Thursday, July 25, 2024
Stories

ଆମ ଗାଁ ଆମ ଘର (୩୫)

ଆମ ଗାଁ ଆମ ଘର
୩୫
=================================
ଖଣ୍ଡପଡ଼ାରେ ଉତ୍କଳଘଣ୍ଟ
==================================
ଇଟାମାଟିଆ ଉତ୍କଳଘଣ୍ଟଙ୍କୁ ନଜାଣେ କିଏ।ମହାପାତ୍ରଙ୍କୁ ଗଡଜାତିଆ ରାଜା ମହାରାଜାମାନେ ଯେତିକି ଭଲ ପାଉଥିଲେ ସେତିକି ଭୟ ଓ ଭକ୍ତି କରୁଥିଲେ। ଯଦୁମଣି ମହାପାତ୍ରେ ନିଆଁଖୁଣ୍ଟା ଭଳି କାହାକୁ କେତେବେଳେ ଚେଙ୍ଗିଦେବେ କିଏ ଜାଣେ ?ନୟାଗଡ଼ର ରାଜା ବିନାୟକ ସିଂହ ମାନଧାତାଙ୍କ ଅମଳରେ ତାଙ୍କର ପ୍ରସିଦ୍ଧି ବହୁତ ବଢ଼ିଯାଇଥିଲା।ତାଙ୍କୁ ହାସ୍ୟକବି,ଆଶୁକବି,ତୁରନ୍ତ କବି, ରୀତି କବି, ଯାହା କହନ୍ତୁ ନା କାହିଁକି, “ଛାଞ୍ଚ ଯେମିତି ମୂର୍ତ୍ତି ସେମିତି” ନ୍ୟାୟରେ ସେ ଉତୁରିଛନ୍ତି।

୧୭୮୧ ମସିହା ଜାନୁଆରୀ ୮ ତାରିଖରେ ଆଠଗଡ (ଘୁମୁସର) ପାଟଣା ଗାଁର ଗୋଟି ଖଡିକା ସାହିରେ ସେ ଜନ୍ମ ହୋଇଥିଲେ ଏବଂ ୧୮୬୬ ମସିହା ଜୁଲାଇ ୨ ତାରିଖରେ ତାଙ୍କର ମହାପ୍ରୟାଣ ହୋଇଥିଲା। ନୟାଗଡ଼ର ଇଟାମାଟିକୁ କର୍ମଭୂମି ଭାବେ ସେ ବରିନେଇଥିଲେ।ବଢେଇ ଘରର ପୁଅ ବାରିଶି ପଟାଳି ଛାଡି କଲମଚାଷ କରି ଉତ୍କଳ ଘଣ୍ଟ ବୋଲେଇବା କିଛି କମ୍ କଥାନୁହେଁ।ଦୁଇ ଘୁମୁସରିଆ,କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଏବଂ ଉତ୍କଳଘଣ୍ଟ ଯଦୁମଣି ନୟାଗଡ଼ ମାଟିକୁ ସାରସ୍ଵତ ସାଧନାରେ ପବିତ୍ର କରି ଯାଇଛନ୍ତି।

ଘୁମୁସରିଆ ବଢେଇ ଯଦୁମଣି ହୟଗ୍ରୀବ ବିଷ୍ଣୁଙ୍କର ପରମ ଭକ୍ତ ଥିଲେ। ଯଦୁମଣିଙ୍କ ହୟଗ୍ରୀବ ପୂଜା ବିଷୟରେ ଡଃ ଉଦ୍ଧବ ଚରଣ ନାୟକ ଗୋଟିଏ ମଜା କଥା ଲେଖିଛନ୍ତି… ଯଦୁମଣିଙ୍କ ପୂଜାରେ ସନ୍ତୁଷ୍ଟ ହୋଇ ହୟଗ୍ରୀବ ବିଷ୍ଣୁ ଥରେ ତାଙ୍କ ଆଗରେ ଶଙ୍ଖ, ଚକ୍ର ଗଦା, ପଦ୍ମ ଧରି ପୂର୍ଣ୍ଣାଙ୍ଗ ରୂପରେ ଉଭାହେଲେ। ଯଦୁମଣି ଚିରାଚରିତ ବ୍ୟଙ୍ଗାତ୍ମକ ଠାଣିରେ ପଚାରିଲେ…ପ୍ରଭୁ ! ଆପଣଙ୍କ ଚାରି ହାତରେ ଶଙ୍ଖ ଚକ୍ର ଗଦା ପଦ୍ମ ରହିଛି;ନାକ କିନ୍ତୁ ସବୁବେଳେ ସଡ ସଡ ହେଉଛି।ଆପଣ କେଉଁ ହାତରେ ସିଂଘାଣି ପୋଷୁଛନ୍ତି ?”
ବିଷ୍ଣୁ ହସ ରୋକି ପାରିଲେ ନାହିଁ, କହିଲେ..ତୋର ପରିହାସପୂର୍ଣ୍ଣ କଥା ଶୁଣି ମୋ ବାମ ପାଖରେ ଥିବା ଲକ୍ଷ୍ମୀ ସ୍ଥାନ ତ୍ୟାଗକରି ପଳାୟନ କଲେଣି। କିନ୍ତୁ ସରସ୍ବତୀ ଅଛନ୍ତି।ସେ ତୋତେ ବରଦାୟିନୀ ହେବେ ଏବଂ ତୁ ମହାନ ପଣ୍ଡିତ ଓ ଉପସ୍ଥିତବୁଦ୍ଧି ସମ୍ପନ୍ନ ବ୍ୟକ୍ତି ଭାବରେ ପୂଜା ପାଇବୁ।”

ଏହିପରି ବିଭୂଦତ୍ତ ଥିଲା ଯଦୁମଣିଙ୍କ ପ୍ରତ୍ୟୁତ୍ପନ୍ନମତିସମ୍ପନ୍ନ କବି ପ୍ରତିଭା।ଥରେ ପୁରସ୍ତମରେ ଜଗନ୍ନାଥ ରାୟଗୁରୁ ନାମକ ଜଣେ ପଣ୍ଡିତ ତାଙ୍କୁ କହିଲେ..ମହାପାତ୍ରେ, ଗଜପତି ମହାରାଜା ଗୁଣୀଜନ ମାନଙ୍କୁ ଉପାଧି ପ୍ରଦାନ କରୁଛନ୍ତି।ତୁମେ ତୁମର ପ୍ରତିଭା ପ୍ରଦର୍ଶନ କରି ତାଙ୍କଠାରୁ ଉପାଧି ଟିଏ ଗ୍ରହଣ କର। ଯଦୁମଣି କହିଲେ..
“ହୟଗ୍ରୀବ ମହାପ୍ରଭୁ ପ୍ରତାପେ/ ଥୋଡ଼ା ନୁହେଁ ଲୋଡା କରନ୍ତି ନୃପେ।/ଯୋଡା ହେବ ମୋ ପ୍ରୋଢା କବିତାକୁ/ବଳି ବଳି ରସଦାନୀ କର୍ଣ୍ଣକୁ/ଭଲେ ଭଲ ଖଣ୍ଟେ ଖଣ୍ଟ ଯେ/
ନବଦୁର୍ବାଦଳ ଶ୍ୟାମଳ କୃପାରୁ ମୋ ନାମ ଉତ୍କଳ ଘଣ୍ଟ ଯେ।”

ଉତ୍କଳଘଣ୍ଟ ଯଦୁମଣି ତାଙ୍କ ଜୀବନ କାଳ ଭିତରେ ଅନେକ ଗଡ଼ଜାତ ରାଜଦରବାରରେ ନିଜର ପ୍ରତିଭା ପ୍ରଦର୍ଶନ କରି ପୁରସ୍କୃତ ହୋଇଛନ୍ତି।ଥରେ ଖଣ୍ଡପଡ଼ା ରାଜା କୃଷ୍ଣଚନ୍ଦ୍ର ସିଂହ ମର୍ଦ୍ଦରାଜଙ୍କ ରାଜୁତି ସମୟରେ (୧୮୧୭ ରୁ ୧୮୩୭ ମସିହା) ସେ ଖଣ୍ଡପଡ଼ା ଆସିଥାନ୍ତି। ଖଣ୍ଡପଡ଼ାର ରଘୁନାଥ ଜୀଉଙ୍କ ମନ୍ଦିର ପରିସର ଭିତରେ ରାଜା କୃଷ୍ଣଚନ୍ଦ୍ର , ଜଗନ୍ନାଥ,ବଳଭଦ୍ର ଓ ସୁଭଦ୍ରାଙ୍କ ତ୍ରିମୂର୍ତ୍ତି ସ୍ଥାପନ କରି ପୂଜାର୍ଚ୍ଚନା ଆରମ୍ଭ କରିଥିଲେ। ଏହି ତ୍ରିମୂର୍ତ୍ତି “ମହିମାମେରୁ” ନାମରେ ଖ୍ୟାତ। ମହିମାମେରୁଙ୍କର ପ୍ରତିଷ୍ଠା ଦିନରେ ଯଦୁମଣି ମନ୍ଦିର ପ୍ରାଙ୍ଗଣରେ ଉପସ୍ଥିତ ଥିଲେ। ମହିମାମେରୁଙ୍କ ପୂଜାରେ ଲାଗି ହୋଇଥିବା “ବଲ୍ଲଭ ମୁଆଁ” ଭୋଗକୁ ଦେଖି ଯଦୁମଣିଙ୍କ ପାଟିରୁ ଯେଉଁ ଆଶୁ କବିତା ବାହାରି ପଡ଼ିଲା ତାହା ଏବେ ଓଡ଼ିଶାରେ ଘରେ ଘରେ ଲୋକ ମୁଖରୁ ଶୁଣିବାକୁ ମିଳେ…
“ମହିମା ମେରୁଙ୍କ ମହିମା ଦେଖ,
ଲିଆକୁ ଲିଆ ହୋଇଅଛି ଯୋଖ।”
ମୁଆଁ ଅନେକ ପ୍ରକାରର ଥାଏ,ମୁଢିମୁଆଁ,ଚୁଡାମୁଆଁ,ଲିଆ ମୁଆଁ ଇତ୍ୟାଦି। ଯେଉଁ ଲିଆ ମୁଆଁକୁ ଦେଖି ଉତ୍କଳଘଣ୍ଟ ଶ୍ଳେଷ କବିତା ଗାଇଛନ୍ତି ତାହା ଅଳ୍ପ ଗୁଡ଼ ପଡ଼ିଥିବାରୁ ନିଶ୍ଚିତ ଭାବରେ ଧଳା ଦେଖା ଯାଉଥିଲା। ଯଦୁମଣିଙ୍କ କହିବା କଥା ଥିଲା ଏତେ ଅଳ୍ପ ଗୁଡ଼ ପଡ଼ି ମଧ୍ୟ ମହିମା ମେରୁଙ୍କ କୃପାରୁ ଲିଆ ସହିତ ଲିଆ ଲାଗିରହିଛି।ଧୂପ ପାଇଁ ମୁଆଁ ପ୍ରସ୍ତୁତ କରିଥିବା ପୂଜାରୀର ମରମକୁ ଠିକ୍ ବାଜିଥିବ ଏହି ଶ୍ଲେଷ କଥା ପଦିକ।

୧୮ ୩୭ ମସିହାରେ ରାଜା କୃଷ୍ଣଚନ୍ଦ୍ର ଅକାଳରେ ପ୍ରାଣତ୍ୟାଗ କଲେ।ତିନି ରାଣୀ ମଧ୍ୟରୁ କନିଆଁ ମଣିମା(ସାନ ରାଣୀ) ଓ ପାରିଛା ମଣିମା(ମଝିଆଁ ରାଣୀ) ରାଜାଙ୍କ ଚିତାରେ ସତୀ ହୋଇଥିଲେ।ଏ ଘଟଣା ସେ ସମୟରେ ଚହଳ ପକେଇ ଦେଇଥିଲା,କାରଣ ୧୮୨୯ ମସିହାରୁ ସତୀଦାହ ପ୍ରଥା ଲର୍ଡ ଉଇଲିୟମ ବେଣ୍ଟିକଙ୍କ ଦ୍ବାରା ସମ୍ପୂର୍ଣ୍ଣ ଉଚ୍ଛେଦ କରାଯାଇଥିଲା।ଦୁଇ ରାଣୀଙ୍କର ସତୀ ହେବା ପଛରେ କାହାର ହାତ ଥିଲା ବୋଲି ବ୍ରିଟିଶ ସରକାରଙ୍କ ଦ୍ବାରା ଖୋଳତାଡ଼ ହେଲା। ଏଥିରେ ରାଜପରିବାରର କୌଣସି ବ୍ୟକ୍ତି ଦୋଷୀ ସାବ୍ୟସ୍ତ ହୋଇନଥଲେ ଏବଂ ସନ୍ଦେହର ଛୁଞ୍ଚି ଦିବଙ୍ଗତ ରାଜାଙ୍କ ଫୁଲ ବିବାହୀ ପୋଇଲି ‘ଡମୀ ସିଂହାରୀ’ ଓ ରାଜାଙ୍କ ବିଶ୍ବସ୍ତ ପାଖଲୋକ ମନ୍ଦର ବେବର୍ତ୍ତାଙ୍କ ଆଡ଼କୁ ଢଳିଲା। ସେମାନେ ଦୈଷୀ ସାବ୍ୟସ୍ତ ହୋଇ ଦଣ୍ଡ ଭୋଗକଲେ। ଏହି ମନ୍ଦର ବେବର୍ତ୍ତା ଓ ଡମୀ ସିହାରୀଙ୍କ ପ୍ରତିପତ୍ତି ଏପରି ଥିଲା ଯେ ପ୍ରଜାମାନଙ୍କ ଭିତରେ ଏକ ଠଗ ପ୍ରଚଳିତ ଥିଲା …
“ମନ୍ଦର ବେବର୍ତ୍ତା ଡମୀ ସିଂହାରୀ,
ମାରିଲେ ନଥାଏ ହାରିଗୁହାରି।”
ରାଜ ଦରବାରକୁ ଆସିବା ସମୟରେ ଯଦୁମଣିଙ୍କୁ ମଧ୍ୟ ମନ୍ଦର ବେବର୍ତ୍ତା ହେୟଜ୍ଞାନ କରୁଥିଲେ ତଥା ଭଲ ବ୍ୟବହାର କରୁନଥିଲେ। ଏପରି ଉଦ୍ଧତପଣିଆ ଦେଖି ଯଦୁମଣିଙ୍କ ପାଟିରୁ ଉତୁରି ପଡ଼ିଥିଲା..
“ହାଡୁ ପାତ୍ର ପୁଅ ରୀତି ଏସନ,
ଗାଡୁ ପାତ୍ରେ ନମିଳଇ ବାସନ,
ନାଡୁଛି କର୍ଣ୍ଣରେ ଗଛ ମୁକୁତା,
ତାଡୁଛି ହାତରେ ଶମ୍ଭୁ ଦେବତା,
ପାଡୁଛି ପାଟରେ,
ଜରି ଜୋତାକୁ ମାଡ଼ୁଛି ବାଟରେ।”
ଟିକିଏ ସରଳ ଭାଷାରେ କହିବାକୁ ଗଲେ..ଦରିଦ୍ର ହାଡୁ ପାତ୍ରର ପୁଅ ମନ୍ଦର ବେବର୍ତ୍ତା ବାସନ ଅଭାବରୁ ଗାତରେ ପଛେ ଭାତ ଖାଉଥିଲା,ଏବେ କାନରେ ଗଜମୁକୁତା ନାଇଛି;ଉତ୍ପାତିଆ ହୋଇ ଶିବଲିଙ୍ଗକୁ ତାଡ଼ିବାକୁ ଇଚ୍ଛା କଲାଣି, ପିନ୍ଧିଥିବା ପାଟ ଲୁଗାରେ ବାୟୁ ନିଷ୍କାସନ କରୁଛି (ପାଡୁଛି ପାଟରେ) ଏବଂ ଜରିଲଗା ଜୋତା ପିନ୍ଧି ସାଆନ୍ତିଆଙ୍କ ଭଳି ବାଟ ଚାଲୁଛି।

ଅସଂସ୍କାରୀ ଛୋଟଲୋକ ମାନଙ୍କ ଅହଂକାର ରୂପକ ଘୋଡ଼ା ପିଠିରେ ଉତ୍କଳଘଣ୍ଟ ଯଦୁମଣି ଏହିପରି ଚାବୁକ ମାରୁଥିଲେ।

ରାଜା କୁଞ୍ଜବିହାରୀ ସିଂହଙ୍କ ସମୟରେ ଥରେ ଯଦୁମଣି ଖଣ୍ଡପଡ଼ା ଆସିଥାନ୍ତି।ସେ ସଯୟରେ ଜଗନ୍ନାଥଙ୍କ ପାଖରେ “କାନ୍ତି” ନାମକ ଏକ ପ୍ରକାର ପିଷ୍ଟକ ପୂଜା ହେଉଥାଏ। ଏହି ଭୋଗର ପ୍ରସିଦ୍ଧି ଆଖପାଖ ଗଡଜାତରେ ଥାଏ। ଯଦୁମଣିଙ୍କୁ କାନ୍ତି ଭୋଗ ଖୁଆଇବା ପାଇଁ ରାଜା ପୂଜକ ମାନଙ୍କୁ ଆଦେଶ ଦେଇଥାନ୍ତି। ପରଦିନ ରାଜା ପଚାରିଲେ.. ଯଦୁମଣି , କାନ୍ତି ଭୋଗ କେମିତି ଲାଗିଲା ?” ଆଶୁକବି ସଙ୍ଗେ ସଙ୍ଗେ ଉତ୍ତର ଦେଲେ…

“କାନ୍ତି କାନ୍ତି ଦେଖି ମନେ ହେଲା ଭ୍ରାନ୍ତି
କେମନ୍ତେ କରିବି ଆହାର ,
ଖଣ୍ଡପଡ଼ା ନାମ ମୁଖେ ଉଚ୍ଚାରନ୍ତେ
ତକ୍ଷଣେ ହୋଇଲା ମଧୁର।”
“କାନ୍ତି” ନାମକ ପିଷ୍ଟକର ମାନ ଯେ ନିମ୍ନ ଧରଣର ଥିଲା ଯଦୁମଣିଙ୍କ ଉକ୍ତିରୁ ରାଜା ସହଜରେ ଅନୁମାନ କରିପାରିଲେ ଏବଂ ଯଦୁମଣିଙ୍କ ଠାରୁ ଏହି ଅବ୍ୟବସ୍ଥା ପାଇଁ କ୍ଷମା ମାଗିନେଲେ।

ଏ ଭିତରେ ପାଖାପାଖି ଦୁଇ ଶହ ବର୍ଷ ବିତିଗଲାଣି। କିନ୍ତୁ ଲୋକମୁଖରେ ଯଦୁମଣିଙ୍କ କଥା ପିଢିରୁ ପିଢ଼ିକୁ ଗଡ଼ି ଆସିଛି। ଯଦୁମଣି କେବଳ ହାସ୍ୟରସ ଆଶୁ କବି ନଥିଲେ; ରୀତି ଯୁଗର ସେ ଜଣେ ଅନନ୍ୟ ସାଧାରଣ କବି ଥିଲେ।ଦୁଇ ମହାନ କାବ୍ୟ ରାଘବ ବିଳାସ ଓ ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ର ତାର ପ୍ରମାଣ।ତାଙ୍କ ସାମୟିକ ଆଗମନରେ ଖଣ୍ଡପଡ଼ା ମାଟି ପବିତ୍ର ହୋଇଯାଇଥିଲା।

କ୍ରମଶଃ….

Click to rate this post!
[Total: 0 Average: 0]

Leave a Reply