Wednesday, February 21, 2024
Stories

ନୀଳାଚଳ ବାସୀ ଶ୍ରୀଜଗନ୍ନାଥ (୧୫)

ନୀଳାଚଳ ଵାସୀ ଶ୍ରୀଜଗନ୍ନାଥ
୧୫
===============================
ଦେବପୂଜ୍ୟ ନୀଳମାଧବ
===============================
ଭଗବାନ ବିଷ୍ଣୁଙ୍କ ମହାନତା ଉପରେ ଭାଗବତ କହେ .. “ବ୍ରହ୍ମାଣ୍ଡ ମାଳ ମାଳ ହୋଇ/ତୋ ଲୋମମୂଳେ ବିରାଜଇ।” ଅନନ୍ତ ବିଶ୍ବ ବ୍ରହ୍ମାଣ୍ଡର ସେ ମୂଳାଧାର।ତାଙ୍କ ନାଭୀକମଳରୁ ବ୍ରହ୍ମା ଉତ୍ପନ୍ନ। ବ୍ରହ୍ମା ଓ ମହେଶ୍ୱର ତାଙ୍କ ଆଦିଅନ୍ତ ପାଆନ୍ତି ନାହିଁ। ଶ୍ରୀମଦ୍ଭଗବଦ୍’ଗୀତା ଅନୁଯାୟୀ ସୃଷ୍ଟିର ସମସ୍ତ ଶ୍ରେଷ୍ଠତାର ପ୍ରତୀକ ମହାବିଷ୍ଣୁ। ଦେବତାମାନେ ତାଙ୍କ ଦର୍ଶନ ପାଇଁ ସର୍ବଦା ଲାଳାୟିତ।ଚିରନିତ୍ୟ ବୈକୁଣ୍ଠ ଧାମ ତାଙ୍କର ଆସ୍ଥାନ।କ୍ଷୀର ସାଗରରେ ସେ ନିମିଳିତ ଚକ୍ଷୁରେ ଅନନ୍ତ ଶୟନରେ ମଗ୍ନ ଥିଲେ ମଧ୍ୟ ଚିର ଜାଗ୍ରତ ଥାଆନ୍ତି।ସେ ଯେବେ ବାସ୍ତବରେ ଶୟନ କରିବେ, ସୃଷ୍ଟିକୁ ସର୍ଜନାର ଅମୃତ ବଂଶୀସ୍ବନ ଶୁଣାଇ କିଏ ଚିରନ୍ତନ ଜୀବନ ପ୍ରବାହର ମାଧୁରିମା ଭରିଦେବ ?ଆମେ ସିନା ସ୍ରଷ୍ଟା, ପାଳକ ଏବଂ ଧ୍ବଂସକର୍ତ୍ତା ଭାବରେ ତିନି ଦେବତାଙ୍କୁ ପୂଜାକରୁ,ବାସ୍ତବରେ ସେହି ତିନୋଟି କାର୍ଯ୍ୟର କର୍ତ୍ତା ହିଁ ଜଣେ ।ସେ ହେଉଛନ୍ତି ସର୍ବଶକ୍ତିମାନ,ସର୍ବବିଦ୍ୟମାନ ଏବଂ ସର୍ବଦୃଶ୍ୟମାନ ମହାବିଷ୍ଣୁ।ସେ ସର୍ବଦୃଶ୍ୟମାନ କାରଣ ସୃଷ୍ଟିର ପ୍ରତିଟି ଅଂଶରେ ତାଙ୍କ ଦର୍ଶନ ମିଳେ। ସେଥିପାଇଁ ମନଶ୍ଚକ୍ଷୁ ଥିବା ଆବଶ୍ୟକ।

କୋଟି ବ୍ରହ୍ମାଣ୍ଡର କର୍ତ୍ତା ବିଷ୍ଣୁଙ୍କର କିନ୍ତୁ ମର୍ତ୍ତ୍ୟଲୋକରେ ଥିବା ପୁରୁଷୋତ୍ତମ କ୍ଷେତ୍ର ପ୍ରତି ଥିଲା ଅସୀମ ଦୁର୍ବଳତା । ସେହି ଗୋପ୍ୟକ୍ଷେତ୍ରରେ ସେ ମହାଲକ୍ଷ୍ମୀଙ୍କ ସହିତ ନୀଳମାଧବ ରୂପରେ ଲୋକଲୋଚନ ଅନ୍ତରାଳରେ ନୀଳପର୍ବତରେ ରହିବାକୁ ଭଲ ପାଉଥିଲେ।ସେବକ ବିଶ୍ଵାବସୁଙ୍କୁ ଛାଡ଼ିଦେଲେ କେବଳ ଦେବତାମାନେ ହିଁ ତାଙ୍କ ନିକଟକୁ ଦର୍ଶନ ପାଇଁ ଆସୁଥିଲେ। ପୁରୁଷୋତ୍ତମଙ୍କର ଏହି ଆସ୍ଥାନକୁ “ପୁରୁଷୋତ୍ତମ କ୍ଷେତ୍ର” କୁହାଯାଉଥିଲା।ପ୍ରଳୟ ବା ପ୍ରଭବ କାଳରେ ସେହି କ୍ଷେତ୍ର ପ୍ରଭାବିତ ହେଉ ନଥିଲା।

ଭଗବାନ ସବୁବେଳେ ଭକ୍ତର ଅଧୀନ। ମର୍ତ୍ତ୍ୟଲୋକରେ ଭକ୍ତମାନଙ୍କୁ ଦାରୁ ରୂପରେ ଶ୍ରୀକ୍ଷେତ୍ରରେ ଦର୍ଶନ ଦେବାପାଇଁ ଇଚ୍ଛା ପ୍ରକାଶ କଲେ ମାଧବ। ସେଥିପାଇଁ ଇନ୍ଦ୍ରଦ୍ୟୁମ୍ନଙ୍କଦ୍ବାରା ଦାରୁ ରୂପରେ ପ୍ରତିଷ୍ଠିତ ହେବାପାଇଁ ସେ ନିର୍ଣ୍ଣୟ ନେଲେ ଏବଂ ତାହା ସେ ବ୍ରହ୍ମଦେବ ଏବଂ ମୃତ୍ୟୁ ଦେବ ଯମଙ୍କୁ ଅବଗତ କରାଇଲେ। ବିଦ୍ୟାପତି ନୀଳମାଧବଙ୍କୁ ଦର୍ଶନ କରିବା ପରେ ଏବଂ ଇନ୍ଦ୍ରଦ୍ୟୁମ୍ନଙ୍କ ଦ୍ବାରା ଦାରୁରୂପରେ ପ୍ରତିଷ୍ଠିତ ହେବା ପୂର୍ବରୁ ପୁରୁଷୋତ୍ତମ କ୍ଷେତ୍ରରୁ ନୀଳମାଧବ ମୂର୍ତ୍ତି ଅନ୍ତର୍ଦ୍ଧାନ ହୋଇଯିବେ ବୋଲି ସ୍ବୟଂ ନାରାୟଣ ବ୍ରହ୍ମଦେବଙ୍କୁ ଆଗରୁ କହିଥିଲେ।

ଦେବତାମାନେ କିନ୍ତୁ ଏକଥା ଜାଣିନଥିଲେ।
ଯେଉଁ ଦିନ ବିଦ୍ୟାପତି ନିଜ ଦେଶକୁ ଫେରିଗଲେ, ସେଦିନ ସଂଧ୍ୟା ସମୟରେ ନୀଳମାଧବଙ୍କ ପୂଜା ପାଇଁ ଦେବତାମାନେ ନିଜ ନିଜର ପୂଜାସମ୍ଭାର ନେଇ ପୁରୁଷୋତ୍ତମ କ୍ଷେତ୍ରରେ ପହଞ୍ଚିଲେ। ଏହି ସମୟରେ ପ୍ରଚଣ୍ଡ ବେଗରେ ବାୟୁ ପ୍ରବାହିତ ହେଲା।ସମୁଦ୍ର ତଟରେ ଥିବା ବାଲି, ଝଡରେ ଉଡ଼ି ଚାରିଆଡ଼େ ବିକ୍ଷିପ୍ତ ହେବାକୁ ଲାଗିଲା। ସୃଷ୍ଟି ହେଲା ବଡ଼ ବଡ଼ ବାଲିବନ୍ତ। ପ୍ରଚଣ୍ଡ ବାଲି ଝଡରେ ଦେବତାମାନେ ଆଉ ଆଗକୁ ଆଗେଇ ପାରିଲେ ନାହିଁ।ଗତିରୋଧ ହେବାରୁ ସେମାନେ ସମସ୍ତେ ନୀଳମାଧବଙ୍କୁ ଧ୍ୟାନ କରିବାରେ ଲାଗିଲେ। କିନ୍ତୁ ଏକଣ ! ଚତୁର୍ଦ୍ଦିଗରେ କେବଳ ବାଲିର ସ୍ତୁପ।ତା ଭିତରେ ହଜିଯାଇଥିଲା ନୀଳମାଧବଙ୍କ ପୀଠ।କେବଳ କଳ୍ପବଟ ବ୍ୟତୀତ ଆଉ କିଛି ଦେଖିବାକୁ ପାଇଲେ ନାହିଁ ଦେବତାମାନେ। ବିଷ୍ଣୁଙ୍କୁ ନଦେଖି ଅତି ଦୁଃଖ ଏବଂ ଚିନ୍ତାରେ ମ୍ରିୟମାଣ ହୋଇ ଦେବତାମାନେ ତାଙ୍କୁ ସ୍ତବ କରି ନିବେଦନ କଲେ…ଆପଣ ଆମମାନଙ୍କୁ ଛାଡି ଚାଲିଯିବା ଯୋଗୁଁ ଆମମାନଙ୍କର ଜୀବନ ବ୍ୟର୍ଥ ହେଲା। ଆମେମାନେ ଆଉ ସ୍ବର୍ଗକୁ କାହିଁକି ଫେରିଵୁ ? ସେଠାରେ ଆମମାନଙ୍କର ଆଉ କ’ଣ କାମ?ଆପଣ ଆମକୁ ଦର୍ଶନ ନଦେଲେ ଆମେମାନେ ଏହିଠାରେ ହିଁ ସନ୍ୟାସ ନେଇ ବନଚାରୀ ହେବୁ।ହେ ପ୍ରଭୁ ନୀଳମାଧବ!ଆପଣଙ୍କ ନିଷ୍କଳଙ୍କ ମୁଖଚନ୍ଦ୍ର ଦର୍ଶନ ନକରାଇଲେ ଆମେମାନେ ଆଉ ଦେବଲୋକକୁ ଫେରିବା ପ୍ରଶ୍ନ ଉଠୁନାହିଁ। ଆମେମାନେ ଏହିଠାରେ କଠୋର ତପସ୍ୟା କରିବୁ।ଆପଣଙ୍କ ଦିବ୍ୟ ଦର୍ଶନ ନପାଇଲେ ଜଟାଜୁଟ ବଢାଇ ଓ ବଳ୍କଳ ଧାରଣ କରି ଏଠାରେ ବନବାସୀ ହୋଇ ରହିବୁ। ଆମେମାନେ ଆପଣଙ୍କ ଅନୁପସ୍ଥିତିରେ ନିଜକୁ ଅନାଥ ମନେକରୁଛୁ। ଆମକୁ ପରିତ୍ରାଣ କରନ୍ତୁ,ଆମେ ଆପଣଙ୍କ ଶରଣ ଯାଉଛୁ।

ଦେବତାମାନଙ୍କର ଏପରି ନିଷ୍ପତି ଶୁଣି ବିଷ୍ଣୁ ଚିନ୍ତାରେ ପଡିଲେ।ଏମାନେ ଦେବଲୋକକୁ ଫେରିନଗଲେ,ଏମାନଙ୍କ କର୍ତ୍ତବ୍ୟ କର୍ମ କିପରି ସମ୍ପାଦିତ ହେବ ? ଚନ୍ଦ୍ର ସୂର୍ଯ୍ୟ ଅଗ୍ନି ବାୟୁ ଇତ୍ୟାଦି ପ୍ରକୃତିର ଅଭିନ୍ନ ଅଂଶ।ଚନ୍ଦ୍ର ଶୀତଳତା ପ୍ରଦାନ କରିବା ସଙ୍ଗେ ସଙ୍ଗେ ଔଷଧିବନ ପରିପୁଷ୍ଟ କରନ୍ତି। ସୂର୍ଯ୍ୟଙ୍କ ଅବର୍ତ୍ତମାନରେ ପୃଥିବୀ ଶୀତଳ ଭୂଖଣ୍ଡରେ ପରିଣତ ହେବ।ବାୟୁଙ୍କ ବ୍ୟତୀତ ଜୀବଜଗତ ତିଷ୍ଠି ପାରିବ ନାହିଁ; ଅଗ୍ନିଙ୍କ ବ୍ୟତୀତ ତାପମାନ ଅଭାବରେ ପ୍ରାଣୀ ଜଗତ ସୃଷ୍ଟି ହୋଇପାରିବ ନାହିଁ।
ସେମାନଙ୍କୁ ବୁଝାଇ ଶୁଝାଇ ନିଜ ନିଜର କର୍ମକ୍ଷେତ୍ରକୁ ଫେରାଇବାକୁ ହେବ।

ଶୂନ୍ୟରୁ ଆକାଶ ବାଣୀ ହେଲା…ହେ ପ୍ରିୟ ଦେବଗଣ।ମୋର ଅନ୍ତର୍ଦ୍ଧାନ ହେବା ପୂର୍ବନିର୍ଦ୍ଧାରିତ। ପୁରୁଷୋତ୍ତମ କ୍ଷେତ୍ର ମୋର ଅତ୍ୟନ୍ତ ପ୍ରିୟ ଚିରନିତ୍ୟ ଧାମ। ଏଠାରେ ମୁଁ ପୁନର୍ବାର ଦାରୁରୂପରେ ଆବିର୍ଭୂତ ହେବି।ସେ ସମୟରେ ତୁମେମାନେ ମୋର ଦର୍ଶନ ସହଜରେ ପାଇପାରିବ। ପୃଥିବୀରେ ଆଜିଠାରୁ କିଛି କାଳ ପର୍ଯ୍ୟନ୍ତ ଭଗବତ୍ ଦର୍ଶନ ଦୁର୍ଲଭ ହେବ। ବର୍ତ୍ତମାନ ତୁମେମାନେ ନିଜନିଜ କର୍ମକ୍ଷେତ୍ରକୁ ଫେରିଯାଅ।ମୋର ଦାରୁରୂପରେ ଆବିର୍ଭୂତ ହେବା କଥା ବ୍ରହ୍ମାଙ୍କୁ ସବିଶେଷ ଜଣା। ତୁମେମାନେ ଅଧିକ କିଛି ଜାଣିବାକୁ ଚାହୁଁଥିଲେ,ତାଙ୍କ ପାଖରୁ ବୁଝିନିଅ।
(ସ୍କନ୍ଦପୁରାଣ ଆଧାରିତ)
କ୍ରମଶଃ….
(କୁଳମଣି ଷଡଙ୍ଗୀ)

Click to rate this post!
[Total: 0 Average: 0]

Leave a Reply