Thursday, July 25, 2024
Stories

ଆମ ଗାଁ ଆମ ଘର (୩୨)

ଆମ ଗାଁ ଆମ ଘର
୩୨
==============================
ଆମ ଗାଁର ଜଗନ୍ନାଥ ମନ୍ଦିର
================================
ଆମ ଗାଁର ଜଗନ୍ନାଥ ମନ୍ଦିର ଏମିତି ସେମିତି ସ୍ଥାନ ନୁହେଁ। ତାହା ଆମ ଗାଁ ଲୋକଙ୍କ ପାଇଁ ଏକ ସାଂସ୍କୃତିକ ମିଳନ ସ୍ଥଳି।ରାଜବାଟିକୁ ଲାଗି ଶ୍ରୀଜଗନ୍ନାଥଙ୍କ ମନ୍ଦିର ବେଢ଼ା। ସେଠାରେ ପୂଜା ପାଆନ୍ତି ଅନୁପମ ସୌନ୍ଦର୍ଯ୍ୟଧାରୀ ଶ୍ରୀଜଗନ୍ନାଥଙ୍କ ଏକକ ମୂର୍ତ୍ତି। ଜଗନ୍ନାଥଙ୍କ ଉପରେ ଆଖି ପଡିଗଲେ ମନ ଲାଖି ରହେ।ସତେ ଯେମିତି କାଳିଆ ଠାକୁର ହସ ହସ ମୁହଁରେ ଶ୍ରୀଭୁଜ ମେଲେଇ ଭକ୍ତକୁ କୋଳେଇ ନବାକୁ ଆଗେଇ ଆସୁଛନ୍ତି। ପ୍ରତିଦିନ ସଂଧ୍ୟା ସାତଟା ବେଳେ ଶ୍ରୀଜୀଉଙ୍କ ଆଳତି ଘଣ୍ଟ ବାଜିବା ପୂର୍ବରୁ ଅନେକ ଧର୍ମପ୍ରାଣ ଖଣ୍ଡପଡ଼ାବାସୀ ଯୋଡହସ୍ତରେ ଏକାଠି ହୋଇ ପ୍ରଭୁଙ୍କ ଅନୁପମ ରୂପମାଧୁରୀ ପାନକରି ଆଶୀର୍ବାଦ ଭିକ୍ଷା କରନ୍ତି। ଆଳତି ପରେ ପରେ ବେଢାରେ ଥିବା ଅନ୍ୟ ଦେବାଦେବୀଙ୍କୁ ଦର୍ଶନ କରି ଭକ୍ତମାନେ ପରସ୍ପର ଭିତରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ଗପସପ ଆରମ୍ଭ କରି ଦିଅନ୍ତି।ଦେବ ଦର୍ଶନ ସାମାଜିକ ମିଳନରେ ପରିଣତ ହୋଇଯାଏ।ବିଶେଷତଃ କାର୍ତ୍ତିକ ମାସରେ ଆନନ୍ଦ ମୁଖର ହୋଇଉଠେ ଜଗନ୍ନାଥଙ୍କ ମନ୍ଦିରରର ବେଢ଼ା।ଭାଇ ଭଉଣୀଙ୍କୁ ସଙ୍ଗରେ ନଆଣି ଏଠି ଏକା ଏକା ବସିଛନ୍ତି ବଡ଼ ଠାକୁରେ। କାହିଁକି ସେ ଏଠାରେ ଏକା ବସିଛନ୍ତି,କିପରି ସେ ରାଜା ବନମାଳି ସିଂହଙ୍କ ଭକ୍ତି ଫାଶରେ ବାନ୍ଧିହୋଇ ପୁରୀରୁ ଖଣ୍ଡପଡ଼ା ଶଗଡ଼ରେ ଚଢି ଆସିଛନ୍ତି, ସେକଥା ଆଉ ଦିନେ ଗପିବା।

ଖଣ୍ଡପଡ଼ାର ଜନଜୀବନର ପ୍ରାଣକେନ୍ଦ୍ର ଏହି ଜଗନ୍ନାଥ ମନ୍ଦିରର ଇତିହାସ ଜାଣିବା ଆଗରୁ ଓଡ଼ିଶାର ସନାତନ ଏବଂ ଶାଶ୍ବତ ଜଗନ୍ନାଥ ସଂସ୍କୃତି ଉପରେ ବିଧର୍ମୀମାନଙ୍କ ଆକ୍ରମଣ କଥା ସମ୍ୟକ ଆଲୋଚନା କରିବା । ଆଫାଗାନ ଏବଂ ମୋଗଲ ଶାସନ ସମୟରେ ପୁରସ୍ତମବାସୀ ନୀଳାଦ୍ରିବିହାରୀ ଶ୍ରୀଜଗନ୍ନାଥଙ୍କ ଉପରେ ବିଧର୍ମୀ ମାନଙ୍କର ବିଶେଷ କୋପଦୃଷ୍ଟି ଥିଲା।ସେମାନେ ଚାହୁଁଥିଲେ ଜଗନ୍ନାଥଙ୍କ ସହିତ ଜଗନ୍ନାଥ ସଂସ୍କୃତିକୁ ନଷ୍ଟ କରି ଓଡ଼ିଶାର ଧର୍ମ, ସଂସ୍କୃତି ଓ ଅସ୍ମିତାକୁ ସବୁଦିନ ପାଇଁ ଧ୍ବଂସ କରିଦେବେ। ସେଥିପାଇଁ ଜଗନ୍ନାଥ ମନ୍ଦିର ଉପରେ କେତେଥର ଯେ ଆକ୍ରମଣ ହୋଇଥିଲା ତାର ସୀମା ନାହିଁ। କୁହାଯାଏ ୭୯୮ ଖ୍ରୀଷ୍ଟାବ୍ଦରେ ରକ୍ତବାହୁର ଆକ୍ରମଣ ପରଠାରୁ ଅଠର ଥର ଶ୍ରୀମନ୍ଦିର ଉପରେ ବିଧର୍ମୀ ମାନଙ୍କ ଆକ୍ରମଣ ହୋଇଛି।ଶେଷ ସ୍ବାଧୀନ ରାଜା ମୁକୁନ୍ଦ ଦେବଙ୍କ ସମୟରେ କଳାପାହାଡ଼ ଜଗନ୍ନାଥଙ୍କୁ ନେଇ ବଙ୍ଗଦେଶରେ “ତଣ୍ଡ” ନାମକ ସ୍ଥାନରେ ଗଙ୍ଗାକୂଳରେ ପୋଡ଼ି ଦେଇଥିଲା।ବିଶାର ମହାନ୍ତି ନାମକ ଜଣେ ଭକ୍ତ ସେହି ଅର୍ଦ୍ଧଦଗ୍ଧ ଜଗନ୍ନାଥଙ୍କ ମୂର୍ତ୍ତିରୁ ନାଭୀବ୍ରହ୍ମକୁ ଗୋପନରେ ନେଇ ଆସି କୁଜଙ୍ଗରେ ଲୁଚାଇ ରଖିଥିଲେ।ପରେ ତାହା ପୁରସ୍ତମରେ ଜଗନ୍ନାଥଙ୍କ ବିଗ୍ରହରେ ସ୍ଥାପିତ ହୋଇଥିଲା।

ତା ପୂର୍ବରୁ ପ୍ରତାପରୁଦ୍ର ଦେବଙ୍କ ସମୟରେ ବେଙ୍ଗଲ ସୁଲତାନ ହୁସେନ ଶାହାଙ୍କ ସେନାପତି ଇସମାଇଲ ଘାଜିର ଆକ୍ରମଣ ବେଳେ, ଜଗନ୍ନାଥ ମନ୍ଦିର ଭିତରେ ବିଧର୍ମୀ ପ୍ରବେଶ କରିବା ପୂର୍ବରୁ ଭକ୍ତମାନେ ପ୍ରଭୁଙ୍କ ବିଗ୍ରହକୁ ଚିଲିକା ଭିତରେ ଚଢ଼େଇହଗା ପାହାଡରେ ଲୁଚାଇ ରଖିଥିଲେ। ଜଗନ୍ନାଥ ସଂସ୍କୃତିକୁ ବିଧର୍ମୀମାନେ ଯେତେଥର ନଷ୍ଟ କରିବା ପାଇଁ ଚେଷ୍ଟା କରିଛନ୍ତି ସେତେଥର ବିଫଳ ହୋଇଛନ୍ତି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ବାହାରର ଆକ୍ରମଣକାରୀମାନେ ଗଡ଼ଜାତ ଭିତରେ ପଶି ଜଗନ୍ନାଥ କିମ୍ବା ଅନ୍ୟାନ୍ୟ ହିନ୍ଦୁ ଦେବାଦେବୀଙ୍କ ମନ୍ଦିର ଉପରେ ଚଢ଼ାଉ କରିବାକୁ ସାହସ କରୁନଥିଲେ।ତାର ଗୋଟିଏ କାରଣ ଏହି ରାଜ୍ୟ ଗୁଡ଼ିକ ବଣ ଜଙ୍ଗଲ ଅଧ୍ୟୁଷିତ ଥିଲା ଏବଂ ଗମନାଗମନର ସୁବିଧା ନଥିବାରୁ ଦୁର୍ଗମ ଥିଲା। ଆକ୍ରମଣକାରୀ ମାନଙ୍କୁ ଲୋଭାନ୍ବିତ କରିବାକୁ ଏହି ମନ୍ଦିର ମାନଙ୍କରେ ,ସୁନା ରୂପା, ଟଙ୍କାପଇସା ଆୟ-ଅଳଙ୍କାର ଇତ୍ୟାଦି ଧନସମ୍ପତ୍ତି ନଥିଲା।କେବଳ ଭକ୍ତିଧନରେ ପରିପୂର୍ଣ୍ଣ ଥିଲା ଏହି ଦେବସ୍ଥାନ ଗୁଡିକ। ଗଡ଼ଜାତ ମାନଙ୍କରେ ରାଜାମାନଙ୍କ ପୃଷ୍ଠପୋଷକତାରେ ଜଗନ୍ନାଥ ସଂସ୍କୃତି ନିରାପତ୍ତାର ବଳୟ ଭିତରେ ସୁଦୃଢ ହୋଇ ରହିଥିଲା। ପୁରାଣ ପ୍ରସିଦ୍ଧ ବିଶ୍ଵାବସୁଙ୍କ ଦ୍ବାରା ପୂଜିତ ପ୍ରଭୁ ନୀଳମାଧବଙ୍କ କ୍ଷେତ୍ର ଖଣ୍ଡପଡ଼ା ଠାରୁ ମାତ୍ର ୧୩ କିଲୋମିଟର ଦୂରରେ ଥିବାରୁ ଏହି ଗଡ଼ଜାତର ରାଜା ଏବଂ ପ୍ରଜା ସମସ୍ତେ ଶ୍ରୀଜଗନ୍ନାଥଙ୍କ ପରମ ଭକ୍ତ ହେବା ସ୍ବାଭାବିକ।

ଯେତେବେଳେ ବଘେଲ ବଂଶୀ ରାଜା ଯଦୁନାଥ ମଙ୍ଗରାଜ ୧୫୯୯ ଖ୍ରୀଷ୍ଟାବ୍ଦରେ ଦଶଖଣ୍ଡ ପଡା ଜୟ କରି ଖଣ୍ଡପଡ଼ା ରାଜ୍ୟ ସ୍ଥାପନ କଲେ ସେହି ବିଜିତ ସ୍ଥାନ ମାନଙ୍କରେ ଖମାର(revenue unit)ମାନ ସ୍ଥାପନ କରି ରାଜକର୍ମଚାରୀ ନିଯୁକ୍ତ କରିଥିଲେ। ସେହି ରାଜକର୍ମଚାରୀମାନଙ୍କ ପୃଷ୍ଠପୋଷକତାରେ ସେହି ସ୍ଥାନ ମାନଙ୍କରେ ଶ୍ରୀ ଜଗନ୍ନାଥଙ୍କର ମନ୍ଦିର ସ୍ଥାପିତ ହୋଇ ବିଗ୍ରହ ପୂଜା ଆରମ୍ଭ ହୋଇଥିଲା। କିଛି କିଛି ସ୍ଥାନରେ ଜଗନ୍ନାଥଙ୍କର ତ୍ରିମୂର୍ତ୍ତି(ଜଗନ୍ନାଥ,ବଳଭଦ୍ର, ସୁଭଦ୍ରା) ସ୍ଥାପିତ ହୋଇଥିଲେ ତ କିଛି ସ୍ଥାନରେ କେବଳ ଜଗନ୍ନାଥଙ୍କର ଏକକ ମୂର୍ତ୍ତି ସ୍ଥାପିତ ହୋଇଥିଲେ।ସେ ସବୁ ଏ ପର୍ଯ୍ୟନ୍ତ ରହିଛି।ଏକକ(ଦଧିବାମନ) ମୂର୍ତ୍ତି ସ୍ଥାପିତ ହୋଇଥିବା ସ୍ଥାନଗୁଡିକ ହେଲା ଅଁଳାପଟା,ମାରଡା, ଯଦୁନାଥପୁର ଶାସନ ଏବଂ ପଦ୍ମାବତୀ ଶାସନ।
ଜଗନ୍ନାଥପ୍ରସାଦ,ତରବାଲୁ,କିଆଝର,ସିଧାମୂଳା,ଗୋଳାପୋଖରୀ,ଗୁଣ୍ଠୁଣୀ,ଭାପୁର,ବାଣପୁର, ଲକ୍ଷ୍ମୀ ପ୍ରସାଦ ଏବଂ ଗୋବର୍ଦ୍ଧନ ପ୍ରସାଦ ଆଦି ସ୍ଥାନ ମାନଙ୍କରେ ଜଗନ୍ନାଥଙ୍କ ତ୍ରିମୂର୍ତ୍ତି ପୂଜା ପାଉଥିଲେ।ଏହି ସବୁ ସ୍ଥାନ ମାନଙ୍କରେ ଶ୍ରୀଜଗନ୍ନାଥଙ୍କର ସମସ୍ତ ନୀତି କାନ୍ତି ପାଳନ ହୁଏ ଏବଂ ରଥଯାତ୍ରା ମଧ୍ୟ ପାଳନ କରାଯାଏ। ପରବର୍ତ୍ତୀ ସମୟରେ ଅନେକ ଗାଁ ଗଣ୍ଡାରେ ଜଗନ୍ନାଥ ମନ୍ଦିର ସ୍ଥାପିତ ହୋଇ ତ୍ରିମୂର୍ତ୍ତି ଏବଂ ଏକକ ମୂର୍ତ୍ତି ମଧ୍ୟ ପୂଜା ପାଉଛନ୍ତି ଏବଂ ମହା ଆଡ଼ମ୍ବରରେ ଗୁଣ୍ଡିଚା ଏବଂ ବାହୁଡା଼ ଯାତ୍ରା ପାଳନ କରାଯାଉଛି।

ରାଜା ବନମାଳୀ ସିଂହ ମର୍ଦ୍ଦରାଜଙ୍କ(୧୭୨୦-୧୭୩୦ ଖ୍ରୀଷ୍ଟାବ୍ଦ) ସମୟରେ ପୁରୀ ଶ୍ରୀମନ୍ଦିରର ନବକଳେବର ଅବସରରେ, ପ୍ରଭୁ ଜଗନ୍ନାଥଙ୍କ ମୂର୍ତ୍ତି ଉଚ୍ଚତାରୁ ସାମାନ୍ୟ ଛୋଟ ହେବାରୁ ଗଜପତି ଗୋପୀନାଥ ଦେବ,ବନମାଳୀଙ୍କ ଅନୁରୋଧ ରକ୍ଷା କରି ସେହି ମୂର୍ତ୍ତିଙ୍କୁ ଖଣ୍ଡପଡାକୁ ଦାନ କରି ଦେଇଥିଲେ। ପୁରୀରୁ ସେହି ଏକକ ଦଧିବାମନ ମୂର୍ତ୍ତିଙ୍କୁ ଶଗଡ଼ରେ ଅଣାଇ ବନମାଳୀ ସିଂହ ପୂଜା କରିବା ଆରମ୍ଭ କଲେ। ସେହିଦିନଠାରୁ ଏକକ ଦଧିବାମନ ମୂର୍ତ୍ତି ଖଣ୍ଡପଡାରେ ପୂଜା ପାଇ ଆସୁଛନ୍ତି।

ପ୍ରଥମେ ବନମାଳୀ ମର୍ଦ୍ଦରାଜ ଉଆସ ବାହାରେ ଗୋଟିଏ ମଣ୍ଡପ ନିର୍ମାଣ କରି ସେଠାରେ ଜଗନ୍ନାଥଙ୍କ ପୂଜା ବ୍ୟବସ୍ଥା କରିଥିଲେ। ତାଙ୍କ ପରେ ରାଜା ନୀଳାଦ୍ରି ଭ୍ରମରବରଙ୍କ ସମୟରେ (୧୭୬୫-୧୭୮୯)ଖଣ୍ଡପଡାର ଜଗନ୍ନାଥ ମନ୍ଦିରର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା।୧୮୫୪ ରୁ ୧୮୬୬ମସିହା ଭିତରେ ରାଜା କୁଞ୍ଜବିହାରୀ ସିଂହଙ୍କ ସମୟରେ ନିର୍ମାଣର ବାକି ଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିଲା। ରାଜା ନଟବର ସିଂହଙ୍କ ସମୟରେ ମନ୍ଦିରର ଜଗମୋହନ ଏବଂ ନାଟ୍ୟ ମନ୍ଦିର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲା। ସ୍ନାନ ବେଦୀ ଓ ଝୁଲଣ ମଣ୍ଡପ ରାଜା ରାମଚନ୍ଦ୍ର ମର୍ଦ୍ଦରାଜଙ୍କ ସମୟରେ ନିର୍ମିତ ହୋଇଥିଲା। ସ୍ନାନ ବେଦୀକୁ ଲାଗି ରହିଥିବା ଦୟାସାଗରଙ୍କ ମନ୍ଦିର ରାଜା ହରିହର ସିଂହଙ୍କ ଦ୍ବାରା ନିର୍ମିତ। ଏପରି ଦେଖିବାକୁ ଗଲେ ଜଗନ୍ନାଥଙ୍କ ମନ୍ଦିର ଏବଂ ବେଢାରେ ଥିବା ପାର୍ଶ୍ଵ ଦେବତା ମାନଙ୍କ ମନ୍ଦିର ନିର୍ମାଣ ଏବଂ ବିଗ୍ରହ ସ୍ଥାପନରେ ବନମାଳୀ ସିଂହଙ୍କ ଠାରୁ ଆରମ୍ଭ କରି ରାଜା ହରିହର ସିଂହଙ୍କ ପର୍ଯ୍ୟନ୍ତ ପ୍ରାୟ ସବୁ ରାଜାଙ୍କ ଅବଦାନ ରହିଥିଲା। ଯେଉଁଠାରେ ରାଜାମାନେ ଏଭଳି ଜଗନ୍ନାଥ-ପ୍ରାଣ ପ୍ରଜାମାନେ ସ୍ବତଃ ଜଗନ୍ନାଥଙ୍କ ଭକ୍ତିରସରେ ଅବଗାହନ କରିବା ସ୍ବାଭାବିକ। ସେଥିପାଇଁ ରାଜବାଟି ନିକଟରେ ସଗର୍ବରେ ଠିଆ ହୋଇଥିବା ଜଗନ୍ନାଥ ମନ୍ଦିର ଖଣ୍ଡପଡ଼ାବାସୀଙ୍କ ଧାର୍ମିକ ଓ ସାଂସ୍କୃତିକ ଜୀବନର ପ୍ରାଣକେନ୍ଦ୍ର।

ରଥଯାତ୍ରା ,ପଣା ସଂକ୍ରାନ୍ତି,ଅକ୍ଷୟ ତୃତୀୟା, ନୃସିଂହ ଚତୁର୍ଦ୍ଦଶୀ,ଋକ୍ମିଣୀ ବିବାହ, ନେତ୍ରୋତ୍ସବ, ଚିତାଲାଗି ଅମାବାସ୍ୟା,ସାତପୁରୀ ଅମାବାସ୍ୟା, ଜନ୍ମାଷ୍ଟମୀ, ଗର୍ଭଣା ସଂକ୍ରାନ୍ତି,ଭାଗବତ ଜନ୍ମ, ଦୀପାବଳି, କାର୍ତ୍ତିକ ରାଈଦାମୋଦର ବେଶ,ପଞ୍ଚୁକ, ପ୍ରଥମାଷ୍ଟମୀ,ବକୁଳ ଅମାବାସ୍ୟା,ଓଢଣ ଷଷ୍ଠୀ,ଧନୁ ସଂକ୍ରାନ୍ତି,ମକର ସଂକ୍ରାନ୍ତି, ଦୋଳଯାତ୍ରା ଆଦି ପର୍ବପର୍ବାଣୀ ମହା ସମାରୋହରେ ଏଠାରେ ପାଳନ କରାଯାଏ।

ଜଗନ୍ନାଥଙ୍କର ଦୈନିକ ନୀତିକାନ୍ତି ନିଷ୍ଠାର ସହିତ ପାଳନ କରାଯାଏ। ପ୍ରାତଃ କାଳରେ ମଙ୍ଗଳ ଆଳତି ଓ ମଇଲମ ନୀତି (ବେଶ) ପରେ ସକାଳ ପ୍ରାୟ ଆଠଟା ଭିତରେ ବଲ୍ଲଭ ଭୋଗ ହୁଏ। ଏଥିରେ ମୂଆଁ ଓ ପଣା ଭୋଗ କରାଯାଇଥାଏ।୯ଟା ରୁ ୧୦ଭିତରେ ସକାଳ ଭୋଗ ଲାଗିହୁଏ। ଏହି ସକାଳ ଧୂପରେ ନଟବର ବଲ୍ଲଭ ଖେଚୁଡ଼ି,୪ଥାଳି ବିରି ଅନ୍ନ,ଡାଲି ଓ ତର୍କାରି ଭୋଗ ହୋଇଥାଏ।ଦି’ପହର ଗୋଟାଏ ବେଳେ ମଧ୍ୟାହ୍ନ ଧୂପ ବଢେ। ଏଥିରେ ଅନ୍ନ,ଡାଲି,ଅଧମାଣ ପରିମାଣ ପହାଡ (ତର୍କାରି)ଭୋଗ ହୋଇଥାଏ। ସନ୍ଧ୍ୟା ୬ଟାରୁ ସାତଟା ଭିତରେ ସନ୍ଧ୍ୟା ଆଳତି ପରେ ସନ୍ଧ୍ୟା ଧୂପ ବଢ଼ିଥାଏ। ସନ୍ଧ୍ୟା ଆଳତିରେ ଖୁରୁମା,ଲଡୁ ଓ ପଣା ଲାଗି କରାଯାଏ। ସନ୍ଧ୍ୟା ଧୂପରେ ଅନ୍ନ,ତର୍କାରି,କାନ୍ତି ଓ ଲଡୁ ଇତ୍ୟାଦି ଭୋଗ କରାଯାଇଥାଏ।ଏହାପରେ ଚଉସମ, ବଡ଼ସିଂହାର ଓ ଡମ୍ବରୁ ବିଜେ ଇତ୍ୟାଦି ନୀତିକାନ୍ତି ପରେ ରାତି ଦଶଟାରୁ ଦଶଟା ତିରିଶି ଭିତରେ ପ୍ରଭୁ ପହଡ଼ ବିଜେ କରନ୍ତି।

ଗଡ଼ଜାତ ମିଶ୍ରଣ ପରେ କଣ୍ଟିଲୋର ଶ୍ରୀ ନୀଳମାଧବ ମନ୍ଦିର,ଖଣ୍ଡପଡାର ଶ୍ରୀରଘୁନାଥ ଜୀଉଙ୍କ ମନ୍ଦିର ବ୍ୟତୀତ ଅନ୍ୟ କେତେକ ମନ୍ଦିର ଦେବୋତ୍ତର ପରିଚାଳନା ଅଧୀନରେ ରହିଛି; କିନ୍ତୁ ଶ୍ରୀଜଗନ୍ନାଥଙ୍କ ପ୍ରଧାନ ମନ୍ଦିର, ଶ୍ରୀଚୈତନ୍ୟ ଦେବ, ଶ୍ରୀନୃସିଂହ ଦେବ,ଶ୍ରୀନୀଳକଣ୍ଠେଶ୍ବର ଏବଂ ଶ୍ରୀଗୋପୀନାଥ ଜୀଉଙ୍କ ମନ୍ଦିରର ପରିଚାଳନା ଭାର ରାଜପରିବାର ହାତରେ ରହିଛି।ଏଣ୍ଡାଉମେଣ୍ଟ ପରିଚାଳନା ସମ୍ବନ୍ଧୀୟ ବିଭିନ୍ନ କେସ୍’ର ଶୁଣାଣି ପରେ କୋର୍ଟଙ୍କ ୧-୭-୧୯୬୬ ତାରିଖର ଆଦେଶ ଅନୁଯାୟୀ ଏହି ମନ୍ଦିର ଗୁଡ଼ିକର ପରିଚାଳନା ଦାୟିତ୍ଵ ରାଜପରିବାର ଉପରେ। ଏହି ରାୟ ଅନୁସାରେ, ଗଡ଼ଜାତ ମିଶ୍ରଣ ପୂର୍ବରୁ ଉପରୋକ୍ତ ଦେବାଦେବୀଙ୍କର ସମସ୍ତ ସ୍ଥାବର ଓ ଅବସ୍ଥାର ସମ୍ପତ୍ତିର ପରିଚାଳନା ଦାୟିତ୍ଵ ମଧ୍ୟ ରାଜପରିବାର ଉପରେ ନ୍ୟସ୍ତ। ରଥଯାତ୍ରା ସମୟରେ ରାଜପରିବାର ଆନୁକୁଲ୍ୟରେ ମୂଳ ମନ୍ଦିରରେ ପ୍ରତିଷ୍ଠିତ ଜଗନ୍ନାଥଙ୍କ ରଥଯାତ୍ରା ଅନୁଷ୍ଠିତ ହେଉଛି। ସେହି ସମୟରେ ଦେବୋତ୍ତର ପରିଚାଳନା ଅଧୀନରେ ଥିବା ମହିମା ମେରୁ ତ୍ରିମୂର୍ତ୍ତିଙ୍କ ରଥଯାତ୍ରା ମଧ୍ୟ ଅନୁଷ୍ଠିତ ହେଉଛି। ଏହିପରି ଦୁଇଟି ରଥରେ ଆସୀନ ଦେବତାଙ୍କ ଦର୍ଶନ ପାଇ ଖଣ୍ଡପଡ଼ା ବାସୀ ନିଜକୁ ଭାଗ୍ୟବାନ ମନେ କରନ୍ତି। ଦେବୋତ୍ତର ନିର୍ମିତ ରଥକୁ “ସରକାରୀ ରଥ”ବୋଲି ଜନସାଧାରଣ କହନ୍ତି।
===================================
କ୍ରମଶଃ….

Click to rate this post!
[Total: 0 Average: 0]

Leave a Reply