Wednesday, February 28, 2024
Stories

ଗଡଜାତୀୟ ସାଂସ୍କୃତିକ ଉତ୍ଥାନରେ ଖଣ୍ଡପଡ଼ା ରାଜବଂଶର ଭୂମିକା

ଗଡଜାତୀୟ ସାଂସ୍କୃତିକ ଉତ୍ଥାନରେ
ଖଣ୍ଡପଡ଼ା ରାଜବଂଶର ଭୂମିକା
=================================
ଦେଶ ସ୍ବାଧୀନ ହେବା ପରେ ଓଡ଼ିଶାର ଯେଉଁ ଛବିଶିଟି ଗଡ଼ଜାତ ରାଜ୍ୟ ଅଖଣ୍ଡ ଭାରତ ନିର୍ମାଣ ପାଇଁ ଭାରତ ସଂଘ ସହିତ ଯୋଗଦେଇଥିଲେ ସେମାନଙ୍କ ମଧ୍ୟରେ ଖଣ୍ଡପଡ଼ା ରାଜବଂଶ ଅନ୍ୟତମ ଥିଲା।ଭାରତ ମାନଚିତ୍ରରେ ଖଣ୍ଡପଡ଼ାର ସ୍ଥାନ କ୍ଷୁଦ୍ର ହେଲେ ମଧ୍ୟ ଜ୍ୟୋତିର୍ବିଜ୍ଞାନ,କଳା ଓ ସଂସ୍କୃତି କ୍ଷେତ୍ରରେ ଏହା ମହତ୍ତ୍ଵପୂର୍ଣ୍ଣ ସ୍ଥାନ ଅଧିକାର କରେ। ଖଣ୍ଡପଡ଼ାର ପବିତ୍ର ମାଟିରେ ବିଶ୍ବବନ୍ଦ୍ୟ ପଠାଣି ସାମନ୍ତ ଜନ୍ମଲାଭକରି ଜ୍ୟୋତିର୍ବିଜ୍ଞାନ କ୍ଷେତ୍ରରେ ବିଶ୍ବକୁ ଆଲୋକ ଦେଖାଇ ଯାଇଛନ୍ତି। ଏହି ମାଟିରେ ଜନ୍ମଲାଭ କରିଥିବା ସ୍ବର୍ଗତ ଦୀନବନ୍ଧୁ ଖାଡଙ୍ଗା ସଂସ୍କୃତ ଭାଗବତର ଅଠର ହଜାର ଶ୍ଳୋକକୁ ଆକ୍ଷରିକ ଅନୁବାଦ କରି ମହାନ ନବାକ୍ଷରୀ ଭାଗବତ ଗ୍ରନ୍ଥ ରଚନା କରିଯାଇଛନ୍ତି। ଆଧୁନିକ ଯୁଗରେ ରୀତି ଯୁଗୀୟ ଛାନ୍ଦ ଓ ଚଉପଦୀ ରଚନା କରି ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିଥିବା ଦ୍ବିତୀୟ କବିସୂର୍ଯ୍ୟ ନାମରେ ପରିଚିତ ସ୍ବର୍ଗତ ଗଦାଧର ସିଂହ ସାମନ୍ତ ଏହି ମାଟିରେ ଜନ୍ମଗ୍ରହଣ କରିଥିଲେ। ପ୍ରତ୍ୟେକ ଓଡ଼ିଆର ଜୀବନର ପ୍ରାଣକେନ୍ଦ୍ର ପ୍ରଭୁ ଜଗନ୍ନାଥଙ୍କ ଆଦିକ୍ଷେତ୍ର ନୀଳମାଧବ ପୀଠ ଏହି ମାଟିକୁ ପବିତ୍ର କରୁଛି। ଏହି ଗଡ଼ଜାତରେ ସ୍ଥିତ ଖଳିସାହି ଏବଂ କଣ୍ଟିଲୋ ଭଳି ସ୍ଥାନରେ ବସବାସ କରୁଥିବା ପିତଳ ଓ ପଥର ଶିଳ୍ପୀମାନଙ୍କର ଉତ୍କର୍ଷ କଳା ବିଶ୍ବର କୋଣେ ଅନୁକୋଣେ ଆଦର ଲାଭ କରିଛି। କଳା ଓ ସଂସ୍କୃତିର ଶୀର୍ଷରେ ପହଞ୍ଚି “ବିଦ୍ୟାନଗରୀ” ନାମରେ ପ୍ରଖ୍ୟାତ ଏହି ଗଡ଼ଜାତର ପ୍ରଖ୍ୟାତିରେ ପାଞ୍ଚଶହ ବର୍ଷରୁ ଉର୍ଦ୍ଧ୍ବ ରାଜତ୍ଵ କରିଥିବା ଏହାର ରାଜବଂଶର ପୃଷ୍ଠପୋଷକତା ଅନସ୍ବୀକାର୍ଯ୍ୟ। ଆଜି ଓଡ଼ିଶାର ୨୬ଟି ଗଡ଼ଜାତର ରାଜବାଟି ଗୁଡିକ ଜରାଜୀର୍ଣ୍ଣ ଅବସ୍ଥାରେ ରହି ଦୟନୀୟତା ପ୍ରକାଶ କରୁଥିବା ସମୟରେ ଖଣ୍ଡପଡ଼ାର ରାଜବାଟି ଉପଯୁକ୍ତ ରକ୍ଷଣାବେକ୍ଷଣ ସହିତ ଯେଉଁପରି ପୂର୍ବ ସୌନ୍ଦର୍ଯ୍ୟ ଓ ଗୌରବ ବଜାୟ ରଖିଛି ତାହା ରାଜବଂଶର ଉତ୍ତର ଦାୟଦ ମାନଙ୍କର ବ୍ୟକ୍ତିତ୍ୱର ପରିଚୟ ପ୍ରଦାନ କରେ। ଏପରି ଏକ ଅନନ୍ୟ ରାଜବଂଶର ସଂକ୍ଷିପ୍ତ ପରିଚୟ ପ୍ରଦାନ କରିବା ଏହି ଆଲେଖ୍ୟ ଉଦ୍ଦେଶ୍ୟ।

ଅନେକ ବିଦ୍ୱାନ ଖଣ୍ଡପଡ଼ା ରାଜବଂଶର ଇତିହାସ ଓ ସଂସ୍କୃତି ବିଷୟରେ ସଂକ୍ଷେପରେ ଲେଖି ଯାଇଛନ୍ତି । ସେମାନଙ୍କ ମଧ୍ୟରେ ସ୍ବର୍ଗତ ଉଦୟନାଥ ଦାସଙ୍କ ‘ଖଣ୍ଡପଡ଼ା ଇତିହାସ’, ପଠାଣି ସାମନ୍ତଙ୍କ ନାତି ସ୍ବର୍ଗତ ରଘୁନାଥ ସିଂହ ସାମନ୍ତଙ୍କ “ପ୍ରଜାମଣ୍ଡଳ ଓ ଖଣ୍ଡପଡ଼ାର ଇତିହାସ”, ଖଣ୍ଡପଡ଼ା ରାଜବଂଶର ଉତ୍ତର ଦାୟାଦ ବିଭୂତି ଭୂଷଣ ସିଂହ ମର୍ଦ୍ଦରାଜଙ୍କ “ଖଣ୍ଡପଡ଼ା ଇତିହାସ” ପ୍ରମୁଖ। ଏହି ସମସ୍ତ ବିଦ୍ୱାନଙ୍କ ମତ ଅନୁଯାୟୀ ଏହାର ରାଜପରିବାର ମଧ୍ୟପ୍ରଦେଶର ରିୱ୍ବାର ‘ବଘେଲ’ ନାମକ ରାଜବଂଶର ଉତ୍ତର ଦାୟାଦ ଥିଲେ।ରିୱ୍ବା’ର ବଘେଲବଂଶୀମାନେ ସୂର୍ଯ୍ୟବଂଶୀ ରାଜା ଥିଲେ। ଖ୍ରୀଷ୍ଟୀୟ ଚତୁର୍ଦ୍ଦଶ ଶତାବ୍ଦୀରେ ଏହି ବଂଶର ଦୁଇ ରାଜପୁତ୍ର ସୂର୍ଯ୍ୟମଣି ସିଂହ ଏବଂ ଚନ୍ଦ୍ରମଣି ସିଂହ,ଅଶ୍ଵ ଆରୋହଣ କରି ଶ୍ରୀଜଗନ୍ନାଥଙ୍କ ଦର୍ଶନ ଉଦ୍ଦେଶ୍ୟରେ ଆସି ଶ୍ରୀକ୍ଷେତ୍ର ଧାମରେ ପହଞ୍ଚିଲେ। ସେଠାରେ ସେ ଦୁହିଁଙ୍କର ବାଣପୁର ରାଜାଙ୍କ ସହିତ ପରିଚୟ ଆଦାନ ପ୍ରଦାନ ହୋଇ ସଖ୍ୟଭାବ ସୃଷ୍ଟିହେଲା। ଦୁଇଭାଇ ବାଣପୁର ଯାଇ ରାଜାଙ୍କ ସହାୟତାରେ ଅନେକ ଛୋଟବଡ ରାଜ୍ୟ ଜୟ କରିଥିଲେ।ବଡ଼ ଭାଇ ସୂର୍ଯ୍ୟମଣି ନୟାଗଡ଼ ରାଜ୍ୟରେ ଏବଂ ସାନଭାଇ ଚନ୍ଦ୍ରମଣି କୋଦଳା ଆଠଗଡ଼ ରାଜ୍ୟରେ ରାଜୁତି କଲେ। ସ୍ୱର୍ଗତ ରଘୁନାଥ ସିଂହଙ୍କ ପ୍ରଦତ୍ତ ତଥ୍ୟ ଅନୁଯାୟୀ ସୂର୍ଯ୍ୟମଣିଙ୍କ ବଂଶଧରମାନେ ପୁତ୍ରପୌତ୍ରାଦିକ୍ରମେ ସିଂଘନବାଘା,ବାଘାଚମ୍ପତି,କୃତାଘନ ଚମ୍ପତି,ତନୁକୁଳ ଚମ୍ପତି ଓ ରଘୁନାଥ ନରେନ୍ଦ୍ର ଆଦିଙ୍କ ଦ୍ଵାରା ନୟାଗଡ ରାଜ୍ୟ ଶାସନ କଲେ।

ନୟାଗଡ଼ରେ ଶାସନ କରୁଥିବା ଏହି ରାଜବଂଶର ଦ୍ବାଦଶ ରାଜାଙ୍କ ନାମ ଥିଲା ରଘୁନାଥ ନରେନ୍ଦ୍ର। ରଘୁନାଥଙ୍କର ହରିହର, ଯଦୁନାଥ ଓ କୃଷ୍ଣ ବଳୀୟାର ସିଂହ ନାମରେ ତିନି ଜଣ ପୁତ୍ର ଥିଲେ।Ramsay’ଙ୍କ Feudatory States of Odisha(chapter 13,page232) ଅନୁସାରେ ରଘୁନାଥଙ୍କ ଜ୍ୟେଷ୍ଠପୁତ୍ର ହରିହର ନରେନ୍ଦ୍ର ୧୫୯୯ ମସିହାରେ,ପିତାଙ୍କ ମୃତ୍ୟୁ ପରେ ନୟାଗଡ଼ ରାଜସିଂହାସନ ଆରୋହଣ କଲେ।ମଧ୍ୟମପୁତ୍ର ଯଦୁନାଥ,ମଙ୍ଗରାଜ ଉପାଧି ଧାରଣ କରି ଖଣ୍ଡପଡ଼ା ରାଜ୍ୟର ଶାସନ ଭାର ଗ୍ରହଣ କଲେ। ପ୍ରଥମେ ଚାରିଗୋଟି ପଡ଼ାରେ ଯଦୁନାଥଙ୍କର ଶାସନ ଆରମ୍ଭ ହୋଇଥିଲା।କ୍ରମେ ଆଉ ଛଅ ଖଣ୍ଡ ପଡା ଯୋଡ଼ି ସେ ଖଣ୍ଡପଡ଼ା ରାଜ୍ୟ ସ୍ଥାପନ କରିଥିଲେ। ଖଣ୍ଡପଡ଼ା ଇତିହାସର ପ୍ରଣେତା ସ୍ବର୍ଗତ ଉଦୟନାଥ ଦାସଙ୍କ ମତରେ ୧୫୯୭ ମସିହାରୁ ୧୫୯୯ ମସିହା ପର୍ଯ୍ୟନ୍ତ ରାଜ୍ୟର ଗଠନ/ ପୁନର୍ଗଠନ ସମୟ ଥିଲା। ରାଜବଂଶଜ ଶ୍ରୀଯୁକ୍ତ ବିଭୂତି ଭୂଷଣ ସିଂହ ମର୍ଦ୍ଦରାଜ, ତାଙ୍କ ‘ଖଣ୍ଡପଡ଼ା ଇତିହାସ’ ପୁସ୍ତକରେ ୧୫୯୯ ମସିହାକୁ ଖଣ୍ଡପଡ଼ା ରାଜ୍ୟର ପ୍ରତିଷ୍ଠା ବର୍ଷ ଭାବରେ ଗ୍ରହଣ କରିଛନ୍ତି।

ରାଜା ଯଦୁନାଥ ମଙ୍ଗରାଜ ୧୫୯୯ ଖ୍ରୀଷ୍ଟାବ୍ଦରେ ଦଶଖଣ୍ଡ ପଡ଼ାକୁ ଏକତ୍ରିତ କରି ଉତ୍କଳଗଙ୍ଗା ମହାନଦୀ କୂଳରେ ଯେଉଁ ଖଣ୍ଡପଡ଼ା ରାଜ୍ୟ ସ୍ଥାପନ କଲେ ତାହା ଅନୁପମ ପ୍ରାକୃତିକ ଶୋଭାରେ ବିମଣ୍ଡିତ ଥିଲା। ଏହି ରାଜ୍ୟର ପରିସୀମା ଥିଲା ୨୪୪ ବର୍ଗମାଇଲ।ପୂର୍ବ ଦିଗରେ ବାଙ୍କୀ ଏବଂ ଖୋର୍ଦ୍ଧା ରାଜ୍ୟ, ପଶ୍ଚିମରେ ଦଶପଲ୍ଲା,ଦକ୍ଷିଣରେ ନୟାଗଡ଼ ଏବଂ ଉତ୍ତରରେ ମହାନଦୀ ତଥା ତାର ଅପର ପାର୍ଶ୍ଵରେ ଥିବା ବଡମ୍ବା ଏବଂ ନରସିଂହପୁର ଏହି ରାଜ୍ୟର ସୀମା ନିର୍ଦ୍ଧାରିତ କରୁଥିଲେ।
ଯେଉଁ ସମୟରେ ଯଦୁନାଥ ମଙ୍ଗରାଜ ଖଣ୍ଡପଡ଼ା ଗଡ଼ ସୃଷ୍ଟିକରି ରାଜତ୍ଵ ଆରମ୍ଭ କଲେ ସେତେବେଳେ ଭାରତ ବର୍ଷରେ ଦିଲ୍ଲୀଶ୍ବର ଆକବରଙ୍କ ରାଜତ୍ଵ ସମୟ।୧୫୬୮ମସିହାରେ ଓଡ଼ିଶାର ଶେଷ ସ୍ୱାଧୀନ ରାଜା ମୁକୁନ୍ଦ ଦେବ ‘ଗୋହିରା ଟିକିରି’ ଯୁଦ୍ଧରେ ପରାସ୍ତ ହୋଇ ଶତ୍ରୁହାତରେ ପ୍ରାଣ ହରାଇବାପରେ ଓଡ଼ିଶାର ସ୍ବାଧୀନତା ସୂର୍ଯ୍ୟ ଚିରଦିନ ପାଇଁ ଅସ୍ତମିତ ହୋଇ ଯାଇଥିଲେ। ଧୂଳିସାତ ହୋଇଯାଇଥିଲା ଓଡ଼ିଶାର ଗର୍ବ ଓ ଗୌରବ।ଅତୀତର ଗୌରବର ପ୍ରେତଛାୟା ହୋଇ ରହିଯାଇଥିଲା ଏହି ଜଗନ୍ନାଥଭୂମି। କଳାପାହାଡ଼ ଆକ୍ରମଣରେ ଥରିଉଠିଥିଲା ପ୍ରତ୍ୟେକ ଓଡ଼ିଆର ଛାତି।ଏହାପରେ ଓଡ଼ିଶା ଆଫାଗାନ,ମୋଗଲ,ମରହଟ୍ଟା ଏବଂ ଇଂରେଜ ଶାସନ ଅଧୀନରେ ଶାସିତ ହେଲା।ଯେ ପର୍ଯ୍ୟନ୍ତ ଧାର୍ଯ୍ୟ ହୋଇଥିବା କର ଠିକ୍ ଭାବରେ ମିଳୁଥିଲା ଏହି ଶାସକମାନେ ଗଡ଼ଜାତ ରାଜ୍ୟକୁ ଆକ୍ରମଣ କରୁନଥିଲେ କିମ୍ବା ତାର ଶାସକକୁ ଗାଦିଚ୍ୟୁତ କରୁନଥିଲେ ଅଥବା ସେମାନଙ୍କ ଶାସନରେ ହସ୍ତକ୍ଷେପ କରୁନଥିଲେ।୧୫୬୮ ମସିହା ପୂର୍ବରୁ ଓଡ଼ିଶା ସ୍ବାଧୀନ ଥିବା ସମୟରେ ତଥା ଗଜପତି ମହାରାଜା ସ୍ବାଧୀନ ଓ ସାର୍ବଭୌମ ଥିବା ସମୟରେ ଗଡ଼ଜାତ ରାଜାମାନେ ଗଜପତିଙ୍କର ପାରିଦଣ୍ଡ ବା ସେବକ ଭାବରେ ରହି ଧାର୍ଯ୍ୟ ହୋଇଥିବା କର ଦେଇ ନିଜ ନିଜ ରାଜ୍ୟ ଭିତରେ ଅଖଣ୍ଡ ଶାସନ କ୍ଷମତା ଭୋଗ କରୁଥିଲେ।ଓଡ଼ିଶା ପରାଧୀନ ହେଲାପରେ ମଧ୍ୟ ଆଫାଗାନ,ମୋଗଲ ,ମରହଟ୍ଟା ଓ ଇଂରେଜ ଶାସକମାନେ ସେହି ନିୟମ ଲାଗୁ ରଖିଲେ ଏବଂ ସିଧାସଳଖ ଏହି ରାଜାମାନଙ୍କଠାରୁ କର ଆଦାୟ କରୁଥିଲେ। ଯଦୁନାଥ ମଙ୍ଗରାଜ ଏବଂ ତାଙ୍କ ପରବର୍ତ୍ତୀ ରାଜାମାନେ ନିର୍ଦ୍ଧାରିତ କର ସିଧାସଳଖ ମୋଗଲ, ମରହଟ୍ଟା ଓ ବ୍ରିଟିଶ ସରକାରଙ୍କୁ ଦେଉଥିଲେ ମଧ୍ୟ ଜଗନ୍ନାଥ ଧର୍ମ ଓ ସଂସ୍କୃତି ଅନୁଯାୟୀ ଗଜପତି ମହାରାଜାଙ୍କ ପାରିଦଣ୍ଡ ବା ସେବକ ଭାବରେ କାର୍ଯ୍ୟ କରୁଥିଲେ।

୧୫୯୯ ମସିହା ପରଠାରୁ ୧୯୪୭ ମସିହା ଭିତରେ ଖଣ୍ଡପଡ଼ା ଗଡ଼ଜାତରେ ୧୩ଜଣ ବଘେଲବଂଶୀ ରାଜା ରାଜତ୍ଵ କରିଥିଲେ। ସେମାନଙ୍କ ରାଜତ୍ବକାଳ ନିମ୍ନରେ ସୂଚିତ ହେଲା:..
ରାଜାଙ୍କ ନାମ ଶାସନକାଳ(ଖ୍ରୀଷ୍ଟାବ୍ଦ)
========= ===========
୧.ଯଦୁନାଥ ସିଂହ ମଙ୍ଗରାଜ ୧୫୯୯ ୧୬୭୪
୨.ନାରାୟଣ ସିଂହ ମଙ୍ଗରାଜ ୧୬୭୪ ୧୭୦୭
୩.ବାଲୁକେଶ୍ବର ସିଂହ ମଙ୍ଗରାଜ ୧୭୦୭ ୧୭୨୦
୪.ବନମାଳୀ ସିଂହ ମର୍ଦ୍ଦରାଜ
ଭ୍ରମରବର ରାୟ ୧୭୨୦ରୁ ୧୭୩୦

୫.ବୈରାଗୀ ସିଂହ ମର୍ଦ୍ଦରାଜ
ଭ୍ରମରବର ରାୟ ୧୭୩୦ ରୁ ୧୭୬୫

୬.ନୀଳାଦ୍ରି ସିଂହ ମର୍ଦ୍ଦରାଜ
ଭ୍ରମରବର ରାୟ। ୧୭୬୫ ରୁ ୧୭୮୯
୭.ନୃସିଂହ ମର୍ଦ୍ଦରାଜ ଭ୍ରମରବର ରାୟ। ୧୭୮୯ ରୁ ୧୮୧୦
୮.ପୁରୁଷୋତ୍ତମ ସିଂହ ମର୍ଦ୍ଦରାଜ
ଭ୍ରମରବର ରାୟ। ୧୮୧୦ରୁ ୧୮୧୭
୯. କୃଷ୍ଣଚନ୍ଦ୍ର ସିଂହ ମର୍ଦ୍ଦରାଜ
ଭ୍ରମରବର ରାୟ। ୧୮୧୭ ରୁ ୧୮୩୭
୧୦.କୁଞ୍ଜବିହାରୀ ସିଂହ ମର୍ଦ୍ଦରାଜ
ଭ୍ରମରବର ରାୟ। ୧୮୩୭ ରୁ ୧୮୬୬
୧୧.ନଟବର ସିଂହ ମର୍ଦ୍ଦରାଜ
ଭ୍ରମରବର ରାୟ। ୧୮୬୬ ରୁ ୧୯୦୫
୧୨. ରାମଚନ୍ଦ୍ର ସିଂହ ମର୍ଦ୍ଦରାଜ
ଭ୍ରମରବର ରାୟ। ୧୯୦୫ ରୁ ୧୯୨୨
୧୩.ହରିହର ସିଂହ ମର୍ଦ୍ଦରାଜ
ଭ୍ରମରବର ରାୟ। ୧୯୨୨ ରୁ ୧୯୪୭
(ଉତ୍ସ:–ବିଭୂତି ଭୂଷଣ ସିଂହ ମର୍ଦ୍ଦରାଜଙ୍କ ଖଣ୍ଡପଡ଼ା ଇତିହାସ)

ଏଠାରେ ଲକ୍ଷ୍ୟ କରିବା କଥା ଯେ ଉପରୋକ୍ତ ରାଜାମାନେ ସେମାନଙ୍କ ମୂଳ ସାଙ୍ଗିଆ ‘ସିଂହ’ ସହିତ ‘ମର୍ଦ୍ଦରାଜ ଭ୍ରମରବର ରାୟ’ ଉପାଧି ଯୋଡୁଥିଲେ। ଏହି ଉପାଧି,ରାଜା ବନମାଳୀ ସିଂହଙ୍କ ସମୟରେ ଖୋର୍ଦ୍ଧା ଗଜପତି ରାଜା ପ୍ରଦାନ କରିଥିଲେ ଏବଂ ତାହା ବଂଶାନୁକ୍ରମେ ଉତ୍ତରାଧିକାରୀ ମାନେ ନିଜ ନାମ ସହିତ ବ୍ୟବହାର କରୁଥିଲେ।
ଯଦୁନାଥ ମଙ୍ଗରାଜ ୧୫୯୯ ମସିହାରୁ ୧୬୭୪ ମସିହା ପର୍ଯ୍ୟନ୍ତ ଦୀର୍ଘ ୬୭ ବର୍ଷ ରାଜତ୍ଵ କରିଥିଲେ। ଏହା ଖଣ୍ଡପଡ଼ା ରାଜ୍ୟ ପ୍ରତିଷ୍ଠିତ ହୋଇ ବଳବତ୍ତର ହେବାର ସମୟ। ଏହି ସୁନ୍ଦର ରାଜ୍ୟଟି ପ୍ରତିଷ୍ଠା କରିବା ସମୟରେ ଧର୍ମଭୀରୁ ରାଜା ରାଜ୍ୟର ଚାରିଦିଗରେ ଚାରି ଠାକୁରାଣୀଙ୍କୁ ପ୍ରତିଷ୍ଠା କରିଥିଲେ। ଦକ୍ଷିଣ ପୂର୍ବ ଦିଗରେ ମାଆ ଉମାଦେବୀ, ଦକ୍ଷିଣ ପଶ୍ଚିମରେ ଥିଲେ ମହିଷାଶୁଣୀ,ଉତ୍ତର ପୂର୍ବ କୋଣରେ ମାଆ ପାଟଚଣ୍ଡୀ ଏବଂ ଉତ୍ତର ପଶ୍ଚିମ କୋଣରେ ମାଆ ଶୁଳିଆ ଠାକୁରାଣୀଙ୍କ ମନ୍ଦିର ନିର୍ମାଣ କରି ରାଜା ପୂଜାର୍ଚ୍ଚନାର ବ୍ୟବସ୍ଥା କରିଥିଲେ।ରାଜ୍ୟର ଆଠଗୋଟି ସ୍ଥାନରେ ଜଗନ୍ନାଥଙ୍କର ଦଧିବାମନ (ଏକକ ମୂର୍ତ୍ତି) ଏବଂ ୬ଗୋଟି ସ୍ଥାନରେ ତୃତୀୟାଦେବ(ଜଗନ୍ନାଥ ବଳଭଦ୍ର ସୁଭଦ୍ରା) ମୂର୍ତ୍ତି ସ୍ଥାପନ କରି ରାଜା ଏକ ଧର୍ମପରାୟଣ ପ୍ରଜାଗୋଷ୍ଠୀ ସୃଷ୍ଟି କରିଥିଲେ। ଓଡ଼ିଶାର ବିଭିନ୍ନ ସ୍ଥାନରୁ ପଣ୍ଡିତ ମାନଙ୍କୁ ଆଣି, ରାଜସଭାରେ ସ୍ଥାନ ଦେଇ ସେମାନଙ୍କ ନାମରେ ଜାଗିରି ଖଞ୍ଜି ଦେଇ ପ୍ରତିଭାର ଉନ୍ମେଷ କରୁଥିଲେ। ଗଜପତି ପରାଧୀନ ହେବାପରେ ଯେଉଁ ଶାସନୀ ପଣ୍ଡିତମାନେ ଗଜପତିଙ୍କ ପୃଷ୍ଠପୋଷକତା ପାଇଲେନାହିଁ ସେମାନେ ଗଡ଼ଜାତ ଦରବାରର ପୃଷ୍ଠପୋଷକତା ପାଇ ଜୀବିକା ନିର୍ବାହ କରିବା ସଙ୍ଗେ ସଙ୍ଗେ କଳା ଓ ସଂସ୍କୃତିର ଉନ୍ମେଷରେ ପ୍ରଭୂତ ଯୋଗଦାନ କରୁଥିଲେ। କଳା ଓ ସଂସ୍କୃତିର ଯେଉଁ ବୀଜବପନ ଯଦୁନାଥଙ୍କ ସମୟରେ ଖଣ୍ଡପଡ଼ାରେ ହୋଇଥିଲା ତାହା ପରବର୍ତ୍ତୀ ସମୟରେ ନାରାୟଣ ମଙ୍ଗରାଜ, ନୃସିଂହ ଭ୍ରମରବର ଏବଂ ପୁରୁଷୋତ୍ତମ ସିଂହଙ୍କ ସମୟରେ ବିଶାଳ ଜ୍ଞାନଦ୍ରୁମରେ ପରିଣତ ହୋଇ, ଦୀନବନ୍ଧୁ ଖାଡଙ୍ଗା ଓ ପଠାଣି ସାମନ୍ତଙ୍କ ଭଳି ମହାନ ପଣ୍ଡିତ ମାନଙ୍କୁ ସୃଷ୍ଟି କରିବାରେ ସହାୟକ ହୋଇଥିଲା।

ଏହାପରେ ୧୬୭୪ ମସିହାରୁ ୧୭୦୭ ମସିହା ପର୍ଯ୍ୟନ୍ତ ପରମ ବୈଷ୍ଣବ ରାଜା ନାରାୟଣ ସିଂହ ମର୍ଦ୍ଦରାଜ ଖଣ୍ଡପଡ଼ାରେ ରାଜତ୍ଵ କଲେ। ତାଙ୍କ ସମୟ ଖଣ୍ଡପଡ଼ାର ସଂସ୍କୃତି ଓ ସାହିତ୍ୟର ସୁବର୍ଣ୍ଣ ଯୁଗ। ଧର୍ମାନ୍ଧ ମୋଗଲ ବାଦଶାହାଙ୍କ ବକ୍ରଦୃଷ୍ଟିରୁ ବହୁ ଦୂରରେ ରହି ପରମବୈଷ୍ଣବ ରାଜା ନାରାୟଣ ମଙ୍ଗରାଜ ତାଙ୍କ ଗୁରୁ ଦୀନବନ୍ଧୁ ଖାଡଙ୍ଗାଙ୍କ ସହିତ କୃଷ୍ଣ ରସାମୃତର ଅଥଳ ଜଳରେ ଭାସୁଥିଲେ। ଗୁରୁ ଶିଷ୍ୟଙ୍କ ଭିତରେ ଯେଉଁ ପୁଙ୍ଖାନୁପୁଙ୍ଖ ଭାଗବତ ଆଲୋଚନା ହୋଇଥିଲା ତାହା ପରବର୍ତ୍ତୀ ରାଜା ବାଲୁଙ୍କେଶ୍ୱର ମଙ୍ଗରାଜଙ୍କ ସମୟରେ ଓଡ଼ିଆ ଭାଗବତର ରୂପ ନେଲା ଏବଂ ଓଡ଼ିଆ ସାହିତ୍ୟର ଅମୂଲ୍ୟ ଗ୍ରନ୍ଥ “ଖାଡଙ୍ଗା ଭାଗବତ”ର ସୃଷ୍ଟି ହେଲା।ଖାଡଙ୍ଗା ମହାଶୟଙ୍କର ଅଠର ହଜାର ସଂସ୍କୃତ ଭାଗବତ ଶ୍ଳୋକ ସମ୍ପୂର୍ଣ୍ଣ ମୁଖସ୍ଥ ଥିଲା। ସେହି ଶ୍ଲୋକ ଗୁଡିକ ସେ ନବାକ୍ଷରୀ ଓଡ଼ିଆ ଭାଗବତରେ ଅନୁବାଦ କରିଥିଲେ। ଏଭଳି ଶୁଦ୍ଧ ଓ ଆକ୍ଷରିକ ଅନୁବାଦ ଅନ୍ୟ କେହି କରିନାହାନ୍ତି ବୋଲି ପଣ୍ଡିତମାନେ ମତପ୍ରକାଶ କରନ୍ତି। ସ୍ବର୍ଗତ ବିଛନ୍ଦ ଚରଣ ପଟ୍ଟନାୟକ ଏହି ଭାଗବତକୁ ୧୯୩୨ ମସିହାରେ ଗୋସ୍ବାମୀ ପ୍ରେସ ଦ୍ବାରା ପ୍ରକାଶିତ କରିଛନ୍ତି।

ବାଲୁଙ୍କେଶ୍ୱର ମଙ୍ଗରାଜଙ୍କ ରାଜତ୍ବକାଳରେ କୁସୁମୀ ନଦୀ କୂଳରେ ବାଲୁଙ୍କେଶ୍ୱର ଶିବ ମନ୍ଦିର ନିର୍ମାଣ କରାଯାଇଥିଲା। ଏହି ସମୟରେ ରାଜାଙ୍କ ଆରାଧ୍ୟ ଦେବୀ ବାଉରୀ ଠାକୁରାଣୀଙ୍କ ପାଇଁ ଉଆସ ଭିତରେ ପୂଜାଗୃହ ନିର୍ମାଣ କରାଯାଇଥିଲା ଏବଂ ସାମୂହିକ ପାର୍ବଣ ପୂଜାର ଆୟୋଜନ କରାଯାଇଥିଲା।
ପରବର୍ତ୍ତୀ ରାଜା ବନମାଳୀ ସିଂହ ମର୍ଦ୍ଦରାଜ ସୁନ୍ଦର ବଳିଷ୍ଠ ଶରୀର ଏବଂ ବଳବୀର୍ଯ୍ୟ ପାଇଁ ପ୍ରସିଦ୍ଧ ଥିଲେ।ତାଙ୍କ ସମୟରେ ଗଜପତି ଗୋପୀନାଥ ଦେବ ଥିଲେ ଓଡ଼ିଶାର ଠାକୁର ରାଜା। ଥରେ ଗଜପତିଙ୍କ ଆତିଥ୍ୟ ସ୍ବୀକାର କରି ସେ ପୁରସ୍ତମରେ ନରେନ୍ଦ୍ର ପୋଖରୀରେ ସ୍ନାନସାରି ଫେରୁଥିବା ସମୟରେ ଗଜପତିଙ୍କ ରାଣୀ ଈର୍ଷାନ୍ବିତା ହୋଇ ତାଙ୍କ ଉପରେ ହାତୀ ଚଢାଇ ଦେବାପାଇଁ ମାହୁନ୍ତକୁ ନିର୍ଦ୍ଦେଶ ଦେଲେ।ତାଙ୍କ ଉପରକୁ ମାଡ଼ି ଆସୁଥିବା ହାତୀର ଦାନ୍ତକୁ ଧରି ବନମାଳି ଏପରି ଜୋରରେ ଖାଞ୍ଚି ଦେଲେ ଯେ ହାତୀର ଦାନ୍ତ ଭାଙ୍ଗିଗଲା ଏବଂ ହାତୀ ସେଠାରୁ ପଳାୟନ କଲା। ବନମାଳି ରାଣୀଙ୍କର ଏଭଳି ଈର୍ଷାଭାବ ଜାଣିପାରି କ୍ରୋଧିତ ହୋଇ ସେଠାରେ ଗୋଟାଏ ମୁହୂର୍ତ୍ତ ମଧ୍ୟ ନରହିବାର ନିଷ୍ପତ୍ତି ନେଇ ଅତିଥି ପ୍ରକୋଷ୍ଠ ତ୍ୟାଗ କରିବାପାଇଁ ପ୍ରସ୍ତୁତ ହେଲେ। ଗୋପୀନାଥ ଦେବ ରାଣୀଙ୍କ କୃତକର୍ମ ପାଇଁ ବନମାଳୀଙ୍କ ଆଗରେ କ୍ଷମାଭିକ୍ଷା କଲେ ଏବଂ ତାଙ୍କୁ “ଭାଇ ମର୍ଦ୍ଦରାଜ” ଉପାଧିରେ ଭୂଷିତ କଲେ। ସେହି ମର୍ଦ୍ଦରାଜ ଉପାଧି ତାଙ୍କ ପରବର୍ତ୍ତୀ ସମସ୍ତ ରାଜା,ନିଜ ନାମ ସହିତ ଏ ଯାବତ୍ ବ୍ୟବହାର କରୁଛନ୍ତି।

ବନମାଳି ସିଂହ ଜଗନ୍ନାଥଙ୍କର ଗୋଟିଏ ଏକକ ମୂର୍ତ୍ତି ପୁରୀରୁ ଆଣି ରାଜବାଟି ନିକଟସ୍ଥ ମଣ୍ଡପରେ ବସାଇଥିଲେ।ତାଙ୍କ ପରବର୍ତ୍ତୀ ରାଜା ବୈରାଗୀ ସିଂହ ମର୍ଦ୍ଦରାଜ ଖଣ୍ଡପଡ଼ାରେ ଜଗନ୍ନାଥ ମନ୍ଦିରର ମୂଳଭିତ୍ତି ସ୍ଥାପନ କରିଥିଲେ। ତାଙ୍କ ପରବର୍ତ୍ତୀ ରାଜା ନୀଳାଦ୍ରି ସିଂହ ମର୍ଦ୍ଦରାଜ ଶ୍ରୀଜଗନ୍ନାଥଙ୍କୁ ମନ୍ଦିରରେ ସ୍ଥାପିତ କରିବାପରେ ପ୍ରଥମଥର ପାଇଁ ଖଣ୍ଡପଡ଼ାରେ ରଥଯାତ୍ରାର ଆୟୋଜନ କରିଥିଲେ।ମଣିକର୍ଣ୍ଣିକା ସାହିର ଗୁଣ୍ଡିଚା ମଣ୍ଡପ ଏବଂ ତାପାଖରେ ଥିବା ବିସ୍ତୃତ ନଡ଼ିଆ ବଗିଚା ଏହି ରାଜାଙ୍କ ଦ୍ଵାରା ସୃଷ୍ଟି ହୋଇଥିଲା। ନୀଳାଦ୍ରି ଭ୍ରମରବରଙ୍କ ସମୟରେ ଖଣ୍ଡପଡ଼ା ନିକଟସ୍ଥ ଖଳିସାହି ଗ୍ରାମ ଏକ ଶିଳ୍ପସମୃଦ୍ଧ ଅଞ୍ଚଳରେ ପରିଣତ ହୋଇଥିଲା। ବାଣପୁରସ୍ଥିତ ମଙ୍ଗଳପୁର ଗ୍ରାମରୁ ଆସିଥିବା ଭଟ୍ଟ ରାମଚନ୍ଦ୍ର ମିଶ୍ର ନାମକ ଜଣେ ତାନ୍ତ୍ରିକ ବ୍ରାହ୍ମଣ ଗୋଟିଏ ‘ବାଜପେୟୀ’ ଯଜ୍ଞ ଅନୁଷ୍ଠାନ କରିବାପାଇଁ ନୀଳାଦ୍ରି ଭ୍ରମରବରଙ୍କ ଠାରୁ ବିପୁଳ ଦାନ ଗ୍ରହଣ କରିଥିଲେ।ସେହି ଅର୍ଥ ବ୍ୟୟରେ ସେ ନିଜ ସହିତ ବାହାରୁ ଅନେକ ବଢେଇ ,ବ୍ରାହ୍ମଣ,ତନ୍ତୀ,ପଥର ଶିଳ୍ପୀ ଓ ତାରକସି କାରିଗର ଆଣିଥିଲେ। ସେମାନେ ସମସ୍ତେ ଖଳିସାହି ଗ୍ରାମରେ ବସବାସ କଲେ। କାଳକ୍ରମେ ଖଳିସାହି ବସ୍ତ୍ରବୟନ, ମୂର୍ତ୍ତିଗଠନ, ସୁନାରୂପାର ତାରକସି କାମ ଓ ପିତଳ ଓ କଂସା ବାସନ ଶିଳ୍ପରେ ଏକ ପ୍ରସିଦ୍ଧ ସ୍ଥାନ ଭାବରେ ପ୍ରସିଦ୍ଧି ଲାଭକଲା।

ପରବର୍ତ୍ତୀ ରାଜା ନୃସିଂହ ଭ୍ରମରବରଙ୍କ ସମୟରେ ଖଣ୍ଡପଡ଼ାରେ ବିଶ୍ବବିଖ୍ୟାତ ଜ୍ୟୋତିର୍ବିଜ୍ଞାନୀଙ୍କ ପିତା ଶ୍ୟାମବନ୍ଧୁ ସିଂହଙ୍କର ଧରାବତରଣ ହୋଇଥିଲା। ନୃସିଂହ ଭ୍ରମରବରଙ୍କର ୬ଗୋଟି ପୁତ୍ର ମଧ୍ୟରୁ ଶ୍ୟାମବନ୍ଧୁଙ୍କ ସ୍ଥାନ ଥିଲା ପଞ୍ଚମ। ଏହି ଶ୍ୟାମବନ୍ଧୁଙ୍କ ପୁତ୍ର ସାମନ୍ତ ଚନ୍ଦ୍ରଶେଖର ଜଣେ ଶ୍ରେଷ୍ଠ ଜ୍ୟୋତିର୍ବିଜ୍ଞାନୀ ଭାବରେ ବିଶ୍ବକୁ ଜ୍ଞାନାଲୋକରେ ଉଦ୍ଭାସିତ କରିଥିଲେ।ଏହି ରାଜାଙ୍କ ସମୟରେ ୧୮୦୩ ମସିହାରେ ଓଡ଼ିଶାରେ ମରହଟ୍ଟା ଶାସନ ଶେଷହେଲା ଏବଂ ଇଂରେଜ ଶାସନ ଆରମ୍ଭ ହେଲା।ଇଂରେଜମାନେ ଦେଶୀୟ ରାଜ୍ୟଶାସନ କ୍ଷେତ୍ରରେ ମରହଟ୍ଟା ଶାସନ ପଦ୍ଧତିର କୌଣସି ପରିବର୍ତ୍ତନ ଆଣି ନଥିଲେ।ଏହି ରାଜାଙ୍କ ସମୟରେ ଖଣ୍ଡପଡ଼ା ଜଗନ୍ନାଥ ମନ୍ଦିରରେ ବଲ୍ଲଭ ଭୋଗ ଏବଂ ରଥଯାତ୍ରା ସମୟରେ ଜଗନ୍ନାଥଙ୍କ ପାଖରେ ଅଧରପଣା ଲାଗି ଆରମ୍ଭ ହେଲା।

ପରବର୍ତ୍ତୀ ରାଜା ପୁରୁଷୋତ୍ତମ ସିଂହ ମର୍ଦ୍ଦରାଜଙ୍କ ରାଜତ୍ବକାଳ ସୀମିତ ଥିଲା।ସୁନ୍ଦର ରୂପ ସହିତ ବିଚାର ବୁଦ୍ଧିର ଶ୍ରେଷ୍ଠତା ତାଙ୍କ ପାଖରେ ଥିଲା। କିନ୍ତୁ ମାତ୍ର ସାତବର୍ଷ ଶାସନ କରି ସେ ୩୫ବର୍ଷ ବୟସରେ ପ୍ରାଣତ୍ୟାଗ କଲେ। ଏହି ରାଜାଙ୍କ ସମୟରେ ଜଗନ୍ନାଥଙ୍କ ପାଖରେ “ବସାଦହି ଓ ପୁରୁକାକରା” ଭୋଗ ଆରମ୍ଭ ହୋଇଥିଲା ଏବଂ ଏ ପର୍ଯ୍ୟନ୍ତ ତାହା ଲାଗି ହୋଇ ଆସୁଛି। ପୁରୁଷୋତ୍ତମଙ୍କ ସମୟରେ ଖୋର୍ଦ୍ଧାରେ ଇଂରେଜ ସରକାରଙ୍କ ବିରୁଦ୍ଧରେ ପାଇକ ବିଦ୍ରୋହ ଆରମ୍ଭ ହୋଇଥିଲା। ଏହି ବିଦ୍ରୋହର ନେତା ବକ୍ସି ଜଗବନ୍ଧୁଙ୍କୁ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ସାହାଯ୍ୟ ନକରିବାପାଇଁ ବ୍ରିଟିଶ ସରକାରଙ୍କ ନିର୍ଦ୍ଦେଶ ରହିଥିଲା। ନୟାଗଡ଼ ରାଜା ଜଗବନ୍ଧୁଙ୍କୁ ସହାୟତା ଦେଇଥିଲେ ମଧ୍ୟ ପାଇକ ବିଦ୍ରୋହରେ ଖଣ୍ଡପଡ଼ାର ସମ୍ପୃକ୍ତି ବିଷୟରେ କିଛି ଜଣାଯାଏ ନାହିଁ।

ପରବର୍ତ୍ତୀ ରାଜା କୃଷ୍ଣଚନ୍ଦ୍ର ସିଂହ ମର୍ଦ୍ଦରାଜଙ୍କ ସମୟରେ ଖଣ୍ଡପଡାର ରଘୁନାଥ ଜୀଉଙ୍କ ମନ୍ଦିର ପରିସର ଭିତରେ ଜଗନ୍ନାଥ ବଳଭଦ୍ର ଓ ସୁଭଦ୍ରାଙ୍କ ତ୍ରିମୂର୍ତ୍ତି ସ୍ଥାପିତ ହୋଇ ତାଙ୍କୁ ‘ମହିମା ମେରୁ’ ନାମରେ ନାମିତ କରାଯାଇଥିଲା। ମହିମା ମେରୁଙ୍କ ପାଖରେ ‘ବଲ୍ଲବ ମୂଆଁ’ ନାମକ ଭୋଗ ଲାଗି ହେଉଥିଲା। ସେହି ମୂଆଁକୁ ଦେଖି ଉତ୍କଳ ଘଣ୍ଟ ଯଦୁମଣିଙ୍କ ପାଟିରୁ ଯେଉଁ ଆଶୁକଵିତା ଉତୁରି ପଡ଼ିଥିଲା ତାହା ଏବେ ଓଡ଼ିଶାର ଘରେ ଘରେ ଲୋକମୁଖରେ ରହିଛି:–
“ମହିମା ମେରୁଙ୍କ ମହିମା ଦେଖ,
ଲିଆକୁ ଲିଆ ହୋଇଅଛି ଯୋଖ।”
ଅଧିକ ଗୁଡ଼ ଅଭାବରୁ ମୂଆଁର ରଙ୍ଗ ଧଳା ଦେଖାଯାଉଥିବାରୁ ଯଦୁମଣି ଏଭଳି ଶ୍ଳେଷ କବିତା ଗାଇଥିଲେ।

୧୮୩୭ ମସିହାରେ କୃଷ୍ଣଚନ୍ଦ୍ର ଅକାଳରେ ପ୍ରାଣ ହରାଇଥିଲେ।ତାଙ୍କର ଦୁଇ ରାଣୀ, ରାଜାଙ୍କ ଚିତାରେ ସତୀ ହୋଇଥିଲେ ବୋଲି ଜଣାଯାଏ। ଏହି ଘଟଣା ସେ ସମୟରେ ଦେଶରେ ବେଶ୍ ଆଲୋଡ଼ନ ସୃଷ୍ଟି କରିଥିଲା।

ରାଜା କୁଞ୍ଜବିହାରୀ ସିଂହ ଓ ନଟବର ସିଂହଙ୍କ ସମୟରେ ରାଜାମାନଙ୍କ ପୃଷ୍ଠପୋଷକତାରେ ଖଣ୍ଡପଡାରେ ଅନେକ ଆମ୍ବ ଓ ପଣସ ବାଟିକା ସୃଷ୍ଟି ହୋଇ ଏହି ରାଜ୍ୟ ନନ୍ଦନକାନନର ସୌନ୍ଦର୍ଯ୍ୟ ଧାରଣ କରିଥିଲା।ନଟବର ସିଂହ ଓ ରାମଚନ୍ଦ୍ର ସିଂହଙ୍କ ସମୟରେ ଖଣ୍ଡପଡାରେ କଳା ଓ ସଂସ୍କୃତ,ସାହିତ୍ୟ ଓ ବିଜ୍ଞାନର ପ୍ରଭୂତ ଉନ୍ନତି ହୋଇଥିଲା।ନଟବରଙ୍କ ସମୟରେ ବିଶ୍ବବନ୍ଦ୍ୟ ଜ୍ୟୋତିର୍ବିଜ୍ଞାନୀ ପଠାଣି ସାମନ୍ତ ଏବଂ ରାମଚନ୍ଦ୍ର ସିଂହଙ୍କ ସମୟରେ ଢୁମ୍ଫା ସଙ୍ଗୀତର ସମ୍ରାଟ ଗଦାଧର ସିଂହ ସାମନ୍ତ ଯଥାକ୍ରମେ ଜ୍ୟୋତିର୍ବିଜ୍ଞାନ ଏବଂ ସଙ୍ଗୀତ ଜଗତକୁ ନିଜ ନିଜ କୃତିରେ ଋଦ୍ଧିମନ୍ତ କରିଥିଲେ। ରାମଚନ୍ଦ୍ର ସିଂହଙ୍କ ରାଜତ୍ଵ ସମୟରେ ଦିବଙ୍ଗତ କବିଚନ୍ଦ୍ର କାଳୀଚରଣ,ଖଣ୍ଡପଡାରେ ସ୍କୁଲସମୂହର ପରିଦର୍ଶକ ଭାବରେ ଯୋଗଦେଇ,ସରକାରୀ ଚାକିରି ସଙ୍ଗେ ସଙ୍ଗେ ରାଜାଙ୍କ ଦରବାରୀ କବି ଭାବରେ ମଧ୍ୟ ଯୋଗ ଦେଇଥିଲେ।ଖଣ୍ଡପଡାରୁ ହିଁ କବିଚନ୍ଦ୍ରଙ୍କର ନାଟ୍ୟ ଓ ନାଟ୍ୟକାର ଜୀବନର ଆରମ୍ଭ। ସେଥିପାଇଁ ଯଥେଷ୍ଟ ରାଜକୀୟ ପୃଷ୍ଠପୋଷକତା ପାଇଥିଲେ କାଳୀଚରଣ।ସ୍ବରଚିତ ‘କୁମ୍ଭାରଚକ’ ପୁସ୍ତକରେ କବିଚନ୍ଦ୍ର ସ୍ବୟଂ ଏହା ବର୍ଣ୍ଣନା କରି ଯାଇଛନ୍ତି।

ଖଣ୍ଡପଡ଼ାର ତ୍ରୟୋଦଶ ରାଜା ହରିହର ସିଂହଙ୍କ ସମୟରେ ଦେଶ ସ୍ବାଧୀନ ହେଲା। ଖଣ୍ଡପଡ଼ା ରାଜବଂଶର ଇତିହାସରେ ସବୁଠାରୁ ପାଠୁଆ ରାଜା ଥିଲେ ହରିହର ସିଂହ ମର୍ଦ୍ଦରାଜ। ରାୟପୁରର ରାଜକୁମାର କଲେଜରୁ ଉତ୍ତୀର୍ଣ୍ଣ ହୋଇ ସେ ସମ୍ବଲପୁରର administrative college ରୁ ତାଲିମ୍ ପ୍ରାପ୍ତ ହୋଇଥିଲେ। ସମୟ ସହିତ ତାଳ ଦେଇ ସେ ଦେଶର ଏହି ପରିବର୍ତ୍ତନକୁ ବିଶାଳ ହୃଦୟରେ ଗ୍ରହଣ କରିଥିଲେ। ୧୯୪୮ ମସିହା ଜାନୁଆରୀ ମାସରୁ ନିଜ ରାଜ୍ୟକୁ ଭାରତ ୟୁନିଅନ୍ ସହିତ ଯୋଡି ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଦେଶୀୟ ରାଜ୍ୟ ମିଶ୍ରଣ ଅଭିଯାନରେ ସହାୟତା କରିଥିଲେ।ଦେଶ ସ୍ବାଧୀନ ହେବାପରେ ୧୯୫୨ ମସିହାରୁ ୧୯୬୬ ମସିହା ପର୍ଯ୍ୟନ୍ତ ନିରବଚ୍ଛିନ୍ନ ଭାବରେ ସେ ଓଡ଼ିଶା ବିଧାନ ସଭାକୁ ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ।୧୯୬୧ ମସିହାରେ ବିଜୁ ପଟ୍ଟନାୟକଙ୍କ ଶାସନ କାଳରେ ସେ ସଡ଼କ ଓ ପରିବହନ ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ଵ ଗ୍ରହଣ କରି ତାହା ସୁଚାରୁ ରୂପେ ତୁଲାଇଥିଲେ।ସେ ସମୟରେ ଖଣ୍ଡପଡ଼ାରେ ଉଚ୍ଚ ବିଦ୍ୟାଳୟଟିଏ ନଥିଲା। ଶିକ୍ଷା କ୍ଷେତ୍ରରେ ଉନ୍ନତିକରଣ ପାଇଁ ସେ ୧୯୪୪ ମସିହାରେ ନିଜ ପିତାଙ୍କ ନାମରେ “ରାମଚନ୍ଦ୍ର ଉଚ୍ଚ ବିଦ୍ୟାଳୟ” ପ୍ରତିଷ୍ଠା କରିଥିଲେ।୧୯୭୭ ମସିହାରେ ପିତା ହରିହର ସିଂହ ମର୍ଦ୍ଦରାଜଙ୍କ ବିୟୋଗ ପରେ ଶ୍ରୀଯୁକ୍ତ ବିଭୂତି ଭୂଷଣ ସିଂହ ମର୍ଦ୍ଦରାଜ ରାଜନୀତିରେ ପ୍ରବେଶ କଲେ।୧୯୮୦ ମସିହାରୁ ୧୯୯୫ ମସିହା ପର୍ଯ୍ୟନ୍ତ ସାଧାରଣ ନିର୍ବାଚନରେ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇ ସେ ତତ୍କାଳୀନ କଂଗ୍ରେସ ସରକାରରେ ସାଂସ୍କୃତିକ ପର୍ଯ୍ୟଟନ ଓ ଯୋଜନା ବିଭାଗର ସ୍ବତନ୍ତ୍ର ପାହ୍ୟା ମନ୍ତ୍ରୀ ଭାବରେ ସୁଚାରୁ ରୂପେ କର୍ତ୍ତବ୍ୟ ତୁଲାଇଥିଲେ। ଓଡ଼ିଶା ବିଧାନ ସଭାର ଉପ ବାଚସ୍ପତି ଭାବରେ ମଧ୍ୟ ସେ ସୁଚାରୁରୂପେ ଦାୟିତ୍ଵ ତୁଲାଇଥିଲେ।ତାଙ୍କ ସୁପୁତ୍ର ସିଦ୍ଧାର୍ଥ ଶେଖର ସିଂହ ମଧ୍ୟ ୨୦୦୯ରୁ ୨୦୧୪ ମସିହା ପର୍ଯ୍ୟନ୍ତ ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀର ବିଧାୟକ ଭାବରେ ଜନସେଵାରେ ନିଜକୁ ନିୟୋଜିତ କରିଛନ୍ତି।

ଅନ୍ୟ ଅନେକ ଗଡ଼ଜାତ ଭଳି ପ୍ରାକ୍ ସ୍ବାଧୀନ ଖଣ୍ଡପଡାରେ ରାଜାମାନଙ୍କର ପ୍ରଜାପ୍ରପୀଡନ ସମ୍ବନ୍ଧରେ ଅନେକ କଥା ଶୁଣାଯାଏ। କିନ୍ତୁ ପ୍ରମାଣ ଅଭାବରେ, ଏଠାରେ ସେସବୁର ଅବତାରଣା କରି ଅଯଥା ବିବାଦ ସୃଷ୍ଟି କରିବା ଏହି ଆଲେଖ୍ୟର ଉଦ୍ଦେଶ୍ୟ ନୁହେଁ।

କାଳର କରାଳ ଗର୍ଭରେ କେତେ ରାଜବଂଶ ପୃଥିବୀ ପୃଷ୍ଠରୁ ନିଶ୍ଚିହ୍ନ ହୋଇଯାଇଛନ୍ତି। କିନ୍ତୁ ଖଣ୍ଡପଡ଼ାର ଶେଷରାଜା ହରିହର ସିଂହ ମର୍ଦ୍ଦରାଜ ଏବଂ ତାଙ୍କ ଉତ୍ତର ଦାୟାଦ ବିଭୂତି ଭୂଷଣ ସିଂହ ମର୍ଦ୍ଦରାଜ ଏବଂ ତାଙ୍କ ପୁତ୍ର ସିଦ୍ଧାର୍ଥ ଶେଖର ସିଂହ ସ୍ଵାଧୀନୋତ୍ତର ଭାରତରେ ସେମାନଙ୍କ ବଂଶ ଆଭିଜାତ୍ୟ ଓ ଗୌରବ ବଜାୟ ରଖିବା ସଙ୍ଗେ ସଙ୍ଗେ ଜନସେବାକୁ ନିଜର କର୍ମମୟ ଜୀବନ ଭାବରେ ବାଛି ନେଇଛନ୍ତି।ଭବ୍ୟ ଖଣ୍ଡପଡ଼ା ରାଜବାଟିର ରକ୍ଷଣା ବେକ୍ଷଣ ଯେଉଁପରି ରାଜବଂଶର ଉତ୍ତର ଦାୟାଦମାନେ କରୁଛନ୍ତି ତାହା ଅତ୍ୟନ୍ତ ପ୍ରଶଂସନୀୟ।
==================================
ସହାୟକ ଗ୍ରନ୍ଥ:–
*ସ୍ବର୍ଗତ ଉଦୟନାଥ ଦାସଙ୍କ ‘ଖଣ୍ଡପଡା ଇତିହାସ’
*ସ୍ବର୍ଗତ କବିଚନ୍ଦ୍ର କାଳୀଚରଣଙ୍କ ‘କୁମ୍ଭାର ଚକ’
*ବିଭୂତି ଭୂଷଣ ସିଂହ ମର୍ଦ୍ଦରାଜ’ଙ୍କ ‘ଖଣ୍ଡପଡା ଇତିହାସ
* ସ୍ବର୍ଗତ ରଘୁନାଥ ସିଂହ ସାମନ୍ତଙ୍କ “ଖଣ୍ଡପଡ଼ା ଇତିହାସ ଓ ପ୍ରଜାମଣ୍ଡଳ ଆନ୍ଦୋଳନ
===================================
କୁଳମଣି ଷଡଙ୍ଗୀ
ଘର ନମ୍ବର..୫୪୭/୨୩୪୭,ସାଇ ବିହାର,
(ଶିକ୍ଷାଦାନ ଇଣ୍ଟର୍ ନାଶନାଲ୍ ସ୍କୁଲ୍ ନିକଟ)
ପଟିଆ କଲେଜ ରୋଡ଼୍
ଭୁବନେଶ୍ୱର.୭୫୧୦୨୪
ଦୂରଭାଷ..୭୦୦୮୯୯୪୦୭୧

Click to rate this post!
[Total: 0 Average: 0]

Leave a Reply