Wednesday, February 28, 2024
Other Poems

ଦେବଯାନୀ (୪୦ ତମ କଳିକା)

ଦେବଯାନୀ
(୪୦ତମ କଳିକା)
ରାଗ:——ବଙ୍ଗଳାଶ୍ରୀ
——————————
ଚନ୍ଦ୍ରମା କିରଣ କରଇ ଯେସନ
ଔଷଧି ବନ ବର୍ଦ୍ଧନ,
ଶର୍ମିଷ୍ଠାର ଚନ୍ଦ୍ରମୁଖ ସେହିପରି
ହୃଷ୍ଟ କଲା ନୃପ ମନ।

ଅଳସ ସନ୍ଧ୍ୟାରେ ,ଦିନେ ଉଦ୍ୟାନରେ
ଭ୍ରମୁଥିଲେ ନରନାଥ,
ରୂପରାଜ୍ୟ ପରୀ, ଶର୍ମିଷ୍ଠା ସୁନ୍ଦରୀ
ଅକସ୍ମାତ ଉପଗତ।

ଯୋଗକୁ ସେଦିନ ପ୍ରତୀଚୀ ଗଗନେ
ବୁଡିଯାଉଥିଲେ ରବି,
ପ୍ରାଚୀ ଆକାଶରେ ଉଦେ ପୂର୍ଣ୍ଣ ଇନ୍ଦୁ
ଅପୂର୍ବ ସୁନ୍ଦର ଛବି !

ଆକାଶର ଜହ୍ନ , ଶର୍ମିଷ୍ଠା ଲପନ,&
ଦିଶନ୍ତି ଏକ ପ୍ରକାରେ,
କିନ୍ତୁ ଯଯାତିଙ୍କ ଆଖି ଗଲା ଲାଗି
ଚାରୁହାସୀର ମୁଖରେ।

ଯଯାତିଙ୍କୁ ଚାହିଁ,ସଲ୍ଲଜେ ଅନାଇଁ
ସମ୍ଭ୍ରମ ଅଭିବାଦନ,
ଜଣାଇ କୁଶଳ ଜିଜ୍ଞାସା କରନ୍ତେ
ନୃପ ହେଲେ ହୃଷ୍ଟମନ।

ପ୍ରାରମ୍ଭକ ସ୍ୱଳ୍ପ ବାର୍ତ୍ତାଳାପ ପରେ
ସହଜ ହୋଇଲେ ବାଳା,
ମାଳତୀ କୁଞ୍ଜରେ ବସି ଗଳ୍ପେ ମଜ୍ଜି
ସଞ୍ଜ ଗଡ଼ି ରାତ୍ର ହେଲା।

ବୋଲନ୍ତି ଶର୍ମିଷ୍ଠା ବିଦାୟ ଦିଅନ୍ତୁ
ହେ ହସ୍ତିନା ନରମଣି,
ଏ ଦାସୀର କାହିଁ ସ୍ଵାଧୀନତା,
ତେଣେ ଖୋଜୁଥିବେ ମହାରାଣୀ।

ଶୁଣି ଏ ବଚନ ହୋଇଲେ ବିସନ୍ନ
ମନେ ହସ୍ତିନା ରାଜନ,
ଘେନିଲେ ବିଦାୟ ଦେଇ ପ୍ରତିଶ୍ରୁତି
ଭେଟିବାକୁ ପରଦିନ।

ଏହିପରି ପ୍ରତିଦିନ ପ୍ରଦୋଷରେ #
ଉଦ୍ୟାନ କୁଞ୍ଜ ମଧ୍ୟରେ,
ଶର୍ମିଷ୍ଠାଙ୍କ ସଙ୍ଗେ ପ୍ରେମାଳାପେ ରତ
ହେଲେ ରାଜା ଗୁପତରେ।

ଦିନେ ଆଶ୍ଳେଷରେ ପ୍ରେମ ଆବେଗରେ
ଶର୍ମିଷ୍ଠାଙ୍କୁ କୋଳେ ଧରି,
ପ୍ରୀତି ଭିକ୍ଷା କଲେ କୁମାରୀ ସମୀପେ
ହସ୍ତିନାର ଦଣ୍ଡଧାରୀ।

“ଆହେ ଧୀରମଣି ଅନୈତିକ ବାଣୀ
ନକୁହ” ,ବୋଲେ ସୁନ୍ଦରୀ,
ବିନା ବିବାହରେ ପ୍ରେମନଦୀ ନୀରେ,
ସ୍ନାନ କରିବି କିପରି ?

ଶୁଣି ନରବର ଗୁନ୍ଥି ଫୁଲହାର,
ଶର୍ମିଷ୍ଠା ଗଳେ ଲମ୍ବାଇ
ଗାନ୍ଧର୍ବ ରୀତିରେ ବିବାହ କରିଲେ
ଉଦ୍ୟାନ ମନ୍ଦିରେ ଯାଇ।

ଆକାଶରେ ତାରା ସଙ୍ଗେ ତାରା ପତି
ସାକ୍ଷୀ ଥିଲେ ସେହି କାଳେ,
ପ୍ରକୃତି ସୁନ୍ଦରୀ ଦେଲେ ଶୁଭ୍ର ଶାଢ଼ି
ଭେଟି ବନଜ୍ୟୋସ୍ନା ଛଳେ।

କୁଞ୍ଜ ତମାଳରେ ସୁରତିରେ ଭୋଳେ
ମଜ୍ଜିଲେ ଯୁବା ପ୍ରମଦା,₹
ପ୍ରତିଦିନ ଗୁପ୍ତ ପ୍ରଣୟେ ବିଭୋର
ରହିଲେ ନରେଶ ସଦା।

ବିତିଗଲା ବର୍ଷ ମାସ ଦିନ ଦଣ୍ଡ
କେହି ନପାରିଲେ ଜାଣି,
ବେନି ରାଣୀ ସଙ୍ଗେ ପ୍ରଣୟର ରଙ୍ଗେ
ମାତିଲେ ମଉଡମଣି।

ସମଭାବେ ମନ ବାଣ୍ଟି ଦେଇଥିଲେ
ବେନି ରାଣୀଙ୍କ ମଧ୍ୟରେ,
ଦେବଯାନୀ ମନେ ନଥିଲା ସନ୍ଦେହ
ରାଜାଙ୍କର ଚରିତ୍ରରେ।

କ୍ରମଶଃ……….

# ପ୍ରଦୋଷ….. ସନ୍ଧ୍ୟା
& ଲପନ :—-ମୁଖ
₹ ପ୍ରମଦା:—–ଲଳନା

Click to rate this post!
[Total: 0 Average: 0]

Leave a Reply