Thursday, June 13, 2024
Devotional Poems

ଗୀତାଜ୍ଞାନ(୨୧)

ଗୀତା ଜ୍ଞାନ (୨୧)
===============================
ଶ୍ରୀମଦ୍ଭଗବଦ୍ ଗୀତା
ପଞ୍ଚମ ଅଧ୍ୟାୟ
କର୍ମସନ୍ୟାସ ଯୋଗ
ଭାବାନୁବାଦ
ଶ୍ଳୋକ ସଂଖ୍ୟା ୧ ରୁ ୧୦
===============================
କର୍ମସନ୍ୟାସ ଓ କର୍ମଯୋଗ ଭିତରେ ପ୍ରଭେଦ
===============================
ଅର୍ଜୁନ ଶ୍ରୀକୃଷ୍ଣଙ୍କୁ ପଚାରୁଛନ୍ତି:—

ପୁଚ୍ଛନ୍ତି ଅର୍ଜୁନ ଆହେ ଜନାର୍ଦ୍ଦନ
ପ୍ରଶଂସି କର୍ମସନ୍ୟାସ, #
‘କର୍ମଯୋଗ’ର ବି କରୁଛ ପ୍ରଶଂସା ##
ତୁମ୍ଭେ ପ୍ରଭୁ ହୃଷିକେଶ।

ଏ ଦୁଇ ସାଧନା ମଧ୍ୟରୁ କେଉଁଟି
ନିଶ୍ଚିତ କଲ୍ୟାଣକାରୀ,
କୁହନ୍ତୁ ବୁଝାଇ ହେ ଋକ୍ମିଣୀ ସାଇଁ
ସଂଶୟ ମୋ ଦୂର କରି।

କହନ୍ତି ଶ୍ରୀଧର ଶୁଣ ଧନୁର୍ଦ୍ଧର
ଉଭୟ କଲ୍ୟାଣକାରୀ,
କିନ୍ତୁ କର୍ମଯୋଗ କର୍ମସନ୍ୟାସରୁ
ଶ୍ରେଷ୍ଠ ହେ ଗାଣ୍ଡିବଧାରୀ।

କର୍ମସନ୍ୟାସରେ ସାଧନା ସୁଗମ
ହୁଏନାହିଁ ଧନଞ୍ଜୟ,
ତେଣୁ କର୍ମଯୋଗ କର୍ମସନ୍ୟାସରୁ
ଜଗତରେ ଅଟେ ଶ୍ରେୟ।

ମହାବାହୁ ଶୁଣ କେବେ ଯେଉଁ ଜନ
ଦ୍ବେଷ ନରଖେ ଅପରେ
ଆକାଂକ୍ଷା ବୈରାଗୀ ସେହି କର୍ମଯୋଗୀ
ଗଣା ନିତ୍ୟ ସନ୍ୟାସୀରେ।

ଦ୍ବନ୍ଦ୍ବାତୀତ ନର ସେହୁ ସଂସାରର-
ବନ୍ଧନରୁ ପାଏ ମୁକ୍ତି,
ନିର୍ମଳ ତା ମନ ନିର୍ମଳ ଜୀବନ
ହୁଏ ତା ଅନନ୍ତ ପ୍ରାପ୍ତି।

ଅଜ୍ଞ ଲୋକ ବୋଲିଥାନ୍ତି ଜ୍ଞାନଯୋଗ
କର୍ମଯୋଗ ଭିନ୍ନ ଭିନ୍ନ,
ପଣ୍ଡିତ ଜାଣଇ ଏକ ଯେ ସାଧଇ
ମିଳେ ଅନ୍ୟଟିର ଜ୍ଞାନ।

ଉତ୍ତମ ଭାବରେ ସାଧନା ଯେ କରେ
ସେ ଯୋଗରୁ ଗୋଟିକରେ,
ପରମାତ୍ମା ପ୍ରାପ୍ତ ହୁଏ ହେ ଭାରତ !
ନିଶ୍ଚିତ ସେ ସାଧନାରେ।

ସାଂଖ୍ୟଜ୍ଞାନ ଯୋଗୀ ତତ୍ତ୍ବଜ୍ଞାନ ଲଭି
ଯେଉଁ ଫଳ ହୁଏ ପ୍ରାପ୍ତ,
କର୍ମଯୋଗୀ ମଧ୍ୟ କରି ଯୋଗସାଧ୍ୟ
ପାଇଥାଏ ତାହା ପାର୍ଥ।

ନଦେଖଇ ସାଂଖ୍ୟ ଯୋଗେ କର୍ମଯୋଗେ
ଭିନ୍ନତା ଯେଉଁ ମନୁଷ୍ୟ
ଅଟେ ସେହି ନର ଜ୍ଞାନୀଟି ତାହାର
ସଠିକ ଦୃଷ୍ଟି ଅବଶ୍ୟ।

ଇନ୍ଦ୍ରିୟ,ଶରୀର ମନରୁ ଆବର
ତ୍ୟାଗ ଦେବା କର୍ତ୍ତାପଣ,
ନୁହଇ ସହଜ ହେ ପଣ୍ଡୁ ଆତ୍ମଜ
କର୍ମସନ୍ୟାସରେ ଜାଣ।

କର୍ମଯୋଗ ଶ୍ରେୟ,ସନ୍ୟାସରେ ଲୟ
ହେବା ପାର୍ଥ କଷ୍ଟକର
ସକଳ କର୍ମରେ କର୍ତ୍ତାଭାବ ତ୍ୟାଗ
କରିବା ଅଟେ ଦୁଷ୍କର।

ଇନ୍ଦ୍ରିୟ ଯାହାର ବଶୀଭୂତ ବୀର
ଅନ୍ତର ଯାର ନିର୍ମଳ,
ନିଜଠାରୁ ଭିନ୍ନ କରି ଯେ ନଦେଖେ
ସୃଷ୍ଟିର ପ୍ରାଣୀ ସକଳ;
ସେହି କର୍ମଯୋଗୀ ବିଶୁଦ୍ଧାତ୍ମା
ବିଜିତାତ୍ମା ଅଟେ ଧନଞ୍ଜୟ,
କର୍ମ କରି କର୍ମେ ଲିପ୍ତ ଯେ ନରହେ
ସଂସାର କରେ ସେ ଜୟ।

ଶୟନେ ସ୍ବପନେ ଜାଗରଣେ
ଆହରଣେ, ଶ୍ରବଣେ, ଦର୍ଶନେ,
ଶ୍ବାସ ଆହରଣେ ଆଘ୍ରାଣେ କରଣେ
ଯେଉଁ ପ୍ରାଣୀ ଭାବେ ମନେ,
ସ୍ବୟଂ କିଛି କର୍ମ କରେନାହିଁ ସବୁ
ଇନ୍ଦ୍ରିୟ ଗଣ କରନ୍ତି,
ସେହି ତତ୍ତ୍ବବେତ୍ତା ସାଂଖ୍ୟଯୋଗ ଜ୍ଞାତା
କର୍ତ୍ତାଭାବ ତେଜିଥାନ୍ତି।

ପ୍ରଭୁପାଦ ହେଜି, ସର୍ବକର୍ମ ତେଜି
ପରମାତ୍ମାଙ୍କ ଚରଣେ,
ଆସକ୍ତି ରହିତ କର୍ମଯୋଗୀ ଚିତ୍ତ
ପଦ୍ମପତ୍ରେ ଜଳ ଯେହ୍ନେ।
======≠=======================
ଟୀକା
=======
# କର୍ମସନ୍ୟାସୀ….ତୀବ୍ର ବୈରାଗ୍ୟ ପଥରେ ଯାଇ କର୍ତ୍ତୃତ୍ବ ବା କର୍ତ୍ତାପଣ ଯେଉଁ ସାଂଖ୍ୟଯୋଗୀ ତ୍ୟାଗକରି କର୍ମସମ୍ପାଦନ କରେ।କର୍ତ୍ତାପଣିଆ ତ୍ୟାଗ କରିବା ଯୋଗୁଁ ଭୋକ୍ତୃତ୍ବ (ଫଳେଚ୍ଛା) ମଧ୍ୟ ଆପେ ଆପେ ତ୍ୟାଗ ହୋଇଯାଏ।
##କର୍ମଯୋଗୀ… ଯେଉଁ ବ୍ୟକ୍ତି କର୍ତ୍ତବ୍ୟ-କର୍ମ ପାଳନ ଅବସରରେ ଭୋକ୍ତୃତ୍ତ୍ବ ବା ପାଇବାର ଇଚ୍ଛା ତ୍ୟାଗକରି କର୍ମକରେ। ଏହି କ୍ଷେତ୍ରରେ ମଧ୍ୟ ଭୋକ୍ତୃତ୍ତ୍ବ ନଥିବାରୁ କର୍ତ୍ତୃତ୍ତ୍ବ ବା କର୍ତ୍ତାପଣିଆ ସ୍ବତଃ ରହେ ନାହିଁ। ସାଂଖ୍ୟଜ୍ଞାନ ଦ୍ବାରା ପ୍ରଭାବିତ ଏହି ଯୋଗରେ ଉଭୟ କର୍ମ ଓ କର୍ମଫଳ ପରମାତ୍ମାଙ୍କୁ ସମର୍ପଣ କରାଯାଏ।
===============================
ଅନ୍ତଃଦୃଷ୍ଟି
===========
ଗୀତାର ଚତୁର୍ଥ ଅଧ୍ୟାୟରେ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ‘କର୍ମସନ୍ୟାସ’ ବିଷୟରେ ଜ୍ଞାନ ପ୍ରଦାନ କରିଛନ୍ତି। ସାଧାରଣ ବ୍ୟକ୍ତି “କର୍ମ ସନ୍ୟାସ” ଅର୍ଥ କର୍ମକୁ ସମ୍ପୂର୍ଣ୍ଣ ତ୍ୟାଗ କରିବା କଥା ବୋଲି ବୁଝନ୍ତି; କିନ୍ତୁ ବାସ୍ତବରେ କର୍ମସନ୍ୟାସର ଅର୍ଥ ହେଉଛି କର୍ମ କରିବା ସମୟରେ,ମନ ଇନ୍ଦ୍ରିୟ ଓ ଶରୀର ଦ୍ବାରା ହେଉଥିବା ସକଳ କର୍ମରେ କର୍ତ୍ତାପଣ ତ୍ୟାଗ କରିବା। ସେହି ସାଧକ ଦେଖୁଥାଏ,ଶୁଣୁଥାଏ,,ଚାଲବୁଲ କରୁଥାଏ ଏବଂ ସବୁ କାମ କରୁଥିଲେ ମଧ୍ୟ ତାର ଇନ୍ଦ୍ରିୟମାନେ ସବୁ କାମ କରୁଛନ୍ତି ବୋଲି ଭାବି ସେ କର୍ମରୁ ନିଜର କର୍ତ୍ତାପଣିଆ ତ୍ୟାଗ ଦେଇଥାଏ। ଜ୍ଞାନ ରୂପକ ଅଗ୍ନିରେ ସମସ୍ତ କର୍ମକୁ(କର୍ମଜନିତ କର୍ତ୍ତୃତ୍ତ୍ବ ଓ ଭୋକ୍ତୃତ୍ତ୍ବକୁ) ଜାଳିଦେଇ କର୍ମସନ୍ୟାସୀ କର୍ମ କରେ। ଏହି ଜ୍ଞାନ ପାଇବା ପାଇଁ ଗୁରୁଙ୍କର ସାହାଯ୍ୟ ମଧ୍ୟ ନେବା ଉଚିତ ବୋଲି ଭଗବାନ ଚତୁର୍ଥ ଅଧ୍ୟାୟରେ କହିଛନ୍ତି।

“କର୍ମଯୋଗ”ର ଅର୍ଥ ହେଉଛି “ଭୋକ୍ତୃତ୍ତ୍ବ”ବା ଫଳଇଚ୍ଛା ତ୍ୟାଗ କରି,ସବୁ କର୍ମ ଓ ତାର ଫଳ ଭଗବାନଙ୍କ ଉପରେ ଛାଡିଦେଇ ସଂସାର ମଙ୍ଗଳ ପାଇଁ କର୍ମ କରିବା।
ଅର୍ଜୁନ ପଚାରିଛନ୍ତି “କର୍ମସନ୍ୟାସ” ଏବଂ “କର୍ମଯୋଗ” ମଧ୍ୟରୁ କେଉଁଟି କଲ୍ୟାଣକାରୀ । ଶ୍ରୀକୃଷ୍ଣ କହିଛନ୍ତି ଯେ ଉଭୟ କଲ୍ୟାଣକାରୀ କାରଣ ଉଭୟ ମାର୍ଗରେ ସଂସାର-ମଙ୍ଗଳକାରୀ ନିଷ୍କାମ-କର୍ମ ହିଁ ସମ୍ପାଦିତ ହୁଏ,କିନ୍ତୁ ସାଧନାରେ ସୁଗମ ହୋଇଥିବାରୁ କର୍ମଯୋଗ ହିଁ କର୍ମସନ୍ୟାସ ଅପେକ୍ଷା ଶ୍ରେଷ୍ଠ।

ତତ୍ତ୍ବତଃ କର୍ମସନ୍ୟାସରେ ‘କର୍ତ୍ତାଭାବ’ ତ୍ୟାଗ କରାଯାଏ ଏବଂ କର୍ମଯୋଗରେ ‘ଭୋକ୍ତାଭାବ’ ତ୍ୟାଗ କରାଯାଏ। କର୍ମସନ୍ୟାସରେ ସାଧନା କଷ୍ଟକର ହୋଇଥିବାରୁ କର୍ମଯୋଗ ମାର୍ଗ ଅନୁସରଣୀୟ।କର୍ମଯୋଗରେ କର୍ମପ୍ରବଣତା ଉଭୟ ସଂସାର-ସଂଗ୍ରହ(ଗାର୍ହସ୍ତ୍ୟ ପାଇଁ)ଏବଂ ଲୋକ-ସଂଗ୍ରହ (ସାମାଜିକ ମଙ୍ଗଳ) ଦୃଷ୍ଟିରୁ ମଧ୍ୟ କଲ୍ୟାଣକାରୀ।
==================================
କ୍ରମଶଃ……

Click to rate this post!
[Total: 0 Average: 0]

Leave a Reply