Friday, February 23, 2024
Other Poems

ତମିସ୍ରାର ମାୟା

ତମିସ୍ରାର ମାୟା
——————–
ଚାହିଁଥିଲି ଯେବେ ଅନନ୍ତ ଆକାଶେ
ବସି ତମିସ୍ରା କୋଳରେ,
ସୃଷ୍ଟିର ସଂଗୀତ ନୀରବେ ଛୁଇଁଲା
ଚେତନାକୁ ଆସି ଧୀରେ।।

ଅଗଣିତ ତାରା ଲକ୍ଷ ଲକ୍ଷ ହୀରା,
ଚାହୁଁଥିଲେ ହସି ହସି,
ରାତ୍ରି-ରାଣୀର ସ୍ୱପ୍ନମାନେ ସବୁ
ଛାୟାପଥେ ଥିଲେ ବସି।।

ଲୀଳାମୟଙ୍କର ସୁଦର୍ଶନପରି
କି ବିଶାଳ କ୍ରାନ୍ତିବୃତ୍ତ !!,
କୋଟି କୋଟି ତାରା-ଗ୍ରହର ଜାଜ୍ୱଲ୍ୟ
ତା’ଦେହରୁ ବିଚ୍ଛୁରିତ।।

ଏ ନୁହେଁ ସପ୍ତର୍ଷି, ମେରୁଉର୍ଦ୍ଧ୍ୱେ ବସି
ସପ୍ତ ଦେବକନ୍ୟାଗଣ,
ବରଷାଉଥିଲେ ସୃଷ୍ଟିରେ ଅମୃତ
ପଡୁଥିଲା ତାର କଣ।।

ରଜନୀ ଗଭାରୁ ମୁକ୍ତାଫୁଲ ଏକ
ପଡିଗଲା ଧରଣୀରେ,
ବିଚାରିଲି ତାକୁ ହାତେ ତୋଳିନେଇ
ଦେବି ସ୍ରଷ୍ଟାଙ୍କ ପୟରେ।।

ରାତ୍ରିରେ କାହିଁକି ଏତେ ଆଶୀର୍ବାଦ
ଅନନ୍ତରୁ ପଡେ ଖସି !
ଦିନ ଆଲୁଅରେ ଏତେ ଅନ୍ଧକାର
କେଉଁଠାରୁ ଥାଏ ଆସି ??

ମହାନ ଅନନ୍ତ କାଳ ପରିଚୟ
ରାତ୍ରି ନୀରବ ସଂଗୀତ,
ପ୍ରତି ରଜନୀରେ କରେ ଏକାନ୍ତରେ
ହୃଦୟ ବୀଣାରେ ନୃତ୍ୟ।।

(କଲମର ନାମ—-ଅବିନାଶ)

Click to rate this post!
[Total: 0 Average: 0]

Leave a Reply