Thursday, June 13, 2024
Devotional Poems

ଗୀତାଜ୍ଞାନ(୨୦)

ଗୀତାଜ୍ଞାନ (୨୦)
=============================
ଶ୍ରୀମଦ୍ଭଗବଦ୍ ଗୀତା
ଚତୁର୍ଥ ଅଧ୍ୟାୟ
ଜ୍ଞାନକର୍ମସନ୍ୟାସ ଯୋଗ
(ଶ୍ଳୋକ ସଂଖ୍ୟା ୩୫ ରୁ ୪୨)
ଭାବାନୁବାଦ
=============================
ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହୁଛନ୍ତି:–ହେ ବୀର !

ଜ୍ଞାନୀ ତତ୍ତ୍ବବାଣୀ ଶୁଣି ବୀରମଣି #
ମୋହ ହୋଇଯିବ ଦୂର,
ସବୁ ପ୍ରାଣୀ ଗଣ ହୋଇବେ ଦର୍ଶନ
ସଚ୍ଚିଦାନନ୍ଦରେ ଧୀର । ##

ପ୍ରଥମେ ସମସ୍ତ ପ୍ରାଣୀଙ୍କୁ ହେ ପାର୍ଥ
ପାଇବ ନିଜ ଅନ୍ତରେ,
ପରମାତ୍ମା ଠାରେ ଦେଖିବ ତତ୍ପରେ
ସବୁ ପ୍ରାଣୀଙ୍କୁ ଶେଷରେ।

ସଂସାରରେ ପାପୀ ମଧ୍ୟେ ମହାପାପୀ
ଯେଉଁ ଜନ ହୋଇଥିବ,
ଧରି ଜ୍ଞାନରୂପୀ ନୌକା ସେହି ପାପୀ
ପାପ ସମୁଦ୍ର ଲଂଘିବ।

ଅଗ୍ନି ପ୍ରଜ୍ବଳିତ କରେ ଭସ୍ମୀଭୂତ
ଇନ୍ଧନକୁ ଯେଉଁପରି,
ଫଳେଚ୍ଛା ଜନିତ କର୍ମ ହୁଏ ଅନ୍ତ
ଜ୍ଞାନ ଅଗ୍ନିରେ ସେପରି। *

ତେଣୁ ସେ ଅର୍ଜୁନ ! ଏ ଜ୍ଞାନ ସମାନ
ସାଧନା ଧରାରେ ନାହିଁ,
ଦୀର୍ଘକାଳ ଧରି କର୍ମଯୋଗାଚାରୀ
ଏ ଜ୍ଞାନ ପ୍ରାପ୍ତ ହୁଅଇ।

ତା ଶୁଦ୍ଧିକରଣ ଅନ୍ତର ଏ ଜ୍ଞାନ
ସହଜେ ପାରଇ ଘେନି,
ଜାଣ ହେ ଅର୍ଜୁନ ଏ ପବିତ୍ର ଜ୍ଞାନ
ସିଦ୍ଧି ମଧ୍ୟେ ଶିରୋମଣି।

ଜିତେନ୍ଦ୍ରିୟ ଗଣ ହୋଇ ଶ୍ରଦ୍ଧାବାନ **
ସାଧନାରେ ମଗ୍ନ ରହି,
ହୋଇ ଜ୍ଞାନ ପ୍ରାପ୍ତ ଅବିଳମ୍ବେ ପାର୍ଥ
ଯାଆନ୍ତି ସେ ମୋକ୍ଷ ହୋଇ। ₹

ଅବିବେକୀ-ମନ ହୋଇ ଶ୍ରଦ୍ଧାହୀନ
ସଂଶୟ ମନେ ଯେ ରଖେ
ଲଭଇ ପତନ ନିଶ୍ଚିତ ସେ ଜନ
ଇହଲୋକେ ପରଲୋକେ।

ଜ୍ଞାନଯୋଗେ ମଜ୍ଜି ପରମରେ ହଜି ₹₹
ଛିନ୍ନ ଯା’ମାୟା ବନ୍ଧନ,
ବୁଦ୍ଧି-ଜ୍ଞାନ ବଳେ ସଂଶୟ ସକଳେ @
ହୁଅନ୍ତି ତାହାର ଶୂନ୍ୟ;

ସେପରି ସ୍ବରୂପ-ପରାୟଣ ନର @@
କର୍ମରେ ନହୁଏ ବାନ୍ଧି,
ମମତା,ଆସକ୍ତି, ଫଳଇଚ୍ଛା ତାକୁ
ନପାରନ୍ତି କେବେ ଛନ୍ଦି।

ତେଣୁ ହେ ଭାରତ ! ଅଜ୍ଞାନ ଜନିତ
ସଂଶୟ ମନରୁ ତେଜ,
ଜ୍ଞାନର କୃପାଣେ ବିନାଶି ଅଜ୍ଞାନେ
ଯୁଦ୍ଧପାଇଁ ହୁଅ ସଜ।

ସମଭାବାପନ୍ନ କର୍ମଯୋଗେ ମନ
ସ୍ଥିତ କରି କର ରଣ
ସବୁ କର୍ମ ପରମାତ୍ମାଙ୍କ ଚରଣେ
କରିଦେଇ ସମର୍ପଣ।

=============================
ଟୀକା
=======
#ଜ୍ଞାନୀ ତତ୍ତ୍ବବାଣୀ… ଅନ୍ତଃଦୃଷ୍ଟି ପ୍ରାପ୍ତ ଜ୍ଞାନୀଙ୍କ ବାଣୀ
## ସଚ୍ଚିଦାନନ୍ଦ… ପରମାତ୍ମା
*ଜ୍ଞାନଅଗ୍ନି… ଜ୍ଞାନଯୋଗରୁ ପ୍ରାପ୍ତ ଅଗ୍ନିଭଳି ଜ୍ଞାନ
** ଜିତେନ୍ଦ୍ରିୟ… ସମସ୍ତ ଇନ୍ଦ୍ରିୟ ଉପରେ ନିୟନ୍ତ୍ରଣ ରଖିଥିବା ବ୍ୟକ୍ତି
₹ ମୋକ୍ଷ…ମନ ଯେତେବେଳେ କାମନା-ବାସନା ଶୂନ୍ୟ ହୋଇ ଯାଏ, ପୁନର୍ଜନ୍ମ ବନ୍ଧନରୁ ମୁକ୍ତ ହୋଇଯାଏ ଏବଂ ପରମାତ୍ମାରେ ଲୀନ ହୋଇଯାଏ; ପୁନର୍ବାର ଦୁଃଖ ପୂର୍ଣ୍ଣ ସଂସାରକୁଆସେନାହିଁ।
₹₹ ପରମ… ପରମାତ୍ମା
@ ବୁଦ୍ଧିଜ୍ଞାନ… ବୁଦ୍ଧି ଓ ବିବେକ ପ୍ରୟୋଗକରି କରିଥିବା ଜ୍ଞାନଯୋଗ ସାଧନା।
@@ ସ୍ବରୂପପରାୟଣ…ଅନ୍ତର ଭିତରେ ପାରମାର୍ଥିକ ଚିନ୍ତନରେ ମଗ୍ନ।
==============================

ଅନ୍ତଃଦୃଷ୍ଟି
==============
ଭଗବାନ୍ କହୁଛନ୍ତି:—-
ହେ ଅର୍ଜୁନ ! ତତ୍ତ୍ବଦର୍ଶୀ ଗୁରୁମାନଙ୍କୁ ବିନୟ ପୂର୍ବକ ପ୍ରଶ୍ନକଲେ ସେମାନେ ପରମାତ୍ମା ତତ୍ତ୍ବ ସୁନ୍ଦର ଭାବେ ବୁଝାଇଦେବେ, ଯାହାଦ୍ବାରା ତୁମେ ଆଉ ମୋହଗ୍ରସ୍ତ ହେବନାହିଁ ତଥା ସମସ୍ତ ପ୍ରାଣୀଙ୍କ ମଧ୍ୟରେ ବ୍ରହ୍ମସତ୍ତା ଅନୁଭବ କରିବ ଏବଂ ସକଳ ପ୍ରାଣୀଙ୍କୁ ପ୍ରଥମେ ତୁମଠାରେ ଏବଂ ପରେ ମୋଠାରେ ଦେଖିପାରିବ।(ଦୁଇଟି ପାତ୍ରରେ ଥିବା ଜଳକୁ ମିଶାଇଲେ ତାର ପରିଚୟ ଏକ ହୁଏ ଏବଂ ସେହି ଜଳକୁ ସମୁଦ୍ରରେ ମିଶାଇଲେ ଜଳ ବ୍ୟତୀତ ତାର ଅନ୍ୟ କିଛି ପରିଚୟ ରହେ ନାହିଁ। ସେହି ପରି ଆତ୍ମା-ପରମାତ୍ମା ଭେଦ ଅଟେ)।ଅନ୍ୟ ପ୍ରାଣୀଙ୍କ ଭିତରେ ନିଜକୁ ଦେଖିପାରିବା ଅର୍ଥ ସମସ୍ତଙ୍କ ଭିତରେ କେବଳ ଅବିନାଶୀ ଆତ୍ମାଙ୍କୁ ଦେଖିପାରିବା; ଅତଃ ଶରୀର ଜନିତ ମୋହ ଦୂର ହୋଇଯିବ।
ଏହି ଜ୍ଞାନ ରୂପକ ଅଗ୍ନିରେ ସବୁକର୍ମ (କର୍ମଫଳେଚ୍ଛା)ଭସ୍ମ ହୋଇଯିବ ଏବଂ “ଶୁଦ୍ଧାନ୍ତକରଣ କର୍ମଯୋଗୀ” ଏହି ଭାବକୁ ସ୍ବତଃ ନିଜ ଆତ୍ମାରେ ଅନୁଭବ କରି ଭଗବତ୍ ପ୍ରାପ୍ତି (ମୋକ୍ଷ) ଲାଭ କରିବ।
ଯେଉଁମାନେ ଏହି ପାରମାର୍ଥିକ ତତ୍ତ୍ଵ ପ୍ରତି ଶ୍ରଦ୍ଧାହୀନ ହୋଇ ମନରେ ସଂଶୟ ରଖନ୍ତି, ସେମାନଙ୍କର ଇହ ଏବଂ ପରକାଳରେ ସୁଖପ୍ରାପ୍ତି ହୁଏନାହିଁ (ସକାମ କର୍ମଜନିତ ଦୁଃଖ ଭୋଗ ହୁଏ)। ତେଣୁ ହେ ଅର୍ଜୁନ ! ତୁମେ ବିବେକ-ଜ୍ଞାନ ରୂପକ ଖଡ୍ଗରେ ନିଜର ଅଜ୍ଞାନ-ଜନିତ ସଂଶୟ ଛେଦନ କରି ସମତାଯୁକ୍ତ କର୍ମଯୋଗରେ (ଯେଉଁ କର୍ମରେ ମନରେ ସମଭାବାପନ୍ନ ଭାବ ଆସେ)ସ୍ଥିତ ହୋଇ ଏହି ସଂସାର-କଲ୍ୟାଣକାରୀ ଯୁଦ୍ଧ ପାଇଁ ପ୍ରସ୍ତୁତ ହୁଅ।”

ଆଧୁନିକ ସମାଜରେ ଅନେକେ “ପରକାଳ” ଉପରେ ବିଶ୍ବାସ କରନ୍ତି ନାହିଁ।ଇହ,ପର ସବୁ ଏହି ଜୀବନକାଳ ଭିତରେ ଭୋଗହୁଏ ବୋଲି ବିଶ୍ୱାସ କରନ୍ତି। ତା’ହେଲେ ମଧ୍ୟ ଭଗବାନଙ୍କ ବର୍ଣ୍ଣିତ ଉପରୋକ୍ତ ନିଷ୍କାମ କର୍ମଯୋଗର ତତ୍ତ୍ବ ହୃଦୟଙ୍ଗମ କରି ଆପଣେଇବାକୁ ଚେଷ୍ଟାକଲେ ମାନସିକ ସ୍ଥିରତା ଏବଂ ଶାନ୍ତି ନିଶ୍ଚିତ ଭାବରେ ପ୍ରାପ୍ତହେବ।ତା’ସହିତ ସଂସାରର କଲ୍ୟାଣ ମଧ୍ୟ ହେବ।

ଚତୁର୍ଥ ଅଧ୍ୟାୟ (ଜ୍ଞାନକର୍ମସନ୍ୟାସଯୋଗ) ସମାପ୍ତ……….

==================================

Click to rate this post!
[Total: 0 Average: 0]

Leave a Reply