Wednesday, February 21, 2024
Devotional Poems

ଗୀତାଜ୍ଞାନ(୪୨)

  1. ଗୀତା ଜ୍ଞାନ(୪୨)
    ଶ୍ରୀମଦ୍ଭଗବଦ୍ ଗୀତା
    ଏକାଦଶ ଅଧ୍ୟାୟ
    ବିଶ୍ବରୂପଦର୍ଶନଯୋଗ
    ଭାବାନୁବାଦ
    ଶ୍ଳୋକ ସଂଖ୍ୟା ୩୪ ରୁ ୪୨
    ================================
    ଅର୍ଜୁନଙ୍କୁ ବିଶ୍ଵରୂପ ଦର୍ଶନ କରାଇ ଶ୍ରୀକୃଷ୍ଣ କହୁଛନ୍ତି….

    ଭୀଷ୍ମ,ଦ୍ରୋଣ,କର୍ଣ୍ଣ ଜୟଦ୍ରଥ ଆଦି
    ହୋଇଛନ୍ତି ସର୍ବେ ହତ,
    ପୂର୍ବରୁ ମୋ ହସ୍ତେ, ବିନା ଶୋଚନାରେ
    ନାଶ ଏବେ ତାଙ୍କୁ ପାର୍ଥ।

    ଶୁଣି ଏ ବଚନ,ଭୟେ କମ୍ପମାନ
    ଯୋଡହସ୍ତରେ ଅର୍ଜୁନ,
    କୃଷ୍ଣ ପାଦେ ପଡି ଗଦ୍ଗଦ ବାଣୀରେ
    କହିଲେ ହେ ନାରାୟଣ !

    ଆହେ ଅନ୍ତର୍ଯ୍ୟାମୀ ତୁମ୍ଭ ନାମ,ଗୁଣ
    ଲୀଳା ଗାଉଛି ଜଗତ,
    ତୁମ୍ଭ ଡରେ ଚଉଦିଗେ ପଳାୟନ
    କରନ୍ତି ଦୁଷ୍ଟ ଦଇତ।

    ସବୁ ସିଦ୍ଧଗଣ କରନ୍ତି ପୂଜନ
    ଯଥାର୍ଥେ ତୁମ୍ଭକୁ ହରି,
    ତୁମ୍ଭ ଅନୁରକ୍ତ ସଂସାର ସମସ୍ତ
    ଆହେ ନୀଳାଦ୍ରି ବିହାରୀ।

    ତୁମ୍ଭେ ଗୁରୁବ୍ରହ୍ମାଙ୍କର ଆଦିକର୍ତ୍ତା,
    ତୁମ୍ଭେ ଅନନ୍ତ ଦେବେଶ,
    ହେ ଜଗନ୍ନିବାସ,ଅକ୍ଷରସ୍ବରୂପ *
    ଅଟ ତୁମ୍ଭେ ପୀତବାସ।

    ତୁମ୍ଭେ ସତ୍ୟ ତୁମ୍ଭେ ଅସତ୍ୟ ଆବର
    ତା ଉର୍ଦ୍ଧ୍ବେ ମଧ୍ୟ ଆପଣ,
    ତୁମ୍ଭେ ଅଲୌକିକ, ଲୌକିକ ଆପଣ
    ତୁମ୍ଭେ ସଗୁଣ ନିର୍ଗୁଣ।

    ତୁମ୍ଭେ କଳ୍ପନାର ନୁହଁ ଅନ୍ତର୍ଗତ
    ଅନନ୍ତ ସୀମା ବିହୀନ,
    ତୁମ୍ଭେ ପରାତ୍ପର ପରମେଶ
    କେ ପାରିବ ଗାଇ ତୁମ୍ଭ ଗୁଣ ?

    ତୁମ୍ଭେ ଆଦିଦେବ ପୁରାଣ ପୁରୁଷ
    ତୁମ୍ଭେ ପରମ ଆଶ୍ରୟ,
    ତୁମ୍ଭେ ସର୍ବଜ୍ଞାତା ତୁମ୍ଭେ ସର୍ବଜ୍ଞେୟ **
    ହେ ଅନନ୍ତ ରୂପମୟ।

    ତୁମ୍ଭେ ପରିବ୍ୟାପ୍ତ ଏ ସମଗ୍ର ବିଶ୍ବେ
    ତୁମ୍ଭେ ବାୟୁ କାଳାନ୍ତକ, #
    ବରୁଣ ଚନ୍ଦ୍ରମା ଅଗ୍ନି ପ୍ରଜାପତି
    ତୁମ୍ଭେ ବ୍ରହ୍ମାଙ୍କ ଜନକ।

    ହେ ସର୍ବସ୍ବରୂପ ନମେ ତୁମ୍ଭରୂପ,₹
    ଅଗ୍ରଭାଗରୁ ସେ ହରି !
    ନମେ ପୃଷ୍ଠଭାଗୁ ପୁଣି ସର୍ବଦିଗୁ
    ଅମିତ ବିକ୍ରମଧାରୀ।

    ହେ ଅନନ୍ତବୀର୍ଯ୍ୟ ସମସ୍ତ ସୃଷ୍ଟିକୁ
    ରଖିଛ କରି ଏକତ୍ର,
    ସର୍ବବ୍ୟାପ୍ତ ତୁମ୍ଭେ,ତୁମ୍ଭ ଠାରେ ସୃଷ୍ଟି
    ସର୍ବଶକ୍ତି ସମାୟତ।

    ମହିମା ନଜାଣି ସଖା ବୋଲି ଗଣି
    କରିଛି ଯେ ବ୍ୟବହାର,
    ଶୁପ୍ତେ,ଜାଗରଣେ,ଅଶନେ ବ୍ୟସନେ
    କରିଥିବି ତିରସ୍କାର।

    ଏକାନ୍ତରେ ଅବା କୁଟୁମ୍ବ ସମ୍ମୁଖେ
    କରିଥିବି ଅପମାନ,
    ଆହେ ଅପ୍ରମେୟ ! ଦୟାକରି ମୋତେ ₹₹
    କ୍ଷମା କର ଭଗବାନ।

    ପ୍ରମାଦ ପୂର୍ବକ ଅବା ପ୍ରେମବଶେ +
    ହଠ ଅବା ନିର୍ବିଚାରେ, ++
    ଡାକିଛି ତୁମ୍ଭକୁ ହେ ସଖା !,କେଶବ,
    କୃଷ୍ଣା ଦି କେତେ ନାମରେ।

    ଅଜ୍ଞାନରେ ମୋର ହୋଇଛି ଧୃଷ୍ଟତା
    ଜାଣି ପାରିଛି ମୁଁ ଆଜ,
    ଶରଣାଗତ କୁ ସେ ଧୃଷ୍ଟତା ପାଇଁ
    କ୍ଷମାକର ଦେବରାଜ।
    =============================
    *ଅକ୍ଷରସ୍ବରୂପ…ଅକ୍ଷରବ୍ରହ୍ମ ପରମାତ୍ମା ବା ଅବିନାଶୀ ସନାତନ ପୁରୁଷ।
    ଜଗନ୍ନିବାସ…ଜଗତ ଯାହାଙ୍କ ସ୍ଥିତିରେ ନିବାସ କରେ।
    ** ସର୍ବଜ୍ଞାତା…ଯେ ସବୁକିଛି ଜାଣନ୍ତି
    ସର୍ବଜ୍ଞେୟ….ସବୁ ଜ୍ଞାନର ମୂଳ
    # କାଳାନ୍ତକ…ଯମ
    ₹ ସର୍ବସ୍ବରୂପ…ସବୁ ରୂପର ସମାହାର।
    ₹₹ ଅପ୍ରମେୟ…ଅପରିମେୟ…ପ୍ରମାଣର ଅଭାବ।
    + ପ୍ରସାଦ ପୂର୍ବକ…ଭୁଲରେ।
    ++ ହଠ..ଜିଦ୍
    =============================
    ଅନ୍ତଃଦୃଷ୍ଟି
    ==========
    ସଂସାର ଭଗବାନଙ୍କର ଏକ ଅନବଦ୍ୟ ସର୍ଜନା। ପ୍ରକୃତିରୁ ଜାତ ଜୀବଜଗତ ଭିତରେ ମନୁଷ୍ୟ ହିଁ ଶ୍ରେଷ୍ଠ ପ୍ରାଣୀ।ମନ, ବୁଦ୍ଧି ଓ ବିବେକର ସମନ୍ୱୟ ମନୁଷ୍ୟ ହିଁ କରିପାରେ।ଜୀବଜଗତରେ ଭାରସାମ୍ୟ ରଖିବା ପାଇଁ କେବଳ ମନୁଷ୍ୟକୁ ଉପଦେଶ ଦିଆଯାଇପାରେ, କୌଣସି ଗାଈ ଗୋରୁ ସାପ କିମ୍ବା ବାଘକୁ ଦେଲେ ତାହା ମୂଲ୍ୟହୀନ। କିନ୍ତୁ ପଞ୍ଚମହାଭୂତରେ ସୃଷ୍ଟ ଏହି ମନୁଷ୍ୟ ପଞ୍ଚେନ୍ଦ୍ରିୟ,ଷଡରୀପୁ ଏବଂ ଅହଂକାରର ବଶବର୍ତ୍ତୀ ହୋଇ ମନ, ବୁଦ୍ଧି ଓ ବିବେକ ମଧ୍ୟରେ ସମନ୍ଵୟ ରକ୍ଷାକରି ପାରେନାହିଁ। ସେଥିପାଇଁ ସ୍ୱାର୍ଥପରବଶ ହୋଇ ସଂସାରର ଅମଙ୍ଗଳକାରୀ କାର୍ଯ୍ୟ କରେ।

    ମନୁଷ୍ୟକୁ ଅଳିକ ସଂସାରର ବାସ୍ତବତାର ସାମ୍ନା କରାଇ, ତାକୁ ଅନ୍ତର୍ମୁଖୀ କରାଇ, ନିଷ୍କାମ କର୍ମଯୋଗରେ ବିନିଯୁକ୍ତ କରାଇ ସଂସାରର ମଙ୍ଗଳ କରିବାପାଇଁ ବିଭୂତିଯୋଗ ଓ ଭକ୍ତିଯୋଗ ଭଳି ଉପଦେଶର ଆବଶ୍ୟକତା ସ୍ରଷ୍ଟା ଅନୁଭବ କରିଛନ୍ତି।ନବମ ଅଧ୍ୟାୟରେ ୩୪ ତମ ଶ୍ଳୋକରେ ଭଗବାନ କହିଛନ୍ତି…ତୁମେ ମୋର ଭକ୍ତ ହୁଅ, ମଦ୍’ଗତମନା ହୁଅ,ମୋର ପୂଜନକାରୀ ହୁଅ, ମୋତେ ନମସ୍କାର କର ଏବଂ ମୋ ସହିତ ନିଜକୁ ସଂଯୁକ୍ତ କଲେ ମୋତେ ପାଇଁ ପାରିବ”।

    ଏହା କହିବା ପରେ ମଧ୍ୟ “ପରମ”ଙ୍କର ହୃଦବୋଧ ହେଲା ଯେ “ଜୀବ”କୁ ଆଉ କିଛି କହିବା ପାଇଁ ତାଙ୍କପାଖରେ ବାକି ରହିଗଲା। ଯାହା ସେ ଜଣାଇବାକୁ ଚାହୁଁଥିଲେ ତାହା ଦଶମ ଅଧ୍ୟାୟ ବିଭୂତି ଯୋଗରେ ନିଜର ବିଭୂତି ମାନଙ୍କର ବର୍ଣ୍ଣନା କରି ଜୀବ(ଅର୍ଜୁନଙ୍କ)ମନକୁ ପ୍ରଣୋଦିତ କରିବାକୁ ଚେଷ୍ଟା କରିଛନ୍ତି। ସେହି ମହାଶକ୍ତିକୁ ଏକାଦଶ ଅଧ୍ୟାୟରେ ବିଶ୍ଵରୂପ ଦର୍ଶନ ମାଧ୍ୟମରେ ଚାକ୍ଷୁଷ କରିଛନ୍ତି ଶ୍ରୀକୃଷ୍ଣ।

    କଥାରେ ଅଛି…ଯାହା ନଦେଖିବ ବେନି ନୟନେ,ପରତେ ନଯିବ ଗୁରୁ ବଚନେ।”ନିଜ ଆଖି ଆଗରେ ବିଶ୍ଵରୂପ ଦର୍ଶନ କରିବା ପରେ ଅର୍ଜୁନଙ୍କର ସମସ୍ତ ସନ୍ଦେହ ମୋଚନ ହୋଇଯାଇଛି।ପ୍ରଭୁଙ୍କ ସାନିଧ୍ୟ ପାଇ ନିଜକୁ ଭାଗ୍ୟବାନ ମନେ କରିବା ସଙ୍ଗେ ସଙ୍ଗେ,ସେ କହୁଛନ୍ତି..ଆପଣଙ୍କ ପ୍ରତି ମୋ ବ୍ୟବହାରରେ କିଛି ତ୍ରୁଟି ରହି ଯାଇ ନାହିଁ ତ ପ୍ରଭୁ।ଯଦି ଥାଏ, ମୋତେ କ୍ଷମାକର,କ୍ଷମାକର,କ୍ଷମାକର।
    ==================================
    କ୍ରମଶଃ……..

Click to rate this post!
[Total: 0 Average: 0]

Leave a Reply