Thursday, June 13, 2024
Devotional Poems

ଗୀତାଜ୍ଞାନ(୪୦)

  1. ଗୀତା ଜ୍ଞାନ (୪୦)
    ଶ୍ରୀମଦ୍ଭଗବଦ୍ ଗୀତା
    ଏକାଦଶ ଅଧ୍ୟାୟ
    ବିଶ୍ଵରୂପ ଦର୍ଶନ ଯୋଗ
    ଭାବାନୁବାଦ
    ଶ୍ଳୋକ ସଂଖ୍ୟା ୧ ରୁ ୨୦
    ==============================
    ପରମାତ୍ମାଙ୍କ ଅଲୌକିକ ଐଶ୍ବରୀୟ ରୂପ
    ==============================
    ପାର୍ଥ ବୋଲେ କୃପାବହି କୃପାସିନ୍ଧୁ
    କହିଲ ଆଧ୍ୟାତ୍ମ୍ୟ ବାଣୀ,
    ଅନିର୍ବଚନୀୟ ସେ ବଚନ ମୋହ
    ଦୂର ହେଲା ଚକ୍ରପାଣି।
    ସମସ୍ତ ପ୍ରାଣୀଙ୍କ ଉତ୍ପତ୍ତି ବିଲୟ
    ଗାଥା କହିଲ ବିସ୍ତାରି,
    ତୁମ୍ଭ ଅବିନାଶୀ ମାହାତ୍ମ୍ୟ ମୋ ପ୍ରାଣେ
    ଅମୃତ ଯେ ଦେଲା ଭରି।
    ହେ ପୁରୁଷୋତ୍ତମ ! ତୁମ୍ଭ ଶ୍ରେଷ୍ଠତମ
    ଅଲୌକିକ ଐଶ୍ବରିକ,
    ରୂପ ଦେଖିବାକୁ ଇଚ୍ଛା ମୋର ସ୍ବାମୀ
    ଦେଖାଅ ବିଶ୍ବନାୟକ ।
    ବିଚାରୁଛ ଯେବେ ଆହେ ଯୋଗେଶ୍ୱର
    ପାରିବି ମୁଁ ତାହା ଦେଖି,
    ସେହି ଅବିନାଶୀ ରୂପ ଦେଖାଇଲେ
    ହେବି ମହାପ୍ରଭୁ ସୁଖୀ।

    ବିନମ୍ର ପ୍ରାର୍ଥନା ଶୁଣି ପରମାତ୍ମା
    ବୋଇଲେ ହୋଇ ପ୍ରସନ୍ନ,
    ଦେଖ ମୋ ସହସ୍ର ଅଲୌକିକ ରୂପ
    ଯା’ଆକୃତି ଭିନ୍ନଭିନ୍ନ।
    ଦ୍ବାଦଶ ଆଦିତ୍ୟ,ଅଷ୍ଟବସୁ,ରୁଦ୍ର #
    ଏକାଦଶ ଛନ୍ତି ରହି,
    ଅଶ୍ବିନୀ କୁମାର ଦ୍ବୟ ସଙ୍ଗେ ବାତ
    ଅଣଞ୍ଚାଶ ଛନ୍ତି ତହିଁ।
    ଆହେ ପରନ୍ତପ ମୋ କାୟାର ଏକ
    ଅଂଶେ ଚରାଚର ବିଶ୍ୱ,
    କର ତୁ ଦର୍ଶନ ଆଉ ଏହା ଭିନ୍ନ,
    ଯା’ ଚାହଁ ଦେଖ ଅବଶ୍ୟ।
    ଚର୍ମ ଚକ୍ଷୁ ନେଇ ସମ୍ଭବ ନୁହଇ
    ଦୃଶ୍ୟ ବିଶ୍ଵରୂପ ମୋର,
    ଦିବ୍ୟ ଚକ୍ଷୁ ତେଣୁ ଦେଉଛି ତୁମ୍ଭଙ୍କୁ
    ଅର୍ଜୁନ ଗ୍ରହଣ କର।

    ଏହା କହି ମହା ଯୋଗେଶ୍ୱର କୃଷ୍ଣ
    ଦେଖାଇଲେ ବିଶ୍ବରୂପ,
    ଆଶ୍ଚର୍ଯ୍ୟ ଚକିତ ହୋଇ ରହିଗଲେ,
    ଦେଖି ପାର୍ଥ ସେ ସ୍ବରୂପ।
    ବିଶାଳ ଅଦ୍ଭୁତ ଶରୀର ତହିଁରେ
    ଅଗଣିତ ଯେ ମସ୍ତକ,
    ଦିବ୍ୟ ଆଭୂଷଣେ ଭୂଷିତ ଶରୀରେ
    ଦିବ୍ୟ ଆୟୁଧ ପ୍ରମୁଖ।
    ଗଳାରେ ଶୋଭିତ ଜ୍ୟୋତିର୍ମୟ ମାଳା
    ପରିଧାନ ଦିବ୍ୟ ବସ୍ତ୍ର,
    ଚନ୍ଦନ ଚର୍ଚ୍ଚିତ ଶରୀର,ଲଲାଟ
    ହସ୍ତେ ନାନାବିଧ ଅସ୍ତ୍ର।
    ମହାଜ୍ୟୋତି ହୁଏ ନିର୍ଗମ ସତେ କି
    ଉଦିତ ସହସ୍ର ସୂର୍ଯ୍ୟ,
    ସେହି ଅଲୌକିକ ଜ୍ୟୋତି ଦେଖି ପାର୍ଥ
    ହେଲେ ଚକିତ ଆଶ୍ଚର୍ଯ଼୍ୟ।

    ହୋଇ ଭାଗ ଭାଗ ଜଗତ ସମଗ୍ର
    ସେ କାୟାରେ ଛନ୍ତି ରହି
    ଜଙ୍ଗମ,ସ୍ଥାବର ମର୍ତ୍ତ୍ୟ ଚରାଚର,
    ଦେବଲୋକ ବିରାଜଇ।
    ରୋମାଞ୍ଚିତ ହେଲା ଅର୍ଜୁନ ଶରୀର
    ଯୋଡହସ୍ତ ହୋଇ ପାର୍ଥ,
    ବିଶ୍ବରୂପୀ ଜଗନ୍ନାଥଙ୍କୁ ବୋଇଲେ
    ହେଲା ମୋ ଜୀବନ ସାର୍ଥ।
    ଏ ସୃଷ୍ଟିରେ ଯେତେ ରହିଛନ୍ତି ପ୍ରାଣୀ
    ତୁମ୍ଭ ଦେହେ ବିରାଜନ୍ତି,
    ରହିଛନ୍ତି ବ୍ରହ୍ମା ବିଷ୍ଣୁ ମହେଶ୍ବର
    ଋଷିଗଣ, ସର୍ପପନ୍ତି।
    ଆହେ ବିଶ୍ବେଶ୍ବର,ଆହେ ବିଶ୍ବରୂପ
    ତୁମ୍ଭର ଅନେକ ବାହୁ,
    ଅନେକ ଉଦର,ମୁଖ,ନେତ୍ର ତୋର
    ଆଦିଅନ୍ତ ତା’ର କାହୁଁ !
    ବିଶାଳ ମୁକୁଟ ଶିରେ,ହସ୍ତେ ଗଦା
    ଶଙ୍ଖ,ଚକ୍ର, ପଦ୍ମଧାରୀ,
    ତେଜୋବନ୍ତ ହୁଏ ସର୍ବଦିଗ; କାନ୍ତି
    ସସ୍ର ସୂର୍ଯ୍ୟ, ଅଗ୍ନି ପରି।
    ତୁମ୍ଭେ ତ ନିର୍ଗୁଣ ନିରାକାର ବ୍ରହ୍ମ
    ତୁମ୍ଭେ ଅକ୍ଷର ପରମ ,
    ସନାତନ ଧର୍ମ ରକ୍ଷାକାରୀ ତୁମ୍ଭେ
    ଶାଶ୍ଵତ ପୁରୁଷୋତ୍ତମ।

    ନାହିଁ ଆଦି ଅନ୍ତ ଶକ୍ତି ଯେ ଅନନ୍ତ
    ଅଗଣିତ ଭୁଜମାଳା,
    ନେତ୍ରଦ୍ବୟ ଚନ୍ଦ୍ର, ସୂର୍ଯ୍ୟ ସମ;ମୁଖ
    ପ୍ରଜ୍ବଳିତ ଅଗ୍ନିଗୋଳା।
    ଆହେ ତେଜୋବନ୍ତ ! ସଂସାର ସନ୍ତପ୍ତ
    କରାଏ ତୁମ୍ଭର ତେଜ,
    ତୁମ୍ଭେ ତ ଅନନ୍ତ ଆହେ ବଳବନ୍ତ
    ସର୍ବବ୍ୟାପ୍ତ ଦେବରାଜ।
    ପୂରି ରହିଅଛି ତୁମ୍ଭ ବିଶ୍ବରୂପ
    ଧରା, ସ୍ଵର୍ଗ ମଧ୍ୟସ୍ଥଳେ,
    ବ୍ୟାପ୍ତ ହୋଇଅଛ ତୁମ୍ଭେ ଚତୁର୍ଦ୍ଦିଗେ
    ଚାହେଁ ତ୍ରିଲୋକ ବ୍ୟକୁଳେ।
    ==============================
    ଟୀକା…
    # ଦ୍ବାଦଶ ଆଦିତ୍ୟ… ଅଦିତିଙ୍କ ପୁତ୍ର ଧାତା,ମିତ୍ର,ଅର୍ଯ୍ୟମା,ବରୁଣ ଆଦି ଦ୍ବାଦଶ ଆଦିତ୍ୟ ରହିଛନ୍ତି।
    ଅଷ୍ଟବସୁ…ଧର,ଧ୍ରୁବ, ସୋମ, ଅହଃ, ଇତ୍ୟାଦି ଅଷ୍ଟବସୁ ରହିଛନ୍ତି।
    ଏକାଦଶ ରୁଦ୍ର…ହର,ବହୁରୂପ,ତ୍ର୍ୟମ୍ବକ ଇତ୍ୟାଦି ଏକାଦଶ ରୂଦ୍ର ରହିଛନ୍ତି।
    ==============================
    ଅନ୍ତଃଦୃଷ୍ଟି
    ===========
    ଦଶମ ଅଧ୍ୟାୟରେ ଭଗବାନ ଅର୍ଜୁନଙ୍କୁ କହିଛନ୍ତି ଯେ ସେ ସର୍ବବ୍ୟାପ୍ତ ଏବଂ ତାଙ୍କ ଶରୀରର ଏକ ଅଂଶରେ ହିଁ ଚରାଚର ବିଶ୍ୱବ୍ରହ୍ମାଣ୍ଡ ସ୍ଥିତ।ଏତେ ଶକ୍ତିର ଅଧିକାରୀ ସେହି ପରାତ୍ପର ପରମେଶ୍ବରଙ୍କର ଶ୍ରେଷ୍ଠତମ ଅଲୌକିକ, ଐଶ୍ବରିକ ବିଶ୍ବରୂପ ଦର୍ଶନ କରାଇବା ପାଇଁ ଅର୍ଜୁନ ଶ୍ରୀକୃଷ୍ଣଙ୍କୁ ଅନୁରୋଧ କରିଛନ୍ତି।

    ଅର୍ଜୁନଙ୍କୁ ଯୋଗେଶ୍ୱର ଶ୍ରୀକୃଷ୍ଣ ଯେଉଁ ବିଶ୍ଵରୂପ ଦର୍ଶନ କରାଇଛନ୍ତି ତାହା ଗୀତାର ଏହି ଏକାଦଶ ଅଧ୍ୟାୟରେ ବିଶେଷ ଭାବରେ ବର୍ଣ୍ଣନା କରାଯାଇଛି। କୁହାଯାଏ ଭଗବାନଙ୍କର ଏହି ବିଶ୍ବରୂପ ଏକା ସମୟରେ ତିନିଜଣ ଦର୍ଶନ କରିଛନ୍ତି… ଅର୍ଜୁନ,ସଞ୍ଜୟ ଏବଂ ଧୃତରାଷ୍ଟ୍ର। ସେହି କିଛି ସମୟ ପାଇଁ ଧୃତରାଷ୍ଟ୍ର ଚକ୍ଷୁଷ୍ମାନ ହୋଇଥିଲେ ଏବଂ ବିଶ୍ବରୂପ ଦର୍ଶନ ପରେ ପୁନର୍ବାର ଦର୍ଶନ ଶକ୍ତି ହରାଇଥିଲେ।

    ପ୍ରଶ୍ନ ଉଠିବା ସ୍ବାଭାବିକ, ଯଦି ଗୀତାର ରଚୟିତା ବେଦବ୍ୟାସ ବିଶ୍ଵରୂପ ଦେଖିନଥିଲେ ତାହେଲେ ସେ ତାହା ବର୍ଣ୍ଣନା କଲେ କିପରି ?
    ବେଦବ୍ୟାସ ତ୍ରିକାଳଦର୍ଶୀ ଥିଲେ।ସେ ଋଷିମାନଙ୍କ ମଧ୍ୟରେ ଶ୍ରେଷ୍ଠ ବୋଲି ଦଶମ ଅଧ୍ୟାୟ “ବିଭୂତିଯୋଗ”ରେ ଭଗବାନ ନିଜେ କହିଛନ୍ତି।ଆଠଜଣ ଅମର ବ୍ୟକ୍ତିଙ୍କ ମଧ୍ୟରେ ବେଦବ୍ୟାସ ଅନ୍ୟତମ। ଏହି ଜ୍ଞାନଗୁରୁ ନିଜର ଜ୍ଞାନ ଏବଂ ତପସ୍ୟା ବଳରେ ମନଶ୍ଚକ୍ଷୁରେ ପ୍ରଭୁଙ୍କର ଏହି ମହାନ୍ ବିଶ୍ଵରୂପ ଦର୍ଶକରି ଗୀତାରେ ଲିପିବଦ୍ଧ କରିଯାଇଛନ୍ତି।
    ================================
    କ୍ରମଶଃ…..

Click to rate this post!
[Total: 1 Average: 5]

Leave a Reply