Wednesday, February 28, 2024
Devotional Poems

ଗୀତାଜ୍ଞାନ

ଗୀତା ଜ୍ଞାନ (୪୧)
ଶ୍ରୀମଦ୍ଭଗବଦ୍ ଗୀତା
ଏକାଦଶ ଅଧ୍ୟାୟ
ବିଶ୍ଵରୂପଦର୍ଶନଯୋଗ
ଭାବାନୁବାଦ
ଶ୍ଳୋକ ସଂଖ୍ୟା ୨୧ ରୁ ୩୩
=================================
ମହାପ୍ରଭୁଙ୍କ ବିଶ୍ଵରୂପ
=================================
ଶ୍ରୀକୃଷ୍ଣଙ୍କ ବିଶ୍ଵରୂପ ଦର୍ଶନ କରି ଭୟଭୀତ ଅର୍ଜୁନ କହୁଛନ୍ତି….

ସ୍ବର୍ଗୁ ଦେବଗଣ ପ୍ରବେଶ କରିଣ
ତୁମ୍ଭର ଏ ଶରୀରରେ,
ହୋଇ ଭୟଭୀତ ପୁଣି ଯୋଡହସ୍ତେ
ସ୍ତୁତି କରନ୍ତି ଉଚ୍ଚରେ।

ମହର୍ଷି ଵିଜ୍ଞାନୀ ସିଦ୍ଧ ଯୋଗୀ ମୁନି
ସୁଉଚ୍ଚେ କରନ୍ତି ସ୍ତବ,
ବାଂଛିଣ କଲ୍ୟାଣ କରି ସ୍ତୋତ୍ରଗାନ
ପ୍ରବେଶନ୍ତି ଦେହେ ତବ।

ରୁଦ୍ର, ସୂର୍ଯ୍ୟ ଦେବ,ସାଧ୍ୟ,ବିଶ୍ବଦେବ,
ବସୁ,ଅଶ୍ବିନୀକୁମାର ,
ଯକ୍ଷ,ପିତୃଗଣ ରକ୍ଷ, ସିଦ୍ଧିଗଣ
ତଥା ଗନ୍ଧର୍ବ ଅସୁର ।

ଦେଖନ୍ତି ସମସ୍ତେ ତୁମ୍ଭଙ୍କୁ ଚକିତେ
ପ୍ରବେଶି ତୁମ୍ଭ ଶରୀରେ,
ହେ ବିଶ୍ବସ୍ବରୂପ ଅଦ୍ଭୁତ ଏରୂପ
ସନ୍ତାପ ଆଣେ ମନରେ।

ବହୁମୁଖ, ନେତ୍ର,ଭୁଜ, ଉରୁ,ଗାତ୍ର
ଅଗଣିତ ପାଦ ପାଣି,
ବିକଟାଳ ଦନ୍ତପନ୍ତି ଅସୁମାରି
ମନେ ଭୟ ଦିଏ ଆଣି।

ରୂପ ତେଜୋବନ୍ତ ଛୁଇଁଛି ଅନନ୍ତ
ତୁମ୍ଭ ମୁଖ ବିସ୍ତାରିତ,
ଜ୍ଵଳନ୍ତ ବିଶାଳ ସେ ନେତ୍ର ଯୁଗଳ
ଦେଖି ମୁହିଁ ଭୟଭୀତ।

ମୋ ଅନ୍ତଃକରଣ କରେ ଆନ୍ଦୋଳନ
ମନେ ନାହିଁ ଧୈର୍ଯ୍ୟ, ଶାନ୍ତି,
ଦେଖି ତବ ରୂପ ପ୍ରଳୟ ସ୍ଵରୂପ
ଆସଇ ଅନେକ ଭ୍ରାନ୍ତି।

ଦିଗ ବିଦିଗର ଜ୍ଞାନ ନୋହେ ମୋର
ମନ ଅଶାନ୍ତ ଉଦ୍ବେଳ,
ଦେଖି ହେ ଅସୀମ ! ପ୍ରଳୟାଗ୍ନି ସମ
ମୁଖ ଦନ୍ତ ବିକଟାଳ।

ଛାଡ ଏହି ରୂପ ହେ ବିଶ୍ବସ୍ବରୂପ
ପ୍ରସନ୍ନ ହୁଅ ମୋ ଠାରେ,
ଦେଖି ନପାରଇ ମୁହିଁ ଭୟଙ୍କର
ବିଶ୍ବରୂପ ତୁମ୍ଭଠାରେ।

ପାଣ୍ଡୁ ଯୋଦ୍ଧାଗଣ,ଭୀଷ୍ମ,ଦ୍ରୋଣ କର୍ଣ୍ଣ
ପ୍ରବେଶନ୍ତି ତୁମ୍ଭ ଗାତ୍ରେ
ତୁମ୍ଭ ବିକଟାଳ ମୁଖରେ ପ୍ରବେଶ
ହେଉଛନ୍ତି କୁରୁ ପୁତ୍ରେ।

ଦନ୍ତପନ୍ତି ଯୁକ୍ତ ଭୟାନକ ମୁଖେ
ଦ୍ରୁତେ ହୁଅନ୍ତି ପ୍ରବେଶ,
ଲାଗିଅଛି ଦନ୍ତ ସନ୍ଧି ମଧ୍ୟେ ତାଙ୍କ
ଚୂର୍ଣ୍ଣମୁଣ୍ଡ ଅବଶେଷ।

ସ୍ବାଭାବିକ ଭାବେ ତଟିନୀର ଜଳ
ପ୍ରବେଶେ ଯଥା ସାଗରେ,
ଧରଣୀର ମହାଶୂରବୀର ତଥା
ପ୍ରବେଶନ୍ତି ମୁଖଦ୍ବାରେ।

ପ୍ରଜ୍ବଳିତ ଅଗ୍ନି ଦେଖିଲେ ପତଙ୍ଗ
ହୁଏ ଯେହ୍ନେ ଆକର୍ଷିତ,
ହୋଇ ମୋହବଶ ଲଭଇ ବିନାଶ
ଅଗ୍ନିକୁ ହୋଇ ଧାବିତ।

ତେମନ୍ତ ପ୍ରକାର ଅଗଣିତ ନର
ଧାବନ୍ତି ଦୃତଗତିରେ,
ହୋଇ ମୋହାବିଷ୍ଟ ହୁଅନ୍ତି ପ୍ରବିଷ୍ଟ
ତୁମ୍ଭର ମୁଖ ଗହ୍ବରେ।

ତୁମ୍ଭ ପ୍ରଜ୍ବଳିତ ବହୁମୁଖ ଗର୍ତ୍ତ
ଗ୍ରାସେ ସମଗ୍ର ବିଶ୍ବକୁ,
ଲେଲିହାନ ଜିହ୍ବା ଚତୁର୍ପାଶ୍ବ ଚାଟେ
ସନ୍ତାପିତ ଜଗତକୁ।

ଉଗ୍ରରୂପଧାରୀ କୁହ ଦୟାକରି
କିଏ ତୁମ୍ଭେ ବିଶ୍ବଦେବ !
ଘେନ ମୋ ପ୍ରଣାମ ଦୂରକର ଭ୍ରମ
ଦେଇ ପରିଚୟ ତବ।

ଶ୍ରୀକୃଷ୍ଣ କହୁଛନ୍ତି:———-

“ପାପ ଧ୍ବଂସକାରୀ ବର୍ଦ୍ଧିତ କାଳ ମୁଁ
ଆସିଛି ସଂହାର ପାଇଁ,
ଯେତେ ଛନ୍ତି ବୀର ଶତ୍ରୁ ଯେ ତୁମ୍ଭର
କେହି ବି ବଞ୍ଚିବେ ନାହିଁ।

କର ବା ସମର ଅଥବା ନକର,
ଧ୍ବଂସ ହେବେ ହସ୍ତେ ମୋର,
ଭବିତବ୍ୟ ଯାହା ଅବଶ୍ୟ ଘଟିବ
ତୁମ୍ଭେ ନିମିତ୍ତ ମାତର।

ତେଣୁ ଯୁଦ୍ଧକର ତୁମ୍ଭେ ମହାବୀର
ଲଭ ଯଶ, ରାଜ୍ୟ ଜୟ,
ହୋଇଛନ୍ତି ହତ ଏ’ଶତ୍ରୁ ସମସ୍ତ
ପୂର୍ବରୁ ହେ ଧନଞ୍ଜୟ।
==============================
ଅନ୍ତଃଦୃଷ୍ଟି
==========
ମହାପ୍ରଭୁଙ୍କ “ବିଶ୍ଵରୂପ ଦର୍ଶନ” ଗୀତାର ଶ୍ରେଷ୍ଠ ଉପାଖ୍ୟାନ।ଏହା ଜଗତପ୍ରତି ସାଙ୍କେତିକ ବାଣୀ ଯେ ପରମାତ୍ମା ସର୍ଵତ୍ର ବିରାଜମାନ ସର୍ବ ଶକ୍ତିମାନ ଏବଂ ସର୍ବଦ୍ରଷ୍ଟା।ସେ ହିଁ କାରକ ଏବଂ କାରଣ।ସବୁ ତାଙ୍କ ନିର୍ଦ୍ଦେଶରେ ଘଟିଥାଏ। ମନୁଷ୍ୟ ଓ ତାର କର୍ମ ନିମିତ୍ତ ମାତ୍ର।ସବୁ ପରମାତ୍ମାଙ୍କ ନିର୍ଦ୍ଦେଶରେ ସଂଘଟିତ ହେଉଛି ବୋଲି ଆତ୍ମପ୍ରତ୍ଯୟ ସୃଷ୍ଟି ହେଲେ ସ୍ବୟଂ (self)ସମସ୍ତ ମମତ୍ବ (me feeling)ରୁ ମୁକ୍ତ ହୋଇ ଜଗତ କଲ୍ୟାଣ ପାଇଁ କର୍ତ୍ତବ୍ୟ-କର୍ମ କରି ପାରିବ। ଅର୍ଜୁନଙ୍କୁ ବିଶ୍ଵରୂପ ଦର୍ଶନ କରାଇବା ପଛରେ ଏହା ହିଁ ଥିଲା ଶ୍ରୀକୃଷ୍ଣଙ୍କ ଉଦ୍ଦେଶ୍ୟ।

  • କେତେକଙ୍କ ମତରେ ନନ୍ଦିଘୋଷ ରଥରେ ଆସୀନ ହନୁମାନ ମଧ୍ୟ ବିଶ୍ବରୂପ ଦର୍ଶନ କରିଥିଲେ।ଏହା ସମ୍ଭବ। ଭଗବାନ୍ ଦୁଇ ପ୍ରକାର ପ୍ରାଣୀଙ୍କ ଉପରେ କୃପାବିଷ୍ଟ ହୁଅନ୍ତି;ଜଣେ ପରମ ଭକ୍ତ ଏବଂ ଅନ୍ୟ ଜଣକ ପରମ ଅଜ୍ଞାନ।ପରମ ଭକ୍ତ ନିଜ ବିଶ୍ଵାସ ବଳରେ/ଭକ୍ତି ବଳରେ ପରମାତ୍ମାଙ୍କ ସ୍ବରୂପ ପାଇଥାଏ। ଅର୍ଥାତ୍ ପରମାତ୍ମାଙ୍କର ସବୁ କର୍ମ ଏବଂ ତା କର୍ମ ଭିତରେ କିଛି ପ୍ରଭେଦ ରହେ ନାହିଁ। ସେହି ପ୍ରକାର ଭକ୍ତ ଥିଲେ ହନୁମାନ ଓ ଅର୍ଜୁନ। ଅର୍ଜୁନ ବିଶ୍ଵରୂପ ଦର୍ଶନ ପରେ ସ୍ରଷ୍ଟାଙ୍କୁ ବିଶ୍ବାସ କରି, ନିଷ୍କାମ କର୍ମମୁଖୀ ହୋଇ ଯୁଦ୍ଧରେ ଜୟଲାଭ କରିପାରିଥିଲେ। ଧୃତରାଷ୍ଟ୍ର ଦୁଇ ଦୁଇ ଥର ବିଶ୍ଵରୂପ ଦର୍ଶନ କରି ମଧ୍ୟ କିଛି ଜ୍ଞାନ ପାଇଲେ ନାହିଁ; ବୋଧହୁଏ ଶ୍ରୀକୃଷ୍ଣଙ୍କ ବିଶ୍ଵରୂପକୁ ସେ ଇନ୍ଦ୍ରଜାଲିକର ମାୟା ବୋଲି ମନେ କଲେ। ତେଣୁ ସେ ଯୁଦ୍ଧରେ ହାରିଗଲେ।
    ଜୀବନ ଯୁଦ୍ଧରେ ବିଶ୍ବାସ ହିଁ ମୂଳ। ଭଗବତ୍ ବିଶ୍ବାସ ମନକୁ ଆତ୍ମମୁଖୀ କରେ,ମନରେ “ସ୍ଥିରବୁଦ୍ଧି” ଆଣିଦିଏ ଏବଂ ପ୍ରଜ୍ଞାକୁ ସୁଦୃଢ଼ କରେ।

    ================================
    କ୍ରମଶଃ…….

Click to rate this post!
[Total: 0 Average: 0]

Leave a Reply