Wednesday, February 28, 2024
Stories

ଆମ ଗାଁ ଆମ ଘର (୪୨)

ଆମ ଗାଁ ଆମ ଘର
୪୨
================================
କିଛି ଖଟା କିଛି ମିଠା ଅନୁଭୂତି
================================
ମାଟ୍ରିକ ପଢ଼ିବା ସମୟରେ ଗଣିତ ଗୋଟିଏ ଦୁର୍ଦ୍ଦାନ୍ତ ରାକ୍ଷସ ଭଳି ମତେ କିଟିମିଟି କରି ସବୁବେଳେ ଚାହିଁ ରହୁଥିଲା।ଦିବଙ୍ଗତ ପୂଜ୍ୟ ଗଣିତ ସାର୍ ଯୁଗଳ କିଶୋର ପାଣିଗ୍ରାହୀଙ୍କ ପ୍ରେରଣା ଯୋଗୁଁ ଗଣିତ ବିଷୟଟି ଅତିରିକ୍ତ ବିଷୟ ଭାବେ (ଅପସନାଲ୍) ନେଇଥିଲେ ମଧ୍ୟ ଏବଂ ସେହି ବିଷୟରେ ଭଲ ନମ୍ବର ରଖି ମାଟ୍ରିକ ପାସ କରିଥିଲେ ମଧ୍ୟ ପାଟୀଗଣିତର ବୋଝ ଯଥାଶୀଘ୍ର ମୁଣ୍ଡରୁ ଉତାରିବା ପାଇଁ କଲବଲିଆ ହେଉଥିଲି। ମାଟ୍ରିକ ପାସ କରିବା ପରେ ସେ ସୁଯୋଗ ଆସିଗଲା। ଗଣିତର ଶତ୍ରୁ କେବଳ ମୁଁ ନଥିଲି ,ଅନ୍ୟ ଅନେକ ସାଙ୍ଗସାଥି ମଧ୍ୟ ସେହି ପ୍ରତିକ୍ରିୟା ରଖି କହୁଥିଲେ…ବୋଝ ଗଲା,ଏବେ ମୁଣ୍ଡ ଉଶ୍ବାସ।”

ବେଳେବେଳେ ଭାବେ, ବିଶ୍ବବିଖ୍ୟାତ ଗଣିତଜ୍ଞ ପଠାଣି ସାମନ୍ତଙ୍କ ମାଟିରେ ଜନ୍ମ ହୋଇ ଗଣିତ ପାଠ ମୋ ଦ୍ବାରା ନହେଲା କାହିଁକି ? ପୁଣି ଭାବେ, ପିଲାଦିନରୁ ଆଗ୍ରହ ସୃଷ୍ଟି କରାଯାଇଥିଲେ ସିନା ହେଇଥାନ୍ତା ; ସଂସ୍କୃତ ଶାସ୍ତ୍ରୀ ବିଦ୍ୟାଧର ବାଣୀଭୂଷଣଙ୍କ ନାତି ମୁଁ; ଗଣିତ ପ୍ରତି ଆଗ୍ରହ ବାପା ଜେଜେ ବାପା କେବେ ଆମ ମନରେ ବଢେଇ ନଥିଲେ;ଘରେ ସଂସ୍କୃତ ପୋଥି ଓ ଓଡ଼ିଆ କବିମାନଙ୍କ ଗ୍ରନ୍ଥାବଳୀ ଗଦାଗଦା ହୋଇ ପଡିଥିଲା; ସେହି ରସ ସାଗରରେ ଅବଗାହନ କରିବାକୁ ସବୁବେଳେ ମନ। ପୌଗଣ୍ଡ ସମୟରେ ଗଣିତ ଫର୍ମୁଲା ତୁଳନାରେ”ଚେତି ଚତୁରୀ ଚାହିଁଲା ନିଶିନାଶେ ପାଶେ ନାହିଁ ଦିବ୍ୟ ତରୁଣ” ଭଳି ପଦ ମନକୁ ଅଧିକ ଆକର୍ଷିତ କରୁଥିଲା। ତେଣୁ ଗଣିତ ପ୍ରତି ଆଗ୍ରହ କେମିତି ହୁଅନ୍ତା? ଆଗ୍ରହଟା ବେଳେବେଳେ ରକ୍ତଗତ ବା ବଂଶପରମ୍ପରାଗତ ହୋଇଥାଏ ବୋଲି ମୋର ବ୍ୟକ୍ତିଗତ ଧାରଣା।କହିବା ବାହୁଲ୍ୟ, ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟରେ କଳାରେ ନାମ ଲେଖାଇ ଏବଂ ଇତିହାସ ବିଷୟକୁ ସମ୍ମାନ ବିଷୟ ଭାବରେ ଗ୍ରହଣ କରି ଗଣିତ ଶାସ୍ତ୍ରରୁ ମୁକ୍ତି ମିଳିଥିଲା; ମନ ଆନନ୍ଦିତ ଥିଲା।

କିନ୍ତୁ ଏକନମ୍ବର ଛାତ୍ରବାସରେ ମୋର କୋଠରୀବନ୍ଧୁ (ରୁମମେଟ୍) ଶ୍ରୀ ଉଦୟନାଥ ଦାଶ ଥିଲେ ଗଣିତର ଜଣେ ପୋଖତ ଛାତ୍ର।ତାଙ୍କ ଗଣିତ ପଢା ଥିଲା ଅଦ୍ଭୁତ ଧରଣର। ଗଣିତ ପାଠକୁ ପୂର୍ବରୁ ଅଭ୍ୟାସ ନକରି ପରୀକ୍ଷାରେ କେମିତି ସେ ଶତକଡା ଶହେ ରଖୁଥିଲେ, ଏପର୍ଯ୍ୟନ୍ତ ମୁଁ ବୁଝି ପାରେନାହିଁ। ଉଦୟନାଥ ଦାଶଙ୍କୁ ନଚିହ୍ନେ କିଏ ? ପରବର୍ତ୍ତୀ ସମୟରେ ଉତ୍କଳ ବିଶ୍ୱବିଦ୍ୟାଳୟର ମନୋବିଜ୍ଞାନ ବିଭାଗର ମୁଖ୍ୟ ଭାବରେ ସେ ଦେଶବିଦେଶରେ ଅନେକ ନାଁ କମେଇଚନ୍ତି।

ତାଙ୍କ ବିଷୟରେ ଗୋଟିଏ ରୋଚକ କଥା ଆଜି ମନେ ପଡୁଛି। ତାଙ୍କର ଫଟୋଗ୍ରାଫିକ୍ ସ୍ମରଣ ଶକ୍ତି ଥିଲା। ଯାହା ସେ ଥରେ ପଢିଦେଉଥିଲେ ତାହା ତାଙ୍କ ମୁଣ୍ଡରେ ଲେଖାହୋଇ ରହିଯାଉଥିଲା।ତାଙ୍କୁ ପାଠବହି ଧରିବାର ମୁଁ କେବେ ଦେଖିନି।ପରୀକ୍ଷା ପୂର୍ବଦିନ ସେ ବହି ଓଲଟାନ୍ତି। ପରଦିନ ପରୀକ୍ଷାରେ କଣ ଲେଖନ୍ତି ନଲେଖନ୍ତି,ସବୁବେଳେ ସବୁ ବିଷୟରେ କ୍ଲାସରେ ସର୍ବାଧିକ ନମ୍ବର ରଖନ୍ତି ।ତା ସହିତ ଛାତ୍ରରାଜନୀତିରେ ମଧ୍ୟ ସେ ସକ୍ରିୟ ଥିଲେ।

ରୁମମେଟ୍ ଅଧିକାରରେ ଥରେ ମୁଁ ତାଙ୍କ ଅଦ୍ଭୁତ ସ୍ମରଣ ଶକ୍ତିର ପରୀକ୍ଷା ନେବାପାଇଁ ଚାହିଁଲି।ସଙ୍ଗେ ସଙ୍ଗେ ସେ ରାଜି ହୋଇଗଲେ।ପାଖରେ ପଡିଥିବା ଇଂରାଜୀ ଖବର କାଗଜ “ଷ୍ଟେଟସମ୍ୟାନ୍”ର ସମ୍ପାଦକୀୟ ଲେଖାଟି ତାଙ୍କୁ ପଢି ମନେ ରଖିବାକୁ କହିଲି।ସେ ସମ୍ପାଦକୀୟଟି ଥରେ ମାତ୍ର ଭଲକରି ପଢିଦେଲେ ଏବଂ କାଗଜଟି ମୋ ହାତକୁ ବଢାଇ ଦେଇ କହିଲେ.. ତୁମେ ଦେଖ ମୁଁ ଯାହା କହୁଛି ସେଥିରେ ଅଛି ନା ନାହିଁ।”
ମୋ ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ।ମୂଳରୁ ଶେଷ ପର୍ଯ୍ୟନ୍ତ ସମ୍ପାଦକୀୟ ଲେଖାଟି ସେ ଗଳଗଳ କରି ଗାଇଗଲେ। ଗୋଟିଏ ଶବ୍ଦ ମଧ୍ୟ ବାଦ୍ ପଡିଲାନି। ଏପରି ଅଦ୍ଭୁତ ସ୍ମରଣ ଶକ୍ତି ମୁଁ ଅନ୍ୟ କେଉଁଠାରେ ଦେଖିନାହିଁ।

ଛାତ୍ରରାଜନୀତିରେ ସମ୍ପୃକ୍ତ ରହିବାରୁ ଏବଂ ବିଲକୁଲ ପାଠ ନପଢିବାରୁ ସ୍ନାତକରେ ତାଙ୍କର ଗଣିତ ଅନର୍ସ୍ କଟିଗଲା।ତା ପରେ ସେ ପଣନେଲେ ଯେ ବାଣୀବିହାରରେ ମନୋବିଜ୍ଞାନରେ ପ୍ରଥମ ଶ୍ରେଣୀରେ ପ୍ରଥମ ହୋଇ ଉତ୍ତୀର୍ଣ୍ଣ ହେବେ। ତାଙ୍କ “ସ୍ଥିତପ୍ରଜ୍ଞା” ଫଳବତୀ ହେଲା ଏବଂ ସେ ୧୯୭୨ ମସିହାରେ ମନୋବିଜ୍ଞାନରେ ପ୍ରଥମଶ୍ରେଣୀରେ ପ୍ରଥମ ହୋଇ ଉତ୍ତୀର୍ଣ୍ଣ ହେଲେ। ସେହି ସଫଳତା ପରେ ସଫଳତା ହିଁ ତାଙ୍କ ପଛରେ ଗୋଡାଇବାରେ ଲାଗିଲା।ତାଙ୍କ କଥା ମନେ ପଡିଲେ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ରଚିତ “ଧର୍ମପଦ”କାବ୍ୟରେ ଲିଖିତ ଗୋଟିଏ ପଦ ମନେପଡେ…
“ପ୍ରତିଜ୍ଞା କାହାର ଅସମ୍ଭବ ବୋଲି
ମନେ ବିଚାର ନକର,
କାହାକୁ କି ଶକ୍ତି ଦେଇଛନ୍ତି ପ୍ରଭୁ
ଜାଣିବ ତା କାହିଁ ନର ?”

“ପାଥେରପୁରୀ” ଛାତ୍ରାବାସରେ ରହିବାର ସ୍ବପ୍ନ ପୂରଣ ହେଲା। ମୋ ଆବେଦନ ପତ୍ରଟି ମଞ୍ଜୁର ହୋଇଗଲା।ଆବେଦନ କରିବା ସମୟରେ ଅନେକ ବନ୍ଧୁ କହିଲେ..ତୋ ପରି କିଏ ବୋକା ଅଛି ?ଏକନମ୍ବର ହଷ୍ଟେଲରୁ ପାଥେର ପୁରୀକୁ କିଏ ଯିବାକୁ ଚାହେଁ?ଆରେ ସେ ହଷ୍ଟେଲଟା କଲେଜ ଠାରୁ ଦୂର; ତାଛଡା ସେଠାରେ ଉଠାପାଇଖାନାରେ ଦୁଇ ଯିବାକୁ ପଡ଼ିବ।ଦୁଇ ବସିଥିବା ସମୟରେ ତଳେ ମେହେନ୍ତର ଅଣକରେ ବର୍ଜ୍ୟବସ୍ତୁ ଉଠାଉ ଥିବ ଏବଂ କହୁଥିବ.. ଟିକିଏ ଅଟକିଯାଅ ବାବୁ !ପୁରୀଷ ଉତ୍ସର୍ଗ କରନାହିଁ,ମୋ ହାତରେ ପଡିବ।” ଆସୁଥିବା ଓ୍ବାରେଣ୍ଟ ଅଟକି ଯିବ ଏବଂ ସାରାଦିନ ଟା ବେକାର ଯିବ।”

ବନ୍ଧୁମାନଙ୍କ କଥା ଅବଶ୍ୟ ଯୁକ୍ତିଯୁକ୍ତ ଥିଲା,କିନ୍ତୁ ଏକଦା ରବିନ୍ଦ୍ରନାଥ ଠାକୁରଙ୍କ ବାସଭବନ ଥିବା “ପାଥେରପୁରୀ”ରେ ରହିବାର ଆକର୍ଷଣ ନିଆରା ଥିଲେ। ସାଙ୍ଗମାନେ ମତେ ବୋକା କହନ୍ତୁ ପଛେ,ସେ ବୋକାମୀ ମୋର ସ୍ବୀକୃତ ଥିଲା। ସମୁଦ୍ର ବାଲିବନ୍ତ ଉପରେ ଠିଆ ହୋଇଥିବା ପାଥେର ପୁରୀର ବାରଣ୍ଡାରେ ଦଣ୍ଡେ ବସିଗଲେ ପେଟେ ସମୁଦ୍ର ପବନ ପିଇ ହୋଇଯାଉଥିଲା।ମନରେ ପ୍ରଶ୍ନ ଉଠୁଥିଲା… ଏଇଠି ବସି ତ ଗୁରୁଦେବ ଗୀତାଞ୍ଜଳି ଲେଖିଥିବେ।”
ଏମିତି ଦିନେ ପାଥେରପୁରୀ ହଷ୍ଟେଲରେ ଦିନ ଦଶଟା ବେଳେ ବସି କିଛି ଭାବିବା ସମୟରେ ବନ୍ଧୁ ବିମଳ ପଟ୍ଟନାୟକ କହିଲେ…ଚାଲ ଆଜି ସମୁଦ୍ରରେ ଗାଧେଇବା।” ବିମଳ ପଟ୍ଟନାୟକ ମୋର ସ୍କୁଲ୍ ମେଟ୍ ଓ ଅନ୍ତରଙ୍ଗ ବନ୍ଧୁ।ମୁଁ କହିଲି..ମତେ ସମୁଦ୍ର ପାଣି ଭିତରକୁ ଯିବାକୁ ମନା;ମୋ ମୁଣ୍ଡରେ ଦୁଇଟି ଭଉଁରୀ ଥିବାରୁ ନଦୀ ବା ପୋଖରୀ ଭିତରେ ଗାଧୋଇବା ପାଇଁ ମତେ ଘରେ କେହି ଛାଡନ୍ତି ନାହିଁ। ତେଣୁ କୁସୁମୀ ନଦୀ କୂଳରେ ଘର ହେଲେ ମଧ୍ୟ ମତେ ପହଁରା ଜଣାନାହିଁ।” ବନ୍ଧୁ ବିମଳ କହିଲେ.. କିଛି କଥା ନାହିଁ କକେଇ (ମୋ ସାଙ୍ଗମାନେ ମତେ କାହିଁକି କକେଇ ଡାକୁଥିଲେ, ସେକଥା ଆଗରୁ କହିଛି) ମୁଁ ପହଁରା ଜାଣିଛି।ତମର କିଛି ଅସୁବିଧା ହେବନାହିଁ।”

ଛେଳିକୁ ପାଣିକୁ ଟାଣିବା ଭଳି ଟାଣି ଓଟାରି ହୋଇ ସମୁଦ୍ର କୂଳକୁ ଗଲି ଗାଧୋଇବାପାଇଁ। ସେଦିନ ଅଣ୍ଡରକରେଣ୍ଟ୍ ଥିଲା,ଆମକୁ ଜଣାନାହିଁ। ଟିକିଏ ଭିତରକୁ ଗଲାପରେ ମୁଁ ଟାଣି ହୋଇ ପାଣି ଭିତରକୁ ଚାଲିଗଲି।ଗୋଡ଼ ତଳକୁ ପାଉ ନଥାଏ। ସେତେବେଳକୁ ଚାରିଢୋକ ଲୁଣିଆ ପାଣି ପିଇ ସାରିଲିଣି। ବନ୍ଧୁ ବିମଳ ଆପ୍ରାଣ ଚେଷ୍ଟା କରି ମତେ ଉପରକୁ ଭିଡି ଆଣିଲେ।ପିଠିରେ ଦିଚାରି ହାବୁକା ମାରିବାପରେ ପେଟ ଭିତରୁ ଲୁଣିପାଣି ବାହାରି ଆସିଲା। ସେଦିନ ଜଳସମାଧିରୁ ଅଳ୍ପକେ ରକ୍ଷା ମିଳିଯାଇଥିଲା।ବଡ଼ ମନଦୁଖରେ ବନ୍ଧୁ ବିମଳ କହିଲେ.. ଭଗବାନ ତୁମକୁ ନୁହେଁ ଯେ ମତେ ରକ୍ଷା କରିଦେଲେ।ତମେ ଚାଲି ଯାଇଥିଲେ, ଗାଁ କୁ ଯାଇ ମୁଁ କଣ କହିଥାନ୍ତି ?”

କ୍ରମଶଃ….

Click to rate this post!
[Total: 0 Average: 0]

Leave a Reply