Friday, February 23, 2024
Stories

ଆମ ଗାଁ ଆମ ଘର (୩୩)

ଆମ ଗାଁ ଆମ ଘର
୩୩
===============================
ପୁରୀରୁ ଶଗଡ଼ରେ ଆସିଲେ ଦଧିବାମନ
================================
ଇତିହାସ ଯଦି ନିଜ କାଳଖଣ୍ଡ ଭିତରେ ନିଜକୁ ଲିପିବଦ୍ଧ ନକରେ ତାହେଲେ କୌଣସି ସମୟର ଘଟଣାବଳୀ ଜାଣିବାପାଇଁ ଆମକୁ ଜନଶ୍ରୁତି ବା କିମ୍ବଦନ୍ତୀ ଉପରେ ନିର୍ଭର କରିବାକୁ ପଡିବ। ଏଭଳି ଅନେକ ଜନଶ୍ରୁତି ଆମ ଇତିହାସ ସହିତ ଜଡିତ ହୋଇ ରହିଛି ।ସେଭଳି ଗୋଟିଏ ରୋଚକ ଜନଶ୍ରୁତି ଆମ ଖଣ୍ଡପଡ଼ା ଗଡ଼ଜାତ ରାଜବଂଶର ବହୁ ଚର୍ଚ୍ଚିତ ବଳୁଆ ରାଜା ବନମାଳି ସିଂହ ମର୍ଦ୍ଦରାଜଙ୍କ ବିଷୟରେ।

ବନମାଳି ଖଣ୍ଡପଡ଼ା ବଘେଲ ରାଜବଂଶର ଚତୁର୍ଥ ରାଜା ଥିଲେ।ଅଳ୍ପ କାଳ ପାଇଁ (୧୭୨୦—୩୦ ଖ୍ରୀଷ୍ଟାବ୍ଦ) ସେ ରାଜ୍ୟ ଶାସନ କରିଥିଲେ ଏବଂ ଅସମୟରେ ମାତ୍ର ୨୭ ବର୍ଷ ବୟସରେ ଦିବଙ୍ଗତ ହୋଇଥିଲେ ମଧ୍ୟ ସବୁଦିନ ପାଇଁ ଖଣ୍ଡପଡିଆଙ୍କ ହୃଦୟ ଭିତରେ ସେ ରହିଯାଇଛନ୍ତି;କାରଣ ଖଣ୍ଡପଡ଼ାର ଜନସାଧାରଣଙ୍କ ପ୍ରାଣକେନ୍ଦ୍ର ଜଗନ୍ନାଥଙ୍କ ମୂର୍ତ୍ତି ସେ ପୁରସ୍ତମରୁ ଆଣି ରାଜବାଟି ନିକଟସ୍ଥ ମଣ୍ଡପରେ ପ୍ରତିଷ୍ଠା କରାଇଥିଲେ।

ସେ ସମୟରେ ଓଡ଼ିଶାର ଗଜପତି ରାଜା ଥିଲେ ଗୋପୀନାଥ ଦେବ।ବାଙ୍କୀରେ ଥିଲେ ଧନଞ୍ଜୟ ଶ୍ରୀଚନ୍ଦନଙ୍କ ରାଣୀ ବୀରାଙ୍ଗନା ଶୁକଦେଈ (୧୭୦୨–୧୭୩୫)।ଶୁକଦେଈ ଓ ଗୋପୀନାଥ ଦେବଙ୍କ ବିଷୟରେ ଓଡ଼ିଶାର ଘରେ ଘରେ କିଏ ନଜାଣେ ?ଅନିନ୍ଦ୍ୟ ସୁନ୍ଦରୀ ଥିଲେ ରାଣୀ ଶୁକଦେଈ।ସ୍ବାମୀ ଧନଞ୍ଜୟ ତ୍ରୈଲୋକ୍ୟ ନାଥ ଶ୍ରୀଚନ୍ଦନ ଶାନ୍ତିରେ ବାଙ୍କୀରେ ରାଜୁତି କରୁଥିଲେ।ଖୋର୍ଦ୍ଧା ରାଜା ଗୋପୀନାଥ ଦେବଙ୍କ ଲୋଲୁପ ଦୃଷ୍ଟି ରାଣୀଙ୍କ ସୌନ୍ଦର୍ଯ୍ୟ ଉପରେ ପଡ଼ିଲା।ବାଙ୍କୀ ଆକ୍ରମଣ କରି ନିଜ ରାଜ୍ୟ ସହିତ ମିଶାଇବା ସଙ୍ଗେ ସଙ୍ଗେ ଶୁକଦେଈଙ୍କୁ ନିଜର ଅଙ୍କଲକ୍ଷ୍ମୀ କରିବାପାଇଁ ରାଜା ଗୋପୀନାଥ ବାଙ୍କୀ ଆକ୍ରମଣ କଲେ।

ବାଙ୍କୀ ଓ ବଡମ୍ବାର ମିଳିତ ସେନାବାହିନୀ ରଗଡ଼ି ଗ୍ରାମ ଠାରେ ଘୋର ଯୁଦ୍ଧରେ ମାତିଗଲେ। ଗଜପତିଙ୍କ ସୈନ୍ୟବଳ ଅଧିକ ଥିଲା। ଦୁର୍ଭାଗ୍ୟ ବଶତଃ ବାଙ୍କୀ ରାଜା ଧନଞ୍ଜୟ ଯୁଦ୍ଧରେ ହାରିଯାଇ ପ୍ରାଣ ହରାଇଲେ। ଗୋପୀନାଥ ଗଜପତି ଆନନ୍ଦରେ ଉତ୍’ଫୁଲ୍ଲିତ।ଭାବିଲେ ସ୍ବପ୍ନସୁନ୍ଦରୀ ଶୁକଦେଈ ତାଙ୍କ କୋଳ ମଣ୍ଡନ କରିବେ।

କିନ୍ତୁ ଶୁକଦେଈ ଏତେ ସହଜରେ ପରାଜୟ ସ୍ବୀକାର କରିବା ମହିଳା ନଥିଲେ।ପତିଙ୍କ ମୃତ୍ୟୁର ଦୁଃସମ୍ବାଦରେ ଝରୁଥିବା ଆଖିର ଲୁହ ପୋଛିଦେଇ ଖଡ୍’ଗ ଧରି ବୀର ବିକ୍ରମରେ ସୈନ୍ୟମାନଙ୍କୁ ଆହ୍ବାନ ଦେଲେ, ଗଜପତିଙ୍କ ବିରୁଦ୍ଧରେ ଲଢିବା ପାଇଁ।କଥିତ ଅଛି ରାଣୀଙ୍କ ପାଖରେ ମାତ୍ର ସାତଶହ ସୈନିକ ଥିଲେ, କିନ୍ତୁ ଜନ୍ମମାଟିକୁ ରକ୍ଷା କରିବାପାଇଁ ରାଣୀଙ୍କ ଉଦବୋଧନରେ ହିଂସ୍ର ସିଂହ ପରି ସେମାନେ ଯୁଦ୍ଧ ଭୂଇଁକୁ ଡେଇଁ ପଡ଼ିଲେ।ପରାସ୍ତ ହେଲେ ଗଜପତି ବାହିନୀ।ଗୋପୀନାଥ ଦେବଙ୍କର ଶୁକଦେଈଙ୍କ ସହିତ ମୁହାଁମୁହିଁ ଯୁଦ୍ଧ ହେଲା। ଯୁଦ୍ଧରେ ପରାସ୍ତ ହୋଇ ଆତ୍ମସମର୍ପଣ କଲେ ଗୋପୀନାଥ ଦେବ।ବନ୍ଦୀ ଗୋପୀନାଥଙ୍କୁ ରାଣୀ ଶୁକଦେଈଙ୍କ ଦରବାରରେ ଉପସ୍ଥିତ କରାଗଲା। ରାଣୀ ଗୋପୀନାଥ ଦେବଙ୍କୁ କ୍ଷମା ଦେଲେ,କାରଣ ସେ ଚାହୁଁନଥିଲେ ତାଙ୍କପରି ଗୋପୀନାଥଙ୍କ ରାଣୀ ବୈଧବ୍ୟ ଯନ୍ତ୍ରଣା ଭୋଗ କରନ୍ତୁ।

ଗୋପୀନାଥ ଦେବଙ୍କ ସହିତ ଖଣ୍ଡପଡ଼ା ରାଜା ବନମାଳି ସିଂହଙ୍କର ବନ୍ଧୁତା ଥିଲା। ଅନେକ ସମୟରେ ଦୁହେଁ ପୁରସ୍ତମ ଯାଇ ଜଗନ୍ନାଥଙ୍କୁ ଦର୍ଶନ କରି ଗଜପତିଙ୍କ ପୁରୀ ଉଆସରେ ଅବସ୍ଥାନ କରୁଥିଲେ।ପୁରୀ ଗଲାବେଳେ ବନମାଳି ନରେନ୍ଦ୍ରରେ ସ୍ନାନ କରି ଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଭଲ ପାଆନ୍ତି।ଏହିପରି ଏକ ରହଣି ସମୟରେ ଥରେ ବନମାଳି ନରେନ୍ଦ୍ରରେ ସ୍ନାନ ଶେଷକରି ଜଗନ୍ନାଥ ଦର୍ଶନ ପରେ ଉଆସକୁ ଫେରୁଥିଲେ। ସୁନ୍ଦର ବଳିଷ୍ଠ ଶରୀର। ଦେହରେ ହାତୀର ବଳ।ଖଣ୍ଡପଡା ରାଜାଙ୍କ ବଳବିକ୍ରମ ବିଷୟରେ ପୁରସ୍ତମରେ ଘରେ ଘରେ ଆଲୋଚନା। ତାହା ଶୁଣି ଗୋପୀନାଥ ଦେବବଙ୍କ ରାଣୀ ଈର୍ଷାନ୍ବିତା ହେଲେ । ବନମାଳିଙ୍କ ବଳ କଷିବାପାଇଁ ସେ ମାହୁନ୍ତକୁ ଆଦେଶ ଦେଲେ ବନମାଳିଙ୍କ ଉପରେ ହାତୀ ଚଢ଼େଇ ଦେବାପାଇଁ।ନରେନ୍ଦ୍ରରେ ସ୍ନାନ ଶେଷକରି ଫେରୁଥିବା ଖଣ୍ଡପଡ଼ା-ହାତୀ ବନମାଳିଙ୍କ ଉପରେ ଦନ୍ତାହାତୀ ଚଢ଼େଇ ଦେବାପାଇଁ ଯେତେବେଳେ ମାହୁନ୍ତ ଚେଷ୍ଟା କଲା ବନମାଳି ହାତୀର ଦାନ୍ତଦୁଇଟି ଧରି ଜୋରରେ ଏପରି ଖାଞ୍ଚିଦେଲେ ଯେ ହାତୀର ଗୋଟିଏ ଦାନ୍ତ ଭାଙ୍ଗିଗଲା ଏବଂ ଯନ୍ତ୍ରଣାରେ ପିଙ୍କାର କରି ହାତୀ ତଳେ ଶୋଇଗଲା।

ଏଥର ମାହୁନ୍ତର ପାଳି। ମାହୁନ୍ତକୁ ଟେକିଧରି ବନମାଳି ଯେତେବେଳେ ଶୂନ୍ୟକୁ ଫିଙ୍ଗି ଦେବାପାଇଁ ଯାଉଥିଲେ, କାକୁତି ମିନତି ହୋଇ ମାହୁନ୍ତ କହିଲା… ମୋତେ କ୍ଷମା କରନ୍ତୁ ଛାମୁ, ମୁଁ କେବଳ ରାଣୀଙ୍କ ଆଦେଶ ପାଳନ କରୁଥିଲି।”
ଏହାପରେ ବନମାଳି ଆଉ ଗୋଟିଏ ମୁହୂର୍ତ୍ତ ମଧ୍ୟ ଗଜପତିଙ୍କ ଆତିଥ୍ୟ ନେଇ ରହିବାକୁ ଚାହିଁଲେ ନାହିଁ। କିନ୍ତୁ ଗୋପୀନାଥ ଦେବ ରାଣୀଙ୍କ ଧୃଷ୍ଟତା ପାଇଁ କ୍ଷମା ମାଗିଲେ ଏବଂ ବନମାଳିଙ୍କ ବଳବିକ୍ରମର ପ୍ରଶଂସା କରି ତାଙ୍କୁ “ମର୍ଦ୍ଦରାଜ” ଉପାଧିରେ ଭୂଷିତ କଲେ। ଗଜପତିଙ୍କ ପ୍ରଦତ୍ତ ଏହି ଉପାଧି ବନମାଳିଙ୍କ ଠାରୁ ଖଣ୍ଡପଡ଼ାର ସମସ୍ତ ପରବର୍ତ୍ତୀ ରାଜା ନିଜ ନାମ ସହିତ ଯୋଡି ଆସୁଛନ୍ତି।

କଥିତ ଅଛି ଏକଦା ନବକଳେବର ସମୟରେ ନିର୍ମିତ ହେଉଥିବା ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତି ନିର୍ଦ୍ଦିଷ୍ଟ ଉଚ୍ଚତାରୁ ସାମାନ୍ୟ ଛୋଟ ହେବାରୁ ଆଉ ଏକ ନୂଆ ମୂର୍ତ୍ତି ଗଢିବା ବ୍ୟବସ୍ଥା କରାଗଲା।ସେତେବେଳେ ବନମାଳି ସିଂହ ଗୋପୀନାଥ ଦେବଙ୍କୁ ଅନୁରୋଧ କରିଥିଲେ, ଉଚ୍ଚତାରେ ସାମାନ୍ୟ ଛୋଟଥିବା ସେହି ଏକକ ଜଗନ୍ନାଥ ମୂର୍ତ୍ତିଙ୍କୁ ଖଣ୍ଡପଡ଼ାକୁ ଦାନ କରିବାପାଇଁ। ଜଗନ୍ନାଥଙ୍କୁ କିଏ କଣ କାହାକୁ ଦାନ କରିପାରେ ! ସବୁ ତାଙ୍କରି ଲୀଳା। ବନମାଳିଙ୍କର ଜଗନ୍ନାଥଙ୍କ ଠାରେ ଅନନ୍ୟ ଭକ୍ତି ଥିଲା। ପ୍ରଭୁ ବୋଧହୁଏ ଚାହିଁଲେ ଦଧିବାମନ ରୂପରେ ଏକା ଏକା ଖଣ୍ଡପଡରେ ପୂଜିତ ହେବାପାଇଁ। ଗୋପୀନାଥଙ୍କ କଣ୍ଠରେ ସରସ୍ବତୀ ବିଜେ କଲେ। ଗଜପତି କହିଲେ..ଭାଇ ମର୍ଦ୍ଦରାଜ ବନମାଳି ସିଂହ;ତୁମେ ଦଧିବାମନଙ୍କୁ ସାଙ୍ଗରେ ନେଇଯାଅ।” ସେତେବେଳେ ତ ଗାଡିମଟର ନଥିଲା। ଜଗନ୍ନାଥଙ୍କୁ ଶଗଡ଼ରେ ବସାଇ ଖଣ୍ଡପଡ଼ାକୁ ନେଇ ଆସିଲେ ବନମାଳି।

କିମ୍ବଦନ୍ତୀରେ ଥିବା ସତ୍ୟତା ସବୁବେଳେ ଧୂଆଁଳିଆ। କିନ୍ତୁ ତତ୍କାଳୀନ ଐତିହାସିକ ଚରିତ୍ର ମାନଙ୍କ ସହିତ ଯୋଡିହୋଇ ଏହି କିମ୍ବଦନ୍ତୀଟି ପୁରୁଷାନୁକ୍ରମେ ମୁହଁରୁ ମୁହଁକୁ ଡେଇଁ ଡେଇଁ ଆମ ପାଖରେ ପହଞ୍ଚିଛି। ବିଶ୍ବାସ କରିବା ନକରିବା ଆମ ଉପରେ ନିର୍ଭର କରେ।

କ୍ରମଶଃ….

Click to rate this post!
[Total: 0 Average: 0]

Leave a Reply