Wednesday, February 21, 2024
Stories

ନୀଳାଚଳ ବାସୀ ଶ୍ରୀଜଗନ୍ନାଥ (୨)

  1. ନୀଳାଚଳବାସୀ ଶ୍ରୀଜଗନ୍ନାଥ
    (୨)
    =======================
    ମହାପ୍ରସାଦ ପଛରେ ପୌରାଣିକ କାହାଣୀ
    =======================
    କେହି କେହି ପ୍ରଶ୍ନ କରନ୍ତି, ଶ୍ରୀଜଗନ୍ନାଥଙ୍କ ପାଖରେ ହେଉଥିବା ଭୋଗକୁ, ମହାପ୍ରସାଦ ମାନ୍ୟତା ଦେବାପାଇଁ ପୁନର୍ବାର ମାଆ ବିମଳାଙ୍କ ପାଖରେ କାହିଁକି ଲାଗି କରାଯାଏ।ଏହା ପଛରେ ଗୋଟିଏ ପୌରାଣିକ କାହାଣୀ ରହିଛି।

    ଏକଦା ନାରଦ ବୈକୁଣ୍ଠପୁରରେ ପହଞ୍ଚି ଶ୍ରୀବିଷ୍ଣୁଙ୍କ ପ୍ରସାଦ ପାଇବା ପାଇଁ ଇଚ୍ଛୁକ ହେଲେ। ମନକଥା ଲକ୍ଷ୍ମୀଠାକୁରାଣୀଙ୍କ ଆଗରେ ଖୋଲି କହିଦେଲେ ଦେବର୍ଷି। କିନ୍ତୁ ନାରାୟଣଙ୍କ ବିନା ଅନୁମତିରେ ତାଙ୍କ ପ୍ରସାଦ ନାରଦଙ୍କୁ ଦେବାପାଇଁ ଲକ୍ଷ୍ମୀ ମନା କରିଦେଲେ। ନିଜେ ମହାଲକ୍ଷ୍ମୀ ବିଷ୍ଣୁଙ୍କ ପ୍ରସାଦ ସେବନ କରିବା ସମୟରେ ନାରଦଙ୍କ ନାକରେ ତାର ବାସ୍ନା ବାଜିବାରୁ ନାରଦ ଆଉ ସମ୍ଭାଳି ପାରିଲେ ନାହିଁ।ପ୍ରଭୁଙ୍କ ପ୍ରସାଦ ମାଧ୍ୟମରେ ଅପାର କରୁଣା କୈବଲ୍ୟ ପାଇବାପାଇଁ ଯେଉଁଠି ବ୍ରହ୍ମା,ଶଙ୍କର ଆଦି ଦେବତାମାନେ ଲାଳାୟିତ,ନାରଦ କିପରି ବା ସେ ଲୋଭ ସମ୍ବରଣ କରିପାରନ୍ତେ ! ସେ ମନେ ମନେ ଠିକ୍ କଲେ ଯେ କଳେ ବଳେ କୌଶଳେ ବିଷ୍ଣୁଙ୍କ ପ୍ରସାଦ ସେବନ କରିବେ।

    ଏକ ପରିଚାରିକା ବେଶରେ ଆସି ସେ ଲକ୍ଷ୍ମୀ ସାଆନ୍ତାଣୀଙ୍କ ପାଖରେ ଚାକିରିଟିଏ କଲେ ଏବଂ ବୈକୁଣ୍ଠପୁରରେ ଘର ଓଳାଇବାଠାରୁ ଆରମ୍ଭକରି ବାସନ ମାଜିବା ପର୍ଯ୍ୟନ୍ତ ସମସ୍ତ ସେବାକାର୍ଯ୍ୟ କରିବାରେ ଲାଗିଗଲେ। ଏକଥା ଲକ୍ଷ୍ମୀଙ୍କୁ ଅଗୋଚର ନଥିଲା। ନାରାୟଣ ମଧ୍ୟ ଜାଣିପାରି ମନେ ମନେ ଆମୋଦିତ ହେଉଥାନ୍ତି।

    ନାରଦ ସୁଯୋଗ ଅପେକ୍ଷାରେ ରହିଥାନ୍ତି, କେଉଁଦିନ ଲକ୍ଷ୍ମୀ ଠାକୁରାଣୀଙ୍କ ଭୋଜନ ପାତ୍ରରେ ନାରାୟଣଙ୍କ ପ୍ରସାଦ କିଛି ବଳିପଡିବ।ନାରଦଙ୍କ ସେବାରେ ସନ୍ତୁଷ୍ଟ ହୋଇ ଦିନେ ଲକ୍ଷ୍ମୀ ଭୋଜନ ପାତ୍ରରେ କିଛି ପ୍ରସାଦ ଛାଡ଼ିଦେଇ ଆଚମନ କଲେ।ପରିଚାରିକାରୂପୀ ନାରଦଙ୍କର ଆନନ୍ଦ କହିଲେ ନସରେ। ପ୍ରସାଦ ସେବନ କରି ହାତ ନଧୋଇ ମୁଣ୍ଡରେ ପୋଛିଦେଲେ।ଜଟାରେ କୈବଲ୍ୟ କଣିକାଟିଏ ଲାଗି ରହିଲା।ଆନନ୍ଦରେ ଆତ୍ମହରା ହୋଇ,ନାରାୟଣ ନାରାୟଣ ନାମ ଉଚ୍ଚାରଣ କରି ନାରଦ ନାଚିବାକୁ ଲାଗିଲେ। ନୃତ୍ୟ କରି କରି ଯାଉଯାଉଁ ବାଟରେ କୈଳାସ ପର୍ବତ ପଡ଼ିଲା। ସେଠାରେ ଉପବେଶନ କରିଥିଲେ ଶିବ ଓ ପାର୍ବତୀ।ନାରଦଙ୍କ ଆନନ୍ଦର କାରଣ ଜାଣିପାରି ଶିବ କହିଲେ..ଆହା,କି ଭାଗ୍ୟବାନ ତୁମେ ଦେବର୍ଷି !”

    ହଠାତ୍ ନାରଦଙ୍କ ଜଟାରେ ଲାଗିଥିବା କୈବଲ୍ୟ କଣିକା ଉପରେ ଶିବଙ୍କର ଦୃଷ୍ଟି ପଡ଼ିବାରୁ ସେ ତାହା ଉଦରସ୍ତ କରି ଆନନ୍ଦରେ ନୃତ୍ୟ କରିବାକୁ ଲାଗିଲେ। କୈବଲ୍ୟ କଣିକା ନପାଇ ମାତା ପାର୍ବତୀ ଭାବିଲେ..ସତରେ ମୁଁ କଣ ଏତେ ଅଭାଗିନୀ ଯେ ବିଷ୍ଣୁଙ୍କ ପ୍ରସାଦ ପାଇବା ମୋ ଭାଗ୍ୟରେ ନାହିଁ !”
    ପ୍ରସାଦ ରୂପରେ ବିଷ୍ଣୁଙ୍କ କରୁଣା କୈବଲ୍ୟ ଟିକିଏ ପାଇବାପାଇଁ ପାର୍ବତୀ ଘୋର ତପସ୍ୟାରେ ନିମଗ୍ନ ହେଲେ। ବିଷ୍ଣୁ, ପାର୍ବତୀଙ୍କ ନିଷ୍ଠାପୂର୍ଣ୍ଣ ତପସ୍ୟାରେ ସନ୍ତୁଷ୍ଟ ହୋଇ ତାଙ୍କ ଆଗରେ ଆବିର୍ଭୂତ ହୋଇ ବର ପ୍ରଦାନକରି କହିଲେ..ଦେବି! ମୁଁ କଳିଯୁଗରେ ଜଗନ୍ନାଥ ରୂପରେ ନୀଳାଦ୍ରିରେ ପୂଜା ପାଇବି ଏବଂ ତୁମେ ଶ୍ରୀମନ୍ଦିର ପରିସରରେ ବିମଳା ରୂପରେ ପୂଜିତା ହେବ;ସେତେବେଳେ ପ୍ରତିଦିନ ମୋ ପ୍ରସାଦ ତୁମ ପାଖରେ ପ୍ରଥମେ ଲାଗିହେବ।ଜଗନ୍ନାଥଙ୍କ ପ୍ରସାଦ ବିମଳା (ପାର୍ବତୀ)ଙ୍କ ପାଖରେ ଲାଗି ନହେଲେ ତାହା ଜଗତରେ ମହାପ୍ରସାଦ ରୂପେ ଗଣ୍ୟ ହେବନାହିଁ।”

    ଏହାତ ପୌରାଣିକ କଥା, କିନ୍ତୁ ବାସ୍ତବରେ ବିମଳାଙ୍କ ପାଖରେ ଲାଗି ହେବାପରେ ଜଗନ୍ନାଥଙ୍କ ଭୋଗ କାହିଁକି ମହାପ୍ରସାଦର ମାନ୍ୟତା ଲାଭକରେ ତାହା ଅଧିକ ପ୍ରଣିଧାନ ସାପେକ୍ଷ।ଅଷ୍ଟମ ଶତାବ୍ଦୀରୁ ,ଆଦି ଶଙ୍କରାଚାର୍ଯ୍ୟଙ୍କ ସମୟରୁ ଜଗନ୍ନାଥଙ୍କ ମନ୍ଦିରରେ ମହାପ୍ରସାଦ ବ୍ୟବସ୍ଥା ଲାଗିରହିଛି। ସେହି ସମୟରୁ ସମ୍ଭବତଃ, ବିମଳାଙ୍କ ପାଖରେ ଶ୍ରୀଜିଉଙ୍କ ପ୍ରସାଦକୁ ଭୋଗ କରି ମହାପ୍ରସାଦର ମାନ୍ୟତା ଦେବା ପଦ୍ଧତି ସ୍ଥିର କରାଯାଇଛି।

    ଶ୍ରୀମନ୍ଦିର ଭିତରେ ବିମଳା ‘ଶକ୍ତି’ ଭାବରେ ପୂଜିତା ହୁଅନ୍ତି। ଲକ୍ଷ୍ମୀ,ନାରୀଶକ୍ତିର ନମନୀୟ,କମନୀୟ ସ୍ନିଗ୍ଧ କୋମଳ ରୂପର ପ୍ରତୀକ ହେଲେ ବିମଳା ଉଗ୍ର ଚଣ୍ଡିକା ରୂପ ଓ ତନ୍ତ୍ର ଶକ୍ତିର ପରିଚୟ।ଅମରକୋଷରେ ଲକ୍ଷ୍ମୀଙ୍କର ଯେଉଁ ନାମ ଗୁଡ଼ିକର ଉଲ୍ଲେଖ ଅଛି ତାହା ହେଲା…ଲକ୍ଷ୍ମୀ, ପଦ୍ମାଳୟା, ପଦ୍ମା, କମଳା, ଶ୍ରୀହରିପ୍ରିୟା, ଇନ୍ଦିରା ଲୋକମାତା, ମା’,କ୍ଷୀରାବ୍ଧିତନୟା,ରମା। ଲକ୍ଷ୍ମୀଙ୍କ ନାମ ବିମଳା ବୋଲି ସେଥିରେ ଉଲ୍ଲେଖ ନାହିଁ। କିନ୍ତୁ ଦୁର୍ଗା ସହସ୍ର ନାମ ଅନୁସାରେ ଦୁର୍ଗାଙ୍କର ଏକ ନାମ ବିମଳା। ତେଣୁ ବିମଳା ଦୁର୍ଗାଙ୍କର ଏକ ରୂପ। ଦୁର୍ଗାପୂଜା ସମୟରେ ବିମଳାଙ୍କ ପାଖରେ,ଦୁର୍ଗାଙ୍କପାଖରେ ହେଉଥିବା ଷୋଡ଼ଶ ପୂଜା ପାଳନ କରାଯାଏ।ସେ ବିଭିନ୍ନସମୟରେ ବନଦୁର୍ଗା,ନାରାୟଣୀ, ଭୁବନେଶ୍ୱରୀ,ବଗଳାମୁଖୀ,ଉଗ୍ରତାରା,ମାତଙ୍ଗିନୀ,ଦଶଭୁଜା,
    ହରଚଣ୍ଡୀ, ସିଂହବାହିନୀ ଇତ୍ୟାଦି ରୂପରେ ପୂଜିତା ହୁଅନ୍ତି।ଆଶ୍ବିନ କୃଷ୍ଣପକ୍ଷ ସପ୍ତମୀ ତିଥିଠାରୁ ଷୋଳ ଦିନ ପର୍ଯ୍ୟନ୍ତ ତାନ୍ତ୍ରିକ ମନ୍ତ୍ରରେ ବିମଳାଙ୍କର ପୂଜାର୍ଚ୍ଚନା କରାଯାଏ। ସପ୍ତମୀଠାରୁ ନବମୀ ପର୍ଯ୍ୟନ୍ତ ନିଶାର୍ଦ୍ଧରେ ଛାଗବଳି ଦିଆଯାଏ। ଏହି ପର୍ବକୁ “ଶାକ୍ତ ଗୁଣ୍ଡିଚା” ମଧ୍ୟ କୁହାଯାଏ।
    କ୍ରମଶଃ…
    (କୁଳମଣି ଷଡଙ୍ଗୀ)

    ସହାୟକ ତଥ୍ୟ
    =============
    *କିମ୍ବଦନ୍ତୀ
    *ଡଃ ଅମ୍ବରୀଶ ଶତପଥୀଙ୍କ ପ୍ରବନ୍ଧ “ଶ୍ରୀକ୍ଷେତ୍ର ରାଜେଶ୍ବରୀ ମା’ବିମଳା”
    ==================================

Click to rate this post!
[Total: 0 Average: 0]

Leave a Reply