Thursday, June 13, 2024
Other Poems

ଦେବଯାନୀ(୨୯ତମ କଳିକା)

  • ଦେବଯାନୀ
    ଉନତ୍ରିଂଶ କଳିକା
    ରାଗ:–ଧନାଶ୍ରୀ
    (ବସି ବଶିଷ୍ଠ ,ଜାବାଳି,ବାମଦେବ କଶ୍ୟପ ସୁମନ୍ତ୍ର ଘେନି(ବୈଦେହୀଶ ବିଳାସ)ସ୍ୱରରେ ଗାଇବେ)
    ————————————————————

    ହସ୍ତିନା ଭୂପତି,ନୃପେନ୍ଦ୍ର ଯଯାତି ନହୁଷ * କୁଳନନ୍ଦନ,
    ବାହାରିଲେ ମୋଦେ କାନନ ବିନୋଦେ ହସ୍ତେ ଧରି ଶରାସନହେ
    ଆରୋହି ରହୁବର, #
    ଦିବ୍ୟ ବାଣେ ପୂରିତ ତୂଣୀର ହେ ।।

    କି ବର୍ଣ୍ଣିବା ରୂପ,ସାକ୍ଷାତ କନ୍ଦର୍ପ ଆଜାନୁ ଲମ୍ବିତ ବାହୁ,
    କର୍ଣ୍ଣରେ ଦୋଦୁଲ୍ୟ ମକର-କୁଣ୍ଡଳ ଅଙ୍ଗେ ସାଂଜୁ ଦାଉଦାଉ ହେ,
    କଟିଦେଶେ କୃପାଣ,
    ମସ୍ତକରେ ମୁକୁଟ ସୁବର୍ଣ୍ଣ ହେ।।

    ନିନ୍ଦେ ସୂର୍ଯ୍ୟକର € ନୃପତି ଶରୀର କପାଳେ ଚନ୍ଦ୍ରମା ତିଳ,
    ନୃପ ଚନ୍ଦ୍ରବଂଶୀ ରୂପ ପୂର୍ଣ୍ଣଶଶି ଲଳନା ମାନଙ୍କୁ କାଳ ହେ,
    ଦେଖି ରାଜାଙ୍କ ରୂପ,
    ସୁନ୍ଦରୀଏ ଆଚରନ୍ତି ତପ ହେ।।

    କେ ବୋଲେ ଗଙ୍ଗାରେ ଝାସିବି ଶରୀରେ ପାଇବାକୁ ଏ ପୁରୁଷ,
    ଆନ ବୋଲେ ବସି ହିମାଳୟେ ତପ ସାଧିବି ଶହେ ବରଷ ହେ,
    ପ୍ରାପ୍ତ ନୋହିଲେ ତାଙ୍କୁ,
    ବିସର୍ଜିବି ଅଗ୍ନିରେ ଦେହକୁ।।

    ଆରୋହି ସ୍ୟନ୍ଦନ £ ହସ୍ତିନା ରାଜନ ଯାଆନ୍ତେ ବନ-ବିନୋଦେ,
    ରାଜ କର୍ମଚାରୀ ଲେଉଟିଲେ ଫେରି ଛାମୁଙ୍କର ଆଜ୍ଞାମତେ ହେ,
    ଇଚ୍ଛାକଲେ ରାଜନ,
    ଏକାନ୍ତରେ ଭ୍ରମିବେ କାନନ ହେ।।

    ରାଜଧାନୀ ଅନ୍ତେ, ନୃପ ପ୍ରବେଶନ୍ତେ ଘୋର ଅଟବୀ ₹ ମଧ୍ୟରେ,
    ବେଳୁ ବେଳ ହୁଏ ନିଘଂଚ ବନାନୀ ନୃପ ଭାବେ ହଜିଗଲେ ହେ,
    ପ୍ରକୃତିର କୋଳରେ,
    ନାନା ବୃକ୍ଷ ଲତାଙ୍କ ମେଳରେ ହେ।।

    ଆମ୍ବ,ଜାମୁ,ବର,ନିମ୍ବ କନିଅର,କୋଚିଲା,ଅଶନ ଶାଳ,
    ପଣସ,ଖଜୁରି,ନାରିକେଳ ,ଜରି,ଅଶ୍ୱତ୍ଥ,କଦମ୍ବ,ତାଳ ହେ,
    ଗୁଳ୍ମ ନାନା ଜାତିର,
    ବନ ଶୋଭାରେ ନୃପ ବିଭୋର ହେ।।

    କୋଇଲି,କପୋତି ଯେ କଜଳପାତି,ବାଇଚଡେଇ,ଟେଣ୍ଟେଇ
    ଭଦଭଦଳିଆ,କୁମ୍ଭାଟୁଆ ଛୁଆ,ମାଛରଙ୍କା,ଫୁଲଚୁଇଁ ହେ, କାକ,ବଣିଚଡେଇ ,
    ଉଡୁଥିଲେ ବୃକ୍ଷୁବୃକ୍ଷେ ଡେଇଁ ହେ।।

    ଗୟଳ,ଶିଙ୍ଘାଳ,ବ୍ୟାଘ୍ର ମହାବଳ ,ହସ୍ତୀ,ଭଲ୍ଲୁକ ଶିଆଳ,
    କୃଷ୍ଣସାର,ହେଟା,ଠେକୁଆ,ବାରହା,ହରିଣଯୂଥ ସକଳ ହେ,
    ଶାଖାମୃଗ $ ବୃକ୍ଷରେ,
    ଡେଉଁଥିଲେ ମନ ଆନନ୍ଦରେ ହେ।।

    ବନ ସୁସମାରେ ହଜିଯାଇଥିଲେ ନିଜେ ହସ୍ତିନା ନରେଶ,
    ବୃକ୍ଷେ ଥାଇ ଶାରୀ ବୋଲେ”ଦଣ୍ଡଧାରୀ ସୁସ୍ୱାଗତମ୍ ବନଦେଶ ହେ”,
    କୁମ୍ଭାଟୁଆ କୁହାଟେ,
    ଯଥା ପ୍ରଶସ୍ତି ପଢନ୍ତି ଭାଟେ ହେ।।

    ଶାରୀକୁ ବୋଲଇ ଶୁଆ “ଦେଖ ସହୀ ,ଏ ହସ୍ତିନା ଦଣ୍ଡଧର,
    ତାଙ୍କରି ଦୟାରେ ଏ ବନେ ଶାନ୍ତିରେ ବିତେ ଜୀବନ ଆମ୍ଭରଗୋ,
    ନୃପ ପ୍ରକୃତି-ମିତ୍ର,
    ବନ ରକ୍ଷଣରେ ସିଦ୍ଧହସ୍ତ ଗୋ।।

    ଦଣ୍ଡକୁ ଭୋଗନ୍ତି ପ୍ରଜାଏ କରନ୍ତି ଯେବେଟି ବୃକ୍ଷ କର୍ତ୍ତନ,
    ବନେ ପ୍ରାଣୀ ହତ କଲେ ତାଙ୍କ ହସ୍ତ କାଟିଦିଅନ୍ତି ରାଜନ ହେ,
    ଜାଣିଛନ୍ତି ନରେଶ,
    ବନ ସମ୍ପଦେ ସମୃଦ୍ଧ ଦେଶ ହେ”।।

    ବାଇଆ ବସାରେ ବସିଣ ଚଢେଇ ଆନନ୍ଦେ ଖେଳଇ ଦୋଳି,
    ନୃପ ଆଗମନେ ଆସିଣ ସ୍ୟନ୍ଦନେ ବସି ପୁଣି ଯାଏ ଚଳି ହେ,
    ଦେଖି କୁମୁଦ ତାର,
    ହେଲେ ନରେଶ ପ୍ରୀତ ଅପାର ହେ।।

    ପଥ ବେନିପ୍ରାନ୍ତେ ରହି ହସ୍ତୀଯୂଥେ କରନ୍ତି ଅଭିବାଦନ,
    ଶୁଣ୍ଡ ଉପରକୁ ମସ୍ତକ ତଳକୁ ଆନନ୍ଦେ କରି ଦୋଳନ ହେ,
    ରାଜା ଆନନ୍ଦଭରେ,
    ଶିର ନୁଆଁଇଲେ ସେ ଭଙ୍ଗିରେ ହେ।।

    ଚଳଇ ସ୍ୟନ୍ଦନ ପବନ ସମାନ,ବହୁପଥ ଅତିକ୍ରାନ୍ତେ,
    ଦେଖିଲେ ଭୂପାଳ ପଥରେ ନକୁଳ ଭଦଳିଆ ବନପ୍ରାନ୍ତେ ହେ,
    ଭାଳନ୍ତେ ‘ଶୁଭଦିନ’,
    କର୍ଣ୍ଣେ ପଡିଲା ନାରୀ କ୍ରନ୍ଦନ ହେ।।
    ——————————————————————–
    * ନହୁଷ—ଚନ୍ଦ୍ରବଂଶୀ ରାଜା—କୌରବଙ୍କ ପୂର୍ବଜ
    #ରହୁବର—ରଥ
    €ସୂର୍ଯ୍ୟକର—ସୂର୍ଯ୍ୟକିରଣ
    ₹ଅଟବୀ—ଅରଣ୍ୟ
    $ଶାଖାମୃଗ—ମାଙ୍କଡ
    £ ସ୍ୟନ୍ଦନ—ରଥ

    କ୍ରମଶଃ—-

    (କଲମର ନାମ ଅବିନାଶ)

Click to rate this post!
[Total: 0 Average: 0]

Leave a Reply