Wednesday, February 21, 2024
Other Poems

ଦେବଯାନୀ (୪୪ ତମ କଳିକା)

ଦେବଯାନୀ
(୪୪ତମ କଳିକା)
ରାଗ:—-ଖଣ୍ଡିତା
———————–
କନିଷ୍ଠ ନନ୍ଦନ ପୁରୁ ସହିତେ ଯଯାତି,
ପହଞ୍ଚିଲେ ଶୁକ୍ରାଶ୍ରମେ ସଙ୍ଗେ ଥିଲେ ପତ୍ନୀ
ଦେବଯାନୀ ଯେ,
ମୁନିଙ୍କ ପାଦ ବନ୍ଦିଲେ ତିନି ଯେ।

ବୋଲନ୍ତି ଯଯାତି “ପ୍ରଭୁ କର ଉପକାର,
ଯୌବନ କରିବ ଦାନ ‘ପୁରୁ’ ମୋ କୁମର,
ବିଧିମତେ ହେ,
ଫେରାଇ ଦିଅ ଯୌବନ ମୋତେ ହେ।”

ଶୁଣି ଆଶ୍ଚର୍ଯ୍ଯ ହୋଇଲେ ଭୃଗୁଙ୍କ ନନ୍ଦନ,
ପୁରୁ’ଙ୍କ କପାଳେ ଦେଲେ ସସ୍ନେହ ଚୁମ୍ବନ,
ନୃପେ ଚାହିଁ ହେ,
ବୋଲନ୍ତି କି ଭାଗ୍ୟ କଲୁ ତୁହି ହେ।

ଏ ତୋର କୁଳ ଚନ୍ଦନ ଅଟେ ରେ ନୃପତି,
ସମଗ୍ର ଆର୍ଯ୍ୟାବର୍ତ୍ତର ହେବ ଚକ୍ରବର୍ତ୍ତୀ,
ବାହୁବଳରେ ହେ,
ନୋହିବ କେ ସମ ତା’ଭୂତଳେ ହେ।

ପିତା ଅନ୍ତର ବେଦନା କରେ ଯେ ଗ୍ରହଣ,
ପୁତ୍ର ସମ ପ୍ରଜାଙ୍କୁ ସେ କରିବ ପାଳନ,
ସ୍ୱର୍ଣ୍ଣାକ୍ଷରେ ହେ,
ନାମ ତା ରହିବ ଯୁଗାନ୍ତରେ ହେ।

ବଳିଦାନ ନୃପତିର ଅଟଇ ଲକ୍ଷଣ,
ସ୍ୱାର୍ଥ ଅଶ୍ୱପରେ ଯେହୁ କରେ ଆରୋହଣ,
ଇତିହାସ ହେ,
କରେ ତାକୁ ନଗଣ୍ୟ ଅବଶ୍ୟ ହେ।

ମୋ ତପ ବଳରେ ତୋତେ କରୁଛି ଅର୍ପଣ,
ତୋ ହୃତ ଯୌବନ ଘେନ ହସ୍ତିନା ରାଜନ,
ଆନନ୍ଦରେ ହେ,
ସୁଖ ଭୋଗ କର ତୁ ସଂସାରେ ହେ।

ଚାହୁଁ ଚାହୁଁ ପୂର୍ବ ଜ୍ୟୋତି ପାଇଲେ ଯଯାତି,
ଖେଳିଗଲା ଶରୀରରେ ଯୌବନର ଦୀପ୍ତି,
ହୃଷ୍ଟ ମନେ ହେ,
ଫେରିଗଲେ ସ୍ୱରାଜ ଭବନେ ହେ।

ବହୁକାଳ ଆନନ୍ଦରେ କାଳ ହେଲା କ୍ଷୟ,
ବାର୍ଦ୍ଧକ୍ୟ ଭୋଗ କରନ୍ତି ଶର୍ମିଷ୍ଠା ତନୟ,
ପୁରୁ ବୀର ହେ,
ଦୁଃଖ ତିଳେ ନଥିଲା ହୃଦର ହେ।

ଦିନେ ଯଯାତି ନୃପତି ବିଚାରନ୍ତି ମନେ,
‘କେଡେ ସ୍ୱାର୍ଥପର ସତେ ହେଲି ମୁଁ ଜୀବନେ !
ନିଜ ସୁଖ ହେ,
ହେତୁ ପୁତ୍ରେ ଦେଲି ଜରା ଦୁଃଖ ହେ।

ବଡ ଅଳିକ ସଂସାର କେ ନୁହେଁ କାହାର,
କର୍ମ ଜୀବ ପରିଚୟ କର୍ମେ ଜୀଏଁ ନର,
ମୃତ୍ୟୁ ଅନ୍ତେ ହେ,
କର୍ମ ରଖେ ପ୍ରାଣୀକୁ ଜୀବିତେ ହେ।

ମୋର ସ୍ୱାର୍ଥ ଗାଥା ଦିନେ ଗାଇବ ସଂସାର,
ପିତା ହୋଇ ବାର୍ଦ୍ଧକ୍ୟରେ ଦଣ୍ଡିଲି କୁମର,
କାମାସକ୍ତ ହେ,
ବୋଲି ମୋତେ କହିବ ଜଗତ ହେ।

ବୈରାଗ୍ୟ ଗ୍ରାସିଲା ଆତ୍ମା,ଯଯାତି ରାଜନ,
ପୁରୁ ସଙ୍ଗେ ପହଞ୍ଚିଲେ ଶୁକ୍ରଙ୍କ ଆଶ୍ରମ,
ଗୁରୁଙ୍କର ହେ,
ଅନୁନୟେ ପୂଜିଲେ ପୟର ହେ।

ବୋଇଲେ ‘ଆହେ ମହାତ୍ମା ! ଯଉବନ ମୋର,
ପ୍ରତ୍ୟର୍ପଣ କରୁଛି ମୋ ପୁତ୍ରେ ଦାନକର,
ତା’ବାର୍ଦ୍ଧକ୍ୟ ହେ,
ଦାନକର ମୋତେ ଗୁରୁ ଶୁକ୍ର ହେ।

ମହାନନ୍ଦେ ପ୍ରତ୍ୟର୍ପଣ କାର୍ଯ୍ଯ ହେଲା ଶେଷ,
ପୁରୁଙ୍କୁ ରାଜ୍ୟ ସମର୍ପି ହସ୍ତିନା ନରେଶ,
ଗଲେ ବନେ ହେ,
ବେନି ରାଣୀ ସଙ୍ଗେ ହୃଷ୍ଟମନେ ହେ।

ଯତିବ୍ରତ ଆଚରଣ କରନ୍ତି ନରେଶ,
ଭ୍ରତାଙ୍କ ମଧ୍ୟରେ ପୁରୁ ବାଣ୍ଟିଦେଲେ ଦେଶ,
ନିଜେ ବୀର ହେ,
ହସ୍ତିନାର ହେଲେ ଦଣ୍ଡଧର ହେ।

ତୁର୍ଭାସୁ ଯବନ ରାଜ୍ୟ କରିଲେ ନିର୍ମାଣ,
ତୁର୍କୀ ନାମେ କାଳକ୍ରମେ ହେଲା ତାହା ଗଣ୍ୟ,
‘ଯଦୁ’ ବୀର ହେ,
ହେଲେ ଯଦୁବଂଶ କର୍ଣ୍ଣଧାର ହେ।

ଶର୍ମିଷ୍ଠା ନନ୍ଦନ ଦ୍ରୁହ୍ୟୁ ଗଢି ଭୋଜ ରାଜ୍ୟ,
ମହାଦର୍ପେ ରାଜୁତି କରିଲେ ବୀର ଆର୍ଯ୍ୟ,
‘ଅନୁ’ବୀର ହେ,
ହେଲେ ମ୍ଲେଚ୍ଛ ରାଜ୍ୟ (ଗ୍ରୀସ୍) ଦଣ୍ଡଧର ହେ।

ଦେବଯାନୀଙ୍କ କାହାଣୀ ହୋଇଲା ସମ୍ପୂର୍ଣ୍ଣ,
ଦୋଷ ଥିଲେ ନଧରିବ ବିଜ୍ଞ ଗୁଣୀ ଜନ,
ମୁଁ ଖଦ୍ୟୋତ ହେ,
ଆପଣ ତ ପ୍ରଚଣ୍ଡ ଆଦିତ୍ୟ ହେ।

————-ସମାପ୍ତ—————–

Click to rate this post!
[Total: 0 Average: 0]

Leave a Reply