Thursday, July 25, 2024
Devotional Poems

ଗୀତାଜ୍ଞାନ(୧୯)

ଗୀତା ଜ୍ଞାନ (୧୯)
===============================
ଶ୍ରୀମଦ୍ଭଗବଦ୍ ଗୀତା
ଚତୁର୍ଥ ଅଧ୍ୟାୟ
ଜ୍ଞାନକର୍ମସନ୍ୟାସଯୋଗ
ଭାବାନୁବାଦ
ଶ୍ଳୋକ ସଂଖ୍ୟା ୨୯ ରୁ ୩୪
==============================
ପ୍ରାଣାୟମ ଓ ତାର ଉପାଦେୟତା
==============================
ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହୁଛନ୍ତି:—-

ପ୍ରାଣାୟମ ପରାୟଣ ଯୋଗୀଗଣ
‘ଅପାନ’ କରିଗ୍ରହଣ, *
‘ପ୍ରାଣ’ରେ କରିଣ ସେ ଅପାନ ଲୀନ
କରନ୍ତି ‘ପୂରକ’ ପୂର୍ଣ୍ଣ **

ପ୍ରାଣ ଓ ଅପାନ ବାୟୁ ନିୟନ୍ତ୍ରଣ
କରି କରନ୍ତି ‘କୁମ୍ଭକ’,***
ସୂର୍ଯ୍ୟନାଡି ଦେଇ ନିର୍ଗମ କରାଇ
ବାୟୁ କରନ୍ତି ‘ରେଚକ’।#

କିଛି ଯୋଗୀ ଜନ କରନ୍ତି ଭୋଜନ
ଆହାର ଯଥା ଉଚିତ ,
ପ୍ରାଣକୁ ଦିଅନ୍ତି ପ୍ରାଣରେ ଆହୂତି
କରି ପ୍ରାଣାୟମ ବ୍ରତ। &

ଏସବୁ ସାଧକ ଯଜ୍ଞଦ୍ବାରା ପାପ
ନାଶ କରନ୍ତି ଅର୍ଜୁନ,
ଯଜ୍ଞଜ୍ଞାତା ଏହି ସାଧକ ରଖଇ
ସମାଜ ମଙ୍ଗଳେ ଧ୍ୟାନ।

ଯଜ୍ଞାବଶେଷର ତୃପ୍ତି ଅମୃତର &&
ଲଭନ୍ତି ଏହି ସଜ୍ଜନ,
ଯଜ୍ଞକାର୍ଯ୍ୟ ଯେହୁ ନକରନ୍ତି ସେହୁ
ମନୁଷ୍ୟେ ନୁହନ୍ତି ଗଣ୍ୟ।

ସେହି ପ୍ରାଣୀ ଗଣ ଏ ଜନ୍ମେ ଅର୍ଜୁନ
କରିଥାନ୍ତି ଦୁଃଖ ଭୋଗ,
ପରଲୋକଗତେ ସେମାନେ କେମନ୍ତେ
ହେବେ ସୁଖ ଭୋଗ ଯୋଗ୍ୟ ?

ଏପରି ଅନେକ ଯଜ୍ଞ ହୋଇଅଛି
ବର୍ଣିତ ବେଦବାଣୀରେ,
କଲେ ତା ସମ୍ପନ୍ନ ଏ କର୍ମ ବନ୍ଧନ
ପ୍ରାଣୀ ପାର ହୋଇପାରେ।

ହେ ଶତ୍ରୁତାପନ ଦ୍ରବ୍ୟମୟ ଯଜ୍ଞ &&&
ଠାରୁ ଶ୍ରେଷ୍ଠ ଜ୍ଞାନଯଜ୍ଞ,
କ୍ରିୟା ପଦାର୍ଥରୁ ନିର୍ଲିପ୍ତ ରହଇ
ସେହି ତତ୍ତ୍ଵଜ୍ଞାନୀ ବିଜ୍ଞ।

ତତ୍ବଜ୍ଞାନୀ କରେ ଲକ୍ଷ୍ୟ ଜୀବନରେ
ଲଭିବା ପାଇଁ ଚିନ୍ମୟ,
କର୍ମ,ପଦାର୍ଥରୁ ସମ୍ବନ୍ଧ ତୁଟାଇ
ବ୍ରହ୍ମରେ ରଖେ ସେ ଲୟ।

ସେ ତତ୍ବଜ୍ଞାନୀଙ୍କୁ ଗୁରୁ ମଣି ପାର୍ଥ
ସାଷ୍ଟାଂଗ ପ୍ରଣାମ କରି,
ସରଳ ମନରେ ପ୍ରଶ୍ନକଲେ ତୋତେ
ତତ୍ତ୍ବଜ୍ଞାନ ଦେବେ ଭରି।
==================================
ଟୀକା
=======
*ପ୍ରାଣାୟମ…ଶ୍ବାସ ନିଷ୍କାସନ( ନିଃଶ୍ବାସ)ସମୟରେ ଯେଉଁ ବାୟୁ ନିର୍ଗତ ହୁଏ ତାହାକୁ “ପ୍ରାଣ’ କୁହାଯାଏ।ପ୍ରଶ୍ବାସ ଗ୍ରହଣ ସମୟରେ ଯେଉଁ ବାୟୁ ଆମେ ଭିତରକୁ ନେଉ ତାହା “ଅପାନ” କୁହାଯାଏ।ପ୍ରାଣ ଏବଂ ଅପାନ, ଏହି ଦୁଇ ବାୟୁକୁ ବିଧିମତେ ନିୟନ୍ତ୍ରଣ କରିବା ପ୍ରକ୍ରିୟାକୁ ପ୍ରାଣାୟାମ କୁହାଯାଏ।

** ପୂରକ..ବାମ ନାସିକା ପଥ’ର ନାମ ଚନ୍ଦ୍ରନାଡି ଏବଂ ଦକ୍ଷିଣ ନାଶିକା ପଥର ନାମ ସୂର୍ଯ୍ୟନାଡ଼ି। ପ୍ରାଣାୟମ ସମୟରେ ପ୍ରଥମେ ଅପାନ ଚନ୍ଦ୍ରନାଡି ଭିତରେ ନେଇ ତାକୁ ନାଭିପଥରେ “ପ୍ରାଣ” ଦେହରେ ଲୀନ କରିବା କାର୍ଯ୍ୟକୁ “ପୂରକ”କୁହାଯାଏ।

*** କୁମ୍ଭକ…. ତା’ପରେ ପ୍ରାଣ ଓ ଅପାନ ଗତିକୁ କିଛି ସମୟ ସ୍ଥିର କଲେ ପ୍ରଶ୍ବାସ ଓ ନିଃଶ୍ବାସ କାର୍ଯ୍ୟ ହୁଏନାହିଁ। ଏହି ପ୍ରକ୍ରିୟାକୁ “କୁମ୍ଭକ”କୁହାଯାଏ।

# ରେଚକ…କୁମ୍ଭକ କାର୍ଯ୍ୟ ଦ୍ବାରା ପ୍ରାଣରେ ଅପାନକୁ ଆହୂତି ଦେଇ ସେହି ବାୟୁକୁ ସୂର୍ଯ୍ୟନାଡି ଦ୍ବାରା ନିଷ୍କାସିତ କରାଯାଏ। ଏହି କାର୍ଯ୍ୟକୁ “ରେଚକ”କୁହାଯାଏ।
& ପ୍ରାଣକୁ ପ୍ରାଣରେ ଆହୂତି ଦେବା… ପ୍ରଶ୍ବାସ ନେଇ ତାକୁ ନିଃଶ୍ବାସରେ ପ୍ରଯୁକ୍ତ/ଲୀନ କରିବା।
&& ଯଜ୍ଞାବଶେଷର ତୃପ୍ତି…ଯଜ୍ଞଶେଷରେ ବଳକା ଭୋଜନ ଗ୍ରହଣ କରିବାର ଅଶେଷ ତୃପ୍ତି ମିଳିଥାଏ।
&&& ଶତ୍ରୁତାପନ…ଶତ୍ରୁକୁ ଭୟ ପ୍ରଦାନକାରୀ।
ଦ୍ରବ୍ୟମୟ ଯଜ୍ଞ….ପଦାର୍ଥ ଓ କର୍ମର ଆବଶ୍ୟକତା ଯେଉଁ ଯଜ୍ଞରେ ରହିଛି।
ଜ୍ଞାନଯଜ୍ଞ… ବିଚାର ଓ ବୁଦ୍ଧିଯୁକ୍ତ ଯଜ୍ଞ।
==============================
ଅନ୍ତଃଦୃଷ୍ଟି
==============================

ପ୍ରାଣାୟମ କ୍ରିୟାକୁ ନିମ୍ନୋକ୍ତ ଭାବେ କବିତାରେ ବର୍ଣ୍ଣନା କରାଯାଇପାରେ:—–

ନିଶ୍ବାସେ ନିର୍ଗତ ବାୟୁର ନାମ ଅଟଇ “ପ୍ରାଣ”
ପ୍ରଶ୍ବାସେ ଗ୍ରହଣ ବାୟୁର ନାମଗୋଟି “ଅପାନ”।

ବାମ ନାସିକା ପଥ ନାମ ଅଟଇ ‘ଚନ୍ଦ୍ରନାଡି’
ଦକ୍ଷିଣ ନାସିକା ପଥଟି ନାମିତ ସୂର୍ଯ୍ୟନାଡି।

ପ୍ରାଣାୟମ ବେଳେ ପ୍ରଥମେ ଚନ୍ଦ୍ରନାଡି ପଥରେ,
ଅପାନକୁ ନେଇ କରିବ ଲୀନ ପ୍ରାଣ ସଙ୍ଗରେ।
ନାଭୀପଥରେ ସ୍ବଭାବରେ ପୂର୍ଣ୍ଣ ହେଲେ ଏ’କାର୍ଯ୍ୟ
“ପୂରକ” ନାମଟି ତାହାରି ଜାଣି ରଖ ହେ ଆର୍ଯ୍ୟ।

ପ୍ରାଣ, ଅପାନ ବାୟୁଙ୍କର ଗତି କରିଲେ ସ୍ଥିର
ନିଶ୍ବାସ ପ୍ରଶ୍ବାସ ନହୁଏ ନାମ “କୁମ୍ଭକ” ତାର।
ତତ୍ପରେ ସୂର୍ଯ୍ୟନାଡି ପଥେ ବାୟୁ କର ନିର୍ଗମ
ପ୍ରାଣରେ ଅପାନ ଆହୂତି ତାର “ରେଚକ” ନାମ

ପୂରକ,କୁମ୍ଭକ,ରେଚକ ନିୟମିତ କରଣେ
ପବିତ୍ର,ନିରୋଗ ହୋଇବ ସଦା ପ୍ରାଣୀ ଜୀବନେ।
ଏଅଟେ ପ୍ରାଣାୟମ କ୍ରିୟା ମୁନି ମୁଖ ନିଶ୍ରୁତ,
ସନାତନ ଆର୍ଯ୍ୟ ସମାଜେ ହୋଇଥିଲା ଆଦୃତ।

ବିଭିନ୍ନ ଯଜ୍ଞ ଓ ପ୍ରାଣାୟାମର ଅବତାରଣା କରି ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହିଛନ୍ତି ଯେ ସମସ୍ତ ଦ୍ରବ୍ୟମୟ ଯଜ୍ଞମାନଙ୍କ ତୁଳନାରେ ଜ୍ଞାନଯଜ୍ଞ ଶ୍ରେଷ୍ଠ। ଏହାଦ୍ବାରା କ୍ରିୟା ଓ ପଦାର୍ଥରୁ ନିର୍ଲିପ୍ତ ରହି ତତ୍ତ୍ବଜ୍ଞାନୀ ପରମ ଏବଂ ମୋକ୍ଷ ପ୍ରାପ୍ତ ହୁଅନ୍ତି।

—————————————————————-
କ୍ରମଶଃ……

Click to rate this post!
[Total: 0 Average: 0]

Leave a Reply