Wednesday, February 28, 2024
Stories

ନୀଳାଚଳ ଵାସୀ ଶ୍ରୀଜଗନ୍ନାଥ (୧୩)

ନୀଳାଚଳ ଵାସୀ ଶ୍ରୀଜଗନ୍ନାଥ
୧୩
ବିଦ୍ୟାପତିଙ୍କ ନୀଳମାଧବ ଦର୍ଶନ
============================
ଅବନ୍ତିର ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ରାଜସଭା। ପରିବ୍ରାଜକ ଓ ବ୍ରାହ୍ମଣଙ୍କ ଦ୍ବାରା ପରିବେଷ୍ଠିତ ହୋଇ ରାଜା ସିଂହାସନରେ ବସିଥିଲେ ଏବଂ ଉତ୍କର୍ଣ୍ଣ ହୋଇ ଜଟାଧାରୀ ସନ୍ୟାସୀଙ୍କ ଠାରୁ ପୁରୁଷୋତ୍ତମ କ୍ଷେତ୍ରର ମାହାତ୍ମ୍ୟ ଶୁଣୁଥିଲେ। ସନ୍ୟାସୀ କହିଲେ..ରାଜନ୍ ! ମୁଁ ବନବାସୀ ତପସ୍ୱୀ ହୋଇ ପୁରୁଷୋତ୍ତମ କ୍ଷେତ୍ରରେ ଗୋଟିଏ ବର୍ଷ ଅବସ୍ଥାନ କରିଥିଲି।କ୍ଷେତ୍ରର ମହିମା ମୋତେ ମହାମୁର୍ଖରୁ ପଣ୍ଡିତରେ ପରିଣତ କରିଛି। ଆମେମାନେ ଦେଖିଛୁ ସେଠାକୁ ସ୍ଵର୍ଗରୁ ଦେବତା ମାନେ ଆସନ୍ତି ବିଷ୍ଣୁଙ୍କୁ ଦର୍ଶନ କରିବାପାଇଁ।ସେ ସମୟରେ ଏକ ଅପୂର୍ବ ମହମହ ବାସ୍ନାରେ ସେ ସ୍ଥାନ ସୁଗନ୍ଧିତ ହୋଇଯାଏ। ସେଠାରେ ସବୁବେଳେ ବେଦପାଠ କରାଯାଉଥାଏ ଏବଂ କଳ୍ପବଟରୁ ନାନାପ୍ରକାର ସୁଗନ୍ଧଯୁକ୍ତ ପୁଷ୍ପ ବୃଷ୍ଟି ହେଉଥାଏ। ଆମେମାନେ ଶୁଣିଛୁ ଯେ ଗୋଟିଏ କାକ, ପକ୍ଷୀଜାତିର ହୋଇଥିଲେ ମଧ୍ୟ ଏବଂ କୌଣସି ପୂର୍ବ ସୁକୃତ ନଥିଲେ ମଧ୍ୟ ମାଧବଙ୍କୁ ଦର୍ଶକରି ମୁକ୍ତିଲାଭ କରିଛି।ତୁଷାର୍ତ୍ତ କାକଟି ରୋହିଣୀ କୁଣ୍ଡରୁ ଜଳପାନ କରିବା ସମୟରେ ସେହି କୁଣ୍ଡରେ ପତିତ ହୋଇ ବୈକୁଣ୍ଠ ଧାମ ପ୍ରାପ୍ତ ହୋଇଛି।

ମୁଁ ନିଜେ ପୂର୍ବଜନ୍ମରେ ମହାମୂର୍ଖ ଥିଲି। କିନ୍ତୁ ଶ୍ରୀକ୍ଷେତ୍ରରେ ଏକବର୍ଷ ଅବସ୍ଥାନ କରି ଅଷ୍ଟାଦଶ ବିଦ୍ୟାରେ ପାରଙ୍ଗମ ହୋଇ ପାରିଛି।ଏହା ପୁରୁଷୋତ୍ତମଙ୍କ ଦୟା ବିନା ଅନ୍ୟ କିଛି ନୁହେଁ।ମୋର ପ୍ରତିମୁହୂର୍ତ୍ତରେ ହରିଦର୍ଶନ ହେଉଛି ଏବଂ ଅହର୍ନିଶ ମୋ ମୁହଁରେ ହରିରାମ ରହିଛି।ହେ ରାଜନ୍ ! ଆପଣ ପରମ ବିଷ୍ଣୁଭକ୍ତ। ତେଣୁ ଆପଣଙ୍କୁ ସେହି କ୍ଷେତ୍ରର ମାହାତ୍ମ୍ୟ ଜଣାଇବା ପାଇଁ ଆପଣଙ୍କ ପାଖକୁ ମୋର ଏହି ଆଗମନ।ଧନ କିମ୍ବା ଐହିକ ସମ୍ପତ୍ତି ଲୋଭରେ ବା କୌଣସି ପୁରସ୍କାର ପାଇବା ଆଶାରେ ମୁଁ ଆପଣଙ୍କ ପାଖକୁ ଆସିନାହିଁ।ଆପଣ ଶ୍ରୀପୁରୁଷୋତ୍ତମ କ୍ଷେତ୍ରବାସୀ ନୀଳମାଧବଙ୍କୁ ଦର୍ଶନ କରି ଆରାଧନା କରନ୍ତୁ।”

ନୀଳପର୍ବତବାସୀ ବିଷ୍ଣୁଙ୍କ ବିଷୟରେ ଏପରି ସନ୍ଦେଶ ଦେଇ ଜଟାଜୁଟଧାରୀ ସନ୍ୟାସୀ ଅନ୍ତର୍ଦ୍ଧାନ ହୋଇଗଲେ।
ସନ୍ୟାସୀ ଅନ୍ତର୍ଦ୍ଧାନ ହେବା ପରେ ଇନ୍ଦ୍ରଦ୍ୟୁମ୍ନ ଅତି ଶୀଘ୍ର ବିଷ୍ଣୁଙ୍କ ଦର୍ଶନ ପାଇବାପାଇଁ ବ୍ୟାକୁଳିତ ହେଲେ। ରାଜା, ପୁରୋହିତଙ୍କୁ କହିଲେ…ହେ ଦ୍ବିଜଶ୍ରେଷ୍ଠ ! ଶ୍ରୀବିଷ୍ଣୁଙ୍କ ବିଷୟରେ ଦୈବିବୃତ୍ତାନ୍ତ ପରମଜ୍ଞାନୀ ଋଷିଙ୍କ ଠାରୁ ଶ୍ରବଣ କରି ବିଷ୍ଣୁଙ୍କ ଦର୍ଶନ ପାଇଁ ମୁଁ ବ୍ୟାକୁଳିତ। ଧର୍ମ,ଅର୍ଥ ଏବଂ କାମ, ଏହି ତ୍ରିବର୍ଗର ଅଧିକାରୀ ମୁଁ ଆପଣଙ୍କ ଅନୁଗ୍ରହରୁ ହିଁ ହୋଇପାରିଛି।ମୋର ଦୃଢ ବିଶ୍ବାସ ଆପଣ ହିଁ ମୋତେ ଶ୍ରୀବିଷ୍ଣୁଙ୍କ ଦର୍ଶନର ଉପାୟ ବତାଇ ପାରିବେ। ଇନ୍ଦ୍ରଦ୍ୟୁମ୍ନଙ୍କ ପ୍ରାର୍ଥନା ଶୁଣି ପୁରୋହିତ କହିଲେ.. ମୁଁ ପ୍ରତିଜ୍ଞା କରି କହୁଛି ଯେ ମୁଁ ଏପରି ଉପାୟ କରିବି ଯଦ୍ୱାରା ଆପଣ ପୁରୁଷୋତ୍ତମଙ୍କୁ ନିଶ୍ଚୟ ଚର୍ମଚକ୍ଷୁରେ ଦର୍ଶନ କରିବେ।ମୋର ଅନୁଜ ବିଦ୍ୟାପତି ପରିବ୍ରାଜକ ଏବଂ ଅନ୍ୟାନ୍ୟ ଚରମାନଙ୍କ ଗହଣରେ ପୁରୁଷୋତ୍ତମ କ୍ଷେତ୍ରର ଅନୁସନ୍ଧାନରେ ଯାଇ ,ସେଠାରେ ବସତି ସ୍ଥାପନର ବ୍ୟବସ୍ଥା କରି ଆପଣଙ୍କୁ ସଂଦେଶ ଦେଲେ ଆମେ ସମସ୍ତେ ପବିତ୍ର ପୁରୁଷୋତ୍ତମ କ୍ଷେତ୍ରକୁ ଯାଇ ସେଠାରେ ଅବସ୍ଥାନ କରିବା।

ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ଆଦେଶ ପାଇ ବ୍ରାହ୍ମଣ ବିଦ୍ୟାପତି ପୁରୁଷୋତ୍ତମ କ୍ଷେତ୍ର ଅନୁସନ୍ଧାନରେ ବାହାରିପଡିଲେ।ବହୁ ପଥ ଅତିକ୍ରମ କରି,ବହୁ ବାଧାବିଘ୍ନର ସମ୍ମୁଖୀନ ହେବା ପରେ ବିଦ୍ୟାପତି ପୁରୁଷୋତ୍ତମ କ୍ଷେତ୍ରରେ ପହଞ୍ଚି, ସେହି କ୍ଷେତ୍ରର ମାହାତ୍ମ୍ୟ ଦେଖି ଆଶ୍ଚର୍ଯ୍ୟ ହେଲେ।

ନୀଳପର୍ବତର ପଶ୍ଚିମ ପାର୍ଶ୍ବରେ ଭ୍ରମଣ କରୁଥିବା ସମୟରେ ବିଦ୍ୟାପତି ଦେଖିଲେ କିଛି ବ୍ୟକ୍ତି ଭଗବତ୍ ଭକ୍ତି ବିଷୟରେ ଆଳାପ ଆଲୋଚନା କରି ପଥ ଅତିକ୍ରମ କରୁଛନ୍ତି। ବିଦ୍ୟାପତି ସେମାନଙ୍କ ଅନୁସରଣ କରି “ଶବରଦୀପକ”ନାମକ ଗୋଟିଏ କ୍ଷୁଦ୍ର ଶବରପଲ୍ଲୀରେ ପହଞ୍ଚିଲେ। ସେହି ଶବର ପଲ୍ଲୀ, ଶବରମାନଙ୍କ ବାସଗୃହରେ ପରିପୂର୍ଣ୍ଣ। ସେଠାରେ ଶଙ୍ଖ ଚକ୍ର ଗଦା ଓ ପଦ୍ମ ଚିତ୍ରିତ କଳେବରଧାରୀ ଅନେକ ବିଷ୍ଣୁ ଭକ୍ତଙ୍କୁ ଦେଖି ବିଦ୍ୟାପତି ସେମାନଙ୍କୁ ନମସ୍କାର କରି ଦଣ୍ଡାୟମାନ ହୋଇ ରହିଲେ।

ଇତି ମଧ୍ୟରେ ଚନ୍ଦନ ଚର୍ଚ୍ଚିତ କଳେବର ବିଶ୍ଵାବସୁ ଶବର ନୀଳପର୍ବତରେ ମାଧବଙ୍କ ପୂଜାର୍ଚ୍ଚନା ଶେଷକରି, ପୂଜା-ଅବଶିଷ୍ଟ ହାତରେ ଧରି ନୀଳପର୍ବତରୁ ଓହ୍ଲାଇ ଆସିବାର ବିଦ୍ୟାପତି ଦେଖି ପାରିଲେ। ବିଦ୍ୟାପତିଙ୍କୁ ସମ୍ମୁଖରେ ଦେଖି ବିଶ୍ଵାବସୁ ପଚାରିଲେ..କିଏ ଆପଣ ? କାହିଁକି ଏ ଦୁର୍ଗମ ଅରଣ୍ୟକୁ ଆସିଛନ୍ତି ?”ବ୍ରାହ୍ମଣଙ୍କୁ କ୍ଷୁଧାତୃଷାରେ କ୍ଲାନ୍ତ ହୋଇଥିବା ଦେଖି ବିଶ୍ଵାବସୁ ତାଙ୍କୁ ପାଦ୍ୟ ଅର୍ଘ୍ୟ ଓ ଆସନ ଦେଇ କହିଲେ.. ହେ ବ୍ରାହ୍ମଣ ଅତିଥି ! ଆପଣ ମୋ ପାଇଁ ସାକ୍ଷାତ ବିଷ୍ଣୁ।ଆପଣଙ୍କୁ ଅତିଥି ରୂପେ ପାଇ ମୋ ଜୀବନ ସଫଳ ହୋଇଛି।”ତା’ପରେ ପଚାରିଲେ..ବ୍ରାହ୍ମଣ ଗୋସାଇଁ,ଆପଣ ଫଳାହାର କରିବେ ନାଁ ପାକଅନ୍ନ ଭୋଜନ କରିବେ?ଆପଣ ଯାହା ଇଚ୍ଛା ପ୍ରକାଶ କରିବେ ସେହି ଅନୁଯାୟୀ ବ୍ୟବସ୍ଥା କରିବି।”

ବିଦ୍ୟାପତି କହିଲେ…ମହାଭାଗ ,ମୋର ଭୋଜନ ପାଇଁ ଫଳମୂଳ ବା ପାକାନ୍ନର ଆବଶ୍ୟକତା ନାହିଁ। ମୁଁ ଯେଉଁ କାର୍ଯ୍ୟ ପାଇଁ ଏଠାକୁ ଆସିଛି ଆପଣ ତାହା ଦୟାକରି ସଫଳ କରନ୍ତୁ। ମୁଁ ଅବନ୍ତୀପୁରବାସୀ ମହାରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ପୁରୋହିତ;ମୋ ନାମ ବିଦ୍ୟାପତି। ମହାରାଜା ଜଣେ ଜଟାଧାରୀ ସାଧୁଙ୍କଠାରୁ ନୀଳପର୍ବତସ୍ଥିତ ନୀଳମାଧବଙ୍କ ବିଷୟରେ ଜାଣି ପ୍ରଭୁଙ୍କ ଦର୍ଶନ ପାଇଁ ଉଦ୍ବିଘ୍ନ।ପ୍ରଭୁଙ୍କୁ ସାକ୍ଷାତ କରି ସେହି ସମ୍ବାଦ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ ନଜଣାଇବା ପର୍ଯ୍ୟନ୍ତ ମୁଁ ଆହାର ଗ୍ରହଣ କରିବି ନାହିଁ।”

ବିଦ୍ୟାପତିଙ୍କଠାରୁ ଏହା ଶୁଣିବାପରେ ବିଶ୍ଵାବସୁଙ୍କ ମନରେ ଘୋର ଦୁଃଖ ଜାତହେଲା।ସେ ଭାବିଲେ…ହାୟ, ଆମ୍ଭମାନଙ୍କର ଦୁର୍ଭାଗ୍ୟର ସମୟ ପହଞ୍ଚିଲା।ଏହାଙ୍କୁ ନୀଳମାଧବଙ୍କ ଗୁପ୍ତ ପୀଠ ଦେଖାଇଲେ,ପ୍ରଭୁ ସର୍ବଜନ ବିଦିତ ହୋଇଯିବେ;ଏଣେ ବ୍ରାହ୍ମଣଙ୍କ ଇଚ୍ଛା ପୂର୍ଣ୍ଣ ନହେଲେ ଅନାହାର ଯୋଗୁଁ ବ୍ରାହ୍ମଣ ପ୍ରାଣ ହରାଇବେ।ସବୁ ଦୋଷ ମୋ ମୁଣ୍ଡରେ ଯିବ ଏବଂ ସବୁ ପୁଣ୍ୟ ଓ ସୁକୃତ ନଷ୍ଟ ହୋଇଯିବ।ଶବର ରାଜ ଭାବିଲେ..ଭବିତବ୍ୟକୁ କିଏ ଅନ୍ୟଥା କରିବ। ପୂର୍ବରୁ ଲୋକ ପ୍ରବାଦ ରହିଛି, ଦିନେ ନୀଳମାଧବ ଅନ୍ତର୍ଦ୍ଧାନ ହୋଇଯିବେ; ତା’ପରେ ରାଜା ଇନ୍ଦ୍ରଦ୍ୟୁମ୍ନ ଏଠାକୁ ଆସି ଶତ ଶତ ଅଶ୍ଵମେଧ ଯଜ୍ଞ କରି ବିଷ୍ଣୁଙ୍କ ଦାରୁମୟ ମୂର୍ତ୍ତି ପ୍ରତିଷ୍ଠା କରିବେ। ତେଣୁ ବିଦ୍ୟାପତିଙ୍କୁ ନୀଳମାଧବଙ୍କ ଗୁପ୍ତକ୍ଷେତ୍ର ଦର୍ଶନ କରାଇବା ଉଚିତ ହେବ।”

ତା’ପରେ ବିଶ୍ଵାବସୁ ବିଦ୍ୟାପତିଙ୍କୁ ସେହି ଲୋକପ୍ରବାଦ କଥା ଜଣାଇ କହିଲେ..ହେ ବ୍ରହ୍ମନ୍ ! ଚାଲନ୍ତୁ ଆପଣଙ୍କୁ ନୀଳମାଧବଙ୍କ ଗୁପ୍ତ ପୀଠ ଦର୍ଶନ କରାଇବି।ଆପଣ ଇନ୍ଦ୍ରଦ୍ୟୁମ୍ନଙ୍କ ଠାରୁ ଭାଗ୍ୟବାନ,କାରଣ ସେ ପ୍ରଭୁଙ୍କୁ ଦର୍ଶନ କରିବା ପୂର୍ବରୁ ଆପଣ ତାଙ୍କୁ ଦର୍ଶନ କରିବେ।”
ଏହା କହି ବିଶ୍ଵାବସୁ ଏକ ସଂକୀର୍ଣ୍ଣ, ପଥର ଓ କଣ୍ଟକ ପରିପୂର୍ଣ୍ଣ ରାସ୍ତାରେ ବିଦ୍ୟାପତିଙ୍କୁ ନେଇ ନୀଳମାଧବଙ୍କୁ ଦର୍ଶନ କରାଇଲେ।

(ଏହା ସ୍କନ୍ଦ ପୁରାଣର ଉତ୍କଳ ଖଣ୍ଡରେ ବର୍ଣ୍ଣିନା କରାଯାଇଛି। ଜଗନ୍ନାଥ ପୀଠ ଉପରେ ଏହା ସମ୍ପୂର୍ଣ୍ଣ ନିର୍ଭରଯୋଗ୍ୟ ପୌରାଣିକ ତଥ୍ୟ।)
(କୁଳମଣି ଷଡଙ୍ଗୀ)
କ୍ରମଶଃ…..

Click to rate this post!
[Total: 0 Average: 0]

Leave a Reply