Thursday, July 25, 2024
Stories

ଆମ ଗାଁ ଆମ ଘର (୨୩)

ଆମ ଗାଁ ଆମ ଘର
୨୩
================================
ବାହାରେ ନାଁ କମେଇଥିବା ମୋ ଗାଁ’ ର ଲୋକମାନେ
(ଭାଗ–୧)
=================================
ରାମସେ କୋବଦେନ୍ ତାଙ୍କ “ଫ୍ୟୁଡେଟୋରୀ ଷ୍ଟେଟସ୍ ଅଫ୍ ଓଡ଼ିଶା” ପୁସ୍ତକରେ ଲେଖିଛନ୍ତି ଯେ ଆଖପାଖରେ ଥିବା ଅନ୍ୟ ଗଡଜାତ ଅପେକ୍ଷା ଖଣ୍ଡପଡ଼ାର ମାଟି ଉର୍ବର ଥିଲା।ଆଉ ଟିକିଏ ଆଗେଇ ଯାଇ ଆମେ କହିପାରିବା, କେବଳ ମାଟି କାହିଁକି,ଖଣ୍ଡପଡାରେ ଅନେକ ଉର୍ବର-ମସ୍ତିସ୍କ ଲୋକ ଥିଲେ, ଯେଉଁମାନେ ପ୍ରଦେଶରେ,ଦେଶରେ ଏବଂ ବିଦେଶରେ ନାଁ କମେଇ ଜନ୍ମଭୂମିକୁ ଗର୍ବିତ କରିଛନ୍ତି।

ସେମାନଙ୍କ ଭିତରୁ ପ୍ରଥମେ ମନେପଡନ୍ତି ଦୀନବନ୍ଧୁ ଖାଡଙ୍ଗା(ଖଡ୍ଗରାୟ)। ଖଣ୍ଡପଡ଼ାର ଦ୍ବିତୀୟ ରାଜା ନାରାୟଣ ସିଂହ ମର୍ଦ୍ଦରାଜ ଏବଂ ତୃତୀୟ ରାଜା ବାଲୁଙ୍କେଶ୍ୱର ସିଂହ ମର୍ଦ୍ଦରାଜଙ୍କ ରାଜୁତି କାଳର (୧୬୭୪–୧୭୨୦ ସମୟଖଣ୍ଡ ଭିତରେ) ଏହି ବାଣୀବରପୁତ୍ର ଖଣ୍ଡପଡ଼ା ମାଟିକୁ ପବିତ୍ର କରିଥିଲେ।ସଂସ୍କୃତରେ ଲିଖିତ ଭାଗବତର ୧୮୦୦୦ ଶ୍ଳୋକ ତାଙ୍କ ଜିଭ ଆଗରେ ଥିଲା। ତାହା ସେ ଓଡିଆ ଭାଷାରେ ନବାକ୍ଷରୀ ଛାନ୍ଦରେ ଅନୁବାଦ କରିଥିଲେ। ତାହା “ଖାଡଙ୍ଗା ଭାଗବତ” ନାମରେ ସାରା ଓଡ଼ିଶାରେ ପରିଚିତ। ଅତିବଡ଼ି ଜଗନ୍ନାଥ ଦାସଙ୍କ ଭାଗବତରେ ଥିବା ଲାଳିତ୍ୟ ଏଥିରେ ଅନୁଭୂତ ହେଉ ନଥିଲେ ମଧ୍ୟ ଆକ୍ଷରିକ ଅନୁବାଦ ଦୃଷ୍ଟିରୁ ଏହା ଅତିବଡ଼ିଙ୍କ ଭାଗବତ ଅପେକ୍ଷା ଉତ୍କୃଷ୍ଟ ବୋଲି ଅନେକେ ମତ ଦିଅନ୍ତି। ସେ ସମୟରେ ଖଣ୍ଡପଡ଼ାର ପୁରପଲ୍ଲୀରେ ଖାଡଙ୍ଗା ଭାଗବତ,ଟୁଙ୍ଗିରେ ନିୟମିତ ପଢାଯାଉଥିଲା। ବହୁ ବର୍ଷ ପର୍ଯ୍ୟନ୍ତ ଏହି ଗ୍ରନ୍ଥଟି ପ୍ରକାଶିତ ହୋଇନଥିଲା।୧୯୩୨ ମସିହାରେ ସ୍ୱର୍ଗତ ବିଛନ୍ଦ ଚରଣ ପଟ୍ଟନାୟକ (ସମ୍ପାଦକ, ପ୍ରାଚୀ ସମିତି)ଙ୍କ ଦ୍ବାରା ଏହା ପ୍ରକାଶିତ ହୋଇଛି।
ଆନ୍ତର୍ଜାତୀୟ ସ୍ତରରେ ନାଁ କମେଇଥିବା ସାମନ୍ତ ଚନ୍ଦ୍ରଶେଖର (ପଠାଣି ସାମନ୍ତ)ଏହି ମାଟିର ସୁପୁତ୍ର ବୋଲି କିଏ ନଜାଣେ? ପୃଥିବୀ-କୈନ୍ଦ୍ରିକ ଘୂର୍ଣ୍ଣନ ତତ୍ତ୍ବକୁ ସମର୍ଥନ କରୁଥିବାରୁ ତାଙ୍କୁ ପ୍ରସିଦ୍ଧ ୟୁରୋପୀୟ ଜ୍ୟୋତିର୍ବିଜ୍ଞାନୀ “ଟିକୋ ବ୍ରାହେ”(Tyco Brahe)ଙ୍କ ସହିତ ତୁଳନା କରାଯାଏ।୧୮୩୫ ମସିହା ଡିସେମ୍ବର ମାସ ୧୩ତାରିଖରେ ଖଣ୍ଡପଡ଼ା ରାଜବଂଶରେ ଜନ୍ମ ହୋଇଥିବା ଏହି ମହାପୁରୁଷଙ୍କର ୧୯୦୪ ମସିହା ଜୁନ ମାସ ଏଗାର ତାରିଖରେ,୬୯ବର୍ଷ ବୟସରେ ମହାପ୍ରୟାଣ ଘଟିଥିଲା।”ଗଣିତ-ଜ୍ୟୋତିଷ” ଶାସ୍ତ୍ରକୁ ଶୀର୍ଷ ସ୍ଥାନରେ ପହଞ୍ଚାଇ ସେ ଜ୍ୟୋତିଷ ଶାସ୍ତ୍ରକୁ ବିଜ୍ଞାନ ସମ୍ମତ କରାଇଥିଲେ। ଦୂରବୀକ୍ଷଣ ଯନ୍ତ୍ର ତାଙ୍କ ପାଖରେ ନଥିଲା। ମାନଯନ୍ତ୍ର ଏବଂ ଶଙ୍କୁଯନ୍ତ୍ର ନାମକ ନିଜ ଦ୍ବାରା ଉଦ୍ଭାବିତ ଯନ୍ତ୍ରର ସାହାଯ୍ୟରେ ସେ,ଖାଲି ଆଖିରେ ନିରୀକ୍ଷଣ କରି ଆକାଶ ମଣ୍ଡଳର ଗ୍ରହ,ନକ୍ଷତ୍ର ମାନଙ୍କର ନିର୍ଭୁଲ ଗତି, ସ୍ଥିତି, ଓ ଦୂରତା ନିରୂପଣ କରି ଦିନ ଦଣ୍ଡ ଲିତା ଓ ତିଥି ନିର୍ଣ୍ଣୟ କରିଥିଲେ। ଏହାଦ୍ବାରା ପୂର୍ବରୁ “ସିଦ୍ଧାନ୍ତ ଗ୍ରନ୍ଥ” ମାନଙ୍କରେ ଥିବା ବିଶୃଙ୍ଖଳା ଦୂର ହୋଇ ନିର୍ଭୁଲ ତିଥି/ଦିନ/ଦଣ୍ଡ ନିରୂପିତ ହୋଇ ପାରିଥିଲା। ତାଙ୍କ ନିର୍ଭୁଲ ଗଣନା ଯୋଗୁଁ ଆସନ୍ତା ୧୦ ହଜାର ବର୍ଷ ପର୍ଯ୍ୟନ୍ତ ନିର୍ଭୁଲ ପାଞ୍ଜି ପ୍ରଣୟନ ହୋଇପାରିବ। ତାଙ୍କ ଗଣନା ଏତେ ନିର୍ଭୁଲ ଯେ,୧୮୭୬ ମସିହାରେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ପଣ୍ଡିତ ସଭାର ନିର୍ଣ୍ଣୟ ଅନୁସାରେ ତାଙ୍କ ପାଞ୍ଜି ଦେଖି ଜଗନ୍ନାଥଙ୍କ ନୀତି କାନ୍ତି ପରିଚାଳିତ ହେଉଥିଲା ଏବଂ ଏବେ ମଧ୍ୟ ହେଉଛି।ତାଙ୍କର ଗଣନା ଅନୁଯାୟୀ ଠିକ୍ ସମୟରେ ଚନ୍ଦ୍ରଗ୍ରହଣ ଏବଂ ସୂର୍ଯ୍ୟପରାଗ ଘଟିବା ପରେ ସାରା ବିଶ୍ବରେ ତାଙ୍କର ପ୍ରସିଦ୍ଧ ବଢ଼ିଯାଇଥିଲା।ତାଙ୍କ ଦୃକସିଦ୍ଧ ଗଣନାର ଫଳ ସ୍ବରୂପ ଅଭିଜିତ ନାମକ ଗୋଟିଏ ନୂତନ ନକ୍ଷତ୍ର ଆବିଷ୍କୃତ ହୋଇଛି।ଆଗରୁ ୨୭ଟି ନକ୍ଷତ୍ର ଥିଲେ।ଅଭିଜିତକୁ ମିଶାଇ ଏବେ ୨୮ଟି ନକ୍ଷତ୍ର ରହିଛନ୍ତି।

ପୃଥିବୀ,ସୂର୍ଯ୍ୟ ଚନ୍ଦ୍ର ଏବଂ ଅନ୍ୟ ଗ୍ରହମାନଙ୍କର ବ୍ୟାସ ନିର୍ଭୁଲ ଭାବରେ ସାମନ୍ତ ନିରୂପଣ କରିଯାଇଛନ୍ତି। ସୂର୍ଯ୍ୟଙ୍କ ଠାରୁ କେତେ ଦୂରରେ କିରଣର ତାପ ଅନୁଭୂତ ହେବନାହିଁ ତାହା ସେ ଗଣନା କରିଛନ୍ତି। ସୂର୍ଯ୍ୟଙ୍କ ବ୍ୟାସର ଦୁଇଗୁଣ ଦୂରତାରେ ସୂର୍ଯ୍ୟତାପ ଅନୁଭୂତ ହୁଏନାହିଁ ଏବଂ ବ୍ୟାସର ସମଦୂରତାରେ ସୂର୍ଯ୍ୟଙ୍କ ତାପର ଏକଶତାଂଶ ଅନୁଭୂତ ହୁଏ ବୋଲି ସେ ଗଣନା କରିଯାଇଛନ୍ତି।

ନିର୍ଭୁଲ ଅୟନାଂଶ ଯୋଗ କରି ଗ୍ରହ ନକ୍ଷତ୍ର ମାନଙ୍କୁ ମହାକାଶରେ ଖାଲି ଆଖିରେ ଠାବ କରିବାରେ ତାଙ୍କ ଗଣନା ନିର୍ଭୁଲ ଥିଲା।ଅୟନାଂଶ ଯୋଗ କରିବାପରେ ଗ୍ରହନକ୍ଷତ୍ର ମାନଙ୍କୁ ସାୟନ ଗ୍ରହ/ନକ୍ଷତ୍ର କୁହାଯାଏ। ନିର୍ଭୁଲ ଅୟନାଂଶ ଯୋଗ ଜ୍ୟୋତିର୍ବିଜ୍ଞାନ ଜଗତକୁ ପଠାଣି ସାମନ୍ତଙ୍କର ଅତୁଳନୀୟ ଦାନ ବୋଲି ନିର୍ଦ୍ବନ୍ଦ୍ବରେ କୁହାଯାଇପାରେ।ପାଟୀଗଣିତ, ବୀଜଗଣିତ, ଜ୍ୟାମିତି, ପରିମିତି ଏବଂ ତ୍ରିକୋଣମିତିର ସୂତ୍ର ପ୍ରୟୋଗ କରି ସେ ଅନାୟାସରେ ଦୂରରେ ଥିବା ବୃକ୍ଷଲତା ପର୍ବତ ଓ ପାହାଡ଼ର ଉଚ୍ଚତା ଓ ଦୂରତା ନିର୍ଣ୍ଣୟ କରିପାରୁଥିଲେ। ସୂର୍ଯ୍ୟଙ୍କ ମହାକର୍ଷଣ ଶକ୍ତି ଯୋଗୁଁ ଚନ୍ଦ୍ରର ଗତିରେ ଯେଉଁ ସାମନ୍ୟ ବିଶୃଙ୍ଖଳା ଦେଖାଯାଏ ତାହା ପ୍ରଥମ ଥର ପାଇଁ ସାମନ୍ତଙ୍କ ଗଣନା ଯୋଗୁଁ ଜଣାପଡିଲା।

ସାମନ୍ତ ଚନ୍ଦ୍ରଶେଖର ଜଣେ ବୈଜ୍ଞାନିକ ହୋଇ ମଧ୍ୟ ମହାପ୍ରଭୁ ଜଗନ୍ନାଥଙ୍କର ପରମ ଭକ୍ତ ଥିଲେ। ସିଦ୍ଧାନ୍ତ ଦର୍ପଣ ଗ୍ରନ୍ଥରେ ପ୍ରତି ଅଧ୍ୟାୟ ଆରମ୍ଭରେ ଏବଂ ଶେଷରେ ସେ ଶ୍ରୀଜଗନ୍ନାଥଙ୍କ ମହିମା ବର୍ଣ୍ଣନ କରିଛନ୍ତି। ଯେତେବେଳେ ସୁଯୋଗ ମିଳୁଥିଲା ସେ ସାଙ୍ଗସାଥୀଙ୍କ ସହିତ ଚୁଡ଼ା ଚାଉଳ ଧରି ପାଦରେ ଚାଲିଚାଲି ଚକାଡୋଳାଙ୍କୁ ଦେଖିବାପାଇଁ ପୁରସ୍ତମରେ ପହଞ୍ଚି ଯାଉଥିଲେ।ତାଙ୍କ ବାସଭବନ ଠାରୁ ଶ୍ରୀମନ୍ଦିର (ବାଇଶି ପାହାଚ) ପର୍ଯ୍ୟନ୍ତ ଦୂରତା ପାଦରେ ମାପି ୧,୫୧,୨୦୦ ପାହୁଣ୍ଡ ବୋଲି ସେ ନିର୍ଣ୍ଣୟ କରିଥିଲେ।
ଚନ୍ଦ୍ରଗ୍ରହଣ ଏବଂ ସୂର୍ଯ୍ୟପରାଗ କେଉଁ ବୈଜ୍ଞାନିକ କାରଣ ଯୋଗୁଁ ସଂଘଟିତ ହୁଏ ସାମନ୍ତଙ୍କ ବ୍ୟତୀତ ଆଉ କିଏ ଅଧିକ ଜାଣେ ? ତଥାପି ଶ୍ରୀଜଗନ୍ନାଥଙ୍କ ପ୍ରତି ଅଚଳା ଭକ୍ତି ଓ ହିନ୍ଦୁ ସଂସ୍କାର ଓ ସଂସ୍କୃତି ପ୍ରତି ତାଙ୍କର ଅକୁଣ୍ଠ ସମ୍ମାନ ଉଦାହରଣୀୟ। ଆଜିକାଲିର ତଥାକଥିତ ହେତୁବାଦୀମାନେ ପଠାଣି ସାମନ୍ତଙ୍କ ଠାରୁ ଅନେକ କିଛି ଶିଖିବାର ଅଛି।

ଅନ୍ୟ ଅନେକ କୃତି ସାମନ୍ତଙ୍କର ରହିଛି ଯାହା ଏହି ସୀମିତ ଆଲେଖ୍ୟରେ ବର୍ଣ୍ଣନା କରିବା ସମ୍ଭବ ନୁହେଁ। ସାମନ୍ତ ତାଙ୍କ ଗଣନାର ଉପଲବ୍ଧି ୨୫୦୦ ଶ୍ଳୋକ ସମ୍ବଳିତ “ସିଦ୍ଧାନ୍ତ ଦର୍ପଣ” ଗ୍ରନ୍ଥରେ ଲିପିବଦ୍ଧ କରିଯାଇଛନ୍ତି, ଯାହା ଜ୍ୟୋତିର୍ବିଜ୍ଞାନର ଏକ ଅମୂଲ୍ୟ ଗ୍ରନ୍ଥ। ଏହି ଉପଲବ୍ଧି ପାଇଁ ପଠାଣି ସାମନ୍ତଙ୍କୁ ୧୮୯୩ ମସିହାରେ ଗୋରା ସରକାର “ମହାମହୋପାଧ୍ୟାୟ” ଉପାଧିରେ ଭୂଷିତ କରିଛନ୍ତି।
ଜାତୀୟ କ୍ଷେତ୍ରରେ ଖଣ୍ଡପଡ଼ା ମାଟିର ନାମ ଉଜ୍ଜଳ କରିଥିବା ଆଉଜଣେ ବାଣୀ ବରପୁତ୍ର ଥିଲେ ଦିବଙ୍ଗତ ଗଦାଧର ସିଂହ ସାମନ୍ତ।ସେ ଥିଲେ ପଠାଣି ସାମନ୍ତଙ୍କର ମଧ୍ୟମ ପୁତ୍ର।୧୮୭୭ ମସିହାରେ ତାଙ୍କର ଜନ୍ମ ଏବଂ ୧୯୬୪ ମସିହାରେ ତିରୋଧାନ ହୋଇଥିଲା।ରୀତିଯୁଗୀୟ ଶୈଳୀରେ ରାଧାକୃଷ୍ଣ ପ୍ରେମ ରସାପ୍ଳୁତ ଅସଂଖ୍ୟ ଛାନ୍ଦ, ଚଉପଦୀ ଇତ୍ୟାଦି ରଚନା କରି ସେ ଲୋକଗୀତ “ଢୁମ୍ପାସଙ୍ଗୀତ” ଜଗତରେ ଅମର ହୋଇଯାଇଛନ୍ତି। ଏହି ବିରଳ ଢୁମ୍ଫା ସଂଗୀତ ଓଡ଼ିଶାରେ କେବଳ ଦୁଇଟି ସ୍ଥାନରେ ବଂଚି ରହିଛି ଯଥା ଖଣ୍ଡପଡ଼ା ଏବଂ ଦିଗପହଣ୍ଡି।ଖଣ୍ଡପଡାରେ କେବଳ ଗଦାଧର ସିଂହ ସାମନ୍ତଙ୍କ ଯୋଗୁଁ ଏହି ଲୋକକଳା ଏତେ ପ୍ରସିଦ୍ଧି ଲାଭ କରିଛି। ଆଜି ଦିଲ୍ଲୀ ଦରବାର ଗଦାଧରଙ୍କ ଢୁମ୍ଫା ସଂଗୀତ.. “ଢୁମ୍ଫା ସଂଗୀତରେ ବାଳୀ” ଏବଂ “ତୁ ବୋଲ ସଖୀ ଝେଣାଖିଟା ତାରେ” ଇତ୍ୟାଦି ସଂଗୀତ ମୂର୍ଚ୍ଚନାରେ ପ୍ରତିଧ୍ବନିତ ହେଉଛି।ଏହାର ଶ୍ରେୟ କେବଳ ପ୍ରେମିକକବି ଖଣ୍ଡପଡାର କବିସୂର୍ଯ୍ୟ ଗଦାଧର ସିଂହ ସାମନ୍ତଙ୍କର ପ୍ରାପ୍ୟ।
କ୍ରମଶଃ…

Click to rate this post!
[Total: 0 Average: 0]

Leave a Reply