Wednesday, February 21, 2024
Stories

ଆମ ଗାଁ ଆମ ଘର (୩୮)

ଆମ ଗାଁ ଆମ ଘର
୩୮
===============================
ଦଳିତର ଠାକୁର ଲଳିତ ମାଧବ
===============================
ଭୁବନେଶ୍ୱର ଠାରୁ ସିନା ୭୫ କିଲୋମିଟର ଦୂର, କିନ୍ତୁ ଆମ ଗାଁ ଖଣ୍ଡପଡ଼ା ଠାରୁ ଅନତି ଦୂରରେ(ପ୍ରାୟ ୧୨/୧୩ କିଲୋମିଟର) ଏବଂ ନୀଳମାଧବ ପୀଠ କଣ୍ଟିଲୋ ଠାରୁ ମାତ୍ର ୩ କିଲୋମିଟର ଦୂରରେ,ଧାନଚେଙ୍ଗେଡାର ଧାଙ୍ଗେଡି ପାହାଡ଼ ଉପରେ ଲଳିତ ମାଧବ ମନ୍ଦିର ଠିଆ ହୋଇଛି। ନୀଳମାଧବ ସମ୍ବନ୍ଧୀୟ ଅନେକ କିମ୍ବଦନ୍ତୀ ଏଠାରେ ମନ୍ଦିର ପରିସରରେ ନିରବ ମୂର୍ତ୍ତିଟିମାନ ହୋଇ ଠିଆ ହୋଇଛନ୍ତି।ଧାଙ୍ଗଡି ପାହାଡ଼ ଉପରୁ ଅଦୂରରେ ଦେଖାଯାଉଛି ମହାବେଗା ମହାନଦୀର ନୀଳ ଜଳବେଣୀ। ପ୍ରକୃତି ଏଠି ଅତିସୁନ୍ଦରୀ ଅପ୍’ସରା ଠାରୁ ମଧ୍ୟ ସୁନ୍ଦରତମ।ଏଠି କ୍ଷଣେ ଠିଆ ହେଲେ ଅକବି କବି ପାଲଟିଥାଏ,ଅପ୍ରେମିକ ପ୍ରେମିକ ହୋଇଯାଏ ଏବଂ ସଂସାରୀ ପାଲଟିଯାଏ ଋଷି ଓ ଦାର୍ଶନିକ।ପ୍ରକୃତିର ଏପରି ପ୍ରାଣପ୍ରାଚୁର୍ଯ୍ୟ ଅବର୍ଣ୍ଣନୀୟ। ପୃଥିବୀର କୌଣସି ଚିତ୍ରଶିଳ୍ପୀ ଧାଙ୍ଗଡି ପାହାଡ଼ ଉପରୁ ଦେଖାଯାଉଥିବା ପ୍ରାକୃତିକ ସୌନ୍ଦର୍ଯ୍ୟକୁ କାନଭାସରେ ରୂପରେଖ ଦେଇ ପାରିବ ନାହିଁ ,କାରଣ ତାହା ସ୍ବୟଂ ବିଶ୍ବକଳାକାର ନୀଳମାଧବଙ୍କ ହସ୍ତାଙ୍କିତ ଶ୍ରେଷ୍ଠ କଳାକୃତି;ନିଜ ଆଦିସ୍ଥଳକୁ ଜଗନ୍ନାଥ ଅତି ସୁନ୍ଦର କରି ଗଢ଼ିବା ତ ସ୍ବଭାବିକ।

ଆଜି ଧାଙ୍ଗଡି ପର୍ବତ ଉପରେ ଯେଉଁ ଭବ୍ୟ “ଲଳିତ ମାଧବ” ମନ୍ଦିରଟି ସବୁ ଆଧ୍ୟାତ୍ମିକ ଚେତନାର ରଙ୍ଗ ମାଖିହୋଇ ଧ୍ୟାନରତ ନିରିହ ମୁନିଟିଏ ଭଳି ଠିଆ ହୋଇଛି, ସେଠାରେ ପୁରାଣ ପ୍ରସିଦ୍ଧ ବିଶ୍ଵାବସୁଙ୍କର “ବ୍ୟାଘ୍ର ଗୁମ୍ଫା” ଥିଲା ବୋଲି ମନ୍ଦିରର ପ୍ରତିଷ୍ଠାତା ଶ୍ରୀଯୁକ୍ତ ଦେବରାଜ ଜେନା ଏବଂ ସେଠାରେ ଗତ ଏଗାର ବର୍ଷଧରି ଦେବାର୍ଚ୍ଚନା କରୁଥିବା ପୂଜାରୀଙ୍କଠାରୁ ଶୁଣିବାକୁ ମିଳେ। ଏହିଠାରେ ହିଁ ଲୋକ ଲୋଚନ ଅନ୍ତରାଳରେ ଶବର ରାଜ ବିଶ୍ଵାବସୁ ନୀଳମାଧବଙ୍କୁ ଫଳମୂଳ ଦେଇ ପୂଜା କରୁଥିଲା। ଏହାଠାରୁ ଅଳ୍ପଦୂରରେ ଥିବା ଶବରପଲ୍ଲୀ ବା କାଳିଆ ପଲ୍ଲୀରେ ରହୁଥିବା ଶବର ରାଜାଙ୍କ କନ୍ୟା ଲଳିତାଙ୍କର ଭେଟ ହୋଇଥିଲା ଇନ୍ଦ୍ରଦ୍ୟୁମ୍ନଙ୍କ ବ୍ରାହ୍ମଣ ଦୂତ ବିଦ୍ୟାପତିଙ୍କ ସହିତ।

ନୀଳମାଧବଙ୍କ ସନ୍ଧାନରେ ବୁଲିବୁଲି ବିଦ୍ୟାପତିଙ୍କ ତଣ୍ଟି ଶୁଖି ଯାଉଥିଲା।ପାଖରେ ପାଣିକଳସୀ ଧରି ଚାଲିଯାଉଥିବା ଲଳିତାଙ୍କୁ ବିଦ୍ୟାପତି କହିଲେ.. ମୋତେ ଆଞ୍ଜୁଳାଏ ପାଣି ଦେଇ ମୋର ତୃଷା ଦୂରକର ସୁଶୀଳେ !” ଲଳିତା କହିଥିଲେ.. ମୁଁ ଶବର କନ୍ୟା;ମୋ ହାତରୁ ଆପଣ ଜଳଗ୍ରହଣ କରିବେ କିପରି ? ବିଦ୍ୟାପତି କହିଥିଲେ..କ୍ଷୁଧାର୍ତ୍ତ ଓ ତୃଷାର୍ତ୍ତ ପାଇଁ ଏ ସାମାଜିକ ନିୟମ ଲାଗୁ ହୁଏ ନାହିଁ; ମୁଁ ତୃଷା ତୁମେ ଜଳ।ଆଉ ବିଳମ୍ବ କରନାହିଁ।ପ୍ରାଣ ମୋର କଣ୍ଠାଗ୍ରତ।”

ଜଳ ଗ୍ରହଣ କରିସାରିବା ପରେ ଲଳିତା ବିଦ୍ୟାପତିଙ୍କ କନ୍ଦର୍ପ ବିନିନ୍ଦିତ ରୂପରେ ବିମୁଗ୍ଧା।ରାଜକନ୍ୟାଙ୍କ ଦାସୀମାନେ ଜେମାଙ୍କ ମନକଥା ଜାଣି ପାରିଲେ। ସେମାନେ ବିଦ୍ୟାପତିଙ୍କୁ କହିଲେ..ଆମ ରାଜକନ୍ୟାଙ୍କ ଠାରୁ ପାଣି ଗ୍ରହଣ କରିଛ,ଏବେ ତାଙ୍କ ପାଣିଗ୍ରହଣ କର।” ସରଳ ସୁନ୍ଦରତାର ଲାବଣ୍ୟ ପ୍ରତିମା ଥିଲେ ଲଳିତା। ବିଦ୍ୟାପତି ତାଙ୍କ ପ୍ରେମରେ ପଡିଗଲେ।ପିତା ବିଶ୍ଵାବସୁ ଅଳିଅଳି କନ୍ୟାର ମନ ଭାଙ୍ଗି ପାରିଲେ ନାହିଁ।ଦୁଇଜଣଙ୍କର ବିବାହ କରାଇ ଦେଲେ।

ଲଳିତ ମାଧବ ମନ୍ଦିର ପ୍ରାଙ୍ଗଣରେ ସ୍ଥାପିତ ମୂର୍ତ୍ତି ମାନଙ୍କ ମାଧ୍ୟମରେ ଏହି ସନ୍ଦେଶ ମିଳେ। ଏଠାରେ ଲଳିତା ଜଳକୁମ୍ଭ ଧରି ଠିଆ ହୋଇଛନ୍ତି,ଆଗରେ ତଳେ ବସିପଡ଼ି ଆଞ୍ଜୁଳାପାତି ଜଳ ମାଗୁଛନ୍ତି ବିଦ୍ୟାପତି;ଅଦୂରରେ ଦଣ୍ଡାୟମାନ ଶବର ରାଜ ବିଶ୍ଵାବସୁ।ନିରିହ ଆଦିବାସୀଙ୍କ ବିଶ୍ବାସକୁ ଏଠାରେ ଆମେ ବିଶ୍ଵାବସୁ ରୂପରେ ଦେଖିବାକୁ ପାଉଁ।ନିଭୃତ ବ୍ୟାଘ୍ରଗୁମ୍ଫା ଭିତରେ ପୂଜା ଶେଷକରି ଫେରିଥିବା ବିଶ୍ଵାବସୁଙ୍କ ହାତରେ ତୁଳସୀ ବାସ୍ନାରେ ମହମହ ପ୍ରଭୁ ନୀଳମାଧବଙ୍କ ପ୍ରସାଦ।ସେ ପ୍ରସାଦ ପାଇବା ପରେ ବିଦ୍ୟାପତିଙ୍କର ସନ୍ଦେହ ରହିଲା ନାହିଁ ଯେ ଇନ୍ଦ୍ରଦ୍ୟୁମ୍ନଙ୍କ ଆଗରେ ନାରଦମୁନି ଯେଉଁ ନୀଳମାଧବଙ୍କ କଥା କହୁଥିଲେ ତାଙ୍କ ଠିକଣା ସ୍ଥାନରେ ସେ ପହଞ୍ଚି ସାରିଛନ୍ତି।ଲଳିତାଙ୍କୁ ବିଦ୍ୟାପତି ଅନୁରୋଧ କରିଛନ୍ତି…ପ୍ରିୟେ ! ମୋତେ ଥରେ ମାତ୍ର ନୀଳମାଧବଙ୍କ ଦର୍ଶନ କରାଇଦିଅ।”ଲଳିତା କହିଛନ୍ତି..କନ୍ୟା ହୋଇ ଆଜି ପର୍ଯ୍ୟନ୍ତ ପିତା ମୋତେ ମାଧବଙ୍କ ଦର୍ଶନ କରାଇ ନାହାଁନ୍ତି;ତାଙ୍କର ବିଶ୍ବାସ ଯେ ମାଧବଙ୍କ ସନ୍ଧାନ ଲୋକଲୋଚନକୁ ଆସିଲେ ସେ ସେଠାରୁ ଅନ୍ତର୍ଦ୍ଧାନ ହୋଇଯିବେ।”

କିନ୍ତୁ ପ୍ରିୟତମଙ୍କ ଜିଦ୍ ଆଗରେ ହାର ମାନିଛନ୍ତି ଲଳିତା ଏବଂ ଅଲିଅଳି କନ୍ୟାର ଅନୁରୋଧ ଆଗରେ ବିଶ୍ଵାବସୁ। ଅନ୍ଧପୁଟୁଳି ବାନ୍ଧି ଶବରରାଜ ବିଶ୍ଵାବସୁ ବିଦ୍ୟାପତିଙ୍କୁ ମାଧବଙ୍କ ଦର୍ଶନ କରାଇବା ପାଇଁ ବ୍ୟାଘ୍ର ଗୁମ୍ଫାକୁ ନେଇଛନ୍ତି। ବୁଦ୍ଧିମାନ ବିଦ୍ୟାପତି ଅଣ୍ଟିରେ ମୁଠାଏ ସୋରିଷ ଧରି ଯିବା ବାଟରେ ସନ୍ତର୍ପଣରେ ବୁଣି ବୁଣି ଯାଇଛନ୍ତି।ଆଷାଢ଼ର ପ୍ରଥମ ବାରିଧାରା ପରେ ସୋରିଷ ଗୁଡ଼ିକ ଗଜା ହୋଇଛି ଏବଂ ତା’ର ଅନୁସରଣ କରି ବିଦ୍ୟାପତି ନୀଳମାଧବଙ୍କ ସନ୍ଧାନ ପାଇଛନ୍ତି ଏବଂ ଇନ୍ଦ୍ରଦ୍ୟୁମ୍ନଙ୍କୁ ଜଣାଇଛନ୍ତି।

ଏହା କିମ୍ବଦନ୍ତୀର କାହାଣୀ ଏବଂ ଲଳିତ ମାଧବ ପୀଠରେ ପୂଜାରୀଠାରୁ ଆରମ୍ଭକରି ଗ୍ରାମବାସୀ,ସମସ୍ତଙ୍କ ମୁହଁରେ ଏଇ କଥା ଆମେ ଶୁଣିବାକୁ ପାଉ। ଏଠାରେ ବ୍ୟାଘ୍ର ଗୁମ୍ଫା ଥିଲା ବୋଲି ପ୍ରମାଣ ଦେବାକୁ ଯାଇ ମନ୍ଦିରର ପ୍ରତିଷ୍ଠାତା ଶ୍ରୀଯୁକ୍ତ ଦେବରାଜ ଜେନା କହନ୍ତି ଯେ ପାହାଡ଼ ତଳେ ବିଶ୍ଵାବସୁଙ୍କ ବସତି ଥିଲା; ପ୍ରତ୍ନତତ୍ତ୍ଵ ବିଭାଗ ଦ୍ବାରା ଧାନଚେଙ୍ଗେଡା ଅଞ୍ଚଳରେ ଖନନ ପରେ ଅନେକ ମୂର୍ତ୍ତି, ଶାଳଗ୍ରାମ ଏବଂ ପଥରର ନିତ୍ୟ ବ୍ୟବହାର୍ଯ୍ୟ ପଦାର୍ଥ ମିଳିଛି।ମାଧବଙ୍କର ଛୋଟ ମୂର୍ତ୍ତିଟିଏ ମଧ୍ୟ ମାଟିତଳୁ ମିଳିଛି। ସେହି ମୂର୍ତ୍ତିଟି ଏବେ ମନ୍ଦିର ଭିତରେ ପୂଜା ପାଉଛନ୍ତି।ତାଙ୍କ ପାଖକୁ ଲାଗି ନୀଳମାଧବଙ୍କର ଯେଉଁ ବଡ ମୂର୍ତ୍ତିଟି ପୂଜା ପାଉଛନ୍ତି ତାହା ୨୮୦୦୦ ଟଙ୍କା ବିନିମୟରେ ଭୁବନେଶ୍ୱରଠାରୁ କ୍ରୟ କରାଯାଇଛି। ଏହି ମୂର୍ତ୍ତିଟିର ଇତିହାସ ମଧ୍ୟ ଭାରି ରୋଚକ।ଅଜ୍ଞାତ କାରଣରୁ ମୂର୍ତ୍ତିକାରଙ୍କ ପାଖରେ ସେହି ମୂର୍ତ୍ତିଟି ଦୀର୍ଘ ନଅବର୍ଷ ଧରି ଖରା ପାଣି ଖାଇ ପଡ଼ିଥିଲା। ମୂର୍ତ୍ତି ବରାଦ ଦେଇଥିବା ଜନୈକ କଟକ ବାସିନ୍ଦା ତାହା ନେବାପାଇଁ ଆସିଲେ ନାହିଁ। ତାହା ବୋଧହୁଏ ନୀଳମାଧବଙ୍କ ଇଚ୍ଛା ଥିଲା।ସେ ଆଜି ଲଳିତ ମାଧବ ମନ୍ଦିରରେ ପୂଜା ପାଉଛନ୍ତି।କି ସୁନ୍ଦର ସେ ମୂର୍ତ୍ତି ! ଦେଖିଲେ ଆଖି ଲାଖିଯାଏ।

ଏଠାରେ ସବୁ କିଛି ସୁନ୍ଦର। ମହାନଦୀ,କୁସୁମୀ ଏବଂ କୁମାରିକା(କୁଆଁରୀଆ) ନଦୀର ସଙ୍ଗମ ସ୍ଥଳରେ ଅବସ୍ଥିତ ଏହି ସ୍ଥାନକୁ ଲୋକେ ଦ୍ବିତୀୟ ପ୍ରୟାଗ ବୋଲି କହନ୍ତି।ମାଘ ତ୍ରୟୋଦଶୀରେ ଏଠାରେ ମାଧବଙ୍କର ଜନ୍ମଦିବସ ପାଳନ କରାଯାଏ। ଏଠାରେ ପ୍ରତିବର୍ଷ ଧନୁସଂକ୍ରାନ୍ତି ମଧ୍ୟ ଜାକଜମକରେ ପାଳନ କରାଯାଏ। ଗୀତାଯଜ୍ଞା ମଧ୍ୟ ଅନୁଷ୍ଠିତ ହୁଏ।ପାହାଡ଼ ଉପରେ ଗୋଟିଏ ମିନାର୍ ବା ଭିଉ ପଏଣ୍ଟ୍ ନିର୍ମିତ ହୋଇଛି।ତା ଉପରୁ କୁସୁମୀ ମହାନଦୀ ଓ କୁଆଁରୀଆ ଉପତ୍ୟକାର ନିସର୍ଗ ପ୍ରାକୃତିକ ସୁନ୍ଦର ଆଖି ମନଭରି ଉପଭୋଗ କରେ। ;ଏଠାରୁ ମହାନଦୀର ଅପର ପାର୍ଶ୍ୱରେ ପ୍ରତିଷ୍ଠିତା ମା ଭଟ୍ଟାରିକାଙ୍କ ମନ୍ଦିର ମଧ୍ୟ ଦୃଶ୍ୟମାନ ହୁଏ।

ଲଳିତମାଧବ ମନ୍ଦିରଟି ପୁରାତନ ନୁହେଁ।ମାତ୍ର ୨୫ ବର୍ଷ ଧରି ଏଠାରେ ଦଣ୍ଡାୟମାନ। ମନ୍ଦିରର ପ୍ରତିଷ୍ଠାତା ଶ୍ରୀଯୁକ୍ତ ଦେବରାଜ ଜେନା ପେଶାରେ ଜଣେ ଶିକ୍ଷକ ଥିଲେ।୧୯୭୨-୭୩ ମସିହାରେ ମାତ୍ର ୧୫୮ ଟଙ୍କା ଦରମା ପାଉଥିଲେ। ଦିନେ ତାଙ୍କୁ ସ୍ବପ୍ନାଦେଶ ହେଲା ଧାଙ୍ଗଡି ପାହାଡ଼ ଉପରେ ଲଳିତ ମାଧବଙ୍କ ମନ୍ଦିର ତୋଳାଇ ତାଙ୍କୁ ପୂଜା କରିବାପାଇଁ।ନିଜର ସ୍ୱଳ୍ପ ବେତନ ସହିତ ଦାନରେ ପ୍ରାପ୍ତ ଅର୍ଥ ମିଶାଇ ସେ ଏହି ମନ୍ଦିରଟି ନିର୍ମାଣ କରିଥିଲେ।ପରେ ଏକ ପରିଚାଳନା କମିଟିକୁ ସେ ଦାୟିତ୍ଵ ହସ୍ତାନ୍ତର କରି ଦେଇଛନ୍ତି।

ବିଦ୍ୟାପତି ଓ ଲଳିତା କାହାଣୀ କେବଳ କିମ୍ବଦନ୍ତୀ ଉପରେ ଆଧାରିତ।ସ୍କନ୍ଦ ପୁରାଣରେ ଏଭଳି ପ୍ରେମକାହାଣୀ ବର୍ଣ୍ଣନାର ବିନ୍ଦୁ ବିସର୍ଗ ମଧ୍ୟ ନାହିଁ।ସ୍କନ୍ଦ ପୁରାଣରେ ବର୍ଣ୍ଣିତ ନୀଳପର୍ବତ ପୁରସ୍ତମର ନୀଳଗିରି ପ୍ରତି ଦୃଷ୍ଟି ଆକର୍ଷଣ କରେ, ଯେଉଁଠାରେ ନୀଳାଦ୍ରି ବିହାରୀ ପ୍ରଭୁ ଜଗନ୍ନାଥ ବିରାଜିତ।କଣ୍ଟିଲୋବାସୀ କହନ୍ତି ଯେ ମହାନଦୀ କୂଳରେ ବ୍ରହ୍ମାଦ୍ରି ଉପରେ ସ୍ଥିତ ପ୍ରଭୁ ନୀଳମାଧବଙ୍କ ପୀଠ ହିଁ ଜଗନ୍ନାଥଙ୍କୟ ଆଦିକ୍ଷେତ୍ର ଏବଂ ସେହିଠାରେ ରହିଥିଲା ବିଶ୍ଵାବସୁଙ୍କ ବ୍ୟାଘ୍ର ଗୁମ୍ଫା। ଧାନଚେଙ୍ଗେଡାବାସୀ ଦୃଢ଼ ମତ ପୋଷଣ କରନ୍ତି ଯେ ଲଳିତ ମାଧବ ପୀଠ ହିଁ ବିଶ୍ଵାବସୁଙ୍କ ବ୍ୟାଘ୍ର ଗୁମ୍ଫା ମତ ଯାହା ହେଉନା କାହିଁକି, ବିଶ୍ବାସ ହିଁ ମୂଳ। ବିଶ୍ୱାସେ ମିଳନ୍ତି ହରି ତର୍କେ ବହୁଦୂରେ।

ଆମ ଗାଁଠାରୁ ଏତେ ନିକଟରେ ଥିବା ଲଳିତ ମାଧବ ପୀଠ ଦିନେ ନିଶ୍ଚିତ ଭାବରେ ଏକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀରେ ପରିଣତ ହେବ, ସନ୍ଦେହ ନାହିଁ।

କ୍ରମଶଃ….
(କୁଳମଣି ଷଡଙ୍ଗୀ)

Click to rate this post!
[Total: 0 Average: 0]

Leave a Reply