Monday, May 20, 2024
Stories

ବଧୂର ନାମ ପ୍ରତିମା

  1. ବଧୂର ନାମ ପ୍ରତିମା
    (କ୍ଷୁଦ୍ରଗଳ୍ପ)
    ===============================
    ବଳବନ୍ତରାୟ ପରିବାରର ଝିଅ ବୋଲି ବଡ଼ ଗର୍ବ ସୁଖଲତା ଦେବୀଙ୍କର।ବାହାହେଇ ଆସିଲାବେଳେ ଦି’କିଲୋ ସୁନା ଆଣିଥିଲେ।ତା’ଛଡା ସ୍ବାମୀ ବିଶ୍ବତୋଷଙ୍କ ପାଇଁ ଦଶ ଏକର ଜମି,ଗୋଟେ ଆମ୍ବାସୋଡାର କାର ଏବଂ ଦି’ପଟ ଦୁଧିଆଳୀ ଗାଈ ମଧ୍ୟ ଆଣିଥିଲେ।ତା’ଛଡା ଗୁଲି-ଘୁଡୁଘୁଡୁ ଯନ୍ତ୍ରଟିଏ ମଧ୍ୟ ଆଣିଥିଲେ। କର୍ପୂର ଉଡିଗଲାଣି,କନା ପଡ଼ିଚି; ସେ ଜମିଦାରୀ ଆଡ୍ଡା ଆଉ ନାହିଁ।ବିଶ୍ବତୋଷ କେବେଠୁ ପୁରୁଣା ଆମ୍ବାସୋଡାର୍ କାରଟି ବିକି ଦେଲେଣି;ଅଫିମ ଘୁଡୁଘୁଡୁ ଯନ୍ତ୍ରଟି ଉପରେ ଆଙ୍ଗୁଳେ ବହଳର ଧୂଳି ବସିଲାଣି। ଜମିଦାରୀ ତ ଗଲାଣି,ତା’ଛଡା ବିକାଭଙ୍ଗା ହେବାପରେ ହାତରେ ଆଉ ମାତ୍ର ଚାରି ଏକର ଜମି ଅଛି।ଚାକର ବାକର ରଖିବାର ଶକ୍ତି ନାହିଁ, କିନ୍ତୁ ଜମିଦାରୀ ଆଦବ କାଇଦା ଛାଡିନି ସୁଖଲତାଙ୍କର।

====ସକାଳୁ ଉଠିବା ମାତ୍ରେ ପାଖରେ ବ୍ରସ୍ ଓ ଡାବର ଦନ୍ତମଞ୍ଜନ ଥୁଆ ହବାର ଅଛି,ତା’ପରେ ଅଧବେଲେ ଚା’ସାଙ୍ଗକୁ ପାଞ୍ଚ ଦଶଟି ଗୁଡ୍’ଡେ ବିସ୍କୁଟ୍ ପାଖକୁ ଅଣା ହବାର ଅଛି,ଆଠଟା ବେଳକୁ ଗାଧୋଇବା ପାଇଁ ପାଣି ଗରମ କରି ଗାଧୁଆ ଘରେ ରଖା ହବାର ଅଛି, ଗାଧୋଇ ସାରି ଆସିଲା ବେଳକୁ ଶାଢ଼ୀ ଶା଼ୟା ବ୍ଳାଉଜ ଜଣେ ହାତରେ ଧରି ଅପେକ୍ଷା କରି ଠିଆ ହବାର ଅଛି।ମଧ୍ୟାହ୍ନ ଭୋଜନର ସାତ ତୁଉଣ ପାଞ୍ଚଭଜା କରି ଥୋଇବାର ଅଛି। ଖାଇସାରି ଉଠିଲା ବେଳକୁ ସୁରଭିତ ତାମ୍ବୂଳର ଖିଲିଟିଏ ହାତରେ ଧରେଇବାର ଅଛି।ତାମ୍ବୂଳ ଚର୍ବଣ ପରେ ଶୟନ ସମୟରେ ପଦମଞ୍ଚାଳନ ପାଇଁ ଜଣକର ଆବଶ୍ୟକତା ମଧ୍ୟ ଅଛି।ଏସବୁ ଉଦାହରଣ ସ୍ବରୂପ କୁହାଗଲା।ସବୁକାମର ଲିଷ୍ଟଟିଏ ତିଆରି କଲେ ଦି’ଫର୍ଦ କାଗଜର ଅପଚୟ ହେବ। ତେଣୁ ଅବଶିଷ୍ଟ ଆଦବ କାଇଦା ପାଠକ ମାନଙ୍କର ଅନୁମାନ ଉପରେ ଛାଡି ଦିଆଯାଉ।

====ଚାକର-ବାକର ନଥିବାରୁ ଏସବୁ କାମ ସୁଖଲତାଙ୍କ ପାଇଁ କିଏ କରିବ?ତେଣୁ ପୁଅ ସୁଶାନ୍ତର ବାହାଘର ବେଳେ ଗୋଟିଏ ଗରିବ ଘରର ବୋହୂ ବାଛିଲେ ସୁଖଲତା। ସୁଶାନ୍ତ କଟକରେ ଚାକିରି କରନ୍ତି।ପୁଅ ବାହାଘର ସମୟରେ ବୋହୂ ବୋପାଘର ପାଖରେ ସର୍ତ୍ତ ରଖିଲେ ସୁଖଲତା ଯେ ବୋହୂ କେବେ ପୁଅ ପାଖକୁ ଯିବା ନାଁ ଧରିବନି।କନ୍ୟାପିତାଙ୍କର ଉପାୟ ନଥିଲା,କାରଣ ଆର୍ଥିକ ଅସ୍ବଚ୍ଛଳତା ସାଙ୍ଗକୁ ଚାରୋଟି ଝିଅଙ୍କର ବାହାଘର ଦାୟିତ୍ଵ ତାଙ୍କ ମୁଣ୍ଡ ଉପରେ ଥିଲା।ତେଣୁ ସର୍ତ୍ତରେ ରାଜି ହୋଇ ବଡ଼ଝିଅ ପ୍ରତିମାଙ୍କୁ ସୁଶାନ୍ତ ସହିତ ସେ ବାହା କରିଦେଲେ।

====ପ୍ରତିମା ସଂସ୍କାରୀ ଘରର ଝିଅ ଥିଲେ।କେମିଷ୍ଟ୍ରି ଅନର୍ସରେ ସ୍ନାତକ ପର୍ଯ୍ୟନ୍ତ ପାଠପଢା ମଧ୍ୟ ଥିଲା,ରୂପ କଥା କାହିଁକି କହିବା, ଗୋଟିଏ ଚାଉଳରେ ଗଢା।ପ୍ରଥମ ଦିନଠାରୁ ସୁଶାନ୍ତ ପ୍ରତିମାଙ୍କୁ କହିଥିଲେ..ଦେଖ ପ୍ରତିମା,ମାଆ ଟିକିଏ ମୁଖରା, କିନ୍ତୁ ହୃଦୟଟି ଭଲ। କିଛି ଏଣୁ ତେଣୁ କହିଲେ ମନରେ ଧରିବନି। ପ୍ରତିମା ନିର୍ମଳ ହସଟିଏ ଉପହାର ଦେଇ ସୁଶାନ୍ତଙ୍କୁ କହିଥିଲେ… ଠିକ୍ ଅଛି,ତମେ ସବୁ ସପ୍ତାହରେ ଘରକୁ ଆସିଲେ ଘରେ ଯାହା ସବୁ ଘଟିଥିବ,ତୁମକୁ କହି ମନ ହାଲୁକା କରିନେବି,ସେତେବେଳେ ମୁଁ ଚୁଗୁଲି କରୁଛି ବୋଲି କହିବନି।

====ଦୁର୍ଯୋଗକୁ ପ୍ରତିମା ଶାଶୁଘରେ ପାଦ ଦେବାର ଦୁଇଦିନ’ଠି ଶଶୁର ବିଶ୍ବତୋଷ ଗାଧୂଆଘରେ ପଡ଼ି ବାଁ’ଗୋଡଟି ଭାଙ୍ଗି ବସିଲେ। ଗୋଡ଼ ପଟିହେଲାପରେ ଖଟରେ ପଡିରହିଲେ ବିଶ୍ବତୋଷ।ସେ ଦିନ ଦି’ପହରେ ଗାଁ ମାଇପୀଙ୍କର ଗୋଟିଏ ବୈଠକ ବସିଲା ସୁଖଲତାଙ୍କ ଘରେ।ସର୍ବସମକ୍ଷରେ ସୁଖଲତା ଘୋଷଣା କଲେ… ଏହି ଅଲକ୍ଷଣୀ ବୋହୂ ଘରକୁ ଆସିବାରୁ ବିଶ୍ବତୋଷଙ୍କର ଗୋଡ଼ ଭାଙ୍ଗିଲା।ସୁଖଲତାଙ୍କ କଥା ଗାଁରେ ବିଜୁଳି ପରି ଖେଳିଗଲା…ବୋହୂଟା ଅଲକ୍ଷଣୀ।

====ପ୍ରତିମା ସବୁ ଶୁଣି ମଧ୍ୟ ନିର୍ଲିପ୍ତ। ଶାଶୂଙ୍କ ସେବା ସକାଳୁ ରାତି ପର୍ଯ୍ୟନ୍ତ କରି ଚାଲିଥାନ୍ତି।ଶଶୁରଙ୍କ ଗୋଡ଼ ଭାଙ୍ଗିଲା ପରେ ପ୍ରତିମାଙ୍କ ଉପରେ କାମ ବହୁତ ଅଧିକ ପଡିଲା। ତଥାପି ନିରଳସ ଭାବରେ ଘରର ସବୁ କାମ ସେ କରିଚାଲିଥାନ୍ତି।
ସେହି ଦିନଠାରୁ ଶାଶୂ ତାଙ୍କ ନାଁ ଦେଲେ “ଅଲକ୍ଷଣୀ”।ଥରେ ଶଶୁରଙ୍କୁ ଚା’ଦେଇସାରି ଶାଶୂଙ୍କୁ ଚା’ଦେବାରେ ଡେରି ହେଲା।ଶାଶୂ ରାଗରେ ନିଆଁ ବାଣ।ଗରମ ଚା ସହିତ କପଟି ଫିଙ୍ଗିଦେଇ କହିଲେ…ଏ ନିମୁଲୀଖୁଣ୍ଟି ଘରର ଝିଅ ଅଲକ୍ଷଣୀ ! ମୁଁ କଣ ଦି’ ପହରକୁ ଚା ପିଇବି?କୋଉ ବିପୁଳ ସମ୍ପତ୍ତି ବାପଘରୁ ନେଇ ଆସିଚୁ ନାଁ ଚାକର ବାକର ନେଇ ଆସିଚୁ ଘରକାମ କରିବାକୁ ଯେ ଏତେ ଡେରି ତୋର?କାଲିଠୁ ଚା’ଦବାରେ ଡେରି ହେଲେ ବାପଘର ପଠେଇଦେବି ତତେ।

====ସେଥର ସପ୍ତାହ ଶେଷରେ ସୁଶାନ୍ତ ଘରକୁ ଆସିବା ସମୟରେ ତାଙ୍କ ଆଗରେ ସବୁ କହିଲା ପ୍ରତିମା। ମନଦୁଃଖରେ ସୁଶାନ୍ତ କହିଲେ… ଠିକ୍ ଅଛି ମୁଁ ବୋଉ ସହିତ କଥା ହେବି।ତା’ବ୍ୟବହାରରେ ପରିବର୍ତ୍ତନ ନହେଲେ ତମେ ମୋ ସହିତ କଟକ ଚାଲି ଆସିବ।

====ପ୍ରତିମା କହିଲା…ଏଇଆ ତମେ ବୁଝିଲ ମୋ କଥାରୁ, ଦୟାକରି ବୋଉଙ୍କୁ ଏ ବିଷୟରେ କିଛି କହିବନି।ଆଉ ତୁମ ସହିତ ମୋ ଯିବାକଥା କହୁଚ,ଶାଶୂ ଶଶୁରଙ୍କୁ ଏ ଅବସ୍ଥାରେ ଛାଡ଼ି ତୁମ ସହିତ ମୁଁ ଯାଇ ପାରିବି ନାହିଁ। ସେମାନେ ଯଦି ଆମ ସହିତ କଟକ ଯିବେ ତା’ହେଲେ ମୋର ଆପତ୍ତି ନାହିଁ।ମନ ହାଲୁକା କରିବାକୁ ତମ ଆଗରେ ଘରକଥା କହିଲି ଯେ ତମେ ଏଇ ନିଷ୍ପତ୍ତି ନେବାପାଇଁ ଭାବୁଛ? ଠିକ୍ ଅଛି ଅଉ କେବେ କିଛି କହିବନି ତୁମକୁ।
ସୁଶାନ୍ତ କହିଲେ…ମୋର ଭୁଲ୍ ହେଇଚି ପ୍ରତିମା,ତମେ ଏତେ ରାଗନି।
====ତାପରେ ଦି’ଚାରିଥର ସୁଶାନ୍ତ ବାପା ମାଆଙ୍କୁ ଅନୁରୋଧ କରିଛନ୍ତି ତାଙ୍କ ସହିତ କଟକ ଯାଇ ରହିବାପାଇଁ। ସବୁ ଶୁଣିବା ପରେ ସୁଖଲତା କହିଛନ୍ତି…ପ୍ରଶ୍ନ ଉଠୁନାହିଁ, ଗାଁ ଛାଡି ଆମେ କୁଆଡେ ଯିବୁନି।ମାଇପ ବୋଲିିଆ, କହିଲା କଣ ନାଁ କଟକ ଯିବା”।

====ଏ ଭିତରେ ବିତି ଯାଇଛି ପାଞ୍ଚବର୍ଷ।ସୁଖଲତାଙ୍କ ବ୍ୟବହାରରେ କୌଣସି ପରିବର୍ତ୍ତନ ଆସିନାହିଁ।ଥରେ ସୁଖଲତାଙ୍କୁ ଜଣେ ସାଇମାଇପୀ ପଚାରିଲା..ହଇହେ ମା, ତମେ ତ ଜାଣିଚ ବୋହୂଘର ଗରିବ, ସବୁବେଳେ କାହିଁକି ଅହ୍ନବ ଦଉଚ ବୋପା ଘରୁ କିଛି ଆଣିନି ବୋଲି?

====ଧୀର କଣ୍ଠରେ ସୁଖଲତା କହିଲେ..ମୋର କଣ ଧନ ସମ୍ପତ୍ତି ଦର୍କାର ବୋଲି ମୁଁ କହୁଚି?ବୋହୂକୁ ଦବେଇକି ରଖିବା ପାଇଁ କହୁଚି,ନହେଲେ ଡିହା ହେଇଯିବ। ମୁଁ କଣ ଅହ୍ନବ ଦଉଚିମ,ମୋ ଭଉଣୀ ତା ବୋହୂକୁ ନିଆଁଖୁଣ୍ଟା ଚେଙ୍କି ଚେଙ୍କି ଦିହମୁଣ୍ଡ ଫୋଟକା କରି ସାରିଲାଣି।

====ସବୁ ଶୁଣୁଥାଏ ପ୍ରତିମା,ଭାବିଲା… ବାଃ,କି ଗୌରବ କଥା କରୁଛନ୍ତି ମାଉସୀ ଶାଶୁ !,ଏକା ଲାଉର ମଞ୍ଜି ତ।
ଏ ଭିତରେ ପ୍ରତିମାର କୋଳ ମଣ୍ଡନ କରିଛି ବାର୍ବି-କଣ୍ଢେଇ ଭଳି ଝିଅଟିଏ।ଝିଅଟି ଜନ୍ମ ହେବାପରେ ସୁଖଲତାଙ୍କର ରାଗ ଆହୁରି ବଢ଼ିଯାଇଛି ପ୍ରତିମା ଉପରେ।ପାଟିରେ ବାଡ଼ ବତା ରହିନାହିଁ, କହିଛନ୍ତି…ଖାଲି ଅଲକ୍ଷଣୀ ନୁହଁ,ଆଣ୍ଠୁକୁଡୀ ଟାଏ ମଧ୍ୟ।
====ଶାଶୁଙ୍କର ବ୍ୟବହାରରେ ଲୁଚି ଲୁଚି କାନ୍ଦିଛି ପ୍ରତିମା,ଏଣିକି ସ୍ବାମୀଙ୍କ ପାଖରେ ବେଶି କିଛି କହୁନି ସେ।ଶାଶୁଙ୍କ ବ୍ୟବହାର ଦେଖି ଶଶୁରଙ୍କ ମନରେ ଗଭୀର ଦୁଃଖ। ମଝିରେ ମଝିରେ ପତ୍ନୀଙ୍କୁ ସେ ଆକଟ କରିଛନ୍ତି… ଏଭଳି ବ୍ୟବହାରରେ କୋଉ ବୋହୂ ତମ ପାଖରେ ରହିବ? ତମ ପାଖରେ ପ୍ରତିମା କେମିତି ରହିଛି, ମୁଁ ଆଶ୍ଚର୍ଯ୍ୟ ହେଉଛି ସୁଖଲତା।
ସୁଖଲତା କହିଛନ୍ତି… ରହିବନି,ଯିବ କୁଆଡେ?କୋଉ ବାପଘର ତାକୁ ନେଇ ପୋଷିବ?

====ପ୍ରତିମା ଝିଅଟିର ନାଁ ଦେଇଛି କଣ୍ଢେଇ।ପ୍ରଥମେ ପ୍ରଥମେ “ଝିଅଟେ” ବୋଲି ନାକ ଟେକୁଥିବା ଜେଜେମା ସୁଖଲତା, ଆଜିକାଲି କଣ୍ଢେଇକୁ ଛାଡି ଦଣ୍ଡେ ରହିପାରୁ ନାହାଁନ୍ତି।
ଶାଶୁ ଶଶୁରଙ୍କ ସେବା ଓ ପିଲା-କାମ ସହିତ ଘରର ସବୁ କାମ କରିବା ଆଜିକାଲି ଅସମ୍ଭବ ହୋଇପଡିଛି ପ୍ରତିମା ପାଇଁ।ଶାଶୁଙ୍କ ଠାରୁ ଘରର କିଛି କାମ ଆଶା କରୁନଥିଲା ପ୍ରତିମା, କିନ୍ତୁ ତାଙ୍କ ନିଜ କାମ ସେ କିଛି ନିଜେ କରୁନଥିଲେ, ପ୍ରତିମା ଶାଶୁଙ୍କ ଅଡର୍ଲି କାମ କରି ନୟାନ୍ତ ହୋଇଯାଉଥିଲା।

====ଦିନେ ସକାଳେ ବିସ୍କୁଟ ନଥିବାରୁ ଶାଶୂଙ୍କୁ ଖାଲି ଚା’ଦେଲା ପ୍ରତିମା।ଶାଶୂ ରାଗରେ ନିଆଁ ବାଣ।ଶାଶୂଙ୍କୁ ବୁଝାଇବାକୁ ଚେଷ୍ଟା କଲା ପ୍ରତିମା…ଦେଖ ବୋଉ, ରୋଷେଇ-ବାସ, ହାଟ-ବଜାର ସବୁ ତ ମୁଁ କରୁଛି,ବେଳେବେଳେ ସଉଦାପତ୍ର ଆଣିବାରେ ଭୁଲ୍ ଭଟକା ହେଇଯାଉଚି। ଆଜି ନିଶ୍ଚୟ ବିସ୍କୁଟ ନେଇ ଆସିବି।”
ସୁଖଲତାଙ୍କ ରାଗ ମୁଣ୍ଡକୁ ଚଢ଼ିଗଲା।ତାତିଲା ଚା’ଫିଙ୍ଗିଦେଲେ ପ୍ରତିମା ଉପରକୁ। ପ୍ରତିମା ସଙ୍କେ ସଙ୍ଗେ ହାତ ଥଣ୍ଡା ପାଣିରେ ଧୋଇ ବର୍ଣ୍ଣଲ୍ ଲଗାଇଲେ ମଧ୍ୟ ତିନୋଟି ଫୋଟକା ହୋଇ ଗଲା ହାତରେ।

====ଏଘଟଣା ଦେଖି ଶଶୁର ଚିହିଁକି ଉଠିଲେ..ତମେ ମଣିଷ ନା ରାକ୍ଷସୀ ସୁଖଲତା?
ସୁଖଲତା କିଛି ନକହି ତମତମ ହୋଇ ବାଲକୋନୀକୁ ଚାଲିଗଲେ।
====ପ୍ରତିମା କିଛି ପ୍ରତିକ୍ରିୟା ଦେଖାଇଲା ନାହିଁ।ଅପେକ୍ଷା କଲା ସୁଶାନ୍ତଙ୍କ ପାଇଁ। ସେଦିନ ଶନିବାର। ସୁଶାନ୍ତ ପହଞ୍ଚିବାପରେ ପ୍ରତିମା ହାତରେ ଫୋଟକା ଦେଖି ପଚାରିଲେ…ହାତରେ ତମର କଣ ହେଇଚି ପ୍ରତିମା?
====ପ୍ରତିମା ଶାଶୂଙ୍କୁ ଶୁଣେଇ ଶୁଣେଇ କହିଲା… ପୁରସ୍କାର ମିଳିଛି,ଶାଶୂ ସେବାର ପୁରସ୍କାର।ମତେ ତମେ କାଲି ସକାଳୁ ମୋ ବାପଘରେ ଛାଡ଼ିଦେଇ ଆସ।ତୁମ ସହିତ କଟକ ଗଲେ ସିନା କହିବେ ବାହାଘର ବେଳର ସର୍ତ୍ତ ରହିଲାନି ଏବଂ ସ୍ତ୍ରୀ ବୋଲରେ ବୁଢ଼ା ବାପମାଆଙ୍କୁ ଛାଡି ପୁଅ ସହରରେ ଘର ସଂସାର କଲା; ବାପଘରକୁ ଚାଲିଗଲେ କାହାର କଣ କହିବାର ଅଛି? ମୁଁ ପାଠ ଦି’ଅକ୍ଷର ପଡ଼ିଚି,ଟିଉସନ କରି ନିଜ ପେଟ ପୋଷିବା ପାଇଁ କିଛି ଅସୁବିଧା ହେବନାହିଁ। କାହିଁକି ତମ ଘରେ ମାଡଗାଳି ଖାଇ ପଡ଼ିଥିବି, କାହିଁକି କଥା କଥାକେ ଶାଶୁ ମୋ ବାପଘରେ ଉଘେଇବେ,ମୋ ବାପା କ’ଣ ତାଙ୍କ ଚାକର ?

====ଧାର ଧାର ଲୁହ ବହି ଯାଉଥାଏ ପ୍ରତିମା ଆଖିରୁ। ଶାନ୍ତ୍ବନା ଦେଇ ସୁଶାନ୍ତ କହିଲେ…. ଠିକ୍ ଅଛି, ମୁଁ ତୁମକୁ କାଲି ତମ ବାପଘରେ ଛାଡ଼ିଦେଇ ଆସିବି।
ସେଦିନ ରାତିରେ ଆଉ ବିଶେଷ କିଛି ଘଟିନଥିଲା। ପ୍ରତିମା ସକାଳୁ ଉଠି ଦେଖିଲା ଶାଶୂ ନିଜେ ନିଜପାଇଁ ଏବଂ ଶଶୁରଙ୍କ ପାଇଁ ଚା’କରି ପିଇ ସାରିଛନ୍ତି।ଟେବୁଲ୍ ଉପରେ ପୁଅ ବୋହୂଙ୍କ ପାଇଁ ମଧ୍ୟ ଚା’କରି ରଖି ଦେଇଛନ୍ତି। କଣ୍ଢେଇକୁ ଧରି ଚଉକି ଉପରେ ବସି ଗେଲ କରିବା ଆରମ୍ଭ କରି ଦେଇଛନ୍ତି ଶାଶୁ।ଆଖିରୁ ଧାର ଧାର ଲୁହ ବହି ଯାଉଥାଏ, କହୁଥାନ୍ତି….ସତରେ ତୁ ଚାଲିଯିବୁ ମୋ ଧନ? ଜେଜେମା ତୋର ଭାରି ଖରାପ୍।ଯାଆ ଲୋ ଧନ, ମୁଁ କଣ ତତେ ରଖିପାରିବି?
କବାଟ କଣରେ ଥାଇ ନିଜ ଆଖି-ଲୁହ ସମ୍ବରଣ କରି ପାରୁ ନଥିଲା ପ୍ରତିମା।

====ବୋଉର ଚରିତ୍ରରେ ହଠାତ୍ ଏ ରାସାୟନିକ ପରିବର୍ତ୍ତନର କାରଣ ବୁଝିପାରୁନଥିଲେ ସୁଶାନ୍ତ। ଟେବୁଲ୍ ଉପରେ ଥିବା ଚା’କପ ମୁହଁରେ ଦେଉ ଦେଉ ସୁଶାନ୍ତ କହିଲେ…ଶୀଘ୍ର ବାହାର ପ୍ରତିମା,ଖରା ବେଶି ହବା ପୂର୍ବରୁ ତୁମକୁ ଛାଡ଼ିଦେଇ ଆସିବି।
କୋଠରୀ ଭିତରୁ ଉତ୍ତର ଦେଲା ପ୍ରତିମା… ଆଜି ତ ଡେରି ହେଲାଣି,କାଲି ସକାଳେ ଯିବା।

====ସେଦିନ ରାତିରେ ପ୍ରତିମା ଘରକାମ ଶେଷକରି ବେଡ଼ରୁମକୁ ସୁଶାନ୍ତଙ୍କ ପାଖକୁ ଆସିବା ପରେ ସୁଶାନ୍ତ କହିଲେ…ତମେ ତମର ଲୁଗାପଟା ଆଜିଠୁ ସଜାଡି ଦିଅ,କାଲି ବଡ଼ି ସକାଳୁ ତୁମକୁ ଛାଡ଼ିଦେଇ ଆସିବି।ଏ ଭିତରେ କଟକରେ ଭଲ ଘରଟିଏ ଖୋଜୁଚି,ତୁମକୁ ନେଇଯିବି।
====ପ୍ରତିମା କହିଲା…ପାଗଳ ହେଲ,ମୋର କୁଆଡେ ଯିବାର ନାହିଁ, ନାଁ ବାପ ଘରକୁ ନାଁ ତୁମ ପାଖକୁ। କଣ୍ଢେଇକୁ ବୋଉଙ୍କ ପାଖରୁ ଛଡେଇ ନେଇଗଲେ ମୋର ପାପ ହବ, ଜୀଅନ୍ତା ମରିଯିବେ ସିଏ।
====ପ୍ରତିମାକୁ କୋଳକୁ ଟାଣି ନେଉ ନେଉ ସୁଶାନ୍ତ କହିଲେ…Iam proud of you ପ୍ରତିମା।

Click to rate this post!
[Total: 0 Average: 0]

Leave a Reply