Thursday, July 25, 2024
Devotional Poems

ଗୀତାଜ୍ଞାନ(୧୫)

ଗୀତା ଜ୍ଞାନ (୧୫)
==============================
ଶ୍ରୀମଦ୍ଭଗବଦ୍ ଗୀତା
ତୃତୀୟ ଅଧ୍ୟାୟ
କର୍ମଯୋଗେ
କାବ୍ୟାନୁବାଦ
ଶ୍ଳୋକ ସଂଖ୍ୟା ୩୩ରୁ ୪୩
==============================
କର୍ମଯୋଗର କିଛି ବିଶେଷ ତତ୍ତ୍ଵ
==============================
ସତ୍ତ୍ବ, ରଜୋ, ତମୋ ପ୍ରକୃତି-ଗତ ତିନୋଟି ଗୁଣ,
ଗୁଣ ଅନୁସାରେ ପ୍ରାଣୀଏ କରନ୍ତି ଆଚରଣ।
ଜ୍ଞାନୀ ମଧ୍ୟ ନିଜ ସ୍ଵଭାବ ପ୍ରକାଶେ ସ୍ବ କର୍ମରେ,
ପ୍ରକୃତି ଅଧୀନ ସମସ୍ତ କାର୍ଯ୍ୟ ଏହି ସଂସାରେ।

ରାଗ, ଦ୍ୱେଷ ଶତ୍ରୁ ଦୁଇଟି ସେ ତ ଇନ୍ଦ୍ରିୟ ଗତ,
ବଶବର୍ତ୍ତୀ ତାର ହୋଇଲେ ବିଘ୍ନ ଘଟେ ବହୁତ।
କଲ୍ୟାଣ ମାର୍ଗରେ କରନ୍ତି ଘୋର ବିତ୍ପାତ ସୃଷ୍ଟି,
କର୍ମଯୋଗୀ ହୋଇ ବିନାଶ କର ସେହି ଅରିଷ୍ଟି।

ପର ଧର୍ମଠାରୁ ସ୍ବଧର୍ମ ଅଟଇ ଶ୍ରେୟସ୍କର,
ଅନ୍ୟ ଧର୍ମଠାରୁ ସର୍ବଦା ତାହା ମଙ୍ଗଳ କର,
ଶ୍ରେଷ୍ଠ ହେଲେ ବି ପରଧର୍ମ ନିଜ ଧର୍ମ ସହିତ,
ତୁଳନୀୟ ନୁହେଁ କଦାପି ଜାଣିଥାଅ ଭାରତ ! #

ନିଜ ଧର୍ମ ପାଳି କ୍ଷତ୍ରିୟ ଯେବେ ହୁଏ ନିଧନ,
ସ୍ବର୍ଗଲାଭ ତାର ଅବଶ୍ୟ ହୁଏ କୁନ୍ତୀ ନନ୍ଦନ।
ବ୍ରାହ୍ମଣ ଆଦି ଅନ୍ୟବର୍ଗ ପାଳି ନିଜର ଧର୍ମ,
କଲ୍ୟାଣ ଲଭନ୍ତି ସଂସାରେ କରି ସ୍ଵକୀୟ କର୍ମ।

ପଚାରନ୍ତି ପାର୍ଥ ମୋଚନ କର ସନ୍ଦେହ ମୋର,
କାହା ଦ୍ବାରା ହୋଇ ପ୍ରେରିତ କରେ କୁକର୍ମ ନର ?
କାହା ଦ୍ବାରା ଅନୁପ୍ରେରିତ ହୋଇ ପାପ ସେ କରେ,
କେଉଁ ଶକ୍ତି ତାହା କରାଏ ବିବେକ ବିରୁଦ୍ଧରେ ?

କହନ୍ତି ଶ୍ରୀକୃଷ୍ଣ ରଜୋ ଗୁଣରୁ ଜାତ କାମନା,##
ପରିଣତ ହୋଇ କ୍ରୋଧରେ କରେ ପାପ ସର୍ଜନା।
ପରମ ଶତ୍ରୁ ସେ କାମନା ଅଟଇ ସର୍ବଗ୍ରାସୀ,
କରାଇଥାଏ ମହାପାପ ଜାଣ ତୁ ପଣ୍ଡୁବଂଶୀ।

ଯେଉଁ ପରି ଧୂମ ଅଗ୍ନିକୁ କରିଥାଏ ଆବୃତ୍ତ
ଦର୍ପଣକୁ ଧୂଳି,ଗର୍ଭକୁ ଜରାୟୁ ଯେଉଁ ମତ,
ଜ୍ଞାନକୁ ସେପରି ଆବୃତ୍ତ କରିଥାଏ କାମନା,
ବିବେକୀ ଜନର ଶତ୍ରୁ ସେ କରେ କ୍ରୋଧ ସର୍ଜନା ।
ଘୃତଦାନେ ଅଗ୍ନି ଯେପରି ରହିଥାନ୍ତି ଅତୃପ୍ତ,
କାମନା ପ୍ରଭାବେ ମନୁଷ୍ୟ ହୁଅଇ ସେହି ମତ।

ମନ,ବୁଦ୍ଧି, ଇନ୍ଦ୍ରିୟକୁ ଯେ କାମନା କାବୁ କରେ
ଜ୍ଞାନକୁ କରି ଆଚ୍ଛାଦିତ ମୋହିତ କରେ ନରେ।
ତେଣୁ ଶ୍ରେଷ୍ଠ କାର୍ଯ୍ୟ ତୁମ୍ଭର ଇନ୍ଦ୍ରିୟ ବଶ କରି,
ନାଶକର କାମନା ଜ୍ଞାନ,ବିଜ୍ଞାନ ନାଶକାରୀ।

ବଳବାନ ଅଟେ ଇନ୍ଦ୍ରିୟ ମାନବ ଶରୀରରେ,
ତା’ଠାରୁ ମନ ବଳବାନ ବୁଦ୍ଧି ତାହା ଉପରେ,
ଇନ୍ଦ୍ରିୟ,ମନ, ବୁଦ୍ଧି ଠାରୁ ଆତ୍ମା(ସ୍ବୟଂ) ଯେ ବଳବାନ,
ବୁଦ୍ଧିବଳେ କର ଅର୍ଜୁନ ଇନ୍ଦ୍ରିୟ ନିୟନ୍ତ୍ରଣ।

ବୁଦ୍ଧିରୁ ବଳବାନ ଆତ୍ମା (ସ୍ବୟଂ),ସୂକ୍ଷ୍ମ, ଶ୍ରେଷ୍ଠ ଅଟଇ,
ତାହା ଦ୍ବାରା ବୁଦ୍ଧିକୁ ବଶ କର ଅର୍ଜୁନ ତୁହି,
ବୁଦ୍ଧିଦ୍ବାରା ମନକୁ ବଶ କର ହେ ମହାବାହୁ,
ଦୁର୍ଜୟ ଶତ୍ରୁ କାମନାକୁ ନାଶ,ସମୂଳେ ଯାଉ।

କର୍ମଯୋଗ ସମାପ୍ତ….
=================================
ଟୀକା
=================================
# ଭାରତ… ଭରତ ବଂଶଜ ଅର୍ଜୁନ
## ରଜୋ ଗୁଣ… ମନୁଷ୍ୟ-ପ୍ରକୃତିର ତ୍ରିଗୁଣ ମଧ୍ୟରୁ ଏହା ଗୋଟିଏ ଗୁଣ।ଏହାକୁ ରାଜସିକ ଗୁଣ ମଧ୍ୟ କୁହାଯାଏ।ଏହା ପ୍ରଭାବରେ ମନରେ କାମ, କ୍ରୋଧ,ଲୋଭ,ମୋହ ଇତ୍ୟାଦିର ପ୍ରାବଲ୍ୟ ହୁଏ ଏବଂ କାମନାର ବୃଦ୍ଧି ଯୋଗୁଁ ମନରେ ଶାନ୍ତି ରହେ ନାହିଁ।
===================================
ଅନ୍ତଃଦୃଷ୍ଟି
===================================
ଏଠାରେ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କର୍ମଯୋଗର କିଛି ବିଶେଷ ତତ୍ତ୍ଵ ଉପରେ ସ୍ପଷ୍ଟୀକରଣ ଦେଇଛନ୍ତି:—

ପ୍ରତ୍ୟେକ ପ୍ରାଣୀ ସଂସାରରେ ନିଜର ପ୍ରକୃତି ବା ଗୁଣ (ସତ୍ତ୍ଵ,ରଜ,ତମ) ଅନୁସାରେ ଆଚରଣ ଏବଂ କର୍ମ କରିଥାଏ। ଜ୍ଞାନୀ ଲୋକମାନଙ୍କର ସ୍ବଭାବ ମଧ୍ୟ ସେମାନଙ୍କ ନିଜ ନିଜ କର୍ମରେ ପ୍ରତିଫଳିତ ହୋଇଥାଏ। ଇନ୍ଦ୍ରିୟ ମାନଙ୍କ ପ୍ରଭାବରେ ମନୁଷ୍ୟ ମନରେ ଯେଉଁ ରାଗ ଏବଂ ଦ୍ୱେଷ ସୃଷ୍ଟିହୁଏ ତାହା ପ୍ରାଣୀର ପରମ ଶତ୍ରୁ। ତାର ବଶବର୍ତ୍ତୀ ହେଲେ ସ୍ବୟଂର ତଥା ସମାଜରେ ଘୋର ବିତ୍ପାତ ସୃଷ୍ଟି ହୁଏ। ତେଣୁ ଏହି ଦୁଇଟି ଶତ୍ରୁଙ୍କୁ କର୍ମଯୋଗୀ ପ୍ରଥମେ ବିନାଶ କରିବା ଉଚିତ।

କର୍ମ ହିଁ ସଂସାରରେ ମନୁଷ୍ୟର ଧର୍ମ। ଅନେକେ ନିଜର କୌଳିକ ଧର୍ମ(କର୍ମ) ସମ୍ପାଦନ ନକରି ପରଧର୍ମ ବା ଅନ୍ୟର କର୍ମପ୍ରତି ସ୍ପୃହା ଦେଖାଇଥାନ୍ତି।ଏହା ବାଞ୍ଛନୀୟ ନୁହେଁ।ନିଜ ଧର୍ମ ପର ଧର୍ମଠାରୁ ନିକୃଷ୍ଟ ହେଲେ ମଧ୍ୟ ନିଜ ଧର୍ମକୁ ଆପଣେଇବା ଆବଶ୍ୟକ। ମହାଭାରତ ଯୁଗରେ ଦ୍ରୋଣ ଏବଂ କୃପାଚାର୍ଯ୍ୟଙ୍କ ଭଳି ଅନେକ ବ୍ରାହ୍ମଣ ନିଜର କୌଳିକ ଧର୍ମ ତ୍ୟାଗକରି ଶସ୍ତ୍ର ବିଦ୍ୟା ଶିକ୍ଷା ଦେଉଥିଲେ ଏବଂ କ୍ଷତ୍ରିୟଙ୍କଭଳି ଯୁଦ୍ଧରେ ଭାଗ ନେଉଥିଲେ। ଶ୍ରୀକୃଷ୍ଣଙ୍କ ଆକ୍ଷେପ ସେହି ମାନଙ୍କ ପ୍ରତି ହୋଇପାରେ। କିନ୍ତୁ ଆଧୁନିକ ଯୁଗରେ ମଧ୍ୟ ନିଜ କୌଳିକ କର୍ମ ତ୍ୟାଗକରି ଅନେକ ବ୍ୟକ୍ତି ଅନ୍ୟବର୍ଣ୍ଣର ବ୍ୟକ୍ତି ମାନଙ୍କ କର୍ମ କରିବାପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି।

ଶ୍ରୀକୃଷ୍ଣଙ୍କ ମତରେ କ୍ଷତ୍ରିୟ ନିଜ କର୍ତ୍ତବ୍ୟ କର୍ମ ସମ୍ପାଦନ କରିବା ଅବସରରେ ମୃତ୍ୟୁ ବରଣ କରିବା ବରଂ ଶ୍ରେୟ, କିନ୍ତୁ ଅସ୍ତ୍ର ତ୍ୟାଗକରି ଅନ୍ୟଧର୍ମ/କର୍ମରେ ସ୍ପୃହା ଦେଖାଇବା ଅନୁଚିତ। ସେହିପରି ବ୍ରାହ୍ମଣାଦି ଅନ୍ୟ ବର୍ଗର ବ୍ୟକ୍ତିମାନେ ସ୍ବଧର୍ମ ଓ ସ୍ବକର୍ମ ପାଳନରେ ବ୍ରତୀ ହେବା ଉଚିତ।

ସଂସାରରେ କର୍ମଯୋଗୀରକର୍ମ,ଗୁଣ,ଚରିତ୍ର,ଆଚାର-ବ୍ୟବହାର ଏବଂ ନିଷ୍କାମ କର୍ମର ସମାଜରେ ଉପାଦେୟତା ଇତ୍ୟାଦି ବିଷୟରେ ଶ୍ରୀକୃଷ୍ଣଙ୍କ ମୁଖରୁ ଶୁଣିବା ପରେ ଅର୍ଜୁନଙ୍କ ମନରେ କର୍ମଯୋଗେ ସମ୍ବନ୍ଧରେ କିଛି ଅଧିକ ପ୍ରଶ୍ନ ଉଠିଛି।ସେ ପଚାରିଛନ୍ତି…ହେ ବାସୁଦେବ ! କୁକର୍ମ ବା ପାପ କର୍ମ କାହା ଦ୍ବାରା ପ୍ରେରିତ ହୋଇ, ଅନିଚ୍ଛା ସତ୍ତ୍ବେ ମଧ୍ୟ ମନୁଷ୍ୟ କରିଥାଏ ?
ଶ୍ରୀକୃଷ୍ଣ କହିଛନ୍ତି.. ତ୍ରିଗୁଣ ଦ୍ବାରା ପ୍ରଭାବିତ ମନୁଷ୍ୟର “ରଜୋ” ଗୁଣ ହିଁ ଏଥିପାଇଁ ଦାୟୀ।”ରଜୋ” ଗୁଣ ପ୍ରଭାବରେ ମନୁଷ୍ୟ ମନରେ କାମନା ଜାତ ହୁଏ; କାମନା ପରିପୂର୍ଣ୍ଣ ନହେଲେ କ୍ରୋଧ ଜାତ ହୁଏ, କ୍ରୋଧର ବଶବର୍ତ୍ତୀ ହୋଇ ମନୁଷ୍ୟ ପାପ କାର୍ଯ୍ୟ କରିଥାଏ। ମନୁଷ୍ୟର ମନ, ବୁଦ୍ଧି ଓ ଇନ୍ଦ୍ରିୟକୁ କାମନା ଆବୃତ କରି ରଖିଥାଏ। ମନୁଷ୍ୟର ଏହି ଚିରଶତ୍ରୁ କାମନାକୁ ବୁଦ୍ଧି ପ୍ରୟୋଗ କରି ନିୟନ୍ତ୍ରଣ କରାଯାଇପାରେ,କାରଣ ଶରୀରରେ ଇନ୍ଦ୍ରିୟ ବଳବାନ ହେଲେ ମଧ୍ୟ ତା ଠାରୁ ବଳବାନ ମନ ଏବଂ ସର୍ବୋପରି ବୁଦ୍ଧି ହିଁ ବଳବାନ। ସ୍ବୟଂ ବା ଆତ୍ମା ବୁଦ୍ଧି ପ୍ରୟୋଗ କରି ଚିରଶତ୍ରୁ କାମନାକୁ ନିୟନ୍ତ୍ରିତ କରି ଶ୍ରେଷ୍ଠ କର୍ମଯୋଗୀ ହୋଇପାରିବ।

ତୃତୀୟ ଅଧ୍ୟାୟ “କର୍ମଯୋଗ”ସମାପ୍ତ।
==================================
କ୍ରମଶଃ…..

Click to rate this post!
[Total: 0 Average: 0]

Leave a Reply