Wednesday, February 28, 2024
Stories

ଆମ ଗାଁ ଆମ ଘର (୨୨)

ଆମ ଗାଁ ଆମ ଘର
୨୨
===========================
ବିଦ୍ୟା ମନ୍ଦିର
===========================
ଯେପରି ଗାଁର ମନ୍ଦିର, ଗାଁର ବିଦ୍ୟାଳୟ 🏫 ମଧ୍ୟ ସେହିପରି ଏକ ଗୁରୁତ୍ବପୂର୍ଣ୍ଣ ପବିତ୍ର ସ୍ଥାନ। ସେଥିପାଇଁ ବିଦ୍ୟାଳୟକୁ “ବିଦ୍ୟାମନ୍ଦିର” ମଧ୍ୟ କୁହାଯାଏ।ଆମ ଦେଶରେ/ପ୍ରଦେଶରେ/ଜନ୍ମମାଟିରେ ଥିବା ମନ୍ଦିର-ସଂସ୍କୃତି ଅତି ପୂରାତନ,ସୁଦୃଢ଼ ଓ ଉଚ୍ଚ ଧରଣର । କିନ୍ତୁ ଦେବଭାଷା ଉପରେ ଆଧାରିତ ଆମ ଶିକ୍ଷା ପଦ୍ଧତିକୁ ଗୋରା ସରକାର ସମ୍ପୂର୍ଣ୍ଣ ନଷ୍ଟ କରିଦେଇ ଇଂରାଜୀ ମାଧ୍ୟମରେ ପାଶ୍ଚାତ୍ୟ ଶିକ୍ଷା ପଦ୍ଧତି ଆମ ଉପରେ ଯେତେବେଳେ ଲଦିଦେଲେ ସେତେବେଳେ ଆମର ବହୁପୁରାତନ ଶିକ୍ଷାର ମନ୍ଦିର ଭୁଶୁଡ଼ି ପଡ଼ିଲା। ଆମେ ସମସ୍ତେ ପଣ୍ଡିତରୁ ମୁର୍ଖ ହୋଇଗଲେ। ସାମନ୍ତ ଚନ୍ଦ୍ରଶେଖରଙ୍କ ଭଳି ମହାନ ଜ୍ୟୋତିର୍ବିଜ୍ଞାନୀ ଓ ସଂସ୍କୃତଶାସ୍ତ୍ରୀଙ୍କୁ “ସ୍କୁଲ୍ ମାଡିନଥିବା ମୁର୍ଖ ବ୍ୟକ୍ତିଟିଏ” ବୋଲି କୁହାଗଲା,କାରଣ ସେ ଇଂରାଜୀ କହିପାରୁନଥିଲେ କିମ୍ବା ବୁଝି ପାରୁନଥିଲେ। ପାଶ୍ଚାତ୍ୟ ଶିକ୍ଷା ଗୁରୁତ୍ଵ ପାଇବାପରେ ସଂସ୍କୃତ ଟୋଲ୍ ଓ ଭର୍ଣ୍ଣାକୁଲାର୍ ସ୍କୁଲ୍ ଆମପାଇଁ ବର୍ଜନୀୟ ହୋଇଗଲା।ମିଡିଲ୍ ଇଂରାଜୀ ସ୍କୁଲ୍ ଓ ହାଇସ୍କୁଲ ସବୁ ଉନ୍ନତ ଶିକ୍ଷାଦାନର ପରିଚୟ ପାଲଟି ଗଲେ।ପ୍ରଶ୍ନ ଉଠେ,ନୂତନ ଶିକ୍ଷା ପଦ୍ଧତି ସହିତ ବେଦ ବେଦାନ୍ତ ଓ ସିଦ୍ଧାନ୍ତ ଉପରେ ଆଧାରିତ ଆମର ପୁରାତନ ଶିକ୍ଷା ପଦ୍ଧତିକୁ ପ୍ରଶ୍ରୟ ଦେଇଥିଲେ କଣ ଅସୁବିଧା ହୋଇଥାନ୍ତା ?ଆମର ସିଦ୍ଧାନ୍ତ ଶିରୋମଣି, ଆର୍ଯ୍ୟ ସିଦ୍ଧାନ୍ତ, ସୂର୍ଯ୍ୟ ସିଦ୍ଧାନ୍ତ ଆଦି ବିଦ୍ୟାମାନଙ୍କରେ ମହାକାଶ ବିଜ୍ଞାନ ଲୁଚି ରହିଛି;ଅଥର୍ବ ବେଦରେ ଔଦ୍ୟୋଗିକ ବିଦ୍ୟାର ଚାବି ରହିଛି। ଆମ ଚିକିତ୍ସା ଶାସ୍ତ୍ରରେ ପ୍ରାକୃତିକ ଚିକିତ୍ସା ଜନିତ ସୁଫଳ/ସୁପରିଣାମ ଲୁଚି ରହିଛି।ଆମ ଶ୍ରୀମଦ୍ଭାଗବଦ୍ ଗୀତା ସଂସ୍କାରର ଗନ୍ତାଘର।ଏ ସବୁକୁ ଗୁରୁତ୍ବ ନଦେଇ ଆମେ କିଛି ଗୋବର ଗଣେଶ ସୃଷ୍ଟି କରୁନାହାଁନ୍ତି କି ?

ଶିକ୍ଷାର ଏହି ନୂଆ ଷ୍ଟାଣ୍ଡାର୍ଡ ଅନୁଯାୟୀ ଓଡ଼ିଶାର ତତ୍କାଳୀନ ଶୈକ୍ଷିକ ପରିବେଶ ରାମସେ କୋବଡେନ୍'(Ramsay Cobden)ଙ୍କର Feudatory States of Odisha ନାମକ ଏକ ପୁସ୍ତକରୁ ଜାଣିବାକୁ ମିଳେ। ଏହି ପୁସ୍ତକର ରଚନାକାଳ ୧୯୦୯ ମସିହା, ଅର୍ଥାତ୍ ପ୍ରାଗ୍ ସ୍ବାଧୀନତା କାଳର ବର୍ଣ୍ଣନା ଏଥିରେ ରହିଛି।
Ramsayଙ୍କ ଅନୁଯାୟୀ ସେ ସମୟରେ ଖଣ୍ଡପଡ଼ା ଷ୍ଟେଟରେ ଗୋଟିଏ ମିଡିଲ୍ ଭର୍ଣ୍ତାକୁଲାର୍ ସ୍କୁଲ୍, ଗୋଟିଏ ଅପର ପ୍ରାଇମେରୀ ସ୍କୁଲ୍,୩୩ଟି ଲୋୟର ପ୍ରାଇମେରୀ ସ୍କୁଲ୍(ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ) ଏବଂ ଗୋଟିଏ ସଂସ୍କୃତ ଟୋଲ ଥିଲା। ସେତେବେଳେ ୨୪୪ବର୍ଗ ମାଇଲ୍ (ଚଉଦ କୋଶ) ପରିମିତ ଏହି ରାଜ୍ୟର,ସମସ୍ତ ୩୨୫ ଗ୍ରାମରେ ଜନସଂଖ୍ୟା ଥିଲା ୬୯୪୪୦(1901 Census)। ପ୍ରତି ବର୍ଗମାଇଲ ପିଛା ୨୮୪ ଲୋକ ରହୁଥିଲେ। ଏଭଳି ଶୈକ୍ଷିକ ପରିବେଶକୁ Ramsay ଅତି ଅନୁନ୍ନତ (very poor ) ବୋଲି ନାମିତ କରିଛନ୍ତି। ଏଭଳି ଶୈକ୍ଷିକ ବାତାବରଣ ରାଜା ହରିହର ସିଂହ ଗାଦି ପାଇବା ପର୍ଯ୍ୟନ୍ତ ଲାଗି ରହିଲା।ଗୋରା ସରକାରଙ୍କ ତରଫରୁ ଜଣେ ସ୍କୁଲ୍ ଇନ୍ସପେକ୍ଟର/ ସବ୍ ଇନ୍ସପେକ୍ଟର ନିଯୁକ୍ତି ପାଉଥିଲେ ଏହି ସ୍କୁଲ ଗୁଡିକର ପରିଦର୍ଶନ କରିବାପାଇଁ। ପ୍ରଥମେ ସ୍ବର୍ଗତ କବିଚନ୍ଦ୍ର କାଳୀଚରଣ ଏବଂ ପରେ କବିବର ରାଧାନାଥ ରାୟ ଏହି ପଦବୀରେ ନିଯୁକ୍ତି ପାଇଥିଲେ।ପରେ ଖଣ୍ଡପଡ଼ା ଅଞ୍ଚଳର କିଛି ବ୍ୟକ୍ତି (ସ୍ବର୍ଗତ ବୈଦ୍ୟନାଥ ଷଡଙ୍ଗୀ ଏବଂ ବିନାୟକ ଷଡଙ୍ଗୀ ଇତ୍ୟାଦି) ଏହି ପଦବୀରେ ନିଯୁକ୍ତି ପାଇଥିଲେ।

ପରିଦର୍ଶକଙ୍କ ଦରମା ଗୋରା ସରକାର ବହନ କରୁଥିଲେ;ଦେଖେଇ ହବାକୁ ଚାହୁଁଥିଲେ ଯେ ସରକାର ବାହାଦୂର ଲୋକଙ୍କ ଶିକ୍ଷାର ଉନ୍ନତି ପାଇଁ କେତେ ଚିନ୍ତାଶୀଳ।ଅନ୍ୟ ସବୁ ଗଡଜାତର ଶୈକ୍ଷିକ ବାତାବରଣ ପ୍ରାୟ ଏହିପରି କିମ୍ବା ଏହାଠାରୁ ଖରାପ ଥିଲା।ପୂର୍ବ ଅଧ୍ୟାୟରେ ଆମେ ଆଲୋଚନା କରିଛେ କିପରି ୧୯୪୩ ମସିହା ପର୍ଯ୍ୟନ୍ତ ଓଡ଼ିଶାରେ ବିଶ୍ବବିଦ୍ୟାଳୟଟିଏ ନଥିଲା ଏବଂ ପାଟଣା (ବିହାର) ବିଶ୍ବବିଦ୍ୟାଳୟ ଅଧୀନରେ ଓଡ଼ିଆ ପିଲାଙ୍କୁ ମାଟ୍ରିକ ପରୀକ୍ଷା ଦେବାପାଇଁ ପଡୁଥିଲା।୧୯୪୪ମସିହାରେ ଖଣ୍ଡପଡ଼ାର ତତ୍କାଳୀନ ରାଜବଂଶର ସବୁଠାରୁ ପାଠୁଆ ରାଜା ହରିହର ସିଂହ ମର୍ଦ୍ଦରାଜଙ୍କ ପ୍ରୟାସରେ ରାମଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠିତ ହୋଇଥିଲା।

ମୋ ପାଇଁ ଏହି ଶିକ୍ଷାୟତ୍ତନଟି ଜଗନ୍ନାଥଙ୍କ ମନ୍ଦିରଠାରୁ କିଛି ଉଣା ନଥିଲା; କାରଣ ଏହା ପ୍ରତିଷ୍ଠିତ ହେବାର ମାତ୍ର ଚଉଦ ବର୍ଷ ପରେ ଏଠାରୁ ବିଦ୍ୟାଧନ ମହାଧନ ପାଇବାପାଇଁ ଏହାର ମାଟିକୁ ମୁଁ ମଥାରେ ଲଗାଇଥିଲି।ଦେଶ ସ୍ବାଧୀନତା ପାଇବାର ମାତ୍ର ଦୁଇବର୍ଷ ଭିତରେ ମୋର ଜନ୍ମ, ସେତେବେଳେ ଆଜିକିଲି ଭଳି ଶିକ୍ଷାର ବୈଷୟିକ ସମ୍ପ୍ରସାରଣ ହୋଇନଥିଲା। କିନ୍ତୁ ଯାହା କିଛି ଜ୍ଞାନ ଏହି ନୂଆ ହୋଇ ଗଢ଼ିଉଠିଥିବା ବିଦ୍ୟାଳୟ ଦେଇଥିଲା ତାହା ଆମମାନଙ୍କୁ ମଣିଷ କରି ଦାଣ୍ଡରେ ଠିଆ କରାଇଲା।

ଯେଉଁ ପ୍ରବୀଣ ଶିକ୍ଷକମାନେ ବିଗତ ୭୭ବର୍ଷ ଭିତରେ ଏହି ରାମଚନ୍ଦ୍ର ଉଚ୍ଚ ବିଦ୍ୟାଳୟରୁ ମଣିଷ-ହୀରା ସୃଷ୍ଟି କରି ଦେଶ/ ବିଦେଶକୁ ଯୋଗାଇଛନ୍ତି, ସମସ୍ତଙ୍କ ନାଁ ତ ମନେ ନାହିଁ; କିଛି କିଛି ଶିକ୍ଷକଙ୍କଙ୍କ ନାଁ ସଂଗ୍ରହ କରାଯାଇଛି।୧୯୪୪ ମସିହାରେ ସ୍କୁଲ୍ ପ୍ରତିଷ୍ଠା ହେବା ସମୟର ପ୍ରଥମ ପ୍ରଧାନ ଶିକ୍ଷକ ଥିଲେ ପି ଭି ରତ୍ନମ୍।ତାଙ୍କ ପରେ ପରେ ୩୧ଜଣ ପ୍ରଧାନ ଶିକ୍ଷକ ଏହି ଅନୁଷ୍ଠାନରେ ପ୍ରଧାନ ଶିକ୍ଷକ ଭାବରେ କାମ କରି ଯାଇଛନ୍ତି।ସେମାନେ ହେଲେ ସର୍ବଶ୍ରୀ ଅନନ୍ତ ଚରଣ ପାତ୍ର, ନୃସିଂହ ଚନ୍ଦ୍ର ବେହୁରା, ରାମଚନ୍ଦ୍ର ମହାପାତ୍ର, ଚୈତନ୍ୟ ଚରଣ ମଲ୍ଲିକ, ପ୍ରଭାକର ପଟ୍ଟନାୟକ, ନାରାୟଣ ଚନ୍ଦ୍ର କର, ଶ୍ୟାମସୁନ୍ଦର ପଟ୍ଟନାୟକ,ଯୁଗଳ କିଶୋର ପାଣିଗ୍ରାହୀ (୨ଥର),ଲଡୁକେଶ ପଣ୍ଡା, ଗୋବିନ୍ଦ ଚନ୍ଦ୍ର ପୃଷ୍ଟି , ଉମାକାନ୍ତ ମିଶ୍ର,ବିନାୟକ ମହାପାତ୍ର, ଗୟାଧର ପାତ୍ର, ରାଧାମୋହନ ମହାପାତ୍ର, ନକୁଳ ଚରଣ ଭୋଇ, ସନ୍ତୋଷ କୁମାର ପାତ୍ର, ଲିଙ୍ଗରାଜ ମିଶ୍ର, ବନବିହାରୀ ନାୟକ, ତ୍ରିଲୋଚନ ମିଶ୍ର, ଆଦିକନ୍ଦ ଦାସ୍, ଗୋବିନ୍ଦ ଚନ୍ଦ୍ର ବାରିକ(୨ ଥର), ସୁରେଶ କୁମାର ଦାଶ,ନକୁଳ ଖୁଣ୍ଟିଆ(୩ ଥର), ପ୍ରକାଶ ଚନ୍ଦ୍ର ପାତ୍ର, ମହେଶ୍ୱର ନନ୍ଦ, କିଶୋର ମୋହନ ପ୍ରଧାନ ଏବଂ ଶ୍ରୀମତୀ ଜୟନ୍ତୀ ସା‌ହୁ।

ଏହି ପ୍ରଧାନ ଶିକ୍ଷକ ମାନଙ୍କ ବ୍ୟତୀତ ଆମ ବିଦ୍ୟାଳୟର ଯେଉଁ ସହକାରୀ ଶିକ୍ଷକମାନେ ଛାତ୍ରମାନଙ୍କ ମଧ୍ୟରେ ମଣିଷ ପଣିଆ,ଚରିତ୍ର ଓ ବ୍ୟକ୍ତିତ୍ଵ ଗଠନ କରିବାରେ ପ୍ରମୁଖ ଭୂମିକା ନିର୍ବାହ କରିଛନ୍ତି ସେମାନେ ହେଲେ ସର୍ବଶ୍ରୀ ଲଡୁ କିଶୋର ସିଂହ ସାମନ୍ତ (କଳା ଶିକ୍ଷା), ଶ୍ୟାମସୁନ୍ଦର ମହାପାତ୍ର, ଲୋକନାଥ ଷଡଙ୍ଗୀ, ବୈଦ୍ୟନାଥ ଷଡଙ୍ଗୀ, ତ୍ରିଲୋଚନ ମିଶ୍ର, ବନମାଳୀ ଆଚାର୍ଯ୍ୟ (ସଂସ୍କୃତ ପଣ୍ଡିତ),ଭୋଳାନାଥ ଦାଶ, ରୁବେନ ସିଂ, ସତ୍ୟନାରାୟଣ ମହାପାତ୍ର ଏବଂ ମହେନ୍ଦ୍ର କୁମାର ମାଝୀ (ଖେଳ ଶିକ୍ଷକ), ଯୋଗେନ୍ଦ୍ର ନାଥ ଡାକୁଆ(କ୍ରାଫ୍ଟ) ଗୋପୀନାଥ ଦାସ (ହିନ୍ଦୀ ଶିକ୍ଷକ),ହରିହର ସାହୁ, ପୂର୍ଣ୍ଣଚନ୍ଦ୍ର ରଥ(ସ୍କାଉଟ ଶିକ୍ଷା), ତ୍ରିଲୋଚନ ମିଶ୍ର ଇତ୍ୟାଦି। ସେମାନେ ଛାତ୍ର ଏବଂ ଅଭିଭାବକ ମାନଙ୍କ ମନରେ ଅମର ହୋଇ ରହି ଯାଇଛନ୍ତି।

ଶିକ୍ଷା ପଦ୍ଧତିରେ ଅନେକ ମୌଳିକ ପରିବର୍ତ୍ତନ ସଙ୍ଗେ ସଙ୍ଗେ ଗୁରୁ-ଛାତ୍ର ସମ୍ପର୍କରେ ମଧ୍ୟ ଅନେକ ପରିବର୍ତ୍ତନ ଘଟିଛି ରାମଚନ୍ଦ୍ର ଉଚ୍ଚ ବିଦ୍ୟାଳୟରେ।ସେ ସମୟରେ ଆମ ପିଠିରେ ସାରଙ୍କ ବେତ ମାଡ଼ ବସୁଥିଲା ଏବଂ ତା ସଙ୍ଗେ ସଙ୍ଗେ ମୁଣ୍ଡ ଉପରେ ଆଶୀର୍ବାଦ ଛଳରେ ସାରଙ୍କ ହାତ ମଧ୍ୟ ବୁଲୁଥିଲା। ଆଜିକାଲି ମାଡ ଅପରାଧ ଭାବରେ ପରିଗଣିତ; କିନ୍ତୁ ଗୁରୁଙ୍କ ଆଶୀର୍ବାଦ ନିଶ୍ଚୟ ଥିବ ବୋଲି ଆଶା, କାରଣ ଗୁରୁ ସବୁବେଳେ ହିତାକାଂକ୍ଷୀ।

ଉତ୍ତର ପୂର୍ବ କୋଣକୁ ଦେବସ୍ଥାନ କୁହାଯାଏ। ସେଥିପାଇଁ ଆମ ସମସ୍ତଙ୍କ ବାସଗୃହର ଐଶାନ୍ୟ କୋଣରେ ଠାକୁର ପୂଜା ପାଆନ୍ତି। ଖଣ୍ଡପଡ଼ା ଗଡର ଐଶାନ୍ୟ କୋଣରେ ଅବସ୍ଥିତ ରାମଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ଭୌଗୋଳିକ ଅବସ୍ଥିତି ଦୃଷ୍ଟିରୁ ମନ୍ଦିରର ମାନ୍ୟତା ସ୍ବତଃ ଲାଭକରେ।ରାଜା ହରିହର ସିଂହ ଏହି ବିଦ୍ୟାଳୟର ପ୍ରତିଷ୍ଠା ସମୟରେ ଜାଣିଶୁଣି ଐଶାନ୍ୟ କୋଣ ବାଛିଥିଲେ କିମ୍ବା କାକତାଳୀୟ ନ୍ୟାୟରେ ଏହା ପ୍ରତିଷ୍ଠିତ ହୋଇଥିଲା କହିବା ସହଜ ନୁହେଁ; କିନ୍ତୁ ବିଗତ ସତସ୍ତରୀ ବର୍ଷ ଧରି ଏହା ବିଦ୍ୟା-ମନ୍ଦିରର କାମ କରି ନାମକୁ ସାର୍ଥକ କରିଛି। ଏଭଳି ପ୍ରଶସ୍ତ ସ୍ଥାନରେ ବିଦ୍ୟାଳୟଟି ସ୍ଥାପିତ ଯେ ତା ଭିତରେ ଛାତ୍ରାବାସ, ଖେଳପଡିଆ,ଛାତ୍ରାବାସ ପରିଚାଳକ(ସୁପରିଣ୍ଟେଣ୍ଡେଟ)’ଙ୍କ ଆବାସ ଛଡ଼ା ବଗିଚା ପାଇଁ ବିସ୍ତୃତ ସ୍ଥାନ ମଧ୍ୟ ଉପଲବ୍ଧ ଥିଲା। ବିଦ୍ୟାଳୟର ପଛପଟେ ଏତେ ବଡ ଜମି ରହିଛି ଯେ ସେଠାରେ ଯୁକ୍ତ ଦୁଇ ପାଇଁ ସ୍କୁଲଘର ମଧ୍ୟ ନିର୍ମାଣ କରାଯାଇ ପାରିବ।

୧୯୪୪ରେ ନିର୍ମିତ ହେବା ସମୟରେ ସ୍କୁଲ୍ ଘରଟି ଖପରୁଲୀ(ଖପରା ଛପର)ଥିଲା। ବିଦ୍ୟାଳୟର ଶୀର୍ଷରେ ଗୋଟିଏ କଳ କୁକୁଡ଼ା 🐔 ସ୍ଥାପନ କରାଯାଇଥିଲା।ପବନ ହେଲେ କଳ କୁକୁଡ଼ାଟି ଘିରି ଘିରି ହୋଇ ବୁଲୁଥିଲା;ସତେ ଯେମିତି କହୁଥିଲା…ମୋ ପରି ଚଳଚଞ୍ଚଳ ହୁଅ;ଏଠାରୁ ଉତ୍ତୀର୍ଣ୍ଣ ହୋଇ (ଉଡିଯାଇ)ଜୀବନର ଲକ୍ଷ୍ୟ ବାଛିନିଅ।ସେହି ଖପରୁଲୀ ଛପର ନଷ୍ଟ ହୋଇଯିବା ପରେ ସ୍କୁଲ ଘରେ ଆଜବେଷ୍ଟସ ଛପର ହୋଇଥିଲା। ମହାବାତ୍ୟା ସମୟରେ ଆଜବେଷ୍ଟସ ଛପର ଉଡି ଯାଇଥିଲା। ଶ୍ରେଣୀ ଭିତରେ ଥିବା ଫ୍ୟାନ ଗୁଡ଼ିକ ଉଡିଯାଇ ସାମ୍ନା ନିମ୍ବ ଗଛରେ ଲାଗିଥିଲା।ଏହାପରେ ଛାତ ପଡି ସ୍କୁଲର ମରାମତି ହୋଇଥିଲା। କିନ୍ତୁ ଖପରୁଲୀ ଛପର ଉପରେ କଳକୁକୁଡା ବସି ଘିରି ଘିରି ବୁଲିବା ଭଳି ସୁନ୍ଦରତା ଏବେ ଆଉ ନାହିଁ।

କ୍ରମଶଃ…….

Click to rate this post!
[Total: 0 Average: 0]

Leave a Reply