Thursday, June 13, 2024
Stories

ନୀଳାଚଳ ବାସୀ ଶ୍ରୀଜଗନ୍ନାଥ (୫)

ନୀଳାଚଳବାସୀ ଶ୍ରୀଜଗନ୍ନାଥ
==============================
ଭାଗ ୫
==============================
ଜଗନ୍ନାଥଙ୍କ ଛପନ ଭୋଗ
===============================
ଭଜନ ସମ୍ରାଟ ଭିକାରୀ ବଳଙ୍କ କଣ୍ଠରେ ଆମେ ଯେତେବେଳେ ଶୁଣୁ “କୋଠ ଭୋଗଖିଆ ମୋ ଚକା ଆଖିଆ ଉଠ ହେ ପହୁଡ଼ ଭାଙ୍ଗି” ସେତେବେଳେ ମନ ଭକ୍ତିର ଅଥଳ ସାଗରରେ ଦ୍ରବିଭୂତ ହୋଇଯାଏ।ସେ ସମୟରେ ‘କୋଠଭୋଗ’ ଶବ୍ଦର ଅର୍ଥ ଖୋଜି ବସିବାକୁ ମନ କରେନାହିଁ। ଏହା ସତକଥା ଯେ ଆମ ଭିତରୁ ଅନେକେ ଏହି “କୋଠଭୋଗ”ଶବ୍ଦର ଅର୍ଥ ଜାଣିନ୍ତି ନାହିଁ। ଜଗନ୍ନାଥଙ୍କ ଭୋଗରାଗ ବିଷୟରେ ସମ୍ପୂର୍ଣ୍ଣ ଜ୍ଞାନ ନହେଲେ କେମିତି ଆମେ ଜାଣିବା କୋଠଭୋଗ ଅର୍ଥ କ’ଣ ?

ଶ୍ରୀମନ୍ଦିର ରତ୍ନସିଂହାସନରେ ଅଧିଷ୍ଠିତ ଶ୍ରୀଜୀଉମାନଙ୍କ ପାଖରେ ଦୈନନ୍ଦିନ ଯେଉଁ ଭୋଗ ବା ଧୂପ ଲାଗିହୁଏ ତାକୁ ସାଧାରଣତଃ ଦୁଇ ଭାଗରେ ବିଭକ୍ତ କରାଯାଇଥାଏ ଯଥା..୧) କୋଠଭୋଗ ବା ରାଜଭୋଗ ଧୂପ ଏବଂ ୨) ଭୋଗମଣ୍ଡପ ବା ଭଅଣ୍ଡ ଧୂପ।
କୋଠଭୋଗ
=========
କୋଠଭୋଗ ବା ରାଜଭୋଗ ମନ୍ଦିର ପ୍ରଶାସନ ପକ୍ଷରୁ ଦୈନନ୍ଦିନ ନୀତି ଅନୁସାରେ/ଶ୍ରୀମନ୍ଦିର ସ୍ଵତ୍ଵଲିପି ବର୍ଣ୍ଣନା ଅନୁଯାୟୀ ସକାଳୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଶ୍ରୀବିଗ୍ରହମାନଙ୍କୁ ଲାଗି କରାଯାଇଥାଏ। ଏହି ଭୋଗ ଗୁଡିକର ନାମ ହେଲା ୧. ଗୋପାଳ ବଲ୍ଲଭ(ସକାଳ ୯ଟା) ୨.ସକାଳ ଧୂପ (ସକାଳ ୧୦ଟା)୩.ମଧ୍ୟାହ୍ନ ଧୂପ (ମଧ୍ୟାହ୍ନ ୧୨.୩୦ ରୁ ଗୋଟାଏ),୪. ସନ୍ଧ୍ୟାଧୂପ (ସନ୍ଧ୍ୟା ୭ଟା ରୁ ୮ଟା) ଏବଂ ୫. ବଡ଼ସିଂହାର ଧୂପ(ରାତି ୧୧ଟା ପନ୍ଦର ମିନିଟ୍)। ମନ୍ଦିର ପ୍ରଶାସନ ପକ୍ଷରୁ ଏହି କୋଠଭୋଗ ବା ରାଜଭୋଗର ଆୟୋଜନ କରାଯାଇଥାଏ।କୋଠଭୋଗ ସର୍ବସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ନୁହେଁ। ତାହା ମୁଖ୍ୟତଃ ଦେବଦେବୀ ମାନଙ୍କର ପାଳିଆ ସେବକ, ଗଜପତି ମହାରାଜା, ମଠବାଡିର ମହନ୍ତ ଏବଂ ବ୍ୟକ୍ତି ବିଶେଷଙ୍କ ‘ଖେଇ’ ଭାବରେ ପ୍ରଶାସନ ପକ୍ଷରୁ ଯୋଗାଇ ଦିଆ ଯାଇଥାଏ; ଅର୍ଥାତ୍ ଏହି ଭୋଗ ପ୍ରସ୍ତୁତି ପାଇଁ ସମସ୍ତ ଖର୍ଚ୍ଚ ଶ୍ରୀମନ୍ଦିର ପ୍ରଶାସନ ବହନ କରିଥାଏ। ମନ୍ଦିର କୋଠରୁ ଏହି ଭୋଗ ଦିଆ ଯାଉଥିବାରୁ,ଏହାର ନାମ କୋଠଭୋଗ।

ଭୋଗ ମଣ୍ଡପ ବା ଭଅଣ୍ଡ ଧୂପ
================
“ଭୋଗମଣ୍ଡପ” ପୂଜାପାଇଁ ନିର୍ଦ୍ଧାରଣ କରାଯାଇଥିବା ସମୟ ସକାଳ ୧୧.୩୦ ମିନିଟ୍। ସର୍ବସାଧାରଣରେ ଏହାକୁ ଶ୍ରୀଜୀଉଙ୍କ ଭୋଗ ଉଠିବା ସମୟ ବୋଲି କୁହାଯାଏ। ଏହି ଭୋଗ ବିଭିନ୍ନ ବ୍ୟକ୍ତି ବିଶେଷଙ୍କର ଚାହିଦା ମେଣ୍ଟାଇବା ପାଇଁ ପ୍ରସ୍ତୁତ କରାଯାଏ।ମଠବାଡିର ବରାଦି ଅନୁଯାୟୀ ଏବଂ ସୁଆରମାନଙ୍କ ତରଫରୁ ଯାତ୍ରୀମାନଙ୍କୁ ବିକ୍ରୟ କରିବା ପାଇଁ ଏହି ଭୋଗ ହୋଇଥାଏ। ଏଥିରେ ଶ୍ରୀମନ୍ଦିର ପ୍ରଶାସନ ପାଣ୍ଠିରୁ କିଛି ଖର୍ଚ୍ଚ କରାଯାଇନଥାଏ। ପ୍ରତିଦିନ ଲକ୍ଷାଧିକ ଟଙ୍କାର ନୈବେଦ୍ୟ ଭୋଗମଣ୍ଡପ ଧୂପପାଇଁ ମଠବାଡି ଓ ସୁଆରମାନେ ଖର୍ଚ୍ଚ କରିଥାନ୍ତି।
ଛପନଭୋଗୀ ଜଗନ୍ନାଥ
==============
କୋଠଭୋଗ ଅନ୍ତର୍ଗତ ଛପନ ପ୍ରକାରର ଭିନ୍ନ ଭିନ୍ନ ଭୋଗ ଶ୍ରୀଜୀଉଙ୍କ ପାଖରେ ଲାଗିହୁଏ ବୋଲି ତାଙ୍କୁ ଛପନଭୋଗୀ ବୋଲି କୁହାଯାଏ। ଗୋପାଳ ବଲ୍ଲଭରୁ ଆରମ୍ଭକରି ପ୍ରଭୁଙ୍କ ବଡ଼ସିଂହାର ପର୍ଯ୍ୟନ୍ତ ପାଞ୍ଚଥରର ଧୂପରେ ଲାଗି ହେବା ପାଇଁ ଉଦ୍ଦିଷ୍ଟ ସେହି ଛପନ ପ୍ରକାର ଭୋଗର ନାମ ଶୁଣିଲେ ପାଟିରୁ ଲାଳ ବୋହିବା ନିଶ୍ଚିତ।
ଗୋପାଳ ବଲ୍ଲଭ
=========
୧.ନଡିଆପାତି,୨.ଗୁଆ ଲହୁଣୀ,୩.ଦହି,୪.ବହ୍ଲଭ,୫.ନଡିଆ କୋରା,୬.ଖୁଆମଣ୍ଡା,ପାପୁଡି, ୭.ରମ୍ଭା କଦଳୀ,୮.ଗୁଡକୋରା

ସକାଳଧୂପ
==========
୯.ଅଦାପାଚେଡି,୧୦.ମହାଦେଈ ଖେଚୁଡ଼ି,୧୧.ତାଚି ଖେଚୁଡ଼ି,୧୨.ବଡ ପିଠା,୧୩.ନାଡି,୧୪.କାକତୁଆ ଝିଲି,୧୫. ହଂସକେଳି,୧୬.ଜେନାମଣି,୧୭.ମାଠପୁଳି,୧୮.ଏଣ୍ଡୁରି,୧୯. କଅଁଳ ପୁରି,୨୦.ଟାକୁଆ,୨୧.ଶାଗ।
ମଧ୍ୟାହ୍ନ ଧୂପ
==========
୨୨.ମାଠପୁଳି,୨୩.ଭାତପୁରୀ,୨୪.ଓରିଆଥାଳି,୨୫.ସୁଆରି,
୨୬.ବଡା,୨୭.ମୁଗପାଇତି,୨୮.ମରିଚି ପାଣି,୨୯.ବଡ ଖିରିସା,୩୦.ବୁନ୍ଦିଆ,୩୧.ସାତପଟିଆ ପିଠା,୩୨.ଶାକରା,ମଧୁଋଚି,୩୩.ମାଣ୍ଡୁଅ,୩୪.ପାଗଆରିସା,୩୫.ଖଇରଚୂଳ,୩୬.କ୍ଷିରୀ,୩୭.ତିପୁରି,୩୮.ବୁନ୍ଦିଆଖିରି,୩୯.ଛେନା ଖିରିସା,୪୦.କାନିକା।
ସନ୍ଧ୍ୟାଧୂପ
=======
୪୧.ମାଠପୁଳି,୪୨. ପୁରୋଡାଶ ,୪୩.ଚକି ଅମାଲୁ,୪୪.କେଳି,୪୫.ଖୁଦୁପିତା,୪୬.ମଣ୍ଡା,୪୭.ଖୁରୁମା,
୪୮.ସୁଆର ପିଠା,୪୯.ଥାଳିଅନ୍ନ।
ବଡ଼ସିଂହାର ଧୂପ
===========
୫୦.ପାଞ୍ଚପଟିଆବିରିପିଠା,୫୧.ଖଜା,୫୨.ମିଠାପଖାଳ,
୫୩.ସୁଗନ୍ଧିପଖାଳ,୫୪.ପାରିଜାତକ,୫୫.ଦହିପଖାଳ,
୫୬.ଚଢେଇନେଦା ।

ଭୋଗ ମଣ୍ଡପରେ ସର୍ବସାଧାରଣ ଭକ୍ତଙ୍କ ପାଇଁ ଯେଉଁ ଭୋଗ ପ୍ରସ୍ତୁତହୁଏ(ଭଅଣ୍ଡ) ତାର ପ୍ରକାରଭେଦ ମଧ୍ୟ ସ୍ବତନ୍ତ୍ର, ଯଥା.. ସାଦାଅନ୍ନ, ହଳଦୀଖେଚୁଡି, ଖେଚୁଡ଼ି, ମିଠାଡାଲି,ଫାଳମୁଗ,ଗୋଟାମୁଗ ଡାଲମା,ବିରିଡାଲି,ମହୁର,ବେସର,ଶାଗ,ମଧୁଋଚି,ଖିରିସା, ମରିଚପାଣି,ସାକରା,ମେଥିପିତା,ଖଇରଚୂଳ,ଖୁରୁମା,ମନୋହର,କାକେରା,କେଳି,ପାପୁଡି,ପାପୁଡିଖଳା,ପାରିଜାତ,ତିପୁରି,ତିପୁରିସାକର,ଶୃଙ୍ଗିସାକର, ଫେଣି, ଲକ୍ଷ୍ମୀବିଳାସ, ଶ୍ବେତଫେଣି, ବିରିକଚୋଡି, ବଡିଖିରିସା, କ୍ଷୀରୀ, ରସାବଳି, ମାଣ୍ଡୁଅ, ଲୁଣିଖୁରୁମା, ଗୋଟାସୋଲା, ନଳିକାକରା,ମହନଭୋଗ, ନବଗ୍ରହଖେଚୁଡ଼ି।

ସେ ବିଶ୍ବସମ୍ରାଟ; ସେହି ଅନୁରୂପ ତାଙ୍କର ଖାଦ୍ୟଋଚି। କିନ୍ତୁ ଅତି ଆତ୍ମୀୟତା ଦେଖାଇ କିଛି କବି/ଲେଖକ ଜଗନ୍ନାଥଙ୍କ ପାଇଁ ପେଟୁ,ସର୍ବଗିଳା ଇତ୍ୟାଦି ଅପମାନଜନକ ଶବ୍ଦ ବ୍ୟବହାର କରନ୍ତି। ସତରେ କ’ଣ ଜଗନ୍ନାଥ ଛପନ ପ୍ରକାର ଭୋଗ ସବୁ ନିଜେ ଖାଇ ଯାଆନ୍ତି? ଯଦି ଠାକୁରମାନେ, ସେମାନଙ୍କ ପାଖରେ ହେଉଥିବା ନୈବେଦ୍ୟ ସତରେ ଖାଇଯାଉଥାନ୍ତେ କେଉଁ ମନ୍ଦିରରେ ମଧ୍ୟ ଭୋଗ ଲାଗି ହୁଅନ୍ତାନାହିଁ। ସବୁ ପ୍ରସାଦ ପରା ଭକ୍ତମାନଙ୍କ ମଧ୍ୟରେ ବଣ୍ଟା ହେବାପାଇଁ ଉଦ୍ଦିଷ୍ଟ।

କେହି କେହି ମତ ଦିଅନ୍ତି ପୃଥିବୀର ସବୁଠାରୁ ବଡ଼ ହୋଟେଲ ହେଉଛି ଆନନ୍ଦ ବଜାର।ଆନନ୍ଦ ବଜାରକୁ ହୋଟେଲ କହି ଆମେ ମହାପ୍ରସାଦର ପବିତ୍ରତାକୁ ନ୍ୟୁନ କରିବା କଣ ଉଚିତ ?ଆଉ କିଛି ବ୍ୟକ୍ତିଙ୍କର ହୀନମନ୍ୟତା ଦେଖନ୍ତୁ, ସେମାନେ କହନ୍ତି..”ମୋ ପେଟ ପୋଡିଯାଏ ଭୋକ ବିକଳରେ,ତୁ ଛପନ ପଉଟି ରାନ୍ଧୁ।” ସତେ ଯେପରି ପରମାତ୍ମାଙ୍କର ଖାଦ୍ୟଲୋଭ ଏତେ ପ୍ରବଳ ଯେ ଭୋକିଲା ଭକ୍ତକୁ ହେୟଜ୍ଞାନ କରି ନିଜେ ସୁସ୍ବାଦୁ ଅନ୍ନ ବ୍ୟଞ୍ଜନ ପ୍ରସ୍ତୁତ କରି ଶ୍ରୀମନ୍ଦିରର କବାଟ କିଳି,ନିର୍ଦ୍ଦୟ ଜଗନ୍ନାଥ ନିଜ ପରିବାର ସହିତ ସବୁ ଭକ୍ଷଣ କରନ୍ତି।ଠାକୁରେ କରନ୍ତୁ ହିନ୍ଦୁ ଧର୍ମର ଶ୍ରେଷ୍ଠ ଦେବତାଙ୍କୁ ଏପରି ଅପମାନିତ କରିବାର ମାନସିକତା ଆମର ନରହୁ।

ମହାପ୍ରସାଦକୁ ତିନି ଶ୍ରେଣୀରେ ବିଭକ୍ତ କରାଯାଏ..ଶୁଖିଲା ବା ଶୁଖିଲି ଭୋଗ, ଶଙ୍ଖୁଡ଼ି ଭୋଗ ଏବଂ ନିର୍ମାଲ୍ୟ। ସମସ୍ତେ ଜାଣନ୍ତି ଚାଉଳରୁ ଭାତ ପ୍ରସ୍ତୁତ ହୁଏ, କିନ୍ତୁ ଜଗନ୍ନାଥ ଧାମରେ ଭାତରୁ ଚାଉଳ/ନିର୍ମାଲ୍ୟ ପ୍ରସ୍ତୁତ ହୁଏ..
“ଚାଉଳରୁ ଭାତ ସବୁଠିଁ ହୁଏତ,
ଭାତରୁ ଚାଉଳ ଯେଉଁଠି ହୁଏ,
ସଜନୀ ମୋ ଜଗନ୍ନାଥ ଧାମ ସିଏ।”
ଅନ୍ନକୁ ଶୁଖାଇ ନିର୍ମାଲ୍ୟ ପ୍ରସ୍ତୁତ କରାଯାଏ। ଏହି ନିର୍ମାଲ୍ୟର ପବିତ୍ରତା ଏପରି ଯେ ହିନ୍ଦୁଧର୍ମର ବିଶ୍ବାସ ଅନୁଯାୟୀ ଆତ୍ମା ଶରୀର ତ୍ୟାଗ କରିବା ସମୟରେ ନିର୍ମାଲ୍ୟ କଣିକାଏ ପାଟିରେ ପଡିଲେ ମୁକ୍ତିଲାଭ ହୁଏ ଏବଂ ଯମଦଣ୍ଡ ଲାଗେନାହିଁ।ଧନ୍ୟ ପ୍ରଭୁ ଜଗନ୍ନାଥ,ଧନ୍ୟ ତୁମର ମହିମା।
କ୍ରମଶଃ…
(କୁଳମଣି ଷଡଙ୍ଗୀ)
===================================

ସହାୟକ ତଥ୍ୟ:—
*ଶ୍ରୀଯୁକ୍ତ ଭାସ୍କର ମିଶ୍ରଙ୍କ “ଶ୍ରୀଜଗନ୍ନାଥଙ୍କ କୋଠ ଭୋଗ”
* ଡଃ ପୀତବାସ ରାଉତରାୟ’ଙ୍କ “ଶ୍ରୀମନ୍ଦିର ମହାପ୍ରସାଦ –ବିଶ୍ବର ବିଚିତ୍ର ବିସ୍ମୟ।”

Click to rate this post!
[Total: 0 Average: 0]

Leave a Reply