Sunday, June 23, 2024
Stories

ଆମ ଗାଁ ଆମ ଘର (୩୪)

ଆମ ଗାଁ ଆମ ଘର
୩୪
===============================
ଖଣ୍ଡପଡ଼ାଗୌରବ ପ୍ରାତଃ ସ୍ମରଣୀୟ ଦୀନବନ୍ଧୁ ଖାଡଙ୍ଗା
================================
ସମସ୍ତଙ୍କ ସହିତ ସ୍ବର ମିଳାଇ ମୁଁ ସବୁବେଳେ କହେ ଆମ ଖଣ୍ଡପଡ଼ା ତିନୋଟି କଥା ପାଇଁ ବିଶ୍ବ ବିଖ୍ୟାତ; ଦୀନବନ୍ଧୁ ଖାଡଙ୍ଗାଙ୍କ ନବାକ୍ଷରୀ ଭାଗବତ,ନକ୍ଷତ୍ରପୁରୁଷ ସାମନ୍ତ ଚନ୍ଦ୍ରଶେଖରଙ୍କ ସିଦ୍ଧାନ୍ତ ଦର୍ପଣ ଏବଂ ଶ୍ରୀଜଗନ୍ନାଥଙ୍କ ମୂଳପୀଠ ନୀଳମାଧବ ଜୀଉଙ୍କ ମନ୍ଦିର।

ପରମ ବୈଷ୍ଣବ,ଅନନ୍ୟ ସାଧାରଣ କବି ପଣ୍ଡିତ ଦୀନବନ୍ଧୁ ଖଡ୍ଗରାୟ ବା ଖାଡଙ୍ଗା ଖଣ୍ଡପଡ଼ାର ମୂଳ ଅଧିବାସୀ ନଥିଲେ।ଖଣ୍ଡପଡାର ଦ୍ବିତୀୟ ରାଜା ନାରାୟଣ ମଙ୍ଗରାଜଙ୍କ ଶାସନ ସମୟରେ (୧୬୬୪ ରୁ ୧୭୦୭ ମସିହା)ସେ ପୁରୀ ନିକଟସ୍ଥ ବାମଦେବପୁର ଶାସନରୁ ଆସି ଖଣ୍ଡପଡ଼ାରେ ଅବସ୍ଥାନ କରିଥିଲେ। ତାଙ୍କ ମୂଳ ସାଙ୍ଗିଆ ଥିଲା ‘ମିଶ୍ର’।ତାଙ୍କ ପାଣ୍ଡିତ୍ୟରେ ମୁଗ୍ଧ ହୋଇ ନାରାୟଣ ମଙ୍ଗରାଜ ତାଙ୍କୁ ଦରବାରରେ ରାଜକବି ଭାବରେ ନିଯୁକ୍ତି ଦେଲେ ଏବଂ ତାଙ୍କର ଶିଷ୍ୟତ୍ବ ଗ୍ରହଣ କଲେ। ଖଡ୍ଗରାୟ ବା ଖାଡଙ୍ଗା ଉପାଧି ସେ ରାଜଦରବାରରୁ ପାଇଥିଲେ।ଉଭୟେ ଗୁରୁ ଏବଂ ଶିଷ୍ୟ ପରମ ବୈଷ୍ଣବ ଥିଲେ। ଦୀନବନ୍ଧୁଙ୍କ ଜିହ୍ବାଗ୍ରରେ ଭାଗବତର ଅଠର ହଜାର ଶ୍ଳୋକ ଅବଲୀଳାକ୍ରମେ ନୃତ୍ୟ କରୁଥିଲେ।ଗୁରୁ ଏବଂ ଶିଷ୍ୟ ଯେତେବେଳେ ଭାଗବତ ଆଲୋଚନାରେ ମଗ୍ନ ରହୁଥିଲେ ସେତେବେଳେ ସଂସାର କଥା ସମ୍ପୂର୍ଣ୍ଣ ଭୁଲି ଯାଉଥିଲେ।ଭାଗବତ ଶ୍ଳୋକ ଗୁଡ଼ିକର ଅର୍ଥ କରିବା ସମୟରେ କୃଷ୍ଣଚରିତ ଭାବାବେଗର ଗଙ୍ଗାସ୍ନାନ କରି ଗୁରୁ ଦୀନବନ୍ଧୁଙ୍କର ଖୋର୍ଦ୍ଧା ଗାମୁଛାଟି ଲୁହରେ ଭିଜି ଯାଉଥିଲା;ଶିଷ୍ୟ ନାରାୟଣ ମଧ୍ୟ ଲୁହରେ ନିଜର ଉତ୍ତରୀୟଟି ଭିଜାଇ ଦେଉଥିଲେ।

ଦେବୋପମ ଚରିତ୍ରର ଅଧିକାରୀ ଥିଲେ ଦୀନବନ୍ଧୁ ଖାଡଙ୍ଗା; ସେଭଳି ମହାପୁରୁଷ କଣ ଆଜି କାଲି ମିଳିବେ ? ଲୋଭ ମୋହ ବିହୀନ ସନ୍ତୋଷର ଅବତାରଟିଏ ଥିଲେ ଦୀନବନ୍ଧୁ। ପରୋପକାର ତାଙ୍କ ଜୀବନର ବ୍ରତ ଥିଲା।ରାଜ ଦରବାରରେ ଥାଇ ମଧ୍ୟ ରାଜାଙ୍କୁ ମୁହଁ ଖୋଲି ସେ କିଛି ମାଗୁନଥିଲେ।”ସର୍ବ ନିର୍ବାହକ ହରି” ମନ୍ତ୍ରରେ ସେ ଦୀକ୍ଷିତ ଥିଲେ। ରାଜାଙ୍କଠାରୁ ଯାହା ମିଳୁଥିଲା ସେଥିରୁ ଅଧିକାଂଶ ସେ ଦାନ ଆକାରରେ ପରକୁ ବାଣ୍ଟି ଦେଉଥିଲେ; ଏପରିକି ଖାଇବାକୁ ଯିବା ସମୟରେ କେହି ଭୋକିଲା ବ୍ୟକ୍ତି ଦୁଆରେ ପହଞ୍ଚିଲେ ବଢାହୋଇଥିବା ଖାଦ୍ୟ ଦାନ କରିଦେଇ ନିଜେ ଉପାସ ରହୁଥିଲେ।

ଦୀନବନ୍ଧୁଙ୍କ ବଦାନ୍ୟତା ବିଷୟରେ ଗୋଟିଏ ରୋଚକ କାହାଣୀ ଶୁଣିବାକୁ ମିଳେ।ଥରେ ରାଜା ନାରାୟଣ ମଙ୍ଗରାଜ ତାଙ୍କୁ ଖମାରରୁ ୩୬ ବସ୍ତା ଧାନ ଦେଇଥିଲେ। ଦୀନବନ୍ଧୁଙ୍କ ବଦାନ୍ୟତା ଯୋଗୁଁ ବାଟରେ ଧାନ ବସ୍ତା ଗୁଡ଼ିକ ବିତରଣ ହୋଇଗଲା ଏବଂ ଘରେ ପହଞ୍ଚିଲା ବେଳକୁ ଶଗଡ଼ରେ ଗୋଟିଏ ମାତ୍ର ବସ୍ତା ଧାନ ରହିଥିଲା। ରାଜାଙ୍କ କାନକୁ କଥା ଗଲାପରେ ସେ ଗୁରୁ ଦୀନବନ୍ଧୁଙ୍କୁ ପଚାରିଲେ..ସବୁ ଧାନ ବିତରଣ ହୋଇଗଲା ପରା ?”ଏହା ଶୁଣି ଦୀନବନ୍ଧୁ କହିଲେ..ନାଁ, ଗୋଟିଏ ମାତ୍ର ବସ୍ତା ବିତରଣ ହୋଇଛି।”ଦୀନବନ୍ଧୁଙ୍କର ଏହି ଉତ୍ତରଶୁଣି ସାଧାରଣ ଲୋକେ ଭାବିବେ ଯେ ସେ ମିଛ କହୁଛନ୍ତି। କିନ୍ତୁ ଏହାର ଗୁଢ ଅର୍ଥ ହେଲା..ଯାହା ପରିବାରରେ ବ୍ୟବହୃତ ହେଲା(୧ବସ୍ତା) ତାହାହିଁ ବିତରଣ ହେଲା। ଯେଉଁ ୩୫ବସ୍ତା ଦାନ କରାଗଲା ତାହା ପୁଣ୍ୟକର୍ମ ଯୋଗୁଁ ପ୍ରାରବ୍ଧ ରୂପେ ଭବିଷ୍ୟତ ପାଇଁ ସଞ୍ଚିତ ହୋଇ ରହିଲା।

ରାଜା ନାରାୟଣ ମଙ୍ଗରାଜ ଦୀନବନ୍ଧୁ ଖାଡଙ୍ଗାଙ୍କୁ ନିଜ ପୁତ୍ର ବାଲୁଙ୍କେଶ୍ୱର ମଙ୍ଗରାଜଙ୍କ ଦୀକ୍ଷାଗୁରୁ ଭାବରେ ନିଯୁକ୍ତି ଦେଇଥିଲେ।ପିତାଙ୍କ ଭଳି ବାଲୁକେଶ୍ବର ମଧ୍ୟ ପରମ ବୈଷ୍ଣବ ଥିଲେ ଏବଂ ଗୁରୁ ଦୀନବନ୍ଧୁଙ୍କ ସହିତ ପ୍ରତିଦିନ ଭାଗବତ ରସରେ ଅବଗାହନ କରୁଥିଲେ। ରାଜା ନାରାୟଣ ମଙ୍ଗରାଜଙ୍କ ସମୟରେ ଭାଗବତର ଯେଉଁ ଗଭୀର ଆଲୋଚନା ପ୍ରତିଦିନ ସନ୍ଧ୍ୟା ସମୟରେ ହେଉଥିଲା ତାହା ବାଲୁଙ୍କେଶ୍ୱର ମଙ୍ଗରାଜଙ୍କ ସମୟରେ ଓଡ଼ିଆ ଭାଗବତର ରୂପ ନେଲା।ଖାଡଙ୍ଗା ମହାଶୟ ତାଙ୍କ ଭାଗବତରେ ଏ ବିଷୟରେ ସ୍ପଷ୍ଟ ଉଲ୍ଲେଖ କରି ଲେଖିଛନ୍ତି:–

“ମୋହର ଦୀନବନ୍ଧୁ ନାମ । ଖଣ୍ଡପଡ଼ା ଦୁର୍ଗେ ବିଶ୍ରାମ ।।
କରିଛି, ତହିଁର ଭୂପତି । ସେ ଗୁରୁ ବୈଷ୍ଣବେ ଭଗତି ।।
ସେ ଦାତା,ଧୀର ସତ୍ୟଭାଷୀ । ଶ୍ରୀଭାଗବତ ଗ୍ରନ୍ଥାଭ୍ୟାସୀ ।।
ନାମ ଅଟଇ ତାହାଙ୍କର । ମଙ୍ଗରାଜ ବାଲୁଙ୍କେଶ୍ୱର ।।
ତାଙ୍କ ପ୍ରୀତିରେ ବଶ ହେଲି । ଭାଗବତକୁ ଗୀତ କଲି ।।”

ଏହି ବର୍ଣ୍ଣନାରୁ ଜଣାପଡେ ଯେ “ଖାଡଙ୍ଗା ଭାଗବତ”ର ରଚନା କାଳ ୧୭୦୭ ରୁ ୧୭୨୦ ମସିହା ଭିତରେ।ଖାଡଙ୍ଗା ଭାଗବତରେ ସଂସ୍କୃତ ଶ୍ଳୋକ ଗୁଡ଼ିକର ଯେଉଁପରି ଶୁଦ୍ଧ ଆକ୍ଷରିକ ଅନୁବାଦ କରାଯାଇଛି ସେପରି ଅନୁବାଦ ଅତିବଡୀ ଜଗନ୍ନାଥ ଦାସଙ୍କ ଭାଗବତରେ ନାହିଁ ବୋଲି କିଛି ବିଦ୍ୱାନ ମତ ଦିଅନ୍ତି। କିଛି ପୁରୁଣା ଲୋକଙ୍କ ଠାରୁ ଶୁଣିବାକୁ ମିଳେ ଯେ ବାଲୁଙ୍କେଶ୍ୱର ମଙ୍ଗରାଜଙ୍କ ପରବର୍ତ୍ତୀ ସମୟରେ ‘ଖାଡଙ୍ଗା ଭାଗବତ’ ଖଣ୍ଡପଡ଼ା ଏବଂ ଆଖପାଖ ଅଞ୍ଚଳରେ ସନ୍ଧ୍ୟା ସମୟରେ ଭାଗବତ ଟୁଙ୍ଗି ମାନଙ୍କରେ ନିୟମିତ ପଢା ଯାଉଥିଲା।

ଅଷ୍ଟାଦଶ ଶତାବ୍ଦୀର ପ୍ରାରମ୍ଭରେ ରଚିତ ହୋଇଥିବା ଏହି ଅମୂଲ୍ୟ ଗ୍ରନ୍ଥ, ପ୍ରଚାର ଓ ପ୍ରସାର ଅଭାବରୁ ଲୋକଲୋଚନକୁ ଆସିପାରିନଥିଲା। ସୌଭାଗ୍ୟ ବଶତଃ ଏହି ଅମୂଲ୍ୟ ଗ୍ରନ୍ଥଟିକୁ ସ୍ବର୍ଗତ ବିଛନ୍ଦ ଚରଣ ପଟ୍ଟନାୟକ (ସମ୍ପାଦକ ପ୍ରାଚୀ ସମିତି)୧୯୩୨ ମସିହାରେ ଗୋସ୍ବାମୀ ପ୍ରେସ୍ ଆନୁକୁଲ୍ୟରେ ପ୍ରକାଶ କରିଛନ୍ତି। (ଯେଉଁମାନେ ଏହି ଭାଗବତକୁ ଅନଲାଇନ୍ ପଢିବାକୁ ଚାହାଁନ୍ତି “ଓଡ଼ିଆ ବିଭବ”ସାଇଟ୍ କୁ ଯାଇ ଡାଉନଲୋଡ କରି ପଢିପାରିବେ। )

ଆଧୁନିକ ଓଡିଆ ସାହିତ୍ୟର ଜଙ୍ଗଲ ଭିତରେ ଦୀନବନ୍ଧୁଙ୍କ ଅନବଦ୍ୟ କୃତି ଖାଡଙ୍ଗା ଭାଗବତକୁ “ବୁଢ଼ା ସିଂହ”ଟିଏ କହି ଅବହେଳା କରାନଯାଉ ,ଏହା ହିଁ ପାଠକ ଓ ଗବେଷକମାନଙ୍କ ଆଗରେ ଆମର ପ୍ରାର୍ଥନା ।

କ୍ରମଶଃ…..

Click to rate this post!
[Total: 0 Average: 0]

Leave a Reply