Wednesday, February 28, 2024
Devotional Poems

ଗୀତାଜ୍ଞାନ(୧୦)

ଗୀତା ଜ୍ଞାନ (୧୦)
=================================
ଶ୍ରୀମଦ୍ଭଗବଦ୍ ଗୀତା
ଦ୍ବିତୀୟ ଅଧ୍ୟାୟ
ସାଂଖ୍ୟଯୋଗ
ଭାବାନୁବାଦ
ଶ୍ଳୋକ ସଂଖ୍ୟା ୪୯ ରୁ ୫୯
==================================
ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହୁଛନ୍ତି:—–

ସମ ଭାବାପନ୍ନ “ବୁଦ୍ଧିଯୋଗରେ” ମନକୁ ତୋର,#
ନିବେଶ କର ତୁ ଅର୍ଜୁନ ତାହା ମୁକତି ଦ୍ବାର।
ଅତି ନିମ୍ନ ଅଟେ ‘ସକାମକର୍ମ’ ବୀର ଅର୍ଜୁନ,##
ଫଳ ଆଶାକାରୀ ଜନକୁ କରେ ଦୀନ,କୃପଣ।

ସମଭାବାପନ୍ନ ମନୁଷ୍ୟ ଏହି ଇହ ଲୋକରେ,
ମୁକ୍ତି ଲଭେ ପାପପୁଣ୍ୟରୁ ରହି ଅନେକ ଦୂରେ।
କର୍ମବନ୍ଧନରୁ ମୁକତି ଲଭିଥାଏ ମାନବ,
କର୍ମକୁଶଳତା ଲଭଇ ଆହେ ସୁଭଦ୍ରା ଧବ।

ସମବୁଦ୍ଧି ବଳେ ମନୁଷ୍ୟ କର୍ମଫଳ ତେଜଇ,
ଜନ୍ମବନ୍ଧନରୁ ବିମୁକ୍ତ ହୋଇ ମୋକ୍ଷ ଲଭଇ।
ନିର୍ବିକାର ‘ପରମପଦ’ ପ୍ରାପ୍ତ ହୁଏ ମନୁଷ୍ୟ, ₹
ସେହି “ବୁଦ୍ଧି ଯୋଗେ” ଅର୍ଜୁନ କର ମନ ନିବେଶ।

ମୋହ-ରୂପୀ ପଙ୍କ ମନକୁ କରିଥାଏ ଆବିଳ,
“ବୁଦ୍ଧିଯୋଗ” ମନପୋଖରୀ କରିଦିଏ ନିର୍ମଳ।
ଇହଲୋକ ପରଲୋକର ଭୋଗଆଶା ନରହେ,
ବୈରାଗ୍ୟ ଲଭିଣ ମନୁଷ୍ୟ ମୁକ୍ତି ସଂସାରୁ ପାଏ।

ନାନାମୁନିଙ୍କର ମତରେ ମନ ହୁଏ ଅସ୍ଥିର,
ଯୋଗପ୍ରାପ୍ତି ପାଇଁ ମନକୁ ପାର୍ଥ କର ତୁ ସ୍ଥିର।
ଚଞ୍ଚଳ ମନକୁ ଏକାଗ୍ର କରି ବିଭୁ ଚରଣେ,
ନିବେଶିଲେ ନିତ୍ୟ ସଂଯୋଗ ଲାଭ ହେବ ଜୀବନେ।

ଜିଜ୍ଞାସା କରନ୍ତି ଅର୍ଜୁନ କୁହ ହେ ନାରାୟଣ,
ସ୍ଥିରବୁଦ୍ଧି ‘ସ୍ଥିତପ୍ରଜ୍ଞ’ର କେଉଁ କେଉଁ ଲକ୍ଷଣ।₹₹
ପରମାତ୍ମା ଲାଭ କରଇ ‘ସ୍ଥିତପ୍ରଜ୍ଞ’ ଯେ ନର,
କେଉଁପରି ତାର ଆଚାର,ବିଚାର, ବ୍ୟବହାର ।

କହନ୍ତି ଶ୍ରୀକୃଷ୍ଣ “ଅର୍ଜୁନ ! ସ୍ଥିତ ପ୍ରଜ୍ଞା ଯାହାର,
ସ୍ଥିର-ବୁଦ୍ଧ, କାମନା-ହୀନ,ସନ୍ତୋଷ ଅବତାର।
ଦୁଃଖରେ ଉଦ୍ବେଗ ନହୁଏ ବିତସ୍ପୃହ ସୁଖରେ,
ରାଗ,ଭୟ,କ୍ରୋଧ ମନକୁ ତାର ଛୁଇଁ ନପାରେ।

ସଦା ଅନାସକ୍ତ ରହି ସେ କର୍ମରତ ମନୁଷ୍ୟ,
ଶୁଭଲାଭେ ନୁହେଁ ହର୍ଷିତ, ନାହିଁ ଅଶୁଭେ ଦ୍ୱେଷ।

କଇଁଛ ଯେପରି ଶରୀର ସଙ୍କୁଚିତ କରିଣ,
ଖୋଳମଧ୍ୟେ ରଖେ ସେପରି କରେ ଏହି ସଜ୍ଜନ।
ଇନ୍ଦ୍ରିୟକୁ ସଦା ରଖଇ ନିଜର ଆୟତ୍ତରେ,
ବିଷୟା ବାସନା ନିକଟୁ ମନ ରଖଇ ଦୂରେ।

ବିଷୟାରୁ ଦୂରେ ରହିବା ଏତେ ସହଜ ନୁହେଁ,*
ନିବୃତ୍ତ ହୋଇଲେ ମନ ବି ମନେ ଆସକ୍ତି ଥାଏ।**
ସାଂସାରିକ ଭୋଗ ନିମନ୍ତେ ମନ ହୁଏ ଅସ୍ଥିର,
ସ୍ଥିତପ୍ରଜ୍ଞ ହେଲେ ମନୁଷ୍ୟ ହୋଇଥାଏ ତା ଦୂର।
ସ୍ଥିତପ୍ରଜ୍ଞ ନର ରଖଇ ପରମାତ୍ମାରେ ଧ୍ୟାନ,
ଆସକ୍ତି ବିହୀନ ହୁଅଇ ନିର୍ବିକାର ତା ମନ।
================================
ଟୀକା:—
#ବୁଦ୍ଧିଯୋଗ—- ଯେଉଁ ଯୋଗସାଧନା ଯୋଗୁଁ ମନୁଷ୍ୟ ସମବୁଦ୍ଧି ହୁଏ ଅର୍ଥାତ୍ ସୁଖ,ଦୁଃଖ,ରାଗରୋଷ ,ଲୋଭ-ମୋହରେ ମନ ସମଭାବାପନ୍ନ ହୁଏ;ସୁଖରେ ଅଧିକ ସୁଖୀ ହୁଏନାହିଁ କିମ୍ବା ଦୁଃଖରେ ଅଧିକ ଦୁଃଖୀ ହୁଏନାହିଁ ଇତ୍ୟାଦି ଭାବ।
## ସକାମକର୍ମ..କର୍ମଫଳରେ ଆଶା ରଖି ଯେଉଁ କାମ କରାଯାଏ।
₹ ନିର୍ବିକାର..ବିକାରବିହୀନ/ନିର୍ମଳ) ଶାଶ୍ଵତ
ପରମପଦ…. ପରମାତ୍ମା
₹₹ ସ୍ଥିତପ୍ରଜ୍ଞ..ଦୃଢସଙ୍କଳ୍ପ ବ୍ୟକ୍ତି।
* ବିଷୟା… ସାଂସାରିକ ଭୋଗ ବିଳାସ
**ଆସକ୍ତି…. ପ୍ରାପ୍ତି ପାଇଁ ଦୃଢ଼ ଇଚ୍ଛା ବା ଆଶା
===================================
ଅନ୍ତଃଦୃଷ୍ଟି
===================================
ମନୁଷ୍ୟର ମନ ସର୍ବଦା ଅସ୍ଥିର।ଅସ୍ଥିର ମନ ନେଇ କର୍ମକୁଶଳତା ଲାଭ କରି ହୁଏନାହିଁ।ମନକୁ ସମଭାବାପନ୍ନ କରି ନିଷ୍କାମ “ବୁଦ୍ଧିଯୋଗ”ରେ ନିଜକୁ ନିୟୋଜିତ କରିବା ଆବଶ୍ୟକ ବୋଲି ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହୁଛନ୍ତି।ତେବେ ସମଭାବାପନ୍ନ ମନ କ’ଣ ?ସୁଖରେ ଅଧିକ ସୁଖୀ, ଦୁଃଖରେ ଅଧିକ ଦୁଃଖୀ ନହୋଇ ରାଗ,ରୋଷ,ଲୋଭ ମୋହ ଇତ୍ୟାଦିରୁ ମନକୁ ନିର୍ଲିପ୍ତ ରଖି, ନିଷ୍କାମ କର୍ମକଲେ ଯେକୌଣସି କାମରେ କୁଶଳତା ଆସେ ଓ ସଫଳତା ମିଳେ। କିନ୍ତୁ ଏଭଳି ଯୋଗସ୍ଥିତି/ମାନସିକ ସ୍ଥିତି ଲାଭକରିବା ସାଧାରଣ ଲୋକଙ୍କ ପାଇଁ ସହଜ ନୁହେଁ। ସେଥିପାଇଁ ଆବଶ୍ୟକ ଦୃଢ଼ ସଙ୍କଳ୍ପ। ଏହି ଦୃଢ଼ ସଙ୍କଳ୍ପ ସ୍ଥିତିକୁ “ସ୍ଥିତପ୍ରଜ୍ଞା” କୁହାଯାଏ।ଜଣେ ସ୍ଥିତପ୍ରଜ୍ଞ ବ୍ୟକ୍ତିର ଲକ୍ଷଣ ଏଠାରେ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ବୁଝାଇ ଦେଇଛନ୍ତି।
===================================
କ୍ରମଶଃ……

Click to rate this post!
[Total: 0 Average: 0]

Leave a Reply