Sunday, May 19, 2024
Stories

ଆମ ଗାଁ ଆମ ଘର (୨୫)

ଆମ ଗାଁ ଆମ ଘର
୨୫
ମୋ ବଡ଼ ଭାଇମାନେ
================================
କ୍ଲାସରେ ମତେ ସମସ୍ତେ ସାନପିଲା ଆଖିରେ ଦେଖୁଥିଲେ ଏବଂ ସେମିତି ବ୍ୟବହାର ମଧ୍ୟ କରୁଥିଲେ।ତାର କାରଣ ଥିଲା।ଏକେ ତ ଦ୍ବିତୀୟରୁ ଗୋଟିଏ କ୍ଲାସ୍ ଜମ୍ପ୍’କରି ସିନିୟର୍ ମାନଙ୍କ ସାଙ୍ଗରେ ଚତୁର୍ଥ ଶ୍ରେଣୀରେ ମିଶିଲି; ଦ୍ବିତୀୟରେ ମୋ ବଡ଼ ଭାଇ ମୋ ଶ୍ରେଣୀବନ୍ଧୁ (କ୍ଲାସ୍’ମେଟ୍) ହୋଇଯିବାରୁ ତା’ ମାଧ୍ୟମରେ ସବୁ ସାଙ୍ଗସାଥିମାନେ ମତେ ସାନଭାଇ ଆଖିରେ ଦେଖିଲେ।ମୋ ବଡ଼ ଭାଇ କେମିତି ମୋ ଶ୍ରେଣୀବନ୍ଧୁ ହେଲା ବୋଲି ମନରେ ପ୍ରଶ୍ନ ଉଠିବା ସ୍ବାଭାବିକ।ଏକେତ ତ ନନା ତାକୁ ଟିକିଏ ଡେରିରେ ପାଠ ପଢେଇ ଥିଲେ,ଦ୍ବିତୀୟରେ ଭାଇନା ଶ୍ରେଣୀ ଡେଇଁବାରେ ଥରେ ଅକୃତକାର୍ଯ୍ୟ ହୋଇଥିଲା।
ଭାଇନା ମୋ ଭଳି ପାଠରେ ସିନା ବେହାଲ କିନ୍ତୁ ଶାଠରେ ଅଉଲ। ଏକଥା ମୁଁ ଆଗରୁ କହିଛି।ଗଛଚଢା, କାଠହଣା, ଛତୁତୋଳା, ନଈପହଁରା ଓ କୁସୁମୀ ନଈରୁ ମାଛଧରା କାମରେ ଭାଇନା ସହିତ କେହି ସମକକ୍ଷ ନଥିଲେ। ଅନ୍ୟମାନଙ୍କୁ ସାହାଯ୍ୟ କରିବାରେ ସେ ସବୁବେଳେ ଆଗୁଆ।

ଭାଇନା ମନରେ ଡର,ଭୟ ଶୂନ୍ୟ।ରାତି ଅଧରେ ମଶାଣି ଭୁଇଁରେ ବୁଲି ଆସିବା ପିଲା ଥିଲା ସିଏ। ଗାଁ ମଶାଣିକୁ ନ’ଡରେ କିଏ ! ପିଶାଚ,ଚିରୁଗୁଣିମାନେ ରାତିରେ ମଶାଣି ମଝିରେ ବସି ନିଆଁ ପୁଆନ୍ତି ବୋଲି ଆମେ ଶୁଣିଥିଲୁ।ଚିରୁଗୁଣି ଚିତାନିଆଁ ପାଖରେ ବସି ଗୋଡ଼ରେ ପକେଇ ତା ପିଲାକୁ ସେକ ଦେଉଥାଏ ବୋଲି ମଧ୍ୟ ଶୁଣିଥିଲୁ।ଆଉମଧ୍ୟ ଶୁଣିଥିଲୁ ଯେ ଗୁହଚରୀ ଓ ଜକ ମଶାଣିରେ ବୁଲନ୍ତି। ସାଙ୍ଗମାନଙ୍କ ଭିତରେ ଏସବୁ କଥା ଚାଲିଥିବା ସମୟରେ ଜଣେ ସାଙ୍ଗ ଭାଇନାକୁ ଟେକାଟେକି କରି କହିଲା.. ଲକ୍ଷ୍ମୀଧର (ଭାଇନା)ର କିଛି ଡରଭୟ ନାହିଁ;ଯିଏ ଜଗୁଆଳି ଆଖିରେ ଧୂଳି ଦେଇ ରଜାଙ୍କ ନାଗେନା ବଗିଚାରୁ ପିଜୁଳି ସପେଟା ଲିଚୁ କୋଳି ଆଦି ବିନା ଡରରେ ନେଇ ଆସି ପାରୁଚି ତାକୁ ରାତିରେ ମଶାଣି ଯିବାକୁ ଡର ଗୋଟାଏ କ’ଣ ?ସୁମନ ଓ ମାଧିଆ(କାନଫୋଡି) ଆମ କ୍ଲାସରେ ସବୁଠାରୁ ବଡ଼ ବିଛୁଆତି ଥିଲେ। ଲକ୍ଷ୍ମୀଧରର ପ୍ରଶଂସା ସେମାନଙ୍କର ହଜମ ହେଲାନାହିଁ। ସେମାନେ ଏକ ସ୍ବରରେ କହିଲେ..ନାଗନାରୁ ପିଜୁଳି ଆଣିବା ଆଉ ରାତିରେ ମଶାଣିକୁ ଯିବା କଣ ଏକା କଥା ? ମଶାଣି ମୁଣ୍ଡକୁ ଯାଉ ଯାଉ ପେଣ୍ଟରେ ଏକ ଓ ଦୁଇ ହେଇଯିବ,ଖେଳଘର ପଡିଚି ନାଁ କ’ଣ?
ଲକ୍ଷ୍ମୀଧର ଭାଇନା ପାଇଁ ଏହା ନାକନିଶ (ସେତେବେଳେ ତା’ର ନିଶ ଟିକିଏ ଟିକିଏ ଗଜୁରି ଆସୁଥିଲା)ତଳେ ପଡ଼ିଯିବା ସହିତ ସମାନ କଥା ଥିଲା।ସେ ସଙ୍ଗେ ସଙ୍ଗେ ଚ୍ୟାଲେଞ୍ଜ ଗ୍ରହଣ କଲା। କହିଲା.. ଯଦି ରାତିରେ ମଶାଣିକି ଯାଇ ଶବଖେଞ୍ଚା ବାଉଁଶ ଆଣିପାରିବି, କଣ ଦବୁ କହ?ସୁମନ କହିଲା.. ମୁଁ ଭୋଜି ପାଇଁ କୁକୁଡ଼ା ଦେବି;କରିକି ଦେଖା। ସାଙ୍ଗମାନଙ୍କର ଏ କାରନାମା ଅଭିଭାବକମାନେ କାହିଁକି ଜାଣିବେ ? ଭାଇନାର ସାଙ୍ଗ ସମସ୍ତେ ସାଇମୁଣ୍ଡରେ ଅପେକ୍ଷା କଲେ।ରାତି ଦଶଟା ସରିକି ଲକ୍ଷ୍ମୀଧର ଭାଇନା ବାଲୁଙ୍କେଶ୍ବର ମନ୍ଦିର ଅତିକ୍ରମ କରି ଅନ୍ଧାର ଭିତରେ ମିଶିଗଲା। କିଛି ସମୟ ପରେ ଫେରିଆସି ଶବ ଖୁଞ୍ଚଣା ବାଉଁଶଟିଏ ସମସ୍ତଙ୍କ ଆଗରେ ପକେଇଦେଲା.. ବାଉଁଶରେ ଗୋଟିଏ ପଟ ପୋଡା ଦେଖାଯାଉଥିଲା। କହିଲା..ଏଇ ସାମାନ୍ୟ କଥାକୁ ମୋ ସହିତ ଜିଦ୍ ପକଉଥିଲୁ ସୁମନ ?ଏବେ କୁକୁଡ଼ାଟିଏ ହଗେ।କହିବା ବାହୁଲ୍ୟ କୁକୁଡ଼ା ଭୋଜିଟିଏ ହେଲା।

ସେତେବେଳେ ଆମ ଘରେ କୁକୁଡ଼ା ପଶୁନଥିଲା। ତେଣୁ ଭାଇନାପାଇଁ କୁକୁଡ଼ା ଭୋଜିଟି ବଡ଼ ଆନନ୍ଦ ଦାୟକ ଥିଲା।ସୁମନ କୋଉଠୁ କୁକୁଡ଼ା ଆଣିଲା ସେଇଟା ଅଲଗା କଥା।ତାପଡିଶାଘର ମଉସା ପରଦିନ ତାଙ୍କ ଦେଶୀ ଗଞ୍ଜାଟି ଖୋଜି ଖୋଜି ପାଉ ନଥିବା ସମ୍ବାଦ ଆମମାନଙ୍କ କାନରେ ପଡ଼ିଥିଲା। କୁକୁଡା ଭୋଜିରେ କିନ୍ତୁ ମୋର ଭାଗ ନଥିଲା। ମୁଁ ଭୋଜିରେ ଯୋଗଦେବାକୁ କହିବାରୁ ଭାଇନା ସ୍ବର ସହିତ ସ୍ବର ମିଳାଇ ସାଙ୍ଗମାନେ କହିଲେ..ତୁ ସାନ ପିଲାଟେ ଆମ ସାଙ୍ଗେ କଣ ମିଶିବୁ ?ଆମେ ସବୁ ଖରାପପିଲା ବୋଲି ସାରମାନେ ଆମ ପିଠିରେ ଷ୍ଟାମ୍ପ ମାରିସାରିଲେଣି।ତୁ ଭଲପିଲାଙ୍କ ସାଙ୍ଗରେ ମିଶ୍।

ସେତେବେଳେ ଭଲପିଲା ଭିତରେ ଗଣା ହେଉଥିଲେ ଶଶାଙ୍କ,ଗଦାଧର, ବିମ୍ବାଧର ଅନ୍ତର୍ଯ୍ୟାମୀ ଭିକାରୀ ତ୍ରିନାଥ ଇତ୍ୟାଦି। ସେମାନଙ୍କ ସହିତ ମିଶିବାର ଯୋଗ୍ୟତା ମୋର ନଥିଲା କାରଣ କ୍ଲାସରେ ଫାଷ୍ଟ ସେକେଣ୍ଡ ହବା ପିଲା ସେମାନେ।ମୋର ସେକେଣ୍ଡ ଡିଭିଜନର ମାର୍କ ରହୁଥାଏ।ଭଲ ପିଲାଙ୍କ ଉଦାହରଣ ଦେଇ ଜଣେ ଦି’ଜଣ ସାର୍ ସେତେବେଳକୁ କହି ସାରିଲେଣି..ସିଏ କାହିଁକି ଏତେ ଭଲ ପଢ଼ୁଛି,ତୁ ପଢିପାରୁନୁ ?ତା ଘୁଅ ଖାଉନୁ।” ମନେ ମନେ ଭାବୁଥାଏ ସେମାନଙ୍କ ଭଳି ହେବାପାଇଁ ମତେ କଣ ସତରେ ଘୁଅ ଖାଇବାକୁ ପଡିବ?

ମୋ ଗ୍ରୁପ୍ ଆପେ ଆପେ ଗଢି ହେଇଗଲା।ବିମଳ ଗିରିଧାରୀ ସାରଙ୍ଗ ଫକୀର ଭଳି ମଝିମଝିଆ ନମ୍ବର ରଖୁଥିବା ସାଙ୍ଗମାନଙ୍କ ଭିତରେ ମୁଁ ଯୋଡ଼ି ହୋଇଗଲି।ଲକ୍ଷ୍ମୀଧର ଭାଇନା ଅନ୍ୟାନ୍ୟ ବଦମାସୀକୁ ଛାଡିଦେଲେ ଖେଳକୁଦରେ ଅଉଲ ଥିଲା।ଖେଳ ଶିକ୍ଷକ ଶ୍ରୀଯୁକ୍ତ ରୁବେନ ସିଂ ଏବଂ ପରେ ଶ୍ରୀଯୁକ୍ତ ସତ୍ୟନାରାୟଣ ମହାପାତ୍ର ଯେଉଁ ଫୁଟବଲ୍ ଦଳଟି ଗଢିଥିଲେ ତା’ଭିତରେ ତା ନାଁ ଥାଏ।ପୁରୀରେ ହୋଇଥିବା ଆଥେଲେଟିକ ମିଟ୍’ରେ କାଶି,ଆନନ୍ଦ ଓ ଦଣ୍ଡପାଣି ସହିତ ଖେଳକୁଦରେ ଅନେକ ମେଡାଲ ଓ ସାର୍ଟିଫିକେଟ ସେ ଆଣିଥିଲା। ସେଥିପାଇଁ କ୍ଲାସରେ ଭଲ ନମ୍ବର ରଖୁନଥିଲେ ମଧ୍ୟ ଖେଳ ସାରଙ୍କ କୋଟାରେ ସେ ସବୁବର୍ଷ କ୍ଲାସ୍ ଡେଇଁ ଡେଇଁ ଯାଉଥାଏ।

ଫୁଟବଲ୍ କଥା ପଡିବାରୁ ସାଙ୍ଗ ବିମଳ କଥା ମନେପଡ଼ିଲା।ମୋ ସାଙ୍ଗ ବିମଳ ଖଣ୍ଡପଡ଼ା ସ୍କୁଲର ଫୁଟବଲ୍ ଟିମରେ ଥାଏ। ସେତେବେଳେ ଖଣ୍ଡପଡ଼ା ଟିମ୍’ଟି ଟାଣୁଆ ଥିଲେ ମଧ୍ୟ ବନମାଳୀପୁର ସ୍କୁଲର ଟିମ’ଟି ଅଞ୍ଚଳର ସବୁଠାରୁ ଭଲ ଟିମ୍ ଥିଲା। ସେହି ଟିମ୍’କୁ ହରାଇବା ଗୋଟିଏ ବଡ଼ ଚ୍ୟାଲେଞ୍ଜ ଥାଏ।ପ୍ରାୟ ସବୁବର୍ଷ ଖଣ୍ଡପଡ଼ାର ମଧୁବନ ପଡ଼ିଆରେ ସ୍କୁଲମାନଙ୍କ ଭିତରେ ଆନ୍ତଃସ୍କୁଲ ପ୍ରତିଯୋଗିତା ହୁଏ।ସେ ବର୍ଷ (ବୋଧହୁଏ ୧୯୬୫ ମସିହା)ଜୋରସୋରରେ ଫୁଟୁବଲ ପ୍ରତିଯୋଗିତା ଚାଲିଯାଏ। ଖଣ୍ଡପଡ଼ା ଅଞ୍ଚଳ ବ୍ୟତୀତ ନୟାଗଡ ଶରଣକୁଳ ଇତ୍ୟାଦି ସ୍କୁଲମାନ ମଧ୍ୟ ଯୋଗ ଦେଇଥାନ୍ତି। ସେତେବେଳେ ଆଜିକାଲି ଭଳି ଟିଭି ଇଣ୍ଟରନେଟ ଇତ୍ୟାଦି ମନୋରଞ୍ଜନର ଆଧାର ନଥିବାରୁ ଫୁଟବଲ୍ ଖେଳ ଦେଖି ସର୍ବସାଧାରଣ ବହୁତ ଆନନ୍ଦ ଅନୁଭବ କରୁଥିଲେ।ନିଜ ନିଜର ଟିମକୁ ସମର୍ଥନ କରିବା ପାଇଁ ପଡିଆ ଲୋକାର୍ଣ୍ଣବ ହୋଇଯାଏ। ଏହି ଟୁର୍ଣ୍ଣାମେଣ୍ଟରେ ଖଣ୍ଡପଡ଼ାର ସ୍ଥିତି ପତଳା ଥାଏ। ସମସ୍ତେ ଭାବୁଥିଲେ ନୟାଗଡ଼ କିମ୍ବା ବନମାଳୀ ପୁର ଚମ୍ପିୟାନ ହେବ। କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବରେ ନୟାଗଡକୁ ସେମିରେ ହରାଇ ଖଣ୍ଡପଡ଼ା ଫାଇନାଲକୁ ଗଲା। ଫାଇନାଲ ବନମାଳୀ ପୁର ସହିତ।ସାରା ଖଣ୍ଡପଡ଼ା ସହିତ ଆଖପାଖ ଗାଁ ଗଣ୍ଡାରୁ ଲୋକ ପଡିଆ ଭିତରକୁ ଉଠି ଆସିଥାନ୍ତି ଖେଳ ଦେଖିବାକୁ ।ସମର୍ଥକ ମାନଙ୍କ ଭିତରେ ମାଡପିଟି ସମ୍ଭାବନାକୁ ଆଖି ଆଗରେ ରଖି ପୋଲିସ ବନ୍ଦୋବସ୍ତ ହୋଇଯାଏ।ଶେଷ ମ୍ୟାଚ୍ ହୋଇଥିବାରୁ ଲୋକମାନଙ୍କ ଭିତରେ ଭରପୁର ଉତ୍କଣ୍ଠା।ଆମକୁ ପୂର୍ବଦିନ ରାତିରେ ନିଦ ନଥାଏ।ଉମାଦେଈ,ପାଟଚଣ୍ଡୀ ଓ ଶୁଳିଆ ଠାକୁରାଣୀ ଇତ୍ୟାଦି ସମସ୍ତଙ୍କୁ ମୁଣ୍ଡିଆ ମରା ସରିଯାଏ। ପ୍ରଫୁଲ୍ଲ ଭାଇନା ବୋଲି ଜଣେ ସାଙ୍ଗ କହିଲା..କୁଳିଆ,ଗୋଟେ କାମ କରିବା;ପିଜୁଳି ପତ୍ରର ଅଗିଲା କଢି ପକେଟରେ ରଖିଲେ ଶୁଭ ବୋଲି ମୁଁ ଶୁଣିଚି।ପରୀକ୍ଷା ସମୟରେ ପକେଟରେ ରଖି ମୁଁ ପରୀକ୍ଷା ଦିଏ।ମୋର ପରୀକ୍ଷାରେ ଭଲ ହୁଏ।କାଲି ଆମେ ଫୁଟବଲ୍ ମ୍ୟାଚ ଦେଖିବାକୁ ଗଲାବେଳେ ପକେଟରେ ପିଜୁଳିର ଅଗିଲାପତ୍ର ରଖି ଯିବା।ଆମ ଟିମ୍ ଜିଣିବ। ମୁଁ କହିଲି.. ଠିକ୍ ଅଛି।ତାଛଡା ମୋ ପାଖରେ ଭଦଭଦଳିଆ ଚଢେଇର ପର ମଧ୍ୟ ଅଛି। ମୁଁ ପକେଟରେ ରଖିକି ଯିବି।ହେ ଭଗବାନ ! ଆମ ଟିମ୍ ଜିତିଯାଆନ୍ତା ହେଲେ।”

ଏମିତି କୁହାକୁହି ହୋଇ ଆମେ ପଡ଼ିଆରେ ପହଞ୍ଚିଲୁ।ଦେଖିଲୁ ବନମାଳିପୁର ଟିମ୍’ର ସମର୍ଥକ ମାନେ ବ୍ୟାଣ୍ଡ ବାଜା ସହିତ ପଡିଆରେ ହାଜର। ସେମାନେ ସ୍ଥିର ନିଶ୍ଚିତ ଯେ ସେମାନଙ୍କ ଟିମ୍ ଜିତିବ।ଖେଳ ଆରମ୍ଭ ହେଲା। ସମସ୍ତଙ୍କ ମନରେ ଉତ୍କଣ୍ଠା। ଶେଷ ପର୍ଯ୍ୟନ୍ତ କେହି କାହା ଉପରେ ଗୋଲ୍ ଦେଇ ପାରିଲେ ନାହିଁ। ଅତିରିକ୍ତ ସମୟ ନିଆଗଲା। ଏହି ସମୟରେ ରାମଚନ୍ଦ୍ର ହାଇସ୍କୁଲ ଟିମକୁ ମିଳିଲା କର୍ଣ୍ଣର କିକ୍’ର ସୁଯୋଗ।ଫରଓ୍ବାଡ ଖେଳାଳି ମାନଙ୍କ ଭିତରେ ଥାଏ ସାଙ୍ଗ ବିମଳ।ପଡିଆର ପଶ୍ଚିମ କୋଣରୁ ବିମଳ ପଟ୍ଟନାୟକ ସର୍ଟ ମାରିଲା।ବଲଟି ସିଧା ଆସି ଗୋଲ୍ ପୋଷ୍ଟ’ର ଉତ୍ତରପୂର୍ବ କୋଣରେ ଢେଉଭଳି ବଙ୍କେଇ ଗୋଲପୋଷ୍ଟ୍ ଭିତରେ ପଶିଗଲା।ଜିଣିଗଲା ରାମଚନ୍ଦ୍ର ହାଇସ୍କୁଲ୍।ଏ ଜିତାପଟ କେବଳ ସ୍କୁଲର ନଥିଲା।ଥିଲା ଖଣ୍ଡପଡ଼ା ଗଡର ଜନସାଧାରଣଙ୍କର।କି ଉନ୍ମାଦନା !ବିମଳ ପଟ୍ଟନାୟକଙ୍କୁ କାନ୍ଧରେ ବସାଇ ଗଡସାରା ଵୁଲେଇଲେ ଅଗଣିତ ଜନତା। ବନମାଳିପୁର ଟିମ୍’ର ସମର୍ଥକ ଏବଂ ଖଣ୍ଡପଡ଼ା ଟିମର ସମର୍ଥକଙ୍କ ଭିତରେ କାଁ ଭାଁ ହାତାହାତିକୁ ପୋଲିସ ସମ୍ଭାଳି ନେଲେ।
କହିବା ବାହୁଲ୍ୟ ଫୁଟବଲ୍ ଖେଳରେ ଆମ ସ୍କୁଲ ବହୁତ୍ ନାଁ କରିଥିଲା। ଫୁଟବଲ୍ ଖେଳ କଥା ପଡ଼ିଲେ ମନେ ପଡନ୍ତି ସର୍ବଶ୍ରୀ ସୁମନ ପଶାୟତ, ପ୍ରମୋଦ ସ୍ବାଇଁ, ଭଗବାନ ସାଥୁଆ,ଉପେନ୍ଦ୍ର ନାୟକ ଏବଂ ବୈଦ୍ୟନାଥ ମହାନ୍ତିଙ୍କ ଭଳି ଅନେକ ଚମତ୍କାର ଫୁଟୁବଲ ଖେଳାଳି।

ଜ୍ଞାନ ଓ ଚରିତ୍ରବତ୍ତାରେ ମୋର ଆଦର୍ଶ ଥିଲେ ଉପର ଶ୍ରେଣୀର ପଢୁଥିବା ଦୁଇ ମେଧାବୀ ଛାତ୍ର ଶ୍ରୀଯୁକ୍ତ ପ୍ରସନ୍ନ କୁମାର ଶତପଥୀ ଓ ଶ୍ରୀଯୁକ୍ତ ପ୍ରସନ୍ନ କୁମାର ମିଶ୍ର। ପ୍ରସନ୍ନ କୁମାର ଶତପଥୀ ୧୯୬୪ ମସିହା ମାଟ୍ରିକ ବ୍ୟାଚର ଛାତ୍ର ଏବଂ ପ୍ରସନ୍ନ କୁମାର ମିଶ୍ର ୧୯୬୫ ବ୍ୟାଚର ଛାତ୍ର। ପ୍ରସନ୍ନ ଶତପଥୀ ଭାଇନା ଗଣିତରେ ପ୍ରବୀଣଙ୍କ ମଧ୍ୟରେ ପ୍ରବୀଣ (wizard) ଭାବରେ ଆମମାନଙ୍କ ପାଖରେ ପରିଚିତ। ପରବର୍ତ୍ତୀ ସମୟରେ ଗଣିତରେ ଅନେକ ମହାବିଦ୍ୟାଳୟ ମାନଙ୍କରେ ଅଧ୍ୟାପନା କରି ସାରା ଓଡ଼ିଶାରେ ଜଣେ ବିଶିଷ୍ଟ ଗଣିତଜ୍ଞ ଭାବରେ ବିଶେଷ ନାଁ ଅର୍ଜନ କରିଛନ୍ତି। ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟରେ ମଧ୍ୟ ଅଧ୍ୟକ୍ଷ ଭାବରେ ସୁଚାରୁରୂପେ ନିଜର ଦାୟିତ୍ଵ ନିର୍ବାହ କରିଛନ୍ତି। ଶ୍ରୀଯୁକ୍ତ ପ୍ରସନ୍ନ କୁମାର ମିଶ୍ର ଯେଉଁଭଳି ସଂଘର୍ଷ କରି ଉଚ୍ଚଶିକ୍ଷା ସମାପ୍ତି ପରେ ଆୟକର ବିଭାଗର ସର୍ବୋଚ୍ଚ ପଦବୀରେ ସ୍ଥାନିତ ହୋଇପାରିଛନ୍ତି ତାହା ସମସ୍ତଙ୍କ ପାଇଁ ପ୍ରେରଣା ଦାୟକ। ଏହି ଦୁଇ ବଡ଼ଭାଇ,ଅନ୍ୟ ମାନଙ୍କ ପାଇଁ କଣ ମୁଁ ଜାଣେନା, କିନ୍ତୁ ମୋ ପାଇଁ ସର୍ବଶ୍ରେଷ୍ଠ ଆଦର୍ଶ ।
କ୍ରମଶଃ…..

Click to rate this post!
[Total: 0 Average: 0]

Leave a Reply