Thursday, June 13, 2024
Stories

ଆମ ଗାଁ ଆମ ଘର (୩୭)

ଆମ ଗାଁ ଆମ ଘର
୩୭
==============================
ଜାତିବାଦ ଓ ଛୁଆଁଛୁତି
===============================
ପିଲାଟିଏ ଯେତେବେଳେ ବଡ଼ ହୋଇ ଘରର ଏରୁଣ୍ଡିବନ୍ଧ ଡିଏଁ, କୁହାଯାଏ ତାର ହେତୁ ପାଇଲା।ହେତୁ ପାଇବା ପରେ ସାମାଜିକ ଚାଲିଚଳଣିରେ ଋଢିଵାଦୀ ସମାଜର ଛୁଆଁ ଛୁତି ଓ ଅନ୍ଧବିଶ୍ୱାସ ଜନିତ ଅନେକ ଚଳଣି ତାକୁ ଆଶ୍ଚର୍ଯ୍ୟ କରେ। ସେପରି ଚଳଣି ପଛରେ ଥିବା ଯୁକ୍ତି ସେ ବୁଝି ପାରେନାହିଁ।ଆମ ପିଲାଦିନେ ଏମିତି ଅନେକ ଘଟଣା ମୋ ଆଖିରେ ଅନେକ ପ୍ରଶ୍ନବାଚୀ ଉଠେଇ ଥିଲା।

ଥରେ ଆମ ସାଇର ମୋର ଗୋଟିଏ ସାଙ୍ଗ ପ୍ରଫୁଲ୍ଲ (ବାହ୍ମୁଣ ପିଲା)କୃଷ୍ଣଲୀଳା ମୁକ୍ତମଞ୍ଚ ନାଚ ଦେଖିବାକୁ ଯାଇଥାଏ।ଶୀତ ରାତି;ଦେହରେ ଚାଦର ନଥାଏ।ଅଳ୍ପ ଦୂରରେ ଚାଦର ଘୋଡେଇ ହୋଇ ବସିଥିବା ହାଡି ସାହିର ବୁଦ୍ଧିଆ ନାମକ ଗୋଟିଏ ପିଲା ପାଖରେ ପ୍ରଫୁଲ୍ଲ ଜାକିଜୁକି ହୋଇ, ତା ଚାଦରଟିରୁ ଅଧେ ଘୋଡେ଼ଇ ହୋଇ ବସିଲା। ପାଖରେ ବସିଥିବା ବୁଦ୍ଧିଆର ମା’ ଚିଲ୍ଲେଇଲା…ଏ ସାଆନ୍ତ ଘର ପୁଅ,ତମେ ଛୁଆଁ ହେଲଣି;ଯାଅ ଘରେ ଯାଇକି ଗାଧେଇବ।” ପାଟି ଶୁଣି ସମସ୍ତଙ୍କ ଦୃଷ୍ଟି ବ୍ରାହ୍ମଣ ପିଲା ପ୍ରଫୁଲ୍ଲ ଆଡ଼କୁ ଆକର୍ଷିତ ହେଲା ଏବଂ ପାଖାପାଖି ଯିଏ ସବୁ ଥିଲେ ତାକୁ ଛି ଛି ମାରମାର କରି କହିଲେ…ତୁ ହାଡ଼ି ଛୁଆଁ ହେଲୁଣି, ଆମକୁ ଛୁଉଁନା, ଆମକୁ ଛୁଉଁନା।” ସେହି ଶୀତରାତିରେ ପ୍ରଫୁଲ୍ଲକୁ ସହଜରେ ଘରେ ପଶିବାକୁ ଦିଆ ଗଲାନି;ତା ମୁଣ୍ଡରେ ଗରେ ପାଣି ଢଳାହେଲା। ତାକୁ ନଙ୍ଗଳା କରି ସେ ପିନ୍ଧି ଥିବା ଜାମାପଟା କାଢି,ଧୋବାଘରେ ପକାଇବାପାଇଁ ଅଗଣା କଣରେ ରଖାଗଲା।ଶୀତ ରାତିରେ ଗାଧେଇବା ଯୋଗୁଁ ବିଚରା ପ୍ରଫୁଲ୍ଲ ତା ପରଦିନ ଜରରେ ପଡ଼ିଲା।

ସେ ସମୟରେ ସମାଜର ଏ ଅଦ୍ଭୂତ ନିୟମ ବୁଝି ପାରୁନଥିବା ମୋ ଭଳି ପିଲା ମନରେ ପ୍ରଶ୍ନ ଆସୁଥଲା… କୁକୁର ଛୁଆକୁ ଚାଦର ଭିତରେ ଜାକି ଧରିଲେ ଯେବେ ଆମେ ଛୁଆଁ ହେବାନାହିଁ, ଗୋଟାଏ ମଣିଷ ପିଲା ସହିତ ଗୋଟିଏ ଚାଦର ଭିତରେ ବସିଲେ କାହିଁକି ଛୁଆଁ ହେବା ? ଉତ୍ତର ମିଳୁଥିଲା.. ସେମାନେ ଆମ ପାଇଖାନାରୁ ଅଣକ ଡଙ୍କିରେ ଗୁହ ପୋଛି,ଆଟିକାରେ ନେଇ ଗାଁ ବାହାରେ ଗାତ କରି ପକାନ୍ତି, ତେଣୁ ସେମାନେ ନୀଚ ଜାତି ଓ ଅଛୁଆଁ।”ସେମାନଙ୍କୁ ସେହି କାମରେ ଆମେ କାହିଁକି ଲଗାଇଲୁ ?ଏ ପ୍ରଶ୍ନର ଉତ୍ତର ମିଳୁଥିଲା..ତା କର୍ମଦୋଷରୁ ସେ ନୀଚ ଜାତିରେ ଜନ୍ମ ହୋଇଛି। ତେଣୁ ସେ କାମ ତାର କର୍ତ୍ତବ୍ୟକର୍ମ।”ବର୍ଣ୍ଣାଶ୍ରମର ଏହି ଯୁକ୍ତିର ସାହାରା ନେଇ ସମାଜର ବଡପଣ୍ଡାମାନେ ଅନେକ ଅତ୍ୟାଚାର କରି ଯାଇଛନ୍ତି ଏବଂ ତା’ର ଫଳ ଆମେ ଏବେ ଭୋଗୁଛୁଁ।

ପିଲାଦିନେ ଆଉ ଗୁଡ଼ିଏ ଅସମାହିତ ପ୍ରଶ୍ନ ମୋ ମନରେ ଆସୁଥିଲା… ଯେଉଁ ଧୋବା ଆମ ଲୁଗାପଟା ଇସ୍ତ୍ରି କରିଦେଲେ ଆମେ ଧୋବଧାଉଳିଆ ହୋଇ କର୍ମକ୍ଷେତ୍ରକୁ ଯାଉଁ ସେ କେମିତି ଆମପାଇଁ ଅଛୁଆଁ ହୋଇଯାଏ? ଯେଉଁ କୁନ୍ଦୁରା (କାଠ କାରିଗର)ଆମ ଡ୍ରଇଂରୁମ ପାଇଁ ଏତେ ସୁନ୍ଦର, ଦୈନନ୍ଦିନ ବ୍ୟବହୃତ ଆସବାସ ତିଆରି କରେ, ତାକୁ ଛୁଇଁଲେ ଆମେ କାହିଁକି ଛୁଆଁ ହୋଇଯାଉ ? ଯେଉଁ ଦାରୀସାଇ(ବେଶ୍ୟା ସାହି)ର ମାଟି ପବିତ୍ର ବୋଲି କହି ଆମେ ସବୁ ଶୁଭକାମରେ ଲଗାଉ ଏବଂ ଯେଉଁମାନଙ୍କ ଘରକୁ ଆମ ସମାଜର ବଡ଼ପଣ୍ଡାମାନେ ଶରୀରର ଭୋକ ମେଣ୍ଟେଇବାପାଇଁ ଅନ୍ଧାରୀ ବିଜେ କରନ୍ତି,ସେମାନେ ସମାଜରେ କାହିଁକି ଅପାଙ୍କ୍’ତେୟ ?ଆମ ରୋଷେଇ ଘରକୁ ଜାଳେଣି କାଠ ଯୋଗାଉଥିବା ପାଣ କାହିଁକି ଅସ୍ପୃଶ୍ୟ ?ତାଟି,କୁଲା,ଭୋଗେଇ,ବାଉଶିଁଆ ଇତ୍ୟାଦି ବୁଣି ଆମ ଘରର ଚାହିଦା ମେଣ୍ଟଉଥିବା ଶଅର କାହିଁକି ଅଛୁଆଁ ! ନଦୀରୁ ମାଛ ଧରି ଆମ ରୋଷେଇ ଘରକୁ ଯୋଗାଉଥିବା କେଉଟ କାହିଁକି ନିମ୍ନଦୃଷ୍ଟିର ଶିକାର ? କହିବା ବାହୁଲ୍ୟ ଏହି ସମସ୍ତଙ୍କୁ ଦୂରେଇ ରଖିବା ପାଇଁ ଖଣ୍ଡପଡାରେ ଗୋଟିଏ ଗୋଟିଏ ସ୍ବତନ୍ତ୍ର ହାଡ଼ି ସାହି,ଧୋବାସାହି ଶଅର ସାହି, କେଉଟ ସାହି,ଦାରୀସାହି ଇତ୍ୟାଦି ରହିଥିଲା ।

ତତ୍କାଳୀନ ସମାଜରେ ଏ ସମସ୍ତ ପ୍ରଶ୍ନର ଉତ୍ତର ସମସ୍ତଙ୍କୁ ଜଣାଥିଲା।ସମସ୍ତେ ଜାଣିଥିଲେ ଯେ ଏହା ଏକ ଋଢିବାଦୀ ସମାଜର ରକ୍ତମାଂସଗତ ପରମ୍ପରା। ଯାହାକୁ ହାଡ଼ି କହି ସମାଜ ଘୃଣା କରୁଥିଲା ତାକୁ ହରିଜନ ନାମ ଦେଲେ ତା’ପ୍ରତି ଥିବା ସାମାଜିକ ଆଭିମୁଖ୍ୟ ରାତାରାତ ବଦଳି ଯିବ ନାହିଁ। ସେହି ଋଢିବାଦୀ ସମାଜର ନିୟମ ପାଇଁ ଆଜି ସ୍ବାଧୀନତାର ପଞ୍ଚସ୍ତରୀ ବର୍ଷପରେ ମଧ୍ୟ ଆମେ ଆରକ୍ଷଣ ନିୟମର ଅକ୍ଟୋପାସ କବଳରୁ ମୁକ୍ତି ପାଇ ପାରୁନାହୁଁ।

ପିଲାଦିନେ ଆମେ ଦେଖିଛୁ ହାଡ଼ି ବାଜା ନବାଜିଲେ ବାହାଘର ବ୍ରତଘର ଇତ୍ୟାଦି ଅନୁଷ୍ଠାନ ହୋଇ ପାରେନାହିଁ।ହାଡିର ଚାଙ୍ଗୁ ବାଇଦ ଓ ମହୂରିଆର ମହୂରୀ ଶବ୍ଦ ଅନୁଷ୍ଠାନର ବାତାବରଣକୁ ପବିତ୍ର କରେ;ଅଥଚ ସେହି ବାଦ୍ୟକାର ମାନଙ୍କୁ ଘର ଭିତରେ ପ୍ରବେଶ ନିଷେଧ। ସେମାନେ ସଡ଼କ ଉପରେ ଗୋଟିଏ କୋଣରେ ବସି ବାଜା ବଜାନ୍ତି;ସେମାନଙ୍କୁ ଛୁଇଁଲେ ଆମେ ଅପବିତ୍ର ହୋଇଯାଉଥିଲୁ। ସମସ୍ତଙ୍କ ପରେ ସେମାନଙ୍କୁ ଭୋଜି ଖାଇବାକୁ ମିଳୁଥିଲା।ଭୋଜିର ବି ଗୋଟିଏ ନିୟମ ଥିଲା..ପ୍ରଥମେ ବ୍ରାହ୍ମଣ ଭୋଜନ, ତାପରେ ଭଦ୍ରଲୋକଙ୍କ ଭୋଜନ (ଚଷା ଶୁଦ୍ର ଇତ୍ୟାଦି) ଏବଂ ସବୁଠାରୁ ପରେ ଧୋବା ହାଡ଼ି ପାଣ ଇତ୍ୟାଦିଙ୍କ ପାଳି। ବେଳେ ବେଳେ ରାତି ଅଧ ପର୍ଯ୍ୟନ୍ତ ସେମାନଙ୍କ ପାଳି ପଡେନାହିଁ, ବିରକ୍ତ ହୋଇ ସେମାନେ ଅଖିଆ ଅପିଆ ଚାଲି ଯାଆନ୍ତି।

ଏହା କେବଳ ଆମ ଗାଁ ଖଣ୍ଡପଡ଼ାର ସାମାଜିକ ସ୍ଥିତି ନଥିଲା;ଥିଲା ସମଗ୍ର ଓଡ଼ିଶାର ତତ୍କାଳୀନ ସାମାଜିକ ଚିତ୍ର। ଏଭଳି ସାମାଜିକ ବ୍ୟବସ୍ଥାର ଜଡ ଖୋଜିବାକୁ ହେଲେ ଆମକୁ ଇତିହାସ ପୃଷ୍ଠା ଓଲଟାଇବାକୁ ପଡିବ….

ପଣ୍ଡିତ କୃପାସିନ୍ଧୁ ମିଶ୍ରଙ୍କର ଓଡ଼ିଶା ଇତିହାସରୁ ଆମ ପ୍ରଦେଶର ମୂଳ ଅଧିବାସୀ ମାନଙ୍କ ବିଷୟରେ ଅନେକ କଥା ଜାଣିହୁଏ।ସେ ଲେଖିଛନ୍ତି… ଆର୍ଯ୍ୟମାନେ ଆସିବା ପୂର୍ବରୁ ଉତ୍କଳ ବା କଳିଙ୍ଗ ଅନାର୍ଯ୍ୟ ମାନଙ୍କ ବାସଭୂମି ଥିଲା।ଆର୍ଯ୍ୟମାନେ ଏ ଦେଶକୁ ଆସିବାପରେ ଅନାର୍ଯ୍ୟମାନଙ୍କୁ ମାଳ ଜଙ୍ଗଲକୁ ତଡିଦେଇ ନିଜେ ଉର୍ବର ସମତଳ କ୍ଷେତ୍ରମାନ ଅଧିକାର କଲେ। କେତେକ ଅନାର୍ଯ୍ୟ ଆର୍ଯ୍ୟମାନଙ୍କର ଅଧୀନତା ସ୍ବୀକାର କରି ଭୃତ୍ୟ ରୂପେ ଆର୍ଯ୍ୟମାନଙ୍କ ସଙ୍ଗରେ ବାସ କଲେ। ଅଧିକାଂଶ ଅନାର୍ଯ୍ୟ ଆର୍ଯ୍ୟମାନଙ୍କର ଅଧୀନତା ସ୍ବୀକାର ନକରି ବର୍ତ୍ତମାନର ଗଡ଼ଜାତ ଅଞ୍ଚଳର ବଣ ପର୍ବତରେ ନିରାପଦରେ ରହିବା ଶ୍ରେୟ ମଣିଲେ। ଯେଉଁମାନେ ଆର୍ଯ୍ୟମାନଙ୍କ ଅଧୀନତା ସ୍ବୀକାର କଲେ ସେମାନଙ୍କ ମଧ୍ୟରେ କଣ୍ଡରା, ଡମ, ଚମାର, ପାଣ, ବାଉରୀ, ଶଉରା ଘୁସୁରିଆ,ମେହେନ୍ତର, ଭୂୟାଁ ଶଅର ପ୍ରଭୃତି ପ୍ରଧାନ।ଏମାନେ ଆର୍ଯ୍ୟ ସହବାସରେ ରହି କ୍ରମେ ଆର୍ଯ୍ୟ ସଭ୍ୟତା ଗ୍ରହଣ କଲେ। ହିନ୍ଦୁ ଦେବଦେବୀଙ୍କ ଠାରେ ଏମାନଙ୍କର ବିଶ୍ବାସ ଓ ଭକ୍ତି ଥାଏ ଏବଂ ହିନ୍ଦୁ ସାମାଜିକ ଓ ପାରିବାରିକ ଆଦର୍ଶରେ ଏମାନଙ୍କ ଜୀବନ ଗଢ଼ା। ପୌରୋହିତ୍ୟ ପ୍ରଥା ଏମାନଙ୍କ ଭିତରେ ଥିଲା। ଏପରିକି ମେହେନ୍ତର ପ୍ରଭୃତି ଜାତିମାନେ ଆପଣା ଭିତରେ କେତେକଙ୍କୁ ବ୍ରାହ୍ମଣ ବୋଲି ଧରି ସେମାନଙ୍କୁ ପଇତା ପିନ୍ଧାଇ ପୁରୋହିତ କାର୍ଯ୍ୟ କରାନ୍ତି।ପାଣ, କଣ୍ଡରା ପ୍ରଭୃତି ନିଜ ଜାତିର ବୈଷ୍ଣବଙ୍କ ମଧ୍ୟରୁ କାହାରି କାହାରି ଦ୍ବାରା ପୁରୋହିତ କାର୍ଯ୍ୟ କରାନ୍ତି। ଜଗନ୍ନାଥ ମନ୍ଦିରରେ ଏମାନେ ପଶି ନପାରିଲେ ସୁଦ୍ଧା ଏମାନେ ଜଗନ୍ନାଥ ଓ ଅନ୍ୟାନ୍ୟ ଦେବଦେବୀଙ୍କୁ ପୂଜା କରନ୍ତି।ଏମାନଙ୍କର ଜଗନ୍ନାଥ ଦର୍ଶନରେ ସୁବିଧା ସକାଶେ ପତିତପାବନଙ୍କ ମୂର୍ତ୍ତି ପୁରୀ ସିଂହଦ୍ବାରରେ ସ୍ଥାପିତ ହୋଇଛନ୍ତି।
ନିଜେ ଜଗନ୍ନାଥ ସ୍ନାନ ଯାତ୍ରା ଓ ରଥ ଯାତ୍ରା ବେଳେ ଏମାନଙ୍କୁ ଦର୍ଶନର ସୁବିଧା ଦିଅନ୍ତି।

ହାଡ଼ି ଓ ପାଣମାନେ ଏମାନଙ୍କ ମଧ୍ୟରେ ନିକୃଷ୍ଟ ଶ୍ରେଣୀ। ଏପରିକି କନ୍ଧମାନେ ପାଣ ମାନଙ୍କୁ ମେହେନ୍ତର କାମରେ ଖଟାନ୍ତି। ନରବଳି ଦେଉଥିବା ସମୟରେ କନ୍ଧମାନେ ପାଣ ପିଲାଟିଏ ଭୂମିମାତାଙ୍କୁ ନରବଳି ଦେଉଥିଲେ।ସମୁଦ୍ରକୂଳରେ ଯେଉଁ କେଉଟ ବା କୈବର୍ତ୍ତ ମାନେ ବସବାସ କରନ୍ତି ଆର୍ଯ୍ୟମାନେ ସେମାନଙ୍କୁ ମଧ୍ୟ ମ୍ଲେଚ୍ଛ ବୋଲି କହନ୍ତି; ଏବଂ ସେମାନେ ପ୍ରାଚୀନ ଅଧିବାସୀ ଥିଲେ।ମାତ୍ର କାଳକ୍ରମେ ଅନ୍ୟାନ୍ୟ ଅନାର୍ଯ୍ୟଙ୍କ ତୁଳନାରେ କେଉଟ ଓ ନୋଳିଆମାନେ ଉନ୍ନତ ହୋଇଥିଲେ।
ଆର୍ଯ୍ୟମାନଙ୍କ ପ୍ରଭାବରେ ଯେଉଁ ଅନାର୍ଯ୍ୟମାନେ ପାହାଡ଼ ପର୍ବତରେ ଯାଇ ବସବାସ କଲେ ସେମାନଙ୍କ ମଧ୍ୟରେ କୋହ୍ଲ,କନ୍ଧ,ସାନ୍ତାଳ, ଭୂୟାଁ,ଜୁଆଙ୍ଗ ଓ ମୁଣ୍ଡା ପ୍ରଭୃତି ଜାତିମାନେ ପ୍ରଧାନ। ଏମାନେ ଆଦିମ ଅବସ୍ଥାରେ ଉଲଗ୍ନ ହୋଇ ରହୁଥିଲେ; କ୍ରମେ କ୍ରମେ ଆର୍ଯ୍ୟ ପ୍ରଭାବରେ ଆସି ଲୁଗା ପିନ୍ଧିବା ଶିଖିଲେ।ଏବେମଧ୍ୟ (ଇତିହାସକାର କୃପାସିନ୍ଧୁ ମିଶ୍ରଙ୍କ ସମୟ) କେଉଁଝର, ଢେଙ୍କାନାଳ, ହିନ୍ଦୋଳ ପ୍ରଭୃତି ଅଞ୍ଚଳରେ ଜୁଆଙ୍ଗ ମାନେ ଲୁଗା ବ୍ୟବହାର କରିନାହାନ୍ତି।ଜଙ୍ଗଲର ଚେର,ମୂଳ ,ଫଳ ଓ ଶିକାର ମାଂସ ଅନେକ ଜାତିଙ୍କ ପ୍ରଧାନ ଖାଦ୍ୟ। ସାନ୍ତାଳ,କନ୍ଧ ଓ ଭୂୟାଁ ପ୍ରଭୃତି କିଛି ଜାତି କେତେ କାଳ ହେଲା କୃଷି କରୁଛନ୍ତି।”

ଓଡ଼ିଶାରେ ଜାତିବାଦର ଏ ଯେଉଁ ଇତିହାସର ଅବତାରଣା କରାଗଲା ଏହା ମୋର ବକ୍ତବ୍ୟ ନୁହେଁ;ପଣ୍ଡିତ କୃପାସିନ୍ଧୁ ମିଶ୍ର ମହୋଦୟଙ୍କର ଓଡ଼ିଶା ଇତିହାସରେ ଏହା ଉଲ୍ଲିଖିତ।ଆମ ପିଲାଦିନେ ଖଣ୍ଡପଡ଼ାରେ ଏହି ଜାତିବାଦ ଉତ୍କଟ ଥିଲା।ହରିଜନ ସାହିର ପିଲାଟିଏ ସ୍କୁଲରେ ପଢ଼ିବା ପ୍ରାୟ ଅସମ୍ଭବ ବ୍ୟାପାର ଥିଲା। ସାମାଜିକ ବାଛନ୍ଦ ସ୍ବତଃ କାମ କରୁଥିଲା। କେହି କହିବା ପୂର୍ବରୁ ହରିଜନ ପିଲାଟିଏ ଶ୍ରେଣୀ ଗୃହରେ ଗୋଟିଏ କୋଣ ବାଛି ନେଇ ଏକୁଟିଆ ବସୁଥିଲା।
କ୍ରମଶଃ…..

Click to rate this post!
[Total: 0 Average: 0]

Leave a Reply