Friday, February 23, 2024
Stories

ନୀଳାଚଳ ଵାସୀ ଶ୍ରୀଜଗନ୍ନାଥ (୮)

ନୀଳାଚଳବାସୀ ଶ୍ରୀଜଗନ୍ନାଥ
ଭାଗ ୮
ସିଂହଦ୍ବାର ଗୁମୁଟର ପତିତପାବନ
==================================
ଶ୍ରୀମନ୍ଦିରର ସିଂହଦ୍ଵାର ଗୁମୁଟ ବା ପ୍ରବେଶ ଦ୍ବାରରେ ଆମେ ଆଜିକାଲି ଜଗନ୍ନାଥଙ୍କର ଯେଉଁ ପତିତପାବନଙ୍କ ବିଗ୍ରହ ଦେଖୁଛେ ତାହା ଅତି ପୁରାତନ ନୁହେଁ। ବିଧର୍ମୀ କନ୍ୟାକୁ ବିବାହ କରି ରାମଚନ୍ଦ୍ର ଦେବ (ଦ୍ବିତୀୟ) ଯେତେବେଳେ ପଣ୍ଡାମାନଙ୍କ ବାରଣ ଯୋଗୁ ତଥା ଶ୍ରୀମନ୍ଦିର ନୀତିକୁ ସମ୍ନାନ ଜଣାଇ ମନ୍ଦିର ଭିତରେ ପ୍ରବେଶ କରିବା ଅଧିକାର ହରାଇ ଵସିଥିଲେ, ସେତେବେଳେ ଜଗନ୍ନାଥ ସ୍ବୟଂ ପତିତ ପାବନ ରୂପରେ ସିଂହଦ୍ବାର ଗୁମୁଟକୁ ଚାଲି ଆସିଥିଲେ ଭକ୍ତକୁ ଦର୍ଶନ ଦେବାପାଇଁ। ଗଜପତି ରାମଚନ୍ଦ୍ର ଦେବ ସବୁଦିନ ପ୍ରାତଃକାଳରେ ସିଂହଦ୍ଵାର ବାହାରେ ରହି ଦୂରରୁ ପତିତପାବନଙ୍କୁ ଦର୍ଶନ କରି ଫେରିଯାଉଥିଲେ। ତାଙ୍କରି ଦର୍ଶନରେ ସେ ପାଉଥିଲେ କୋଟି କୈବଲ୍ୟ ପ୍ରାପ୍ତିର ସୁକୃତ।

ଖ୍ରୀଷ୍ଟୀୟ ୧୭୨୧ ରୁ ୧୭୩୬ ମସିହା ପର୍ଯ୍ୟନ୍ତ ଭୋଇବଂଶ ରାଜା ରାମଚନ୍ଦ୍ର ଦେବ (ଦ୍ବିତୀୟ)ବା ଦିବ୍ୟସିଂହ ଦେବ ଖୋରଧା ଗଡରୁ ରାଜୁତି କରୁଥିଲେ। ଓଡ଼ିଶାର ରାଜା ଏବଂ ଜଗନ୍ନାଥଙ୍କର ପ୍ରଥମ ସେବକ ଭାବରେ ପ୍ରତ୍ୟେକ ଓଡ଼ିଆର ସମ୍ମାନର ଅଧିକାରୀ ଥିଲେ।ତାଙ୍କ ଦୁର୍ଭାଗ୍ୟକୁ,ଗାଦିସୀନ ହେବା ପରେ ପରେ ସେ ହାଇଦ୍ରାବାଦର ନିଜାମଙ୍କ ଆକ୍ରମଣର ଶିକାର ହେଲେ।ଟିକାଲି, ରଘୁନାଥପୁର, ଚିଲିକା ଇତ୍ୟାଦି ଅଞ୍ଚଳ ନିଜାମ୍’ସେନା ତାଙ୍କ ଅଧିକାରରୁ ଛଡ଼ାଇ ନେଲେ।ଓଡ଼ିଶା ସେ ସମୟରେ ମୋଗଲ ଶାସନ ଅଧୀନରେ। ବଙ୍ଗଳାରେ ମୋଗଲ ଶାସନର ପ୍ରତିନିଧି ଥିଲେ ମୁର୍ଶିଦ୍ କୁଲି ଖାଁ। ଓଡ଼ିଶାରେ ତାଙ୍କ ନାଏବ ଥିଲେ ମହମ୍ମଦ ତକି ଖାଁ। କିନ୍ତୁ ତକି ଖାଁ, ହାଇଦ୍ରାବାଦ ନିଜାମଙ୍କ ବିରୁଦ୍ଧରେ ରାମଚନ୍ଦ୍ର ଦେବଙ୍କୁ କିଛି ସାହାଯ୍ୟ କଲେନାହିଁ। ବରଂ ହିନ୍ଦୁ ମନ୍ଦିର ଭାଙ୍ଗିବା ଓ ଲୁଣ୍ଠନ କରିବା କାମ ଜାରି ରଖିଲେ। ମହମ୍ମଦ ତକି ଖାଁଙ୍କର ଲୋଲୁପ ଦୃଷ୍ଟି ଶ୍ରୀଜଗନ୍ନାଥ ମନ୍ଦିର ଉପରେ ରହିଥିଲା। ଏକଥା ରାମଚନ୍ଦ୍ରଦେବ ଭଲଭାବରେ ଜାଣିଥିଲେ।

ତକି ଖାଁ ଅନେକ ହିନ୍ଦୁ ମନ୍ଦିର ଭାଙ୍ଗି ଖୋର୍ଦ୍ଧା ଆଡ଼କୁ ମାଡ଼ି ଆସୁଥିଲେ।ତାଙ୍କୁ ପ୍ରତିରୋଧ କରିବାପାଇଁ ପାଇକମାନଙ୍କ ସହଯୋଗ ଲୋଡିଲେ ରାମଚନ୍ଦ୍ର ଦେବ। କିନ୍ତୁ ରାମଚନ୍ଦ୍ର ଦେବଙ୍କ ବକ୍ସି ବେଣୁ ଭ୍ରମରବର ରାୟ ଏବଂ ଦିୱାନ ନୀଳାମ୍ବର ହରିଚନ୍ଦନ ଯୁଦ୍ଧକ୍ଷେତ୍ର ଛାଡି ପଳାୟନ କଲେ। ରାମଚନ୍ଦ୍ର ଦୁଇଜଣ ମୁସଲମାନଙ୍କୁ ବକ୍ସି ଏବଂ ଦିୱାନ ଭାବେ ନବନିଯୁକ୍ତି ଦେଲେ। ଏଭଳି ନିଯୁକ୍ତି ତକି ଖାଁ ଙ୍କୁ ପସନ୍ଦ ଲାଗିଲା ନାହିଁ।ସେ ଖୋର୍ଦ୍ଧା ଆକ୍ରମଣ କରି ନବନିଯୁକ୍ତ ବକ୍ସି ଓ ଦିୱାନଙ୍କୁ ହତ୍ୟା କଲେ ଏବଂ ରାମଚନ୍ଦ୍ର ଦେବଙ୍କୁ ବାରବାଟି ଦୁର୍ଗକୁ ନେଇ ବନ୍ଦୀ କରି ରଖିଲେ।

ରାମଚନ୍ଦ୍ର ଦେବଙ୍କ ଦୁଇ ପୁତ୍ର ଖୋର୍ଦ୍ଧା ଛାଡି ପଳାୟନ କଲେ। ସେ ଦୁହେଁ କୋଦଳା ଏବଂ ଆଠଗଡ଼ ରାଜାଙ୍କ ସହାୟତାରେ ମୋଗଲ ସୈନ୍ୟମାନଙ୍କ ବିରୁଦ୍ଧରେ ଲଢେଇ କରିବା ପାଇଁ ନିଷ୍ପତ୍ତି ନେଲେ ଏବଂ କିଛି ପରିମାଣରେ ଯୁଦ୍ଧରେ ସଫଳକାମ ହେଲେ।ତକି ଖାଁ ସେମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବାପାଇଁ ରାମଚନ୍ଦ୍ର ଦେବଙ୍କୁ ପ୍ରବର୍ତ୍ତାଇଲେ। ରାମଚନ୍ଦ୍ର ତାଙ୍କ କଥା ମାନି ପୁତ୍ରମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ମଧ୍ୟ ପ୍ରସ୍ତୁତ ହେଲେ। ତଥାପି ରାମଚନ୍ଦ୍ର ଦେବଙ୍କୁ ବିଶ୍ବାସ କଲେନାହିଁ ତକି ଖାଁ ଏବଂ ତାଙ୍କ ବାରଣ ସତ୍ତ୍ୱେ ଶ୍ରୀମନ୍ଦିର ଆକ୍ରମଣ କରିବା ପାଇଁ ପ୍ରସ୍ତୁତ ହେଲେ। ଏକଥା ଜାଣିପାରି ରାମଚନ୍ଦ୍ର ଦେବ, ସେବକମାନଙ୍କ ସହାୟତାରେ ଶ୍ରୀମନ୍ଦିର ଭିତରୁ ଶ୍ରୀଜିଉଙ୍କ ବିଗ୍ରହମାନଙ୍କୁ ଗୁପ୍ତରେ ବାଣପୁର ଅଞ୍ଚଳକୁ ଏବଂ ପରେ ଟିକାଲିର ନିଭୃତ ସ୍ଥାନକୁ ପଠାଇ ଦେଲେ।ତକି ଖାଁ ପୁରୀରେ ପହଞ୍ଚି ଜଗନ୍ନାଥ ମନ୍ଦିର ଶୂନ୍ୟ ପଡ଼ିଥିବା ଜାଣିପାରି ରିକ୍ତ ହସ୍ତରେ,ରକ୍ତଚାଉଳ ଚୋବାଇ ଫେରିଆସିଲେ।

କିଛି ଦିନ ପରେ,ତକି ଖାଁ ମୁର୍ଶିଦାବାଦ ଚାଲିଯିବା ପରେ ଶ୍ରୀଜୀଉମାନଙ୍କୁ ମନ୍ଦିରକୁ ଅଣାଯାଇ ପୂଜାର୍ଚ୍ଚନା ବ୍ୟବସ୍ଥା କରାଗଲା।ଭୟଙ୍କର କ୍ରୋଧରେ ତକି ଖାଁ ଖୋର୍ଦ୍ଧା ଉପରେ ପୁନର୍ବାର ଆକ୍ରମଣ କରି ରାମଚନ୍ଦ୍ର ଦେବଙ୍କୁ ବନ୍ଦୀ କରି ବାରବାଟି ଦୁର୍ଗରେ ରଖିଲେ। ଏହି ସମୟରେ ତକି ଖାଁ’ଙ୍କର ଅଜ୍ଞାତ ଶତ୍ରୁ ଆକ୍ରମଣରେ ମୃତ୍ୟୁ ହୁଏ ଏବଂ ରାମଚନ୍ଦ୍ର ଦେବ ମୁକ୍ତିଲାଭ କରନ୍ତି। ଓଡ଼ିଶାର ପରବର୍ତ୍ତୀ ନାଏବ ଭାବେ ଯୋଗ ଦିଅନ୍ତି ମୁର୍ଶିଦ୍ କୁଲି(ଦ୍ବିତୀୟ)।ତାଙ୍କ କନ୍ୟା ‘ସୌରିୟା’ ବେଗମଙ୍କୁ ପ୍ରେମକରି ହେଉ କିମ୍ବା କୂଟନୀତି କାରଣରୁ ହେଉ, ବିବାହ କରି ହିନ୍ଦୁ ସମାଜ ଆଗରେ ବିଧର୍ମୀ ପାଲଟି ଯାଆନ୍ତି ଠାକୁର ରାଜା, ଜଗନ୍ନାଥଙ୍କ ପ୍ରଥମ ସେବକ ରାମଚନ୍ଦ୍ର ଦେବ(ଦ୍ବିତୀୟ)। ବ୍ରାହ୍ମଣ ସମାଜ ଓ ପଣ୍ଡାମାନଙ୍କ ବାରଣ ଯୋଗୁଁ ଶ୍ରୀମନ୍ଦିର ଭିତରେ ପ୍ରବେଶ କରିବା ତାଙ୍କପାଇଁ ନିଷେଧ ହୋଇଯାଏ। କିନ୍ତୁ ଜଗନ୍ନାଥଙ୍କୁ ଦିନେ ଦର୍ଶନ ନକଲେ ରାମଚନ୍ଦ୍ର ଦେବଙ୍କ ଜୀବନ ଦୁର୍ବିସହ ହୋଇ ପଡ଼ୁଥିଲା। ସେଥିପାଇଁ ସିଂହଦ୍ବାର ଗୁମୁଟରେ ଜଗନ୍ନାଥଙ୍କ ପ୍ରତିନିଧି ପତିତପାବନଙ୍କୁ ସ୍ଥାପନ କରାଗଲା।

“ପତିତ ଜନଙ୍କୁ ଉଦ୍ଧରିବା ପାଇଁ ଉଡ଼ାଉ ଅଛ ପତାକା,
ବାହୁ ଟେକି ତୁମ୍ଭେ ବସି ଚାହୁଁ ଚାହୁଁ ବିପତ୍ତି କରୁଛି ଡକା,
ମହାପ୍ରଭୁ ହେ !”

କ୍ରମଶଃ….

Click to rate this post!
[Total: 0 Average: 0]

Leave a Reply