Wednesday, February 28, 2024
Other Poems

ଦେବଯାନୀ (୪୩ ତମ କଳିକା)

ଦେବଯାନୀ
(୪୩ତମ କଳିକା)
ରାଗ:—-ଖଣ୍ଡିତା
————————-
ବାର୍ଦ୍ଧକ୍ୟର ଛାୟାତଳେ ହସ୍ତିନା ନରେଶ,
ମଉଳିଲା ବେଶ ବାସ ଲିଭିଗଲା ହସ,
ମୁଖ କାନ୍ତି ହେ,
ଦେଉଥିଲା ଶୁଷ୍କପୁଷ୍ପ ଭ୍ରାନ୍ତି ହେ।

ରାଜପଦ ଧନ ଧାନ୍ୟ ପ୍ରଭୁତ୍ବ ଆବର,
ଲାଗିଲା ରାଜାଙ୍କୁ ଗରୁ ହିମାଦ୍ରି ପ୍ରକାର,
ଉପବନ ହେ,
ପାଲଟି ହେଲା କି ମରୁଦ୍ୟାନ ହେ।

ଦିନେ ଯୌବନ ଉଦ୍ଦାମେ ବେନି ରାଣୀ ସଙ୍ଗେ,
ବିତାଉ ଥିଲେ ସମୟ ରତି ରସ ରଙ୍ଗେ,
ରସାମୃତ ହେ,
ଭରିଥିଲା ଜୀବନର ପାତ୍ର ହେ।

ବାର୍ଦ୍ଧକ୍ୟ ସେ ରସ ପାତ୍ର କରିଦେଲା ଶୂନ୍ୟ
ଜୀବନ ଲାଗେ ରାଜାଙ୍କୁ ମରଣ ସମାନ,
ଅକସ୍ମାତ ହେ,
ଅନ୍ଧକାର ହେଲା ରାକା ରାତ୍ର ହେ !

ଦେବଯାନୀ କର ଧରି ବୋଲନ୍ତି ରାଜନ,
ଦାନବ ଗୁରୁଙ୍କ ପାଶେ ଚାଲ ପ୍ରାଣଧନ,
ସେ ଚାହିଁଲେ ଗୋ,
ଫେରି ପାଇବି ଯୌବନ ହେଳେ ଗୋ।

ଦେଖି ପତିଙ୍କ କଷଣ ଦେବଯାନୀ ବାଳୀ,
ପିତାଙ୍କ ପୟରେ ପଡି ଦୁଃଖେ କଲେ ଅଳି,
ମୋ ଜନକ ହେ !
ସହି ନପାରେ ସ୍ୱାମୀଙ୍କ ଦୁଃଖ ହେ।

ଫେରାଇ ଦିଅ ଯୌବନ ତାହାଙ୍କୁ ପିଅର
ଅନୁତାପାନଳେ ଦଗ୍ଧ ପ୍ରାଣ ଯେ ତାଙ୍କର,
ଏ କଷଣ ହେ,
ରାଜ୍ୟ ପାଇଁ ହୋଇବ ଦୂଷଣ ହେ।

ବାର୍ଦ୍ଧକ୍ୟ ଦୁଃଖେ ସର୍ବଦା ପୀଡିତ ନରେଶ,
ଶାସନ କରିବ କେହୁ ଏ ବିଶାଳ ଦେଶ?
ପ୍ରଜା ହିତେ ହେ,
ରାଜା ଦୋଷ କ୍ଷମ ଦୟା ଚିତ୍ତେ ହେ।

ବୋଲନ୍ତି ଦାନବଗୁରୁ “ଏ କି ପିଲାଖେଳ !
କ୍ଷମା ନୁହେଁ ମନ୍ଦିରର ପ୍ରସାଦର ତୁଲ୍ୟ,
ଶାପ କଥା ଗୋ ,
କଦାଚ ନ ହୋଇବ ଅନ୍ୟଥା ଗୋ।

ବହୁ ତପ ସାଧନରେ ଯେଉଁ ଶକ୍ତି ମିଳେ,
ମୁନି ତା ପ୍ରୟୋଗ କରେ ସମାଜ ମଙ୍ଗଳେ,
ଶାପ ତାର ଗୋ,
ଜଗତର କରେ ଉପକାର ଗୋ।

ପ୍ରିୟ କନ୍ୟାର ଆକୁଳ ନିବେଦନ ଶୁଣି,
ବୋଲନ୍ତି ଦାନବ ଗୁରୁ ଶୁଣ ନରମଣି,
ଗୃହେ ଯାଇ ହେ,
କୁହ ସବୁ ପୁତ୍ରଙ୍କୁ ବସାଇ ହେ।

ପାଞ୍ଚ ପୁତ୍ରଙ୍କୁ ବସାଇ ପାଶେ ନରବର,
ପଚାର କେହି ବାର୍ଦ୍ଧକ୍ୟ ନେବ କି ତୁମ୍ଭର,
ବିନିମୟେ ହେ,
ତୁମ୍ଭକୁ ଯୌବନ ଦେବ କିଏ ହେ ?

ଶାପ ରାଜା ଭୋଗୁଁ ଅବା ତାହାର କୁମର,
ଯାତନା ଭାସ୍କର ପରିବାର,
ଦେଶପାଇଁ ହେ,
ରହିବ ନିର୍ଦ୍ଦେଶ ନାମା ହୋଇ ହେ।

ଶୁଣି ହସ୍ତିନା ନରେଶ ମୁନିଙ୍କର ବାଣୀ,
ଫେରିଗଲେ ରାଜପୁରେ, ସଙ୍ଗେ ଦେବଯାନୀ,
ପଞ୍ଚ ପୁତ୍ରେ ହେ,
ହକାରିଲେ ସମୀପେ ତୁରିତେ ହେ।

ଦ୍ରୁହ୍ୟୁ,ଅନୁ,ପୁରୁ,ଯଦୁ,ତୁର୍ଭ୍ୟସୁ କୁମରେ
ପାଞ୍ଚ ପୁତ୍ରଙ୍କୁ ବସାଇ ନୃପ ନିକଟରେ,
ବଖାଣିଲେ ହେ,
ଯାହା ଶୁକ୍ରମୁନି କହି ଥିଲେ ହେ।

ପୁଚ୍ଛନ୍ତି ବୃଦ୍ଧ ଯଯାତି ‘କହରେ କୁମର,
କିଏ ନେବ ତୁମ୍ଭ ମଧ୍ୟୁ ବାର୍ଦ୍ଧକ୍ୟ ମୋହର,
ପ୍ରତିଦାନେ ରେ ,
ବସାଇବି ରାଜ ସିଂହାସନେ ରେ ।

ଶୁଣି ସବୁ ରାଜପୁତ୍ର ହେଲେ ଚୁହାଁ ଚୁହିଁ,
ପୁରୁ ବ୍ୟତୀତ ଚାରିହେଁ ବୋଲନ୍ତି ଫିଟାଇ,
“ପିତା ଶୁଣ ହେ,
ମହାମୂଲ୍ୟ ଶରୀରେ ଯୌବନ ହେ ।

ଯୌବନ ବିନା ଶରୀର ଅଟେ ଶୁଷ୍କ ପର୍ଣ୍ଣ,
କି ଲାଭ ଶରୀର ଥାଇ ନଥିଲେ ଯୌବନ,
ଏ ସାମ୍ରାଜ୍ୟ ହେ,
ତା ସମୀପେ ତୁଚ୍ଛ ମହାରାଜ ହେ।

ଯେ ଯାହାର କୃତକର୍ମ ଭୋଗନ୍ତି ସଂସାରେ,
ବାମ ହସ୍ତ ପାପ ଦକ୍ଷିଣ କି ଘେନିପାରେ ?
ତୁମ୍ଭ ଶାପ ହେ,
ଭୋଗ ନକରିବୁ ଆମ୍ଭେ ନୃପ ହେ।”

ପିତାଙ୍କ ବାର୍ଦ୍ଧକ୍ୟ ଦେଖି କନିଷ୍ଠ ନନ୍ଦନ,
“ପୁରୁ”ଙ୍କର ଚକ୍ଷୁ ହେଲା ହେଳେ ଅଶ୍ରୁପୂର୍ଣ୍ଣ,
ସେ ବିକଳେ ହେ,
କାନ୍ଦନ୍ତି ପିତାଙ୍କୁ ଧରି କୋଳେ ହେ।

ବୋଲନ୍ତି ପୁରୁ ‘ହେ ତାତ ! ରାଜ୍ୟ ଲୋଡାନାହିଁ,
ଏ ଜୀବନ ଯଉବନ ତୁମ୍ଭ ଦାନ ସାଇଁ,
ମୋ ଯୌବନ ହେ,
ତୁମ୍ଭ ପାଇଁ କରୁଛି ଅର୍ପଣ ହେ।’

କ୍ରମଶଃ……….

Click to rate this post!
[Total: 0 Average: 0]

Leave a Reply