Wednesday, February 28, 2024
Devotional Poems

ଗୀତାଜ୍ଞାନ(୪୫)

ଗୀତା ଜ୍ଞାନ (୪୫)
=============================
ଶ୍ରୀମଦ୍ଭଗବଦ୍ ଗୀତା
ଦ୍ବାଦଶ ଅଧ୍ୟାୟ
ଭକ୍ତିଯୋଗ
ଭାବାନୁବାଦ
ଶ୍ଳୋକ ସଂଖ୍ୟା ୧୧ ରୁ ୨୦
==============================
ଭକ୍ତିର ମାର୍ଗ ଏବଂ ପ୍ରଭୁଙ୍କର ପ୍ରିୟ ଭକ୍ତଙ୍କ ଲକ୍ଷଣ
==============================
ଶ୍ରୀକୃଷ୍ଣ କହୁଛନ୍ତି ହେ ଅର୍ଜୁନ !….

ମୋତେ ପାଇବା ପାଇଁ ଭକ୍ତ,
“ଯୋଗ”ରେ ନୋହିଲେ ସମର୍ଥ, #
ସଞ୍ଜତ କରି ବୁଦ୍ଧି ମନ,
ନିଷ୍କାମ କର୍ମେ ଦେଇ ମନ,
ପାଇବେ ମୋତେ ସ୍ବ ଅନ୍ତରେ,
ଭବ ବନ୍ଧନୁ ରହି ଦୂରେ।

‘ମର୍ମ’ ନଜାଣି ଅଭ୍ୟାସରେ
ମନୁଷ୍ୟ ଯେଉଁ ଭକ୍ତି କରେ,
ତାଠାରୁ ଶ୍ରେଷ୍ଠ ଜ୍ଞାନ ଭକ୍ତ,
ଜାଣେ ସେ ଭକତିର ତତ୍ତ୍ବ।
ସ୍ବରୂପେ ଧ୍ୟାନ ତଦୁତ୍ତମ,*
ନିଷ୍କାମ କର୍ମ ସର୍ବୋତ୍ତମ।

ଶୁଣ ଅର୍ଜୁନ ଯେଉଁ ଭକ୍ତ,
ଅଟନ୍ତି ମୋର ପ୍ରିୟପାତ୍ର:–
ପ୍ରାଣୀଙ୍କୁ ନକରନ୍ତି ଦ୍ୱେଷ,
ମନରେ ନରଖନ୍ତି ରୋଷ।
ସ୍ବାର୍ଥ ନଥାଏ ଅନ୍ତରରେ,
ସଭିଙ୍କୁ ଦେଖନ୍ତି ପ୍ରେମରେ।

ନଥାଏ ଅହଂକାର ଭାବ,
ସୁଖ ଦୁଃଖରେ ସମଭାବ।
ଅନ୍ତରେ ସଦା କ୍ଷମାଶୀଳ,
ସମାନ ପ୍ରାଣୀଏ ସକଳ।
ସକଳ ଘଟେ ନାରାୟଣ,
କରନ୍ତି ସେମାନେ ଦର୍ଶନ।

ଅପରାଧୀଙ୍କୁ କ୍ଷମାଦାନ,
ଅଟେ ସେ ଭକ୍ତର ଲକ୍ଷଣ।
ଶରୀର, ଇନ୍ଦ୍ରିୟ ଓ ମନ
ଆୟତ୍ତେ ରଖନ୍ତି ସେ ଜନ।
ମନ ବୁଦ୍ଧିକୁ ଦୃଢଚିତ୍ତେ,
ସମର୍ପି ଥାନ୍ତି ମୋର ତତ୍ତ୍ବେ।

ସବୁରି ଘଟେ ଭଗବାନ,
କରନ୍ତି ସେମାନେ ଦର୍ଶନ।
କଷଣ କାରେ ନଦିଅନ୍ତି,
ଭୟ କାହାକୁ ନକରନ୍ତି।
ହର୍ଷ ଈର୍ଷା ବା ଦ୍ୱେଷ ତାର,
ମନରୁ ରହିଥାଏ ଦୂର।
ସେପରି ଭକ୍ତ ମୋର ପ୍ରିୟ,
ଜାଣିଥାଅ ତୁ ଧନଞ୍ଜୟ।

ଆକାଂକ୍ଷା ରହିତ ଯେ ନର
ଶୁଦ୍ଧ ତା ବାହାର ଅନ୍ତର।
ନକରେ କାରେ ପକ୍ଷପାତ,
ଦୁଃଖରୁ ରହିଥାଏ ମୁକ୍ତ।
ସେ ସର୍ବାରମ୍ଭ ତ୍ୟାଗୀ ଜନ,₹
ମୋ ପ୍ରିୟ ଭକତ ଅର୍ଜୁନ।

ରହେ ଯେ ସର୍ବଦା ହର୍ଷିତ,
ଆବର ଶୋକ ବିବର୍ଜିତ,
କାମନା ନଥାଏ ମନରେ,
ରାଗ ରୋଷ ରୁ ରହେ ଦୂରେ;
ତାଠାରେ ହୃଷ୍ଟମନା ମୁହିଁ,
ମୋ ପ୍ରିୟ ଭକତଟି ସେହି।

ଶତ୍ରୁ ବା ମିତ୍ର ଯାହା ପାଇଁ,
ଅନ୍ତରେ ସମାନ ଅଟଇ,
ସୁଖେ ବା ଦୁଃଖେ ଯେ ସମାନ,
ସମାନ ମାନ, ଅପମାନ,
ଅନୁକୂଳ ବା ପ୍ରତିକୂଳ
ସ୍ଥିତିରେ ରହେ ଯେ ଅଟଳ।

ନିନ୍ଦା ସ୍ତୁତିରେ ବିଚଳିତ,
ନୁହଇ ମୋର ପ୍ରିୟଭକ୍ତ।
ଜୀବନ ଆଡମ୍ବରଶୂନ୍ୟ,
ଥାଏ ତାହାର ପ୍ରତିଦିନ।
ମନନଶୀଳ ମନ ତାର
ସେ ପ୍ରିୟ ଭକତ ମୋହର।

ମୋର ଏ ଅମୃତ ବଚନ,
କରନ୍ତି ଯେଉଁ ଭକ୍ତ ପାନ,
ହୋଇ ଅନ୍ତରେ ଶ୍ରଦ୍ଧାଚିତ୍ତ,
ସେମାନେ ମୋର ପ୍ରିୟଭକ୍ତ।
============================
ଟୀକା
=======
# ଯୋଗରେ ନୋହିଲେ ସମର୍ଥ…ଯୋଗ ସାଧନା କରି ଅସମର୍ଥ ହେଲେ।
* ସ୍ବରୂପେ ଧ୍ୟାନ.. ପ୍ରଭୁଙ୍କ ସତ୍ତାକୁ ଚିନ୍ତାକରି ଧ୍ୟାନ କରିବା।
ତଦୁତ୍ତମ.. ତାହାଠାରୁ ଉତ୍ତମ।
₹ ସର୍ବାରମ୍ଭକର୍ମ…ଭୋଗ ଓ ଧନ ସଂଗ୍ରହ ଉଦ୍ଦେଶ୍ୟରେ ନୂତନ ନୂତନ କର୍ମ କରିବାକୁ “ଆରମ୍ଭ” କୁହାଯାଏ।ଭକ୍ତ ଭୋଗସଂଗ୍ରହ ଉଦ୍ଦେଶ୍ୟରେ କୌଣସି କାମ ଆରମ୍ଭ କରିବା ଅନୁଚିତ।
================================
ଅନ୍ତଃଦୃଷ୍ଟି
==========
ସାଧକ ଦୁଇ ପ୍ରକାରର; ୧) ସାଧନାରେ ସିଦ୍ଧିଲାଭ କରି ସିଦ୍ଧ ପୁରୁଷ ପାଲଟିଥିବା ବ୍ୟକ୍ତି ଏବଂ ୨) ସିଦ୍ଧି ପାଇଁ ପ୍ରୟାସରତ ଥିବା ବ୍ୟକ୍ତି।
ଯେଉଁମାନେ ଯୋଗ ସାଧନା କରି ଭଗବାନଙ୍କୁ ପାଇବାରେ ଅସମର୍ଥ ରହିଛନ୍ତି ଅର୍ଥାତ୍ ସାଧନା ମାର୍ଗରେ ରହିଛନ୍ତି ସେମାନେ କେଉଁ ପଥ ଅନୁସରଣ କଲେ ଭଗବତ୍ କୃପା ଲାଭ କରିବେ ଏବଂ ଉତ୍ତମ ଭକ୍ତ ଭାବରେ ପରିଗଣିତ ହେବେ ସେ ସମ୍ବନ୍ଧରେ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଉପରୋକ୍ତ ଶ୍ଳୋକରେ ବୁଝାଇଛନ୍ତି।

ଭକ୍ତଙ୍କୁ ଚାରୋଟି ଶ୍ରେଣୀରେ ବିଭକ୍ତ କରାଯାଇପାରେ;୧) ଭକ୍ତିର ମର୍ମ ବା ତତ୍ତ୍ବ ନବୁଝି ଭକ୍ତି କରିବା ୨) ଭକ୍ତି ସମ୍ବନ୍ଧରେ ଜ୍ଞାନ ଲାଭ କରି ଭକ୍ତି କରିବା ୩)କେବଳ ସ୍ବରୂପ ଚିନ୍ତା କରି ଧ୍ୟାନସ୍ଥ ହେବା ଏବଂ ୪)କର୍ମକୁ ଭଗବାନ ମନେକରି ନିଷ୍କାମ କର୍ମଯୋଗରେ ନିୟୋଜିତ ହେବା।

ଶ୍ରୀକୃଷ୍ଣ ଚତୁର୍ଥ ଶ୍ରେଣୀ ଅର୍ଥାତ୍ “ନିଷ୍କାମ କର୍ମ” ମାର୍ଗକୁ ଶ୍ରେଷ୍ଠ ଭକ୍ତି ମାର୍ଗ ଭାବରେ ବିବେଚନା କରିଛନ୍ତି। ଏହି ନିଷ୍କାମ କର୍ମ ସାଧନ ଅବସରରେ ଜୀବ ସ୍ବତଃ ଭକ୍ତି ଯୋଗରେ ନିୟୋଜିତ ହୋଇଯାଏ।ସବୁ ଜୀବଙ୍କ ମଧ୍ୟରେ ସେ ପରମାତ୍ମାଙ୍କୁ ଦର୍ଶନ କରନ୍ତି।ରୋଷ,ଦ୍ୱେଷ, ଅହଙ୍କାର ତାଙ୍କ ମନରୁ ଦୂର ହୋଇଯାଏ।ଶତ୍ରୁ ଓ ମିତ୍ର ଭିତରେ ସେ ପ୍ରଭେଦ ଦେଖନ୍ତି ନାହିଁ। ସେମାନେ କାହାକୁ ଡରାନ୍ତି ନାହିଁ କିମ୍ବା ନିଜେ କାହାକୁ ଡରନ୍ତି ନାହିଁ। ତାଙ୍କପାଇଁ ବିଶ୍ବ ବାସୁଦେବମୟ ଜଣାଯାଏ।ସୁଖ ଦୁଃଖ ହର୍ଷ ବିମର୍ଶରେ ସେହି ବ୍ୟକ୍ତି ସମଭାବାପନ୍ନ ରହନ୍ତି। ଅନୁକୂଳ ଓ ପ୍ରତିକୂଳ ପରିସ୍ଥିତିରେ ସେ ମନକୁ ଦୃଢ଼ ରଖନ୍ତି। ନିନ୍ଦା ବା ସ୍ତୁତିରେ ସେ ବିଚଳିତ ହୁଅନ୍ତି ନାହିଁ।ତାଙ୍କର ଜୀବନ ଆଡମ୍ବରଶୂନ୍ୟ ରହିଥାଏ।ଲୋଭ ବଶବର୍ତ୍ତୀ ହୋଇ ସଂସାର ସଂଗ୍ରହ ପାଇଁ ସେ ପ୍ରୟାସ କରନ୍ତି ନାହିଁ। ଏହିପରି ବ୍ୟକ୍ତିମାନେ ଈଶ୍ବରଙ୍କର ଅତି ପ୍ରିୟ।
==============================
ଦ୍ବାଦଶ ଅଧ୍ୟାୟ ସମାପ୍ତ…..
କ୍ରମଶଃ……

Click to rate this post!
[Total: 0 Average: 0]

Leave a Reply