Wednesday, February 21, 2024
Devotional Poems

ଗୀତାଜ୍ଞାନ(୭)

ଗୀତା ଜ୍ଞାନ (୭)
===================================
ଶ୍ରୀମଦ୍ଭଗବଦ୍ ଗୀତା
ଦ୍ବିତୀୟ ଅଧ୍ୟାୟ
ସାଂଖ୍ୟଯୋଗ
ଭାବାନୁବାଦ
ଶ୍ଳୋକ ସଂଖ୍ୟା ୧୫ ରୁ ୨୫
===================================
ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହୁଛନ୍ତି :—-

ସୁଖେ, ଦୁଃଖେ ହୁଏ ସମଭାବାପନ୍ନ
ଯେଉଁ ପ୍ରାଣୀ ହେ ଅର୍ଜୁନ,
ଇନ୍ଦ୍ରିୟ,ବିଷୟା ଛୁଏଁ ନାହିଁ ତାକୁ
ମୋକ୍ଷ-ଯୋଗ୍ୟ ତାର ପ୍ରାଣ।*

ଯା’ଅଟେ ଭଙ୍ଗୁର,ସେ ‘ଅସତ୍ୟ’ ତାର
ସତ୍ତାର ଅସ୍ତିତ୍ବ ନାହିଁ,
ଚିରନ୍ତନ ଯାହା ସତ୍ ଚିନ୍ମୟ ତାହା
ତତ୍ତ୍ବ ଜ୍ଞାନୀ ଯେ ଜାଣଇ। #

ଆତ୍ମା ଅବିନାଶୀ ମହାଶକ୍ତି ତାର
ସଂସାରେ ହୋଇଛି ବ୍ୟାପ୍ତ,
ସେହି ଏକା ସତ୍ୟ,ଅଲୋକ୍ୟ,ଅବ୍ୟକ୍ତ
ବିଶ୍ବରୂପୀ ଜେଜୋବନ୍ତ।##

ଅବିନାଶୀ, ଅପ୍ରମେୟ, ଚିରନ୍ତନ
ଅଟଇ ଆତ୍ମା ତୋହର,
ପରମାତ୍ମା ଠାରୁ ଆସି ଶରୀରରେ
ସ୍ଥିତ ଆହେ ଧନୁର୍ଦ୍ଧର।###

ଏ ଯୁଦ୍ଧେ ଶରୀର ନଷ୍ଟହେବ ପଛେ
ଆତ୍ମା ନଷ୍ଟ ହେବନାହିଁ,
ତେଣୁ ତୁମ୍ଭେ ଯୁଦ୍ଧ କର ଧନଞ୍ଜୟ
ପଛଘୁଞ୍ଚା ଦିଅନାହିଁ।

ତୁମ୍ଭ ପରିଜନ ହରାଇଲେ ପ୍ରାଣ
ଶରୀର ହୋଇବ ନଷ୍ଟ,
ଆତ୍ମା ଚାଲିଯାଇ ପରମାତ୍ମା ଦେହେ
ହୋଇବେ କ୍ଷଣେ ପ୍ରବିଷ୍ଟ।

ଆତ୍ମା ମାରେ ନାହିଁ କିମ୍ବା ମରେନାହିଁ
ଏହା ଚିରନ୍ତନ ସତ୍ୟ,
ଶରୀର ମରିଲେ ଆତ୍ମା ମରେନାହିଁ
ଜାଣିରଖ କୁନ୍ତୀ ସୁତ।

ନହୁଅଇ ଜନ୍ମ ନହୁଏ ମରଣ
ନିତ୍ୟଶାଶ୍ବତ ଯେ ସେହି,**
ସେ ଜନ୍ମରହିତ ଉତ୍ପତ୍ତି,ବିଲୟ
କେବେ ମଧ୍ୟ ତାର ନାହିଁ।

କୁହ ଧନଞ୍ଜୟ, ଯେଉଁ ଜ୍ଞାନୀଚୟ
ଜାଣନ୍ତି ଆତ୍ମାର ଭେଦ,
ମାରିବା ମରିବା କଥା ଚିନ୍ତାକରି
ମନେ କି ଆଣିବେ ଖେଦ?

ଜୀର୍ଣ୍ଣ ବସ୍ତ୍ର ଛାଡି ପିନ୍ଧଇ ନୂତନ ***
ବସ୍ତ୍ର ଯେଉଁ ପରି ନର,
ଆତ୍ମା ସେହିପରି ଏକ ଦେହ ଛାଡି
ପ୍ରବେଶେ ଅନ୍ୟ ଶରୀର।

ଅଗ୍ନିରେ ନପୋଡେ, ଶସ୍ତ୍ରରେ ନଛିଡେ
ଜଳରେ ନହୁଏ ସିକ୍ତ,
ପବନେ ନଉଡେ ଅବିନାଶୀ ଆତ୍ମା
ପରମାତ୍ମା ଅଂଶ ଯୁକ୍ତ।

ଅଚଳ, ଅନାଦି,ସ୍ଥାଣୁ, ସର୍ବବ୍ୟାପୀ
ଅଟେ ଆତ୍ମା ଆହେ ପାର୍ଥ,
ଅଛେଦ୍ୟ,ଅଦାହ୍ୟ,ଅନାଦ୍ର,ଅଶୋଷ୍ୟ
ସର୍ବତ୍ର ତା ଗତାଗତ। ₹

ପ୍ରତ୍ୟକ୍ଷ ଦୃଷ୍ଟିରେ ଗୋଚର ନୁହେଁ ସେ
ନିର୍ବିକାର ସେ ଆବର,
ଚିନ୍ତନରୁ ଅଟେ ଉର୍ଦ୍ଧେ ସେ ତାପାଇଁ
ବୃଥା ଶୋକ କରିବାର। ₹₹
==================================
ଟୀକା:—-
*ବିଷୟା… ସାଂସାରିକ ବନ୍ଧନ
ମୋକ୍ଷ… ସଂସାର ବନ୍ଧନ ରୁ ମୁକ୍ତି
#ଏଠାରେ ଶରୀରକୁ ଭଙ୍ଗୁର ଏବଂ ଆତ୍ମାକୁ ଚିନ୍ମୟ/ଚିରନ୍ତନ ବୋଲି କୁହାଯାଇଛି।
ଭଙ୍ଗୁର… କ୍ଷଣସ୍ଥାୟୀ
ଚିନ୍ମ‌ୟ… ଚୈତନ୍ୟ ସ୍ବରୂପ/ଜ୍ଞାନମୟ
##ଏହା ପରମାତ୍ମାଙ୍କ ବିଷୟରେ କୁହାଯାଇଛି।
ଅଲୋକ୍ୟ…ଅଦୃଶ୍ୟ
ଅବ୍ୟକ୍ତ… ଅବର୍ଣ୍ଣନୀୟ
### ଅବିନାଶୀ…ଯାହାର ବିନାଶ ନାହିଁ।ଅପ୍ରମେୟ…ଅପରିମେୟ ବା ପ୍ରମାଣର ଉର୍ଦ୍ଧ୍ବରେ
** ଶାଶ୍ଵତ… ଚିରନ୍ତନ
*** ଜୀର୍ଣ୍ଣ ବସ୍ତ୍ର… ପୁରୁଣା ଲୁଗା
₹ ଅଚଳ… ଗମନାଗମନ କରେନାହିଁ
ଅନାଦି…ସନାତନ.. ଯାହାର ଆଦି କିମ୍ବା ଅନ୍ତ ନାହିଁ।
ସ୍ଥାଣୁ… ସ୍ଥିର
ଅଛେଦ୍ୟ…କାଟି ହେବନାହିଁ
ଅଦାହ୍ୟ…ପୋଡ଼ି ହେବନାହିଁ
ଅଶୋଷ୍ୟ.. ଶୋଷି ହେବନାହିଁ
ଅକ୍ଳେଦ୍ୟ..ନିର୍ମଳ
₹₹ ନିର୍ବିକାର…ବିକାର ରହିତ
===================================
ଅନ୍ତଃଦୃଷ୍ଟି
===================================
ନିଷ୍କାମ-କର୍ମ କରି ସଂସାରର ମଙ୍ଗଳ କରିବା ଉଦ୍ଦେଶ୍ୟରେ ମନୁଷ୍ୟର ଜନ୍ମ। କର୍ତ୍ତବ୍ୟ-କର୍ମ ପାଳନରେ ଭାବପ୍ରବଣତାର ସ୍ଥାନ ନାହିଁ। କିନ୍ତୁ ଭାବପ୍ରବଣତା ଠାରୁ ଦୂରେଇ ରହିବାପାଇଁ ଆତ୍ମଜ୍ଞାନର ଆବଶ୍ୟକତା ରହିଛି। ମନୁଷ୍ୟ ଯେତେବେଳେ ହୃଦୟଙ୍ଗମ କରିବ ଯେ ପ୍ରତ୍ୟେକ ପ୍ରାଣୀର ଶରୀର କ୍ଷୟଶୀଳ ଏବଂ ତାହା କେବଳ ଅବିନାଶୀ ଆତ୍ମାର ବାହକ ମାତ୍ର ସେତେବେଳେ ମନରୁ ତାର ଅପତ୍ୟ/ଜ୍ଞାତିକୁଟୁମ୍ବ ମୋହ ଦୂର ହୋଇଯିବ;ନିଜ-ପର ଭେଦଭାବ ତାର ମନକୁ ଯାବୁଡି ଧରିବନାହିଁ ଏବଂ ନିରାସକ୍ତ ହୋଇ ସେ କର୍ତ୍ତବ୍ୟକର୍ମ କରିବ। ଏହି ସାଂଖ୍ୟତତ୍ବ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ବୁଝାଇବାକୁ ଯାଇ ଆତ୍ମା ଏବଂ ପରମାତ୍ମାଙ୍କ ସଂଜ୍ଞା ଓ ସେମାନଙ୍କ ଭିତରେ ସମ୍ପର୍କ ବିଷୟ ବର୍ଣ୍ଣନା କରିଛନ୍ତି।
ଯେଉଁମାନଙ୍କର ପରମାତ୍ମାଙ୍କ ସ୍ଥିତି ଉପରେ ବିଶ୍ବାସ ଏବଂ ପୁନର୍ଜନ୍ମ-ବାଦରେ ଯେଉଁମାନେ ବିଶ୍ବାସ ରଖନ୍ତି ସେମାନେ ସାଂଖ୍ୟଯୋଗର ତତ୍ବ ଠିକ୍ ହୃଦୟଙ୍ଗମ କରିପାରିବେ।
==================================
କ୍ରମଶଃ……..

Click to rate this post!
[Total: 0 Average: 0]

Leave a Reply