Thursday, June 13, 2024
Stories

ଆମ ଗାଁ ଆମ ଘର (୨୪)

ଆମ ଗାଁ ଆମ ଘର
୨୪
ବାହାରେ ନାଁ କମେଇ ଥିବା ମୋ ଗାଁ’ର ଲୋକମାନେ
(ଭାଗ ୨)
==============================
କଳା ଏକ ସ୍ବତନ୍ତ୍ର ଗୁଣ;ସମସ୍ତେ ଲେଖକ/କବି କିମ୍ବା କଳାକାର ହୋଇ ପାରନ୍ତି ନାହିଁ। ସେଥିପାଇଁ ସରସ୍ବତୀଙ୍କ ଆଶୀର୍ବାଦ ଦରକାର।ପରିଶ୍ରମ କରି ଓକିଲ,ଡାକ୍ତର ଇଞ୍ଜିନିୟର ଅଧ୍ୟାପକ ବ୍ୟାଙ୍କ ଅଫିସର, ଆଇ ଏ ଏସ୍/ଓ ଏ ଏସ୍ ହେବା ସମ୍ଭବ; କିନ୍ତୁ ଅନ୍ତର୍ନିହିତ ଗୁଣ ନଥିଲେ,ଆଣ୍ଠୁ-ରଗଡା ପରିଶ୍ରମ କରି ଜଣେ କଳାକାର କିମ୍ବା ଲେଖକ/କବି ହୋଇପାରିବ ନାହିଁ।ଆମ ଗାଁ ଚିତ୍ରକାର ସାହିରେ ଏପରି ମୂର୍ତ୍ତିକାର ଓ ଚିତ୍ରଶିଳ୍ପୀ ଅଛନ୍ତି ଯେଉଁମାନଙ୍କର ମୂର୍ତ୍ତି/ଚିତ୍ର ଗୁଡ଼ିକର ଆନ୍ତର୍ଜାତୀୟ ସ୍ତରରେ ବେଶ୍ ଚାହିଦା ଅଛି।ଟୁନିଆ ହେଉ ବା ଗୋବିନ୍ଦ,ସେମାନେ ନିଜ ନିଜର ଉତ୍କୃଷ୍ଟ କୃତି ସତ୍ତ୍ୱେ ବଣମଲ୍ଲୀ ହୋଇ ରହିଯାଇଛନ୍ତି।ସେମାନଙ୍କୁ ସମ୍ମାନିତ କରିବାପାଇଁ ରାଜଧାନୀରେ “ବସନ୍ତ ସନ୍ଧ୍ୟା” ବା “ହେମନ୍ତ ସନ୍ଧ୍ୟା”ର ଆୟୋଜନ କରାଯାଏନାହିଁ।କଳା ବିକି ସେମାନେ ପେଟ ପୋଷନ୍ତି,ଧ୍ରୁବତାରା ହେବାପାଇଁ କାହିଁକି ବା ସେମାନେ ମନ ବଳେଇବେ ! ଆମ ଗାଁ ର ବଡଵଡୁଆ ଯଦି ଏହି ଲେଖାଟି କେହି ପଢୁଥାଆନ୍ତି ସେମାନଙ୍କୁ ଅନୁରୋଧ ଚିତ୍ରକାର ସାହି ,କୁନ୍ଦୁରା ସାହି,ଖଳିସାହି ଏବଂ ପାଟଣା (କଣ୍ଟିଲୋ)ର ଏହିପରି ପ୍ରତିଭାବାନ ଅବହେଳିତ କଳାକାର ମାନଙ୍କୁ ସମ୍ମାନିତ କରନ୍ତୁ;ଲୋକେ ପ୍ରଶଂସା କରିବେ।

ଦୀନବନ୍ଧୁ ଖାଡଙ୍ଗା, ପଠାଣି ସାମନ୍ତ ଏବଂ ଗଦାଧର ସିଂହ ସାମନ୍ତଙ୍କୁ ଛାଡି ଆମ ଗାଁ ରୁ ବାହାରି ପ୍ରାଦେଶିକ ଓ ଜାତୀୟ ସ୍ତରରେ ନାଁ କମେଇ ଜନ୍ମମାଟିକୁ ଗର୍ବିତ କରିଥିବା ଲେଖକ ଓ କଳାକାର ମାନଙ୍କ କଥା ଚିନ୍ତା କଲେ ଦୁଇଜଣ ସ୍ବତଃ ଆଖିରେ ପଡ଼ନ୍ତି।ସେମାନେ ହେଲେ ମହାନ୍ ସାରସ୍ଵତ ସାଧକ ଜିତେନ୍ଦ୍ର ନାରାୟଣ ଦାଶ(ଦାଶ ବେନହୁର) ଏବଂ ସ୍ବର୍ଗତ କିଶୋର ଚନ୍ଦ୍ର ରଥ(କଟାକ୍ଷ)।

ଜିତେନ୍ଦ୍ର ବାବୁ ଜଣେ ମହାନ୍ ସାରସ୍ଵତ ସାଧକ।ସେ ଜଣେ ଅଗ୍ରଣୀ ଶିକ୍ଷାବିତ୍ ଏବଂ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟରେ ଏକଦା ଅଧ୍ୟକ୍ଷ ଭାବରେ କାର୍ଯ୍ୟ ନିର୍ବାହ କରିଛନ୍ତି।ଅତୁଳନୀୟ ଓଡ଼ିଆ ଭାଷା ସାହିତ୍ୟ,ସଂସ୍କୃତି ଓ ପରମ୍ପରା-ପ୍ରାଣ ସୃଜନଶୀଳ ବଳିଷ୍ଠ ବ୍ୟକ୍ତିତ୍ବ ଶ୍ରୀଯୁକ୍ତ ଦାଶ୍ ତାଙ୍କ ଅନବଦ୍ୟ ସୃଷ୍ଟି ” ପଗଡି ପୁରୁଷ” ପାଇଁ ଓଡ଼ିଆ ସାହିତ୍ୟ ଜଗତରେ ବେଶ୍ ପରିଚିତ। ୧୯୫୩ ମସିହାରେ ଖଣ୍ଡପଡ଼ାରେ ଜନ୍ମଗ୍ରହଣ କରିଥିବା ଏହି ମହାନ ସାରସ୍ଵତ ସାଧକ ଆଜି କେବଳ ଆଞ୍ଚଳିକ ବା ପ୍ରାଦେଶିକ ସ୍ତରରେ ନୁହେଁ, ଜାତୀୟ ସାରସ୍ଵତ ଜଗତରେ ମଧ୍ୟ ଜଣେ ବଳିଷ୍ଠ ସ୍ରଷ୍ଟା ।

ବିଗତ ଚାରି ଦଶନ୍ଧି ଧରି ତାଙ୍କର ଅମ୍ଲାନ ସର୍ଜନା ବହନ କରିଥିବା ପୁସ୍ତକର ସଂଖ୍ୟା ଦେଢ଼ଶହ ଅତିକ୍ରମ କରିସାରିଛି।ତାଙ୍କ ଲେଖା ଭିତରେ ଶତାଧିକ ପ୍ରବନ୍ଧ, ଉପନ୍ୟାସ, ଶିଶୁ ସାହିତ୍ୟ ,ଇଟିକିଲ ମିଟିକିଲି ବିଷୟରେ କିଏ ନଜାଣେ?। ଅନେକ ସାରସ୍ଵତ ସମ୍ମାନର ଅଧିକାରୀ ଶ୍ରୀଯୁକ୍ତ ଦାଶ୍ ଶିଶୁ ସାହିତ୍ୟ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି। ନିଜ ସାରସ୍ଵତ ଜୀବନରେ ଶିଶୁ ସାହିତ୍ୟ ଉପରେ ଅନେକ ରଚନା ସେ କରିଛନ୍ତି ଯଥା:– ମୋ’ କଥାଟି ଶୁଣ (ଲଳିତ ନିବନ୍ଧ‍),ଡିବ୍‌ବେ ମେଁ ଡିବିୟାଁ (ଗପ),ହୁଳୁହୁଳୁ ଅସୁର ଔର୍‍ ଅନ୍ୟ କହାନିୟାଁ,ଗାନ୍ଧୀ ଗୀତ, ରଙ୍ଗ ଫରୁଆ (ଗୀତ), ପିଲାଙ୍କ ଗୀତବାକ୍‍ସ, ପିଲାଙ୍କ ଗପବହି (ସଂକଳନ),କବାଟ ଖୁଡୁଖୁଡୁ (ଗୀତ), ହରଷର ମୁଲକ (ଗୀତ), ଅକ୍ଷର ଗୀତ,ଛୁନୁର ଛବି ବହି, ବୁଲିବାକୁ ମୋମନ (ଗୀତ),ଝୁଲୁ ପାଇଁ ଗୀତଟିଏ,ଶରତ ପାଇଁ ଗୀତ, ଏକରୁ କୋଡ଼ିଏ ବଣକୁ ଗଲେ (ଗୀତ), ଅରୁ ଲଗାଇବା ଚାଲ (ଗୀତ),
ମୋ ପ୍ରାର୍ଥନା ବହି (ଗୀତ), ସେମାନେ ଯେବେ ସାନଥିଲେ(ଲଳିତ ନିବନ୍ଧ‍), ମାଛମାନେ ସବୁ ହସିଲେ ଫେଁ(ଗୀତ), ନଈପାଣି ଘୋ ଘୋ, ମିଠାଗୀତ (ଗୀତ), ନୂଆ ସକାଳର ଗୀତ,ପେନ୍ଥାଏ କାହାଣୀ, କୁନିବେଲୁନ୍‍ କଥା, ରାଜାଘର ମଜାକଥା,ଘଡ଼ଘଡ଼ି ଚଡ଼ଚଡ଼ି, ଝାଇଁମରା ଖରା, ଲଘୁଚାପ ମୁକାବିଲା, ଆସିଲା ମହାଝଡ଼,ନଈବଢ଼ି, ପଣସ ଶିଖାଇଲା ପାଣିପାଠ,ବଗଗାଁରେ ପ୍ରଚାର, ନାଟକର ନାଁ ପାଣି, ଦୁଷ୍ମନ୍ତ ଓ ଶକୁନ୍ତଳା, ହାତୀର ଡର,ଝିପ୍‍ଝିପ୍‍ ପାଣି ପଡ଼େ,ବିଶ୍ୱମୋହନ, ବାଇସ୍କୋପ୍‍, ବୋତଲ ଭିତରେ ପାଣି, କହତ ଦେଖି, ପହିଲେ ଉଠିଲା କାଉ, ମାମୁଘର ଚଉଁରି, ଏତେବଡ଼ ଅଣ୍ଡା, ଐରାବତ ହାତୀ, କଲୁରୀବେଣ୍ଟ, ରୁଟିସେକା, ଶୃଗାଳ ଗାଇଲାଗୀତ, ଶୂନ ଆଉ ଏକ,ଇରାର ସପନ,ଏ ହେଲା କେମିତି,ଗଛ ଆଈ, ଫଡ଼ାସ୍‍,ବରଷା ଆସିଲା, ବଢ଼ିଆ ମଜା,ବିରୁଡ଼ି ଗଲା ଉଡ଼ି (ଗପ),ନା’ ନା’ ସହର (ଗପ), ଛତା (ଗପ), ଗୀତ କୁହୁକ (ପହଳି),ଆମ ପାଇଁ କୁଇଜ୍‍ (କୁଇଜ୍‍), ଓଡ଼ିଶା ଆଲ୍‍ବମ୍‍-୧ (ଲଳିତ ନିବନ୍ଧ‍),ଗୀତ ମାନସାଙ୍କ (ପହଳି), ଟୁକୁନିର ଗୀତବହି, ଟପ୍‍ଟପାଟପ୍‍ ପାଣି (ଗୀତ),ଚିକିମିକି ସକାଳ (ଗୀତ), ଅଭୁଲା କାହାଣୀ,ଚିକ୍‍ମିକ୍‍ ତାରା (ଗୀତ), ଆସ ମିତ ଗାଇବା ଗୀତ,ପଦଭଉଁରି (ପହଳି), ମେଘ ଘୁମୁରଇ ଘଡ଼ରଘୁମୁ (ଗୀତ),ଅନାବନା ଗପ, ଉହାଡ଼ ନିଦରେ ପଡ଼ିଛି ଶୋଇ (ଲଳିତ ନିବନ୍ଧ‍), ବିଜ୍ଞାନପହିଲି,ପିଲାଙ୍କପାଇଁ ନୂଆ ନାନାବାୟା ଗୀତ, ତାକ୍‍ତାକ୍‍ତାଳି (ଗୀତ), କୁନାପାଇଁ ଅନାବନା ଗପ,କୁନିପାଇଁ କେତେ ଜାତି ଗୀତ, ମନମୋଟୁ ମଇତା(ଉପନ୍ୟାସ), ଇତିରିମିତିରି (ଗୀତ), ଗୀତଫରୁଆ (ପହଳି), କିଚିରିମିଚିରି ଗୀତ, ଆଇଲା ଆଇଲା ଘିଡ଼ିରିଘାଡ଼ୁ (ଗୀତ), ପପଲ ପପଲ ପୁଁ (ଗୀତ), ଫରୁଆ ଭିତରେଫରୁଆ (ପହଳି), ପକ୍ଷୀଜଗତ (ଲଳିତ ନିବନ୍ଧ‍), କୁନାପାଇଁ ଅନାବନା ଗୀତ, ।

ଶ୍ରୀଯୁକ୍ତ ଦାଶ୍ ଇଂରାଜୀ ଭାଷାରେ ମଧ୍ୟ ଅନେକ ସୃଷ୍ଟି ସାରସ୍ଵତ ଜଗତକୁ ଦେଇଛନ୍ତି ଯଥା:–
The Puduga king & other stories,
Unforgettable Stories,
A Basket of Stories (Stories),
The Story of Maita (Novel),
Manu and the Sparrow (Story),
Play Fun with Riddles (Riddles),
My Pet Poetry Book (Poem),
All Time Rhymes for Chlidren (Rhymes), ,Rhymes for Little Reema (Rhymes) ।
ଏତତ୍ ବ୍ୟତୀତ ନିଜର ଗାଳ୍ପିକ ପରିଚୟକୁ ସାର୍ଥକ କରି ସୃଷ୍ଟି କରିଛନ୍ତି ,ଶ୍ରେଷ୍ଠଗଳ୍ପ,ଗଳ୍ପପ୍ରବାହ-୧ ଓ ୨,ତରଳୁଥିବା ସମୟ,
ବେନହୁର ଗଳ୍ପବିବିଧା, ନିରୁକ୍ତିର ନେଳି,ଡେଣା,ଅକ୍ଷର ଅରଣ୍ୟ କୁହୁଡ଼ିର ଘର,ଛାଇନିଦ,ଚିତ୍ରିତ ଚଉପାଶ,ପଦ୍ମ ଘୁଞ୍ଚିଘୁଞ୍ଚି ଯାଉଛି ,ସମୟସମ୍ପର୍କ,ନାଭୀସମୁଦ୍ର ଇତ୍ୟାଦି।

ଦାଶ୍ ବେନହୁର ଆମରି ଗାଁର ଡେଙ୍ଗା ମଣିଷ।ଉଚ୍ଚା ଲୋକ ହେଲେ ମଧ୍ୟ ସେ ଜଣେ ଅହଂକାର ବିବର୍ଜିତ ମଣିଷ।ହାଫ୍ ପ୍ୟାଣ୍ଟ୍ ପିନ୍ଧା ସମୟରୁ ଆମ ଦୁଇଜଣଙ୍କ ପରିଚୟ।ମୋ’ଠୁଁ ବୟସରେ ତିନି ଚାରିବର୍ଷ ସାନ। ସାଙ୍ଗ ହୋଇ ଯୁଗଳ ସାରଙ୍କ ପାଖକୁ ଅଙ୍କ ବୁଝିବାକୁ ଯାଉଥିଲୁ। ପାରିବାରିକ ସମ୍ପର୍କ ମଧ୍ୟ ରହିଛି। କାଳକ୍ରମେ ମୋ ବାଟ ଅଲଗା ଏବଂ ତାଙ୍କ ବାଟ ଅଲଗା ହୋଇଗଲା।ଅଧ୍ୟାପକ ହୋଇ ସେ ମଣିଷ ଗଢା କାରଖାନାରେ ଯୋଗଦେଲେ ଏବଂ ସାରସ୍ଵତ ସାଧନାରେ ନିଜକୁ ବୁଡ଼େଇ ଦେଲେ। ମୁଁ ରିଜର୍ଭ ବ୍ୟାଙ୍କରେ ଯୋଗ ଦେଇ,ପରେ ନାବାର୍ଡ ଭଳି ସଂସ୍ଥାରେ କାର୍ଯ୍ୟରତ ରହି ଜୀବନସାରା ବାବନାଭୂତ ଭଳି ବୁଲି ବୁଲି ୨୦୧୦ ମସିହାରେ ଓଡ଼ିଶାକୁ ଫେରିଲି।ତା’ପରଠାରୁ ଶ୍ରୀଯୁକ୍ତ ଦାଶଙ୍କ ସହିତ ଆନ୍ତରିକ ବନ୍ଧୁତା ରହିଛି। ଏଭଳି ଜଣେ ମୂର୍ଦ୍ଧନ୍ୟ ପ୍ରତିଭାଙ୍କୁ ପାଇ ମୋ ଜନ୍ମଭୂମି ଖଣ୍ଡପଡ଼ା ନିଶ୍ଚିତ ଭାବରେ ଗର୍ବିତ।

ମୋ ଗାଁର ଆଉଜଣେ ସାମ୍ପ୍ରତିକ ସାରସ୍ଵତ ଜଗତର ଉଚ୍ଚା ଲୋକ ଥିଲେ କିଶୋର ଚନ୍ଦ୍ର ରଥ। ସର୍ବସାଧାରଣରେ ସେ କିଶୋର (କଟାକ୍ଷ) ନାମରେ ପରିଚିତ।ସେ କେବଳ ଜଣେ ବ୍ୟଙ୍ଗକାର ନଥିଲେ,ଥିଲେ ଜଣେ ପ୍ରତିଭାବାନ ବ୍ୟଙ୍ଗ-ଚିତ୍ରକର ମଧ୍ୟ। ସବୁଦିନ ସକାଳେ ସମ୍ବାଦ ପୃଷ୍ଠାରେ ତାଙ୍କ କଟାକ୍ଷ ପଢ଼ିବା/ଦେଖିବା ପାଇଁ ପାଠକ ଉତ୍ସୁକ ହୋଇ ଅନାଇଁ ରହୁଥିଲେ।କେବଳ ସେତିକି ନୁହେଁ,ଢୁମ୍ଫା ସଙ୍ଗୀତ ଜଗତକୁ ତାଙ୍କର ଦାନ ଅତୁଳନୀୟ।ଢୁମ୍ପାରେ ନିଜେ ଜଣେ ସୁଗାୟକ ହେବା ସଙ୍ଗେ ସଙ୍ଗେ ସେ ଜଣେ ସଫଳ ସଙ୍ଗଠକ ଥିଲେ।”ଗଦାଧର ଢୁମ୍ପା ସଙ୍ଗୀତ”ନାମକ ଗୋଟିଏ ଢୁମ୍ପାଦଳ ଗଠନ କରି,ଓଡ଼ିଶା ସରକାରଙ୍କର ସଙ୍ଗୀତ ନାଟକ ଏକାଡେମୀ ସହିତ ଯୋଗାଯୋଗ କରି,ସେ କଲିକତା ଓ ଦିଲ୍ଲୀ ଭଳି ସ୍ଥାନ ମାନଙ୍କରେ “ଗୁରୁ ଶିଷ୍ୟ ପରମ୍ପରା” ଅଧୀନରେ
ଖଣ୍ଡପଡ଼ାର ଏହି ଲୋକକଳାକୁ ସୁଦୂର ପ୍ରସାରି କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।ବର୍ଷେ ତଳେ କାଳ ତାଙ୍କୁ ଆମଠାରୁ ବହୁତ ଦୂରକୁ ନେଇ ଯାଇଛି। ଆଜି ସେ ମନେ ପଡ଼ନ୍ତି;ସେ ଜଣେ ସଂବେଦନଶୀଳ ପରୋପକାରୀ ବ୍ୟକ୍ତି ଥିଲେ,ସମ୍ପର୍କରେ ସେ ଥିଲେ ମୋ ଝିଆରୀ ଜୋଇଁ ।ତାଙ୍କ ଅବର୍ତ୍ତମାନରେ ମୋ ଜନ୍ମଭୂମି ଖଣ୍ଡପଡ଼ା ଏକ ପ୍ରତିଭାବାନ ଯୁବ କଳାକାରଙ୍କୁ ହରାଇ ବସିଛି।
କ୍ରମଶଃ…..

Click to rate this post!
[Total: 0 Average: 0]

Leave a Reply