Sunday, June 23, 2024
Devotional Poems

ଗୀତାଜ୍ଞାନ(୧୧)

ଗୀତା ଜ୍ଞାନ (୧୧)
===================================
ଶ୍ରୀମଦ୍ଭଗବଦ୍ ଗୀତା
ଦ୍ବିତୀୟ ଅଧ୍ୟାୟ
ସାଂଖ୍ୟଯୋଗ
ଭାବାନୁବାଦ
ଶ୍ଳୋକ ସଂଖ୍ୟା ୬୦ ରୁ ୭୨
=================================
ଶ୍ରୀକୃଷ୍ଣ କହୁଛନ୍ତି,ହେ ଅର୍ଜୁନ !…..

ଇନ୍ଦ୍ରିୟ ମହା ପରାକ୍ରମୀ କରନ୍ତି ପଥଭ୍ରାନ୍ତ,
ବୁଦ୍ଧିମାନ ଯେତେ ପ୍ରଯତ୍ନ କରେ ହୁଏ ତା ବ୍ୟର୍ଥ।

ତେଣୁ ଆବଶ୍ୟକ ସକଳ ଇନ୍ଦ୍ରିୟ ବଶ କରି
ଆତ୍ମସମାହିତ ଚିତ୍ତରେ ଧ୍ୟାନ କର ଶ୍ରୀହରି।*

ଇନ୍ଦ୍ରିୟ ଯାହାର ହୁଅନ୍ତି ବଶୀଭୂତ ହେ ପାର୍ଥ,
ସ୍ଥିରବୁଦ୍ଧି ହୋଇ ହୁଏ ସେ ଶେଷେ ପରମ ପ୍ରାପ୍ତ।**

ବିଷୟା ଚିନ୍ତାରୁ ଆସକ୍ତି, ତହୁଁ କାମନା ଜାତ, #
କାମନାକୁ ଯେବେ ରୋକିବ ମତି ହୁଏ ବିଭ୍ରାନ୍ତ।

ମତିବିଭ୍ରମରୁ କ୍ରୋଧର ଜାତ ହୁଏ ଅର୍ଜୁନ
କ୍ରୋଧରୁ ସୃଷ୍ଟ ମୂଢଭାବ ସ୍ମୃତି କରେ ବିଭ୍ରମ।##

ସ୍ମୃତି ବିଭ୍ରମରୁ ଜ୍ଞାନର ହୋଇଥାଏ ବିନାଶ,
ଜ୍ଞାନହୀନ ପ୍ରାଣୀ ପତନ ଲଭିଥାଏ ଅବଶ୍ୟ।

ଅନ୍ତଃକରଣକୁ ଅଧୀନ ଯେଉଁ ସାଧକ କରେ, ₹
କାମ କ୍ରୋଧ ଲୋଭ ରୋଷକୁ ରଖଇ ଆୟତ୍ତରେ,
ରାଗ,ରୋଷ ବିମୁକ୍ତ ଶୁଦ୍ଧଚିତ୍ତ ହୋଇ ସେ ଜନ,
ସଂସାରୀ ହେଲେ ବି ରହେ ସେ ସଦା ପ୍ରସନ୍ନ ମନ।

ଇନ୍ଦ୍ରିୟ ସଞ୍ଜମ କରି ସେ ମନେ ଲଭଇ ଶାନ୍ତି,
ପ୍ରସନ୍ନ ଚିତ୍ତ କର୍ମଯୋଗୀ ହୁଏ ପରମ ପ୍ରାପ୍ତି।
ଇନ୍ଦ୍ରିୟର ଦାସ ଯେ ଜନ ତାର ଅନ୍ତଃକରଣେ,
ଆସ୍ତିକ ଭାବନା ନଆସେ ସ୍ଥିରବୁଦ୍ଧି ହରଣେ। ₹₹

ଏଭଳି ମନୁଷ୍ୟ ଶାନ୍ତିରେ ରହିପାରିବ କାହିଁ ?
ଯୁକ୍ତ ହୁଏନାହିଁ ଅନ୍ତର ପରମାତ୍ମାରେ ଯହିଁ।

ଅନେକ ଇନ୍ଦ୍ରିୟ କରନ୍ତି ମନକୁ ବିଚଳିତ,
ତା ମଧ୍ୟରୁ ଯଦି ଗୋଟିଏ ହୁଏ ଅଣଆୟତ୍ତ,
ବିଭ୍ରମ କରେ ସେ ମନକୁ ଯଥା ଜଳରେ ନୌକା,
ବାୟୁ ଅଣାୟତ୍ତେ ଦୂରକୁ ଯାଇ ନଯାଏ ଦେଖା।

ଆହେ ମହାବାହୁ ! ଇନ୍ଦ୍ରିୟ ଯାର ବିଷୟା ଠାରୁ,
ନିରାସକ୍ତ ରହେ ଜ୍ଞାନୀଙ୍କ ମଧ୍ୟେ ଅଟେ ସେ ଗୁରୁ।

ସାଧାରଣ ପାଇଁ ଯେ ରାତ୍ରି ଜ୍ଞାନୀ ପାଇଁ ସେ ଦିନ,
ନିତ୍ୟ ଜ୍ଞାନ-ପରମାନନ୍ଦେ ସେହୁ କରେ ରମଣ।

ସାଧାରଣ ପାଇଁ ଯେ ଦିନ ଜ୍ଞାନୀ ପାଇଁ ସେ ରାତ୍ରି,
ବିଷୟାକୁ ତେଜି ପରମେ ଜ୍ଞାନୀ ଜନ ରମନ୍ତି।

ବିଳାସେ ମାତଇ ଜଗତ କିନ୍ତୁ ତତ୍ତ୍ଵ ଜ୍ଞାନରେ,
ସ୍ଥିତପ୍ରଜ୍ଞ ବ୍ୟକ୍ତି ପାର୍ଥ ହେ ! ସଦା ରମଣ କରେ।

କେତେ ନଦୀଜଳ ସମୁଦ୍ରେ ମିଶଇ ଅବିରତ,
ଗୁଣ ନହରାଇ ସାଗର ରହେ ଲବଣ ଯୁକ୍ତ।
ସଞ୍ଜମୀ ଜନକୁ ସେପରି ସଂସାର ଭୋଗ ସ୍ପର୍ଶ,
କରେନାହିଁ ନିଜ ପ୍ରଜ୍ଞାରେ ସ୍ଥିତ ସେହି ମନୁଷ୍ୟ।

କାମନାରହିତ,ନିସ୍ପୃହ, ପୁଣି ନିରହଙ୍କାର,
ରହେ ଯେଉଁ ଜନ ଜୀବନ ଶାନ୍ତି ପୂର୍ଣ୍ଣ ତାହାର।

ଏହା ଅଟଇ “ବ୍ରାହ୍ମୀ ସ୍ଥିତି” ଜାଣିରଖ ଅର୍ଜୁନ, @
ନହୁଅନ୍ତି ଯୋଗୀ ମୋହିତ ପାଇଥିଲେ ଏ ଜ୍ଞାନ।
ଅନ୍ତଃକାଳେ ପ୍ରାଣୀ ଏ ସ୍ଥିତି ବଳେ ନିର୍ବାଣ ଲଭେ।
ବ୍ରହ୍ମାନନ୍ଦ ପ୍ରାପ୍ତ ହୁଅନ୍ତି ପ୍ରାଣୀ ଏ ଗୁଣେ ଭବେ।

ସାଂଖ୍ୟଯୋଗ ସମାପ୍ତ…….
===================================
ଟୀକା

*ଆତ୍ମସମାହିତ ଚିତ୍ତ…ମନନଶୀଳ ହୋଇ ଧ୍ୟାନ ଯୁକ୍ତ ହେବା/ପରମାନନ୍ଦ ଚିନ୍ତାରେ ମନ କେନ୍ଦ୍ରିତ କରିବା
**ପରମପ୍ରାପ୍ତ… ପରମାତ୍ମା ରେ ବିଲୀନ
#ବିଷୟା ଚିନ୍ତନ… ସାଂସାରିକ ସୁଖରେ ମଗ୍ନ
ଆସକ୍ତି…ଅନୁରାଗ, ଭୋଗବିଳାସ ପ୍ରତି ଆକର୍ଷଣ।
##ମୂଢଭାବ… ମୂର୍ଖତା
ସ୍ମୃତିବିଭ୍ରମ…ମନ ଅସ୍ଥିର ହେବା/ବାରଚାଉଳିଆ ହେବା।
₹ ଅନ୍ତଃକରଣ…ମନ ଓ ହୃଦୟ
₹₹ ଆସ୍ତିକ ଭାବନା…ଭଗବତ୍ ସ୍ଥିତିରେ ବିଶ୍ବାସ
@ ବ୍ରାହ୍ମିସ୍ଥିତି…ବ୍ରହ୍ମପ୍ରାପ୍ତିର ସ୍ଥିତି ବା ପରମାତ୍ମା ପ୍ରାପ୍ତିର ଅବସ୍ଥା।
===================================
ଅନ୍ତଃଦୃଷ୍ଟି
===================================
ଗୀତାରେ ଗ୍ରନ୍ଥକାରଙ୍କର ଆଭିମୁଖ୍ୟ ଅତି ସ୍ପଷ୍ଟ…(୧)ମନୁଷ୍ୟର ଦେହଭିତରେ ଥିବା ଆତ୍ମା ପରମାତ୍ମାଙ୍କ ଅଂଶ ବିଶେଷ।(୨)ଶରୀର ଆତ୍ମାର ଘର ବା ମନ୍ଦିର ଏବଂ ଏହି ମନ୍ଦିର ଉପରେ ପଞ୍ଚେନ୍ଦ୍ରିୟ ଏବଂ ଷଡରୀପୁଙ୍କ ଆକ୍ରମଣକୁ ପ୍ରତିହତ କରି ପବିତ୍ର ଆତ୍ମାକୁ ପରମାତ୍ମାଙ୍କ ଦେହରେ ବିଲୀନ ବା ମୋକ୍ଷ କରାଇବା କାମ ଜୀବର। ଏହି ଜୀବ ପରମର ଅଧୀନ ହେଲେ ମଧ୍ୟ ପ୍ରକୃତିରୁ ଜାତ ସତ୍ତ୍ବ,ରଜ,ତମ ଗୁଣଗୁଡିକ ଦ୍ବାରା ସେ ପ୍ରଭାବିତ।ତ୍ରିଗୁଣାତୀତ ହୋଇ, ସଂସାରରେ କର୍ତ୍ତବ୍ୟ ସମ୍ପାଦନ କରି ଫେରିଯାଇ ପରମାତ୍ମାରେ ଲୀନହେବା ବିଧେୟ। କିନ୍ତୁ ଏହା ସଂସାରୀ ପାଇଁ ଏତେ ସହଜ ନୁହେଁ।

ଇନ୍ଦ୍ରିୟମାନେ ବଡ଼ ପ୍ରମଥନଶୀଳ ବା ବିଭ୍ରାନ୍ତକାରୀ।ପାଞ୍ଚ ଇନ୍ଦ୍ରିୟ ତ ଦୂରର କଥା, ଗୋଟିଏ ଇନ୍ଦ୍ରିୟକୁ ଆୟତ୍ତ କରିବା କାଠିକର ପାଠ।ଜଳରେ ଥିବା ନୌକା ଯେପରି ପବନରେ ଅଣାୟତ୍ତ ହୋଇ ବହୁଦୂରକୁ ଚାଲିଯାଏ, ସେପରି ଗୋଟିଏ ଇନ୍ଦ୍ରିୟ ଅଣ-ଆୟତ୍ତ ହେଲେ ମନ ବିଭ୍ରାନ୍ତ ହୋଇଯାଏ। ଏହି ପରାକ୍ରମୀ ଇନ୍ଦ୍ରିୟମାନଙ୍କୁ ମନର ଅଧୀନକୁ ଆଣିବାକୁ ହେଲେ ମନୁଷ୍ୟ ସ୍ଥିତପ୍ରଜ୍ଞ ବା ସ୍ଥିରବୁଦ୍ଧି ହେବାପାଇଁ ସାଧନା କରିବା ଉଚିତ। ଏଭଳି ସ୍ଥିତି ଆସିଲେ ମନୁଷ୍ୟ ସଂସାରୀ ହୋଇମଧ୍ୟ/ସଂସାର ଭୋଗଭିତରେ ରହି ମଧ୍ୟ କାମନା ପ୍ରଭାବରୁ ନିଜକୁ ନିର୍ଲିପ୍ତ ରଖିପାରେ ଏବଂ ପରମାତ୍ମାଙ୍କ ପ୍ରତି ମନନଶୀଳ ହୋଇପାରେ।
ସାଂସାରିକ ଭୋଗବିଳାସ ଚିନ୍ତନରୁ ଆସକ୍ତି ବା ଅନୁରାଗର ଜନ୍ମହୁଏ, ଆସକ୍ତି ରୁ ଜନ୍ମନିଏ କାମନା। କାମନାର ବିରୋଧକଲେ କ୍ରୋଧର ସୃଷ୍ଟି ହୁଏ।କ୍ରୋଧରୁ ମୂଢତା ପ୍ରାପ୍ତି ହୁଏ ଏବଂ ମୂଢତା ସ୍ମୃତି ବିଭ୍ରମ ବା ମାନସିକ ଅସ୍ଥିରତାର କାରଣ ହୋଇଥାଏ। ଏଭଳି ଗୋଟିଏ ବ୍ୟକ୍ତିର ମୂଲ୍ୟ ସମାଜରେ କିଛି ନଥାଏ। ଏହି ଭୟଙ୍କର ସ୍ଥିତିରୁ ରକ୍ଷା ପାଇବାପାଇଁ ମନ ଦୃଢକରି ଆତ୍ମସଞ୍ଜମ ପାଇଁ ପ୍ରୟାସ କରିବା ବିଧେୟ। ଏହି ପ୍ରୟାସରେ ସଫଳ ହେବା ପ୍ରାଣୀଙ୍କୁ ସ୍ଥିତପ୍ରଜ୍ଞ କୁହାଯାଏ। ଏହି ଆତ୍ମସଞ୍ଜମ ସ୍ଥିତିକୁ ବ୍ରାହ୍ମୀସ୍ଥିତି ମଧ୍ୟ କୁହାଯାଏ।ମୋକ୍ଷପ୍ରାପ୍ତି ପାଇଁ ଏହା ଉପଯୁକ୍ତ ସ୍ଥିତି।
===================================
କ୍ରମଶଃ………

Click to rate this post!
[Total: 0 Average: 0]

Leave a Reply