌନ୍ଦର୍ଯ୍ୟକୁ ଏକାଠି କରି ସ୍ରଷ୍ଟା ସତେ ଯେମିତି ଏହି କ୍ଷୁଦ୍ର ପାହାଡି ଗଡଜାତ ଉପରେ ଅଜାଡି ଦେଇଛନ୍ତି। ଉପଯୁକ୍ତ ଭିତ୍ତିଭୂମି ସୃଷ୍ଟିକରି ପର୍ଯ୍ୟଟନ ବିଭାଗ ଏହି କ୍ଷେତ୍ର ଗୁଡ଼ିକର ଉନ୍ନତିକରଣ କରିପାରିଲେ ପର୍ଯ୍ୟଟନ ମାନଚିତ୍ରରେ ଏହି ଅଞ୍ଚଳ ଏକ ପ୍ରମୁଖ ସ୍ଥାନ ହୋଇ ପାରନ୍ତା। ସୁଇଜରଲ୍ୟାଣ୍ଡ, ସ୍କଟଲାଣ୍ଡ ଭଳି ସ୍ଥାନ ମାନଙ୍କର ପ୍ରାକୃତିକ ଶୋଭା ଏହି ଆଖି ଦେଖିଛି; ସବୁବେଳେ ମନେହୁଏ ଆମ ଓଡ଼ିଶାରେ ତାଠାରୁ ବଳି ସୁନ୍ଦର ସ୍ଥାନ ଗୁଡ଼ିକ ଅବହେଳିତ ହୋଇ ଲୋକଲୋଚନ ଅନ୍ତରାଳରେ ରହିଯାଇଛନ୍ତି।ଛାଡ଼ନ୍ତୁ,କଣ କହିବାକୁ ଯାଇ କୁଆଡେ ପହଞ୍ଚିଲିଣି;କଥାରେ ଅଛି ନା,” କହିଁପେ ନିଗାହେଁ,କହିଁପେ ନିଶାନା”; ଖଣ୍ଡପଡ଼ାର ପ୍ରାକୃତିକ ସୌନ୍ଦର୍ଯ୍ୟ ହିଁ ସେମିତି ମନକୁ ଚହଲାଇ ଦିଏ।

ବାଡିପଟେ ଥିବା ବଗିଚାଟି ଆମର ପରିବା ହାଟ ଥିଲା । ବୋଉ ଖୋଜି ଖୋଜି କୁଆଡୁ ପାଚିଲା କଦଳୀ ସଙ୍ଗେ ସଙ୍ଗେ ବନ୍ତିଳ କଦଳୀ (ତରକାରୀ କଦଳୀ)ଗଛ ଲଗାଇଥିଲା।ଅଳ୍ପଦିନ ଭିତରେ ନଳାପାଣି ପାଇ ବିରାଟ କଦଳୀ ବୁଦା ସୃଷ୍ଟି ହେଲା।ଏତେ କଦଳୀ ହୁଏ ଯେ ଘରେ ଖାଇବା ପରେ ଯଥେଷ୍ଟ ବଣ୍ଟା ହୁଏ। ତରକାରୀ କଦଳୀର ବେସର ମାଛ ତରକାରି ଭଳି ଲାଗେ। କଦଳୀ ବେସର ଘରେ ହୋଇଥିଲେ,ନନା କହନ୍ତି ଆଜି “ଅକଣ୍ଟା ମାଛ”(କଣ୍ଟାହୀନମାଛ) ବେସର ହେଇଚି। କଦଳୀ କଥା ପଡିବାରୁ ପିଲାବେଳେ ଆମେ ଗାଉଥିବା ଗୀତଟିଏ ମନେ ପଡ଼ିଲାଣି। କଦଳୀର ଗୁଣଗାନ କରି ଆମେ ଗାଉଥିଲୁ…
“ରେ କଦଳୀ ନାହିଁ କେ ତୋଠୁଁ ରସାବଳି,
କଦଳୀ ପାଚିଲା, ଦେବତା ନାଚିଲା,ବ୍ରାହ୍ମଣ ମାଇଲା ତାଳି,
ରେ କଦଳୀ ନାହିଁ କେ ତୋଠୁଁ ରସାବଳି..
କଦଳୀର ମଞ୍ଜା,ଘିଅ ସଙ୍ଗେ ଭଜା,
ତାକୁ ଖାଆନ୍ତି ବଙ୍ଗାଳୀ ରେ କଦଳୀ…(୨)
କଦଳୀର ପଟ ହୁଅଇ ମୁକୁଟ,ବାହାଘର ଯାଏ ଚଳି…(୩)
କଦଳୀ ପତର ଧୋବାକରେ ଖାର, ଲୁଗାରୁ ଛାଡଇ ମଳି..(୪)
କଦଳୀ ପତର ଭୋଜିରେ ଆଦର, ଗରିବର ସୁନାଥାଳୀ…(୫)
ଏମିତି ଆଉ କେତେ ପଦ,କୋଉ ମନେଅଛି ।

ଖାତିଆ(ଛୋଟ ପୋଖରୀ) ହୁଡ଼ାରେ ଥିଲା ସଜନା ଗଛଟିଏ । ଅଳ୍ପଦିନ ଭିତରେ ତାହା ଏକ ବିରାଟ ଗଛରେ ପରିଣତ ହେଲା। ଏହା ଗୋଟିଏ ଅମୃତ ବୃକ୍ଷ।ଗଛରେ ଶଗଡେ ସରିକି ଛୁଇଁ ଆସେ। ସଜନା ଶାଗ ସପ୍ତାହରେ ଥରେ ଦି’ଥର ରୋଷେଇ ଘରେ ପଶିବା ନିଶ୍ଚିତ।ନନା କହନ୍ତି ସଜନା ଶାଗରେ ଭରପୁର୍ ଆଇରନ ଥାଏ;ମଧୁମେହ ରୋଗୀଙ୍କ ପାଇଁ ଏହା ଅମୃତ ବୋଲି କିଏ ନଜାଣେ ! ଗଛଛେଲିରୁ ନନା ଆୟୁର୍ବେଦିକ୍ ଔଷଧ ମଧ୍ୟ ତିଆରି କରନ୍ତି।
ସଜନା ଗଛରେ ଚଢିବା ଆମକୁ ମନା ଥିଲା,କାରଣ ସଜନା ଗଛର ଡାଳ ମଟକା,ଗଛରୁ ପଡି ଗୋଡହାତ ଭାଙ୍ଗିବା ସମ୍ଭାବନା ଅଧିକ।ନନା ଗୋଟିଏ ଢଗ ବୋଲନ୍ତି,ଏବେ ବି ମୋର ମନେଅଛି…
“ଆମ୍ବ ମଡମଡ କଇଁଆ ଚେମଡ,ବର ବୋଲେ ମୁହିଁ ଲୁହା,
ସଜନା ଗଛରେ ଯିଏ ଚଢିବ,ତା’ପାଇଁ କୁଲା ମାଠିଆ।”

ଅର୍ଥାତ୍ ଆମ୍ବ ଡାଳରେ ଚଢିଲେ ମଡମଡ ଶବ୍ଦ ହୁଏ, ସାବଧାନତା ଅବଲମ୍ବନ କରିବାକୁ ପଡେ;କଇଁଆ ବା ତେନ୍ତୁଳି ଗଛର ଡାଳ ଚେମେଡିଆ ଓ ସହଜେ ଭାଙ୍ଗେ ନାହିଁ;ବର ଗଛର ଡାଳ ଲୁହା ଭଳି ଟାଣ; କିନ୍ତୁ ସଜନା ଗଛର ଡାଳ ଏତେ ମଟକା ଯେ ଗଛରେ ଚଢିବା ଲୋକର ଶ୍ମଶାନ ଯାତ୍ରା ପାଇଁ କୁଲା ଓ ମାଠିଆ ଯୋଗାଡ଼ କରିବା ଆବଶ୍ୟକ।

ପଛପଟ ବାଡି ବହୁତ ବଡ଼ ଥିଲା। ତେଣୁ, ଭେଣ୍ଡି ବାଇଗଣ ଜହ୍ନି ଗୁଆଁଳ ଆଦି ପରିବା ଚାଷ ଛଡ଼ା ଅନେକ ଉପାଦେୟ ଗଛ ଯଥା.. ଭୃସୁଙ୍ଗା,କାନ୍ଧିଆ (ଖଟା କମଳା),ଲେଭୁଆ(ପିଜୁଳି)ଗଙ୍ଗାକୂଳିଆ ଲେମ୍ବୁ,ଛୋଟ କିସମର ଲେମ୍ବୁ, ସପୁରୀ, ଆମ୍ବକଷି ଅଦା , ହଳଦୀ,ଦେଶୀଆଳୁ ଇତ୍ୟାଦି ଗଛବୃଛ ବୋଉ ଲଗାଇଥିଲା।ସବୁ ପରିବା ଚାହିଦା ଆମ “ବୋଉ ବଗିଚା”ରୁ ମେଣ୍ଟି ଯାଉଥିଲା।

ବାଡିପଟ ବିଲର ବାଡ଼ରେ ଯେଉଁ କେତୋଟି ବାଉଁଶ ଗଛ ଲାଗିଥିଲା,ସେଥିରୁ ବର୍ଷାଦିନେ କରିଡ(ଟେଣ୍ଡର bamboo) ଅଣାଯାଇ ତାକୁ ଚୁନାଚୁନା କରି କାଟି ଭଜା ଏବଂ ତର୍କାରି ପ୍ରସ୍ତୁତ ହେଉଥିଲା। କରିଡ଼ର ମୁଶୁ ମୁଶିଆ ଭଜା ଯିଏ ଖାଇଛି, ତାହା କଦାପି ଭୁଲି ପାରିବ ନାହିଁ।କରିଡ ଦୁଇପ୍ରକାରେ ରନ୍ଧାଯାଏ:-ସଜ କରିଡ ଓ ବାସି କରିଡ।କରିଡକୁ ଚୁନୁଚୁନୁ କରି କାଟି,ପାଣିରେ ଭିଜେଇ ଗୋଟିଏ ଦିନ ରଖି ତାକୁ ମସଲା ମସଲି ଦେଇ ଭାଜିଲେ ତାର ସ୍ବାଦ ଅଲଗା।ଫର୍ମେଣ୍ଟେସନ୍ ଯୋଗୁଁ ଟିକିଏ ଆମ୍ବିଳା ଓ ବାସି ବାସ୍ନା ହୁଏ।ଆମପଟେ ଅନେକଙ୍କୁ ଏପରି ପ୍ରସ୍ତୁତି ଭଲ ଲାଗେ।ଯାହାକୁ ବାସି କରିଡ ଭଲ ନଲାଗେ,ସେ ସଜ କରିଡରେ ପ୍ରସ୍ତୁତ ବ୍ୟଞ୍ଜନ ଖାଇ ପାରିବେ। ଘର ପଛପଟ ବିଲ ବାଡ଼ରେ କେତୋଟି ଛୁମ୍ପୁଡି ବା ଛୁମ୍ପୁଲି ଗଛ ମାଡିଥାଏ।”ଟୋକେଇ ଭୋଗେଇ”ନାମକ ଏକ ପ୍ରକାର ଲତା ମଧ୍ୟ ବାଡରେ ମାଡ଼ିଥାଏ। ଏହି ଲତା ଗୁଡ଼ିକର ଫୁଲ ଜିରାବଟା ଦିଆ ପିଠୋଉ ଭଜା କଲେ ଭାରି ଭଲ ଲାଗେ। ଏସବୁ ଛଡ଼ା ବର୍ଷାଦିନେ ଆମେ ନଈପଠାରୁ ବାଲିଛତୁ ଓ ନାଡଛତୁ ସଂଗ୍ରହ କରି ଆଣୁ। ଶୀତଦିନେ ପ୍ରାୟ ସବୁଦିନେ କୁସୁମୀ ନଈରୁ, ଆମେ ତିନି ଭାଇ,ଛୋଟ ମାଛ ଧରି ଆଣୁ।ଘର ପଛପଟେ ଥିବା ଖାତିଆ (ଛୋଟ ପୋଖରୀ)ରେ “ଜାପାନୀ” ନାମକ ଗୋଟିଏ ଭେରାଇଟିର ମାଛ ଏମିତି ବଢିଥାନ୍ତି ଯେ ଥରେ ଜାଲ ପକାଇଲେ ଅଧକିଲୋ ମାଛ ପଡିବା ନିଶ୍ଚିତ।

ବୋଉ ଆମର କେତେବେଳେ ଶୁଏ,ଆମେ ଜାଣିନୁ।ରାତିରେ ନିଦ ଭାଙ୍ଗିଲା ବେଳକୁ ଢିଙ୍କିରେ ଧାନ କିମ୍ବା ଚୁଡା କୁଟୁଥିବ।(ଧାନକଳ ସେତେବେଳେ ନଥିଲା)ଅଥବା ମୁଢ଼ି ବା ଚୁଡ଼ା ଭାଜୁଥିବ। କାର୍ତ୍ତିକ, ମାର୍ଗଶିର ମାସରେ ସକାଳ ପାହିଲା ବେଳକୁ ଘରଦ୍ୱାର ଲିପାପୋଛା ହୋଇ ଚିତା ପଡ଼ି ସାରିଥିବ।ପିଲାଙ୍କୁ ବଡ଼ିସକାଳୁ ଶେଯରୁ ଉଠେଇ, ରାଶି ତେଲ ଲଗାଇ ଚିକ୍କଣ ଚାକଣ କରି,ଭୋଗେଇରେ ମୁଢ଼ି ଆରିସା ଧରେଇ ବସେଇଦବ।ଆମେ ଏପରି ଚିକ୍କଣ ହେବାକୁ “କୁଆ ଚିକ୍କଣ”ବୋଲି କହୁଥିଲୁ।କାଉ ଯେପରି ସକାଳୁ ସକାଳୁ ଚିକ୍କଣ ହୋଇ ଚାଳରେ ବସି କା କା ଡାକେ, ସେମିତି ଆମ ପିଲାମାନଙ୍କ ଦେହରେ ମୁଣ୍ଡରେ ତେଲଘଷା ପରେ ଭୋଗେଇରେ ମୁଢ଼ି ଧରି,ଶୀତସକାଳ ଖରାରେ ବସି ଆମେ ଅ, ଆ ଘୋଷୁ।ମୁଣ୍ଡରେ ତେଲ ଘଷିବା ବେଳେ,ପିଲାଙ୍କ ଭିତରୁ କିଏ ଅଝଟ ହେଲେ ବୋଉ ଗୀତ ଗାଇ ଅଝଟପଣିଆ ଦୂରକରେ:…
“ତା ତା ନାଡି,ବେଙ୍ଗ ଦେଲା ପାଡି, ସମସ୍ତେ ଗଲେ ଉଡ଼ି।”
ବୋଉର ସେହି ତେଲଘଷା ଉପକାର ଯୋଗୁଁ ୭୨ବର୍ଷ ବୟସରେ ମଧ୍ୟ ଏଯାବତ୍ ମୋର ମୁଣ୍ଡଟି “ପ୍ରାକୃତିକ ହେଲମେଟ” ରେ ପରିଣତ ହୋଇନାହିଁ।

କ୍ରମଶଃ…..

Click to rate this post!
[Total: 0 Average: 0]

Leave a Reply