Wednesday, February 21, 2024
Stories

ଆମ ଗାଁ ଆମ ଘର (୪୦)

ଆମ ଗାଁ ଆମ ଘର
୪୦
=================================
ନିଜେ ନିଜର ଜୀବନ ଗଢ…
==================================
ଉତ୍କଳଘଣ୍ଟ , ବାଞ୍ଛା ଭାଇନା,ଲଳିତ ମାଧବ ଏବଂ ଗାଁ ଜଗନ୍ନାଥଙ୍କ କଥା କହୁ କହୁ ନିଜ କଥା ବଖାଣିବାକୁ ଭୁଲି ଗଲିଣି।୧୯୬୬ ମସିହାରେ ଆମେ ମାଟ୍ରିକ ପାଶ୍ କଲାବେଳେ ଖଣ୍ଡପଡ଼ାରେ ଚହଳ ପଡ଼ିଗଲା। ଗଣିତ ଶିକ୍ଷକ ଯୁଗଳ ସାର୍ କହିବୁଲିଲେ ଯେ ‘ଏଇଟା ହଉଚି ମୋର ଗୋଲ୍ଡେନ ବ୍ୟାଚ୍।’ ସାତ ଜଣ ଫାଷ୍ଟ କ୍ଲାସ ପାଇଥିଲେ।ଅକଳ୍ପନୀୟ ଫଳାଫଳ। ଏତେ ପିଲା ବୋଧହୁଏ ଆଗରୁ ରାମଚନ୍ଦ୍ର ଉଚ୍ଚ ବିଦ୍ୟାଳୟରେ ପ୍ରଥମଶ୍ରେଣୀ ପାଇ ନଥିଲେ। ଦୁଇଟି ସେକ୍ସନରେ ପଢୁଥିବା ପ୍ରାୟ ୧୦୦ ଜଣ ପିଲା ଭିତରୁ ଯଦି ସାତଟି ପିଲା ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେଲେ ଏଇଟା କ’ଣ ବଡ଼ କଥା ! ଆଜିକାଲି ତ ଗୋଟିଏ କ୍ଳାସରେ ପଢୁଥିବା ପଚାଶ/ଷାଠିଏ ପିଲା ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେଉଛନ୍ତି।

କିନ୍ତୁ ବାସ୍ତବରେ ସେ ସମୟରେ ତାହା ବଡ଼ କଥା ଥିଲା।ସମଗ୍ର ଓଡ଼ିଶାରେ ଗୋଟିଏ ମାତ୍ର ବୋର୍ଡ଼ ଥିଲା.. ବୋର୍ଡ଼ ଅଫ୍ ସେକେଣ୍ଡାରୀ ଏଜୁକେଶନ।ସାରା ଓଡ଼ିଶାର ପିଲା ସେହି ବୋର୍ଡ଼ ଅଧୀନରେ ପରୀକ୍ଷା ଦେଉଥିଲେ।ପାଠ ଯେମିତି ମୌଳିକ ତତ୍ତ୍ବ ଉପରେ ଆଧାରିତ ଥିଲା,ଖାତା ଦେଖା ମଧ୍ୟ ସେମିତି କଡାକଡି ଥିଲା। ଓଡ଼ିଆରେ ବା ଇଂରାଜୀରେ ଶହେରୁ ଷାଠିଏ ରଖିବା ଗଡ଼ ଜିଣିବା ସହିତ ସମାନ ଥିଲା। ଆଜିକାଲି ଓଡ଼ିଆ ଓ ଇଂରାଜୀ ବିଷୟରେ ଶତକଡା ଶହେ ନମ୍ବର ଦିଆଯାଇ ପାରୁଛି।ଆମ ସମୟରେ ଶତକଡା ୭୦ ବା ପଞ୍ଚସ୍ତରୀ ନମ୍ବର ପାଉଥିବା ଛାତ୍ର ବେଷ୍ଟଟେନ୍ ବା ପ୍ରଥମ ଦଶଜଣଙ୍କ ଭିତରେ ସ୍ଥାନ ପାଉଥିଲା।

ସେ ଯାହାହେଉ,ଆମ ସ୍କୁଲରେ ଚହଳପକା ଫାଷ୍ଟଡିଭିଜନିଆଙ୍କ ଭିତରେ ମୋ ନାଁ ନଥିଲା। ମୁଁ ଉଚ୍ଚତର ଦ୍ବିତୀୟ ଶ୍ରେଣୀରେ ପାସ୍ କରିଥିଲି।ମନ ବହୁତ୍ ଖୁସି ଥିଲା,କାରଣ ତା ପୂର୍ବରୁ କୌଣସି କୁମ୍ଭାରସାହିଆ ମାଟ୍ରିକ ହିଡ ଡେଇଁ ପାରିନଥିଲେ। ସବୁଠାରୁ ଖୁସି ଥିଲା ମୋ ବୋଉ।ନିଜେ ଶ୍ରୀଅକ୍ଷର ବିବର୍ଜିତା ହୋଇଥିବାରୁ ମତେ ପାଖରେ ବସି ପାଠ ପଢ଼ାଇ ନପାରିବାର ଯେଉଁ ଗ୍ଲାନି, ମୁଁ ପାସ୍ କରିବା ପରେ ତାହା ତା ମନରୁ ଉଭେଇ ଗଲା, ଯେମିତି ସୂର୍ଯ୍ୟ କିରଣ ବାଜିଲେ ସକାଳୁଆ କୁହୁଡି। କୁସୁମୀ ନଈର ଗାଧୁଆ ତୁଠ ମାଈପିଙ୍କ ଆଗରେ ଗର୍ବରେ ମୁଣ୍ଡଟେକି ସେ ମୋର କେତେ ପ୍ରଶଂସା କରିଥିଲା,କଳନା ନାହିଁ।ଅପାଠୋଇ ବୋଉ ମୋର କହି ବୁଲିଥିଲା..ପୁଅ ମୋର “ସେକେଣ୍ଡେ” ହେଇଚି।ସେକେଣ୍ଡ ଡିଭିଜନରେ ପାଶ୍ କରିବା ଏବଂ ସେକେଣ୍ଡ ସ୍ଥାନରେ ପାଶ୍ କରିବା ଫରକ ସେ ଜାଣିପାରି ନଥିଲା। ମୁଁ ତାର ଖୁସି ଦେଖି ପ୍ରଭୁଙ୍କୁ ମୁଣ୍ଡିଆ ମାରି ପ୍ରାର୍ଥନା କଲି.. ଏହି ସରଳତାପୂର୍ଣ୍ଣ ଅଜ୍ଞତା ତା ମନରୁ ଦୂର କରନାହିଁ ଜଗନ୍ନାଥ। ସେ ଏଇମିତି ଖୁସି ହେଉଥାଉ।”

ନନାଙ୍କର ଛୋଟିଆ କାନି;ମୋ ଉଚ୍ଚ ଶିକ୍ଷା ପାଇଁ ସାହସ ଜୁଟାଇ ପାରୁ ନଥିଲେ। ନିକଟରେ ଥିବା ନୟାଗଡ଼ କଲେଜରେ ନାଁ ଲେଖେଇବାକୁ ମତେ ପରାମର୍ଶ ଦେଲେ। ମୁଁ କିନ୍ତୁ ନଛୋଡ ବନ୍ଧା,ପଢିବି ତ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟ,ପୁରୀରେ ପଢିବି।ସମୁଦ୍ର କୂଳର ସୌନ୍ଦର୍ଯ୍ୟ ମତେ ଟାଣିଲା,ମତେ ଟାଣିଲା ଜଗନ୍ନାଥଙ୍କ ଡୋରି,ଆଉ ମଧ୍ୟ ‘ପାଥେରପୁରୀ’, ଯାହା ଦିନେ ଥିଲା ରବିନ୍ଦ୍ରନାଥ ଟାଗୋରଙ୍କର ସାଧନା ପୀଠ ଏବଂ ତାଙ୍କ ଅବର୍ତ୍ତମାନରେ ଏକ ଛାତ୍ରାବାସରେ ପରିଣତ ହୋଇ ଯାଇ ଥିଲା।

ମୋ ଜିଦ୍ ରହିଲା।”ପଦାର୍ଥ ବିଜ୍ଞାନ, ରସାୟନ ବିଦ୍ୟା ଏବଂ ଗଣିତ ଶାସ୍ତ୍ର” ଗ୍ରୁପରେ ପୁରୀ କଲେଜରେ ନାଁ ଲେଖା ହେଇଗଲା। କିଛି ନାଲିଚୁଡା,ଛତୁଆର ପୁଟୁଳି ବାନ୍ଧି ଏବଂ ପ୍ରଥମଥର ପାଇଁ ନୂଆ ସିଲେଇ କରାଇଥିବା ଦୁଇଟି କଟନ୍ ଫୁଲପ୍ୟାଣ୍ଟ୍(ଗୋଟିଏ କଳା, ଗୋଟିଏ ଧଳା) ଧରି ବାହାରିଲି ପୁରସ୍ତମ। ପିଲାଦିନେ ନନା, ବାଙ୍କୀ ଉଚ୍ଚ ବିଦ୍ୟାଳୟରେ ପଢୁଥିବା ସମୟରେ ଯେଉଁ ଲୁହା ସୁଟକେଶଟି ବ୍ୟବହାର କରୁଥିଲେ ତା ଭିତରେ ପ୍ରଥମ ଥର ପାଇଁ କିଣା ଯାଇଥିବା ଦାନ୍ତଘଷା ବ୍ରସ୍,କଲଗେଟ୍ ପେଷ୍ଟ୍,ନୂଆ ଖୋର୍ଦ୍ଧା ନାଲି ଗାମୁଛା ଓ ନୂଆ ନୂଆ କିଣାଯାଇଥିବା “ବି ଏସ୍ ସି” ଚପଲ ହଳେ ରଖି ପୁରୀ ବାହାରିଲି।

ନନାଙ୍କ ଇଚ୍ଛା ଥିଲା ପ୍ରଣୀବିଜ୍ଞାନ (ବାୟୋଲୋଜି) ନେଇ ଯୁକ୍ତଦୁଇ ପରେ ଚିକିତ୍ସା ବିଜ୍ଞାନ (ମେଡିକାଲ)ପଢି ଡାକ୍ତରଟିଏ ହୋଇ ବଂଶର ବୈଦ୍ୟପରମ୍ପରାକୁ ଆଗକୁ ବଢାଇଵା ପାଇଁ। କିନ୍ତୁ ମୋର ତିଳେ ମାତ୍ର ଇଚ୍ଛା ନଥାଏ। ବିଜ୍ଞାନ ବହି ଅପେକ୍ଷା ରାଧାନାଥ ଗ୍ରନ୍ଥାବଳୀ,ଗଙ୍ଗାଧର ଗ୍ରନ୍ଥାବଳୀ, ବୈଦେହୀଶ ବିଳାସ ଆଦି ମତେ ଅଧିକ ଟାଣୁଥିଲେ। ରସାୟନ ବିଜ୍ଞାନ କ୍ଲାସରେ ମତେ ବେଶି ଅଣନିଃଶ୍ବାସୀ ଲାଗୁଥିଲା।

ସେ ସମୟରେ ଉତ୍କଳମଣି ଗୋପବନ୍ଧୁଙ୍କ ନାତି ଡଃ ସତ୍ୟବାଦୀ ମିଶ୍ର ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟରେ, ଅଧ୍ୟକ୍ଷଙ୍କ ସାମୟିକ ଅନୁପସ୍ଥିତିରେ ଭାରପ୍ରାପ୍ତ ଅଧ୍ୟକ୍ଷ (ଇନ୍ ଚାର୍ଜ) ଥିଲେ।ପ୍ରଚଣ୍ଡ କ୍ରୋଧୀ, ସେଥିପାଇଁ ସମସ୍ତେ ତାଙ୍କୁ ଦୁର୍ବାସା ବୋଲି କହୁଥାନ୍ତି।
ହଠାତ୍ ଦିନେ ଗୋଟିଏ ଆବେଦନ ପତ୍ର ଧରି ତାଙ୍କ କୋଠରୀରେ (ଚ୍ୟାମ୍ବର୍’ରେ) ପହଞ୍ଚିଲି। ଆବେଦନପତ୍ରଟି ଦେଖି ସେ ମୋତେ ପ୍ରଥମେ ବଲବଲ କରି ଚାହିଁଲେ।ତାପରେ ବଡ ପାଟିରେ ଚିଲ୍ଲେଇ କହିଲେ.. ସାଇନ୍ସରୁ ଆର୍ଟସ୍’କୁ ବଦଳେଇବା କଣ ଏତେ ଅସମ୍ଭବ କାମ ଯେ ସେଥିପାଇଁ ପ୍ରିନସପାଲଙ୍କ ହସ୍ତକ୍ଷେପ ଦର୍କାର ! ଯା ଅଫିସରେ ଆପ୍ଲିକେସନ ଦେଇଦେ,ହେଇଯିବ।”

ଆଠଦିନ ବିତିଗଲା। ହେଲାନାହିଁ।ଥରେ ଦୁର୍ବାସା ସତ୍ୟବାଦୀ ସାର୍ କଲେଜ ବାରଣ୍ଡାରେ ଫିଲୋସଫି କ୍ଲାସ୍ ନେବାପାଇଁ ଯାଉଥାନ୍ତି।ତାଙ୍କ ପାଖେ ପାଖେ ଚାଲୁ ଚାଲୁ କହିଲି…ସାର୍, ଏପର୍ଯ୍ୟନ୍ତ ମୋର ଆର୍ଟସରେ ନାଁ ଲେଖା ହୋଇ ପାରିଲା ନାହିଁ।” ଦୁର୍ବାସା ମତେ ଏମିତି କଟମଟ କରି ଚାହିଁଲେ ଯେ ମୁଁ ସେଠାରୁ “ନ ଦୁଇ ଏଗାର” ହୋଇ କଲେଜ୍ ବାଥରୁମ୍ ଭିତରେ ପଶିଲି। କିନ୍ତୁ ତା ପରଦିନ ନୋଟିସ୍ ବୋର୍ଡରେ ମୋର ଆର୍ଟସ କ୍ଲାସ ପାଇଁ ନାମଲେଖା ବିଜ୍ଞାପନ ଦେଖି ମୋର ସନ୍ଦେହ ରହିଲା ନାହିଁ ଯେ ଦୁର୍ବାସା ମୋ ଉପରେ ଦୟା କରିଛନ୍ତି। ଆମ ପୁରାଣ ପ୍ରସିଦ୍ଧ ଋଷି ଦୁର୍ବାସା ମଧ୍ୟ ସବୁବେଳେ ପ୍ରଥମେ ଅଭିଶାପ ଦେଇ ପରେ ନିରାକରଣ ବତାଇଦିଅନ୍ତି।

ବିଜ୍ଞାନରୁ କଳାକୁ ପରିବର୍ତ୍ତନ କରିବା ଦେଖି ମୋ ଉପରେ ସମସ୍ତେ ହସିଲେ ଓ ବର୍ଷିଲେ। କିଛି ଅନାହୂତ ବ୍ୟକ୍ତି କହିଲେ..ଯଦି ଆର୍ଟସ ପଢ଼ିବାର ଥିଲା ନୟାଗଡ଼ରେ ନପଢି ,ବାପ ପଇସା ଶ୍ରାଦ୍ଧ କରି ପୁରୀ କଲେଜରେ ପଢ଼ିବା କ’ଣ ଆବଶ୍ୟକ ଥିଲା।” ମୋର କିନ୍ତୁ ବେଶୀ ଡର ଥିଲା ନନାଙ୍କ ଉପରେ।କଣ ସେ ଭାବିବେ ? ତାଙ୍କ ବିନା ଅନୁମତିରେ ବିଜ୍ଞାନରୁ କଳାକୁ ପାଠ ପରିବର୍ତ୍ତନ କରିଦେଇଛି।ସେ ସମୟରେ ସବୁ ବାପାମାଆଙ୍କ ସ୍ବପ୍ନ ଥିଲା ପିଲା ଡାକ୍ତର କିମ୍ବା ଇଞ୍ଜିନିୟର ହେଉ। କିନ୍ତୁ ସବୁ ପିଲା କଣ ବାପାମାଆଙ୍କ ଏହି ଇଚ୍ଛା ପୂରଣ କରିବା ଅବସ୍ଥାରେ ଥିଲେ ?ସେ ସମୟରେ ଓଡ଼ିଶାରେ ମାତ୍ର ଦୁଇଟି ମେଡ଼ିକାଲ କଲେଜ ଏବଂ ତିନୋଟି ଇଞ୍ଜିନିୟରିଂ କଲେଜ ଥିଲା। ପ୍ରତିଯୋଗିତା ପ୍ରବଳ। ବାପାମାଆଙ୍କ ଇଚ୍ଛା ପୂରଣ କରିବା ପାଇଁ ପିଲାମାନେ ଚବିଶି ଘଣ୍ଟା ପରିଶ୍ରମ କରୁଥିଲେ।ଆମ ବ୍ୟାଚର ଗୋଟିଏ ପିଲାର,ଦିନରାତି ପାଠ ପଢ଼ାରେ ବସିବା ଯୋଗୁଁ ମେରୁହାଡ଼ ଧନୁଭଳି ବଙ୍କା ହୋଇ ଯାଇଥିଲା।

ଗାଁରେ ପହଞ୍ଚି ଡରି ଡରି ନନାଙ୍କ ଆଗରେ କହିଲି ଯେ ବିଜ୍ଞାନରୁ କଳାକୁ ପରିବର୍ତ୍ତନ କରିଦେଇଛି।ନନା ଅଳ୍ପ ହସି କହିଲେ.. ହଁ ମୁଁ ଶୁଣିଛି;ତୁ ତୋ ନିଷ୍ପତ୍ତିରେ ଖୁସି ତ ?ପାଠ ଯାହା ପଢୁଛ ପଢି,ମନ ଦେଇ ପଢ଼।ଲକ୍ଷ୍ୟ ଅଟଳ ରହିବା ଉଚିତ। ବିଜ୍ଞାନ ଆଇନ୍ ଷ୍ଟାଇନ୍ ହେଲେ କଳା ରବିନ୍ଦ୍ରନାଥ।

ନନାଙ୍କ ମୁଣ୍ଡ ତଳକୁ ନକରିବାପାଇଁ ମନଦେଇ ପାଠ ପଢିଲି।ପ୍ରଥମ ବର୍ଷ (preuniversity)ର ପରୀକ୍ଷା ଫଳ ବାହାରିବା ବେଳେ ଜାଣିଲି କ୍ଲାସରେ ଦ୍ବିତୀୟ ବା ତୃତୀୟ ସ୍ଥାନରେ ରହିଛି।କହିବା ବାହୁଲ୍ୟ ମାଟ୍ରିକରେ ପ୍ରଥମ ଶ୍ରେଣୀରେ ପାସ୍ କରିଥିବା ଏବଂ ବିଜ୍ଞାନ ପଢ଼ୁଥିବା ଅନେକ ଛାତ୍ର ସେଥର ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିଲେ। ମୋତେ ସମାଲୋଚନା କରୁଥିବା ବନ୍ଧୁମାନଙ୍କର ସ୍ବର ବଦଳି ଯାଇଥିଲା.. ଯେଉଁ ପାଠ ଭଲ ଲାଗିବ, ତାହା ପଢ଼ିବା ହିଁ ଉଚିତ୍। ସରସ୍ବତୀଙ୍କ ହାତରେ ପୁସ୍ତକ ସଙ୍ଗେ ସଙ୍ଗେ ବୀଣା ମଧ୍ୟ ରହିଛି।
କ୍ରମଶଃ…

Click to rate this post!
[Total: 0 Average: 0]

Leave a Reply