Wednesday, February 21, 2024
Other Poems

ଦେବଯାନୀ (୩୮ ତମ କଳିକା)

ଦେବଯାନୀ
ଅଷ୍ଟତ୍ରିଂଶ କଳିକା
ରାଗ:—-ରାମକେରୀ
—————-
ବିଧାତା ଯାହାର କପାଳେ, ଯାହା ଅଛନ୍ତି ଲିହି,
ଯେତେ ବା ପ୍ରଯତ୍ନ କରିଲେ,ହେବ ଅନ୍ୟଥା କାହିଁ !
ହସ୍ତ ରେଖା ସଦ୍ୟ ଟାଣିବା,ନୁହେଁ ସାଧ୍ୟ କାହାର,
ମନୁଷ୍ୟ ମର୍କଟ,ଅଦୃଷ୍ଟ ହସ୍ତେ ରଜ୍ଜୁ ତାହାର।
ଦିନେ ରାଜସୁତା ଶର୍ମିଷ୍ଠା,ବିଳାସର ଦୋଳିରେ,
ଦୋଳୁଥିଲେ;ଦାସୀ ଅପାର ଖଟୁଥିଲେ ପୟରେ।

କାଳର କୁଟିଳ ଗତିରେ,ଆଜି ନିଜେ ସେ ଦାସୀ,
ଦେବଯାନୀ ପାଦ ସେବନ୍ତି ଶୁକ୍ର ଆଶ୍ରମେ ବସି।
ଛାଇପରି ଦେବଯାନୀର ରହି ଥାଆନ୍ତି ପଛେ,
ଆଦେଶ ପାଳନ କରନ୍ତି,ମୁନିକନ୍ୟା ଯା ଇଚ୍ଛେ ।
ଜଳ ଆଣି ରଖି ଦିଅନ୍ତି କରିବାକୁ ସ୍ନାହାନ,
ଉଭା ହୋଇଥାନ୍ତି ହସ୍ତରେ ଧରି ପିନ୍ଧା ବସନ।

ଭୋଜନାନ୍ତେ ଦେବଯାନୀର,କରନ୍ତି ସେ ଅଶନ,
ମୁନିକନ୍ୟା କଲେ ଶୟନ,କରୁଥାନ୍ତି ବ୍ୟଜନ।
କାୟା ସଙ୍ଗେ ଛାୟା ସଦୃଶ ଭ୍ରମୁଥାନ୍ତି ସଙ୍ଗରେ,
ରାହୁଗ୍ରହଣ କି ଲାଗିଲା ଜେମା ଭାଗ୍ୟ ଚନ୍ଦ୍ରରେ !
ସନ୍ତାପିତ କନ୍ୟା ଦୁଃଖରେ ବୃଷପର୍ବା ନରେଶ,
ବିଧାତାକୁ ନିନ୍ଦି ରହିଲେ ହୋଇ ମହା ବିରସ।

ବିନା ଉଦ୍ଦେଶ୍ୟରେ ସଂସାରେ କିଛି ନଥାଏ ଘଟି,
ପତ୍ର ନ ହଲଇ ନ ଥିଲେ ଅଦୃଷ୍ଟର ଭୃକୁଟି।
ରାଜକନ୍ୟା ଦାସୀ ହୋଇବା,ଥିଲା ବିଧି ବିଧାନ,
ବିଶାଳ “କୌରବ ବଂଶର” ଏହା ବୀଜ ବପନ ।

ଏଣେ ହସ୍ତିନାରେ ଯଯାତି, ମତି ନଲାଗେ କାହିଁ,
ଦେବଯାନୀ ସ୍ମୃତି ନୟନ ପଥେ ଭାସିଉଠଇ।
ରାଜକାର୍ଯ୍ୟେ ମନ ନଲାଗେ ମତି ହୁଏ ଚଞ୍ଚଳ,
ମନେପଡି ଚଞ୍ଚଳାକ୍ଷୀର ଚାରୁ ମୁଖ ମଣ୍ଡଳ।
ମହାମନ୍ତ୍ରୀ,ପୁରୋହିତଙ୍କୁ ଘେନି ନିଜେ ନରେଶ,
ଦାନବ-ଗୁରୁଙ୍କ ଆଶ୍ରମେ ଦିନେ ହେଲେ ପ୍ରବେଶ।
କର ଯୋଡି ଗୁରୁ ଛାମୁରେ,ଜଣାଇ ମନୋବାଂଛା,
ପ୍ରକାଶିଲେ ଦେବଯାନୀଙ୍କ ସଙ୍ଗେ ବିବାହ ଇଚ୍ଛା।

ନୃପ ଆଗମନେ ତାପସ-ପୁତ୍ରୀ ହେଲେ ପ୍ରମୋଦ,
ମନ ସରୋବରେ ଫୁଟିଲା ଶତଦଳ କୁମୁଦ।
ହୃଦ ଆକାଶରୁ ସହସା ଘୁଞ୍ଚିଗଲା ଅନ୍ଧାର,
ବିଚ୍ଛୁରିତ ହୋଇ ପଡିଲା ତହିଁ ଜ୍ୟୋତ୍ସ୍ନା ସମ୍ଭାର।
ଲାଜ ହେଲା ଗୁରୁ,ସରୁମଧ୍ୟାର,ଲୁଚିଲା ବାସେ,
ଦେବଯାନୀ ଭାବ ଦେଖିଣ ମୋଦେ ଶର୍ମିଷ୍ଠା ହସେ।
ରାଜାଙ୍କ ପ୍ରସ୍ତାବେ ସମ୍ମତ ହେଲେ ଭୃଗୁ ନନ୍ଦନ,
ମହା ଆଡମ୍ବରେ କରିଲେ ପରିଣୟ ସମ୍ପନ୍ନ।

ମୁନିଆଶ୍ରମରେ ଭେଟିଲେ, ହସ୍ତିନା ଦଣ୍ଡଧାରୀ
ଅପୂର୍ବ ସୁନ୍ଦରୀ ଶର୍ମିଷ୍ଠା, ପତ୍ନୀଙ୍କ ପରିଚାରୀ।
କୌତୁହଳ ହୋଇ ପୁଚ୍ଛିଲେ ମୁନିଙ୍କୁ ଏ ବ୍ୟାପାର,
ସକଳ ବୃତାନ୍ତ ବୁଝାଇ ଦେଲେ ଭୃଗୁ-କୁମର।
“ଦେଖ ନୃପ ଦୈବୀ ବିଧାନ,ବୃଷପର୍ବା କୁମାରୀ,
ଭାଗ୍ୟଦୋଷେ ଦେବଯାନୀର ହୋଇଛି ସହଚରୀ।”

କନ୍ୟାକୁ ବିଦାୟ ଦିଅନ୍ତି ଶୁକ୍ର ଅଶ୍ରୁଳ ନେତ୍ରେ ,
ଜାମାତାଙ୍କୁ ପାଶେ ବସାଇ ବୋଲନ୍ତି ଏହିମତେ।
“ଅଲିଅଳ କନ୍ୟା ମୋହର ଦାନ କଲି ତୁମ୍ଭଙ୍କୁ,
କ୍ଷଣକୋପୀ ଦେବଯାନୀ ମୋ, ନଧରିବ ଦୋଷକୁ।
ଶର୍ମିଷ୍ଠା ଯିବ ତା ସହିତେ ପ୍ରିୟ ଦାସୀ ରୂପରେ,
ରଖିଥିବ ତାକୁ ସର୍ବଦା ତୁମ୍ଭ ସମୀପୁଁ ଦୂରେ।

କ୍ରମଶଃ………

Click to rate this post!
[Total: 0 Average: 0]

Leave a Reply