Wednesday, February 21, 2024
Devotional Poems

ଗୀତାଜ୍ଞାନ(୮)

ଗୀତା ଜ୍ଞାନ (୮)
ଶ୍ରୀମଦ୍ଭଗବଦ୍ ଗୀତା
ଦ୍ବିତୀୟ ଅଧ୍ୟାୟ
ସାଂଖ୍ୟଯୋଗ
ଭାବାନୁବାଦ
(ଶ୍ଳୋକ ସଂଖ୍ୟା ୨୬ ରୁ ୩୭ ପର୍ଯ୍ୟନ୍ତ)
==================================
ମୋହଗ୍ରସ୍ତ ଅର୍ଜୁନଙ୍କ ଆଖିରେ ଆତ୍ମାର ଚିରନ୍ତନତା ପ୍ରତି ସନ୍ଦେହ ଭାବ ଲକ୍ଷ୍ୟ କରି ଶ୍ରୀକୃଷ୍ଣ କହିଛନ୍ତି:—-

ତେବେ ଧନଞ୍ଜୟ ଯଦି ଭାବୁଥାଅ
ଆତ୍ମା ଥାଏ ଜନ୍ମହୋଇ,
ଜନ୍ମ ଯେହୁ ହେବ ନିଶ୍ଚୟ ମରିବ,
ଶୋକ କିପାଁ ତାହା ପାଇଁ ?

ଜନ୍ମ ମରଣର ଲାଗିଛି ପ୍ରବାହ
ସୃଷ୍ଟିର ଏହି ନିୟମ,
ଜନ୍ମ ଯେହୁ ନେବ ନିଶ୍ଚୟ ମରିବ
କେହି ନକରିବେ ଆନ।

ଜନମ ପୂର୍ବରୁ ଅଦୃଶ୍ୟ ସକଳେ
ମୃତ୍ୟୁ ପରେ ଅନ୍ତର୍ଦ୍ଧାନ,
ଏ ଦୁଇ ଅବସ୍ଥା ମଧ୍ୟେ ପ୍ରାଣୀଗଣ
ହୋଇଥାନ୍ତି କାୟାବାନ।

ସେ କାୟାକୁ ନେଇ ମାୟା କାହିଁପାଇଁ
ସୀମିତ ଅବଧି ତାର,
ସମୟ ଆସିଲେ ମାଟିରେ ମିଶିବ
ନଶ୍ଵର ଏହି ଶରୀର।

ଆତ୍ମାକୁ ଅର୍ଜୁନ ବାଣୀରେ ବର୍ଣ୍ଣନ
କରିବା ସମ୍ଭବ ନୁହେଁ,
ଏହାର ଦର୍ଶନ ଆବର ବର୍ଣ୍ଣନ
ଆଶ୍ଚର୍ଯ୍ୟ ପ୍ରକାର ହୁଏ।

ଆଶ୍ଚର୍ଯ୍ୟ ଚକିତେ ଶୁଣନ୍ତି ବି କେତେ
ତଥାପି ନଯାଏ ଶୁଣା,
ଶୁଣିଲେ ବା କେହି ଶୁଣି ନପାରଇ
ନପଡେ ବୁଝା ବା ଜଣା।

ଯେତେ ଜାଣିବାକୁ ଚେଷ୍ଟାକଲେ ତାର
ପୂର୍ଣ୍ଣଜ୍ଞାନ ଅସମ୍ଭବ,
ଶେଷ କାହିଁ ତାର ସବୁଜ୍ଞାନ
ଯେଉଁ ଠାରୁ ହୋଇଛି ଆରମ୍ଭ ?

କେତେ ଜ୍ଞାନୀ ଋଷି ମହାତ୍ମା ମହର୍ଷି
ତ୍ରିକାଳଦର୍ଶୀ ବିଜ୍ଞାନୀ,
କଲେ ଅନୁଭବ, କିନ୍ତୁ ଆଦିଅନ୍ତ
ନପାରିଲେ ତାର ଜାଣି।

ଯେଉଁ ଆତ୍ମା ସ୍ଥିତ ସର୍ବ ଦେହେ ପାର୍ଥ
ଅବଧ୍ୟ ଅଟଇ ସେହି,#
ତାର ସ୍ଥିତି ନେଇ କୁହ କାହିଁପାଇଁ
ଶୋକଗ୍ରସ୍ତ ହେବ କେହି ?

କ୍ଷତ୍ରିୟର ଧର୍ମ ଅଟେ ଯୁଦ୍ଧକର୍ମ
ପରଜା ରକ୍ଷଣ ପାଇଁ,
ସେ କଲ୍ୟାଣକର୍ମ କରଣେ ଅର୍ଜୁନ
ଭୟଭୀତ କାହିଁପାଇଁ ?

ଆପେ ହୁଏ ପ୍ରାପ୍ତ ଯେଉଁ ଯୁଦ୍ଧ ପାର୍ଥ !
କ୍ଷତ୍ରି ପାଇଁ ପୁଣ୍ୟ କର୍ମ,
ହେବ ସ୍ବର୍ଗପଥ ତୋ ପାଇଁ ଉନ୍ମୁକ୍ତ
ପାଳିଲେ ସେ କ୍ଷାତ୍ର ଧର୍ମ।

ଏହି ଧର୍ମକ୍ଷେତ୍ରେ କୁରୁ ରଣକ୍ଷେତ୍ରେ
ଯୁଦ୍ଧ ନକରିଲେ ବୀର,
କର୍ତ୍ତବ୍ୟ ବିହୀନ ହୋଇ କୀର୍ତ୍ତିହୀନ
ପାପଭୋଗ ହେବ ସାର।

ଅକଳଙ୍କ ତୁମ୍ଭ କୀର୍ତ୍ତି ଚନ୍ଦ୍ରମାରେ
ଲାଗିବ ଯେଉଁ କଳଙ୍କ,
ସଂସାର ଗାଇବ ତୁମ୍ଭ ଅପକୀର୍ତ୍ତି
ମୃତ୍ୟୁ ସମ ହେବ ଦୁଃଖ।

କାପୁରୁଷ ବୋଲି କହିବେ ତୁମ୍ଭଙ୍କୁ
ରଥି ମହାରଥୀ ଗଣ,
ଯା ଦୃଷ୍ଟିରେ ତୁମ୍ଭେ ଥିଲ ମହାବୀର
କରିବେ ସେ ହେୟଜ୍ଞାନ।

ଶତ୍ରୁଗଣ ତୋର ସାମର୍ଥ୍ୟକୁ ବୀର
ନିନ୍ଦାକରି ଦେବେ ଗାଳି,
କହିବେ ବଚନ ଅତି ଘୃଣ୍ୟମାନ
ଦୁଃଖ ଭାର ଯିବ ବଳି।

ଯୁଦ୍ଧେ ଯେବେ ତୋର ପ୍ରାଣ ଯିବ ବୀର
ପାଇବୁ ସ୍ଥାନ ସ୍ବର୍ଗରେ,
ଯୁଦ୍ଧେ ହେଲେ ଜୟ ଆହେ ଧନଞ୍ଜୟ
ଭୋଗିବୁ ରାଜ୍ୟ ମହୀରେ।
==================================
#ଅବଧ୍ୟ… ଯାହାର ବିନାଶ ନଥାଏ
===================================
ଅନ୍ତଃଦୃଷ୍ଟି
===================================
କର୍ତ୍ତବ୍ୟ-ବିମୁଖ ଜୀବ(ଅର୍ଜୁନ)ଙ୍କୁ ପରମ(ଶ୍ରୀକୃଷ୍ଣ)ଙ୍କ ମାର୍ଗଦର୍ଶନ ଏହି ଶ୍ଳୋକଗୁଡିକରେ ଅତ୍ୟନ୍ତ ରୋଚକ ହୋଇଛି।ଏହା ପୂର୍ବରୁ ଶ୍ରୀକୃଷ୍ଣ ସାଂଖ୍ୟ-ତତ୍ତ୍ଵ(ଆତ୍ମା ପରମାତ୍ମା ଦର୍ଶନ)ଅର୍ଜୁନଙ୍କୁ ବୁଝାଇ ଯୁଦ୍ଧପାଇଁ ପ୍ରଚୋଦିତ କରିଛନ୍ତି। କିନ୍ତୁ ମୋହଗ୍ରସ୍ତ ଅର୍ଜୁନଙ୍କ ଆଖିରେ ଆତ୍ମାର ଚିରନ୍ତନତା ପ୍ରତି ସନ୍ଦେହ ଭାବ ଦେଖି ଶ୍ରୀକୃଷ୍ଣ କହିଛନ୍ତି… ଯେବେ ତୁମ ମତରେ ଶରୀର ଭିତରେ ଥିବା ଆତ୍ମାର ଜନ୍ମଅଛି ତାହେଲେ ଏହି ଅଳିକ ସଂସାରରେ ଯାହାର ଜନ୍ମହୁଏ ତାର ମୃତ୍ୟୃ ନିଶ୍ଚିତ; ସେହି ନଶ୍ବର-ତତ୍ତ୍ଵ ପାଇଁ ଶୋକ କାହିଁକି ?ଜନ୍ମ ଓ ମୃତ୍ୟୁର ପ୍ରବାହ ସଂସାରରେ ଲାଗିରହିଛି। ଜନ୍ମ ପୂର୍ବରୁ ଜୀବର ସ୍ଥିତି ନଥାଏ; ମୃତ୍ୟୁପରେ ମଧ୍ୟ ସେ ଉଭାନ ହୋଇଯାଏ। ଏହି ଦୁଇ ଅବସ୍ଥାର ମଝିରେ ସେ କାୟାବାନ ହୁଏ। କିଛି ସମୟ ପାଇଁ ଆସିଥିବା ସେହି କାୟାକୁ ନେଇ ଏତେ ପରିବେଦନା କାହିଁକି ଅର୍ଜୁନ !”

ତା’ପରେ ଶ୍ରୀକୃଷ୍ଣ ଆତ୍ମାର ଚିରନ୍ତନତା କଥା ପୁନର୍ବାର ଅର୍ଜୁନଙ୍କୁ ବୁଝାଇ ମନର ମୋହ ଦୂର କରି କ୍ଷତ୍ରିୟର କର୍ତ୍ତବ୍ୟ କରିବା ପାଇଁ ପ୍ରଣୋଦିତ କରିଛନ୍ତି।ପୂର୍ବେ ଅର୍ଜୁନ କହିଥିଲେ ଯେ ପରିଜନ ମାନଙ୍କୁ ହତ୍ୟାକରି ସେ ନର୍କ ଭୋଗ କରିବେ। ଏଠାରେ ଶ୍ରୀକୃଷ୍ଣ କହିଛନ୍ତି ଯେ ଅପରନ୍ତୁ ଯୁଦ୍ଧରେ ସେହି ଶତ୍ରୁମାନଙ୍କୁ ବିନାଶ କରି, କ୍ଷତ୍ରିୟର କର୍ତ୍ତବ୍ୟ ପାଳନକରି ସେ ସ୍ବର୍ଗ ଭୋଗକରିବେ।
ବର୍ଣ୍ଣ ଅନୁଯାୟୀ ତଥା କୌଳିକ କର୍ମ ଅନୁଯାୟୀ କର୍ତ୍ତବ୍ୟ-କର୍ମ ପାଳନ କରିବାର ଦାୟିତ୍ବ ପ୍ରତ୍ୟେକ ମନୁଷ୍ୟ ଉପରେ ନ୍ୟସ୍ତ।ଅପତ୍ୟମୋହ ବା ଜ୍ଞାତି କୁଟୁମ୍ବ ମୋହ ଅଥବା କୌଣସି ଅଜ୍ଞାନତାର ବଶବର୍ତ୍ତୀ ହୋଇ ସେ ଯେବେ ସଠିକ ଭାବରେ ତାହା ପାଳନ ନକରେ ଅଥବା ନିଜ ସ୍ୱାର୍ଥ ସାଧନପାଇଁ କରେ ତାହା ସମାଜର ମଙ୍ଗଳ ସାଧନର ବିରୁଦ୍ଧାଚରଣ ହେବ।
==================================
କ୍ରମଶଃ…..

Click to rate this post!
[Total: 0 Average: 0]

Leave a Reply