Friday, February 23, 2024
Stories

ମୋ ଗାଁ ମୋ ଘର(୬)

ମୋ ଗାଁ ମୋ ଘର

================================
ନନାଙ୍କ ମଶାଣି ସାଧନା
================================
ଏହି ଯେଉଁ ଉପାଖ୍ୟାନଟି ମୁଁ କହିବାକୁ ଯାଉଛି, ଆପଣମାନଙ୍କ ଭିତରୁ ଅଧିକାଂଶ ଏହାକୁ ବିଶ୍ବାସ କରିବେ ନାହିଁ ଏବଂ ଗପ ବୋଲି ଭାବିବେ;ଆଧୁନିକ ସମାଜରେ ଏପରି ଘଟଣା ବିଶ୍ବାସ ଯୋଗ୍ୟ ନୁହେଁ। କିନ୍ତୁ ମୁଁ ତ ଖଣ୍ଡପଡା ଗଡଜାତରେ ବିଂଶ ଶତାବ୍ଦୀର ଷାଠିଏ ଦଶକରେ ଗୁଣିଆମାନଙ୍କର ଅନେକ କାରନାମା ଦେଖିଚି; ବରଗଛ ଏବଂ ଓସ୍ତଗଛରେ ଅଡ଼ୁଆ ବାଳରେ କଣ୍ଟା ବାଡେଇ ଭୂତ କିଳାହେବା ଦୃଶ୍ୟ ନିଜ ଆଖିରେ ଦେଖିଛି; ତେଣୁ ମୁଁ ବର୍ଣ୍ଣନା କରିବାକୁ ଯାଉଥିବା ଘଟଣାଟି ଅନ୍ତତଃ ମୋ ପାଇଁ ଅବିଶ୍ବସନୀୟ ନୁହେଁ।

ଆପଣ ଭାବୁଥିବେ ଗଛରେ ପୁଣି “ଭୂତକିଳା” କିପରି ହୁଏ ! ତେବେ ଶୁଣନ୍ତୁ….ଆମ ଘରଟି ଖଣ୍ଡପଡ଼ା ଗଡର ଶେଷ ମୁଣ୍ଡରେ କୁସୁମୀ ନଦୀ କୂଳରେ।ନିକଟରେ ବାଲୁଙ୍କେଶ୍ୱର ଶିବ ମନ୍ଦିର।ତା ପାଖକୁ ଲାଗି ମଶାଣି। ଏହା ମୋ ବାପାଙ୍କର ପୈତୃକ ସମ୍ପତ୍ତି ନୁହେଁ।ବଜାର ଭିତରର ପୈତୃକ ଘର ସାନ ଭାଇକୁ ଛାଡ଼ିଦେଇ ସେ ଏଠାକୁ, ଆଜକୁ ପ୍ରାୟ ୭୨ ବର୍ଷତଳେ ଆସି ଘରଦ୍ୱାର କରି ରହିଯାଇଥିଲେ।ବଡ଼ ଏକାଟିଆ ନିର୍ଜନ ଯାଗା।ଘର ଆଗରେ ସରୁ ରାସ୍ତାଟିଏ ମଶାଣି ଭିତର ଦେଇ କୁସୁମୀ କୂଳକୁ ପଡ଼ିଥିଲା। ରାସ୍ତାର ଦୁଇପଟେ ବର ଏବଂ ଅଶ୍ୱତ୍ଥ (ଓସ୍ତ)ଗଛର ଧାଡ଼ି। ଗଛଗୁଡ଼ିକର ତଳେ ନିଗଣ୍ଡ ଛାଇ;ଗଛରେ ନାନା ଜାତିର ଚଢ଼େଇ ଦିନରାତି କିଚିରି ମିଚିରି କରନ୍ତି।

ସେ ସମୟରେ (୧୯୫୦-୫୨ମସିହା) ଗାଁ’ରେ ଯଦି କାହା ଦେହରେ ଡାହାଣୀ ଲାଗେ ଗୁଣିଆ ସେଇ ଡାହାଣୀକୁ ଛଡାଏ ଏବଂ ମନ୍ତ୍ରତନ୍ତ୍ର ଉଚ୍ଚାରଣ କରି କିଛି ଅଡ଼ୁଆ ବାଳ ଉପରେ ଗୋଟିଏ ବିରାଟ ଲୁହାକଣ୍ଟା ଉପରୋକ୍ତ ବର/ଓସ୍ତ ଗଛରେ ବାଡେଇ ସେଥିରେ ଡାହାଣୀ/ଭୂତକୁ “କିଳି”ଦିଏ। ଏ ସବୁ ଆମେ ପିଲାଦିନେ ଦେଖିଥିବା କଥା।ଗଛମାନଙ୍କରେ ବାଡିଆ ହୋଇଥିବା ବାଳଯୁକ୍ତ ଲୁହାକଣ୍ଟା ଦେଖି ଆମକୁ ଏତେ ଡର ଲାଗୁଥିଲା ଯେ ଆମେ ଗଛର ପାଖ ମାଡୁନଥିଲୁ। କିଛି ଦିନ ପରେ ସେହି ଗଛଗୁଡ଼ିକ କଟା ହେଲାପରେ ଆମର ଡର ଛାଡ଼ିଯାଇଥିଲା।

ଗୁଣି ଗାରେଡ଼ି ଏବେ ମଧ୍ୟ ଗାଁ ଗଣ୍ଡାରେ ଅଛି, କିନ୍ତୁ ସେତେବେଳେ ଅଧିକ ପରିମାଣରେ ଥିଲା। ଖଣ୍ଡପଡ଼ାଠାରୁ ଚାରି କିଲୋମିଟର ଦୂରରେ ବାଇଗୁଣିଆ ନାମକ ଗୋଟିଏ ଗାଁ ଅଛି।ସେ ସମୟରେ ସେହି ଗାଁ ଗୁଣିଆମାନଙ୍କ ପାଠଶାଳା ଥିଲା ବୋଲି ଲୋକେ କହନ୍ତି। । ଗୁଣିଗାରେଡ଼ି କରି ଛେଳିକୁ କୁକୁର ଏବଂ କୁକୁରକୁ ବିରାଡିରେ ପରିଣତ କରିବା କ୍ଷମତା ସେଠିକାର ଗୁଣିଆ ମାନଙ୍କର ଥିଲା ବୋଲି ପୁରୁଖା ଲୋକଙ୍କ ମୁହଁରୁ ଶୁଣିବା କଥା। ଚୋରି ଏବଂ ଚୋର ଧରିବାପାଇଁ ,ହଜିଲା ବଳଦ ଖୋଜିବା ଇତ୍ୟାଦି କାମ ପାଇଁ ଏହି ଗୁଣିଆ ମାନେ “ଖଟ ଚଳାଇବା” ଓ “ବୀର ପେଶିବା” ଇତ୍ୟାଦି କାମ କରି ଅସମ୍ଭବକୁ ସମ୍ଭବ କରିପାରୁଥିଲେ।

ଗୁଣିବିଦ୍ୟାରେ ପାରଦର୍ଶିତା ପାଇବାପାଇଁ ‘ଦେବୀସାଧନା’ କିମ୍ବା ‘ମଶାଣିଚଣ୍ଡୀ’ ସାଧନା ମଧ୍ୟ କରାଯାଉଥିଲା। ଦେବୀଙ୍କୁ ସାଧନା ଦ୍ବାରା ସନ୍ତୁଷ୍ଟ କରି ଗୁଣିବିଦ୍ୟା ଅକ୍ତିଆର କରି ପାରିଲେ, ଅନେକ ଅସମ୍ଭବ କାର୍ଯ୍ୟ ସମ୍ଭବ ହେଉଥିଲା , କିନ୍ତୁ ସାଧନା ଅଧୁରା ରହିଗଲେ ଚଣ୍ଡୀ ଭୟଙ୍କର କ୍ରୋଧ ପ୍ରକାଶ କରୁଥିଲା ଏବଂ ସାଧକର ଅପୂରଣୀୟ କ୍ଷତି କରୁଥିଲା। ଯେଉଁମାନେ ସାଧନାରେ ଅର୍ଦ୍ଧସଫଳତା ପାଉଥିଲେ ସେମାନଙ୍କୁ ଅଧାଗୁଣିଆ ବା ‘ଖଣ୍ଡିଗୁଣିଆ’ କୁହାଯାଉଥିଲା।ଚଣ୍ଡୀଙ୍କ କ୍ରୋଧ ଏଭଳି ଖଣ୍ଡିଗୁଣିଆ ମାନଙ୍କ ପିଛା ଛାଡ଼େ ନାହିଁ ଏବଂ ସେମାନେ ବହୁତ ଅସୁବିଧାର ସମ୍ମୁଖୀନ ହୁଅନ୍ତି।

ପରିସ୍ଥିତିରେ ପଡି ମୋ ନନା(ବାପା) ଜଣେ ଖଣ୍ଡିଗୁଣିଆ ପାଲଟି ଯାଇଥିଲେ। ଗାଁ’ରୁ ପ୍ରାଇମେରୀ ସ୍କୁଲ ପାସ୍ କରିବାପରେ ଚୁଡାଚାଉଳ ବାନ୍ଧି ନନା ବାଙ୍କୀ ଗଲେ ଉଚ୍ଚ (ମାଟ୍ରିକ) ଶିକ୍ଷା ପାଇଁ। ସେତେବେଳେ ଗଡ଼ ବାହାରକୁ ଯିବାପାଇଁ ଗାଡ଼ି ମଟର ନଥିଲା।ଲୋକମାନଙ୍କ ପାଖରେ ଶୂନଗାଡି(ସାଇକେଲ) ମଧ୍ୟ ନଥିଲା। ସମ୍ଭ୍ରାନ୍ତ ବଂଶୀୟ ମାନେ ସବାରୀ, ପାଲିଙ୍କିରେ ଯାଉଥିଲେ।ଜଳପଥରେ ନୌକାଯୋଗେ କଣ୍ଟିଲୋ/ପଦ୍ମାବତୀ ଠାରୁ ବାଙ୍କୀ ଏବଂ କଟକକୁ ମଧ୍ୟ ଲୋକେ ଯିବାଆସିବା କରୁଥିଲେ। ସାଧାରଣ ଲୋକଙ୍କୁ ଶଗଡ଼ ଗାଡ଼ିରେ ଦୂରଯାଗାକୁ ଯିବାପାଇଁ ପଡୁଥିଲା।

ଧୋତି ଗାମୁଛା, ଚୁଡ଼ା ଚାଉଳ ଶଗଡ଼ରେ ଲଦି ନନା ପାଠପଢିବା ପାଇଁ ବାଙ୍କୀରେ ପହଞ୍ଚିଲେ।ବଡ଼ ମହରଗ ସମୟ।ମରୁଡି ଯୋଗୁଁ (୧୯୧୯-୨୦ ମସିହା ) ଲୋକେ ଖାଇବାକୁ ପାଉ ନଥାନ୍ତି। ସେହି ଦୁର୍ଭିକ୍ଷକୁ “ଖୁଦ ମହରଗ” ବୋଲି ଓଡ଼ିଶାର ଲୋକେ କହୁଥିଲେ।ପ୍ରଥମ ବିଶ୍ଵଯୁଦ୍ଧ ଯୋଗୁଁ ବ୍ରିଟିଶ ସରକାରଙ୍କ ଅର୍ଥନୀତି ପ୍ରଭାବିତ ହୋଇଥାଏ ଏବଂ ମହଙ୍ଗା ବଢିଯାଇଥାଏ।ଏଭଳି ପରିସ୍ଥିତିରେ କଷ୍ଟେମଷ୍ଟେ ଜେଜେବାପା ନନାଙ୍କୁ ପାଠ ପଢାଇ ମାଟ୍ରିକ୍ୟୁଲେଟ୍ କରେଇ ଦେଲେ।।

ବାଙ୍କୀରେ ମାଟ୍ରିକ ପାସ ପରେ ନନା ଖୋର୍ଦ୍ଧାରେ ସିଟି ଟ୍ରେନିଂ ନେଉଥାନ୍ତି।ସେଠାରେ ସେ ଜଣେ ଶ୍ମଶାନ ସାଧକଙ୍କ ହାବୁଡରେ ପଡିଗଲେ।ଅଲୌକିକ ଶକ୍ତି ହାସଲ କରିବା ଇଚ୍ଛାରେ, ନିକଟସ୍ଥ ଶ୍ମଶାନରେ,କୃଷ୍ଣପକ୍ଷ ରାତି ଅଧରେ ମଶାଣି ଚଣ୍ଡୀ ସାଧନରେ ଲାଗିଗଲେ।

ଶ୍ମଶାନ ସାଧକ ସବୁ ରାତିରେ ତାଙ୍କ ସହିତ ଶ୍ମଶାନକୁ ଯାଆନ୍ତି।ସେଠାରେ ସାଧକ ତାଙ୍କୁ ଦେଇଥାନ୍ତି ତିନୋଟି ମଣିଷ ମୁଣ୍ଡର ଖପୁରୀ।ସେଥିରେ ନିର୍ମିତ ଚୁଲିରେ ,ଶ୍ମଶାନରେ ପଡିଥିବା ମାଟି ଆଟିକାରେ,ଶ୍ମଶାନରୁ ସଂଗୃହିତ କାଠରେ ନିଆଁଜାଳି, ବିରି ଏବଂ ଚାଉଳରେ ଖେଚୁଡି ପ୍ରସ୍ତୁତ କରି ଶ୍ମଶାନ ଚଣ୍ଡୀଙ୍କୁ କୃଷ୍ଣପକ୍ଷରେ ପନ୍ଦର ଦିନ ପୂଜା କରିବାର ବିଧାନ ଥିଲା।

ପୂଜା ସମୟରେ ଶ୍ମଶାନ ସାଧକ ଉଦ୍ଦିଷ୍ଟ ମନ୍ତ୍ର ପାଠ କରୁଥିଲେ।ଚଉଦ ଦିନ ପୂଜା କରିବାପରେ,ଅମାବାସ୍ୟା ତିଥିରେ ଶ୍ମଶାନଚଣ୍ଡୀ ଅଭୀଷ୍ଟ ବର ପ୍ରଦାନ କରିବା କଥା।ସେଦିନ ପୂଜା ପରେ ପରେ ସାଧକ କହିଲା “ବୈଦ୍ୟନାଥ ,ଆଜି ରାତିରେ ତୁମକୁ ଚଣ୍ଡୀ ସ୍ବପ୍ନରେ ବର ପ୍ରଦାନ କରିବେ,ଯାହା ମାଗି ନେବାକଥା ମାଗିନେବ।ଏ ସୁଯୋଗ ଛାଡିଲେ ତୁମେ ଆଉ ଦ୍ବିତୀୟଥର ସୁଯୋଗ ପାଇବନାହିଁ।”

ସେ’ରାତିରେ ପାହାନ୍ତା ପହରରେ ଏକ ଅଦ୍ଭୂତ ଘଟଣା ଘଟିଲା।ଛାଇନିଦରେ ତାଙ୍କୁ ଲାଗିଲା ଜଣେ କୃଷ୍ଣବସ୍ତ୍ର ପରିହିତା ବିକଟାଳ ଚେହେରାର ନାରୀ ତାଙ୍କ ମୁଣ୍ଡପାଖରେ, ମୁହଁଉପରକୁ ନଇଁପଡି ପଚାରୁଛନ୍ତି “କଣ ତୋର ଦର୍କାର କହ?”

ନାରୀଟିର ବର୍ଣ୍ଣ ବିଚିକିଟିଆ କଳା,ମଥାରେ ଟଙ୍କା ଆକାରର ସିନ୍ଦୁର ଟୋପା।ଆଖି ଦପ୍ ଦପ୍ ନିଆଁ ଭଳି ଜଳୁଥିଲା। ସେ ବିକଟାଳ ଚେହେରା ଦେଖି ଭୟଭୀତ ହୋଇ ନନାଙ୍କ ପାଟି ଖନି ମାରିଗଲା,କିଛି କହିପାରିଲେନାହିଁ ।ପ୍ରଶ୍ନଟି ତିନିଥର ପଚାରିବା ପରେ ଦେବୀ ରୁଷ୍ଟହୋଇ ବେକରେ ହାତ ପକାଇ ଚିପିଦେଲେ।ନନା ଚିତ୍କାରକରି ଉଠିପଡିଲେ।ନାକରୁ,କାନରୁ ବହିଯାଉଥାଏ ଧାରଧାର ରକ୍ତ।ସକାଳୁଉଠି ସଙ୍ଗେସଙ୍ଗେ ଗାଆଁକୁ ଫେରିଆସିଲେ। ଜେଜେବାପା ଜଣେ ପ୍ରସିଦ୍ଧ ଆୟୁର୍ବେଦାଚାର୍ଯ୍ୟ ଥିଲେ।ପୁଅର କାର୍ଯ୍ୟକଳାପ ଜାଣିବାପରେ ସେ ବିହିତ ଚିକିତ୍ସା କରି ତାଙ୍କୁ ଆରୋଗ୍ୟ କରିଦେଇଥିଲେ। ଏହି ଅଧା-ଗୁଣିଆ(ଖଣ୍ଡିଗୁଣିଆ)ଙ୍କ ପିଛା ଚଣ୍ଡୀ ଅନେକ ଦିନ ପର୍ଯ୍ୟନ୍ତ ଛାଡିନଥିଲେ।

କହିଛି ତ ଖଣ୍ଡପଡାର ଶେଷଭାଗରେ ସେ ନିଜର ବାସଗୃହ କୁସୁମୀ ନଦୀ କୂଳରେ ଶ୍ମଶାନ ଠାରୁ ଅଳ୍ପ ଦୂରରେ ନିର୍ମାଣ କରିଥିଲେ। ରାତିରେ ସେ ଯେତେବେଳେ ଘରକୁ ଫେରୁଥିଲେ ,ବାଟରେ ବରଗଛର ପତ୍ର ଭିତରୁ କେହିଜଣେ ପଚାରୁଥିଲା …ହେ !
ଉତ୍ତରରେ ସେ କହୁଥିଲେ….ହାଁ

ଝଡା-ଫୁଙ୍କା,ବଳି-ଭୋଜା,ଗୁଣି-ଗାରେଡି ସବୁ ସେତେବେଳେ ଥିଲା ଏବଂ ତତ୍କାଳୀନ ସମାଜରେ ଅନେକ ରୋଗବଇରାଗ ଏହାଦ୍ଵାରା ଭଲ ହେଉଥିଲା।ଏବେ ମଧ୍ୟ ଗାଁ ଗହଳିରେ,ହାତରେ ଅଭିମନ୍ତ୍ରିତ ଡେଉଁରିଆ ବାନ୍ଧି, ଲୋକେ ଅସାଧ୍ୟ ରୋଗରୁ ଆରୋଗ୍ୟ ହେଉଛନ୍ତି।ସବୁ ବିଶ୍ବାସ କଥା।

ଅନୁସୂଚିତ ଜନଜାତିର ମୋର ଜଣେ ସହକର୍ମୀ,ଏବେ ମଧ୍ୟ ମୟୂରଭଞ୍ଜ ଜିଲ୍ଲାରେ ଥିବା ନିଜ ଗାଁ’କୁ ଯିବାପାଇଁ ଡରନ୍ତି,କାରଣ ସେ ଭଲଭାବରେ ଜାଣନ୍ତି ଯେ ତାଙ୍କ ସମ୍ପତ୍ତି ହଡ଼ପ କରିବାପାଇଁ , ଗାଁରେ ଥିବା ତାଙ୍କ ପରିଜନମାନେ ତାଙ୍କ ଉପରେ ଗୁଣି ବା “ବ୍ଲାକ୍ ମ୍ୟାଜିକ୍” କରନ୍ତି।ବିଚରାଙ୍କର ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ଅକାଳରେ ମୃତ୍ୟୁ ବରଣ କରିଛନ୍ତି ଏବଂ ଗୁଣି ସେଥିପାଇଁ ଦାୟୀ ବୋଲି ତାଙ୍କର ଦୃଢ ବିଶ୍ବାସ।

ଆଜିକାଲି ଭଳି ସେ ସମୟରେ ବାପାଙ୍କ ସହିତ ପୁଅ ଝିଅମାନେ ସାଙ୍ଗସୁଖ ଭଳି ଚଳୁନଥିଲେ।ଆମେ ପିଲାଦିନେ ନନାଙ୍କୁ ଦୂରରୁ ଦେଖିଲେ ଦଉଡ଼ି ଯାଇ ଘରକୋଣରେ ଲୁଚୁଥିଲୁ। ମୋ ସହିତ ନନାଙ୍କର ଏହି ଦୂରତା ଯୋଗୁଁ ସେ କେବେ ତାଙ୍କର ଶ୍ମଶାନ ସାଧନା ଅନୁଭୂତି ମତେ ସିଧାସଳଖ କହି ନାହାଁନ୍ତି।ସତ୍ୟତାର ଅନୁସନ୍ଧାନ କେବେ କରିବାର ପ୍ରୟାସ ମଧ୍ୟ ମୁଁ କରିନାହିଁ।ପ୍ରତ୍ୟେକ ମଣିଷ ଏକ ଚନ୍ଦ୍ର ଏବଂ ଏକ କୃଷ୍ଣପକ୍ଷର ଅଧିକାରୀ,ଯାହା ସେ କାହା ଆଗରେ ପ୍ରକାଶ କରିବାପାଇଁ ଚାହାନ୍ତିନାହିଁ।ହୁଏତ ସେଥିପାଇଁ ଏହି ଅସଫଳ ଶ୍ମଶାନ ସାଧନା ବିଷୟରେ ସେ କାହାକୁ କେବେ ସ୍ପଷ୍ଟଭାବରେ କହିନଥିଲେ।
କୁହାଶୁଣା କଥା ମନେ ପଡିବାରୁ ଏଠି ଲେଖିଦେଲି। ବିଶ୍ବାସ କରିବା ନକରିବା ଆପଣଙ୍କ ଉପରେ…

କ୍ରମଶଃ….

Click to rate this post!
[Total: 0 Average: 0]

Leave a Reply