Wednesday, February 21, 2024
Stories

ଡଷ୍ଟବିନ୍’ର ପିଲାଟି

ଡଷ୍ଟବିନ୍’ର ପିଲାଟି
(କ୍ଷୁଦ୍ର ଗଳ୍ପ)
———————
ସନ୍ଧ୍ୟା ନଇଁ ଆସୁଥିଲା।ନିଜ ଅଫିସରେ ବସି ପ୍ରକାଶ ସିଂ ଉର୍ଫ୍ ‘ହିଞ୍ଜୁଦାଦା’ ଦୁଇ ବାହୁ ଉପରକୁ ଟେକି ହାଇ ମାରୁଥିଲା।ଏକ ପ୍ରକାର ତୃପ୍ତି ତା ମୁହଁରେ ନାଚକୁଦ କରିବା ଆରମ୍ଭ କରି ଦେଇ ଥିଲେ ।ମନ ଖୁସି ନହେବ ବା କାହିଁକି?ଦଶବର୍ଷ ତଳ କଥା ମନେ ପଡ଼ିଲା ତାର।ପୁଅ ବସନ୍ତ ଜନ୍ମ ହେବା ସମୟରେ ଦୁଧ ଟିକିଏ କିଣିବାପାଇଁ ତା’ ହାତରେ କାଣି କଉଡିଟିଏ ବି ନଥିଲା। ସ୍ତ୍ରୀ ସୁଗୁଣା’ର ହାତରେ ଚାରିପଟ ପାଣିକାଚ ଛଡା ଦେହରେ ଆଉକିଛି ଗହଣାଗାଣ୍ଠି ନଥିଲା।ଓଳିଏ ଖାଇଲେ ଓଳିଏ ଉପବାସ ରହୁଥିଲେ ପରିବାରର ଲୋକମାନେ।ଅଥଚ ଆଜି ସେ ରାଜଧାନୀ ଦିଲ୍ଲୀରେ ଜଣେ ସଫଳ ମଣିଷ ଭାବରେ ନିଜକୁ ବିବେଚନା କରେ। ଯମୁନା ବିହାର ଠାରୁ ଅଳ୍ପ ଦୂରରେ ଅଧା ଏକର ପରିମିତ ସ୍ଥାନରେ ନିର୍ମାଣ କରିଛି ସେ ନିଜର ଆଲିସାନ୍ ବଙ୍ଗଳା।ପରିସର ଭିତରେ ତା’କର୍ମଚାରୀ ମାନଙ୍କ ପାଇଁ ମଧ୍ୟ ନିର୍ମିତ ହୋଇଛି ସ୍ବତନ୍ତ୍ର ଘର।ପରିସର ଭିତରେ ସୁନ୍ଦର ଫୁଲ ବଗିଚାଟିଏ ମଧ୍ୟ ସୃଷ୍ଟି କରିଛି ସେ।

====ଏ ସବୁ ସମ୍ଭବ ହୋଇଛି ସେ ପ୍ରତିବନ୍ଧିତ ଦୁନିଆଁରେ ପ୍ରବେଶ କରିବା ପରଠାରୁ।ସେ ଚୋରି ଡକାୟତି କରିନି,ବା ଗଞ୍ଜେଇ ବ୍ରାଉନ ସୁଗାର ବା ମଦ ଧନ୍ଦା କରିନି; କିନ୍ତୁ କୋଡ଼ିଏଟି ତୃତୀୟ ଲିଙ୍ଗୀଙ୍କୁ ଯୋଗାଡ଼ କରି ସେମାନଙ୍କ ସାହାଯ୍ୟରେ ବଡବଡିଆଙ୍କ ଠାରୁ ଟଙ୍କା ଆଦାୟ କରିଛି।କାହା ଘରେ ପିଲା ଜନ୍ମ ହେଲା ବା କାହାଘରେ ବାହାଘର-ବ୍ରତଘର ହେଲା ତ “ହିଞ୍ଜୁଦାଦା”ପାଖରେ ଆଗତୁରା ଖବର ପହଞ୍ଚିଯାଏ।ତା’ପରର କାମ ତାର ହିଞ୍ଜିଡା ଦଳ କରନ୍ତି।ଭଲ ଦି’ପଇସା ମିଳେ ଏଭଳି ସାମାଜିକ ଉତ୍ସବରେ।ତାଛଡା ବସଷ୍ଟାଣ୍ଡ, ମନ୍ଦିର, ରେଳଷ୍ଟେସନ ଇତ୍ୟାଦି ସ୍ଥାନ ମାନଙ୍କର ତା’ ହିଞ୍ଜଡା ଦଳ “ଏ ରାଜା,ଦେ’ ନାଁ,ଏ ସେଠ୍ ଦେ ନାଁ କହି ତାଳିମାରି ଲୋକଙ୍କ ପକେଟରୁ ଭଲ ଦିପଇସା ଝଡାନ୍ତି।ତାଳିମାରି ପଇସା ଆଦାୟ କରିବାର କଳାରେ ସେମାନଙ୍କୁ ଉପଯୁକ୍ତ ଟ୍ରେନିଂ ଦିଆଯାଇଥାଏ ପ୍ରଥମ ନିଯୁକ୍ତି ସମୟରୁ।

===କିନ୍ତୁ ପ୍ରକୃତ ମୋଟା ରୋଜଗାର ହୁଏ ରାତି-ଧନ୍ଦାରୁ।ଛୋଟରୁ ଆରମ୍ଭକରି ବଡ଼ ହୋଟେଲ ପର୍ଯ୍ୟନ୍ତ ଅନେକ ସ୍ଥାନରେ ଦେହବ୍ୟବସାୟର ଚାହିଦା ଖୁବ୍ ଅଧିକ। ସେମାନଙ୍କ ଚାହିଦା ଅଧିକାଂଶ ସମୟରେ ମେଣ୍ଟେଇବ ପାରେନାହିଁ ପ୍ରକାଶ।ବେଳେ ବେଳେ ସେ ଆଶ୍ଚର୍ଯ୍ୟ ହୁଏ, ତୃତୀୟ ଲିଙ୍ଗୀ ମାନଙ୍କପାଇଁ ଏତେ ଭିଡ଼ କାହିଁକି,ଏତେ ଚାହିଦା କାହିଁକି! ଅଦ୍ଭୁତ ମଣିଷର ମନସ୍ତତ୍ତ୍ୱ!

====ସେମାନଙ୍କ ମଧ୍ୟରୁ କେତେଜଣକୁ ସେ ପାଇଛି ନୂଆଦିଲ୍ଲୀ ରେଳଷ୍ଟେସନରୁ।ଦୁଇଜଣଙ୍କୁ ମଧ୍ୟ ସେ ସଂଗ୍ରହ କରିଛି ରାସ୍ତା କଡ଼ରେ ଥିବା କୁଢାଡବା’ରୁ,ଯାହାଙ୍କୁ ଜନ୍ମରୁ ତୃତୀୟ ଲିଙ୍ଗୀ ଦେଖି ବାପମା’ ଫିଙ୍ଗି ଦେଇଥିଲେ ଲୋକ ଲଜ୍ୟାକୁ ଡରି।ଏମାନଙ୍କ ଭିତରେ କିଛି ଅଛନ୍ତି, ଯେଉଁମାନେ ଜନ୍ମରୁ ତୃତୀୟ ଲିଙ୍ଗୀ ନୁହଁନ୍ତି; ସେମାନଙ୍କୁ ଅସ୍ତ୍ରୋପଚାର କରି ଜବରଦସ୍ତ ତୃତୀୟ ଲିଙ୍ଗୀ କରାଯାଇଛି ଧନ୍ଦା କରି ରୋଜଗାର କରିବା ପାଇଁ।ସେ ସମସ୍ତଙ୍କୁ ରହିବାପାଇଁ ଘର ଏବଂ ପେଟକୁ ଦାନା ଦେଇଛି ହିଞ୍ଜୁଦାଦା। ଏ ସହର ମାୟାବିନୀ,ସେ ମାୟା ଭିତରେ ଏହି ତୃତୀୟ ଲିଙ୍ଗୀ ବ୍ୟବସାୟ ମଧ୍ୟ ଏକ ବିରାଟ ମାୟା।

====ଏ ବ୍ୟବସାୟ ଚଳାଇବା ଏତେ ସହଜ କଥା ନୁହେଁ, ସେଥିପାଇଁ ପୋଲିସକୁ ଟଙ୍କାଦେଇ ହାତରେ ରଖିବାକୁ ପଡେ। ପୋଲିସ ସବୁ‌ଜାଣେ,କେତେବେଳେ, କେଉଁଠି କେଉଁ ଭିକାରୀ ପିଲାକୁ ଅସ୍ତ୍ରୋପଚାର କରାଗଲା, କେଉଁଠାରୁ ପରିତ୍ୟକ୍ତ ତୃତୀୟ ଲିଙ୍ଗୀ ସଂଗ୍ରହ କରାଗଲା, କେଉଁ ହୋଟେଲକୁ‌ କେତେବେଳେ ଦେହ ବ୍ୟବସାୟ ପାଇଁ କାହାକୁ ପଠାଗଲା,ସବୁ ଖବର ପୋଲିସ ପାଖରେ ରହିଥାଏ,ମୋଟା ଟଙ୍କାର କାର୍ପେଟ୍ ତା’ଉପରେ ଢଙ୍କାଯାଇଥାଏ।

====ଆଜି ପ୍ରକାଶ ଉର୍ଫ୍ ହିଞ୍ଜୁଦାଦା ଜୀବନରେ ଏକ ଅଦ୍ଭୁତ ଘଟଣା ଘଟିଛି।ତା’ହିଞ୍ଜିଡା ଦଳର ପୁରୁଖା ସଦସ୍ୟା ରାନୁଦିଦୀ ସଫଦରଜଙ୍ଗ୍ ଡାକ୍ତର ଖାନା ବାହାରେ ଥିବା ଡଷ୍ଟବିନ୍’ରୁ ପାଇ ଗୋଟିଏ ତୃତୀୟ ଲିଙ୍ଗୀ କଅଁଳା ପିଲାକୁ ନେଇ ଆସିଛି।ତାକୁ ଦେଖି ପ୍ରଥମେ ହିଞ୍ଜୁଦାଦା ବିରକ୍ତ ହୋଇ କହିଲା…ଏ ହଇରାଣକୁ ଗୁଆପାନ ଦେଇ କେଉଁଠୁ ନିମନ୍ତ୍ରଣ କରି ଆଣିଲୁ ରାନୁଦିଦୀ?

====ରାନୁଦିଦୀ କହିଲା….ଡଷ୍ଟବିନ୍’ରେ ପଡି ବହୁତ୍ ବିକଳ ହେଇ ଛୁଆଟା କାନ୍ଦୁଥିଲା, ସମ୍ଭାଳି ପାରିଲିନି ଦାଦା,ଦେଖିଲା ବେଳକୁ ଆମରି ଗୋଷ୍ଠୀର; କିଛି ଅସୁବିଧା ହବନି ଦାଦା, ମୁଁ ତାକୁ ପାଳିବି।ଆମେ ସମସ୍ତେ ମିଶି ତାର ଯତ୍ନ ନେବୁ।
ପିଲାଟାକୁ ଦେଖି ମନରେ ଦୟା ହେଲା ‘ହିଞ୍ଜୁଦାଦା’ର..ଗୋରା ତକତକ୍ ଚେହେରା, ବଡଲୋକ ଘରର ପିଲା ଭଳି ଦେଖାଯାଉଥାଏ।ଭାବିଲା…ଭଲ ହେଲା, ବଡ଼ ହେଲେ ଭଲ ରୋଜଗାର କରିବ।

====ହିଞ୍ଜୁଦାଦା ତା’ଦଳକୁ ଆସିଥିବା ଏହି ନୂଆ ସଦସ୍ୟ କଥା ଭାବୁଥିବା ବେଳେ,ରାନୁଦିଦୀ ଝଡବେଗରେ ଭିତରକୁ ପଶିଆସି କହିଲା….ଦାଦା, ଗୋଟାଏ ସ୍ତ୍ରୀ ଲୋକ ତୁମକୁ ସାକ୍ଷାତ କରିବାକୁ ବାହାରେ ଅପେକ୍ଷା କରିଛି, ବହୁତ୍ କାନ୍ଦୁଚି; ଯେଉଁ ପିଲାକୁ ଆମେ ଆଣିଚେ, ତାର ମାଆ ହବନା କ’ଣ।
ହିଞ୍ଜୁଦାଦା କହିଲା…ତାକୁ ଭିତରକୁ ଡାକ୍।

=====ଘର ଭିତରେ ପ୍ରବେଶ କଲା ଗୋଟିଏ ସୁଦୃଶ୍ୟା ମହିଳା; ବେଶଭୂଷାରୁ ଜଣାଯାଇଥିଲା ବଡଲୋକ ଘରର ଝିଅ ବୋହୁ ଭଳି। ସିଧା ହିଞ୍ଜୁଦାଦାର ଗୋଡତଳେ ପଡିଯାଇ କହିଲା…ମୋ ଉପରେ ଦୟାକର ଦାଦା,ମୋ ଛୁଆକୁ ମତେ ଫେରେଇ ଦିଅ।

====ହିଞ୍ଜୁଦାଦା କହିଲା…ଆମେ ଯେଉଁ ପରିତ୍ୟକ୍ତ ଛୁଆକୁ ଆଣିଚୁ ସେ ଏକ ତୃତୀୟଲିଙ୍ଗୀ ପିଲା।ସେ ତୁମ ପିଲା ବୋଲି କଣ ମାନେ ଅଛି?
ମହିଳା ଜଣକ କହିଲା…ଦାଦା, ମୁଁ ଜଣେ ଡାକ୍ତରାଣୀ,ମୋ ପତି ଜଣେ ଉଚ୍ଚପଦସ୍ଥ ସରକାରୀ ଅଫିସର।ପିଲା ଜନ୍ମ ହେଲାପରେ ଲଜ୍ଜା ଘୋଡାଇବାକୁ ମୋ ସ୍ବାମୀ ପିଲାଟିକୁ ଡଷ୍ଟବିନ୍’ରେ ପକାଇ ଦେଇଥିଲେ।ତୁମ ଲୋକ ଆଣିଛନ୍ତି ବୋଲି ଲାଞ୍ଚୁଆ ପୋଲିସ ଠାରୁ ଜାଣିବାପରେ ମୁଁ ଆସିଛି ତାକୁ ନେଇ ଯିବାପାଇଁ।

====ହିଞ୍ଜୁଦାଦା କହିଲା…ତୁମ ପତିର କଣ ହୃଦୟ ପରିବର୍ତ୍ତନ ହେଇଗଲା।ତୁମେ ତାକୁ ଘରକୁ ନେଲାପରେ ସେ ତାକୁ ଆଉଥରେ କୁଆଡେ ଫିଙ୍ଗି ନଦେବ ବୋଲି କିଛି ମାନେ ଅଛି? କାହିଁକି ପିଲାଟାର ଜୀବନକୁ ବିପଦ ଟାଣିଆଣୁଛ? ଏଠାରେ ବଡ଼ ହୋଇ, ଆମ ଧନ୍ଦାରେ ମିଶି, ନିଜ ଗୋଷ୍ଠୀ ଠାରୁ ସ୍ନେହ ଶ୍ରଦ୍ଧା ପାଇବ।ତୁମ ସମାଜରେ ତାକୁ ବ୍ୟଙ୍ଗ,ବିଦ୍ରୂପ ଛଡ଼ା ଆଉ କ’ଣ ମିଳିବ?

====ମହିଳାଟି କହିଲା…ଦାଦା,ଡାକ୍ତରାଣୀ ହୋଇ ଥିବାରୁ ମୁଁ ଜାଣେ ଯେ ଗର୍ଭାଶୟରେ ଥିଲାବେଳେ ପିଲାର ହର୍ମୋନାଲ୍ ଅସନ୍ତୁଳନ ଯୋଗୁଁ ଏଭଳି ହୋଇଥାଏ।ଶୈଶବରୁ ତିନିମାସ ଭିତରେ ପିଲାର ଶରୀରରେ ଅସ୍ତ୍ରୋପଚାର କରି,ଦେହରେ ଉପଯୁକ୍ତ ଆବଶ୍ୟକୀୟ ହରମୋନର ସନ୍ତୁଳନ ସୃଷ୍ଟିକଲେ,ପିଲାର ତୃତୀୟଲିଙ୍ଗୀ ଚରିତ୍ରରେ ପରିବର୍ତ୍ତନ ହୋଇଥାଏ।ସେ ସମ୍ପୂର୍ଣ ପୁଅ କିମ୍ବା ଝିଅରେ ପରିଣତ ହୋଇଥାଏ। ଏହା ଆମ ଦେଶର ଡାକ୍ତରମାନେ ସଫଳତାର ସହିତ କରି ପାରିଛନ୍ତି। ମୋ ପିଲାକୁ ମୁଁ ଉପଯୁକ୍ତ ଚିକିତ୍ସା ଦେଇ ତାର ଏକ ନିଶ୍ଚିତ ପରିଚୟ ସୃଷ୍ଟି କରିବି ଦାଦା।ମୋ ଉପରେ ଦୟାକର,ମୋ ଛୁଆକୁ ମତେ ଦେଇଦିଅ।

====ହିଞ୍ଜୁଦାଦା କହିଲା…ଆଉ ତୁମ ସ୍ବାମୀ,ସେ କ’ଣ ଫିଙ୍ଗି ଦେଇଥିବା ପିଲାକୁ ପୁଣି ଥରେ ଗ୍ରହଣ କରିବେ?
ମହିଳା ଜଣକ କହିଲା.. ସେଥିପାଇଁ ମୋର ଖାତିର୍ ନାହିଁ ଦାଦା। ଆବଶ୍ୟକ ପଡିଲେ ମୁଁ ତାଙ୍କୁ ଛାଡ଼ପତ୍ର ଦେବି। ମୁଁ ମୋ ଛୁଆପାଇଁ ସ୍ଵତନ୍ତ୍ର ସ୍ଥାନ ଓ ପରିଚୟ ସୃଷ୍ଟି କରିବି।ମୋ ଛୁଆପାଇଁ ମୁଁ କିଛି ବି କରିପାରେ।ସେ ମୋର ଅମୂଲ୍ୟ ମୋତି,ମୋତିକୁ କିଏ କଣ କୁଢାଦାନାକୁ ଫିଙ୍ଗିଦେଲାଣି !

====କିଛି ସମୟର ନୀରବତା ପରେ ହିଞ୍ଜୁଦାଦା ରାନୁକୁ ଚାହିଁ କହିଲା… ଛୁଆକୁ ତାଙ୍କର ଦେଇଦେ ରାନୁଦିଦୀ।

ଛୁଆକୁ ମାଆ କୋଳରେ ଟେକି ଦେଲାବେଳେ ରାନୁଦିଦୀର ଆଖିରୁ ଲୁହ ବହି ଯାଉଥିଲା। ଗୋଟିଏ ଦିନରେ କେତେ ମାୟା ଲଗେଇ ଦେଇଥିଲା ଡଷ୍ଟବିନ୍’ର ପିଲାଟି।

ଛୁଆକୁ କୋଳରେ ପାଇ ଆନନ୍ଦାଶ୍ରୁ ଝରି ଯାଉଥିଲା ମାଆର ଆଖିରୁ।ଚୁମା ପରେ ଚୁମା ଆଙ୍କି ଦେଉଥିଲା ସେ ନଵଜାତକର ମୁଁହଁରେ।ପିଲାଟି ମାଆର ଛାତି ଭିତରେ ମୁହଁ ଲୁଚେଇ ଖୋଜୁଥିଲା ମମତାର ନିର୍ଝର। ସବୁ ହିଞ୍ଜଡାମାନେ ଏକାଠି ହୋଇ ସେମାନଙ୍କ ଚିରାଚରିତ ଆଶୀର୍ବାଦ ଗୀତ ଗାଇବା ଆରମ୍ଭ କରିଦେଲେ।ହିଞ୍ଜୁଦାଦାର ପଥର ହୃଦୟ ମଧ୍ୟ ତରଳି ଗଲା।ଆଖି କୋଣରେ ଦେଖାଗଲା ଦିଟୋପା ଲୁହ।

Click to rate this post!
[Total: 0 Average: 0]

Leave a Reply