Wednesday, February 28, 2024
Other Poems

ଦେବଯାନୀ(୩୩ତମ କଳିକା)

  • ଦେବଯାନୀ
    (ତ୍ରୟୋତ୍ରିଂଶ କଳିକା)
    ରାଗ:–କୌଶିକ
    ==================================
    ଦାନବ ଗୁରୁଙ୍କ ଆଶ୍ରମରୁ ଫେରି
    ନହୁଷ ନନ୍ଦନ ଯଯାତି,
    ବିଳମ୍ବ ପ୍ରହରେ ପହଞ୍ଚି ନବରେ
    ହଜାଇ ଦେଲେ ମନୁ ଶାନ୍ତି ,
    ନେତ୍ର ମନ୍ଦିରୁ ,ନିଦ୍ରାଦେବୀ ହେଲେ ଅନ୍ତର,
    ଦେବଯାନୀ ସ୍ମୃତି ହୃଦ ପାରାବାରେ ତୋଳିଲା ତରଙ୍ଗ ଅପାର।।

    ରୂପନଦୀ ବନ୍ୟା ଶୁକ୍ରାଚାର୍ଯ୍ୟ କନ୍ୟା
    ପ୍ଳାବିଲା ହୃଦୟ କେଦାର,
    ବୁଡିଗଲା ତହିଁ ମହାମହୀରୁହ
    ଧଇର୍ଯ୍ୟ ଶିଳା ରାଜାଙ୍କର,
    ଖଂଜନାକ୍ଷୀର, ଲଜ୍ଜାବନତ ମୁଖଚନ୍ଦ୍ର,
    କନକ ବରଣା ନିଟୋଳ ଯୌବନା ରୂପକୁ ଝୁରିଲେ ନରେନ୍ଦ୍ର।

    ନିଦ୍ରା ନ ଆସଇ କର ଲେଉଟାଇ
    ଶଯ୍ୟାରେ ହୁଅନ୍ତି ଅଧୀର,
    ଗବାକ୍ଷ ଫାଙ୍କରେ ଚାହିଁ ଗଗନରେ
    ତାରାପତି ଚତୁର୍ଦ୍ଦଶୀର,
    ମନେ ଭାଳନ୍ତି,ଆକାଶେ ଚାହିଁଛି ଛଇଳୀ,
    ପ୍ରଭେଦ ମାତର ମୁଖ ସୁମୁଖୀର କଳଙ୍କହୀନ ରୂପାଥାଳି।

    ଗଲା ଦେହେ ଖେଳି,ରୋମାଂଚ ବିଜୁଳି
    ମନେ ପଡନ୍ତେ ଅଙ୍ଗସ୍ପର୍ଶ,
    ଅନାବୃତ୍ତ ଅଙ୍ଗ ବଲ୍ଲରୀ ବାଳାର
    କୁପରେ ହୋଇଥିଲା ଦୃଶ୍ୟ,
    ନେତ୍ର ଯୁଗଳ,ଅବଗାହନ କରି ତହିଁ,
    ବିଚାରିଲେ ବିଶ୍ୱ ବ୍ରହ୍ମାଣ୍ଡ ସୌନ୍ଦର୍ଯ୍ୟ ସମତୁଲ ହେବ ତା କାହିଁ !

    ଆଶ୍ରମୁଁ ବିଦାୟ ହେଲେ ଯେବେ ରାୟ,
    ଅନାୟତ ଚକ୍ଷୁ ବାଳାର,
    କହୁଥିଲା ସତେ,”ଶୀଘ୍ର ଆସି ମୋତେ
    ଘେନିଯାଅ ପୁଂସ ପ୍ରବର,
    ନରବର ହେ,ଏ ତନୁ ମନ ତୁମ୍ଭର ହେ,
    ବରଜି ଜୀବନ ଦେବି ଆହେ ଧନ,ଅଙ୍କ ପର୍ଯ୍ୟଙ୍କୁ କଲେ ଦୂର।

    କୋଟିଏ ରୂପସୀ ଉପାଦାନ ପେଷି,
    ବିରଞ୍ଚି ଗୋଟିଏ ଛାଞ୍ଚରେ,
    ଦେଇଛନ୍ତି ଢାଳି ତହିଁରୁ ଉଛୁଳି,
    ଆସିଛି ଏତେ ସୁସଂଚରେ,
    ଦେବଯାନୀ କି,କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ କି !
    ରମ୍ଭା ମେନକା ଉର୍ବଶୀ ତାର ଦାସୀ ପଣେ ହେବେ ସମସରି କି !!

    ଏମନ୍ତ ବିଚାରେ ମଗ୍ନ ନରବର
    ରଜନୀ ହୋଇଗଲା ଶେଷ,
    ପରାଚୀ ଗଗନ ସିନ୍ଦୁର ସିନ୍ଧୁରୁ
    ଲମ୍ଫ ଦେଲେ ସୂର୍ଯ୍ୟ ସପ୍ତାଶ୍ୱ,
    ବିଭା ପ୍ରକାଶେ,ଉଜ୍ଜଳ ଦିଶେ ଦଶଦିଶ,
    ତୁଳିତଳ୍ପ ତେଜି ମନରୁ ବିରସ ତେଜିଲେ ହସ୍ତିନା ନରେଶ।

    କଲେ ମନେ ସ୍ଥିର ନହୁଷ କୁମର
    ଶୀଘ୍ର ଯାଇ ମୁନି ଆଶ୍ରମେ,
    ଦେବଯାନୀ ହସ୍ତ ମାଗି ନରନାଥ
    ବାନ୍ଧିବେ ବିବାହ ବନ୍ଧନେ,
    ପ୍ରାଣ ପ୍ରିୟାକୁ, ପାଶରୁ ନ କରିବେ ଦୂର ,
    ନିର୍ଲ୍ଲଜ କନ୍ଦର୍ପ ଦର୍ପ ଦୂର ପାଇଁ ଆଉ କି ଅଛି ପ୍ରତିକାର ??

    କ୍ରମଶଃ…….

Click to rate this post!
[Total: 0 Average: 0]

Leave a Reply