Thursday, July 25, 2024
Stories

ଆମ ଗାଁ ଆମ ଘର (୩୧)

ଆମ ଗାଁ ଆମ ଘର
୩୧
=================================
ବ୍ରହ୍ମାଦ୍ରିବିହାରୀ ନୀଳମାଧବ
=================================
କଣ୍ଟିଲୋ ଆମ ଗାଁ ଖଣ୍ଡପଡ଼ା ଠାରୁ ମାତ୍ର ୧୩ କିଲୋମିଟର ବାଟ।କୁଆ ଉଡିଗଲେ ପହୁଞ୍ଚ।ଟେକାଟିଏ ଖଣ୍ଡପଡ଼ାରୁ ଫିଙ୍ଗିଲେ ପଡିବ ମହାନଦୀରେ। ସେଠାରେ ବ୍ରହ୍ମାଦ୍ରି ପାହାଡ଼ ଉପରେ ରହିଛି ନୀଳମାଧବଙ୍କ ପବିତ୍ର ମନ୍ଦିର । ମହାନଦୀକୁ ଉତ୍କଳ-ଗଙ୍ଗା କୁହାଯାଏ।ଉତ୍କଳ ଗଙ୍ଗା ଏଠାରେ ଅହରହ ନୀଳମାଧବ ବସିଥିବା ବ୍ରାହ୍ମାଦ୍ରି’ ପାହାଡ଼ର ପାଦ ଧୋଇଦେଉଛନ୍ତି। ନୀଳମାଧବଙ୍କ ମନ୍ଦିର ବେଢାରୁ ମହାନଦୀର ଜଳବେଣୀ ଏବଂ ଦୁଇକୂଳରେ ଲମ୍ବି ଯାଇଥିବା କୁଞ୍ଚୁକୁଞ୍ଚିଆ ପର୍ବତମାଳା ପ୍ରକୃତିର ଯେଉଁ ସୁନ୍ଦର ଚିତ୍ରପଟ ସୃଷ୍ଟି କରିଛି ତାକୁ ଦେଖି ଦେହ ଉଲ୍ଲସିତ ହୋଇଯାଏ ଏବଂ ବିଶ୍ବ ଚିତ୍ରକରଙ୍କ ପାଦତଳେ ମଥା ଆପେ ଆପେ ନଇଁଯାଏ।

ଅମରକଣ୍ଟକ ପର୍ବତରୁ ବାହାରି,ବହୁ ଦୀର୍ଘପଥ ଅତିକ୍ରମକରି ସାଗରରେ ବିଲୀନ ହେବା ପୂର୍ବରୁ ମହାନଦୀ ଓଡ଼ିଶା ଭିତରେ ପ୍ରବାହିତ ହୋଇ ପ୍ରଥମେ ସୁବର୍ଣ୍ଣପୁର(ସୋନପୁର) ଠାରେ “ସୁବର୍ଣ୍ଣାକ୍ଷ ମହାଦେବ”ଙ୍କର ପାଦ ଧୋଇଦେଇ ନିଜେ ପବିତ୍ର ହୋଇଯାଇଛନ୍ତି। ତାପରେ ଉତ୍କଳଗଙ୍ଗା କଣ୍ଟିଲୋ ଠାରେ ପରମ ପାବନ ନୀଳମାଧବ କ୍ଷେତ୍ର ବ୍ରହ୍ମାଦ୍ରିର ପାଦତଳେ ମଥା ପାତି ପ୍ରଭୁ ନୀଳମାଧବଙ୍କୁ ପୂଜା କରିଛନ୍ତି ଏବଂ ମା’ଭଟ୍ଟାରିକାଙ୍କର ପାଦ ଛୁଇଁ ଆଶୀର୍ବାଦ ଭିକ୍ଷା କରିଛନ୍ତି।ତା’ତଳକୁ ବାଙ୍କୀଗଡର ଆରାଧ୍ୟା ଚର୍ଚ୍ଚିକାଙ୍କ ପାଦ ଧୋଇଦେଇ ସାଗରାଭିମୁଖୀ ହୋଇଛନ୍ତି ମହାବେଗା ଚିତ୍ରୋତ୍ପଳା।

ଗଙ୍ଗା ନଦୀର ତ୍ରିବେଣୀ ସଙ୍ଗମ ଭଳି ,ନୀଳମାଧବ କ୍ଷେତ୍ରରେ ମହାନଦୀ ସହିତ ମିଳିତ ହୋଇଛନ୍ତି ଆଉ ଦୁଇଟି ନଦୀ,କୁସୁମୀ ଏବଂ କୁମାରୀକା(କୁଆଁରିଆ)।ପ୍ରଭୁ ନୀଳମାଧବଙ୍କ କନିଷ୍ଠ ପଦାଙ୍ଗୁଳିରୁ ଝରିଯାଉଥିବା ଗଙ୍ଗାଜଳ ମହାନଦୀ ଜଳରେ ମିଶି ତାକୁ ଏପରି ପବିତ୍ର କରିଦେଇଛନ୍ତି ଯେ ମାଘମାସରେ ଭୌମୀଏକାଦଶୀ ଠାରୁ ପୂର୍ଣ୍ଣିମା ପର୍ଯ୍ଯନ୍ତ କଣ୍ଟିଲୋଠାରେ ଏହି ପବିତ୍ର ନଦୀଘାଟରେ ବୁଡ ପକାଇ ପ୍ରଭୁ ନୀଳମାଧବଙ୍କୁ ଦର୍ଶନ କରିବାପାଇଁ ଲକ୍ଷ ଲକ୍ଷ ଯାତ୍ରୀଙ୍କର ଭିଡ଼ ଜମିଥାଏ। ସେହି ମାଘୋତ୍ସବ ସମୟରେ ଗୋଟିଏ ବିରାଟ ଯାତ୍ରାର ଆୟୋଜନ ଏଠାରେ କରାଯାଏ । ତାହା “କଣ୍ଟିଲୋ ଯାତ୍ରା” ନାମରେ ଆଖପାଖରେ ପ୍ରଖ୍ୟାତ। ଏହି ସାତଦିନ ଭିତରେ ଆଖପାଖରୁ ହଜାର ହଜାର ଲୋକ ମହାନଦୀରେ ବୁଡପକାଇ ଦେହ ଓ ମନ ପବିତ୍ର କରିବାକୁ ଆସନ୍ତି।ଦେହ ତ ନିଶ୍ଚୟ ପବିତ୍ର ହୁଏ;ମନ ହୁଏ କି ନାହିଁ ନୀଳମାଧବ ହିଁ ଜାଣନ୍ତି।

ପିଲାଦିନେ ଆମେ ଶଗଡ଼ରେ ବସି କଣ୍ଟିଲୋ-ଯାତ୍ରା ଦେଖିବାକୁ ଯାଉଁ। ଶଗଡ଼ରେ ବତା ବନ୍ଧା ହୋଇ ତା ଉପରେ ପାଲ ଘେରାଯାଇଥାଏ।ଭିତରେ ବସନ୍ତି ବୋଉ ଭାଉଜ,ଭଉଣୀମାନେ ଓ ସାଇପଡିଶା ମା’ମାଉସୀମାନେ। ମୁଁ ବସିଥାଏ ବଳଦ ଓଡୋଉ ଥିବା ହଳିଆ ଭାଇ ପାଖରେ।ବନି ଭାଇନା(ମୋ ଉପର ଭାଇ)ଠେଙ୍ଗେଣିଟିଏ ଧରି ତଳେ ଚାଲୁଥାଏ “ରାମବନବାସ” ଗୀତ ଗାଇ ଗାଇ।ସକାଳୁ ବାହାରି ପହଞ୍ଚୁ ଦଶଟା ଭିତରେ। ଘରୁ ପଖାଳ ଓ ଭଜାଭଜି ନିଆ ଯାଇଥାଏ।ବୁଡ଼ ପକାଇବା ପରେ ଦିଅଁ ଦର୍ଶନ କରି ସମସ୍ତେ ପଖାଳ ଖାଇ ଯାତ୍ରା ବୁଲିବାକୁ ଯାଉଁ।କୋଡି,କୋଦାଳ, ଶାବଳ, କୁଲା, ଗଇଁତି,ପଲମ, ଲୁହା ଖଡ଼ିକା ଇତ୍ୟାଦି କିଣା ହୁଏ।ଆମେ ପିଲାମାନେ କିଣୁ ଫିରିକି କାଗଜଫୁଲ ,ଚପଲ,ଗେଞ୍ଜି ଇତ୍ୟାଦି।ଥରେ ନନା ମୋ ପାଇଁ ଝିଅପିଲା ଚପଲ ହଳେ କିଣି ଦେଇଥିଲେ।ଚପଲ ଭାରି ଚକଚକ ଦୃଖାଯାଉଥିଲା ଏବଂ ତା ଉପରେ ଦୁଇଟି ରଙ୍ଗିନ କନାର ଫୁଲ ଲାଗିଥାଏ।ସେ ଚପଲ ପିନ୍ଧି କ୍ଳାସକୁ ଯିବାରୁ ସାଙ୍ଗପିଲାମାନେ ଚିଡେଇଲେ।ଚପଲ ଉପରୁ ରଙ୍ଗିନ ଫୁଲ ଦୁଇଟି ଛିଣ୍ଡେଇ ଫିଙ୍ଗି ଦେବାରୁ ଘରେ ମାଡ଼ ଖାଇଥିଲି।ମାଡ଼ ଖାଇଥିବା କଥା ସବୁବେଳେ ମନେରହେ ;ଏବେ ବି ମନେଅଛି।କୋଉକଥା କୁଆଡେ ଗଲାଣି।ଏବେ ନୀଳମାଧବଙ୍କ ମନ୍ଦିର ବିଷୟରେ ଆଲୋଚନା କରିବା।

ମନ୍ଦିର ଭିତରେ ଚତୁର୍ଭୁଜ ବିଷ୍ଣୁଙ୍କର ଉପର ଦୁଇ ହାତରେ ଶଙ୍ଖଏବଂ ଚକ୍ର ଶୋଭାପାଏ।ତଳ ଦୁଇ ହାତ ଲମ୍ବିଯାଇଛି ଅଭୟ ଆଶୀର୍ବାଦ ଦେବା ଭଙ୍ଗିରେ ପାଦ ପାଖରେ ବସିଥିବା ପ୍ରିୟତମା ଲକ୍ଷ୍ମୀ ଏବଂ ସରସ୍ୱତୀଙ୍କ ମଥା ଉପରକୁ।ନୀଳାଦ୍ରିରେ ଜଗନ୍ନାଥଙ୍କର ରତ୍ନ ସିଂହାସନ ପାଖରେ ଶ୍ରୀଦେବୀ ଏବଂ ଭୂଦେବୀ ଯେଉପରି ବସିଛନ୍ତି ସେହିପରି ନୀଳମାଧବଙ୍କ ପାଖରେ ବସିଛନ୍ତି ଲକ୍ଷ୍ମୀ ଓ ସରସ୍ୱତୀ। ମାଧବଙ୍କର ମଥା ଉପରେ ଅନନ୍ତନାଗ, ତାଙ୍କର ସମସ୍ତ ଫଣାକୁ ଛତ୍ର ଆକାରରେ ତୋଳି ଧରିଛନ୍ତି ।ଅପୂର୍ବ ଓ ଅନୁପମ ସେ ଦୃଶ୍ୟ ।

ମନ୍ଦିର ବେଢାର ଦକ୍ଷିଣପଟେ ଦେବାଧିଦେବ ମହାଦେବ ‘ସିଦ୍ଧେଶ୍ୱର’ଙ୍କର ମନ୍ଦିର।ଦେବାଧିଦେବଙ୍କର ଲିଙ୍ଗ ପାତାଳୀ।ଯେତେ ଜଳଶାୟୀ କଲେ ମଧ୍ୟ ଟୋପଏ ପାଣି ରହେନାହିଁ, ପାଦୁକ ପାଇବାପାଇଁ ମଧ୍ୟ ଟୋପାଏ ପାଣି ମିଳେନାହିଁ।ଏଭଳି ଆଶ୍ଚର୍ଯ୍ଯ ଘଟଣା ଅନ୍ୟ କୌଣସି ଶିବାଳୟରେ ସମ୍ଭବତଃ ଦେଖା ଯାଉନଥିବ।ମନ୍ଦିରର ପଶ୍ଚିମପାର୍ଶ୍ବରେ ଶ୍ରୀଶ୍ରୀ ହନୁମାନ ‘ପଦ୍ମାସନରେ ବସିଛନ୍ତି।କିମ୍ବଦନ୍ତୀ କହେ,ବ୍ରହ୍ମାଦି ଉପରୁ ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟ ଦେଖି, ସେଥିରେ ବିମୋହିତ ହୋଇ କପିରାଜ ହନୁମାନ ବିଷ୍ଣୁଙ୍କ ଠାରୁ ଆଜ୍ଞା ନେଇ ଏଠାରେ ଆସ୍ଥାନ ଜମେଇ ବସି ଯାଇଛନ୍ତି।

ଅଳ୍ପ ଦୂରରେ କାଳିଆ ପଲ୍ଲୀ ନାମରେ ଗୋଟିଏ ଗାଁ।’କାଳିଆ ପଲ୍ଲୀ’କୁ ଗଲେ, ଜାଣିବା ଶୁଣିବା ଲୋକଙ୍କ ମୁହଁରୁ “କାଳିଆ ମାଧବ” ନାଁ’ଟି ଶୁଣିବାକୁ ମିଳେ।ଏହି ‘କାଳିଆ ମାଧବ’ ଅନ୍ୟ କେହି ନୁହନ୍ତି, ନିଜେ ସ୍ୱୟଂ ନୀଳ ମାଧବ।ଶବର ରାଜା ବିଶ୍ୱାବସୁ ନୀଳମାଧବଙ୍କୁ ସେହି ନାମରେ ଡାକୁଥିଲେ।ସେହି ନାମ ଅନୁସାରେ ଗାଁ’ଟିର ନାମ “କାଳିଆ ପଲ୍ଲୀ” ରଖା ଯାଇଛି। ମହାରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ଦୂତ ବ୍ରାହ୍ମଣ ଯୁବକ ବିଦ୍ୟାପତି ବିଶ୍ଵାବସୁଙ୍କ କନ୍ୟା ଲଳିତାଙ୍କ ପ୍ରେମରେ ବିଦଗ୍ଧ ହୋଇ ଏହି “କାଳିଆ ପଲ୍ଲୀ”ରେ କନ୍ଦର୍ପ ଶରାଘାତରେ ଘାଇଲା ହୋଇ ଲଳିତାଙ୍କ କୋଳରେ ଅଭୟପ୍ରେମାଶ୍ରୟ ନେଇଥିଲେ ବୋଲି କିମ୍ବଦନ୍ତୀ କହେ।

୨୦୦୩ ମସିହାରେ କଣ୍ଟିଲୋ ନିକଟସ୍ଥ “ଧାନ ଚେଙ୍ଗେଡା” ଗାଁରୁ ଗୋଟିଏ ତମ୍ବାଫଳକ ବା “ତାମ୍ର ଲିପି ମିଳିଛି।ସେଥିରୁ ନୀଳମାଧବ ମନ୍ଦିରର ନିର୍ମାଣକାଳ ସମ୍ବନ୍ଧରେ ଅନେକ କଥା ଜଣାପଡେ। “ଓଡିଶା ରିଭ୍ୟୁ” ଜୁନ୍,୨୦୦୯ ସଂଖ୍ଯାରେ ,ସାକ୍ଷୀଗୋପାଳ ମହାବିଦ୍ଯାଳୟର ତତ୍କାଳୀନ ଅଧ୍ୟକ୍ଷା ଶ୍ରୀମତୀ ଗୀତାଦେବୀ ଏକ ଗବେଷଣା ମୂଳକ ପ୍ରବନ୍ଧରେ ଏହି କଥା ଉଲ୍ଲେଖ କରିଛନ୍ତି ।ଏହି ପ୍ରବନ୍ଧ ନୀଳମାଧବ ମନ୍ଦିରର ନିର୍ମାଣ କାଳ ,କଣ୍ଟିଲୋ ଗ୍ରାମର ନାମକରଣ ଏବଂ ନୀଳମାଧବ ପୀଠର ସାମାଜିକ ପରିସ୍ଥିତି ପ୍ରଭୃତି ବିଷୟ ଉପରେ ଆଲୋକପାତ କରେ।

ସେ ଲେଖିଛନ୍ତି,କେତେକଙ୍କ ମତରେ କଣ୍ଟାପୂର୍ଣ୍ଣ ବଣ-ଜଙ୍ଗଲ ଘେରା ଅଂଚଳ ହୋଇଥିବାରୁ ନୀଳମାଧବ କ୍ଷେତ୍ରର ନାମ କଣ୍ଟିଲୋ ରଖାଯାଇଥିବ;କିନ୍ତୁ ଏହା ଅନୁମାନ ବ୍ୟତୀତ ଅନ୍ୟ କିଛି ନୁହେଁ।ବାସ୍ତବରେ ଏ ସ୍ଥାନ ମହାନଦୀ କୂଳରେ ଅବସ୍ଥିତ ଥିବାରୁ ଏକ ଉନ୍ନତ ବାଣିଜ୍ୟକେନ୍ଦ୍ର ଥିଲା।ଏଠାରେ ବୈଶ୍ୟ ଜାତିର ବେପାରୀମାନେ ‘ଦଣ୍ଡି’ ବା ‘କଣ୍ଟା’ରେ ପଣ୍ୟଦ୍ରବ୍ୟ ମାପି/ଓଜନ କରି ବଣିକ ମାନଙ୍କର ନୌକାପାଖରେ ମହାନଦୀ କୂଳରେ ପଇଠ କରୁଥିଲେ।ଏହି ‘କଣ୍ଟା’ ନାମକ ମାପ/ଓଜନ ଯନ୍ତ୍ର ବ୍ୟବହାର ଯୋଗୁଁ କାଳକ୍ରମେ ଏହି ବାଣିଜ୍ୟକ୍ଷେତ୍ରର ନାମ କଣ୍ଟିଲୋ ଦିଆଯାଇଥିଲା।

“ଧାନ ଚେଙ୍ଗେଡା” ଗାଁରୁ ମିଳିଥିବା ତାମ୍ରଲିପି,୯୩୯ ଖ୍ରୀଷ୍ଟାବ୍ଦରେ ଭଂଜ ବଂଶର ରାଜା ଶତ୍ରୁ ଭଂଜଙ୍କ ଦ୍ୱାରା ପ୍ରଚଳିତ ହୋଇଥିଲା।ଏହାର ପ୍ରାପ୍ତିସ୍ଥାନ କଣ୍ଟିଲୋ ନିକଟସ୍ଥ ଧାନଚେଙ୍ଗେଡା। କାଳିଆ ପଲ୍ଲୀ ଏଠାରୁ ଅନତି ଦୂରରେ ଅବସ୍ଥିତ। ଏହି ତାମ୍ରଲିପିରୁ ଅନୁମାନ କରାଯାଏ ଯେ କଣ୍ଟିଲୋ ଭଞ୍ଜବଂଶ ଅଧୀନରେ ଶାସିତ ହେଉଥିଲା। ଶତ୍ରୁଭଂଜ ପରମ ବୈଷ୍ଣବ ସଙ୍ଗେ ସଙ୍ଗେ ପରମ ଶୈବ ମଧ୍ୟ ଥିଲେ।

ଶତ୍ରୁଭଂଜ,ଶୀଳଭଂଜଙ୍କର ପୁତ୍ର ଏବଂ ବିଦ୍ୟାଧର ଭଂଜଙ୍କର ପୌତ୍ର ଥିଲେ। ତାଙ୍କର ଦ୍ବିତୀୟ ରାଜଧାନୀ ଥିଲା “ଗନ୍ଧାରାଡି”।ବୌଦ୍ଧଜିଲ୍ଲାରେ, ମହାନଦୀ କୂଳରେ ଏହି ଗନ୍ଧାରାଡିର “ଜହ୍ନପଙ୍କ” ଅଞ୍ଚଳରେ ଶତ୍ରୁଭଞ୍ଜ “ଚାରି ଶମ୍ଭୁ” ମନ୍ଦିର ନିର୍ମାଣ କରିଥିଲେ। ଏହା ଦଶମ ଶତାବ୍ଦୀରେ ଗଠିତ ଏକ ଦ୍ବୈତ-ମନ୍ଦିର। ଏଠାରେ ନୀଳମାଧବ ଏବଂ ସିଦ୍ଧେଶ୍ୱର ଶିବ ଗୋଟିଏ ପରିସରରେ ପୂଜା ପାଆନ୍ତି।କଣ୍ଟିଲୋ ଠାରେ ସ୍ଥିତ ନୀଳମାଧବଙ୍କ ମନ୍ଦିର ତାର ଅନୁରୂପ ।ତେଣୁ ଅନୁମାନ କରାଯାଏ ଯେ ଭଂଜବଂଶ ଦ୍ୱାରା ନୀଳମାଧବ ମନ୍ଦିର ଦଶମ ଶତାବ୍ଦୀରେ ନିର୍ମିତ ହୋଇଥିବ।

“ଗନ୍ଧାରାଡି” ଠାରେ ଥିବା ବିଷ୍ଣୁମୂର୍ତ୍ତି ଏବଂ ବ୍ରହ୍ମାଦ୍ରିର ବିଷ୍ଣୁ ମୂର୍ତ୍ତି ଭିତରେ କିଛିଟା ପ୍ରଭେଦ ପରିଲକ୍ଷିତ ହୁଏ।ଗନ୍ଧାରାଡି ବିଷ୍ଣୁ ଚତୁର୍ଭୁଜରେ ଶଙ୍ଖ,ଚକ୍ର,ଗଦା,ପଦ୍ମ ଧାରଣ କରିଛନ୍ତି, ମାତ୍ର ବ୍ରହ୍ମାଦ୍ରିନାଥ ନୀଳମାଧବ ଉପର ଦୁଇ ହାତରେ ଶଙ୍ଖ ଚକ୍ର ଧାରଣକରି ତଳ ଦୁଇ ହାତକୁ ପ୍ରିୟତମା ଲକ୍ଷ୍ମୀ ଏବଂ ସରସ୍ୱତୀଙ୍କ ମସ୍ତକ ଉପରେ ରଖିଛନ୍ତି ।ଏହି ପ୍ରଭେଦରୁ ଅନୁମାନ କରାଯାଏ ଯେ ମନ୍ଦିର ନୂତନ ଥିଲା କିନ୍ତୂ ମୂର୍ତ୍ତି ଥିଲେ ପୁରାତନ; ବୋଧହୁଏ ଏ ହେଉଛନ୍ତି ବିଶ୍ଵାବସୁ ପୂଜିତ “କାଳିଆ ମାଧବ”।

ଶ୍ରୀଯୁକ୍ତ ବାଳକୃଷ୍ଣ ଦାଶଙ୍କ “ଐତିହ୍ୟ ଖଣ୍ଡପଡ଼ା” ପୁସ୍ତକରେ ନୀଳମାଧବଙ୍କ ବିଷୟରେ ନିମ୍ନୋକ୍ତ ଭାବରେ ବର୍ଣ୍ଣନା କରାଯାଇଛି:——

“ଏକାଶୀତି ଅଙ୍ଗୁଳି ସେ ମୂର୍ତ୍ତି ପରିମାଣ,
ସ୍ବର୍ଣ୍ଣ ପଦ୍ମୋପରି କରିଛନ୍ତି ଅବସ୍ଥାନ।
ଶରୀର ହୋଇଛି ସିନା ପାଷାଣ ନିର୍ମିତ,
ସର୍ବଦା ଅଧର ଦେଶେ ହାସ ବିକଶିତ।
ପ୍ରଭୁଙ୍କର ବାମ ପାର୍ଶ୍ବେ ଲକ୍ଷ୍ମୀ ଦେବୀ ବିଜେ,
ପଦ୍ମହସ୍ତେ ଆଲିଙ୍ଗନ କରିବାକୁ ନିଜେ।
ଲାବଣ୍ୟ ଅଧରା ଦେବୀ କ୍ଷୀରୋଦ ନନ୍ଦିନୀ,
ବିଦ୍ୟଳଙ୍କାର ଭୂଷିତା ବୀଣା ହସ୍ତେ ଘେନି।
ଅନନ୍ତ ନାଗ ତାଙ୍କର ପଶ୍ଚାତ ଭାଗରେ,
ସପ୍ତଫଣା ଟେକିଛନ୍ତି ଯତ୍ନ ସହକାରେ।
ସମ୍ମୁଖରେ କରଯୋଡି ବିନତା ନନ୍ଦନ,
ଦର୍ଶନାର୍ଥେ ତହିଁ କରୁଛନ୍ତି ଅବସ୍ଥାନ।
ଗଙ୍ଗାନଦୀ(ଗୁପ୍ତ ଗଙ୍ଗା) ଯାର ପାଦପଦ୍ମେ ଲଭି ସ୍ଥାନ,
ପତିତ ହୋଇ କରୁଛି ଜଗତ ପାବନ।”

===================================
(କୁଳମଣି ଷଡଙ୍ଗୀ)

Click to rate this post!
[Total: 0 Average: 0]

Leave a Reply