Wednesday, February 21, 2024
Stories

ଆମ ଗାଁ ଆମ ଘର (୪୧)

ଆମ ଗାଁ ଆମ ଘର
୪୧
================================
ଆମେ ନାଲିଚୁଡା ମଫସଲିଆ
================================
ପାହୁଣ୍ଡ ମାପରେ ଗଲେ ଖଣ୍ଡପଡ଼ା ଠାରୁ ପୁରୀ ୧୫୧୨୦୦ ପାହୁଣ୍ଡ। ଉନବିଂଶ ଶତାବ୍ଦୀର ଶେଷ ସମୟରେ ପଠାଣି ସାଆନ୍ତେ ପାଦରେ ଚାଲି ଚାଲି ବଡ଼ ଠାକୁରଙ୍କୁ ଦେଖିବାକୁ ଗଲାବେଳେ ନିଜ ପାହୁଣ୍ଡରେ ଏହି ହିସାବ ରଖିଥିଲେ। ସେତେବେଳେ ଗାଡିମଟର ନଥିବାରୁ ପାଲିଙ୍କିରେ କିମ୍ବା ଏଗାର ନମ୍ବର ଗାଡ଼ିରେ (ଗୋଡରେ) ଚାଲିଚାଲି ପୁରୀ ଯିବାକୁ ପଡୁଥିଲା।କଟକ ଯିବାକୁ ହେଲେ ମହାନଦୀରେ ଜଳପଥରେ ଡଙ୍ଗାରେ (ପଦ୍ମାବତୀ ଘାଟରୁ) ଯିବାପାଇଁ ପଡୁଥିଲା।ଆମ ହେତୁ ପାଇଲା ବେଳକୁ ସାଆନ୍ତେ ଦିବଙ୍ଗତ ହବାର ବାଷଠି ବର୍ଷ ବିତିଗଲାଣି।ଦେଶ ସ୍ବାଧୀନ ହୋଇ ସାରିଲାଣି। ସକାଳୁ ଗୋଟିଏ ସରକାରୀ ବସ ଭୁବନେଶ୍ଵରକୁ ପଡ଼ିଲାଣି। ସକାଳ ୬ଟାରୁ ବାହାରି ଯାତ୍ରୀ ସଂଗ୍ରହ କରି ଭାୟା ନୟାଗଡ ଭୁବନେଶ୍ଵରରେ ପହଞ୍ଚିଲା ବେଳକୁ ସେ ଗାଡ଼ିକୁ ଦିନ ଦଶଟା ଉପରେ ହୋଇଯାଏ। ସେଥିରୁ ଓହ୍ଲେଇ ସଟଲ୍ ଟ୍ରେନ ଧରି ପୁରୀ ପହଞ୍ଚୁ ପହଞ୍ଚୁ ଆମକୁ ସନ୍ଧ୍ୟା ।ତା’ଠୁ ଶୀଘ୍ର ପହଞ୍ଚିବାକୁ ହେଲେ ଖୋର୍ଦ୍ଧାରେ, ବସରୁ ଓହ୍ଲାଇ, ଜଟଣୀ ବସ ଧରି ଖୋର୍ଦ୍ଧାରୋଡ଼ ଷ୍ଟେସନରେ ଦଶଟା ଭିତରେ ପହଞ୍ଚି ପାରିଲେ ଦଶଟା ପନ୍ଦରରେ ଟ୍ରେନ ଧରି ଗୋଟେ ଦଶରେ ପୁରୀରେ ପହଞ୍ଚିବା ସମ୍ଭବ ହେଉଥିଲା। ଟ୍ରେନ ଟିକେଟ ଟଙ୍କେ ଦଶ ପଇସା। ଖଣ୍ଡପଡ଼ାରୁ ବାହାରି ପୁରୀରେ ପହଞ୍ଚିବାକୁ କେତେ ଶେଣାରେ ପାଣି ଉଠେଇବାକୁ ପଡୁଥିଲା ସହଜରେ ଅନୁମେୟ।

ସମୟ ଏବେ କଡ଼ ଲେଉଟାଇଲାଣି। ପୁରୀରେ ପହଞ୍ଚିବା ପାଇଁ ଏବେ ନୟାଗଡରୁ ଟ୍ରେନ୍ ଧରିଲେ ସକାଳ ୯ଟାରେ ପୁରୀ। ଟିକିଏ ଗୌରଚନ୍ଦ୍ରିକା ଲଗେଇ କହିଲେ..କୁଆ ଉଡିଗଲେ (as the crow flies) ପୁରୀ।.ଅଥବା ଏବେ ବ୍ରହ୍ମାଦ୍ରିରୁ ଟେକାଟିଏ ଫିଙ୍ଗିଲେ ନୀଳାଦ୍ରି ବାଇଶି ପାହାଚ ତଳେ ପଡିବ।

ଇଚ୍ଛା ଥିଲା ପାଥେର୍ ପୁରୀ ହଷ୍ଟେଲରେ ରହି ଦିନରାତି ସମୁଦ୍ର ଗର୍ଜନ ଶୁଣିବା ପାଇଁ। କିନ୍ତୁ କଲେଜକୁ ଲାଗି ରହିଥିବା ଏକ ନମ୍ବର ହଷ୍ଟେଲରେ ସିଟ୍ ମିଳିଗଲା।ମେସ୍ ବ୍ୟବସ୍ଥା ଥିଲା। ମାସ ସାରା ମେସ ଖର୍ଚ୍ଚ ୪୫ ଟଙ୍କା।ଏତେ ଟଙ୍କା ଆସିବ କୁଆଡୁ ?ନନାଙ୍କର ସେ ବର୍ଷ ଚାକିରି ଜୀବନର ଶେଷ ବର୍ଷ।ମାସିକ ଦରମା ମାତ୍ର ଦୁଇଶହ ଟଙ୍କା।ସାତପ୍ରାଣୀ କୁଟୁମ୍ବ। ଉପାୟ ଆପେ ଆପେ ଆସିଗଲା। ଜାତୀୟ ଋଣବୃତ୍ତି ଯୋଜନାରେ ମାସିକ ୬୦ ଟଙ୍କା ମଞ୍ଜୁର ହୋଇଗଲା। ଜଗନ୍ନାଥଙ୍କୁ ମୁଣ୍ଡିଆଟିଏ ମାରିଲି।
ଘରେ ଥିଲାବେଳେ ସରୁ ଅରୁଆ ଚାଉଳ ଭାତ ସଙ୍ଗକୁ ବହଳିଆ ମୁଗ ଡାଲମା ଓ ମାଛ ମାଂସ ଭରପୁର ଖାଇବାକୁ ମିଳୁଥିଲା। କିନ୍ତୁ ହଷ୍ଟେଲ ଖାଦ୍ୟ ଥିଲା ଗନ୍ଧ ଚାଉଳର ଭାତ ସାଙ୍ଗକୁ ପାଣିଆ ହରଡ ଡାଲି ଏବଂ ‘ସାଧୁ ମଲମ’ ନାମକ ତର୍କାରି।ସେ ତର୍କାରିରେ ସ୍ବାଦ ନଥାଏ କି ବାସ୍ନା ନଥାଏ।ସବୁ ପରିବା ପେଶି ହୋଇ ମଲମ ଭଳି ଦେଖାଯାଇଥାଏ। ରୋଷେୟା ଭାଇନାର ନାଁ ଥିଲା ସାଧୁ। ସେଥିପାଇଁ ତର୍କାରି ନାଁ ରଖାଯାଇଥିଲା ସାଧୁ ମଲମ।ସବୁ ରବିବାରରେ ମାଂସ ତର୍କାରି ପ୍ରସ୍ତୁତ ହେଉଥିଲା। ସେଦିନ ଟିକିଏ ଶୀଘ୍ର ଭୋକ ଲାଗେ। ଥାଳି ଗିନା ଧରି ଡାଇନିଂ ହଲରେ ଆଠଟାରୁ ହାଜର। ସାଧୁ ଭାଇନା ଛିଗୁଲେଇ କହୁଥିଲା.. ଆଜି ବାବୁ ତମକୁ ବଡ଼ ଭୋକ।

ପ୍ରଥମ ଦିନ ହିଁ ବଗଡା ଗନ୍ଧ ଚାଉଳର ଭାତ ଏବଂ ପାଣିଆ ଡାଲି ପାଟିରେ ବାଜୁ ବାଜୁ ମତେ ବାନ୍ତି ମଡେଇଲା। ଘର କଥା ମନେପଡି ଆଖିରୁ ଗଡ଼ି ଚାଲିଲା ଧାର ଧାର ଲୁହ। ରାତି ରାତି ଦଉଡି ଦଉଡ଼ି ଗାଁରେ ପହଞ୍ଚି ବୋଉ ହାତରନ୍ଧା ଖାଇବାକୁ ଇଚ୍ଛା ହେଲା।
ସେତେବେଳେ ହଷ୍ଟେଲ ସୁପରିଟେଣ୍ଡେଣ୍ଟ୍ ଥିଲେ ଡଃ ବେଣୀମାଧବ ପାଢ଼ୀ। ବେଣୀ ମାଧବ ପାଢୀଙ୍କୁ ନଜାଣେ କିଏ? ଗବେଷଣା ମୂଳକ ପୁସ୍ତକ “ଦାରୁ ଦେବତା”ର ସେ ଥିଲେ ରଚୟିତା।ଆମ ଭାଗ୍ୟକୁ ଅନେକ ମହାନ୍ ବିଜ୍ଞ ବ୍ୟକ୍ତି ସେ ସମୟରେ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟରେ ଥିଲେ। ଡଃ ଗୋଲକ ବିହାରୀ ଧଳ ଆମକୁ ଅଭିଜ୍ଞାନ ଶକୁନ୍ତଳମ୍ ପଢ଼ାଉଥିଲେ। ଏମିତି ଜ୍ଞାନୀ ଅଧ୍ୟାପକ ଏ ପର୍ଯ୍ୟନ୍ତ ମୁଁ ଦେଖିନାହିଁ। ଡଃ ହୃଦାନନ୍ଦା ରାୟ ସେ ସମୟରେ ପୁରୀରେ ଦର୍ଶନ ଶାସ୍ତ୍ରରେ ଅଧ୍ୟାପକ ଥିଲେ। ରଥଯାତ୍ରା ସମୟରେ ତାଙ୍କ କମେଣ୍ଟ୍ରି ସମସ୍ତଙ୍କୁ ଏକ ଭିନ୍ନ ଆଧ୍ୟାତ୍ମିକ ସ୍ତରକୁ ନେଇଯାଏ । କେବଳ ପୁରୀ କାହିଁକି,ସମଗ୍ର ଓଡ଼ିଶାରେ ସେ ଜଣେ ଚର୍ଚ୍ଚିତ ଚେହେରା ଥିଲେ। ଇଂରାଜୀ ଅଧ୍ୟାପକ ଥିଲେ ପ୍ରସିଦ୍ଧ କଥାକାର ଡଃ ଚନ୍ଦ୍ରଶେଖର ରଥ। ଇତିହାସ ଅଧ୍ୟାପକ ଥିଲେ ଡଃ ରାଜେନ୍ଦ୍ର ପ୍ରସାଦ ଦାସ୍।ସବୁ ମହାଜନମାନଙ୍କ ଉପସ୍ଥିତି ଆମମାନଙ୍କ ପାଇଁ ବଡ ଭାଗ୍ୟର କଥା ଥିଲା। କିନ୍ତୁ ହଷ୍ଟେଲ ଜୀବନ ବଡ଼ କଷ୍ଟ ଦାୟକ ଥିଲା। ହଷ୍ଟେଲରେ ନିମ୍ନମାନର ଖାଦ୍ୟ ବିଷୟରେ ଡଃ ପାଢୀଙ୍କ ଆଗରେ ଅନେକ ଥର ଅଭିଯୋଗ କରାଯିବାପରେ ଖାଦ୍ୟର ମାନବୃଦ୍ଧି ଅବଶ୍ୟ ହୋଇଥିଲା।

କଲେଜରେ ଛାତ୍ରରାଜନୀତି ଆଉ ଏକ ମୁଣ୍ଡବିନ୍ଧାର କାରଣ ଥିଲା।କଲେଜରେ ଦୁଇଟି ଛାତ୍ର ଦଳ ସୃଷ୍ଟି ହୋଇଥିଲା.. ଷ୍ଟୁଡେଣ୍ଟସ୍ ୟୁନିୟନ ଏବଂ ଇଣ୍ଡିପେଣ୍ଡେଣ୍ଟ୍ ଅର୍ଗାନାଇଜେସନ୍।ବାହାର ଗାଁ’ରୁ ଆସିଥିବା ସମସ୍ତ ଛାତ୍ର “ଇଣ୍ଡିପେଣ୍ଡେଣ୍ଟ୍ ଅର୍ଗାନାଇଜେସନ”ର ସଭ୍ୟ ଥିଲେ। ପୁରୀ ସହର ଏବଂ ଆଖପାଖରୁ ଆସିଥିବା ପିଲାମାନେ “ୟୁନିୟନ”ର ସଭ୍ୟ ଥିଲେ।ଛାତ୍ରସଂଘ ପାଇଁ ନିର୍ବାଚନ ସମୟ ଆସିଲେ ବାହାରୁ ଆସିଥିବା ପିଲାମାନଙ୍କ ଉପରେ ଶନିଦଶା ପଡେ।ଇଣ୍ଡିପେଣ୍ଡେଣ୍ଟ୍ ଅର୍ଗାନାଇଜେସନର ଜିତାପଟ ସବୁବେଳେ ହୁଏ ଏବଂ ଫଳସ୍ବରୂପ ବାହାରୁ ଆସି ହଷ୍ଟେଲରେ ରହୁଥିବା ପିଲାମାନଙ୍କୁ “ୟୁନିୟନ”ର (ମୁଖ୍ୟତଃ ପୁରୀ ସହରର ପିଲା) ପିଲାମାନେ ନିର୍ଦ୍ଧୁମ ମାଡ଼ ମାରନ୍ତି। ସହରର ପିଲାମାନେ ହଷ୍ଟେଲରେ ଥିବା ପିଲାମାନଙ୍କୁ ମଫ,ନାଲିଚୁଡା ଇତ୍ୟାଦି ନାମରେ ବୋଲିବାଣୀ କରନ୍ତି। ଆମକୁ “ନାଲିଚୁଡା” କୁହାଯାଉଥିଲା କାରଣ ଆମେ ‘ଚୁଡାଜୀବୀ’ ଥିଲୁ। ଗାଁରୁ ଆଣିଥିଵା ଢିଙ୍କିକୁଟା ନାଲି ଚୁଡା ଓ ଗୁଡ଼ ହିଁ ହଷ୍ଟେଲ ରହଣି ସମୟରେ ଆମର ଥିଲା ଜୀବନ। ୧୯୬୭ ମସିହାରେ ଯେଉଁ ନିର୍ବାଚନ ହୋଇଥିଲା ସେଥିରେ ୟୁନିୟନ ପକ୍ଷରୁ ପୂଜାପଣ୍ଡା ନାମକ ଜନୈକ ଛାତ୍ର ପ୍ରେସିଡେଣ୍ଟ ପଦ ପାଇଁ ଲଢୁଥିଲେ। ପ୍ରଚାର ସମୟରେ ମହାଶୟ ଆମ ହଷ୍ଟେଲକୁ ଆସି କାକୁତି ମିନତି ହୋଇ ଭୋଟ ପାଇଁ ଅନୁରୋଧ କରି ଯାଇଥିଲେ। ଦୁର୍ଭାଗ୍ୟକୁ ସେ ହାରିଗଲେ ଏବଂ ଇଣ୍ଡିପେଣ୍ଡେଣ୍ଟ୍ ଅର୍ଗାନାଇଜେସନର ପ୍ରାର୍ଥୀ ଜୟଯୁକ୍ତ ହେଲେ। ତାପରେ ଦେଖ ପୂଜାପଣ୍ଡାଙ୍କ ନାଟ।କପାଳରେ ନାଲି ସିନ୍ଦୂର କଲି ମାରି ,ହାତରେ ଭାଲିଟାଏ ଧରି ଗୋଟିଏ ହାତୀ ଉପରେ ଚଢ଼ି ସଦଳବଳେ ଏକ ନମ୍ବର ହଷ୍ଟେଲରେ ମହାରାଜା ପହଞ୍ଚିଲେ ।ଚାମଚାମାନେ ଠେଙ୍ଗାବାଡି ଧରି ପାଟି କରୁଥାନ୍ତି..ଆରେ ହେ ନାଲିଚୁଡା,ମାକେ ଖାଇବ ଜଣକଠୁଁ ଦବ ଆଉ ଜଣକୁ ?ଆଜି କୋଉ ବୋପା ତମ ପିଠିରେ ପଡିବ ଦେଖିବା।”ଏହା କହିବା ସଙ୍ଗେ ସଙ୍ଗେ ହଷ୍ଟେଲ ଭିତରେ ପଶି ରୁମ୍ କବାଟ ଭାଙ୍ଗି ଭିତରେ ଥିବା ପିଲାମାନଙ୍କୁ ଭିଡିଆଣି କଷିଦେଇଗଲେ ନିର୍ଦ୍ଧୁମ ବିଧା ଓ ଗୋଇଠା। ମୁଁ ବିଚରା ଖଟତଳେ ଲୁଚି ରକ୍ଷା ପାଇ ଯାଇଥିଲି।

କିଛି ସମୟ ପରେ କଲେଜ କର୍ତ୍ତୃପକ୍ଷ ଜଣେ ଦିଜଣ ମାମୁଁଙ୍କୁ ମୁତୟନ କଲେ, କିନ୍ତୁ ସେତେବେଳକୁ କିଛି ନାଲିଚୁଡ଼ା ଲହୁଲୁହାଣ ହେଇ ସାରିଥିଲେ। ପୂଜାପଣ୍ଡା ମହାରାଜାଙ୍କ ଭାଙ୍ଗନିଶା ଛାଡି ଯାଇଥିଲା; ଯେମିତି ଆସିଥିଲେ ସେମିତି ହାତୀରେ ବସି ସେ ସେଠାରୁ ଚାଲିଯାଇଥିଲେ। ମାମୁଁମାନେ ପରିସ୍ଥିତିର ଗୁରୁତ୍ବ ଅନୁଭବ କରି ପୂଜାପଣ୍ଡା ମହାରାଜାଙ୍କୁ ପିଠି ଥାପୁଡେଇ ସେଠାରୁ ବିଦା କରିଥିଲେ।
କ୍ରମଶଃ….

Click to rate this post!
[Total: 0 Average: 0]

Leave a Reply