Monday, May 20, 2024
Stories

ପିଉସୀ ନାନୀ

  • ପିଉସୀ ନାନୀ
    =================================
    ନାଁ ସିନା ବିଷ୍ଣୁପଦ କିନ୍ତୁ ବିଷ୍ଣୁଙ୍କ ପାଦରେ ବିଲ୍’କୁଲ ଧ୍ୟାନ ନଥାଏ। ଅର୍ଦ୍ଧାଙ୍ଗିନୀ ପଦ୍ମାଳୟା ମଧ୍ୟ ସ୍ବାମୀଙ୍କ ପଥ ଅନୁସରଣ କରିଛନ୍ତି। ପିଲାଦିନେ ନିଜ ନିଜର ବାପଘରେ ପୂଜା-ପାଠ,ତିଳତର୍ପଣ ଇତ୍ୟାଦି ଦେଖିଛନ୍ତି, କିନ୍ତୁ ହାଇଦ୍ରାବାଦରେ ନିଜ ଘର ବସେଇବା ପରେ ଦି’ଜଣଯାକ ପୁରା ହେତୁବାଦୀ ପାଲଟି ଯାଇଛନ୍ତି।

    ଘରେ ଠାକୁର ଘରଟିଏ ମଧ୍ୟ ନାହିଁ।ପୁଅ ଶୋଭନ ଏବଂ ଝିଅ ଶୋଭନା ମଧ୍ୟ ବାପା ମାଆଙ୍କ ପ୍ରଭାବରେ ସମ୍ପୂର୍ଣ୍ଣ ଧର୍ମନିରପେକ୍ଷ।ସକାଳୁ ଅଘଷା-ପାଟିରେ ଚା’ବିସ୍କୁଟ ଖାଇବା,ଅଗାଧୁଆରେ ଅଧିକାଂଶ ଦିନ ମଧ୍ୟାହ୍ନ ଭୋଜନ କରି,ସମୟ ଦେଖି ରାତି ଅଧରେ ସ୍ନାନ କରିବା,ଚପଲ ପିନ୍ଧି ରୋଷେଇ ଘର ଭିତରକୁ ଯିବା, ଇତ୍ୟାଦି ବିଷ୍ଣୁ ବାବୁଙ୍କ ଘରେ ଧର୍ତ୍ତବ୍ୟ ଭୁଲ୍ ନୁହେଁ। ବିଷ୍ଣୁବାବୁ, ବାପାଙ୍କ କଥା ରଖି ପୁଅ ଶୋଭନର ବ୍ରତଘର କରିଥିଲେ ମହା ଧୂମ୍’ଧାମରେ, କିନ୍ତୁ ବ୍ରତଘର ବାସିଦିନ ଶୋଭନ ପଇତାଟା,ସଦ୍ୟ କିଣା ଯାଇଥିବା ଆଲସେସିଆନ୍ ଛୁଆକୁ ବାନ୍ଧିବା ଭଳି ସତ୍ କାର୍ଯ୍ୟରେ ଲଗେଇ ଦେଲା।ସହଜେ ବିଷ୍ଣୁ ବାବୁଙ୍କୁ ତ ଖାଇଲାବେଳର ଚଳୁ ମନ୍ତ୍ର ଜଣାନାହିଁ,ଶୋଭନକୁ କଣ ବତେଇବେ ସେ ?

    ପାରମ୍ପରିକତାକୁ ଏଭଳି ଅଣଦେଖା କରିବା ଯୋଗୁଁ ପଦ୍ମାଳୟାଙ୍କୁ ଭାରି ସୁବିଧା ହୋଇ ଥିଲା। ସ୍ବାମୀ ସ୍ତ୍ରୀ ଉଭୟେ ଚାକିରିଆ,ସକାଳୁ ଟିକିଏ ଡେରିରେ ଉଠି ଅଗାଧୁଆରେ ରୋଷେଇ କରି,ପରେ ଗାଧୋଇଲେ ମଧ୍ୟ, ଠିକ୍ ସମୟରେ ଖାଇ ପିଇ ଅଫିସ୍ ଯାଇ ହୁଏ। ବିଷ୍ଣୁ ବାବୁଙ୍କର ତ କିଛି ବିରୋଧ ନଥାଏ,ଆଉ ଚିନ୍ତା କଣ?

    ଘରେ ଆଲସେସିଆନ୍ କୁକୁରଟିର ନାଁ ଦିଆଯାଇଥାଏ ସନ୍ୟାସୀ କାରଣ ସେ ‘ଅହିଂସା ପରମ ଧର୍ମ’ ନୀତି ପାଳନ କରି କାହାକୁ ଭୁକାଭୁକି କରେନାହିଁ। ଅଧିକାଂଶ ସମୟ ସୋଫା ଉପରେ ଶୋଇଥାଏ।ସମସ୍ତଙ୍କ ବେଡ୍ ରୁମକୁ ତାର ଅବାଧ ପ୍ରବେଶ ଥାଏ ଏବଂ ତା ନିଜର ସ୍ବତନ୍ତ୍ର ବେଡ୍ ଥିଲେ ମଧ୍ୟ ବେଳେ ବେଳେ ଅତ୍ୟଧିକ ସ୍ନେହ ଯୋଗୁଁ ପଦ୍ମାଳୟାଙ୍କ ପାଖରେ ଶୋଇ ଯାଏ। ଅବଶ୍ୟ ସନ୍ୟାସୀର ଗୋଟିଏ ଭଲଗୁଣ ଯେ ସେ ଶେଯରେ ଏକ କିମ୍ବା ଦୁଇ କରେନାହିଁ।

    ସକାଳେ ଏବଂ ସଞ୍ଜରେ ନିର୍ଦ୍ଦିଷ୍ଟ ସମୟରେ ଖାମିନ୍ଦଙ୍କ ସହିତ ଯାଇ ସନ୍ୟାସୀ ବାହାରେ ଏକ ଏବଂ ଦୁଇ କାମ ଶେଷ କରିଦେଇ ଆସେ।ସେ ସମୟରେ ବିଷ୍ଣୁବାବୁ ହାତରେ ଗୋଟିଏ କାଗଜ ଧରିଥାନ୍ତି, ସନ୍ୟାସୀର ଦୁଇକୁ ସେଥିରେ ଉଠାଇନେଇ କଲୋନୀ ପାଚେରୀ ବାହାରେ ପକେଇଦିଅନ୍ତି,କାରଣ କଲୋନୀର ନିୟମ ଅନୁସାରେ ପରିସର ଭିତରେ ପୋଷା-ଯନ୍ତୁ ମାନଙ୍କୁ ଦୁଇକରାଇଲେ ଫାଇନ୍ ଦେବାକୁ ପଡେ।

    ବିଷ୍ଣୁ ବାବୁଙ୍କ ଘରେ ସେତେ ବାଛବିଚାର ନଥିବାରୁ ବାହାର ଲୋକ ଗଲେ ସିଧା ଯୋତା ପିନ୍ଧି ତାଙ୍କ ବୈଠକ ଖାନାକୁ ଯାଇପାରିବେ;ଯୋତା ଖୋଲିବାକୁ ଚେଷ୍ଟା କଲେ,ଘର ଭିତରୁ କେହି ନା କେହି କହିବ… ଜୋତା ଚଳିବ ଆଜ୍ଞା,ବାହାର କରନ୍ତୁ ନାହିଁ।
    ଥରେ ବିଷ୍ଣୁ ବାବୁ ସପରିବାର ବ୍ରତଘର ଭୋଜିରେ ଯୋଗ ଦେବାକୁ ପିଉସାଙ୍କ ଗାଁକୁ ଯାଇଥିଲେ।ପିଉସୀ ନାନୀଙ୍କର ଖାନଦାନୀଘର,ବଡଅଗଣା,ବାଡ଼ିରେ‌ ଥାଏ ପିଜୁଳି,ଲିଚୁ,ସପେଟା,ଆମ୍ବ ଇତ୍ୟାଦିର ବଗିଚା।ଆମ୍ବ-ଦିନ ହୋଇ ଥିବାରୁ ପିଲାମାନେ ମନଭରି ଆମ୍ବ ଖାଇଲେ, ଗାଁ ପୋଖରୀରେ ଗାଧୋଇଲେ, ମନ୍ଦିର ଆଗରେ ରାତିରେ ଭାରତ-ଲୀଳା ଦେଖିଲେ, ସମସ୍ତେ ବହୁତ ମଜା କଲେ।

    ପିଉସୀ ନାନୀ ବିଷ୍ଣୁବାବୁଙ୍କୁ ପିଲାଦିନୁ ବହୁତ୍ ଭଲ ପାଆନ୍ତି। ବିଷ୍ଣୁ ବାବୁ କହିଲେ…ନାନୀ ଆସୁନ ହାଇଦ୍ରାବାଦ ଆଠଦିନ ବୁଲି ଆସିବ।
    ନାନୀ ବିଷ୍ଣୁ ବାବୁଙ୍କ ଘର ଚଳଣି ବିଷୟରେ ସୁରାକ ପାଇଥିଲେ।କହିଲେ.. ମୁଁ ଦିଅଁ ଦେବତା କରିବା ଲୋକ, ସେଠାରେ ତ ତୋର ଠାକୁର ଘରଟିଏ ମଧ୍ୟ ନାହିଁ ବୋଲି ଶୁଣୁଚି, କେମିତି ଚଳେଇବୁ ମତେ ଯେ ତୋ ସାଙ୍ଗରେ ଯିବି?

    ବିଷ୍ଣୁବାବୁ କହିଲେ.. ଆଠଦିନ କଥା ତ,ତାର ବ୍ୟବସ୍ଥା ମୁଁ କରି ଦେବିନି?ତମେ ଆସିଲେ ଆମକୁ କେତେ ଭଲ ଲାଗନ୍ତା; କିଛି ଦିନ ପରେ ମୁଁ ନିଜେ ଆସି ଛାଡ଼ିଦେଇ ଯାଆନ୍ତି।
    ବହୁତ୍ ଅନୁରୋଧ ପରେ ପିଉସୀ ନାନୀ ବିଷ୍ଣୁ ବାବୁଙ୍କ ପରିବାର ସହିତ ହାଇଦ୍ରାବାଦ ଆସିଲେ। ଯିବା ପୂର୍ବରୁ ବିଷ୍ଣୁ ବାବୁ ସନ୍ୟାସୀକୁ ପଡିଶା ଘରେ ଡିପୋଜିଟ୍ କରି ଯାଇଥିଲେ।ପରିବାରର ପ୍ରତ୍ୟାବର୍ତ୍ତନ ପରେ ସନ୍ୟାସୀ ସମସ୍ତଙ୍କ ମୁହଁ ହାତ ଚାଟି ଅଭିବାଦନ କଲା।କେବଳ ପିଉସୀ ନାନୀଙ୍କୁ ସନ୍ଦେହ ଦୃଷ୍ଟିରେ ଚାହିଁଲା, କିନ୍ତୁ କିଛି କଲାନାହିଁ,କାରଣ ଅହିଂସା ତ ତାର ପରମ ଧର୍ମ।
    ବିଷ୍ଣୁ ବାବୁଙ୍କ ପରିବାରର ଗୋଟିଏ ଦିନର ଚାଲି ଚଳଣି ଦେଖି ନାନୀ କହିଲେ… ବିଷ୍ଣୁ,ତୁ ମତେ କାଲି ନେଇ ଗାଁ ରେ ଛାଡ଼ିଦେଇ ଆ।
    ବିଷ୍ଣୁ ବାବୁ ଲଜ୍ଜିତ ହୋଇ କହିଲେ.. ନାଁ ନାନୀ ସବୁ ଠିକ୍ ହେଇଯିବ।ଆଠଟି ଦିନ ରହ,ଏଇଲେ ସାଙ୍ଗେ ସାଙ୍ଗେ ରିଜର୍ଭେସନ ମିଳିବନି ଟ୍ରେନରେ।
    ବିଷ୍ଣୁ ବାବୁଙ୍କ ନିର୍ଦ୍ଦେଶ ଅନୁଯାୟୀ ପ୍ରଥମେ ଆଲସେସିଆନ ସନ୍ୟାସୀର ବେଡ୍ ରୁମ୍ ଛାତ ଉପରେ ଥିବା ଘରକୁ ନିଆଗଲା। ସକାଳୁ କାହାକୁ ବେଡ୍’ଟି ଅଘଷାରେ ମିଳିଲା ନାହିଁ।
    ପଦ୍ମାଳୟା ସକାଳୁ ଉଠି ଗାଧୁଆ ପାଧୁଆ ସାରି ରୋଷେଇ କରିବା ଆରମ୍ଭ କଲେ।ପିଉସୀ ନାନୀଙ୍କୁ ଗୋଟିଏ ସ୍ଵତନ୍ତ୍ର କୋଠରୀ ଦିଆଗଲା; ସେଠାରେ ବଡ଼ିସକାଳୁ ସେ ତାଙ୍କର ପୂଜା ପାଠ କରି ଭଜନ ଜଣାଣ ଗାଇଲେ।

    ପାଞ୍ଚଟି ଦିନରେ ସମସ୍ତେ ବ୍ୟତିବ୍ୟସ୍ତ।ପୁଅ,ଝିଅ ପଦ୍ମାଳୟାଙ୍କୁ ପଚାରିଲେ… ବୁଢୀ କୋଉଦିନ ଯିବ କିଲୋ ମାମା?ଜେଲରୁ କେବେ ଆମକୁ ମୁକ୍ତି ମିଳିବ ?
    ପଦ୍ମାଳୟା ପିଲାମାନଙ୍କର ପାଟିରେ ହାତ ରଖି କହିଲେ… ଧୀରେ କହ,ନାନୀ ଶୁଣିବେ।ଆଉ ପାଞ୍ଚସାତ ଦିନ କଥାତ, ଟିକିଏ ଆଡଜଷ୍ଟ କରି ଯା।ତମେ କଣ ଏକା ବ୍ୟସ୍ତ, ମୁଁ ବି ବ୍ୟସ୍ତ, ଏମିତି କି ସନ୍ୟାସୀ ମଧ୍ୟ ବ୍ୟସ୍ତ।

    ପିଉସୀ ନାନୀଙ୍କର ଫେରିବା ଦିନ ପାଖେଇ ଆସିଲା। ବିଷ୍ଣୁ ବାବୁଙ୍କ ଘରେ ସମସ୍ତଙ୍କ ମନ ଖୁସିରେ ଭରିଯାଇଥିଲା, ବୁଢୀ ଯିବାପରେ ଯେଉଁ ସ୍ବାଧୀନତା ମିଳିବ ତାକୁ ମନେ ପକେଇ କୁରୁଳି ଉଠୁଥିଲେ ପିଲାମାନେ।କେବଳ ବିଷ୍ଣୁ ବାବୁଙ୍କ ମନ ଦୁଃଖ ଥିଲା,କାରଣ ପିଇସୀଙ୍କୁ ସେ ଅତ୍ୟନ୍ତ ଭଲ ପାଉଥିଲେ।

    କିନ୍ତୁ ଏ’କଣ ! ସବୁ ବିଗିଡି ଗଲା।କୁଆଡେ ଥିଲା ଉହାନ୍ ସୁନ୍ଦରୀ କୋରନା,ପୂରା ଦେଶ ବନ୍ଦ୍ କରିଦେଲା।ମାସେ ଲକ୍ ଡାଉନ୍ ଘୋଷଣା ହେଲାପରେ ପିଉସୀ ନାନୀ ତ ଯାହା ବ୍ୟସ୍ତ, ପଦ୍ମାଳୟା,ଶୋଭନ ଓ ଶୋଭନାଙ୍କର ମୁହଁଟି ମାନ ଶୁଖିଗଲା। ବିଷ୍ଣୁ ବାବୁ କହିଲେ…ଭଲ ହେଲା,ନାନୀ ଆମ ପାଖରେ ଆଉ କିଛି ଦିନ ରହିଯିବ।
    ସ୍କୁଲ୍ କଲେଜ୍, ଅଫିସ୍ ସବୁ ବନ୍ଦ୍,ତା ସାଙ୍ଗକୁ ଘର ଭିତରେ ଏତେ କଟକଣା !
    ସମସ୍ତଙ୍କ ମନୋଭାବ ବୁଝିପାରିଲେ ପିଉସୀ ନାନୀ। କହିଲେ..ଶୁଣ ପିଲାମାନେ, ତୁମେମାନେ ସଂସ୍କୃତି ଆଉ ସଂସ୍କାର ଠାରୁ ଦୂରେଇ ରହିଛବୋଲି ତୁମକୁ ଏତେ ଅସହ୍ୟ ଲାଗୁଚି;ତା ସହିତ ମିଶି ଯାଅ,ତାକୁ ଜୀବନର ପ୍ରଣାଳୀ କରିଦିଅ,ଦେଖିବ ଖୁବ୍ ଭଲ ଲାଗିବ।
    ତା’ପରଠାରୁ ସବୁଦିନ ସକାଳେ ନାନୀଙ୍କ ପୂଜା ସମୟରେ ସମସ୍ତେ ନିତ୍ୟକର୍ମ ଶେଷକରି ସାମିଲ୍ ହେଲେ,ଜଣାଣ ଗାଇଲେ, ପୂଜା ପରେ ଭୋଗ ପାଇ ନିଜ ନିଜର ଦିନର କାମ ଆରମ୍ଭ କଲେ। ସନ୍ଧ୍ୟା ସମୟରେ ସବୁଦିନ ପିଉସୀ ନାନୀଙ୍କ ସହିତ ଠାକୁରଙ୍କ ପାଖରେ ବସି ସମସ୍ତେ ପ୍ରାର୍ଥନା ଗାଇଲେ। ସମସ୍ତଙ୍କ ପ୍ରାର୍ଥନା ଗାଇବା ଦେଖି ସନ୍ୟାସୀ ମଧ୍ୟ ସ୍ବର ତୋଳି
    “ଭୋଓଓଓ”କରିବା ଆରମ୍ଭ କଲା। ସନ୍ୟାସୀର ଏଭଳି ପ୍ରାର୍ଥନା ଦେଖି ସମସ୍ତେ ହସି ଉଠିଲେ। ବିଷ୍ଣୁ ବାବୁ କହିଲେ…ଦେଖିଲ,ମର୍କତମଣି ସଂସର୍ଗ ରେ ଆସିଲେ କାଚ ମଧ୍ୟ ମଣିର ରୂପ ଧାରଣ କରେ।
    ଲକ୍ ଡାଉନ୍’ର ମାସେ ଅବଧି ଭିତରେ ବିଷ୍ଣୁ ବାବୁଙ୍କ ପାରିବାରିକ ଜୀବନ-ଶୈଳୀ ସମ୍ପୂର୍ଣ୍ଣ ବଦଳି ଯାଇଥିଲା।ସକାଳୁ ଉଠି ବିଷ୍ଣୁ ବାବୁଙ୍କ କାମ ହେଲା ପୂଜା ପାଇଁ ଫୁଲ ଆଣିବା,ପଦ୍ମାଳୟାଙ୍କ କାମ ହେଲା ଗାଧୁଆ ପାଧୁଆ ସାରି ଦିଅଁଙ୍କ ପାଇଁ ଭୋଗ ସଜାଡ଼ିବା,ପିଲାଙ୍କ କାମ ହେଲା ଚନ୍ଦନ ଘୋରି ରଖିବା। ପିଉସୀ ନାନୀଙ୍କ ପୂଜାସମୟରେ ବସି ତାଙ୍କ ସହିତ ମିଶି ଶ୍ଳୋକବୋଲି ଆରତୀ କରିବା କେବଳ ଦିନ ଚର୍ଯ୍ୟାନୁହେ,ଟିଭିଦେଖାଠାରୁ ଅଧିକ ଆନନ୍ଦ ଦାୟକ ଲାଗିଲା ପରିବାର ବର୍ଗଙ୍କୁ। ଆଃ କି ଅପୂର୍ବ ଶାନ୍ତି !!

    ପିଉସୀ ନାନୀଙ୍କ ଫେରିବା ଦିନ ଆସିଲା। ନାନୀ ପରିବାରର ଭାବପ୍ରବଣତା ଭିତରେ ଏମିତି ବାନ୍ଧି ହୋଇ ଯାଇଥିଲେ ଯେ
    ଗଲାବେଳେ ତାଙ୍କ ଆଖିର ଲୁହ ତ ମନାମାନୁନଥିଲା, ବିଷ୍ଣୁ ବାବୁଙ୍କ ପରିବାରର ସମସ୍ତଙ୍କ ଆଖିରୁ ଲୁହର ଝରଣା ବହୁଥିଲା; ଏପରିକି ଆଲସେସିଆନ୍ ସନ୍ୟାସୀର ଆଖି କୋଣରେ ମଧ୍ୟ ଲୁହ ଦେଖାଯାଇଥିଲା।

Click to rate this post!
[Total: 0 Average: 0]

Leave a Reply