Thursday, June 13, 2024
Devotional Poems

ଗୀତାଜ୍ଞାନ(୧୨)

ଗୀତା ଜ୍ଞାନ (୧୨)
=================================
ଶ୍ରୀମଦ୍ଭଗବଦ୍ ଗୀତା
ତୃତୀୟ ଅଧ୍ୟାୟ
କର୍ମଯୋଗ
ଭାବାନୁବାଦ
ଶ୍ଳୋକ ସଂଖ୍ୟା ୧ ରୁ ୧୨
==================================
ଅର୍ଜୁନ ବୋଲନ୍ତି ଶ୍ରୀକୃଷ୍ଣ ! ଯେବେ କହୁଛ ମୋତେ,
ଜ୍ଞାନ ବଡ଼ କର୍ମ ଅପେକ୍ଷା ତେବେ କାହିଁକି ସତେ,
ଭୟଙ୍କର ଯୁଦ୍ଧ କର୍ମରେ ମୋତେ କର ପ୍ରେରିତ ,
ନୁହେଁ କି ନାଶବାନ କାର୍ଯ୍ୟ ତାହା କମଳାକାନ୍ତ ?

ପାଇବି ଯେବେ ମୁଁ ଅଭୀଷ୍ଠ ଫଳ “ସାଂଖ୍ୟଯୋଗ”ରେ,,#
ପରମାତ୍ମା ଭଜି ହୋଇବି ପାର ଭବସାଗରେ।
କାହିଁକି ନିଜକୁ ଯୋଡିବି ନାଶବାନ ସଂଗ୍ରାମେ,
ତୁମ୍ଭ ଏ ମିଶ୍ରିତ ବଚନ ମୋତେ ପକାଏ ଭ୍ରମେ।
ତୁମ୍ଭ କଥା ଶୁଣି ମୋହିତ ହୁଏ ମନ ମୋହର।
ସ୍ପଷ୍ଟ କଥା କୁହ ବୁଝାଇ ମୋତେ ଶ୍ୟାମସୁନ୍ଦର।

ବୋଲନ୍ତି ଶ୍ରୀକୃଷ୍ଣ ସେ ନିଷ୍ଠା ପ୍ରାପ୍ତ ଦୁଇ ପ୍ରକାରେ,
ଜ୍ଞାନୀ ଲଭେ “ସାଂଖ୍ୟଯୋଗ”ରେ, କର୍ମୀ “କର୍ମଯୋଗ”ରେ।
ଦୁଇ ଯୋଗ ପରିପୂରକ ଅଟନ୍ତି ହେ ଅର୍ଜୁନ,
କେଉଁ ପ୍ରକାର ତା କହୁଛି ମୁହିଁ ବୁଝାଇ,ଶୁଣ।
ସାଂଖ୍ୟସିଦ୍ଧି ପ୍ରାପ୍ତ ନୋହିବ କର୍ମ କରିଲେ ତ୍ୟାଗ,
ଅନ୍ତର୍ମୁଖୀ ନହେଲେ ମନ ନହେବ କର୍ମଯୋଗ।

ପ୍ରତି ମୁହୂର୍ତ୍ତରେ ସଂସାରେ ପ୍ରାଣୀ କର୍ମରେ ରତ,
ନିରନ୍ତର କର୍ମ କରିବା ତାର ପ୍ରକୃତି ଗତ।
କର୍ମ ତ୍ୟାଗକରି ସଂସାରେ କେହି ରହି ନପାରେ,
କର୍ମ ପରିପୂର୍ଣ୍ଣ ଜୀବନ ମାନବର ସଂସାରେ।

ବଳାତ୍କାରେ କର୍ମଇନ୍ଦ୍ରିୟ ରୋଧି ହଠଭାବରେ,
ବିଷୟ ଚିନ୍ତନ କରଇ ସିନା ପ୍ରାଣୀ ସଂସାରେ।
ମୂଢ ସେ ମନୁଷ୍ୟ ଆବର ମିଥ୍ୟାଚାରୀ ସେ ପ୍ରାଣୀ,
ଆସକ୍ତିପୂର୍ଣ୍ଣ ଭୋଗଚିନ୍ତା ଥାଏ ତା ମନେ ପୁଣି।

ଜ୍ଞାନର ଆଶ୍ରୟେ ଇନ୍ଦ୍ରିୟ ବଶ କରି ଯେ ଲୋକ,
କର୍ମଯୋଗେ ହୁଏ ପ୍ରବୃତ୍ତ ସେହି ଶ୍ରେଷ୍ଠ ସାଧକ।
ଆସକ୍ତି ରହିତ ଇନ୍ଦ୍ରିୟ ସଞ୍ଜତ କର୍ମଯୋଗୀ,
ନିଷ୍କାମ କର୍ମକରି ହୁଏ ଶ୍ରେଷ୍ଠ ସଂସାର ଭୋଗୀ।

ଶ୍ରେୟସ୍କର କର୍ମ ତ୍ୟାଗରୁ କର୍ମର ସମ୍ପାଦନ,
ଶାସ୍ତ୍ରୋକ୍ତ;ଶରୀର ନିର୍ବାହ ପାଇଁ ତା ପ୍ରୟୋଜନ।
କର୍ତ୍ତବ୍ୟ ପାଳନ ପାଇଁ ଯେ କର୍ମ ତା ଯଜ୍ଞସମ,
ସେ ନିଷ୍କାମ କର୍ମ ପାଳନ କର କୁନ୍ତୀ ନନ୍ଦନ।

ସୃଷ୍ଟି ଆରମ୍ଭରେ ଗଢିଲେ ପ୍ରଜାପତି ମନୁଷ୍ୟ,
କର୍ତ୍ତବ୍ୟ-କର୍ମ ବିଧି ତାକୁ କହିଥିଲେ ଅବଶ୍ୟ।
କହିଥିଲେ “କର୍ତ୍ତବ୍ୟ ପାଳି ଦେବଙ୍କୁ କର ତୁଷ୍ଟ,
ତୁଷ୍ଟ ଦେବଗଣ ସମାଜ କରିବେ ପରିପୁଷ୍ଟ।
କର୍ତ୍ତବ୍ୟ କର୍ମରେ ନିଜର ଆବର ସଂସାରର,
ସାଧିତ ହୁଅଇ କଲ୍ୟାଣ ଜାଣି ରଖ ତୁ ନର।

କର୍ମଯୋଗୀ ପାଏ ଦେବତା, ଋଷି,ପିତୃ ଆଦର,
ନିଷ୍କାମ କର୍ମଯୋଗେ ପୁଷ୍ଟ ହୁଏ ସାରା ସଂସାର।
ପଦ, ଅଧିକାର, ଯୋଗ୍ୟତା, ସମ୍ପତ୍ତି ସଂସାରରେ,
ଦେବଦତ୍ତ ତାହା, ନଥାଏ ମନୁଷ୍ୟ ଅଧିକାରେ।
ସମାଜ ସେବାରେ ଉଦ୍ଦିଷ୍ଟ ତାହା ପ୍ରୟୋଗ ପାଇଁ,
ନିଜେ ଉପଭୋଗ କରିଲେ ଚୌର୍ଯ୍ୟବୃତ୍ତି ବୋଲାଇ।
==================================
# ସାଂଖ୍ୟଯୋଗ… ଆତ୍ମା-ପରମାତ୍ମା ସମ୍ବନ୍ଧୀୟ ଜ୍ଞାନ
କର୍ତ୍ତବ୍ୟ-କର୍ମ…ସମାଜରେ ଯେଉଁ କାର୍ଯ୍ୟ କରିବା ଉଚିତ
ନିଷ୍କାମ କର୍ମ..ଫଳକାମନା ନରଖି ଯେଉଁ କର୍ମ କରାଯାଏ।
==================================
ଅନ୍ତଃଦୃଷ୍ଟି
==================================
ପୂର୍ବ ଅଧ୍ୟାୟରେ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ନିଷ୍କାମ କର୍ତ୍ତବ୍ୟ ସମ୍ପାଦନ କରିବାପାଇଁ ପ୍ରଚୋଦିତ କରିଛନ୍ତି। ଏହି ନିଷ୍କାମ କର୍ମ ସମ୍ପାଦନ ପଥରେ ବାଧା ସୃଷ୍ଟି କରୁଥିବା ଅପତ୍ୟମୋହ ଦୂର କରିବାପାଇଁ ଶ୍ରୀକୃଷ୍ଣ ଆତ୍ମା-ପରମାତ୍ମା ତତ୍ତ୍ବର ଅବତାରଣା କରି ଶରୀରର ଅଳିକତା ପ୍ରତିପାଦନ କରିବାକୁ ପ୍ରୟାସ କରିଛନ୍ତି।ଏହା ସାଂଖ୍ୟଯୋଗ ଭାବରେ ପରିଗଣିତ। ଏହାପରେ ଶ୍ରୀକୃଷ୍ଣ କହିଛନ୍ତି ଯେ ସାଂଖ୍ୟଯୋଗ ଦ୍ବାରା ଯେଉଁ ସିଦ୍ଧି ଲାଭ କରିହେବ ତାହା କର୍ମଯୋଗ ଦ୍ବାରା ମଧ୍ୟ ଲାଭ କରିହେବ। ଏହି ନିଷ୍କାମ କର୍ମଯୋଗ ସମ୍ପାଦନ କରିବାକୁ ହେଲେ ପ୍ରମଥନଶୀଳ ଇନ୍ଦ୍ରିୟ ମାନଙ୍କୁ ବଶୀଭୂତ କରିବାକୁ ହେବ ତଥା ସ୍ଥିତପ୍ରଜ୍ଞ ସ୍ଥିତି ଲାଭ କରିବାକୁ ହେବ।

ଅର୍ଜୁନଙ୍କ ମନରୁ ସନ୍ଦେହ ଦୂର ‌ହୋଇ ପାରିନାହିଁ।ସେ କହିଛନ୍ତି ହେ କେଶବ ! ଯଦି ଜ୍ଞାନଯୋଗ ମନୁଷ୍ୟକୁ ସଂସାରରେ ସିଦ୍ଧି ଲାଭ କରିବାରେ ସାହାଯ୍ୟ କରେ ତା’ହେଲେ ଯୁଦ୍ଧଭଳି ଭୟଙ୍କର କର୍ମ କରିବା ପାଇଁ ମୋତେ କାହିଁକି ପ୍ରଣୋଦିତ କରୁଛନ୍ତି ! ଏଭଳି କର୍ମ କରିବା କଣ ଆବଶ୍ୟକ ?

ଏହାର ଉତ୍ତରରେ ଶ୍ରୀକୃଷ୍ଣ କହିଛନ୍ତି ଯେ କର୍ମ ହିଁ ସଂସାରର ମେରୁଦଣ୍ଡ।କର୍ମକୁ ସଂସାରରେ ଏଡାଇ ଦେଇ ହେବନାହିଁ।ଜୀବନ ନିର୍ବାହ କରିବା ସଙ୍ଗେ ସଙ୍ଗେ ସଂସାରର ମଙ୍ଗଳ ସାଧନ ପାଇଁ କର୍ମକରିବା ଆବଶ୍ୟକ। କର୍ମକୁଶଳତା ପାଇଁ ଇନ୍ଦ୍ରିୟ ମାନଙ୍କୁ ବଶକରିବା ଏବଂ ଅନ୍ତରର ମନନଶୀଳତା ଆବଶ୍ୟକ, ଯାହା ଜ୍ଞାନଯୋଗ ହିଁ ମନୁଷ୍ୟକୁ ଦେଇଥାଏ। ତେଣୁ ଜ୍ଞାନଯୋଗ ଓ କର୍ମଯୋଗ ପରସ୍ପର ପରିପୂରକ।

ହଠ ଭାବରେ ଯେଉଁ ବ୍ୟକ୍ତି କର୍ମେନ୍ଦ୍ରିୟ ମାନଙ୍କୁ ଦମନ କରିବାକୁ ପ୍ରୟାସ କରେ ସେ ସେଥିରେ ସଫଳ ହୁଏନାହିଁ।ତାର କର୍ମେନ୍ଦ୍ରିୟମାନେ ଆସକ୍ତି ଓ ଭୋଗ ଚିନ୍ତା ତା ମନରେ ଭରି ଦିଅନ୍ତି।ଉଦାହରଣ ସ୍ବରୂପ ଯଦି ଜଣେ ବ୍ୟକ୍ତି ମାଂସ ଭକ୍ଷଣ କରିବାର ପ୍ରବଳ ଇଚ୍ଛାକୁ ଦମନ କରିବାକୁ ଯାଇ “ମାଂସ ଖାଇବି ନାହିଁ, ଖାଇବି ନାହିଁ” ବୋଲି ବାରମ୍ବାର ରଟନା କରେ,ତା’ଦ୍ବାରା ତା’ ଇଚ୍ଛା ଦୂର ହୁଏ ନାହିଁ, ବରଂ ଅଧିକ ହୁଏ। କିନ୍ତୁ ମାଂସ ଭକ୍ଷଣଦ୍ବାରା ପ୍ରାଣୀବଧ ଜନିତ ଯେଉଁ ପାପହୁଏ,ପ୍ରାକୃତିକ ଅସନ୍ତୁଳନ ହୁଏ ଏବଂ ମାନସିକ ତଥା ସ୍ଵାସ୍ଥ୍ୟଗତ କ୍ଷତି ହୁଏ ସେହି କଥା/ଜ୍ଞାନକୁ ହୃଦୟଜ୍ଞମ କଲେ ଆପେ ତାର ରସନେନ୍ଦ୍ରିୟ ସଞ୍ଜତ ହୋଇଯାଏ।

କର୍ମ କରିବା ଅପରିହାର୍ଯ୍ୟ। ଏହି ଅପରିହାର୍ଯ୍ୟ କର୍ମକୁ ନିଷ୍କାମ କର୍ମରେ ପରିଣତ କରିପାରିଲେ ସଂସାରରେ ସିଦ୍ଧି ଲାଭ କରିହୁଏ।କେବଳ ଜ୍ଞାନ ବଳରେ ମନନଶୀଳତା ଲାଭ କରିଥିବା ମନୁଷ୍ୟ ଇନ୍ଦ୍ରିୟ ମାନଙ୍କୁ ସମ୍ପୂର୍ଣ୍ଣ ବଶୀଭୂତ କରିପାରେ ଏବଂ ନିଷ୍କାମ କର୍ମରେ ପ୍ରବୃତ୍ତ ହୋଇପାରେ। ଏହିପରି ଭାବରେ ନିଷ୍କାମ କର୍ମଯୋଗ ଓ ଜ୍ଞାନଯୋଗ ପରିପୂରକ ଅଟନ୍ତି।

ପଦ, ଅଧିକାର, ଯୋଗ୍ୟତା ଓ ସମ୍ପତ୍ତି ଯାହା କିଛି ମନୁଷ୍ୟ ପାଖରେ ଅଛି,ସେ ସବୁ ତା’ନିଜର ନୁହେଁ।ମାନବ ସମାଜର ମଙ୍ଗଳ ପାଇଁ ତାହା ସ୍ରଷ୍ଟାଙ୍କର ଦାନ।ସମାଜର ମଙ୍ଗଳ ପାଇଁ ତାହା ବ୍ୟବହାର ନକରି ନିଜ ସ୍ବାର୍ଥ ସାଧନ ପାଇଁ ଯେଉଁ ମନୁଷ୍ୟ ତାର ଦୁରୁପଯୋଗ କରେ ତାହା ତାର ଚୌର୍ଯ୍ୟବୃତ୍ତି ସହିତ ସମାନ।
ଆଜିର ଭାରତୀୟ ସମାଜରେ ଦୁର୍ନୀତିଗ୍ରସ୍ତ ହାକିମ ଓ ରାଜନେତାମାନେ ଗୀତାର ଏହି ପୃଷ୍ଠାଟି ପଢିଥାନ୍ତେ ହେଲେ।
==================================
କ୍ରମଶଃ…….

Click to rate this post!
[Total: 0 Average: 0]

Leave a Reply