Wednesday, February 28, 2024
Stories

ଆମ ଗାଁ ଆମ ଘର (୩୦)

ଆମ ଗାଁ ଆମ ଘର
(୩୦)

ସେତେବେଳେ ପୁରୀରେ ମୁଁ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟରେ ପଢୁଥାଏ। ଖରାଛୁଟିରେ ଆସିଥାଏ ଗାଁକୁ। ଆମେ କୁମ୍ଭାର ସାଇଆ ଓ ତଅଁଳା ସାଇଆ ମିଶି ଠିକ୍ କଲୁ ଗୋଟିଏ ନାଟକ ମଞ୍ଚସ୍ଥ କରିବୁ। ସେତେବେଳେ ସ୍ମାର୍ଟ ଫୋନ୍ ୟୁଟ୍ୟୁବ ଏବଂ ଟିଭି ଇତ୍ୟାଦି ଧରାପୃଷ୍ଠକୁ ଆସି ନଥିଲେ। ଗାଁ ଗହଳିରେ ନାଟକ ମଞ୍ଚସ୍ଥ ହେଲେ ଭାରି ଭିଡ ଜମୁଥିଲା। ବହିଟିଏ ମିଳିଗଲା “ବିଜୟୀ ପାଣ୍ଡବ”। ନିର୍ଦ୍ଦେଶନା କିଏ ଦବ ? ସେତେବେଳେ ଦାଣ୍ଡସାହିର ଲିଙ୍ଗା ଭାଇନା ଓ ବାସୁ ଭାଇନା ବଡ଼ ନିର୍ଦ୍ଦେଶକ ଥିଲେ। କିନ୍ତୁ ଆମ ମାଗୁଣି ଭାଇନା କ‌ହିଲେ..ଆମ ଭଳି ଅନାମଧେୟ କଳାକାର ମାନଙ୍କୁ କାହିଁକି ସେମାନେ ନିର୍ଦ୍ଦେଶନା ଦେବେ ?ଆମେ ତାଙ୍କ ଲାଙ୍ଗୁଡରେ ହାତ ମାରି ପାରିବାନି।” ଅଗତ୍ୟା ମୋ ଉପରେ ନିର୍ଦ୍ଦେଶନାର ଦାୟିତ୍ଵ ପଡ଼ିଲା।

ମାଗୁଣି ଭାଇନା ଆମର ‘ବାଡଭାଇ’।ବାଡଭାଇ କହିଲେ ସମସ୍ତେ ବୁଝି ପାରିବେନି,ସେଥିପାଇଁ ବୁଝେଇ ଦଉଚି।’ବାଡଭାଇ’ମାନେ ନିଜ ଜାତିର ସାଇଲୋକ;କାହାଘରେ କିଏ ମଲେ,ଶବ ପୋଡିବାପାଇଁ ‘ବାଡ ଭାଇ’ମାନେ ମାଲଭାଇ ହୋଇ ଆଗେଇ ଆସନ୍ତି।ବାହା ବ୍ରତ ଶ୍ରାଦ୍ଧ ଇତ୍ୟାଦି ଅବସରରେ ସେମାନଙ୍କୁ ହେଜାଯାଏ। ସରଳ ଭାଷାରେ କହିବାକୁ ଗଲେ,ବାଡଭାଇ ଗ୍ରୁପକୁ ଆଜିକାର ସମାଜସେବୀ ହ୍ୱାଟସ୍ ଆପ୍ ଗ୍ରୁପ୍ ସହିତ ତୁଳନା କରାଯାଇପାରେ।

ମାଗୁଣି ଭାଇନା ସମସ୍ତଙ୍କର ଭାଇନା,କିନ୍ତୁ ମୁଁ ତାଙ୍କୁ ଭାଇନା ଡାକିଲେ ସେ ନାପସନ୍ଦକରି କହୁଥିଲେ ‘ତୁ କଣ ମତେ ଭାଇନା ଡାକୁଚୁମ,ମୁଁପରା ତୋର ମାମୁଁ।କେମିତି କହିଲୁ?ତୋ ‘ଖତି’ ଖୁଡି ପରା କୁଟୁମ୍ବ ଲେଖାରେ ମୋ ନାନୀ ।ସେଇ ହିସାବରେ ତୁ ମୋର ଭଣଜା।’

ସମ୍ପର୍କର ଏ ଅଡୁଆ ସୁତାକୁ ମୁଁ ସଜାଡି ପାରେନି,ତେଣୁ ହଁ ହାଁ କରି ସେଠାରୁ ଖସିଯାଏ।ପୁଣି କିଛିଦିନପରେ ସେଇ ଭୁଲ୍ ହୁଏ; ମାଗୁଣି ଭାଇନା ବୋଲି ସମ୍ବୋଧନ କରେ ଏବଂ ମାଗୁଣି ଭାଇନାଙ୍କଠାରୁ ତାଗିଦା ପୁଣି ଥରେ ଶୁଣିବାକୁ ପଡେ।

ଏବେ ‘ବିଜୟୀ ପାଣ୍ଡବ’ ନାଟକକୁ ଆସିବା। ସମସ୍ତଙ୍କ ଅନୁରୋଧକୁ ସମ୍ମାନ ଦେଇ ମୁଁ ସିନା ନିର୍ଦ୍ଦେଶନା ଦାୟିତ୍ଵ ନେଲି, ଦେଖିଲା ବେଳକୁ କଳାକାରମାନଙ୍କ ପାଟିରେ ସଂଳାପ ପଶୁନି। ସମସ୍ତଙ୍କୁ କହିଲି…ଗୋଟେ କାମ କର,ଡାଇଲଗ୍ ଘୋଷି ଘାସି ଜଳଵତ୍ ତରଳ କରିଦିଅ।ତଅଁଳା ସାହିର ନଟିଆ ଦୁର୍ଯ୍ୟୋଧନ ରୋଲ୍ ଏବଂ ମାଗୁଣି ଭାଇନା ଯୁଧିଷ୍ଠିର ରୋଲ୍ କରୁଥାନ୍ତି। ନାଟକ ମଞ୍ଚସ୍ଥ ହେବା ଦିନ ଠିକ୍ ହେଇଗଲା।କୁମ୍ଭାର ସାହି ଶେଷରେ ଥିବା ପଡିଆକୁ ଚଂଛା ଚଂଛି କରି ଷ୍ଟେଜ୍ ବନ୍ଧା ହେଲା।ଷ୍ଟେଜ ଆଗରେ ଦର୍ଶକ ସେଦିନ ଖଚାଖଚ୍ ପୂର୍ଣ୍ଣ ହୋଇ ରହିଥିଲେ।

ପରଦା ଉଠିବା ପରେ ନଟିଆ ସଂଳାପ ପୂର୍ବରୁ ବ୍ରାକେଟ ଭିତରେ ଥିବା ସୂଚନା ମଧ୍ୟ ଘୋଷି ଦେଇ ରଙ୍ଗ ମଞ୍ଚରେ ପ୍ରବେଶ କରିବା ସମୟରେ ଉଚ୍ଚ ସ୍ବରରେ କହିଲା…ବ୍ରାକେଟ ଭିତରେ ଗଦା ବୁଲାଇ ବୁଲାଇ ଦୁର୍ଯ୍ୟୋଧନର ପ୍ରବେଶ ଏବଂ ଷ୍ଟେଜ୍ ଉପରେ ପଦାଘାତ।” ନଟିଆର ଏ ଡାଇଲଗ ଶୁଣି ନେପଥ୍ୟରେ ଥାଇ ମୋ ମୁଣ୍ଡ ଟିଣ।ନଟିଆ କହୁଥାଏ..ରେ ରେ ଧର୍ମନନ୍ଦନ ଯୁଧିଷ୍ଠିର,ଶୁଣ ଆରେମୂର୍ଖ ,ବିନା ଯୁଦ୍ଧେ ଦେବିନାହିଁ ସୂଚ୍ୟଗ୍ର ମେଦିନି।”

ସେତେବେଳକୁ ମାଗୁଣି ଭାଇନା କଡା ଗୁଣ୍ଡିଦିଆ ପାନ ଖିଲଟିଏ ପାଟିରେ ପୁରେଇଚନ୍ତି।କଳରେ କଳେ ଛେପ।ଡାଇଲଗ କହିବାକୁ ବଡ ଅସୁବିଧା ହେଲା।ଷ୍ଟେଜ୍ ଉପରେ ଟିକିଏ ଆଗକୁ ଆସି ତଳକୁ ପଚ୍ କରି ପାନଛେପ ପକେଇଦେଲେ।ତାହାର ଛିଟିକା ଜଣେ ଦର୍ଶକ ଉପରେ ପଡିବାରୁ ସେ ଡିଆଁଟାଏ ମାରି ସେଠାରୁ ଭାଗିସ୍।

ଏ ଘଟଣା ନିର୍ଦ୍ଦେଶକ ମହାଶୟଙ୍କୁ ଅର୍ଥାତ୍ ମୋତେ କ୍ରୋଧାନ୍ୱିତ କଲା।ଅନ୍ତରାଳରୁ ଯୁଧିଷ୍ଠିରଙ୍କୁ ଠାରରେ ପାନଟି ପାଟିରୁ ବାହାର କରି ସଂଳାପ କହିବାପାଇଁ ଇସାରା ଦେଲି।କିନ୍ତୁ ମାଗି ଭାଇନା ପାନଟି ହରାଇବା ମୁଡ୍’ରେ ନଥିଲେ।

ନିର୍ଦ୍ଦେଶକଙ୍କ ଇସାରା, ଦୁର୍ଯ୍ୟୋଧନ ଭୂମିକାରେ ଅବତୀର୍ଣ୍ଣ ନଟିଆ ଜାଣିପାରିଲା।ତାର ମାଗି ଭାଇନାଙ୍କ ଉପରେ ଆଗରୁ ରାଗ ଥିଲାନାକଣ,ବୀର ବିକ୍ରମରେ ପୁଣି ସଂଳାପ ଝାଡିଲା “ଆରେ ମୂର୍ଖ ପ୍ରଥମ ପାଣ୍ଡବ,ବୁଝିପାରୁନାହୁଁ ନିର୍ଦ୍ଦେଶକଙ୍କ ଇଙ୍ଗିତ?ପୂଜ୍ୟପୂଜା ବ୍ୟତିକ୍ରମ ଶାସ୍ତି ଘେନ ମୂର୍ଖ।”ଏହା କହି ମାଗୁଣି ଭାଇନାଙ୍କ ବାଁ’ଗାଲକୁ ଏକ ଶକ୍ତ ଚାପୁଡାମାରନ୍ତେ ,ପାଟିରେଥିବା ଅଧାଚୋବା ପାନ ଖିଲିଟି ବାହାରିଯାଇ ଷ୍ଟେଜ୍ ତଳେ ପଡିଲା।

ମାଗୁଣି ଭାଇନାଙ୍କୁ ସମ୍ଭାଳେ କିଏ।ଭାଇନା ଚିଲ୍ଲେଇଲେ “ଆବେ ନଟ କଣ କଲୁ,ମୋ ଟଙ୍କିକିଆ ପାନ ଖଣ୍ଡକ ଚାପୁଡାମାରି ତଳେ ପକେଇ ଦେଲୁ?ଏମିତି ଡାଇଲଗ୍ କୋଉ ବହିରେ ଅଛିବେ?”

ଯୁଧିଷ୍ଠିର ଏବଂ ଦୁର୍ଯ୍ୟୋଧନଙ୍କର ଏ ଡାଇଲଗ୍ ଶୁଣି ଦର୍ଶକ ହୋ ହୋ ହୋଇ ଡେଇଁଲେ।ଟେକା ପଥର ଓ ଚଉକି ଷ୍ଟେଜ୍ ଉପରକୁ ଫୋପାଡିବାକୁ ଲାଗିଲେ।ପ୍ରାଣ ବିକଳରେ, ଯୁଧିଷ୍ଠିର ଏବଂ ଦୁର୍ଯ୍ୟୋଧନ ରୋଲ୍ କରୁଥିବା ମାଗିଭାଇନା ଓ ନଟିଆ ଷ୍ଟେଜ ଛାଡି ଚମ୍ପଟ୍।ପରଦା ପକେଇ ଉଦ୍ୟୋକ୍ତା ଓ କଳାକାରମାନେ ଯେ’ଯାହାର ନିରାପଦ ଦୂରତାରେ ରହିଲେ।କିଛି ସମୟ ପରେ ଦର୍ଶକମାନଙ୍କୁ ବୁଝାଶୁଝାକରି, ନାଟକଟି ଯେନତେନ ପ୍ରକାରେ ମଞ୍ଚସ୍ଥ କରାଗଲା।

ତା’ପରଦିନ ମାଗି ଭାଇନା ଗୁଡାଖୁ ଘଷିଘଷି କୁସୁମୀ କୁଳକୁ ପୋଖରିପାଣି ଯିବା ଅବସରରେ ଚିରାଚରିତ ଭୁଲ୍ କରି ଡାକିଦେଲି ” ମାଗି ଭାଇନା”। ଭାଇନା କୃତ୍ରିମ ରାଗରେ ମୋ ପିଠିରେ ଚପେଟାଘାତକରି କହିଲେ “କେତେଥର କହିବି ଯେ ମୁଁ ତୋର ମାମୁଁ ?”

ଭୁଲ୍ ସୁଧାରି କହିଲି “ଭୁଲ୍ ହେଇଗଲା,ଆଉ ସେମିତି ହବନି;ଯେ ମାମୁଁ ତମେ କାଲି କଳରେ ପାନ ଜାକି କିମିତି ଷ୍ଟେଜ୍ ଉପରକୁ ଯାଉଥିଲ?”
ମାଗୁଣି ଭାଇନା/ମାମୁଁ କହିଲେ “କଣଟେ ହେଇଗଲା ସେଠୁଁ।ଯୁଧିଷ୍ଠିର ରଜାଟେ ନା ନାଇଁ ?ରଜାଟେ ହେଇକି ପାନଖଣ୍ଡେ ଖାଇପାରିବନି ? କୋଉ ମହାଭାରତରେ ନେଖା ହେଇଚି ଯେ ଯୁଧିଷ୍ଠିର ପାନ ଖାଉନଥିଲେ ?ସେମିତି ନେଖା ଯଦି କୋଉଠି ପାଇବୁ,ମତେ ଦେଖେଇବୁ।”

ଏ ଭିତରେ ଅନେକ ବର୍ଷ ବିତିଗଲାଣି।ଉଚ୍ଚଶିକ୍ଷା ପରେ ଚାକିରୀ ଏବଂ ଚାକିରୀରୁ ଅବସର ନେବାର ଆଜିକି ଦଶବର୍ଷ ହେଲାଣି।
ମାଗୁଣି ଭାଇନା ଉର୍ଫ ମାମୁଁଙ୍କୁ ଏବେ ଅଶୀବର୍ଷ ଉପରେ ବୟସ।ଗାଁକୁ ଯିବା ଅବସରରେ ଥରେ ମୁହାଁମୁହିଁ ହେଲା। ମାଗୁଣି ଭାଇନା/ମାମୁଁ କହିଲେ “ମତେ ଆଉ ଦୁଶୁନିରେ ପୁଅ।ମନେ ରଖିଚୁ ମତେ ?”

ହସି ହସି କହିଲି “ମାମୁଁ ଯେତେଦିନ ପର୍ଯ୍ୟନ୍ତ ‘ବିଜୟୀ ପାଣ୍ଡବ’ ନାଟକ ମନେଥିବ ସେତେଦିନ ତମେ ମନେଥିବ।”ଟିକିଏ ହସିଦେଇ ମାଗୁଣି ମାମୁଁ କହିଲେ “ଏତେ ମହାଭାରତ ପଢିଲି,କୋଉଠି ଲେଖାହେଇନି ଯେ ଯୁଧିଷ୍ଠିର ପାନ ଖାଉନଥିଲେ।ସେ ଯାହାହଉ,ମୁଁ ବହୁତ୍ ଦିନହେଲା ଗୁଣ୍ଡିପାନ ଆଉ ଗୁଡାଖୁ ଘସା ଛାଡିଦେଇଚି,କାହିଁକିନା ସେକାଳର ଚୁଆଗୁଣ୍ଡି ମିଳୁନି କି ଗୁଡାଖୁ ବି ମିଳୁନି।”

Click to rate this post!
[Total: 0 Average: 0]

Leave a Reply