Monday, May 20, 2024
Stories

ମୋ ଗାଁ ମୋ ଘର (୧୦)

ମୋ ଗାଁ ମୋ ଘର
୧୦
==================================
ବହୁମୁଖୀ ପ୍ରତିଭାର ମଣିଷ
===================================
ନନା(ବାପା) ବହୁମୁଖୀ ପ୍ରତିଭାର ମଣିଷ ଥିଲେ। ଖଣ୍ଡପଡ଼ା ରାମଚନ୍ଦ୍ର ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଭାବରେ ତାଙ୍କ ଜୀବନର ଅଧିକାଂଶ ସମୟ ବିତିଥିଲା।ଅଞ୍ଚଳର ଶହ ଶହ ଛାତ୍ରଙ୍କ ଚରିତ୍ର ଓ ଭବିଷ୍ୟତ ଗଢିବାରେ ତାଙ୍କ ଭୂମିକା ଥିଲା ଅନସ୍ବୀକାର୍ଯ୍ୟ। ମାଟ୍ରିକ ସିଟି ପାସ କରିଥିଲେ ମଧ୍ୟ ଦଶମ ଏବଂ ଏକାଦଶ ଶ୍ରେଣୀରେ ସାହିତ୍ୟ ଏବଂ ସାମାଜିକ ବିଜ୍ଞାନ ଆଦି ପାଠ ଦକ୍ଷତାର ସହିତ ପଢାଇ ଅନେକ ପ୍ରଶଂସା ଅର୍ଜନ କରିଥିଲେ।ବେଦ ବେଦାନ୍ତ ମହାଭାରତ ରାମାୟଣ ଇତ୍ୟାଦିରେ ତାଙ୍କର ଗଭୀର ପ୍ରବେଶ ଥିଲା।ତା ଛଡା କାଳିଦାସ ଭବଭୂତି ଭାରବି ଦଣ୍ଡି ଇତ୍ୟାଦି କବି/ଲେଖକ ମାନଙ୍କର ରଚନା ଉପରେ ସମୀକ୍ଷା କରିବା ବ୍ୟୂତ୍ପତ୍ତି ସେ ହାସଲ କରିଥିଲେ।କବିସମ୍ରାଟଙ୍କ ବୈଦେହୀଶ ବିଳାସ ଏବଂ ଲାବଣ୍ୟବତୀ ଭଳି କାବ୍ୟର ବିଭିନ୍ନ ଛାନ୍ଦ ତାଙ୍କ ଜିହ୍ବାଗ୍ରରେ ନୃତ୍ୟ କରୁଥିଲେ।ରାଧାନାଥୀୟ ସାହିତ୍ୟର ସେ ଥିଲେ ଅଗ୍ରଭାଗର ପ୍ରଶଂସକ।କବିଙ୍କର ଅସମ୍ପୂର୍ଣ୍ଣ କାବ୍ୟ ମହାଯାତ୍ରା ଏବଂ ଦରବାର ତାଙ୍କର ମୁଖସ୍ଥ ଥିଲା। ଓଡ଼ିଆ ବ୍ୟାକରଣ ଭିତରେ ତାଙ୍କର ଗଭୀର ପ୍ରବେଶ ଥିଲା।ବ୍ୟାକରଣଗତ କୌଣସି ସନ୍ଦେହ ଦୂର କରିବା ପାଇଁ ଅନ୍ୟ ଶିକ୍ଷକମାନେ ତାଙ୍କ ପାଖକୁ ଅନେକ ସମୟରେ ଆସୁଥିଲେ । ଛାତ୍ରମାନଙ୍କର ତାଙ୍କପ୍ରତି ଗଭୀର ସମ୍ମାନ ସଙ୍ଗେ ସଙ୍ଗେ ଡର ମଧ୍ୟ ଥିଲା।ସେ ବେତ ଧରି ପିଲାମାନଙ୍କୁ ଦଣ୍ଡଦେବା କେବେ ଆମେ ଦେଖିନୁ। କିନ୍ତୁ କ୍ଲାସ୍ ଭିତରକୁ ପଶୁପଶୁ ପିଲାମାନଙ୍କ ଭିତରେ ଅଖଣ୍ଡ ନିରବତା ଛାଇ ଯାଉଥିଲା।ସ୍କୁଲର ବାରଣ୍ଡା ଉପରେ ଚାଲିଗଲା ବେଳେ କ୍ଲାସ୍ ମାନଙ୍କରେ ସ୍ବତଃ ନିରବ ବାତାବରଣ ଆସିଯାଉଥିଲା।

ଅଳ୍ପଦିନ ଭିତରେ ସେ ପଣ୍ଡିତ ବୈଦ୍ୟନାଥ ଷଡଙ୍ଗୀ ନାମରେ ପରିଚିତି ପାଇଲେ।ଶାସ୍ତ୍ର ମାନଙ୍କରେ ଗଭୀର ପ୍ରବେଶ ହେତୁ ତଥା ଛାନ୍ଦ, କବିତା ଓ ଶାସ୍ତ୍ରୀୟ ସଙ୍ଗୀତ ଗାୟନରେ ବ୍ୟୂତ୍ପତ୍ତି ଯୋଗୁଁ ଆଖପାଖରୁ ପାଲାକାରଦଳ ତାଙ୍କ ପାଖକୁ ପ୍ରଶିକ୍ଷଣ ପାଇଁ ଆସିବାରେ ଲାଗିଲେ। ଦିବ୍ୟସିଂହପୁରର ତତ୍କାଳୀନ ପ୍ରସିଦ୍ଧ ଗାୟକ ଗିରିଧାରୀ ବିଶ୍ବାଳ ତାଙ୍କର ପଟ୍ଟଶିଷ୍ୟ ଥିଲେ।

ଖଣ୍ଡପଡ଼ା ବଜାର ଭିତରେ ଥିବା ପୈତୃକ ଘରଟି ଛୋଟ ଥିବାରୁ ସେହି ଘରଟିକୁ ଭାଇଙ୍କୁ ଦାନ କରିଦେଇ ସେ ଖଣ୍ଡପଡ଼ା ଶେଷ ମୁଣ୍ଡରେ କୁସୁମୀ ନଦୀ କୂଳରେ ଘରଟିଏ ନିର୍ମାଣ କରି ସେଠାରେ ବସବାସ କଲେ।ସେ ଘରଟି ଆଜିଠୁ଼ଁ ୭୨ ବର୍ଷ ତଳେ ସେ ନିର୍ମାଣ କରିଥିଲେ। ଫାର୍ମ ସହିତ ଘରଟିଏ ସ୍ଥାପନ କରିବା ଉଦ୍ଦେଶ୍ୟରେ ସେଠାରେ ତିନି ଏକର ଜମି ଲିଜରେ ନେଇ , ଗହଳିଠାରୁ ଦୂରରେ ଶାନ୍ତିରେ ରହିବା ପାଇଁ ମାଟିଝାଟିର ଘରଟିଏ ନିର୍ମାଣ କଲେ। ଅଦ୍ଭୁତ ଖିଆଲ ନୁହେଁ ତ ଆଉ କ’ଣ ? ପଡୋଶୀ ଥିଲେ ବାଲୁଙ୍କେଶ୍ବର ଶିବ;ବାଡି କଡ଼ରେ ଥିଲା ଶ୍ମଶାନ; କୁସୁମୀ ନଦୀର ବଢ଼ିପାଣି ସବୁବର୍ଷ ଘରେ ପଶିବା ନିଶ୍ଚିତ ଥିଲା।ବିଷଧର ସାପ,ଗାଡଭାଲୁ, କଲରାପତରିଆ , ଢ଼ିଙ୍କିଆ,ବଣଭୂଆ ହେଟାବାଘ, ଏବଂ ନଦୀପଠା ଜଙ୍ଗଲର ଶିଆଳ ତାଙ୍କର ସାଙ୍ଗସାଥୀ ଥିଲେ। ଏହି ବଣ୍ଯଜନ୍ତୁଙ୍କ ଠାରୁ ଆହୁରି ମାରାତ୍ମକ ଥିଲା ସାଇର ରାଜନୀତି। ଏତେ ବଡ଼ ଯାଗା ଆବୋରି ନେଇ ଘରକରିବାଟା ଲୋକଙ୍କର ହଜମ ହେଲାନାହିଁ। ସେମାନେ କହିଲେ…ଆମେ ଏଠି ପ୍ରକୃତି ଡାକରା ମେଣ୍ଟୋଉଥିଲୁ,ଏହା ଆମର ପାଇଖାନା ଥିଲା।ଶୀଘ୍ର ପଳାୟନ କର,ନହେଲେ ନିଆଁରେ ଠିଆ କରିଦବୁ। ରାତିରେ ସବୁଦିନ ଡେରିରେ ଫେରୁଛ;ତୁମକୁ ଭାଲୁ ରାମ୍ପୁଡିଦବ; ସେତେବେଳେ କହିବନି ଯେ ଆମେ ଦାଆ କଟୁରିରେ ତୁମକୁ ଆକ୍ରମଣ କଲୁ।ଯାଗା ଛାଡ,ନହେଲେ ପିଲାକବିଲାଙ୍କ ଭଲମନ୍ଦ ପାଇଁ ଆମକୁ ଦାୟୀ କରିବ ନାହିଁ।”

ନନାଙ୍କ ସୁହୃଦ ଓ ଛାତ୍ରମାନଙ୍କ କାନରେ ଏକଥା ପଡ଼ିଲା। ସେମାନେ କହିଲେ..ସାର୍,ବ୍ୟସ୍ତ ହୁଅନ୍ତୁ ନାହିଁ;ଆପଣଙ୍କ ଉପରେ ଆଞ୍ଚ ଆସିଲେ ସେମାନଙ୍କର ନିସ୍ତାର ନାହିଁ।” ଏହି ଅଭୟ ବାଣୀ ଶୁଣିବା ପରେ ଧମକ ଦେଉଥିବା ବ୍ୟକ୍ତିମାନେ ଜୋକ ମୁହଁରେ ଲୁଣ ଦେଲା ପରି ଚୁପ୍ ରହିଲେ। କିନ୍ତୁ ସାମାଜିକ ବାଛନ୍ଦ ବହୁଦିନ ପର୍ଯ୍ୟନ୍ତ ଲାଗିରହିଲା।ସାଇର କେହି ଆମ ପରିବାର ସହିତ କଥାବାର୍ତ୍ତା କରିବା ଜଣା ପଡ଼ିଲେ ତାକୁ ଜୋରିମାନା ଦେବାକୁ ପଡୁଥିଲା।

ସେହି ଘରଟିକୁ ନନା ଗୋଟିଏ ସ୍କୁଲ୍ ଘର ପରି ଲମ୍ବାଳିଆ ତିଆରି କରିଥିଲେ।ଘରଟି ଏତେ ବଡ଼ ଥିଲା ଯେ ତା’ର ପିଣ୍ଡା ଓ କାନ୍ଥରେ ମାଟିର ଚାହିଦା ମେଣ୍ଟାଉ ମେଣ୍ଟାଉ ବାରିପଟେ ଛୋଟ ପୋଖରୀଟିଏ (ଖାତିଆ) ସୃଷ୍ଟି ହୋଇଗଲା।ସେ ଖାତିଆଟି ଏବେ ବି ଅଛି।ଘରର ମୂଳ ଢାଞ୍ଚା ମଧ୍ୟ ଆମେ ଅକ୍ଷୁର୍ଣ୍ଣ ରଖିଛୁ।

ସଞ୍ଜ ନଇଁ ଯେତେବେଳେ ଗଭୀର ରାତି ହୁଏ,ଚନ୍ଦ୍ରାଲୋକିତ ନିଃଶବ୍ଦ ରାତିର ନିରବତାକୁ ଦୂରକରି ଟିଟ୍ଟିଭର ଡାକ ଭାସି ଆସେ,ନନା ସେ ସମୟରେ ଅଗଣାରେ,ଦଉଡିଆ ଖଟ କିମ୍ବା ଆରାମ୍ ଚେୟାରରେ ବସି ବୈଦେହୀଶ ବିଳାସରୁ ଉଚ୍ଚ କଣ୍ଠରେ ଗାଉଥାନ୍ତି ..

ବିଭୂଷଣ ପୁଷ୍ପେ ଯା କାନ୍ତି ଜାଣ,
ବିଭୂଷଣ କରି କନ୍ୟାକୁ ଆଣ,
ବାରଣ ଶିରେ ପାଦ ଦେଇ ଆସୁ,
ବରଣ କରି ରାମ ମନ ତୋଷୁ ସେ
ବୋଲି ଦେଲେ କଉଶିକ ଯେ,
ବୋଳି ହେଲା ପ୍ରାୟେ ଗୋଳି ଚନ୍ଦନକୁ
ହୋଇଲେ ରଘୁବଂଶୀକ ଯେ।…
କିମ୍ବା
ବସି ବଶିଷ୍ଠ,ଜାବାଳି,ବାମଦେବ, କାଶ୍ୟପ ସୁମନ୍ତ୍ର ଘେନି…
କିମ୍ବା
ବୁଡିଲା ଭେଳା ରଖ,ଭେଳା ରଖ ମଙ୍ଗଳା ମା’…

ଏହା ଉଦାହରଣ ମାତ୍ର। ଏହିପରି ଅନେକ ସୁମଧୁର କବିତାରେ ବାୟୁମଣ୍ଡଳ ଝଂକୃତ ହୁଏ।ଆମ ନିଦ ଭାଙ୍ଗିଯାଏ।ମନ୍ତ୍ରମୁଗ୍ଧ ହୋଇ ଆମେ କାନଡ଼େରି ଶୁଣୁ। ଆକାଶରେ ଟିଟ୍ଟିଭ ତୁନି ହୋଇଯାଏ। କୁସୁମୀ ପଠାର ନିରବତରେ ମଧୁଝଙ୍କାର ସୃଷ୍ଟି ହୁଏ।ନନା , ଆୟୁର୍ବେଦିକ୍ ଚେର ମୂଳରେ ବଟା ଯାଇଥିବା ଔଷଧରୁ ବଟିକା ବଳୁଥାନ୍ତି; ମୁହଁରେ ଥାଏ ଏପରି ଅମୃତମୟ ସଙ୍ଗୀତ ସ୍ବର।
ପୁରାତନ କବିତା, ଛାନ୍ଦ, ଚଉପଦୀ ଓଡ଼ିଶୀ ଚମ୍ପୁ ଇତ୍ୟାଦି ସେ ସୁନ୍ଦର ସ୍ବରରେ ଗାଇପାରୁଥିଲେ। ଖଣ୍ଡପଡ଼ାର ତତ୍କାଳୀନ ଢୁମ୍ପା ସଙ୍ଗୀତ ଦଳର ସେ ଥିଲେ ଅଭିନ୍ନ ଅଙ୍ଗ।ଗଞ୍ଜପା ଖେଳରେ ସେ ଥିଲେ ଜଣେ ପୋଖତ ଖେଳାଳି। ଗଞ୍ଜପା ଖେଳ ବିଷୟରେ ଅନେକ ଲୋକ ଜାଣନ୍ତି ନାହିଁ। ସେହି ଖେଳ ବିଷୟରେ ସମ୍ୟକ ଆଲୋଚନା କରିବା…

ରାଜୁଡା ସମୟରେ ଖଣ୍ଡପଡ଼ା, ନୟାଗଡ଼ ରଣପୁର ଆଦି ଗଡଜାତମାନଙ୍କରେ “ଗଞ୍ଜପା” ନାମକ ଖେଳର ପ୍ରଚଳନ ଥିଲା। ଏହା ଏକପ୍ରକାର ପାରମ୍ପରିକ ପଶାଖେଳ ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ। ତାହା ଖେଳିବା ପାଇଁ ତାସ୍ ଭଳି ପତ୍ତା ବା ପତ୍ରର ବ୍ୟବହାର ହେଉଥିଲା। ସେହି ପତ୍ତା ଗୁଡ଼ିକ ଗୋଲାକାର ପଟ୍ଟ କନାରେ ତିଆରି ହେଉଥିଲା।ତାଉପରେ ନଟନଟୀ, ଜଗନ୍ନାଥ,ବଳଭଦ୍ର ସୁଭଦ୍ରା, ଦଶାବତାର ଆଦି ଚିତ୍ର ଅଙ୍କା ଯାଉଥିଲା। ସେହି ଚିତ୍ର ଗୁଡ଼ିକ ଆଙ୍କିବା ପାଇଁ ଚୂନ,ହାଣ୍ଡିକଳା, ହଳଦୀ ଆଦି ବ୍ୟବହାର କରାଯାଉଥିଲା। ସେହି ରଙ୍ଗକୁ ଚିରସ୍ଥାୟୀ କରିବା ପାଇଁ ଲାଖର ଲେପ ଦିଆଯାଉଥିଲା।ଗଞ୍ଜପା ପଟ୍ଟ ଉପରେ ଏହି ଚିତ୍ର ଖଳି ସାହିର ଏବଂ ଖଣ୍ଡପଡ଼ା କୁମ୍ଭାରସାହିର ଶିଳ୍ପୀ/ଚିତ୍ରକାରମାନେ ଆଙ୍କୁ ଥିଲେ। ଏହି ଖେଳ ଷୋଡ଼ଶ ଶତାବ୍ଦୀରୁ ଗଡ଼ଜାତ ମାନଙ୍କରେ ପ୍ରଚଳିତ ହୋଇ ଆସୁଥିଲା।ଅବସର ବିନୋଦନ ପାଇଁ ରାଜା ଓ ଦରବାରୀମାନେ ଏହି ଖେଳ ସାଧାରଣତଃ ଖେଳୁଥିଲେ। ଏହି ଖେଳ ଖଣ୍ଡପଡ଼ାରେ ୧୯୬୦/୬୫ ମସିହା ପର୍ଯ୍ୟନ୍ତ ପ୍ରଚଳିତ ଥିଲା।ଦାଣ୍ଡସାହି ମଝିରେ ଦିବାକର ମିଶ୍ରଙ୍କ ମଣ୍ଡପରେ ବାବୁଲି ମିଶ୍ରେ, ମଙ୍ଗୁଳି ମିଶ୍ରେ,ଦିବାକର ମିଶ୍ରେ ଏବଂ ବୈଦ୍ୟନାଥ ଷଡଙ୍ଗୀ ଇତ୍ୟାଦି ବ୍ୟକ୍ତିମାନେ ଏହି ଖେଳ ଖେଳିବା ଏ ଆଖି ଦେଖିଚି।ସେ ଖେଳର ନିୟମ କାନୁନ ଆମେ କିଛି ବୁଝି ପାରୁନଥିଲୁ। କିନ୍ତୁ ସେ ଖେଳର ନିଶା ଏପରି ଯେ ଆଠ ଦଶ ଘଣ୍ଟା ପର୍ଯ୍ୟନ୍ତ ଖେଳାଳିମାନେ ଭୋକ ଶୋଷ ଭୁଲିଯାଇ ଖେଳୁଥାନ୍ତି।ଏବେ ମଧ୍ୟ ଦିବାକର ମିଶ୍ରଙ୍କର ସେହି ପୁରୁଣା ମଣ୍ଡପ ଗଞ୍ଜପା ଖେଳର ମୁକସାକ୍ଷୀ ହୋଇ ରହିଛି।ଗଞ୍ଜପା ଖେଳ ବର୍ତ୍ତମାନ ଖଣ୍ଡପଡ଼ାରୁ ବିଲୁପ୍ତ।

କ୍ରମଶଃ…

ଗଞ୍ଜପା
=======

Click to rate this post!
[Total: 1 Average: 5]

Leave a Reply