Friday, February 23, 2024
Stories

ଆମ ଗାଁ ଆମ ଘର (୨୬)

ଆମ ଗାଁ ଆମ ଘର
୨୬
===================================
କାଳବୈଶାଖୀ
====================================
ମାର୍ଚ୍ଚ ମାସରୁ ଆରମ୍ଭକରି ମୌସୁମୀ ପଦାର୍ପଣ କରିବା ପର୍ଯ୍ୟନ୍ତ ଓଡ଼ିଶା, ବଙ୍ଗଳା, ବିହାର, ଝାଡଖଣ୍ଡ, ଛତିଶଗଡ଼ ଏବଂ ଆସାମ ଆଦି ପୂର୍ବୋତ୍ତର ଅଞ୍ଚଳରେ ଯେଉଁ ଭୀଷଣ ଝଡ-ତୋଫାନ ସହିତ ବର୍ଷା ହୁଏ ତାକୁ କାଳବୈଶାଖୀ କହନ୍ତି।ବେଳେବେଳେ ଭୟଙ୍କର ରୂପ ନେଇ ଗଛପତ୍ର ଉପାଡ଼ି ପକାଏ, ରାସ୍ତାଘାଟ ବନ୍ଦ କରିଦିଏ ;ଭୀଷଣ ଚଟଚଡିରେ ଗାଈଗୋରୁ ମରନ୍ତି,ଜନଜୀବନ ଅସ୍ତବ୍ୟସ୍ତ ହୋଇଯାଏ; ଝାଟିମାଟି କୁଡ଼ିଆଘର ମାଟିରେ ମିଶିଯାଏ। କାଳବୈଶାଖୀ ଆସିଲେ ନନା(ବାପା) ନିଜେ ତ ଘର ଭିତରେ ଲୁଚନ୍ତି ଆଉ ଆମ ଭାଇଭଉଣୀ ସମସ୍ତଙ୍କୁ କହନ୍ତି ବାହାରୁ ଆସି ଘରଭିତରେ କବାଟ ବନ୍ଦକରି ରହିବାପାଇଁ।କାଳବୈଶାଖୀକୁ ନନା ଏମିତି ଭୟ କରିବାର କାରଣ ଅଛି।

ନନା ଯେତେବେଳେ ସ୍କୁଲ୍ ସବ୍’ଇନ୍ସପେକ୍ଟର୍ ଥିଲେ ସେହି ସମୟର କଥା। ମାର୍ଚ୍ଚ କିମ୍ବା ଏପ୍ରିଲ ମାସ ହେବ।ଦିନେ ସ୍କୁଲ୍ ପରିଦର୍ଶନ ପରେ ଘରକୁ ଫେରୁଥିଲେ।ବାଟରେ ଏମିତି ଯାଗାରେ କାଳବୈଶାଖୀ ହାବୁଡ଼ରେ ପଡିଗଲେ ଯେ ଆଖପାଖରେ ଘରଦ୍ୱାର ଗାଁ ଗଣ୍ଡା କିଛି ନଥିଲା।ନିକଟରେ ଥିବା ଗୋଟିଏ ଝଙ୍କାଳିଆ ଶିରିଷ ଗଛ ତଳେ ଆଶ୍ରୟ ନେଲେ।ପବନ ବଢିବା ସଙ୍ଗେ ସଙ୍ଗେ ବର୍ଷା ମଧ୍ୟ ଆରମ୍ଭ ହୋଇଯାଇଥାଏ। ସାଇକେଲ ପଛପଟେ ଥିବା ବ୍ୟାଗରୁ ଗାମୁଛାଟି ବାହାରକରି ମୁଣ୍ତରେ ପକେଇ,ସାଇକେଲଟି ଗଛକୁ ଆଉଜେଇ ଗଛରୁ ଚାରି ହାତ ଛାଡି ଠିଆହେଲେ।ପବନର ବେଗ ବଢିଯାଇଥାଏ।ଆକାଶରେ କଳାହାଣ୍ଡିଆ ମେଘ।ଝଡଝଞ୍ଜା ମାଡି ଆସୁଛି ଟାଙ୍ଗରା ଖପରା ପାହାଡ଼ ସେପାରିରୁ।ଚଡଚଡିରେ ଥରିଉଠୁଛି ମେଦିନୀ।ପବନରେ ଶିରିଷ ଗଛର ଡାଳ ଭୂଇଁରେ ଲୋଟିଲା ପରି ଜଣା ପଡ଼ୁଛନ୍ତି।ନନା ଭାବିଲେ… ବର୍ଷା ମାଡ଼ ଖାଏ ପଛେ ଗଛମୂଳରୁ ଟିକିଏ ଦୂରକୁ ଚାଲିଯିବା ଠିକ୍ ହେବ। ଏମିତି ଭାବୁ ଭାବୁ ଶିରିଷ ଗଛକୁ ମାରିଲା ଚଡ଼କ ଏବଂ ତାପରେ କଣ ହେଲା ସେ ଜାଣିପାରି ନଥିଲେ।ଚେତା ଆସିଲା ବେଳକୁ ସେ ଖଣ୍ଡପଡ଼ା ଡାକ୍ତରଖାନାରେ।ତାଙ୍କ ଦେହର ବାଁ’ପଟ ଜଳାପୋଡା ହେଲାଭଳି ଲାଗୁଥାଏ। କିଛି ପ୍ରାଥମିକ ଚିକିତ୍ସା ପରେ ନନା ଘରକୁ ଫେରିଲେ।ତା’ପରଠାରୁ ଯେତେବେଳେ ଚଟଚଡି ମାରେ ତାଙ୍କ ଦେହର ବାଁପଟେ ବିଜୁଳି କରେଣ୍ଟ ମାରିଲା ଭଳି ଲାଗେ। ସେଥିପାଇଁ , ଆକାଶରେ ମେଘ ଆସିଲେ ସେ ଯେଉଁଠି ଥାଆନ୍ତୁ ନା କାହିଁକି ଘରକୁ ଚାଲି ଆସନ୍ତି ଏବଂ କୋଠରୀ ଭିତରେ ଶୋଇରହନ୍ତି।ପିଲାମାନଙ୍କୁ ମଧ୍ୟ ବାହାରକୁ ଛାଡନ୍ତି ନାହିଁ। ସେଥିପାଇଁ ପିଲାବେଳେ ଆମେ ସବୁ ଭାଇଭଉଣୀ ମେଘ-ଡରୁଆ ହୋଇଯାଇଥିଲୁ।

କାଳବୈଶାଖୀ ପରେ ପରେ ଯେଉଁ ଝଡତୋଫାନ ହୁଏ ତାକୁ କାଳବୈଶାଖୀର ସାନଭାଇ ବୋଲି କୁହାଯାଇପାରେ। ଅତି ଭୟଙ୍କର ତୋଫାନ ନହେଲେ ମଧ୍ୟ ଜୋରଦାର ପବନ ସହିତ ଚଡଚଡି ମାରେ, ଡାଳ ଭାଙ୍ଗେ ଏବଂ ଗଛରୁ ବହୁତ ଆମ୍ବ ଝଡେ। ଏହାକୁ ଆମ୍ବତୋଫାନ ମଧ୍ୟ କୁହାଯାଏ।ମୋ ପିଲା ଦିନେ ଛୋଟ ବୈଶାଖୀ ବା ଆମ୍ବତୋଫାନ ସମୟରେ ଗୋଟିଏ କରୁଣ ଦୁଃଖଦ ଘଟଣା ଘଟିଥିଲା।

କହ୍ନେଇ ଭାଇନା ଆମ ପଡ଼ୋଶୀ ଥିଲେ।ବୟସରେ ସେ ମୋଠାରୁ ବହୁତ ବଡ଼ ଥିଲେ।ମତେ ୧୫ କି ଷୋହଳ ବେଳକୁ ତାଙ୍କୁ ପଚାଶ ପାଖାପାଖି। ଚାରୋଟି ଝିଅ ଏବଂ ପତ୍ନୀଙ୍କ ସହିତ ତାଙ୍କର ନାତିବଡ (ନ ଅତିବଡ)ଥିଲା ସଂସାର।ନନାଙ୍କୁ ସେ କକେଇ ବୋଲି ଡାକୁଥିବାରୁ ମୁଁ ତାଙ୍କୁ ଭାଇନା ବୋଲି ଡାକେ। ଖଣ୍ଡପଡ଼ା କଚେରିରେ ପେଶକାର କାମ କରୁଥିଲେ।ଭାରି ସ୍ନେହୀ ମଣିଷ।ଆମ ସମସ୍ତଙ୍କୁ ସେ ଭାରି ଭଲ ପାଉଥିଲେ।ତାଙ୍କ ପତ୍ନୀଙ୍କୁ ଆମେ ‘ଉଡୁଉଡି ଭାଉଜ ବୋଲି ଡାକୁଥିଲୁ।ତରତର ହୋଇ ସେ କଣସବୁ କହିଯିବେ ଯେ ଅଧେ ବୁଝାପଡିଲେ ଅଧେ ବୁଝା ପଡେନି ସେଥିପାଇଁ ସେ ଥିଲେ ଆମ ଉଡୁଉଡି ଭାଉଜ।(ଭାଉଜଙ୍କର ଅଳ୍ପଦିନ ତଳେ ଶହେଵର୍ଷ ବୟସରେ ଦେହାନ୍ତ ହୋଇଯାଇଛି।ପ୍ରଭୁ ଅମରଆତ୍ମାଙ୍କୁ ଶାନ୍ତି ଦିଅନ୍ତୁ)।

ସେଦିନ କହ୍ନେଇ ଭାଇନା ଅଫିସରୁ ଦିନ ଚାରିଟା ସରିକି ଫେରି ଆସିଥିଲେ। ହଠାତ୍ ବଡ଼ ପାଟିରେ ଚିଲ୍ଲେଇଲେ ” ଏ ନୋଳି(ମୋ ଡାକ ନାଁ)ଛେଳି ଦି’ଟାକୁ ସମ୍ଭାଳୁନ କିଆଁ କିରେ?ଅଗଣାରେ ପଶି ଶାଗ କିଆରି ଲଣ୍ଡା କରି ସାରିଲେଣି।” ଆଗରୁ ଅନେକ ଥର ତଅଁଳା ସାହି ପିଲାମାନେ ବାରିପଟ ଖଜୁରୀ ଗଛକୁ ଟେକାମାରି, କୋଳି ଗୋଟେଇ ସାରିବା ପରେ ପାଟି କରନ୍ତି “ନୋଳିବାବୁ,କୋଳି ଖାଇଲେ ହେ”।ସେମାନଙ୍କର ସେ ଜମକ ପୂର୍ଣ୍ଣ ସମ୍ବୋଧନରେ ଯେତିକି ମଜାଥିଲା, କହ୍ନେଇ ଭାଇନାଙ୍କ ଜମକପୂର୍ଣ୍ଣ ତାଗିଦାରେ ସେତିକି ଡର।କବାଟ ଫାଙ୍କରେ ଟିକିଏ ବାହାରକୁ ଚାହିଁଲି, କହ୍ନେଇ ଭାଇନା ସେମିତି ପାଟି କରୁଥାନ୍ତି।ଅଫିସ୍’ରୁ ସଦ୍ୟ ଫେରିଛନ୍ତି,ପେଟରେ କିଛି ପଡିନି।ସେଥିପାଇଁ ରାଗଟା ପଞ୍ଚମକୁ ଚଢିଚି ବୋଧହୁଏ।
ମୋ ନିଜ ଭାଇନା ଉପରେ ମତେ ରାଗ ମାଡିଲା।କାହିଁକି ଛେଳି ଦି’ଟା ଆଣି ରଖିଚି କେଜାଣି?ବୋଉ କହୁଥିଲା.. ବାହ୍ମୁଣ ଘର ଛେଳି ରଖନ୍ତିନି।ଶୁଣିଲାନି।ଏବେ ସବୁଦିନ ପାଲା।ଛେଳି କା’ବାଡିରେ ପଶିଲେ ମତେ କାହିଁକି ଗାଳି କେଜାଣି,ମୁଁ ଶସ୍ତା ପଡିଚି ନା କଣ ?

ଛାଟ ଖଣ୍ଡେ ଧରି,ଛେଳି ଦି’ଟାକୁ ଗୁହାଳକୁ ଆଣିବାକୁ କବାଟ ଖୋଲିଲି।ଆଃ,ପବନ ଏତେ ଯୋର୍’ରେ ପିଟିଲା ଯେ କବାଟ ଫାଙ୍କରେ ମୋର ହାତ ଚିପି ହେଇଗଲା। କାଳବୈଶାଖୀର ସାନଭାଇ ଆସିଛି।ତୋଟାରେ ପାଚିଲା ଆମ୍ବ ଭରା। ଟାଙ୍ଗରା ଖପରା ମୁଣ୍ଡିଆ ଉପରୁ କଳାହାଣ୍ଡିଆ ମେଘ ଖଣ୍ଡେ କୁଆଡେ ଥିଲା,ମାଡି ଆସିଲା।ଘଡଘଡି ଚଡଚଡି ସହିତ କଚାଡି ଦେଲା।ପଡିଶା ଘରୁ ଉଡୁଉଡି ଭାଉଜଙ୍କ ପାଟି ଶୁଭୁଥିଲା… “ଆହେ ଯାଉନ ଆମ୍ବତୋଟାକୁ। ସେଆଡେ ତୋଟାରେ ବହୁତ ଆମ୍ବ ପଡୁଥିବ।ତମେ ହଲି ଦୋହଲି ଗଲାବେଳକୁ ଆଉ ଆମ୍ବ ଥିବ ନା?”

ଅଫିସରୁ ଫେରି ଛେଳି ପାଲା।ତାପରେ ଭାଉଜଙ୍କ ଆଦେଶ।ଭାଇନା ଆଉ ଖାଇବେ କଣ; କଣ ଯୋଡେ ମୁଢିଚୁଡା ପାଟିରେ ପକେଇଦେଇ ,କରିଆଟେ ପିନ୍ଧି,କାନ୍ଧରେ ଆଉ ଖଣ୍ଡେ ପକେଇ ଭାଇନା ତୋଟାକୁ ଧାଇଁଲେ।
କଳାହାଣ୍ଡିଆ ମେଘ କୁଟି ଚାଲିଥାଏ।ସାଇଁ ସାଇଁ ପବନ ମାରୁଥାଏ।ମଡମଡ ହୋଇ ଭାଙ୍ଗି ପଡୁଥାଏ ବଡ ବଡ ଗଛ ଡାଳ।ତୁହାକୁ ତୁହା ବିଜୁଳି ସାଙ୍ଗକୁ ଘଡଘଡି ଚଡଚଡି ଲାଗିରହିଥାଏ।
ମେଘ ଟିକିଏ ଛାଡି ଆସିଲା।କବାଟ ଖୋଲି ମୁଁ ବାହାରକୁ ଆସିଲି।ନଈ ଉପର ତୋଟାଆଡୁ କିଛି ଲୋକ ହୋ ହଲ୍ଲାକରି କହ୍ନେଇ ଭାଇନାଙ୍କୁ କାନ୍ଧରେ ପକେଇ ଦଉଡୁ ଥାଆନ୍ତି।ଭାଇନାଙ୍କୁ ଆଣି ତାଙ୍କ ଦୁଆରେ ଶୁଆଇ ଦେଲେ।ଶରୀର ନିଶ୍ଚଳ।ତାଳୁ ମଝିରେ ଚୂଳ ଟିକିଏ ଫୁରୁସି ଯାଇ ରକ୍ତ କେଇ ବୁନ୍ଦା ଲାଗିଚି।କନ୍ଦାକଟାରେ ଘର କମ୍ପି ଉଠିଲା।ଭାଇନା ଆଉ ନାହାନ୍ତି।
ତଅଁଳା ସାଇର ବୁରୁନ୍ଦାକୁ ପଚାରିଲି”ଆରେ ତୁ ପରା ତୋଟାରେ ଥିଲୁ,କଣ ହେଲା କହିଲୁ।”ବୁରୁନ୍ଦା କହିଲା “ଗଛମୂଳେ ୪ ଜଣ ଥିଲେ। କହ୍ନେଇ କକେଇ(ବୁରୁନ୍ଦା ତାଙ୍କୁ କକେଇ ଡାକେ) ଗଛକୁ ଆଉଜି ଠିଆ ହେଇଥିଲେ।ଅନ୍ୟ ତିନିଜଣ ଥିଲେ ହରିଜନ ସାହିର ପରିଆ,କୁସୁନି ଆଉ ଧେଡ।ବାବୁ ବାହ୍ମୁଣ ନୋକ ବୋଲି ସେମାନେ ସେଇ ଗଛମୂଳେ କକେଇଙ୍କଠୁ ଦୁରେଇ ଠିଆ ହେଇଥିଲେ।ଚଡକ ଗଛକୁ ମାରିବାରୁ କକେଇଙ୍କ ମୁଣ୍ଡବାଟଦେଇ ଭୁଇଁକି ଚାଲିଗଲା।ଚଡକ ଧାସରେ ପରିଆ,କୁସୁନି ଆଉ ଧେଡ ବେହୋସ ହେଇ ଯାଇଥିଲେ।ପାଣି ଛାଟଛୁଟି କଲାପରେ ହୋସ ଆସିଲା।”

ଭାଇନାଙ୍କ ଘର ଆଡକୁ ମୁହାଁଇଲି।ଘୋଡା ହୋଇଥିବା ମୁହଁ ଉପରୁ ଚାଦର ପବନରେ ଉଡିଗଲା।ନିରବ,ଶାନ୍ତ ମୁହଁକୁ ଦେଖି ଆଖିରେ ମୋର ଲୁହ ଆସିଗଲା।ଭାଉଜ ଓ ପିଲାଙ୍କ ଛାତିଫଟା କାନ୍ଦଣାରେ ପରିବେଶ କରୁଣାକ୍ତ।ସେପଟ ଘରେ ଭାଇନାଙ୍କପାଇଁ ଭାତ ସେମିତି ବଢା ହେଇ ଥୁଆ ହେଇଚି। ଭାଇନା ଏମିତି କେମିତି ଏତେ ଶୀଘ୍ର ସମସ୍ତଙ୍କୁ ଠକିଦେଇ ଚାଲିଗଲେ !

ଛୁଆଁଛୁତିର ଗୋଟେ ଭିନ୍ନ ରୂପ ଦେଖି ମୁଁ ଆଶ୍ଚର୍ଯ୍ୟ ହୋଇଗଲି।ଛୁଆଁଛୁତି ଯୋଗୁ ତିନୋଟି ଦୀପଶିଖା ଲିଭୁ ଲିଭୁ ରହିଗଲା।ପରିଆ,କୁସୁନି ଆଉ ଧେଡ ବଞ୍ଚିଗଲେ। ଛୁଆଁଛୁତିର ଏ କି’ କାକତାଳୀୟ ରୂପ !!

କ୍ରମଶଃ…….

Click to rate this post!
[Total: 0 Average: 0]

Leave a Reply