Sunday, June 23, 2024
Stories

ଆମ ଗାଁ ଆମ ଘର (୨୯)

ଆମ ଗାଁ ଆମ ଘର
୨୯
==================================
ଆମ ଗାଁ ରାଜପରିବାରର ଚେର
==================================
ଆମ ଗାଁ ଖଣ୍ଡପଡ଼ାର ରାଜପରିବାର ଆମକୁ ଦୀର୍ଘ ତିନିଶହ ପଚାଶ ବର୍ଷଧରି ଶାସନ କରିଆସୁଥିଲେ(୧୫୯୯ ରୁ ୧୯୪୭)। ଖଣ୍ଡପଡ଼ାର ସାମାଜିକ , ସାଂସ୍କୃତିକ ଅର୍ଥନୈତିକ ଓ ରାଜନୈତିକ ଉତ୍ଥାନ ପତନରେ ଏହି ରାଜପରିବାରର ଭୂମିକା ଅନସ୍ବୀକାର୍ଯ୍ୟ।୧୫୯୯ ମସିହାରେ ସିନା ଯଦୁନାଥ ମଙ୍ଗରାଜ ଦଶଖଣ୍ଡ ପଡ଼ାକୁ ଏକତ୍ରିତ କରି ଖଣ୍ଡପଡ଼ା ରାଜ୍ୟର ସୃଷ୍ଟି କଲେ, କିନ୍ତୁ ତାଙ୍କ ବଂଶର ଚେର କେତେଦୂର ମାଡିଥିଲା ତାକୁ ଖୋଜି ବାହାର କରିବା ପାଇଁ ଆଗ୍ରହ ବଢିଵା ସ୍ବଭାବିକ।ବିଶେଷତଃ ମୋ ପାଇଁ ଆବଶ୍ୟକ କାରଣ ମୁଁ ନିଜକଥା ଓ ଗାଁ କଥା ଆପଣଙ୍କ ଆଗରେ ବଖାଣ କରୁଚି; କାହିଁକି କରୁଚି ଜାଣେନି, କିନ୍ତୁ ଆପଣ ଆଗ୍ରହ ସହିତ ପଢୁଛନ୍ତି ବୋଲି ମୋର ମନେ ହେଉଛି।

ଖଣ୍ଡପଡ଼ା ରାଜବଂଶର ଚେର ଖୋଜି ଖୋଜି ଆମକୁ ତ୍ରୟୋଦଶ ଶତାବ୍ଦୀକୁ ଯିବାକୁ ପଡିବ। ନୟାଗଡ଼ର ପ୍ରଥମ ଇତିହାସକାର କୈଳାସ ଚନ୍ଦ୍ର ପାଣିଗ୍ରାହୀ, ଐତିହାସିକ ପ୍ରାଣକୃଷ୍ଣ ଆଚାର୍ଯ୍ୟ, ଐତିହାସିକ କୃପାସିନ୍ଧୁ ମିଶ୍ର ଏବଂ ବ୍ରିଟିଶ କମିଶନର Ramsay Copdenଙ୍କ ମତ(Feudatory States of Odisha) ଉପରେ ଆମର ଏହି ନିମ୍ନଲିଖିତ ତଥ୍ୟ ଆଧାରିତ।

ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳକୁ ଛାଡ଼ିଦେଲେ ଅନ୍ୟ ସମସ୍ତ ଅଞ୍ଚଳ ପାହାଡ଼ ପର୍ବତ ଘେରା ହୋଇ ରହିଥିଲା। ସେଠାରେ ବସବାସ କରୁଥିବା ଜନସାଧାରଣ ବନବାସୀ କନ୍ଧ,କୋହ୍ଲ, ସାନ୍ତାଳୀ, ଭୁଆଁ ଓ ଡମ ଇତ୍ୟାଦି ଜାତିର ଥିଲେ। ସେମାନଙ୍କ ପ୍ରତିନିଧି ନିଜ ବାହୁବଳରେ ଗୋଟିଏ ଗୋଟିଏ ଅଞ୍ଚଳ ନିଜ ଅଧିକାରଭୁକ୍ତ କରି ଶାସନ କରୁଥିଲେ।ସେମାନଙ୍କୁ ‘ଗଡତିଆ’ ବୋଲି କୁହାଯାଉଥିଲା। ସେମାନେ ପ୍ରଜାପ୍ରପୀଡକ ଥିଲେ।ଏହା ଥିଲା ଦ୍ଵାଦଶ/ତ୍ରୟୋଦଶ ଶତାବ୍ଦୀରେ ନୟାଗଡ଼/ଖଣ୍ଡପଡ଼ା/ଦଶପଲ୍ଲା/ରଣପୁର ଆଦି ଅଞ୍ଚଳର ଚିତ୍ର।

୧୨୫୫ ରୁ ୧୩୫୦ ମସିହା ଭିତରେ, ମଧ୍ୟପ୍ରଦେଶର ରେଓ୍ବା ରାଜବଂଶର ସୂର୍ଯ୍ୟମଣି ସିଂହ ଏବଂ ଚନ୍ଦ୍ରମଣି ସିଂହ ନାମକ ଦୁଇ ଭାଇ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ପୁରସ୍ତମ କ୍ଷେତ୍ରକୁ ଯାତ୍ରା କଲେ।ବାଟରେ ବଣପାହାଡ ଅଧ୍ୟୁଷିତ ରଳବ ନାମକ ଗୋଟିଏ ସ୍ଥାନରେ ସେମାନେ ବିଶ୍ରାମ ନେଲେ। ଗୋଟିଏ ବାଘ ସେ ସମୟରେ ରଳବରେ ଉତ୍ପାତ କରୁଥାଏ। ସେହି ବାଘଟି ମାରି ରଳବବାସୀଙ୍କ ମନରେ ଦୁଇଭାଇ ବିଶ୍ଵାସ ସୃଷ୍ଟି କଲେ। ପ୍ରଥମେ ସେ ଦୁହେଁ ନୟାଗଡ଼ ଜିଲ୍ଲାର ବାହାଡାଝୋଲା ନିକଟସ୍ଥ ଗୁନାନଟୀ ଠାରେ ଅବସ୍ଥାନ କଲେ।ପରେ “ହରିପୁର” ନାମକ ଗଡରେ ଯାଇ ରହିଲେ।ହରିପୁର ଗଡର ପ୍ରତ୍ୟକ୍ଷ ଠାକୁରାଣୀ ଥିଲେ ମା’ରାମଚଣ୍ଡୀ। ରାମଚଣ୍ଡୀଙ୍କ ମାଳି ପୂଜକ ସହିତ ଆନ୍ତରିକ ଭାବ ସୃଷ୍ଟି ହେଉ ହେଉ ପୂଜକଙ୍କ ସୁନ୍ଦରୀ କନ୍ୟାଙ୍କ ପ୍ରେମରେ ପଡିଗଲେ ସୂର୍ଯ୍ୟମଣି ଏବଂ ତାଙ୍କୁ ବିବାହ କଲେ।ମାଳିବଂଶର କନ୍ୟାକୁ ବିବାହ କରିବାଟା ସାନଭାଇ ଚନ୍ଦ୍ରମଣିଙ୍କୁ ପସନ୍ଦ ଆସିଲା ନାହିଁ। ତେଣୁ ସେ ସେ ସ୍ଥାନ ତ୍ୟାଗକରି ଘୋଡ଼ା ଚଢ଼ି ଚାଲିଗଲେ। ବାଣପୁର ରାଜାଙ୍କ ସହାୟତାରେ ଚନ୍ଦ୍ରମଣି ଗଞ୍ଜାମ ଜିଲ୍ଲାର ଆଠଗଡ଼ ପାଟଣାରେ ରାଜୁତି କଲେ।

ଏଣେ ସୂର୍ଯ୍ୟମଣିଙ୍କର ମାଳିକନ୍ୟା ସହିତ ବିବାହ ଉଦ୍ଦେଶ୍ୟମୂଳକ ଥିଲା।ସେ ସମୟରେ ହରିପୁର ଗଡର ‘ଗଡତିଆ’ ବା ଶାସକଙ୍କର ପୂଜକଙ୍କ ପ୍ରତି ଅଗାଧ ସମ୍ମାନ ଥିଲା।ପୂଜକଙ୍କ ମାଧ୍ୟମରେ ସୂର୍ଯ୍ୟମଣି ଗଡତିଆଙ୍କ ବିଶ୍ବାସ ଭାଜନ ହେଲେ। ସୁଯୋଗ ଦେଖି ତାଙ୍କୁ ହଟେଇ ଗାଦି ମାଡିବସିଲେ ଏବଂ ରଳବଠାରେ ଗଡ଼ ପ୍ରତିଷ୍ଠା କରି ଶାସନ କଲେ। ‘ଗଡତିଆ’ ଅତ୍ୟାଚାରୀ ଥିବାରୁ ଏହି ରାଜନୈତିକ ପରିବର୍ତ୍ତନକୁ କେହି ବିରୋଧ କଲେନାହିଁ।ମାଳିକନ୍ୟାକୁ ବିବାହ କରିଥିବାରୁ ନୟାଗଡ ରାଜଗାଦିକୁ “ମାଳିଗାଦି” ବୋଲି କୁହାଯାଏ। କିନ୍ତୁ ଅନ୍ୟ କେତେକଙ୍କ ମତ ଅନୁଯାୟୀ ବାସ୍ତବରେ ସୂର୍ଯ୍ୟମଣି ପରେ ରେଓ୍ବା ରାଜବଂଶର ଏକ କ୍ଷତ୍ରିୟ କନ୍ୟାଙ୍କୁ ବିବାହ କରିଥିଲେ ଏବଂ ତାଙ୍କ ଔରସରୁ ଜନ୍ମ ହୋଇଥିବା ପୁତ୍ର ଗୋବିନ୍ଦ ସିଂହ ୧୨୮୩ ଖ୍ରୀଷ୍ଟାବ୍ଦରେ ରଳବଗଡର ଦ୍ବିତୀୟ ରାଜା ଭାବରେ ଗାଦିସିନ ହୋଇଥିଲେ।ଅତଃ ନୟାଗଡ ରାଜଗାଦିକୁ ମାଳିଗାଦି କହିବା ଉଚିତ୍ ନୁହେଁ। ଇତିହାସ ଓ କିମ୍ବଦନ୍ତୀ ମଝିରେ ଥିବା ପରଦା ଯଦି ସୂକ୍ଷ୍ମ ହୋଇଯାଏ,ଏହିପରି ପରିଣାମ ଉପୁଜେ।

ସୂର୍ଯ୍ୟମଣି ସିଂହଙ୍କ ଦ୍ଵାରା ମହାବଳ ବାଘ ଶିକାର କରାଯାଇଥିବାରୁ ରାଜ୍ୟର ଚିହ୍ନ ଭାବରେ ମହାବଳ ବାଘମୁଣ୍ଡ ସ୍ଥିର କରାଯାଇଥିଲା। ସଂଗୃହିତ ତଥ୍ୟ ଅନୁସାରେ ନୟାଗଡ ରାଜବଂଶରେ ଯେଉଁ ରାଜାମାନେ ରାଜୁତି କରୁଥିଲେ ସେମାନଙ୍କ ରାଜୁତି ବିଷୟରେ କିଛି ତଥ୍ୟ ପରୋଷା ଗଲା।
୧.ରାଜା ସୂର୍ଯ୍ୟମଣି ସିଂହ(୧୨୫୫-୧୨୮୩)ଙ୍କ
(ରଳବ ଗଡ଼ ସ୍ଥାପନ).
୨.ରାଜା ଗୋବିନ୍ଦ ସିଂହ(୧୨୮୩-୧୩୧୩)
୩.ରାଜା ଧନୁଜ/ଧେନୁକା ସିଂହ.(୧୩୧୩-୧୩୩୫)
୪.ରାଜା ଶିଙ୍ଘଲ ସିଂହ.(୧୩୩୫-୧୩୪୯)
୫.ରାଜା ହରିହର ସିଂହ.(୧୩୪୯-୧୩୯୦)
୬.ରାଜା ଭଦ୍ର ସିଂହ.(୧୩୯୦-୧୪୨୦)
୭.ରାଜା ଗନ୍ଧ ସିଂହ.(୧୪୨୦-୧୪୫୦)
୮ ରାଜା ଘନଶ୍ୟାମ ସିଂହ.(୧୪୫୦-୧୪୮୦)
୯.ରାଜା ବାଘାସିଂହ(୧୪୮୦-୧୫୧୦)।
ବାଘା ସିଂହଙ୍କ ଦ୍ୱାରା ନିଜିଗଡ଼ (ଆଜିର ନୟାଗଡ଼) ସହର ସ୍ଥାପନ କରାଯାଇଥିଲା। ରଳବଗଡ଼ରୁ ରାଜଧାନୀ ସ୍ଥାନାନ୍ତର କରିବାପରେ, ନିଜ ନାମ ଅନୁସାରେ ରାଜ୍ୟର ନାମ ସେ ରଖିଥିଲେ “ବାଘା ନୟାଗଡ଼” ବା “ବାଘୁଆ ନୟାଗଡ଼”।
୧୦). ରାଜା କୁତବନ ସିଂହ( ୧୫୧୦-୧୫୩୫)
୧୧). ରାଜା ଟାକୁଳ/ତନୁକୁଳ ସିଂହ.(୧୫୩୫-୧୫୬୫)

୧୨). ରାଜା ରଘୁନାଥ ସିଂହ ମାନ୍ଧାତା(୧୫୬୫-୧୫୯୫)ଙ୍କ
ପରେପରେ ଖଣ୍ଡପଡ଼ା ଗଡ଼ର ସ୍ଥାପନ ହୋଇଥିଲା।ରାଜାଙ୍କର ଦୁଇପୁତ୍ରଙ୍କ ନାମ ଥିଲା ହରିହର ସିଂହ ଏବଂ ଯଦୁନାଥ ସିଂହ ମଙ୍ଗରାଜ। ହରିହର ସିଂହ ନୟାଗଡ଼ ରାଜଗାଦିରେ ବସିଲେ ଏବଂ ଯଦୁନାଥଙ୍କୁ ଚାରିଖଣ୍ଡ ଗାଁ’ର ଅଧିକାର ଦେଇଥିଲେ।ପରେ ଯଦୁନାଥ ମଙ୍ଗରାଜ ସମୁଦାୟ ଦଶଟି ପଡା ନିଜ ଅଧିକାରଭୁକ୍ତ କରି ଖଣ୍ଡପଡ଼ା ରାଜ୍ୟ ସ୍ଥାପନ କଲେ।
ଯଦୁନାଥଙ୍କ ପରେ ଆମ ରାଜ୍ୟ ଖଣ୍ଡପଡ଼ାରେ ରାଜୁତି କଲେ ଆଉ ବାର ଜଣ ରାଜା। ସେମାନେ ଥିଲେ ନାରାୟଣ ସିଂହ ମଙ୍ଗରାଜ, ବାଲୁଙ୍କେଶ୍ୱର ସିଂହ ମଙ୍ଗରାଜ, ବନମାଳୀ ସିଂହ ମର୍ଦ୍ଦରାଜ, ବୈରାଗୀ ସିଂହ ମର୍ଦ୍ଦରାଜ, ନୀଳାଦ୍ରି ସିଂହ ମର୍ଦ୍ଦରାଜ, ନୃସିଂହ ମର୍ଦ୍ଦରାଜ, ପୁରୁଷୋତ୍ତମ ସିଂହ ମର୍ଦ୍ଦରାଜ, କୃଷ୍ଣଚନ୍ଦ୍ର ସିଂହ ମର୍ଦ୍ଦରାଜ, କୁଞ୍ଜବିହାରୀ ସିଂହ ମର୍ଦ୍ଦରାଜ,ନଟବର ସିଂହ ମର୍ଦ୍ଦରାଜ, ରାମଚନ୍ଦ୍ର ସିଂହ ମର୍ଦ୍ଦରାଜ ଏବଂ ହରିହର ସିଂହ ମର୍ଦ୍ଦରାଜ। ଏମାନେ ସମସ୍ତେ ରାଜ୍ୟ ଶାସନରେ ସମ୍ପୂର୍ଣ୍ଣ ସ୍ବାଧୀନତା ପାଇଥିଲେ ମଧ୍ୟ ଗଜପତି ରାଜାଙ୍କ ପ୍ରତି ଆନୁଗତ୍ୟ ସ୍ବୀକାର କରି ତାଙ୍କ ଅଧୀନରେ ପାରିଦଣ୍ଡ ରାଜା ହିସାବରେ ଶାସନ କରୁଥିଲେ।

୨୪୪ ବର୍ଗମାଇଲ ପରିମିତ ଖଣ୍ଡପଡ଼ା ରାଜ୍ୟର ଉତ୍ତର ସୀମାରେଖା ଥିଲା ଉତ୍କଳଗଙ୍ଗା ମହାନଦୀ, ଦକ୍ଷିଣରେ ନୟାଗଡ ରାଜ୍ୟ, ପଶ୍ଚିମରେ ଦଶପଲ୍ଲା ଏବଂ ଉତ୍ତରରେ ବାଙ୍କୀ ରାଜ୍ୟ। ମହାନଦୀ କୂଳେକୂଳେ ଉର୍ବର ଶସ୍ୟ ଶ୍ୟାମଳା କୃଷି କ୍ଷେତ୍ର, ଦକ୍ଷିଣ ଓ ପଶ୍ଚିମରେ ଥିଲା ଶାଳବଣ ଘେରା ପାହାଡ଼ ପର୍ବତର ଅପରୂପ ସୌନ୍ଦର୍ଯ୍ୟ।ସମତଳ ଭୂମିରେ ରହିଥିଲା ସୁଦୂରପ୍ରସାରି ଆମ୍ବ ଓ ପଣସ ବଗିଚା।
ରାମସେ କୋବଦେନ୍’ଙ୍କ ଫ୍ୟୁଡେଟୋରୀ ଷ୍ଟେଟସ୍ ଅଫ୍ ଓଡ଼ିଶା ପୁସ୍ତକ’ରୁ ତତ୍କାଳୀନ ସାମାଜିକ ଜୀବନ ବିଷୟରେ ଅନେକ କଥା ଜାଣିବାକୁ ମିଳେ। ଓଡ଼ିଶାର ତତ୍କାଳୀନ ଇତିହାସରେ ରୁଚି ରଖୁଥିବା ପାଠକ ମାନଙ୍କପାଇଁ ତାହା ଗୁରୁତ୍ୱପୂର୍ଣ୍ଣ ତଥ୍ୟ।ତା ଭିତରୁ ଗୋଟିଏ ତଥ୍ୟ ହେଲା ଯେ ଖଣ୍ଡପଡ଼ା ରାଜ୍ୟର ପରିମିତି ସେ ସମୟରେ (୧୯୦୯ ମସିହାରେ) ଥିଲା ୧,୫୬,୧୬୦ ଏକର।ତା’ଭିତରୁ ଜଙ୍ଗଲ ଆଚ୍ଛାଦିତ ଅଞ୍ଚଳ ଥିଲା ୭୬୯୭୦ ଏକର; ଅର୍ଥାତ୍ ପ୍ରାୟ ୫୦ ପ୍ରତିଶତ ଅଞ୍ଚଳ ଜଙ୍ଗଲ ଅନ୍ତର୍ଭୁକ୍ତ ଥିଲା। ସେଥିପାଇଁ ସେ ସମୟରେ ଉଦ୍ଭିଦ ଓ ପ୍ରାଣୀ ଜଗତର(flora and fauna) ପ୍ରାଚୁର୍ଯ୍ୟ ଥିଲା;ଥିଲା ଶୀତଦିନେ ଏଣ୍ଡି ଚାଦର ଭିତରେ ହାଡ଼ଭଙ୍ଗା ଶୀତର ମଜା।ଆମ ପିଲାବେଳେ ମଧ୍ୟ(୧୯୫୦ ରୁ ୧୯୬୬ ମସିହା ଭିତରେ) ଖରାଦିନେ ପାରା(mercury)୩୨/୩୩ ଡିଗ୍ରୀ ଭିତରେ ରହୁଥିଲା।ଏବେ ସରକାରଙ୍କ ଜଙ୍ଗଲ ଆଇନ୍’ର ବନ୍ଧ ଖୁବ୍ ଟାଣୁଆ; କିନ୍ତୁ ଭିତରେ ଗଳିଆ ପଡ଼ିଯାଇଛି;ସବୁ ପାଣି ଖଲାସ୍।୫୦ ପରସେଣ୍ଟ ଜଙ୍ଗଲ ପରିମାଣ ଏବେ ଖସି ଆସି ୩୫ରେ ପହଞ୍ଚିଛି। ସୂର୍ଯ୍ୟ ଦେବତା ସେଥିପାଇଁ ରାଗିପାଚି ପରସ୍ତ ପରସ୍ତ କରି ଧୁଳେଇ କରୁଛନ୍ତି।ରାଜୁଡା ସମୟରେ କାଠ ଚୋରଙ୍କୁ ରାଜା ଧୁଳେଇ କରୁଥିଲେ ବୋଲି ଜଙ୍ଗଲ ଆଇନ୍ ବଳବତ୍ତର ଥିଲା, ପଶୁପକ୍ଷୀ ଭରପୁର ରହିଥିଲେ।ଏବେ ବାଇଆ ବସା ନାହିଁ କି ବାଇଚଢେଇ ନାହିଁ। ନାଁ ଅଛି ଚାଳଘର, ନାଁ ଘରଚଟିଆ। ପ୍ରଗତିର ଇଏ ମଧ୍ୟ ଗୋଟିଏ ରୂପ।ଆମେ ବହୁତ ପ୍ରଗତି କରିଛୁ।ଆମ ଗାଁରେ ଚାଳଘରଟିଏ ଦେଖିବାକୁ ସାତ ସପନ। ମୋ କଥା ଶୁଣି କିଛି ବନ୍ଧୁ କହିବେ ଦେଶର ପ୍ରଗତି ଦେଖି ତୁମ ଦେହ ସହୁନି। ଠିକ୍ ଅଛି ଭାଇ,ତୁମର ପ୍ରଗତି ହେଉ, କିନ୍ତୁ ଆମ ବାଇଚଢେଇ,ଆମ ଘରଚଟିଆ,ଆମ ଗୋବରା ଚଢ଼େଇ,ଆମ ଫୁଲଚୁଇଁ ଚଢେଇ ଆମକୁ ଫେରେଇଦିଅ।ଫେରେଇ ଦିଅ ଆମକୁ ଢ଼ିଙ୍କି ଓ ଢିଙ୍କିକୁଟା ନାଲି ଚାଉଳ।
ଏତେ ଭାବପ୍ରବଣ ହେବାଟା ଠିକ୍ ନୁହେଁ ନାଁ ? ଆଚ୍ଛା, ଠିକ୍ ଅଛି ଆଜି ଏତିକି…
କ୍ରମଶଃ….

Click to rate this post!
[Total: 0 Average: 0]

Leave a Reply