Thursday, June 13, 2024
Stories

ନୀଳାଚଳ ବାସୀ ଶ୍ରୀଜଗନ୍ନାଥ (୧)

ନୀଳାଚଳ ବାସୀ ଶ୍ରୀଜଗନ୍ନାଥ
(୧)
(ବିମଳା ଠାକୁରାଣୀ)
=======================
ଜଗନ୍ନାଥଙ୍କ ମନ୍ଦିର ପରିସର ଭିତରେ ଅବସ୍ଥିତ ମାଆ ବିମଳାଙ୍କ ମନ୍ଦିର ପ୍ରତ୍ୟେକ ହିନ୍ଦୁ ପାଇଁ ଏକ ପବିତ୍ର ସ୍ଥାନ। ତନ୍ତ୍ରପୂଜାରେ ବିଶ୍ବାସ କରୁଥିବା ଭକ୍ତମାନଙ୍କ ପାଇଁ ବିମଳାଙ୍କ ସ୍ଥାନ ଜଗନ୍ନାଥଙ୍କ ଠାରୁ ମଧ୍ୟ ଉଚ୍ଚରେ। ଜଗନ୍ନାଥ ମନ୍ଦିରର ଦକ୍ଷିଣ ପଶ୍ଚିମ କୋଣରେ, ରୋହିଣୀ କୁଣ୍ଡ ପାଖରେ ଅବସ୍ଥିତ, ଷାଠିଏ ଫୁଟ ଉଚ୍ଚର ଏହି ମନ୍ଦିର ଭିତରେ ବିମଳା ଠାକୁରାଣୀ ପୂଜା ପାଆନ୍ତି। ଜଗମୋହନ, ବିମାନ,ନାଟ୍ୟମନ୍ଦିର ଏବଂ ଭୋଗ ମଣ୍ଡପ, ଏହିପରି ଚାରିଭାଗରେ ବିଭକ୍ତ କରାଯାଇପାରେ ଏହି ମନ୍ଦିରକୁ। ବିମାନ ଏବଂ ନାଟ୍ୟମନ୍ଦିରର ଉଚ୍ଚତା ଯଥାକ୍ରମେ ୨୫ ଫୁଟ ଏବଂ ୨୨ ଫୁଟ।ଐତିହାସିକ ମାନଙ୍କ ମତରେ “ଦେଉଳଶୈଳୀ”ରେ ନିର୍ମିତ ଏହି ମନ୍ଦିରର ନିର୍ମାଣ ଖ୍ରୀଷ୍ଟୀୟ ନବମ ଶତାବ୍ଦୀରେ ହୋଇଥିଲା।ଅବଶ୍ୟ ଦ୍ବାଦଶ ଶତାବ୍ଦୀରେ ଯେତେବେଳେ ଶ୍ରୀମନ୍ଦିରର ପୁନଃ ନିର୍ମାଣ କାର୍ଯ୍ୟ ଚୋଡଗଙ୍ଗଦେବ ଏବଂ ଅନଙ୍ଗ ଭୀମ ଦେବଙ୍କ ଦ୍ବାରା ହୋଇଥିଲା,ସେ ସମୟରେ ମା’ବିମଳାଙ୍କ ମନ୍ଦିରର ପୁନଃ ନିର୍ମାଣ କାର୍ଯ୍ୟ ମଧ୍ୟ କରାଯାଇଥିବ। ୨୦୦୫ ମସିହାରେ ପ୍ରତ୍ନତତ୍ତ୍ଵ ବିଭାଗ ଦ୍ବାରା ଏହି ମନ୍ଦିରର ମରାମତି କାର୍ଯ୍ୟ ଶେଷ ହୋଇଛି।

ଜଗନ୍ନାଥ ସଂସ୍କୃତିରେ ମା’ବିମଳାଙ୍କର ଏକ ସ୍ବତନ୍ତ୍ର ସ୍ଥାନ ରହିଛି।ତନ୍ତ୍ରପୂଜକମାନଙ୍କ ମତରେ ଜଗନ୍ନାଥ ହେଉଛନ୍ତି ତନ୍ତ୍ରଦେବତା ଭୈରବ (ଶିବ) ଏବଂ ବିମଳା ଭୈରବୀ (ପାର୍ବତୀ)।୯୫୦ ମସିହା ପୂର୍ବରୁ ଲିଖିତ କାଳିକା ପୁରାଣରେ ଲେଖା ଅଛି… “ବିମଳା ଭୈରବୀ ଯତ୍ର ଜଗନ୍ନାଥସ୍ତୁ ଭୈରଵଃ।” ଜଗନ୍ନାଥଙ୍କ ପାଖରେ ହେଉଥିବା ନୈବେଦ୍ୟ ବିମଳାଙ୍କୁ ସମର୍ପଣ କରାଯାଏ।ସମର୍ପଣ ପରେ ହିଁ ତାହା ମହାପ୍ରସାଦ ଭାବରେ ପରିଗଣିତ ହୁଏ। ତନ୍ତ୍ରଶାସ୍ତ୍ର ମତରେ ଭୈରବ ବା ଶିବଙ୍କ ବାଣୀ ଭୈରବୀ ବା ପାର୍ବତୀ ଶ୍ରବଣ କରି ଅନୁମୋଦନ କରିବା ପରେ ହିଁ ତାହା ତନ୍ତ୍ରରେ ପରିଣତ ହୁଏ। ସେହିପରି ଜଗନ୍ନାଥଙ୍କ ପାଖରେ ଲାଗି ହୋଇଥିବା ଭୋଗ ବିମଳାଙ୍କ ପାଖରେ ପୂଜା ହେବାପରେ ହିଁ ମହାପ୍ରସାଦରେ ପରିଣତ ହୁଏ।ଅନ୍ୟ କୌଣସି ହିନ୍ଦୁ ଦେବାଦେବୀଙ୍କ ମନ୍ଦିରରେ ଏଭଳି ଅନନ୍ୟ ପ୍ରଥା ନାହିଁ।ଜଣେ ଠାକୁରଙ୍କ ପାଖରେ ପୂଜା କରାଯାଇଥିବା ଭୋଗ ଅନ୍ୟ ଠାକୁର/ ଠାକୁରାଣୀଙ୍କ ପାଖରେ ଅନ୍ୟ କେଉଁ ମନ୍ଦିରରେ ପୂଜା କରାଯାଏନାହିଁ।ମା’ବିମଳାଙ୍କ ପାଖରେ ଲାଗି ହେବା ପରେ ଏହାକୁ “ବିମଳେଇ ଥାଳି” କହନ୍ତି।

ବିଭିନ୍ନ ଠାକୁରାଣୀ ଓ ଦେବୀ/ଚଣ୍ଡୀ ତନ୍ତ୍ରପୂଜା ସହିତ ଜଡିତ।ସମସ୍ତ ଚଣ୍ଡିକା ମହାଶକ୍ତି ଶିବଙ୍କ ସହିତ ଜଡିତ।ଏକେଶ୍ବର ବାଦ ଅନୁସାରେ ଭୈରବ ଏବଂ ଜଗନ୍ନାଥଙ୍କ ମଧ୍ୟରେ କିଛି ପ୍ରଭେଦ ନାହିଁ।ଯିଏ ଶିବ ସେ’ ହିଁ ନାରାୟଣ।ଯେ ଜଗନ୍ନାଥ ସେଇ ହିଁ ଶିବ।ଈଶ୍ୱର ହିଁ ମହେଶ୍ୱର।ସେ ଦୃଷ୍ଟିରୁ ଶାସ୍ତ୍ର ବର୍ଣ୍ଣିତ ଚଣ୍ଡିକାମାନେ ଜଗନ୍ନାଥଙ୍କ ସହିତ ଜଡ଼ିତ। ନିମ୍ନଲିଖିତ ଲୋକଗୀତଟି ଆମେ ପ୍ରାୟତଃ ଶୁଣିବାକୁ ପାଉ..

” ବାଣପୁରେ ଭଗବତୀ ଶ୍ରୀକ୍ଷେତ୍ରେ ବିମଳା,
କାକଟପୁରେ ରହିଲୁ ହୋଇ ତୁ ମଙ୍ଗଳା।
ଝଙ୍କଡେ ସାରଳା ନାମ ଅଟଇ ତୋହର,
ବିରଜାଇ ନାମେ ବିଜେ ତୁହି ଯାଜପୁର।
ବାଙ୍କିରେ ନାମ ତୋହର ଅଟେ ଚର୍ଚ୍ଚିକାୟୀ,
ସମଲପୁରେ ରହିଲୁ ହୋଇ ସମଲାଇ।
ତାଳଚେରେ ରହିଲୁ ମା ହୋଇ ହିଙ୍ଗୁଳାଇ,
ଏହିପରି ଆଠଗୋଟି ନାମ ବହୁ ତୁହି।”

ଏହି ଠାକୁରାଣୀମାନଙ୍କର ନାମ ସିନା ଭିନ୍ନଭିନ୍ନ, କିନ୍ତୁ ସେମାନେ ଗୋଟିଏ “ଶକ୍ତିଭାବ”ର ପ୍ରତୀକ ଏବଂ “ଶିବଭାବ” ଠାରୁ ସେମାନେ ଅବିଛିନ୍ନ। ଜଗନ୍ନାଥଙ୍କ ପାଖରେ ଲାଗି ହୋଇଥିବା ଭୋଗ ବିମଳେଇ ମାଆଙ୍କ ପାଖରେ ଲାଗିହୋଇ “ମହାପ୍ରସାଦ” ବା ‘ମା’ପ୍ରସାଦ’ରେ ପରିଣତ ହୁଏ।

ଶିବ ପୁରାଣ ଅନୁଯାୟୀ ଦକ୍ଷପ୍ରଜାପତି ଏକ ସଂସାର ମଙ୍ଗଳକାରୀ ଯଜ୍ଞ କରୁଥିବା ସମୟରେ ଅନାହୂତା ହୋଇ ଶିବଙ୍କ ପତ୍ନୀ ତଥା ଦକ୍ଷଙ୍କ କନ୍ୟା ସତୀ ସେଠାରେ ଉପସ୍ଥିତ ହେଲେ।ଶିବଙ୍କୁ ଘୃଣା କରୁଥିବା ଦକ୍ଷ ପ୍ରଜାପତି ଶିବଙ୍କୁ ଗାଳିଦେଇ କନ୍ୟାକୁ ଅପମାନିତା କଲେ।ଘୋର ଅପମାନରେ ବିଦଗ୍ଧା ସତୀ ଯଜ୍ଞକୁଣ୍ଡରେ ଆତ୍ମ ବିସର୍ଜନ କଲେ।ଶିବ ଏହି ସମ୍ବାଦ ପାଇବା ପରେ ଭୟଙ୍କର କ୍ରୋଧରେ ଯଜ୍ଞସ୍ଥଳରେ ପହଞ୍ଚି, ପ୍ରଥମେ ପ୍ରଜାପତିଙ୍କ ମସ୍ତକ କାଟି ଯଜ୍ଞକୁଣ୍ଡରେ ପକାଇଲେ ଏବଂ ସତୀଙ୍କ ଅର୍ଦ୍ଧଦଗ୍ଦ ଶରୀରକୁ ଯଜ୍ଞକୁଣ୍ଡରୁ ଉଦ୍ଧାର କରି କାନ୍ଧରେ ପକାଇ,ତାଣ୍ଡବ ନୃତ୍ୟ କରି ସମଗ୍ର ଭାରତର ବିଭିନ୍ନ ସ୍ଥାନରେ ଘୂରି ବୁଲିଲେ।ଶିବଙ୍କ କ୍ରୋଧରେ ସୃଷ୍ଟି ଧ୍ବଂସ ହେବାକୁ ବସିଲା।ଦେବତାମାନେ ପ୍ରତିକାର ପାଇଁ ବିଷ୍ଣୁଙ୍କ ପାଖରେ ପହଞ୍ଚିଲେ। ବିଷ୍ଣୁ ଦେଖିଲେ,ସତୀଙ୍କ ମୃତ ଶରୀରକୁ ଶିବଙ୍କ ଠାରୁ ଅଲଗା ନକଲେ ଶିବଙ୍କ କ୍ରୋଧ ପ୍ରଶମିତ ହେବନାହିଁ। ସୁଦର୍ଶନ ଚକ୍ର ଦ୍ୱାରା ବିଷ୍ଣୁ ସତୀଙ୍କ ଶରୀରକୁ କାଟିବାରେ ଲାଗିଲେ।ଭାରତର ଯେଉଁ ଯେଉଁ ସ୍ଥାନମାନଙ୍କରେ,ଧାବମାନ ଶିବଙ୍କ କାନ୍ଧରୁ ସତୀଙ୍କର ଶରୀରର ଅଂଶ ପଡ଼ିଲା ସେଠାରେ ଶକ୍ତିପୀଠମାନ ସୃଷ୍ଟି ହେଲା। ଶ୍ରୀକ୍ଷେତ୍ରରେ ସତୀଙ୍କର ବାମ ପାଦ ପଡ଼ିଥିଲା। ସେଠାରେ ସେ “ବିମଳା” ଭାବରେ ପୂଜା ପାଉଛନ୍ତି।

ଘୋଷଯାତ୍ରା ସହିତ ଅନେକ ଲୋକକଥା ଜଡ଼ିତ।ପ୍ରଭୁ ଶ୍ରୀମନ୍ଦିର ଛାଡି ଗୁଣ୍ଡିଚା ମଣ୍ଡପକୁ ଯିବାର ଚାରିଦିନ ପରେ ଲକ୍ଷ୍ମୀ ଠାକୁରାଣୀ ବିରହ ବେଦନାରେ ବ୍ୟଥିତା ହୋଇ ଭଗ୍ନୀ ବିମଳାଙ୍କ ପାଖରେ ମନକଥା ଜଣାଇ କହିଲେ.. କିଛି ପ୍ରତିକାର କର ଭଉଣୀ,ପ୍ରଭୁ କିପରି ଫେରି ଆସିବେ ତାର ଉପାୟ କର।” ତନ୍ତ୍ରର ଦେବୀ ବିମଳା କିଛି ଚୂର୍ଣ୍ଣ ଅଭିମନ୍ତ୍ରିତ କରି “ମୋହାଞ୍ଜନ”ପ୍ରସ୍ତୁତ କଲେ ଏବଂ ଲକ୍ଷ୍ମୀଙ୍କୁ ଜଗନ୍ନାଥଙ୍କ ଉପରେ ପ୍ରୟୋଗ କରିବାକୁ କହିଲେ।ମୋହାଞ୍ଜନ ନେଇ ମହାଲକ୍ଷ୍ମୀ ହେରାପଞ୍ଚମୀ ଦିନ ଯଜ୍ଞବେଦୀରେ ପହଞ୍ଚି ତାହା ଜଗନ୍ନାଥଙ୍କ ଉପରକୁ ଫିଙ୍ଗିଦେଲେ;ମୋହାଞ୍ଜନ କାମ ଦେଲା ଏବଂ ଜଗନ୍ନାଥ ଶ୍ରୀମନ୍ଦିରକୁ ଫେରିବା ପାଇଁ ଉଚ୍ଚାଟ ହେଲେ।
ଦେବୀ ଭାଗବତ ଅନୁଯାୟୀ…
“ଉତ୍କଳେ ନାଭିଦେଶେଶ୍ଚ ବିରଜା କ୍ଷେତ୍ରମୁଚ୍ୟତେ,
ବିମଳାଶ୍ଚ ମହାଦେବୀ ଜଗନ୍ନାଥଶ୍ଚ ଭୈରବ।”
ଏହି ତଥ୍ୟରୁ ଜଣାଯାଏ ଯେ ଶ୍ରୀଜଗନ୍ନାଥ ଭୈରବ ଏବଂ ମାଆ ବିମଳା ଭୈରବୀ ଅଟନ୍ତି।ବଳଭଦ୍ରଜୀଉଙ୍କ ଅଧରଫଳକ ଏବଂ ଧଣ୍ଡାମାଳ ବିମଳାଙ୍କୁ ଅର୍ପିତ ହେଉଥିବାରୁ କେତେକଙ୍କ ମତରେ ମା’ବିମଳା ବଳଭଦ୍ରଜୀଉଙ୍କ ପତ୍ନୀ ଅଟନ୍ତି;ତେଣୁ ତାଙ୍କୁ “ବଡବାଡ ସାଆନ୍ତାଣୀ” କୁହାଯାଏ।

ଜଗନ୍ନାଥଙ୍କ ତତ୍ବ ଅତି ଗହନ। ପୁରାଣ, ଇତିହାସ କିମ୍ବଦନ୍ତୀ ଏବଂ ଲୋକ କଥାରେ ବିଭିନ୍ନ ପ୍ରକାରର ବର୍ଣ୍ଣନା ଯୋଗୁଁ ସେ ଆହୁରି ରହସ୍ୟମୟ ହୋଇ ପଡନ୍ତି।
ରୂପରେଖ ନଥିବା ଏହି ଠାକୁରଙ୍କୁ କିଏ କହେ କଳା ତ କିଏ କହେ କାଳୀ,କିଏ କହେ ସାକାର ତ କିଏ କହେ ନିରାକାର ବ୍ରହ୍ମ।ସେ ହିନ୍ଦୁ, ବୌଦ୍ଧ,ଜୈନ,ଶିଖ, ଦ୍ବୈତବାଦୀ, ଅଦ୍ଵୈତବାଦୀ, ତନ୍ତ୍ରବାଦୀ ଓ ମନ୍ତ୍ରବାଦୀ, ସମସ୍ତଙ୍କ ଠାକୁର।
କ୍ରମଶଃ….
(କୁଳମଣି ଷଡଙ୍ଗୀ)
==================================
ସହାୟକ ତଥ୍ୟ ସୂଚନା…
*ଓଡ଼ିଶା ଇତିହାସ
*ଦେବୀ ଭାଗବତ
*ଶିବ ପୁରାଣ
*ଡଃ ଅମ୍ବରୀଶ ଶତପଥୀ ଙ୍କ ପ୍ରବନ୍ଧ “ଶ୍ରୀକ୍ଷେତ୍ର ରାଜେଶ୍ବରୀ ମା’ବିମଳା”
===================================

Click to rate this post!
[Total: 0 Average: 0]

Leave a Reply